ଜଣେ ଅସାଧାରଣ ମହାକାଶ ବିଜ୍ଞାନୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ସ୍ୱର୍ଗତ ଏପିଜେ ଅବ୍‌ଦୁଲ କଲାମ ନୈତିକ ମୂଲ୍ୟବୋଧ ଥିବା କାହାଣୀ ଶୁଣାଇବାକୁ ଭଲ ପାଉଥିଲେ। ତାଙ୍କର ଏକ ପ୍ରିୟ କାହାଣୀ ଜୁଲାଇ ୧୯୭୯ରେ ‘ଭାରତୀୟ ଅନ୍ତରୀକ୍ଷ ଗବେଷଣା ସ˚ସ୍ଥା’(ଇସ୍ରୋ) ସ˚ପର୍କିତ ଏକ ଉପଗ୍ରହ ଉତ୍‌କ୍ଷେପଣ ଉପରେ ତାହା ଆଧାରିତ। କଲାମ ସେତେ ବେଳେ ‘ଇସ୍ରୋ’ର ଉକ୍ତ ଉପଗ୍ରହ ପ୍ରକଳ୍ପ ଦାୟିତ୍ବରେ ଥିଲେ। ଯେତେ ବେଳେ କିଛି ସହକର୍ମୀ ଉକ୍ତ ପ୍ରକଳ୍ପର ପ୍ରସ୍ତୁତି ସ˚କ୍ରାନ୍ତରେ ସ˚ଦେହ ପ୍ରକାଶ କଲେ, ସେ ତାହା ପ୍ରତ୍ୟାଖ୍ୟାନ କରିବା ସହ ଆଗେଇବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଉତ୍‌କ୍ଷେପଣ ବିଫଳ ହୋଇଥିଲା ଏବ˚ ମହାଶୂନ୍ୟକୁ ଯିବା ପରିବର୍ତ୍ତେ ଉପଗ୍ରହଟି ବଙ୍ଗୋପସାଗରରେ ଖସିପଡ଼ିଥିଲା। ନେତୃତ୍ବ ନେଇଥିବା କାରଣରୁ ତାହାର ବିଫଳତା ପାଇଁ କଲାମ ଲାଞ୍ଛିତ-ଉପହସିତ ହୋଇଥିଲେ ଏବ˚ ଗଣମାଧ୍ୟମରେ ତାହାର ସୂଚନା ଦିଆଯିବାକୁ ନେଇ ଆତଙ୍କିତ ମଧ୍ୟ ହୋଇପଡ଼ିଥିଲେ। ତେବେ, ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ ‘ଇସ୍ରୋ’ର ତତ୍‌କାଳୀନ ଅଧ୍ୟକ୍ଷ ସତୀଶ ଧଓ୍ୱନ। ସେ ଟେଲିଭିଜନ୍‌ କ୍ୟାମେରାର ସାମନା କରିଥିଲେ। କାର୍ଯ୍ୟକ୍ରମ ବିଫଳ ହୋଇଥିବା ସତ୍ତ୍ବେ ନିଜ ଦଳ ଉପରେ ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ଏବ˚ ପରବର୍ତ୍ତୀ ଉଦ୍ୟମରେ ସେମାନେ ସଫଳ ହେବେ ବୋଲି ମଧ୍ୟ ଆଶା ବ୍ୟକ୍ତ କରିଥିଲେ।

ପର ବର୍ଷ ଅଗଷ୍ଟରେ କଲାମ ଓ ତାଙ୍କ ସହକର୍ମୀମାନେ ପୁଣି ଥରେ ଏକ ଉପଗ୍ରହ ମହାଶୂନ୍ୟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଦ୍ବିତୀୟ ପ୍ରଚେଷ୍ଟାରେ ସେମାନଙ୍କୁ ସଫଳତା ପ୍ରାପ୍ତ ହୋଇଥିଲା। ଧଓ୍ୱନ, ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବ˚ ଗଣମାଧ୍ୟମରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାକୁ କଲାମଙ୍କୁ କହିଥିଲେ। ପରବର୍ତ୍ତୀ କାଳରେ, ସେ ରାଷ୍ଟ୍ରପତି ହେବା ପୂର୍ବରୁ ତଥା ପରେ, କଲାମ ଅନେକ ଥର ଉକ୍ତ କାହାଣୀ କହିଥିଲେ। ସେ ମନେ ପକାଇଥିଲେ- ‘ଯେତେବେଳେ ଆମେ ବିଫଳ ହେଲୁ, ଆମର ମୁଖ୍ୟ ବିଫଳତା ମୁଣ୍ତାଇଥିଲେ ଏବ˚ ଆମେ ଯେତେବେଳେ ସଫଳ ହେଲୁ, ସେ ତାହାର ଶ୍ରେୟ ନିଜ ଦଳ ଓ ସହକର୍ମୀମାନଙ୍କୁ ଦେଇଥିଲେ।’

ଚଳିତ ବର୍ଷ ଭାରତର ବିଜ୍ଞାନୀ ସ˚ପ୍ରଦାୟ ଅବ୍‌ଦୁଲ କଲାମଙ୍କ ମହାନାୟକ ସତୀଶ ଧଓ୍ୱନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି। ସେ ୨୫ ସେପ୍‌ଟେମ୍ବର‌୍‌ ୧୯୨୦ରେ ଶ୍ରୀନଗରରେ ଜନ୍ମ ହୋଇଥିଲେ। ସେ ଥିଲେ ଜଣେ ବିଚାରପତିଙ୍କ ପୁତ୍ର। ସତୀଶ ବଢ଼ିଥିଲେ ଏବ˚ ଶିକ୍ଷିତ ହୋଇଥିଲେ ଲାହୋରରେ। ପଦାର୍ଥବିଜ୍ଞାନ ଓ ଗଣିତ, ସାହିତ୍ୟ ଏବ˚ ଯନ୍ତ୍ର ବିଜ୍ଞାନରେ ସେ ସ୍ନାତକ ହୋଇଥିଲେ। ଏକତ୍ର ଏ ଭଳି ବିଷୟ ଅଧ୍ୟୟନ ଅସାଧାରଣ ହୋଇଥିଲେ ହେଁ ଭାରତରେ ବିଜ୍ଞାନ, କଳା ଓ ବୈଷୟିକ ବିଜ୍ଞାନର ସମନ୍ବୟ ବିରଳ ନୁହେଁ। ୧୯୩୦-୪୦ରେ ଏ ଭଳି ପରୀକ୍ଷା-ନିରୀକ୍ଷାକୁ ଲାହୋରରେ ଉତ୍ସାହିତ କରାଯାଉଥିଲା। ସେତେ ବେଳେ ଏହି ସହର ସ˚ସ୍କୃତି ଓ ବିଦ୍‌ବତ୍ତାର ଏକ ପ୍ରମୁଖ କେନ୍ଦ୍ର ତଥା ହିନ୍ଦୁ, ଇସଲାମୀୟ, ଶିଖ ଏବ˚ ଇଉରୋପୀୟ ବୌଦ୍ଧିକ ପର˚ପରାର ସଙ୍ଗମ ସ୍ଥଳୀ ଥିଲା।

୧୯୪୫ରେ ତିନିଟି ଭିନ୍ନ ଭିନ୍ନ ବିଷୟରେ ଡିଗ୍ରି ଲାଭ ପରେ ସତୀଶ ବେଙ୍ଗାଲୁରୁ ଆସିଥିଲେ। ନବ-ପ୍ରତିଷ୍ଠିତ ‘ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍‌’ରେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ସେ ପ୍ରାୟ ଏକ ବର୍ଷ ସେଠାରେ କାମ କରିଥିଲେ। ତାହା ପରେ ସେ ଅଧିକ ଶିକ୍ଷା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ। ପ୍ରଥମେ ‘ୟୁନିଭର୍ସିଟି ଅଫ୍‌ ମିନେସୋଟା’ରୁ ଏମ୍‌ଏସ୍‌ ଡିଗ୍ରି ଏବ˚ ତାହା ପରେ ‘କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି’ରୁ ଏରୋନଟିକାଲ୍‌ ଇ˚ଜିନିଅରି˚ରେ ପିଏଚ୍‌ଡି ଲାଭ କରିଥିଲେ। ସ୍ବାଧୀନତା ଓ ଦେଶ ବିଭାଜନ ବେଳେ ସେ ବିଦେଶରେ ଥିଲେ। ବିଭାଜନ କାରଣରୁ ତାଙ୍କ ପରିବାର ପାକିସ୍ତାନ ଛାଡ଼ି ଭାରତ ଆସିବାକୁ ବାଧ୍ୟ ହୋଇଥିଲା।

ନବ-ବିଭାଜିତ ମାତୃଭୂମିକୁ ଫେରିବା ସଙ୍ଗେସଙ୍ଗେ ସତୀଶ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ର ଏରୋନଟିକ୍‌ସ ବିଭାଗରେ ଯୋଗ ଦେଇଥିଲେ। ତାଙ୍କର ଅନ୍ୟତମ ପ୍ରଥମ ପର୍ଯ୍ୟାୟର ଛାତ୍ର ରୋଦମ ନରସି˚ହ ମନେ ପକାଇ କହନ୍ତି: ‘ଉକ୍ତ ବିଭାଗ ତଥା ଅନୁଷ୍ଠାନକୁ ସତୀଶ ଆଧୁନିକତା, ସତେଜତା, ଯୌବନ ତଥା କାଲିଫର୍ନିଆନ୍‌ ଅନୌପଚାରିକତା ଦେଇଥିଲେ, ଯାହା ତାଙ୍କ ଛାତ୍ର ଓ ସହକର୍ମୀମାନଙ୍କୁ ଅଭିଭୂତ କରିଥିଲା।’

ସତୀଶ ନିଜ ଗବେଷଣା ଉପଭୋଗ କରୁଥିଲେ। ଭାରତର ପ୍ରଥମ ସୁପର‌୍‌ସୋନିକ୍‌ ଉଇଣ୍ଡ୍‌ ଟନେଲ୍‌ ନିର୍ମାଣ କରିଥିଲେ। ତାଙ୍କୁ ଗ୍ରହଣ କରିଥିବା ସହରକୁ ମଧ୍ୟ ସେ ଭଲ ପାଇଥିଲେ। ସେଠାରେ ପ୍ରେମରେ ପଡ଼ିଥିଲେ ଏବ˚ କୋଷବିଜ୍ଞାନୀ ନଳିନୀ ନିରୋଦୀଙ୍କୁ ବିବାହ କରିଥିଲେ। ସେମାନଙ୍କର ତିନି ସନ୍ତାନ ଜନ୍ମ ହୋଇଥିଲେ। ୧୯୬୨ରେ ତାଙ୍କୁ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ର ନିର୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ଜଣେ ବିବରଣୀକାରଙ୍କ ଭାଷାରେ ଉକ୍ତ ଅନୁଷ୍ଠାନ ସେତେ ବେଳେ ଧୀରେଧୀରେ ବୌଦ୍ଧିକ ତନ୍ଦ୍ରାଚ୍ଛନ୍ନତା ଆଡ଼କୁ ଅଗ୍ରସର ହେଉଥିଲା। ସତୀଶ ଏହାକୁ ଜାଗ୍ରତ କରାଇବା ସହ ଦେଶର ମୁଖ୍ୟ ଗବେଷଣା ଅନୁଷ୍ଠାନରେ ପରିଣତ କରିଥିଲେ। ସତୀଶ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ର ନିର୍ଦେଶକ ଥିବା ବେଳେ କ˚ପ୍ୟୁଟର‌୍‌ ବିଜ୍ଞାନ, ମଲିକ୍ୟୁଲାର‌୍‌ ବାୟୋଫିଜିକ୍‌ସ, ସଲିଡ୍‌ ଷ୍ଟେଟ୍‌ କେମିଷ୍ଟ୍ରି, ପରିବେଶ ବିଜ୍ଞାନ ଓ ବାୟୁମଣ୍ତଳୀୟ ବିଜ୍ଞାନ କ୍ଷେତ୍ରରେ ନୂଆ ଗବେଷଣା ପାଇଁ ପଥ ଉନ୍ମୁକ୍ତ କରିଥିଲେ। ଅନୁଷ୍ଠାନର ସୁପରିଚାଳନା ପାଇଁ ଦେଶ ତଥା ବିଦେଶରୁ ବିଦ୍ବାନମାନଙ୍କୁ ନିଯୁକ୍ତି ଦେଇଥିଲେ।

୧୯୭୧-୭୨ରେ ବିଦେଶରେ ଅଧିକ ଅଧ୍ୟୟନ ଓ ଗବେଷଣା ନିମନ୍ତେ ସତୀଶଙ୍କୁ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ ପକ୍ଷରୁ ଛୁଟି ମ˚ଜୁର କରାଯାଇଥିଲା। ଗବେଷଣା ପାଇଁ ସେ ‘କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି’(କାଲ୍‌ଟେକ୍‌)କୁ ଫେରିଥିଲେ। ସେ ବିଦେଶରେ ଥିବା ବେଳେ ମାତ୍ର ବାଉନ ବର୍ଷ ବୟସରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ମୁଖ୍ୟ ବିକ୍ରମ ସାରାଭାଇଙ୍କ ଦୁଃଖଦ ବିୟୋଗ ଘଟିଲା। ସେତେବେଳେ ଆମ ଦେଶର ମହାକାଶ କାର୍ଯ୍ୟକ୍ରମ ବାଳୁତାବସ୍ଥାରେ ଥିଲା। ତେଣୁ ବିକ୍ରମଙ୍କ ଅକାଳ ଦେହାନ୍ତ ଭାରତୀୟ ବିଜ୍ଞାନ ବିଶେଷତଃ ମହାକାଶ ବିଜ୍ଞାନକୁ ଏକ ଶକ୍ତ ଧକ୍କା ଦେଲା। ନିଜର ପ୍ରମୁଖ ଶାସନ ସଚିବ ପରମେଶ୍ବର ନାରାୟଣ ହକ୍‌ସରଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, କାଲିଫର୍ନିଆରେ ଥିବା ସତୀଶଙ୍କୁ ତୁରନ୍ତ ଫେରିଆସି, ବିକ୍ରମଙ୍କ ଉତ୍ତରାଧିକାରୀ ଭାବେ ‘ଇସ୍ରୋ’ର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବାକୁ ବାର୍ତ୍ତା ପଠାଇଲେ। ସତୀଶ ସମ୍ମତ ହେଲେ; ତେବେ, ଦୁଇଟି ସର୍ତ୍ତ ରଖିଲେ। ପ୍ରଥମ- ସେ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ର ନିର୍ଦେଶକ ରହିବେ ଏବ˚ ଦ୍ବିତୀୟ- ‘ଇସ୍ରୋ’ର ମୁଖ୍ୟ କାର୍ଯ୍ୟାଳୟ ଅହମଦାବାଦରୁ ବେଙ୍ଗାଲୁରୁ ଆସିବ। ଶ୍ରୀମତୀ ଗାନ୍ଧୀ ଉଭୟ ସର୍ତ୍ତ ସହ ଆଉ ଏକ ସର୍ତ୍ତ ମଧ୍ୟ ମାନିନେଲେ; ସତୀଶ ‘କାଲ୍‌ଟେକ୍‌’ରେ କରୁଥିବା ବର୍ଷକର ଗବେଷଣା ସାରି ଭାରତ ଫେରିବେ ଏବ˚ ନୂଆ ଦାୟିତ୍ବ ଗ୍ରହଣ କରିବେ।

ନିଜର ପୁସ୍ତକ ‘ଇସ୍ରୋ: ଏ ପର୍ସନାଲ୍‌ ହିଷ୍ଟ୍ରି’ରେ ଲେଖକ ଅରଭମୁଦନ, ସତୀଶଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ ଓ କାର୍ଯ୍ୟ (ବିଶେଷତଃ ଅନୁଷ୍ଠାନର ପରିବର୍ତ୍ତନ)ର ବର୍ଣ୍ଣନା କରିଛନ୍ତି। ତାଙ୍କ ଭାଷାରେ: ‘ବିକ୍ରମଙ୍କ ପରିଚାଳନା ଶୈଳୀ ପିତୃକୈନ୍ଦ୍ରିକ ଥିଲା। ସେ ଏକ ଛୋଟିଆ ପରିବାରର ମୁଖ୍ୟ ଥିଲେ, ଯାହାର ସଦସ୍ୟମାନେ ପରସ୍ପର ସହ ଛନ୍ଦି ହୋଇ ରହିଥିଲେ। ଏହା ଏକ ପ୍ରକାରର ଏକକ ଅନୁଷ୍ଠାନ ଥିଲା ଏବ˚ ବିକ୍ରମ ଗୋଟିକ ପରେ ଗୋଟିଏ କାମ କରୁଥିଲେ। ସମସ୍ତେ ଏକ ସମୟରେ ଗୋଟିଏ ପ୍ରକଳ୍ପ ସହ ଜଡ଼ିିତ ରହୁଥିଲେ।’

‘ଯେତେବେଳେ ‘ଇସ୍ରୋ’ ଅପେକ୍ଷାକୃତ କ୍ଷୁଦ୍ର ଥିଲା ଏବ˚ ବିକଶିତ ହେଉଥିଲା, ଏ ଭଳି ପରିଚାଳନା ଶୈଳୀ ଚଳନୀୟ ଥିଲା। ତେବେ, ଅନୁଷ୍ଠାନର ବୃଦ୍ଧି ଓ ବିକାଶ ସହ ପରିବର୍ତ୍ତନ ଲୋଡ଼ା ହେଲା। ତେଣୁ, ସତୀଶ ଏହାକୁ ନବ ରୂପ ଦେବା ଆରମ୍ଭ କଲେ। ସମସ୍ତଙ୍କ ମଧୢରେ କାମ ଓ ଦାୟିତ୍ବ ବଣ୍ଟାଗଲା। ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ସାମୂହିକ ଦାୟିତ୍ବ ମଧ୍ୟ ଦିଆଗଲା। କାର୍ଯ୍ୟକ୍ରମ ଆଧାରିତ କେନ୍ଦ୍ରମାନ ଗଠନ କରାଗଲା। ସେଗୁଡ଼ିକୁ ଉପଯୁକ୍ତ ଏବ˚ ନିର୍ବିବାଦୀୟ ନେତୃତ୍ବ ଦିଆଗଲା। ଅଭ୍ୟନ୍ତରୀଣ ତଥା ବାହ୍ୟ ବିଶେଷଜ୍ଞମାନଙ୍କୁ ନେଇ ଜାତୀୟ ସ୍ତରରେ ‘ଇସ୍ରୋ’ର ଦୀର୍ଘମିଆଦୀ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଗଲା।’

‘ଇସ୍ରୋ’ର ବିଜ୍ଞାନୀ ଭାବେ ଅରଭମୁଦନ ସେହି ସମୟର ପରିବର୍ତ୍ତନ ଓ ରୂପାନ୍ତରଣକୁ ଭଲ ଭାବେ ଦେଖିଥିଲେ ଏବ˚ ଅନୁଭବ କରିଥିଲେ। ସେ ଲେଖିଛନ୍ତି: ‘ଆମର ନୂଆ ଅଧ୍ୟକ୍ଷ ଜଣେ ସମ୍ମାନାସ୍ପଦ, ଜ୍ଞାନୀ ଓ ସଚ୍ଚୋଟ ବ୍ୟକ୍ତି ଥିଲେ। ସେ ସକାରାତ୍ମକ ସମାଲୋଚନାକୁ ଉତ୍ସାହିତ କରୁଥିଲେ। ସଙ୍ଗେସଙ୍ଗେ ପ୍ରତିଭା ଚିହ୍ନି ପାରୁଥିଲେ। ଅନୁଷ୍ଠାନ କଞ୍ଚା ଥିବା ବେଳେ ବିକ୍ରମଙ୍କ ପରିଚାଳନା ଶୈଳୀ ସୁନ୍ଦର ଥିଲା। ତେବେ, ଏବେ ଆମେ କାର୍ଯ୍ୟ ସ˚ପାଦନ ସ୍ଥିତିକୁ ଆସି ଯାଇଥିଲୁ। ଏହି ନବ ଭୂମିକା ତୁଲାଇବା ପାଇଁ ସତୀଶ ଯୋଗ୍ୟ ଥିଲେ। ତାଙ୍କ କାର୍ଯ୍ୟ ଶୈଳୀ ବ୍ୟବସ୍ଥିତ ଥିଲା।’

‘ଇସ୍ରୋ’ର ସାମାଜିକ ଭୂମିକା ଉପରେ ସତୀଶ ଗୁରୁତ୍ବ ଦେଉଥିଲେ। ଉପଗ୍ରହ ବା ସାଟେଲାଇଟ୍‌ ସାହାଯ୍ୟରେ ପାଣିପାଗ ପୂର୍ବାନୁମାନ, ପ୍ରାକୃତିକ ସ˚ପଦ ଚିହ୍ନଟ ଓ ଯୋଗାଯୋଗ ଆଦି ଉପରେ ସେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। କ୍ଷମତାଶାଳୀ ରାଜନେତାଙ୍କଠାରୁ ଏହି ଅନୁଷ୍ଠାନକୁ ଦୂରେଇ ରଖିବା ପାଇଁ ସେ ସଦା ସକ୍ରିୟ ଥିଲେ। ତେଣୁ, ଏହାର ମୁଖ୍ୟ କାର୍ଯ୍ୟାଳୟକୁ ଦିଲ୍ଲୀ ଠାରୁ ଅଧିକ ଦୂରକୁ ନେବାକୁ ଚାହିଁଥିଲେ। ନିଜେ ମଧ୍ୟ ରାଜନୀତିଠାରୁ ଦୂରେଇ ରହିଥିଲେ। ରାଜ୍ୟ ସଭାର ସଦସ୍ୟ ପଦ ପ୍ରତ୍ୟାଖ୍ୟାନ କରିଥିଲେ।

ବିଜ୍ଞାନ ଗବେଷଣା କ୍ଷେତ୍ରରେ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ ନିଶ୍ଚିତ ଭାବେ ଏକ ଚିତ୍ତାକର୍ଷକ କେନ୍ଦ୍ର। ‘ଇସ୍ରୋ’ ଆମର ସର୍ବୋତ୍ତମ ସାର୍ବଜନୀନ ଅନୁଷ୍ଠାନ। ଏହି ଦୁଇଟି ଯାକ ଅନୁଷ୍ଠାନକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାରେ ସତୀଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଇ ଅନୁଷ୍ଠାନକୁ ଲୋଡ଼ା ଥିଲା ଭିନ୍ନ ଭିନ୍ନ ପ୍ରକାରର ନେତୃତ୍ବ। ସତୀଶ ଏକ ସଙ୍ଗେ ଉଭୟ ଦାୟିତ୍ବ ସୁଚାରୁରୂପେ ତୁଲାଇପାରିଥିଲେ। ଏହା ତାଙ୍କ ମହାନ୍‌ ନେତୃତ୍ବର ନିଦର୍ଶନ। ୨୦୦୨ରେ ‘କରେନ୍‌ଟ ସାଇନ୍‌ସ’ରେ ପ୍ରକାଶିତ ଏକ ଶ୍ରଦ୍ଧାଞ୍ଜଳିରେ ପି ବଳରାମ ଲେଖିଥିଲେ: ‘ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଇତିହାସ ବେଶ୍‌ ଚମକପ୍ରଦ। ସତୀଶ ଧଵନ ଥିଲେ ପଥ ପ୍ରଦର୍ଶକ ଶକ୍ତି। ବିଫଳତା ସେ ମୁଣ୍ତାଉ ଥିଲେ ଏବ˚ ସଫଳତାର ଶ୍ରେୟ ହସିହସି ଅନ୍ୟମାନଙ୍କୁ ଦେଉଥିଲେ। ସେ ଥିଲେ ସମର୍ଥ ସ୍ରଷ୍ଟା। ସେ ଦଳଗତ କାର୍ଯ୍ୟ, ଶୃଙ୍ଖଳା ଏବ˚ ସାମୂହିକ ଉତ୍ସର୍ଗୀକୃତ ମନୋଭାବରେ ବିଶ୍ବାସ ରଖିଥିଲେ ଏବ˚ ଏଥି ପାଇଁ ପ୍ରୋତ୍ସାହିତ କରୁଥିଲେ। ପ୍ରତିଭାକୁ ସେ ସମ୍ମାନ ଦେଉଥିଲେ। ସ୍ବାଧୀନତାର ସହ କାମ କରିବା ପାଇଁ ସୁଯୋଗ ଦେଉଥିଲେ। ଅନଧିକାର ଓ ଅଯଥାର୍ଥ ବାହ୍ୟ-ହସ୍ତକ୍ଷେପର ପ୍ରତିରୋଧ କରୁଥିଲେ। ତେଣୁ, ଦୁଇ ଦୁଇଟି ସ˚ସ୍ଥା ଏକ ସଙ୍ଗେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।’

ସତୀଶ ଧଵନଙ୍କ ଶେଷ ଜୀବନରେ ଏହି ଲେଖକ, ତାଙ୍କୁ ଜାଣିବାର ସୁଯୋଗ ପାଇଥିଲା। ସେ ଜଣେ ପ୍ରବୀଣ ବିଜ୍ଞାନୀ ଥିଲେ; ବିଭିନ୍ନ ଅନୁଷ୍ଠାନର ମହାନ୍‌ ନିର୍ମାତା; ଏବ˚ ଜଣେ ସ୍ନେହୀ ଓ ସହାନୁଭୂତିଶୀଳ ମଣିଷ। ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ରେ ଲମ୍ବା ସମୟ ତାଙ୍କର ସହକର୍ମୀ ଥିବା ଅମୂଲ୍ୟ ରେଡ଼ୀ, ତାଙ୍କ ବାବଦରେ ଲେଖିଛନ୍ତି: ‘ସେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଆଞ୍ଚଳିକତା ଆଦିର ଊର୍ଦ୍ଧ୍ବରେ ଥିଲେ। ସେ ଆଦୌ ଈର୍ଷାପରାୟଣ ନ ଥିଲେ।’ ତାଙ୍କର ‘ଇସ୍ରୋ’ ସହକର୍ମୀ ପ୍ରଫେସର‌୍‌ ୟଶ ପାଲ ଲେଖିଛନ୍ତି: ‘ସେ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। କାହାର ପକ୍ଷ ନେଉ ନ ଥିଲେ କି କାହା ପ୍ରତି ଅସୂୟା ଭାବ ରଖୁ ନ ଥି‌େଲ।’ ସତୀଶଙ୍କ ସହ ସବୁଠାରୁ ଅଧିକ କାଳ କାମ କରିଥିବା ବିଜ୍ଞାନୀ ରୋଦମ ନରସି˚ହ ଲେଖିଛନ୍ତି: ‘ସେ ବିଜ୍ଞାନ ସ˚ପ୍ରଦାୟର ଅଘୋଷିତ ଅଥଚ ବହୁଳ ଭାବେ ଗୃହୀତ ନୈତିକ-ସାମାଜିକ ବିଚାରବୋଧସଂପନ୍ନ ବିଜ୍ଞାନୀ।’

ସହକର୍ମୀମାନଙ୍କ ଶ୍ରଦ୍ଧାଞ୍ଜଳି ସହ ତାଙ୍କ କନ୍ୟା ଜ୍ୟୋସ୍ନା ଧଵନ, ତାଙ୍କ ସ˚ପର୍କରେ କ’ଣ କହନ୍ତି, ଜାଣିବା ହେଉ। ଜ୍ୟୋସ୍ନା ଜଣେ ଜୀବବିଜ୍ଞାନୀ। ପିତାଙ୍କର ଗଭୀର ସାମାଜିକ ବିଚାରବୋଧ ବାବଦରେ ସେ ଲେଖିଛନ୍ତି: ‘ଶ୍ରୀହରିକୋଟାର ଉତ୍‌କ୍ଷେପଣ କେନ୍ଦ୍ର ନିର୍ମାଣ ବେଳେ ସ୍ଥାନୀୟ ୟାନାଡ଼ୀ ସ˚ପ୍ରଦାୟର ବିସ୍ଥାପନ, ତାଙ୍କୁ ଗଭୀର ଭାବେ ବିଚଳିତ କରିଥିଲା। ବିକାଶ ନାମରେ ଲକ୍ଷ ଲକ୍ଷ ଲୋକଙ୍କ ବିସ୍ଥାପନ, ତାଙ୍କୁ ବ୍ୟଥିତ କରିଥିଲା ଏବ˚ ସେ ପ୍ରତିକାର ପାଇଁ କଠିନ ପରିଶ୍ରମ କରିଥିଲେ। ମେଧା ପାଟେକରଙ୍କର ନିଃସ୍ବାର୍ଥପର ଆନ୍ଦୋଳନର ସେ ଥିଲେ ପ୍ରଶ˚ସକ, ଯିଏ ବିସ୍ଥାପିତଙ୍କ କରୁଣାବସ୍ଥା ସାର୍ବଜନୀନ ଚେତନା ମଧ୍ୟରେ ଭର୍ତ୍ତି କରିବା ପାଇଁ ସଦା ପ୍ରୟାସରତ।’

ସତୀଶ ଧଵନ ମହାନ୍‌ ଆଧୁନିକ ଭାରତୀୟଙ୍କ ମଧ୍ୟରେ ଅନ୍ୟତମ। ଉଦ୍ୟୋଗ କ୍ଷେତ୍ରକୁ ଜେଆର‌୍‌ଡି ଟାଟାଙ୍କ ଅବଦାନ ଯାହା, ହସ୍ତଶିଳ୍ପ କ୍ଷେତ୍ରକୁ କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ଅବଦାନ ଯାହା ଏବ˚ ସମବାୟ ଆନ୍ଦୋଳନକୁ ଭର୍ଗିଜ୍‌ କୁରିୟନଙ୍କ ଅବଦାନ ଯାହା, ବିଜ୍ଞାନ କ୍ଷେତ୍ରକୁ ସତୀଶଙ୍କ ଅବଦାନ ସମାନ। ସେମାନେ ବିଜ୍ଞାନ କ୍ଷେତ୍ରର ହୁଅନ୍ତୁ ବା ରାଜନୀତି କ୍ଷେତ୍ରର ବା ପ୍ରଶାସନ ବା ଉଦ୍ୟୋଗ ବା ନାଗରିକ ସମାଜ କ୍ଷେତ୍ରର, ଏବର ନେତୃବୃନ୍ଦଙ୍କ ପାଇଁ ସତୀଶଙ୍କ ଜୀବନର ଶିକ୍ଷା ଅନେକ ମହତ୍ତ୍ବ ରଖେ। ଉଭୟ ବ୍ୟକ୍ତିଗତ ଓ ପେସାଦାର ଜୀବନରେ ସେ ଥିଲେ ସଚ୍ଚୋଟ, ଅମାୟିକ ଓ ଦୂରଦର୍ଶୀ। ପ୍ରତିଭାକୁ ଚିହ୍ନିବାରେ ତାଙ୍କର ବିଶେଷ ସାମର୍ଥ୍ୟ ଥିଲା। ପ୍ରତିଭାବାନ୍‌ଙ୍କ ସମୃଦ୍ଧି ପାଇଁ ସେ ବ୍ୟକ୍ତିଗତ ଭାବେ ସମୟ ଦେଉଥିଲେ। ସେମାନଙ୍କୁ ବୁଦ୍ଧିମତ୍ତାର ସହ ଦାୟିତ୍ବ ଦେଉଥିଲେ; ଉତ୍ସାହିତ କରୁଥିଲେ। ଅଧସ୍ତନଙ୍କ ଶ୍ରେୟ ନିଜେ ନେଉ ନ ଥିଲେ। ଅପରପକ୍ଷେ ସେମାନଙ୍କର ବିଫଳତା ମୁଣ୍ତାଇ ନିଜର ମହାନ୍‌ ନୈତିକତାର ପରିଚୟ ଦେଇଯାଇଛନ୍ତି।

ସମ୍ବନ୍ଧିତ ଖବର