ଉପକୂଳ ସୁରକ୍ଷାରେ ହେନ୍ତାଳ ବଣ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତାପନର ପ୍ରଭାବ ପୃଥିବୀବାସୀଙ୍କ ଉପରେ ଯେତେ ବିଳମ୍ବରେ ପଡ଼ିବ ବୋଲି ପରିବେଶ ବିଜ୍ଞାନୀମାନେ ପୂର୍ବରୁ ଚେତାବନୀ ଶୁଣାଇଥିଲେ, ଏବେ ସେଥିରେ ପରିବର୍ତ୍ତନ ଆଣି ତାହା ଖୁବ ଶ୍ରୀଘ୍ର ଅନୁଭୂତ ହେବ ବୋଲି କହିଲେଣି। ଏ କଥା ବେଶ୍‌ ଉଦ୍‌‌େବଗର କାରଣ ପାଲଟିଛି। ପ୍ୟାରିସ ଜଳବାୟୁ ସମ୍ମିଳନୀରେ ସେଇଥି ପାଇଁ ତରବରିଆ ଭାବେ ଘୋଷଣାନାମା ପ୍ରସ୍ତୁତ କରାଯାଇଥିଲା। କାରଣ ବିଶ୍ବ ଉତ୍ତାପ ଯେଉଁ ମାତ୍ରାରେ ବୃଦ୍ଧି ପାଇଚାଲିଛି, ତାକୁ ତୁରନ୍ତ ରୋକା ନ ଗଲେ ପରିସ୍ଥିତି ଅଣାୟତ୍ତ ହେବ ଓ ମେରୁ ଅଞ୍ଚଳର ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇ ଅନେକ ଉପକୂଳବର୍ତ୍ତୀ ସହର ଜଳମଗ୍ନ ହେବ ବୋଲି ଆଶଙ୍କା ଉଦ୍ରେକ ହେଉଛି। ବିଶେଷ କରି ଦ୍ବୀପରାଷ୍ଟ୍ରଗୁଡ଼ିକ ଏଥିନେଇ ଅଧିକ ଚିନ୍ତିତ। ସମୁଦ୍ରର ଜଳସ୍ତର ବୃଦ୍ଧି ସେମାନଙ୍କ ପାଇଁ ବିନାଶର କାରଣ ପାଲଟି ପାରେ। ଇତିମଧ୍ୟରେ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର, ଇଣ୍ତୋନେସିଆର ବିଭିନ୍ନ କ୍ଷୁଦ୍ର ଦ୍ବୀପ ସମୁଦ୍ରର ଆଁ ଭିତରେ ଯେମିତି ଲୀନ ହୋଇଯିବା ଭଳି ଅବସ୍ଥା ଦେଖା ଦେଲାଣି। କେବଳ ସେଠାରେ ନୁହେଁ, ପୃଥିବୀର ସର୍ବତ୍ର ସମୁଦ୍ର କୂଳ ଲଂଘୁଥିବା ଦେଖିବାକୁ ମିଳୁଛି। ଆମ ରାଜ୍ୟରେ ପୁରୀ ବେଳାଭୂମି କ୍ରମେ ସଙ୍କୁଚିତ ହେବାରେ ଲାଗିଲାଣି। ତେଣୁ, ଏହାର ମୁକାବିଲା ସକାଶେ ବିଶ୍ବବ୍ୟାପୀ ପରିବେଶବିତ୍‌ମାନେ ଏକ ଅଭିନବ ଉପାୟ ପାଞ୍ଚିଛନ୍ତି। ଉପାୟଟି ପାରମ୍ପରିକ ହେଲେ ସୁଦ୍ଧା ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଯିବା ଦ୍ବାରା ଅନେକ ସ୍ଥାନରେ ସମୁଦ୍ର ଆଉ ପୂର୍ବ ପରି କୂଳ ଲଂଘୁନାହିଁ। ତାହା ହେଲା ହେନ୍ତାଳ ବଣକୁ ସୁରକ୍ଷା ପ୍ରଦାନ ସହିତ ବ୍ୟାପକ ଆର୍ଦ୍ରଭୂମି ବୃକ୍ଷରୋପଣ। ଯଦିଚ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇ ଆସୁଥିଲା, ଏବେ ଏହାକୁ ଏକ ଉପାୟ ଭାବେ ଗ୍ରହଣ କରାଯାଇଛି। ତାହାର କାରଣ ହେଲା, ହେନ୍ତାଳବଣ ଥିବା ଅଞ୍ଚଳରେ ଅଶାନ୍ତ ସମୁଦ୍ରର ଦାଉ କମ୍‌। ଏବଂ ଯେଉଁଠାରେ ଆର୍ଦ୍ର ଭୂମି ବୃକ୍ଷ ରୋପଣ କରାଯାଉଛି, ସେଠାରେ ସମୁଦ୍ରର ବଡ଼ ବଡ଼ ଢେଉ ଦେଖିବାକୁ ମିଳୁନାହିଁ।

‘େୱଟ୍‌ଲ୍ୟାଣ୍ତ ଇଣ୍ଟରନ୍ୟାସନାଲ’ ନାମକ ଏକ ସ˚ସ୍ଥା ଦୀର୍ଘ କାଳ ଧରି ହେନ୍ତାଳ ବଣ ଉପରେ କାର୍ଯ୍ୟ କରିବା ପରେ ଏଭଳି ଅଭିଜ୍ଞତା ଆହରଣ କରିଛି। ଏହି ସ˚ସ୍ଥାର ରିପୋର୍ଟକୁ ମିଳିତ ଜାତିସ˚ଘର ଆନ୍ତର୍ଜାତିକ ପରିବେଶ କ୍ଷେତ୍ର ପର୍ଯ୍ୟବେକ୍ଷଣ ବ୍ୟୁରୋ ଦେଖିବା ପରେ ଏ ନେଇ ବିଶ୍ବବ୍ୟାପୀ ଗଣମାଧ୍ୟମରେ ତଥ୍ୟ-ଭିିତ୍ତିକ ଖବର ମଧ୍ୟ ପ୍ରକାଶ ପାଇଛି। ବିଶେଷ କରି ଇଣ୍ତୋନେସିଆର ବିଭିନ୍ନ ଦ୍ବୀପ ଓ ଶ୍ରୀଲଙ୍କାରେ ତାହା ସଫଳ ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ନେଦରଲ୍ୟାଣ୍ତ ଓ ଜର୍ମାନିର କିଛି ସ୍ଥାନରେ ଆର୍ଦ୍ର ଭୂମି ବୃକ୍ଷ ରୋପଣ ସଫଳତା ଲାଭ କରିଥିଲା। ତେଣୁ ଅନ୍ତର୍ଜାତୀୟ ପ୍ରାକୃତିକ ପରିବେଶ ସୁରକ୍ଷା ସ˚ଘ ଏହି ଉପାୟକୁ ବିଶ୍ବବ୍ୟାପୀ ପ୍ରବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କାରଣ ସମୁଦ୍ରର କୂଳ ଲଂଘନ ପ୍ରକ୍ରିୟାକୁ ରୋକିବା ଲାଗି ଏହାଠାରୁ ବଳି ସହଜ ଓ ସୁଲଭ ଉପାୟ ଆଉ କିଛି ନାହିଁ ବୋଲି ଅନେକ ପରିବେଶବିତ୍‌ କହିଥାଆନ୍ତି। କ୍ରମେ ଅଧିକରୁ ଅଧିକ ଉତ୍ତାଳ ହେଉଥିବା ସମୁଦ୍ରର ଢେଉକୁ ରୋକିବାକୁ ମନୁଷ୍ୟକୃତ ଅନେକ ଉପାୟ ପୂର୍ବରୁ ବିଫଳ ହୋଇଛି। ସେହି ଦୃଷ୍ଟିରୁ ହେନ୍ତାଳ ବଣ ଏହାର ସଫଳ ମୁକାବିଲା କରିପାରିବା ବେଶ୍‌ ଆଶ୍ବାସନାମୂଳକ।

ହେନ୍ତାଳ ବଣରେ ପ୍ରାୟ ୮୦ ପ୍ରଜାତିର ବିଶେଷ ଧରଣର ବୃକ୍ଷଲତା ଦେଖିବାକୁ ମିଳନ୍ତି। ସାଧାରଣତଃ ନଈ ମୁହାଣରେ ଏହି ଜଙ୍ଗଲ ଦେଖାଯାଏ। ଲବଣାକ୍ତ ଓ ମଧୁର ଜଳର ମିଶ୍ରଣ ତଥା ଜୁଆର ଓ ଭଟ୍ଟା ଭଳି ପ୍ରାକୃତିକ ପରିବେଶ ଏହି ଜଙ୍ଗଲ ଲାଗି ଉପଯୁକ୍ତ। ଯୁଗ ଯୁଗ ଧରି ଏହି ଜଙ୍ଗଲ କୂଳ କ୍ଷୟକୁ ରକ୍ଷା କରିବାରେ ସମର୍ଥ ହୋଇ ଆସିଛି। ସୁନାମିର ଅନୁଭୂତି ଯେଉଁ ସବୁ ଦେଶରେ ରହିଛି, ଅର୍ଥାତ୍‌ ଜାପାନ ଠାରୁ ଆରମ୍ଭ କରି ଇଣ୍ତୋନେସିଆ ଓ ଶ୍ରୀଲଙ୍କା ପର୍ଯ୍ୟନ୍ତରେ ସମସ୍ତେ ସ୍ବୀକାର କରନ୍ତି ଯେ ହେନ୍ତାଳ ବଣ ଏକ ପ୍ରାକୃତିକ ପ୍ରାଚୀର ଭଳି ଭୟାବହ ସାମୁଦ୍ରିକ ଢେଉକୁ କେତେକାଂଶରେ ଅଟକାଇବାରେ ସମର୍ଥ ହୋଇ କ୍ଷୟକ୍ଷତିକୁ ସୀମିତ କରିଥାଏ। ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା କରିବାରେ ମଧ୍ୟ ହେନ୍ତାଳ ବଣ ବିଶେଷ ଭୂମିକା ନିର୍ବାହ କରିପାରେ। ତେଣୁ ଏବେ ହେନ୍ତାଳ ବଣର ସୁରକ୍ଷା ପାଇଁ ବିଶ୍ବବ୍ୟାପୀ ଅଭିଯାନ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି।

ଏଥିରେ ଜାତିସ˚ଘ ଆନୁକୂଲ୍ୟରେ ସାମିଲ ହୋଇଛନ୍ତି ଶତାଧିକ ରାଷ୍ଟ୍ର। ଭାରତ ବି ଏଥିରୁ ବାଦ ପଡ଼ିନାହିଁ। ସରକାରଙ୍କ ସହ ଏହି କାର୍ଯ୍ୟକ୍ରମରେ ହାତ ମିଳାଇଛନ୍ତି ପରିବେଶ ସ˚ରକ୍ଷଣକାରୀ ସ˚ସ୍ଥା ଓ ସ୍ଥାନୀୟ ଜନସାଧାରଣ। ଆଶା କରାଯାଉଛି, ଆଗାମୀ କେଇ ଦଶନ୍ଧି ମଧ୍ୟରେ ହେନ୍ତାଳ ବଣର ବିକାଶ ସାମୁଦ୍ରିକ ଉପକୂଳକୁ ସୁରକ୍ଷା ପ୍ରଦାନ କରିବ‌ାରେ ସଫଳ ହେବ।

କଟିକଟା, ମଙ୍ଗଳପୁର, ଯାଜପୁର
ମୋ: ୯୪୩୮୨୭୬୭୬୦

ସମ୍ବନ୍ଧିତ ଖବର