ବାର୍ଦ୍ଧକ୍ୟର ଅନିବାର୍ଯ୍ୟ ନିୟମରେ ଚାରିପାଖର ଆତ୍ମୀୟ ଲୋକେ ଏକ ଏକ ବିଦାୟ ଘେନୁଛନ୍ତି; ଅନେକେ ବୟସରେ ସାନ, ଏଇ ଯେମିତି ସାନଭାଇଟି ଚାଲିଗଲା ତିନିମାସ ତଳେ। ବାଉରୀବନ୍ଧୁ ବାବୁ ବୟସରେ ୧୫ ବର୍ଷ ସାନ; ପ୍ରୟାତ ହୁଅନ୍ତି ୧୮/୦୯/୨୦୨୦ରେ। କରୋନା-ମୃତ୍ୟୁ-ଶୋଭାଯାତ୍ରା ମଧ୍ୟରେ ବି ତାଙ୍କ ବିୟୋଗ ଅନେକଙ୍କୁ ସେଦିନ ସ୍ତବ୍‌ଧ କରିଥିଲା। ବଡ଼ଭାଇ ସୌରୀବନ୍ଧୁଙ୍କ ଦେହାନ୍ତ ଘଟିଥିଲା ନିକଟରେ; କହିଲା ଭଳି ଦୁଇଭାଇ ଡକାଡକି ହୋଇ ଚାଲିଗଲେ। ବାପଛେଉଣ୍ଡ ବିଚକ୍ଷଣ ଏହି ଦୁଇ ଭାଇଙ୍କୁ ଯେଉଁମାନେ ଲକ୍ଷ୍ୟ କରିଥିବେ ସେମାନେ ଜାଣିଥିବେ ଯେ, ଜୀବନର ଘୋର ଅନିଶ୍ଚିତତା ମଧ୍ୟରେ ଗତି କରି ଦୁହେଁ ବ୍ୟକ୍ତିଗତ ଉଦ୍ୟମରେ ନିଜ ଭିତରର ସମସ୍ତ ସମ୍ଭାବନାକୁ ରୂପାୟିତ କରିପାରିଛନ୍ତି। ଦର୍ପିତ ଦୁଇଟି ଉଦ୍ୟମ ଉଜୁଡ଼ିଗଲା।

Advertisment

ବାଉରୀବନ୍ଧୁ ବାବୁ ଥିଲେ ଲେଖକର ଉଭୟ ଆନୁଷ୍ଠାନିକ କଲେଜରେ ଓ ପାରିବାରିକ ଜୀବନରେ ପରମ ହିତୈଷୀ ସହକର୍ମୀ ବନ୍ଧୁ- ଯେଉଁଠି ବନ୍ଧୁତ୍ୱ ଥିଲା ରେଭେନ୍‌ସାରୁ ଭଞ୍ଜବିହାରର ଓଡ଼ିଆ ବିଭାଗ ପର୍ଯ୍ୟନ୍ତ ବିସ୍ତୃତ। କାଳସୀମା ଆହୁରି ପ୍ରଶସ୍ତ- ୧୯୭୫ରୁ ୨୦୨୦। ବେଶ୍ ସୁଦୀର୍ଘ ଓ ଘନିଷ୍ଠ। କନିଷ୍ଠ ବନ୍ଧୁଟି କିନ୍ତୁ ଅଧ୍ୟୟନ, ଅଧ୍ୟାପନା, କର୍ତ୍ତବ୍ୟନିଷ୍ଠା, ବୁଦ୍ଧିବିଚକ୍ଷଣତା, ଗବେଷଣା, ଗବେଷଣା ତତ୍ତ୍ୱାବଧାନ, ସେମିନାର ଯୋଗଦାନ ଆଦି କ୍ଷେତ୍ରରେ ବେଶ୍ ଆଗୁଆ ଥିଲେ। ଶାସନ କ୍ଷେତ୍ରରେ ବି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଓ ସିଣ୍ଡିକେଟ୍ ସଦସ୍ୟାଦି ପଦବି ଅଳଙ୍କୃତ କରିଥିଲେ। ଛାତ୍ରବତ୍ସଳତା କ୍ଷେତ୍ରରେ ସେ ସର୍ବାଗ୍ରେ ନିଶ୍ଚୟ। ଶତାଧିକ ଛାତ୍ରଙ୍କୁ ସେ କୃତାର୍ଥ କରିଛନ୍ତି। ତେଣୁ ଆଗରୁ ଚାଲିଯିବାଟା ତାଙ୍କୁ ସାଜିଲା ବୋଧହୁଏ। ଆଗରେ ରହିବା ତାଙ୍କର ଆଦତ୍ ଥିଲା। ଓଡ଼ିଆ ଅନର୍ସ ଓ ଓଡ଼ିଆ ଏମ୍ଏ ପରୀକ୍ଷାରେ ହୋଇଥିଲେ ପ୍ରଥମ ଶ୍ରେଣୀରେ ପ୍ରଥମ ଛାତ୍ର। କୃତି ଛାତ୍ରଟି ସ୍ୱାଭାବିକ ଭାବରେ ହୋଇପାରିଛନ୍ତି ସୁଦକ୍ଷ ପ୍ରଫେସର। ବ୍ୟକ୍ତିଟି ଗୋଟିଏ ଦିଗରୁ ମନେ ହୁଅନ୍ତି ବଡ଼ ସରଳ ଓ ସାଧାରଣ; ଅନ୍ୟଦିଗରୁ କିନ୍ତୁ ଦିଶନ୍ତି ବିରଳ ଓ ଅସାଧାରଣ। ଧଳା ପ୍ୟାଣ୍ଟ ସାର୍ଟ ପରିହିତ, ଶାକାନ୍ନଭୋଜୀ ସଂପୂର୍ଣ୍ଣ ନିରାମିଷାଶୀ ମିଷ୍ଟଭାଷୀ ଭଦ୍ର ମଣିଷଟି ଅସାଧାରଣ ଦାୟିତ୍ୱବୋଧରେ, କର୍ମୋଦ୍ୟମରେ, ନିଷ୍ଠା ଓ ଆନ୍ତରିକତାରେ; ବନ୍ଧୁ ବତ୍ସଳତାରେ, କର୍ତ୍ତବ୍ୟବୋଧରେ ଓ ଆବେଗାକ୍ରାନ୍ତ ସହାନୁଭୂତିର ଉଦାର ପ୍ରସାରଣରେ। ତାଙ୍କ ବ୍ୟକ୍ତିତ୍ୱକୁ ଉଜ୍ଜ୍ବଳ ଓ ପ୍ରୀତପଦ କରିଥାଏ ଦୁଇଟି ଜିନିଷ- ମୁକ୍ତାନିନ୍ଦୀ ହସ୍ତାକ୍ଷର ଆଉ ଅନନ୍ୟ ସ୍ମରଣଶକ୍ତି। ବ୍ୟବହାର ମଧୁର, ଶିଷ୍ଟାଚାର ସଂପନ୍ନ ଓ ପରୋପକାର ଉନ୍ମୁଖ। ବନ୍ଧୁ ବତ୍ସଳତା ପ୍ରବାଦୋପମ। ତାହା ଉପନୀତ ହୋଇଥାଏ ସ୍ୱାଦିଷ୍ଠ ଆତିଥେୟତାରେ। ଆତିଥେୟତାର ଅଙ୍ଗବିନ୍ୟାସରେ ରନ୍ଧନ ପ୍ରତି ତାଙ୍କର ବିଶେଷ ଆଗ୍ରହ ଜଣାଶୁଣା କଥା। ଭଲ ରାନ୍ଧନ୍ତି, ଆନନ୍ଦରେ ଖୁଆନ୍ତି। ବନ୍ଧୁତ୍ୱ ନିଃସର୍ତ୍ତ। ସେ ପ୍ରତିଦାନ କି ପ୍ରତ୍ୟୁପକାର ପ୍ରତି ପ୍ରତ୍ୟାଶା ନରଖି ସାହାଯ୍ୟ ସହାନୁଭୂତିର ହାତ ବଢ଼ାଇ ଦିଅନ୍ତି ଯଥାଶୀଘ୍ର। ଜୀବନପଥ ଏକରୈଖିକ ଅବଶ୍ୟ, ତେବେ ବାଧାବିଘ୍ନ, ଶତ୍ରୁତା, ପରଶ୍ରୀକାତରତା ଓ ଅସମ୍ମାନ ନଥିଲା ବୋଲି ନୁହେଁ, ଥିଲା। ସବୁଠିଁ ସେ ନିଃସର୍ତ୍ତ ପ୍ରତିବାଦ କରିଛନ୍ତି, ଶତ୍ରୁତା ଆଚରିଛନ୍ତି ଓ ପ୍ରତିକାର କରିଛନ୍ତି, ନପାରିଲେ ଅଭିଶାପ ଦେଇଛନ୍ତି। ତେବେ ଶତ୍ରୁତାର ଜଗତଟି ଯଥାସମ୍ଭବ ଛୋଟ ତାଙ୍କର- ବିରାଟ ପ୍ରୀତିର ସମୁଦ୍ର। ସୌହାର୍ଦ୍ଦ୍ୟ ଭାଙ୍ଗେ ନାହିଁ, ଶତ୍ରୁତା ଭାଙ୍ଗେ।

ବାଉରୀବନ୍ଧୁଙ୍କୁ ବନ୍ଧୁ ଭାବରେ ପାଇବା ଗୋଟାଏ ବିଶେଷ ପ୍ରାପ୍ତି। ସେମିତି ତାଙ୍କୁ ହରାଇବା ବି ଏକ ବିଶେଷ ଶୂନ୍ୟତା। ତାଙ୍କ ସ୍ଥାନ ଅପୂରଣୀୟ ରହୁଛି। ପାରିବାରିକ ଜୀବନରେ ପ୍ରଫେସରଟି ଥିଲେ ସୁଖୀ ମଣିଷଟିଏ- ସଂସାର ସଂପନ୍ନ। ବାଧ୍ୟ ପୁତ୍ର କନ୍ୟା, ପ୍ରୀତିବତୀ ପତ୍ନୀ ଓ ଦୁର୍ଦ୍ଦାନ୍ତ ନାତିଟିକୁ ନେଇ ଆନନ୍ଦରେ କାଳାତିପାତ କରୁଥିଲେ ସେ। ସଂସାର ଉଚ୍ଛନ୍ନ ହୋଇଗଲା ନିଶ୍ଚୟ। ଇଶ୍ୱର ସଂସାରଟିର ସହାୟ ହୁଅନ୍ତୁ, ସବୁ ଠିକ୍ ଠାକ୍ ହୋଇଯାଉ ଅଚିରେ।

ବାଉରୀବନ୍ଧୁଙ୍କ ଆଉ ଗୋଟିଏ ବଳିଷ୍ଠ ସର୍ବମାନ୍ୟ ପରିଚୟ ଅଛି। ବାଉରୀବନ୍ଧୁ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ୱନାମଧନ୍ୟ ପ୍ରଧାନ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ। ତାଙ୍କ ରଚନାରେ ଗବେଷଣା ଓ ସମାଲୋଚନା ହାତ ଧରାଧରି ହୋଇଚାଲିଥାନ୍ତି। ଲେଖିଛନ୍ତି ଅନେକ ପ୍ରବନ୍ଧ- ସେହି ଗୁଡ଼ିକ ସାହିତ୍ୟର ସଂପଦ ହୋଇ ରହିଥିବ। ମଜାର କଥା ଯେ, ସେ ପ୍ରବନ୍ଧର ହାତଧରି ସମାଲୋଚନା କ୍ଷେତ୍ରରେ ଉପସ୍ଥିତ ଥିଲେ। ଓଡ଼ିଆ ପ୍ରବନ୍ଧର ଅଧିକାଂଶ ସୌନ୍ଦର୍ଯ୍ୟାତ୍ମିକ ଅଂଶ ତାଙ୍କର ମୁଖସ୍ଥ ଥାଏ, ଉପସ୍ଥାପନା କରିପାରନ୍ତି ଅବିରଳ। ଓଡ଼ିଆ ପ୍ରବନ୍ଧ ଓ ପ୍ରାବନ୍ଧିକଙ୍କ ସମ୍ବନ୍ଧରେ ଅଧିକାଂଶ ପ୍ରବନ୍ଧ ତାଙ୍କର ପ୍ରଭାବଶାଳୀ। ଅନେକତ୍ର ଥାଏ ଚିନ୍ତା, ଆବେଗ, ଯୁକ୍ତି ଓ ମନନର ପ୍ରାଚୁର୍ଯ୍ୟ, ଭାଷାର ପ୍ରାଞ୍ଜଳତା, ବିଶ୍ଳେଷଣର ବ୍ୟାପକତା, ଉପଲବ୍‌ଧିର ଗୂଢ଼ତା ସହିତ ଉପସ୍ଥାପନର ଆତ୍ମପ୍ରତ୍ୟୟଶୀଳ ଦୃଢ଼ତା। ପ୍ରାବନ୍ଧିକଙ୍କୁ ଚିହ୍ନି ଚିହ୍ନାଇବାର ବିଜ୍ଞ ବିଚକ୍ଷଣତା ଅନନ୍ୟ ସାଧାରଣ। ଆଉ ଗୋଟିଏ ଦିଗରୁ ସେ ନିଜକୁ ଓଡ଼ିଆ ସାହିତ୍ୟର ସେବା ଓ ସମୃଦ୍ଧିରେ ନିୟୋଜିତ କରିଥା’ନ୍ତି। ପ୍ରିୟ ସାହିତ୍ୟିକଙ୍କ ସମ୍ବନ୍ଧରେ “ସାହିତ୍ୟ ସାଧକ” ଗ୍ରନ୍ଥମାଳାର ଏକ ଏକ ଗ୍ରନ୍ଥ ପ୍ରକାଶ କରିବା ହେଉଛି ତାଙ୍କର ଏକ ଅଭ୍ୟସ୍ତ ସଉକ। ପ୍ରକାଶ ପାଇଛି ଉପେନ୍ଦ୍ର ଭଞ୍ଜ, ମାୟାଧର ମାନସିଂହ, ମନୋଜ ଦାସ, ନୀଳମଣି ସାହୁ, ରମାକାନ୍ତ ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ କୃତି ଓ କୀର୍ତ୍ତି ସମ୍ବନ୍ଧରେ ବ୍ୟାପକ ବିଚାର ବିଶ୍ଳେଷଣର ଏକ ଏକ ସୁଦୃଶ୍ୟ ସଙ୍କଳନ। ବେଶ ସମ୍ଭ୍ରାନ୍ତ ଓ ଶୋଭନୀୟ; ଏଇଥିରୁ ବୁଝିହେବ ତାଙ୍କ ବିଚିତ୍ର ସାହିତ୍ୟବୋଧ, ବିଚିତ୍ର ଜିଜ୍ଞାସା ଓ ଅଦମ୍ୟ ଏଷଣା ଆଦିକୁ- ଯାହା ସାଧାରଣତଃ ସୁଲଭ ନଥାଏ। ଶାସନ, ଶିକ୍ଷା, ସାହିତ୍ୟ, ରାଜନୀତି ଓ ସଂସ୍କୃତି କ୍ଷେତ୍ରର ଉଚ୍ଚସ୍ତରରେ ଥିବା ଲୋକଙ୍କ ପ୍ରୀତି ଓ ସାନ୍ନିଧ୍ୟକୁ ସେ କୋଟିନିଧି ଜ୍ଞାନ କରିଥା’ନ୍ତି। ସେମାନଙ୍କ ପ୍ରୀତିଧନ୍ୟ ହେବାରେ ତାଙ୍କର ପୁରୁଷାର୍ଥ। ସାହିତ୍ୟ ସାଧକ ଗ୍ରନ୍ଥମାଳା କିନ୍ତୁ ମହତ୍ ଉଦ୍ଦେଶ୍ୟ ପ୍ରଣୋଦିତ; ସେ ଚାହାଁନ୍ତି, ଓଡ଼ିଆ ପ୍ରତିଭା ଅଭିନନ୍ଦିତ ହୁଅନ୍ତୁ, ପାଠକେ ଭଲ ସୃଷ୍ଟି ସହିତ ପରିଚିତ ହୁଅନ୍ତୁ। ଏହା ହିଁ ତାଙ୍କର ସାରସ୍ୱତ ଅଭ୍ୟସ୍ତ ଆଦର୍ଶବାଦ। ଏହି ଆଦର୍ଶ ପ୍ରତି ଆନୁଗତ୍ୟ ହେବ ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ।

ଦେଉଳସାହି, କଟକ