ଆସନ୍ତା ନଭେମ୍ବର ମାସରେ ଆମେରିକାରେ ନିର୍ବାଚନ ହେବ ଓ ୨୦୨୧ ଜାନୁଆରି ମାସରେ ଟ୍ରମ୍ପ୍ ଆଉ ଚାରି ବର୍ଷ ପର୍ଯ୍ୟନ୍ତ ପଦାସୀନ ହେବେ ଅଥବା ଜୋ ବାଇଡେନ ନୂଆ ରାଷ୍ଟ୍ରପତି ହେବେ, ଜଣା ପଡ଼ିଯାଇଥିବ। ସାଧାରଣତଃ ଆମେରିକାର ଭୋଟରମାନେ ମତଦାନ କରିବା ସମୟରେ ପ୍ରାର୍ଥୀ ଆଠ ବର୍ଷ କ୍ଷମତାରେ ରହିବା ବିଚାର କରି ଭୋଟ ଦିଅନ୍ତି ଓ ଅଘଟଣ ନ ଘଟିଲେ, ଦ୍ବିତୀୟ ଥର ନିର୍ବାଚିତ ହେବା ଏକ ସାଧାରଣ କଥା। ଗତ କେତେ ବର୍ଷରେ ଯେଉଁ ୩ ଜଣ ରାଷ୍ଟ୍ରପତି ଦ୍ବିତୀୟ ଥର ନିମନ୍ତେ ପୁଣି ରାଷ୍ଟ୍ରପତି ହୋଇନାହାନ୍ତି, ସେମାନେ ହେଲେ ଲିଣ୍ତନ ଜନସନ, ଯିଏ ଭିଏତ୍ନାମ୍ ଯୁଦ୍ଧ କାଳିମା ହେତୁ ଦ୍ବିତୀୟ ବାର ନିମନ୍ତେ ପ୍ରାର୍ଥୀ ହେଲେ ନାହିଁ; ଜିମି କାର୍ଟର, ଯିଏ ଆମେରିକାନମାନଙ୍କୁ ତେହେରାନରୁ ବନ୍ଦୀତ୍ବରୁ ରକ୍ଷା କରିପାରିଲେନାହିଁ; ଏବଂ ଜର୍ଜ ବୁସ ସିନିଅର, ଯେ କି ଇରାକ ଯୁଦ୍ଧରେ ବଦନାମ ହେଲେ। ବର୍ତ୍ତମାନ ଦୁଇ ପ୍ରାର୍ଥୀମାନଙ୍କ ମଧୢରୁ ଜନମତ ସର୍ଭେରେ ବାଇଡେନଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି। ୧୯୮୮ ମସିହା ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଡୁକାକିସ ଜନମତ ସର୍ଭେରେ ରିଗାନଙ୍କ ଠାରୁ ସବୁବେଳେ ଆଗୁଆ ଥିଲେ ମଧୢ, ଶେଷରେ ବିଜୟ ମୁକୁଟ ରିଗାନଙ୍କୁ ପ୍ରାପ୍ତ ହେଲା। ରାଷ୍ଟ୍ରପତି ଭବନ ପ୍ରବେଶ କରିବାରେ ସବୁଠାରୁ ବୟସ୍କ ବ୍ୟକ୍ତି ହେଉଛନ୍ତି ରିଗାନ ଓ ଟ୍ରମ୍ପ୍। ସେମାନଙ୍କୁ ସତୁରି ବର୍ଷ ହୋଇଥିଲା। ବାଇଡେନ ୧୯୪୨ ନଭେମ୍ବର ମାସରେ ଜନ୍ମ ଓ ଯଦି ଜୟଯୁକ୍ତ ହୁଅନ୍ତି ତେବେ ୨୦୨୧ ଜାନୁଆରିରେ ରାଷ୍ଟ୍ରପତି ଭବନ ପ୍ରବେଶ କଲା ବେଳକୁ ୭୮ ବର୍ଷ ଅତିକ୍ରମ କରି ସାରିଥିବେ। ଏପରି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଆଠବର୍ଷ ନିମନ୍ତେ ଶାସନ ଭାର ଦେଶବାସୀ ନ୍ୟସ୍ତ କରିବେ କି ନାହିଁ ସନ୍ଦେହ। ସେ ଯୋଗୁ ସେ ନିର୍ବାଚିତ ହେଲେ, ଦ୍ବିତୀୟ ଥର ନିମନ୍ତେ ପ୍ରାର୍ଥୀ ହେବେ ନାହିଁ ବୋଲି ପ୍ରକାଶ କରିସାରିଛନ୍ତି।
ଅଧିକାଂଶ ଆମେରିକାନ ଶ୍ବେତବର୍ଣ୍ଣ ସ୍ବଚ୍ଛଳ ବ୍ୟକ୍ତି ଟ୍ରମ୍ପ୍ଙ୍କ ସପକ୍ଷବାଦୀ। ଅଣ ଶ୍ବେତାଙ୍ଗ ଓ ଅପେକ୍ଷାକୃତ କମ ସ୍ବଚ୍ଛଳ ବ୍ୟକ୍ତିମାନେ ଡେମୋକ୍ରାଟିକ ପାର୍ଟିର ସମର୍ଥକ। ଏବେ ଆମେରିକାରେ ଶ୍ବେତାଙ୍ଗ ଓ ଅଣଶ୍ବେତାଙ୍ଗ ସ˚ଖ୍ୟା ପ୍ରାୟ ସମାନ ହୋଇଗଲାଣି। ଶ୍ବେତାଙ୍ଗମାନେ ନାମ ମାତ୍ର ଅଧିକ। ଆମେରିକାରେ ନାଗରିକ ହୋଇଥିବା ଭାରତୀୟମାନେ ମଧୢ ଦ୍ବିଧା ବିଭକ୍ତ। ପୂର୍ବରୁ ଅଧିକା˚ଶ ଭାରତୀୟ ଡେମୋକ୍ରାଟିକ ଦଳର ପଞ୍ଜିକୃତ ଭୋଟର ଥିଲେ। ଗଲା କେତେ ବର୍ଷ ହେଲା ଅବସ୍ଥାରେ ପରିବର୍ତ୍ତନ ଘଟିଛି। ଅନେକ ଭାରତୀୟ ବର୍ତ୍ତମାନ ବିତ୍ତଶାଳୀ ଓ ସେମାନଙ୍କ ସ୍ବାର୍ଥ ରିପବ୍ଲିକାନ ଧନୀ ଭୋଟରଙ୍କ ସ୍ବାର୍ଥ ସଙ୍ଗେ ସମାନ। ଏଇ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକ ଓ ମୋଦୀ-ଟ୍ରମ୍ପ୍ଙ୍କ ବ୍ୟକ୍ତିଗତ ଉତ୍ତମ ସମ୍ପର୍କ ଦ୍ବାରା ସେମାନେ ପ୍ରଭାବିତ ହେବାର ସମ୍ଭାବନା ଅଧିକ। ଡେମୋକ୍ରାଟିକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଭାରତୀୟ ବ˚ଶୋଦ୍ଭବ ହେଲେ ମଧୢ, ଭାରତୀୟମାନଙ୍କ ଅପେକ୍ଷା କୃଷ୍ଣ ଆମେରିକାନମାନଙ୍କ ସଙ୍ଗେ ଅଧିକ ସମ୍ପର୍କ ରକ୍ଷା କରନ୍ତି ଓ ସେଇମାନଙ୍କ ସମର୍ଥନରେ କାଲିଫର୍ଣ୍ଣିଆର ବିଭିନ୍ନ ନିର୍ବାଚନରେ ଜୟ ଲାଭ କରିଛନ୍ତି। ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ତାଙ୍କର ପ୍ରଭାବ ସୀମିତ ଓ ସେ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିମୁଖ। ତେଣୁ ଅଧିକ ଭାରତୀୟ ଭୋଟ ଓ ଅର୍ଥ ରିପବ୍ଲିକାନ ଦଳ ସପକ୍ଷରେ ଯିବା ସମ୍ଭବ। ବର୍ତ୍ତମାନର ରାଜନୈତିକ ପ୍ରବାହରେ କିଏ ରାଷ୍ଟ୍ରପତି ହେବ ପୂର୍ବାନୁମାନ କରିବା କଷ୍ଟକର ବ୍ୟାପାର, ଉଭୟଙ୍କର ସମ୍ଭାବନା ଅଛି। ବିଶିଷ୍ଟ ଇଂରେଜୀ ଦାର୍ଶନିକ ବଟ୍ରାଣ୍ତ ରସେଲଙ୍କ ମତରେ ଗଣତାନ୍ତ୍ରିକ ପଦ୍ଧତିରେ ଅଧିକା˚ଶ ସମୟରେ ମଧୢମ ମେଧା (Mediocre) ଶ୍ରେଣୀର ଲୋକ କ୍ଷମତାକୁ ଆସନ୍ତି। ଉପରୋକ୍ତ ଦୁଇଜଣ ପ୍ରାର୍ଥୀ ସେଇ ଶ୍ରେଣୀର। ଏମାନଙ୍କ ମଧୢରୁ କିଏ ନିର୍ବାଚିତ ହେଲେ, ଭାରତ ସହିତ କେଉଁ ପ୍ରକାର ସମ୍ପର୍କ ରହିବ- ତାହା ଆମ ନିମନ୍ତେ ଗୁରୁତ୍ବର ବିଷୟ।
ଜର୍ଜ ବୁସ୍ (ସିନିଅର) ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସାଧାରଣତଃ ଡେମୋକ୍ରାଟିକ ସରକାରମାନେ ଭାରତ ପ୍ରତି ଅନୁକୂଳ ଓ ରିପବ୍ଲିକାନମାନେ ପ୍ରତିକୂଳ ଥିଲେ। ବୁସ୍ଙ୍କ ସମୟରେ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲା ଓ ରିପବ୍ଲିକାନ ସରକାର ଭାରତ ସହିତ ‘ସିଭିଲିଆନ ନ୍ୟୁକ୍ଲିୟର ଏଗ୍ରିମେଣ୍ଟ’ ବା ‘ବେସାମରିକ ଅଣୁ ଚୁକ୍ତି’ ସଂପାଦନ କଲେ। ସୋଭିଏତ୍ ରୁଷର ଅବକ୍ଷୟ ଓ ଗୋଷ୍ଠୀ ନିରପେକ୍ଷ ରାଜନୀତିର ବିଲୟ ପରେ, ଭାରତ-ଆମେରିକା ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ଘଟିଛି।
ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ୍ ଜଣେ ଅବ୍ୟବସ୍ଥିତ ଚିତ୍ତର ବ୍ୟକ୍ତି। କେଉଁ ବିଷୟରେ ସେ କି ମନୋଭାବ ପୋଷଣ କରିବେ, ତାହାର ପୂର୍ବାନୁମାନ କରିବା ଏକ ଦୁଷ୍କର ବ୍ୟାପାର। ତାଙ୍କ ବ୍ୟବସାୟିକ ପୃଷ୍ଠଭୂମି, ତାଙ୍କ ରାଜନୈତିକ ଓ ଶାସନଗତ ଚିନ୍ତାଧାରାକୁ ପ୍ରଭାବିତ କରେ। ସେ ଦାୟିତ୍ବ ଗ୍ରହଣ କଲା ପରେ ‘‘ଆମେରିକା ପ୍ରଥମ’’ ନୀତି ଅବଲମ୍ବନ କରି ପୃଥିବୀର ସବୁ ଦେଶମାନଙ୍କୁ ତାଙ୍କର ଅର୍ଥନୈତିକ ଓ ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବୀ ବୋଲି ବିବେଚନା କଲେ। ବିଦେଶାଗତ ବ୍ୟକ୍ତି ସମ୍ବନ୍ଧୀୟ ନିୟମାବଳୀ କଠୋର କରିବା ଆରମ୍ଭ କଲେ। ତାଙ୍କର ବହିରାଗତଙ୍କ ସମ୍ବନ୍ଧୀୟ ନୀତି ଓ ବାଣିଜ୍ୟ ଯୁଦ୍ଧରେ ଭାରତ କ୍ଷତିଗ୍ରସ୍ତ ହେଲା। ଟ୍ରମ୍ପ୍ ଚୀନ୍ ସହିତ ଏକ ପରିବର୍ତ୍ତିତ (Phase-I) ବାଣିଜ୍ୟ ଚୁକ୍ତି ସମ୍ପାଦନ କରିଥିଲେ ମଧୢ, ଭାରତ ସହିତ କୌଣସି ବାଣିଜ୍ୟିକ ରାଜିନାମା ଏ ପର୍ଯ୍ୟନ୍ତ କରିନାହାନ୍ତି। ଟ୍ରମ୍ପ୍ ପାକିସ୍ତାନ ବିରୋଧରେ କଠୋର ମନୋଭାବ ପ୍ରଦର୍ଶନ କରି, ସେ ଦେଶକୁ ସାହାଯ୍ୟ ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ କାଳେ ଆଫଗାନିସ୍ତାନ ବାବଦରେ ପାକିସ୍ତାନର ସାହାଯ୍ୟ ଆବଶ୍ୟକ ହେବାରୁ କଠୋରତାରେ ଶିଥିଳତା ପ୍ରଦର୍ଶିତ ହେଲା। ଇରାନ୍ ବିରୋଧରେ ଆମେରିକାର କଟକଣା ଜାରି ହେତୁ ଚାବାହାର ବନ୍ଦର ଦେଇ ଇରାନ ସଙ୍ଗେ ଆମର ସମ୍ପର୍କ ସ୍ଥାପନ ଓ ପାକିସ୍ତାନକୁ ଏଡ଼ାଇ ଆଫଗାନିସ୍ତାନ ସଙ୍ଗେ ଯାତାୟାତ ସମ୍ପର୍କ ସ୍ଥାପନରେ ବାଧା ସୃଷ୍ଟି ହୋଇଛି। ଭାରତ ରୁଷିଆ ଠାରୁ S-400 Air Defence System ଖରିଦ କଲେ ଆମେରିକା କଟକଣା ଜାରି କରିବ ବୋଲି ଧମକାଉଛି। ପକ୍ଷାନ୍ତରେ ଟ୍ରମ୍ପ୍ ଶାସନ ଚୀନ୍ ବିରୋଧରେ ନାନା କଟକଣା ଜାରି କରି ସେ ଦେଶକୁ ଏକ ପ୍ରକାର ଏକଘରକିଆ କରିଦେଇଛି ଓ ଚୀନ୍ ବିରୋଧରେ ଭାରତକୁ ସମର୍ଥନ ପ୍ରଦାନ କରୁଛି। ଆମେରିକା ଉଚ୍ଚ ମାନର ଅସ୍ତ୍ରଶସ୍ତ୍ର ଭାରତକୁ ବିକ୍ରୟ କରୁଛି ଓ ସେ ଦେଶର ଦେଶରକ୍ଷା ବାହିନୀ ସହିତ ଆମର ଦେଶରକ୍ଷା ବାହିନୀ ମିଳିତ ସମରାଭ୍ୟାସ କରୁଛନ୍ତି। ଅଷ୍ଟ୍ରେଲିଆ, ଜାପାନ ଓ ଭାରତକୁ ସାଙ୍ଗ କରି ଆମେରିକା ଚୀନ୍ର ସମ୍ପ୍ରସାରଣବାଦକୁ ମୁକାବିଲା କରୁଛି। ଚୀନ୍ ବର୍ତ୍ତମାନ ଆମର ମୁଖ୍ୟ ବିରୋଧୀ ଦେଶ। ଟ୍ରମ୍ପ୍ ଶାସନର ଚୀନ୍ ବିରୋଧୀ ନୀତି ଆମକୁ ସୁହାଉଛି ଓ ନିରାପତ୍ତା ପ୍ରଦାନ କରୁଛି। ଜୋ ବାଇଡେନ୍ ଜଣେ ଅଭିଜ୍ଞ ବ୍ୟକ୍ତି। ବହୁ କାଳ ସିନେଟର ଓ ଆଠ ବର୍ଷ କାଳ ଉପରାଷ୍ଟ୍ରପତି ପଦ ସେ ମଣ୍ତନ କରିଛନ୍ତି। ସେ ମଧୢ ଚୀନ୍ ବିରୋଧରେ ଆମେରିକାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବେ ବୋଲି ଆଶା। ତାଙ୍କ ଦଳର କେତେକଙ୍କ ଧାରଣା ଯେ ମୋଦୀ ଉଦାରବାଦୀ ନୁହନ୍ତି ଓ ସ˚ଖ୍ୟାଲଘୁଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଯତ୍ନଶୀଳ ନୁହନ୍ତି। କାଶ୍ମୀରରେ ପରିବର୍ତ୍ତିତ ଅବସ୍ଥା ଓ ନାଗରିକତା ଆଇନରେ ସ˚ଶୋଧନ ସେମାନଙ୍କ ପକ୍ଷେ ଗ୍ରହଣୀୟ ନୁହେଁ। କମଳା ହାରିସ ମଧୢ ଏ ବ୍ୟାପାରରେ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ।
ଟ୍ରମ୍ପ୍ ବା ବାଇଡେନ୍, ଯେ ବି ନିର୍ବାଚିତ ହୁଅନ୍ତୁ କେହି ଆମର ସମସ୍ୟା ଗୁଡ଼ିକର ଉପଶମ ନିମନ୍ତେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ନାହିଁ। ନିଜ ଦେଶର ସ୍ବାର୍ଥରକ୍ଷା ସହିତ ଯୋଡ଼ି ହୋଇ ଆମର ଯେତିକି ସ୍ବାର୍ଥ ରକ୍ଷା ହୋଇପାରିବ, ସେତିକି ହିଁ ସେମାନଙ୍କ ଠାରୁ ଆଶା କରାଯାଇପାରିବ। ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିରେ ଚୀନ୍ର ସମ୍ପ୍ରସାରଣବାଦ ଆମ ପ୍ରତି ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରୁଛି। ଓବାମା ସରକାରଙ୍କ ଆଠ ବର୍ଷର କାର୍ଯ୍ୟାବଳୀ, ଯେତେବେଳେ ବାଇଡେନ୍ ଉପରାଷ୍ଟ୍ରପତି ଥିଲେ ଓ ଟ୍ରମ୍ପ୍ ସରକାରଙ୍କର ବିଗତ ଚାରିବର୍ଷ ପାଖାପାଖି କାର୍ଯ୍ୟାବଳୀ ପର୍ଯ୍ୟାଲୋଚନା କଲେ ପ୍ରତୀୟମାନ ହୁଏ ଯେ, ଚୀନ୍ ସହିତ ମୁକାବିଲାରେ ଟ୍ରମ୍ପ୍ ଅଧିକ ଆଗ୍ରହୀ ଓ ଆମ ପ୍ରତି ତାହା ଶୁଭଙ୍କର।
ପ୍ଲଟ୍ ନ˚-ଡି/୨୮, ବିଜେବି ନଗର, ଭୁବନେଶ୍ବର
ମୋ: ୯୯୩୭୪୨୨୫୨୧
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/election-2.jpg)