ପରଦା ଅନ୍ତରାଳରେ କରୋନା ଯୋଦ୍ଧା

ବିଜୟ କେତନ ପଟ୍ଟନାୟକ

କରୋନା ମହାମାରୀର ଭୟାବହତା ଆଗରେ ସମଗ୍ର ବିଶ୍ବ ଆଣ୍ଠେଇ ପଡ଼ିଛି, କହିଲେ ଚଳେ। ଚୀନ୍‌ର ଉହାନ ସହରରୁ ବିଶ୍ବର ୨୧୩ଟି ଦେଶକୁ ବ୍ୟାପିଥିବା ଏହି ଅଦୃଶ୍ୟ ଭୂତାଣୁ ସହିତ ସାରା ବିଶ୍ବ ଏକ ଛାୟାଯୁଦ୍ଧ ଚଳାଇଛି। ଏହି ଯୁଦ୍ଧରେ ସମ୍ମୁଖ ଯୋଦ୍ଧା ହେଉଛନ୍ତି ଡାକ୍ତର/ଡାକ୍ତରାଣୀ, ତାଙ୍କ ସହିତ ସହଯୋଗ କରୁଛନ୍ତି ସେବକ/ସେବିକା, ଵାର୍ଡ ଆଟେଣ୍ତାଣ୍ଟ ଏବ˚ ଡାକ୍ତରଖାନାର ସଫେଇ କର୍ମଚାରୀ ଇତ୍ୟାଦି। ଗ୍ରାମାଞ୍ଚଳରେ ଓ ପ୍ରତି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଏହି ସମସ୍ୟାକୁ ମୁକାବିଲା କରୁଛନ୍ତି ସରପଞ୍ଚ, ଆଶାଦିଦି, ଅଙ୍ଗନବାଡ଼ି କର୍ମୀ, ସ୍କୁଲ ଶିକ୍ଷକ ଏବ˚ ଅନ୍ୟମାନେ। ଏମାନେ ସମସ୍ତେ କରୋନାକୁ ମୁକାବିଲା କରିବା ପାଇଁ ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ପ୍ରମୁଖ ଯୋଦ୍ଧା। ଏମାନଙ୍କ ବ୍ୟତୀତ ଶହ ଶହ ପୁଲିସ କର୍ମଚାରୀ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କରୋନା ସ˚କ୍ରମଣରୁ ବର୍ତ୍ତିବା ନିମନ୍ତେ ଜନସାଧାରଣଙ୍କୁ ନିର୍ଦ୍ଦେଶକ ନିୟମାବଳୀ ବିଷୟରେ ସଚେତନ କରିବାକୁ ଯେଉଁ ପଦକ୍ଷେପ ନେଉଛନ୍ତି, ସେମାନେ ମଧୢ ଆଗ ଧାଡ଼ିର ଯୋଦ୍ଧା। ସ୍ବାସ୍ଥ୍ୟ ପରିମଳ ସେବା ସୂଚାରୁରୂପେ ତୁଲାଉଥିବା ପୌର ନିଗମର କର୍ମଚାରୀମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା। ଏମାନେ ସମସ୍ତେ ପ୍ରଶଂସା ଓ ସମ୍ମାନର ପାତ୍ର।

ତେବେ, ପରଦା ଅନ୍ତରାଳରେ ଅନ୍ୟ କେତେକ କଳାକାର ରହିଯା’ନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି କରୋନା ବା ସେହିପରି ପ୍ରାଣୀବାହିତ ଅଦୃଶ୍ୟ ମହାମାରୀ ଶତ୍ରୁକୁ ପଡ଼ିଆକୁ ଓହ୍ଲାଇବାରୁ ପାରୁ ପର୍ଯ୍ୟନ୍ତ ନିବର୍ତ୍ତାଇ ଆସିଛନ୍ତି, ‌ଯେଉଁମାନଙ୍କ ସମ୍ବନ୍ଧରେ ଟିକିଏ ଆଲୋଚନା କରାଯିବା ଉଚିତ; ସେମାନେ ହେଉଛନ୍ତି ଦେଶରେ କାର୍ଯ୍ୟରତ ଦେଢ଼ ଲକ୍ଷ ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ବନରକ୍ଷୀଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପର୍ଯ୍ୟନ୍ତ। ଏମାନଙ୍କ ବ୍ୟତୀତ ରହିଛନ୍ତି ୧ ଲକ୍ଷ ବୈଜ୍ଞାନିକ, ବନ୍ୟପ୍ରାଣୀ ପ୍ରେମୀ, ବିଶେଷଜ୍ଞ, ବନ୍ୟଜନ୍ତୁ ଫଟୋଗ୍ରାଫର, ବନ୍ୟଜୀବଙ୍କୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରୁଥିବା ବ୍ୟକ୍ତି, ବନ୍ୟପ୍ରାଣୀ ପର୍ଯ୍ୟଟନ ସହିତ ସମ୍ପୃକ୍ତ ସ˚ସ୍ଥା, ପ୍ରକୃତି ଲେଖକ, ସ˚ରକ୍ଷଣକାରୀ ବା ସ˚ରକ୍ଷଣ ସହିତ ସ˚ପୃକ୍ତ ସ˚ସ୍ଥା, ପରିବେଶବିତ୍‌ ଓ ଜଙ୍ଗଲ ନିକଟସ୍ଥ ଗାଁ ଗହଳିରେ ବନ ସୁରକ୍ଷା ପାଇଁ କାର୍ଯ୍ୟରତ ଅନେକ ସ୍ବେଚ୍ଛାସେବୀମାନେ।

ନିକଟରେ ‘ଇଣ୍ତିଆନ ଏକ୍ସପ୍ରେସ୍‌’ରେ ବାହାରିଥିବା ଏକ ସମ୍ବାଦରୁ ଜଣାପଡ଼େ ଯେ ମଣିପୁର ହାଇକୋର୍ଟ, କୋଭିଡ-୧୯, କରୋନା ଭୂତାଣୁ ସ˚କ୍ରମଣ ନିମନ୍ତେ ବ୍ୟାପକ ଜଙ୍ଗଲ ଅବକ୍ଷୟକୁ ଦାୟୀ କରିଛନ୍ତି। ଏହି ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ମାନ୍ୟବର କୋର୍ଟ ବିଭିନ୍ନ ସୂତ୍ରରୁ ବିଶେଷ କରି ଵାସି˚ଟନ ବିଶ୍ବବିଦ୍ୟାଳୟର ମହାମାରୀ ତଥା ସ˚କ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର କାର୍ଲ ବର୍ଗଷ୍ଟ୍ରମଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି- ଯେହେତୁ ପ୍ରାଣୀବାହିତ ଭିନ୍ନ ଭିନ୍ନ ଭୂତାଣୁ ସ˚କ୍ରମଣ ଜନିତ ବିଶ୍ବ ମହାମାରୀର ଆଶଙ୍କା ଆଗକୁ ରହିଛି, ସେହି ଦୃଷ୍ଟିରୁ ଆମକୁ ଜଙ୍ଗଲ ରକ୍ଷା କରିବା, ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର କରିବା ଏବ˚ ବିଶେଷ କରି ଜଙ୍ଗଲ ସମୀପସ୍ଥ ଖାଲି ଜମିରେ ବୃକ୍ଷରୋପଣ କରି ବନ୍ୟପ୍ରାଣୀ ଓ ମନୁଷ୍ୟମାନଙ୍କ ମଧୢରେ ଏକ ନିରପେକ୍ଷ ଇଲାକା ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ। ବନ୍ୟଜନ୍ତୁମାନଙ୍କର ସ˚ସ୍ପର୍ଶରେ ନ ଆସିଲେ, ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନ ହୋଇପାରେ।

ମନେପଡ଼େ ୧୯୭୦ ମସିହା କଥା। ଯେବେ ହିମାଳୟର ଗଡଵାଲ ପାର୍ବତ୍ୟାଞ୍ଚଳରେ ସ୍ତ୍ରୀଲୋକମାନେ ଗଛକୁ କୁଣ୍ଢେଇ ଧରି ଗଛକଟାର ଯେଭଳି ପ୍ରତିବାଦ କଲେ, ତାହା ‘ଚିପ୍‌କୋ’ ଆନ୍ଦୋଳନ ନାମରେ ବିଶ୍ବବିଦିତ ହୋଇଗଲା। ଏକଦା ମଧୢପ୍ରଦେଶ (ବର୍ତ୍ତମାନ ଛତିଶଗଡ଼) ବସ୍ତର ଅଞ୍ଚଳର ଆଦିବାସୀମାନେ ପ୍ରାକୃତିକ ଶାଳ ଜଙ୍ଗଲ କଟାଯାଇ ପାଇନ୍‌ ଗଛ ଲଗାଇବା ଉଦ୍ୟମର ପ୍ରବଳ ପ୍ରତିରୋଧ କରିଥିଲେ। ଝାଡ଼ଖଣ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ଶାଳ ଜଙ୍ଗଲ କାଟି ରୋପଣ କରାଯାଇଥିବା ଶାଗୁଆନ୍‌ ଜଙ୍ଗଲରେ ନିଆଁ ଲଗେଇ ଦେଇ ସେମାନଙ୍କର ପ୍ରତିବାଦ ଜାହିର‌୍‌ କରିଥିଲେ। କାରଣ ପ୍ରାକୃତିକ ଶାଳ ଜଙ୍ଗଲ ଆଦିବାସୀମାନଙ୍କର ଜୀବନ, ଜୀବିକାର ପ୍ରମୁଖ ଉତ୍ସ। ଅତୀତରେ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ନିମନ୍ତେ ସ୍ବର ଉତ୍ତୋଳନ କରିଥିବା ଏମାନେ କ’ଣ ପରଦା ଅନ୍ତରାଳରେ ରହିଯାଇଥିବା ଯୋଦ୍ଧା ନୁହନ୍ତି?

କୋଭିଡ୍‌-୧୯ ଦ୍ବାରା ସୃଷ୍ଟ କରୋନା ମହାମାରୀ କବଳରେ ଏବେ ସାରା ବିଶ୍ବ କଲବଲ ହେଉଛି। ବିଶ୍ବର ଆର୍ଥିକ, ସାମାଜିକ ଓ ମନସ୍ତାତ୍ତ୍ବିକ ମେରୁଦଣ୍ତ ଦୋହଲି ଗଲାଣି। କରୋନା ଭୂତାଣୁ ସ˚କ୍ରମିତ ମହାମାରୀ ଏକ ପ୍ରାଣୀବାହିତ (zoonotic) ସ˚କ୍ରାମକ ରୋଗ। ଏହି ରୋଗର ଭୂତାଣୁ ଫଳଖିଆ ବାଦୁଡ଼ି ଠାରୁ ଅନ୍ୟ ଏକ ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା ଜରିଆରେ ମନୁଷ୍ୟ ଶରୀରକୁ ପ୍ରବେଶ କରିଛି। ଏହା ପଛରେ ରହିଥିବା ଅନ୍ୟତମ ଉଦ୍‌ବେଗଜନକ କାରଣ ହେଉଛି ଦେଶ ବିଦେଶକୁ ବାଘ, ଚିତାବାଘ ଓ ବଜ୍ରକାପ୍ତା ଆଦି ବନ୍ୟପ୍ରାଣୀଙ୍କର ଅବାଧ ଚୋରା ଚାଲଣ ଏବ˚ ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀଙ୍କର ସୁରକ୍ଷିତ ଆବାସସ୍ଥଳୀର ଅବକ୍ଷୟ ତଥା ସ˚କୋଚନ, ପ୍ରକୃତି ଓ ପରିବେଶ ସହିତ ଅପରିଣାମଦର୍ଶୀ ଆଚରଣ ପ୍ରଦର୍ଶନ କରିବାର ଫଳ। ‘ଇକୋ ହେଲ୍‌ଥ’ର ମୁଖ୍ୟ ପିଟର ଡାବଜାକ୍‌ କୁହନ୍ତି ଗତ ୩୦ରୁ ୪୦ ବର୍ଷ ଭିତରେ ଯେତେସବୁ ଭୂତାଣୁ ସ˚କ୍ରମଣ ଜନିତ ରୋଗ ବ୍ୟାପିଛି, ସେଗୁଡ଼ିକ ମନୁଷ୍ୟର ବନ୍ୟଜୀବମାନଙ୍କର ଆବାସସ୍ଥଳୀରେ ଅନୁପ୍ରବେଶ ଫଳରେ ଘଟିଛି। ପ୍ରାଣୀମାନଙ୍କ ଠାରୁ ଆସିଥିବା ଭୂତାଣୁ ସେମାନଙ୍କର ମା˚ସ ଭକ୍ଷଣ ଦ୍ବାରା ବା ସେମାନଙ୍କ ସ˚ସ୍ପର୍ଶରେ ଆସିବା ଦ୍ବାରା ମନୁଷ୍ୟ ଶରୀରରେ ପ୍ରବେଶ କରିଥାଏ। ବିଗତ ଅର୍ଧଶତାବ୍ଦୀ ଭିତରେ ଏହି ଘଟଣା ପ୍ରାୟ ୪ ଗୁଣ ବଢ଼ିଯାଇଛି। ବିଶେଷଜ୍ଞମାନଙ୍କ ମତରେ ବିଶେଷ କରି କ୍ରାନ୍ତୀୟ ଜଙ୍ଗଲ ନଷ୍ଟ ହେବା ସହିତ, ସେଠାରେ ମନୁଷ୍ୟମାନଙ୍କର ଅନୁପ୍ରବେଶ ପ୍ରାଣୀବାହିତ ରୋଗ ବ୍ୟାପିବାର ପ୍ରମୁଖ କାରଣ।

ଏଥିସହିତ ବିଶ୍ବତାପନ ହେତୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଅସନ୍ତୁଳନ ମଧୢ ବିଭିନ୍ନ ପରିସ˚ସ୍ଥା ପ୍ରତି ବିପଦ ସୃଷ୍ଟି କରିଛି। ଅତୀତରେ ପଶ୍ଚିମ ଆଫ୍ରିକାରେ ‘ଇବୋଲା’, ଉତ୍ତର ଆମେରିକାରେ ‘ଜିକା’, ମାଲେସିଆର ‘ନିପାହ’ ବା ଦକ୍ଷିଣ ପଶ୍ଚିମ ଭାରତରେ ‘କ୍ୟାସାନୁର’ ପରି ଭୂତାଣୁ ସ˚କ୍ରମଣ ଘଟଣା ୧୯୮୦ ମସିହା ପରଠାରୁ ବାରମ୍ବାର ଘଟୁଛି। କରୋନା ଭୂତାଣୁର ନିକଟ ସମ୍ପର୍କୀୟ ସାର୍ସ‌୍ କରୋନା ଭୂତାଣୁ ୨୦୦୨ ଦକ୍ଷିଣ ଚୀନ୍‌ର ଵାଙ୍ଗଡଙ୍ଗ ସହରରେ ଜନ୍ମ ନେଇଥିଲା। ବନ୍ୟପ୍ରାଣୀଙ୍କର ତଟକା କଞ୍ଚା ମା˚ସ ବେପାର ଏହାର ଅନ୍ୟତମ ଉତ୍ସ। ଏହି ରୋଗ ପ୍ରାୟ ୮୦୦୦ ଲୋକଙ୍କୁ ସ˚କ୍ରମିତ ଓ ବହୁତ ଲୋକଙ୍କ ଜୀବନ ନେଇଥିଲା। ୨୦୧୩-୧୬ ମଧୢରେ ‘ଇବୋଲା’ ଭୂତାଣୁ ଦ୍ବାରା ୨୮,୬୧୧ ଲୋକ ସ˚କ୍ରମିତ ହୋଇ ୧୧,୩୧୦ ଜଣ ପ୍ରାଣ ହରାଇଥିଲେ।

କୋଭିଡ-୧୯ ପରିବେଶ ଓ ପରିସ˚ସ୍ଥା ପ୍ରତି ଥିବା ଆମର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ୧୮୦୦ ମସିହାରେ ବିଶ୍ବର ଜନସ˚ଖ୍ୟା ୧୦୦ କୋଟି ଥିଲା ବେଳେ ଏବେ ତାହା ୭.୮ ଗୁଣ ବୃଦ୍ଧି ପାଇ ୭୮୦ କୋଟିରେ ପହଞ୍ଚିଲାଣି। ମନରେ ସ୍ବତଃ ପ୍ରଶ୍ନ ଉଠେ, ପୃଥିବୀର ଯେଉଁ ଧାରଣ କରିବା କ୍ଷମତା ରହିଛି, ବର୍ତ୍ତମାନର ଜନସ˚ଖ୍ୟା ଓ ସେମାନଙ୍କର କ୍ରମବର୍ଦ୍ଧିଷ୍ଣ ଆବଶ୍ୟକତା କ’ଣ ସେ ସୀମା ପାର କରିଗଲାଣି? କରୋନା ଭୂତାଣୁ କ’ଣ ପାଇଁ ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କ ପାଇଁ ବିପଦପୂର୍ଣ୍ଣ ବା ଘାତକ ହେଉଛି? ‘ଅଧିକ ସମର୍ଥ ଲୋକର ବଞ୍ଚି ରହିବାର ଅଧିକାର’ ତତ୍ତ୍ବ ଆଡକୁ ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ ତ? ଅର୍ଥାତ୍‌ ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସହିତ ସ˚ଘର୍ଷ କରିବାକୁ ସକ୍ଷମ, ସେମାନେ ହିଁ ଏହି ଅଘୋଷିତ ଆକ୍ରମଣରୁ ବର୍ତ୍ତିଯିବେ। ପ୍ରକୃତି କ’ଣ ଆବଶ୍ୟକତା ଠାରୁ ଅଧିକ ଥିବା ଲୋକଙ୍କୁ ସ˚ହାର କରି ତା’ର ଧାରଣ କ୍ଷମତାକୁ ପୁନଃ ଫେରିପାଇବାକୁ ଚେଷ୍ଟା କରୁଛି? ଏହି ବିପଜ୍ଜନକ ସ୍ଥିତି କ’ଣ ପ୍ରକୃତିର ଆମ ପାଇଁ ସତର୍କ ଘଣ୍ଟି?

ଏବେ ବାଣିଜ୍ୟ ବ୍ୟବସାୟ ଶିଳ୍ପ, କଳକାରଖାନା ଆଦି ଘୋର ଆକ୍ରାନ୍ତ। ଅର୍ଥନୀତି ଭୁଶୁଡ଼ି ପଡ଼ିବାରେ ଲାଗିଛି। କିନ୍ତୁ କଳକାରଖାନା ପ୍ରତିଷ୍ଠା ସମୟରେ, ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବା ସମୟରେ ଜଙ୍ଗଲ ଯେତେବେଳେ କଟି ଯାଉଥିଲା ବା ଯାନବାହନ ପ୍ରଦୂଷଣରେ ବାୟୁମଣ୍ତଳର ତାପମାତ୍ରା ଯେବେ ବଢ଼ି ଚାଲିଥିଲା, ସେତେବେଳେ ତାହା ଉପରେ କାହାର ଧ୍ୟାନ ନ ଥିଲା। ଏବେ ଅର୍ଥନୀତିର ଦୁରବସ୍ଥା ସେମାନଙ୍କ ଆଖି ଖୋଲିଛି। ଯେଉଁଠି ଆଘାତ ପାଇଲେ ଅଧିକ କଷ୍ଟ ହେବ, ଭୂତାଣୁ ଠିକ୍‌ ସେହି ଜାଗାରେ ପ୍ରହାର କରିଛି। ଗୋଟିଏ ସୁସ୍ଥ, ପ୍ରାକୃତିକ ପରିବେଶ ବିନା ଅର୍ଥନୀତିକୁ ଠିକ୍‌ ବାଟରେ ଚଳେଇ ହେବ ନାହିଁ ବୋଲି ଏବେ ବୁଝାପଡ଼ିଲାଣି। ଅର୍ଥନୈତିକ ସୁଧାର ଆଣିବା ସମୟରେ ଏହି ସତ୍ୟଟିକୁ ଆଖି ସାମ୍ନାରେ ରଖିବାକୁ ପଡ଼ିବ। କେବଳ ଆମ ଦେଶରେ କାହିଁକି, ବିଶ୍ବରେ ମଧୢ ପ୍ରାକୃତିକ ସମ୍ବଳକୁ ବିକାଶର ଯଜ୍ଞବେଦୀରେ ବଳି ଦେବା ଉଚିତ୍‌ ହେବ ନାହିଁ। ବିଶ୍ବର ନେତୃବୃନ୍ଦ ପ୍ରକୃତିର ଅବକ୍ଷୟକୁ ସୁଧାରିବା ଚିନ୍ତାଧାରା ପ୍ରତି ଜାଗରୁକ ହେବା ଦରକାର; ଯେଉଁଠି ଜୀବନ, ଜୀବିକା ଓ ଅର୍ଥନୀତି ମଧୢରେ ଏକ ସୁସ୍ଥ ସମନ୍ବୟ ରହିବ ଏବଂ ବିନା ଅପଚୟ, ବିନା ଲୁଣ୍ଠନ ସହ ସର୍ବତୋ ଭାବେ ପ୍ରକୃତିର ସୁରକ୍ଷା ପ୍ରତି ମନୁଷ୍ୟ ସମର୍ପିତ ରହିବ।

ବିକାଶ ବା ପ୍ରଗତିର ଖସଡ଼ାରେ ଜଙ୍ଗଲ, ବନ୍ୟପ୍ରାଣୀ, ପ୍ରକୃତି ଓ ପରିବେଶର ସ୍ଥାନ ସର୍ବାଗ୍ରେ। ବେଳେବେଳେ ମନରେ ପ୍ରଶ୍ନ ଉଠେ, କେମିତି ପ୍ରକୃତି ସହିତ ଅନାବଶ୍ୟକ ଭାବେ ଆମେ ଅବିଚାର କରି ଚାଲିଛେ। ଆମ ସ˚ସ୍କୃତି, ସାହିତ୍ୟ ତଥା କାବ୍ୟ କବିତାରେ ପ୍ରତିଫଳିତ କୋମଳ ଗାନ୍ଧାର ପରିବେଶ ଆଜି ବିଭିନ୍ନ କାରଣରୁ ପ୍ରଦୂଷଣ ବଳୟରେ ବନ୍ଦୀ। ସେ ବି ମୁକ୍ତି ଚାହେଁ। ପ୍ରସିଦ୍ଧ ଲେବାନିଜ୍‌ ଦାର୍ଶନିକ ଖଲିଲ ଜିବ୍ରାନ୍‌ କୁହନ୍ତି, ‘ଏ କଥା ଭୁଲ ନାହିଁ ଯେ, ପୃଥିବୀ ମଧୢ ତୁମ ଉନ୍ମୁକ୍ତ ପାଦର କୋମଳ ସ୍ପର୍ଶ ପାଇବାକୁ ଚାହୁଁଛି।’ କିନ୍ତୁ କୋମଳ ସ୍ପର୍ଶ ବା ଆଶ୍ବାସନା ବଦଳରେ ଆମେ ପୃଥିବୀ ସହିତ ପ୍ରତି ପଦକ୍ଷେପରେ ରୁକ୍ଷ ବ୍ୟବହାର କରି ଚାଲିଛେ। ଏହା ଏକ ବିଡ଼ମ୍ବନା।

ଅନେକ ବିଶେଷଜ୍ଞଙ୍କ ମତରେ, ମହାମାରୀ କରୋନା ହୁଏତ ଅନେକ ପୂର୍ବରୁ ଆସି ପାରିଥା’ନ୍ତା। କିନ୍ତୁ ପ୍ରକୃତି ଓ ବନ୍ୟପ୍ରାଣୀ ପ୍ରେମୀ ଯୋଦ୍ଧାମାନଙ୍କର ପ୍ରକୃତି ଓ ବନ୍ୟଜୀବ ସ˚ରକ୍ଷଣ ନିମନ୍ତେ ଜାରି ରହିଥିବା ଅବିରତ ସ˚ଗ୍ରାମ ଏହାକୁ ବିଳମ୍ବିତ କଲା। ଆମ ସମାଜର ପ୍ରତ୍ୟେକ ସ୍ତରରେ ପ୍ରକୃତି ଓ ପରିବେଶ ଏବ˚ ତହିଁରେ ବସବାସ କରୁଥିବା ବନ୍ୟଜୀବଙ୍କୁ ଭଲ ପାଉଥିବା ବ୍ୟକ୍ତି ଅଛନ୍ତି। ସେମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରୟାସ ଜାରି ରଖିଛନ୍ତି। ବିଗତ ତିରିଶ ବର୍ଷ ହେଲା ବନ୍ୟପ୍ରାଣୀ ଯଥା ବାଘ, ଚିତାବାଘ, ବଜ୍ରକାପ୍ତା, ହାତୀଦାନ୍ତ ଓ ଗଣ୍ତା ଶିଙ୍ଗର ଚୋରାଚାଲାଣ ରୋକିବା ପାଇଁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ˚ସ୍ଥା ମଧୢ ଲାଗିପଡ଼ିଛନ୍ତି। ତଥାପି ବନ୍ୟପ୍ରାଣୀ ଚୋରା ଚାଲାଣ ଥମୁ ନାହିଁ। ପ୍ରକୃତି ଓ ପ୍ରାକୃତିକ ପରିବେଶର ସୁରକ୍ଷା ତଥା ସ˚ରକ୍ଷଣ ପାଇଁ ଏହି ସମସ୍ତ ନିରବ ଯୋଦ୍ଧାମାନଙ୍କର ଅବଦାନ ଅସୀମ। ଏବେ ସେମାନଙ୍କୁ ସ୍ବୀକୃତି ପ୍ରଦାନ କରିବାର ସମୟ ଉପନୀତ।

ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ
ସ˚ରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର