ଦେଶୀ ଗାନ୍ଧୀବାଦୀ ମଡେଲର ମଣିଷ

ପ୍ରୀତୀଶ ଆଚାର୍ଯ୍ୟ

ଆଜିକୁ ଷୋହଳ ବର୍ଷ ତଳେ ସେପ୍‌ଟେମ୍ବର ୨୭ ତାରିଖରେ ଭୁବନେଶ୍ବର ଠାରେ ବିଶିଷ୍ଟ ସମାଜବାଦୀ ନେତା ଏବ˚ ଚିନ୍ତକ କିଶନ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ବଞ୍ଚିଥିବା ବେଳେ ଏବଂ ନିଧନ ପରେ ମଧ୍ୟ ତାଙ୍କ ବୌଦ୍ଧିକ ପ୍ରଭାବର ପରିସର କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଛି। ଏବେ ସୁଦ୍ଧା ଅସଂଖ୍ୟ ଲୋକଙ୍କ ମନରେ ତାଙ୍କ ବିଚାର ପ୍ରତି ଆକର୍ଷଣ ରହିଛି। କିନ୍ତୁ ତାଙ୍କୁ ଜାଣିଥିବା ଲୋକଙ୍କ ଲାଗି ତା’ଠାରୁ ଅଧିକ ଆକର୍ଷଣୀୟ ଥିଲା ତାଙ୍କ ସହଜ, ସରଳ ଏବ˚ ବୁଦ୍ଧିଦୀପ୍ତ ଚୁମ୍ବକୀୟ ବ୍ୟକ୍ତିତ୍ବ। ସେହି କାରଣରୁ ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିବା ଅନେକ ତାହାକୁ ନିଜର ସୁକୃତ୍‌ ବୋଲି ଭାବି ଥାଆନ୍ତି। ସେମାନଙ୍କ ମଧ୍ୟରୁ ମୁଁ ଜଣେ।

ପ୍ରଥମେ କିଶନ ବାବୁଙ୍କ ସ˚ସର୍ଗରେ ଆସି ମୋର ବାପା ହେମଚନ୍ଦ୍ର ଆଚାର୍ଯ୍ୟ (ସମ୍ବଲପୁରୀ ଭାଷାରେ ରାମାୟଣ ‘ରାମରାହା’ର କବି) ସରକାରୀ ଚାକିରି ଛାଡ଼ି ଗାଁକୁ ଆସି ସାରା ଜୀବନ କୃଷିରେ ନିୟୋଜିତ ହେଲେ। ସେହି ସଂପର୍କର ସୂତ୍ରରେ କିଶନ ବାବୁ ମଝିରେ ମଝିରେ ଆମ ଘରକୁ ଆସୁଥିଲେ; ଗାଁରେ ସଭାସମିତି କରୁଥିଲେ; ଆମ ଘରେ ରାତ୍ରି ଯାପନ କରୁଥିଲେ। ଏ ସବୁ ସତ୍ତ୍ବେ ବାପାଙ୍କ ଉପସ୍ଥିତି ବାହାରେ ମୁଁ ତାଙ୍କୁ ଏକଲା ଭେଟିବାର ସୁଯୋଗ ପାଇ ନ ଥିଲି। ତାଙ୍କୁ ପ୍ରଥମ କରି ଏକଲା ଭେଟିଲି ଗାଁ ବାହାରେ; ସମ୍ବଲପୁର ସହରରେ ୧୯୮୨ରେ। ସେତେବେଳେ ମୁଁ ବିଏ ପଢ଼ୁଥାଏ। କିଶନ ବାବୁ ସମ୍ବଲପୁରରେ ଅଳ୍ପ କିଛି ଦିନ ଅବସ୍ଥାନ କରୁଛନ୍ତି ଶୁଣି ତାଙ୍କୁ ଭେଟିବାକୁ ଗଲି। କଥାବାର୍ତ୍ତା ଛଳରେ ପଚାରିଲେ, ‘ହେମ ବାବୁ କେମିତି ଅଛନ୍ତି?’ ତାଙ୍କର ସେହି ସାମାନ୍ୟ ପ୍ରଶ୍ନଟି ଯେମିତି ମୋତେ କିଣି ନେଲା! ‘ହେମ ବାବୁ’ ସ୍ଥାନରେ ସେ ଯଦି ‘ତୁମ ବାପା’ ବୋଲି କହିଥାନ୍ତେ, କିମ୍ବା ପିତୃସୁଲଭ ଢଙ୍ଗରେ ‘ତୁମେ’ ସ୍ଥାନରେ ‘ତୁ’ ବୋଲି ସମ୍ବୋଧନ କରିଥାନ୍ତେ, ହୁଏତ ତାହା ମୋତେ ଆଶ୍ଚର୍ଯ୍ୟ କରି ନ ଥାନ୍ତା। କିନ୍ତୁ ଏହା ମଧ୍ୟ ସତ ଯେ ତାହା ମୋତେ ତାଙ୍କ ବ୍ୟକ୍ତିତ୍ବ ପ୍ରତି ହୁଏ’ତ ଏତେଟା ଆକୃଷ୍ଟ ମଧୢ କରନ୍ତା ନାହିଁ। କାରଣ ତାଙ୍କ ସମ୍ବୋଧନରୁ ମନେ ହେଲା ସେ ମୋର ସ୍ବାଧୀନ ବ୍ୟକ୍ତି-ସତ୍ତା ବା ମୋର ଅସ୍ମିତା ବୋଧକୁ ସ୍ବୀକୃତି ଦେଇଛନ୍ତି, ଯାହାର ଅନ୍ବେଷଣରେ ଯୁବକଟିଏ ନିରନ୍ତର ଘୂରି ବୁଲୁଥାଏ। ନିଜ ବନ୍ଧୁଙ୍କ ପୁତ୍ର ଭାବରେ ନୁହେଁ, ବର˚ ଏକ ସ୍ବତନ୍ତ୍ର ବ୍ୟକ୍ତି ରୂପରେ ସେ ମୋତେ ଦେଖୁଛନ୍ତି ଏବଂ ସେହି ଆଧାରରେ ମୋ ସହ ବନ୍ଧୁତା କରିଛନ୍ତି! ସେତେବେଳେ ସେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି; ମାତ୍ର ଅତି ସାଧାରଣ ମଣିଷକୁ ବି ସେ କେବେ ହେଲେ ଉପେକ୍ଷା କରୁ ନ ଥିଲେ। ତାଙ୍କ ଉପସ୍ଥିତିରେ ଯେମିତି ଅନ୍ୟ ଜଣେ ସାଧାରଣ ବ୍ୟକ୍ତିର ପରିଚୟ ନିଷ୍ପ୍ରଭ ନ ହୁଏ, ସେଥି ପ୍ରତି ସେ ଥିଲେ ସର୍ବଦା ଯତ୍ନଶୀଳ। ତାଙ୍କ ବ୍ୟକ୍ତିତ୍ବ ଏବ˚ ବିଚାର ପ୍ରତି ଆକର୍ଷଣ ବଢ଼ିବା ପଛରେ ଏହା ଥିଲା ଏକ ସ୍ବାଭାବିକ କାରଣ।

ଘରର ରାଜନୀତିକ ପରିବେଶ କାରଣରୁ ସାଧାରଣ ରାଜନୀତି କଥା ମୋତେ ଜଣାଥାଏ। କିନ୍ତୁ, ସୋସିଆଲିଷ୍ଟ ଏବ˚ କମ୍ୟୁନିଷ୍ଟଙ୍କ ମଧୢରେ ଥିବା ବୈଚାରିକ ପାର୍ଥକ୍ୟ କଥା ସେତେବେଳେ ଜଣା ନ ଥାଏ। କଥାବାର୍ତ୍ତା ଛଳରେ ଯେତେବେଳେ ମୁଁ ଏ କଥା ପଚାରିଲି, ସେ କହିଲେ, ‘ପାର୍ଥକ୍ୟ ପ୍ରାୟ ନାହିଁ। ଉଭୟେ ଏକ ଶୋଷଣବିହୀନ ସମାଜ ଗଠନ ପାଇଁ ନିଷ୍ଠାବାନ। ପାର୍ଥକ୍ୟ ଏତିକି ଯେ କମ୍ୟୁନିଷ୍ଟମାନେ ଏକ ବିଦେଶୀ ମଡେଲକୁ ଆଧାର କରି ଏଭଳି ସମାଜ ଗଠନ ପାଇଁ ଚେଷ୍ଟା କରୁଛନ୍ତି ଏବ˚ ଆମେ ସୋସିଆଲିଷ୍ଟମାନେ ଆମ ପାଖରେ ମହଜୁଦ ଥିବା ଦେଶୀ ଗାନ୍ଧୀବାଦୀ ମଡେଲରେ ସମାନତା ଭିତ୍ତିକ ସମାଜ ଗଠନ ସମ୍ଭବ ବୋଲି କହୁଛୁ।’ ଅବଶ୍ୟ ପରେ ମୁଁ ଜାଣିଲି ଯେ ଉଭୟ ଗୋଷ୍ଠୀ ମଧୢରେ ପାର୍ଥକ୍ୟ ଏତିକିରେ ସୀମିତ ନୁହେଁ। କିନ୍ତୁ ସେତେବେଳେ ମୋର ବୁଝିବା ପାଇଁ କିଶନ ବାବୁଙ୍କ ବ୍ୟାଖ୍ୟା ଯଥେଷ୍ଟ ଥିଲା।

ସେହି ପ୍ରଥମ ଆଲୋଚନାରେ ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇ ତାଙ୍କୁ ଆମ କଲେଜ ହଷ୍ଟେଲର ପିଲାଙ୍କୁ ସମ୍ବୋଧନ କରିବାକୁ ଆମନ୍ତ୍ରଣ କଲି। ପରଦିନ ସନ୍ଧ୍ୟାରେ ସଭାର ଆୟୋଜନ କରିବି ବୋଲି କହିଲି। ଏହା ଶୁଣି କିଶନ ବାବୁ ଧୀର ସ୍ଥିର ଭାବେ କହିଲେ, ‘ବଡ଼ ସଭା ଅପେକ୍ଷା ଭଲ ତୁମର ଆଗ୍ରହୀ ସାଙ୍ଗମାନଙ୍କୁ କଥାବାର୍ତ୍ତା ପାଇଁ ଡାକ।’ ଯୁବସୁଲଭ ଉଦ୍ଦାମତାରେ କିନ୍ତୁ ମୁଁ ବଡ଼ ସଭା ପାଇଁ ଶେଷରେ ତାଙ୍କ ଠାରୁ ସ୍ବୀକୃତି ନେଲି। ହେଲେ ମୋର ସବୁ ଉତ୍ସାହ ହଷ୍ଟେଲ ସୁପରିନ୍‌ଟେଣ୍ତେଣ୍ଟଙ୍କ ପାଖରୁ ଅନୁମତି ମାଗିଲା ବେଳେ ମରିଗଲା। ତାଙ୍କର ଯୁକ୍ତି ଥିଲା ଯେ କିଶନ ପଟ୍ଟନାୟକ ଜଣେ ରାଜନୈତିକ ନେତା; ପୁଣି ସେ ସରକାରୀ ଦଳର ନୁହନ୍ତି। ତାଙ୍କୁ ଡାକି ସଭା କରିବା ମାନେ ବିପଦରେ ପଡ଼ିବା। ମୋର ସବୁ ପ୍ରୟାସ ବିଫଳ ହେଲା। ଏ କଥା କିଶନ ବାବୁଙ୍କୁ ଜଣାଇବାକୁ ସାହସ ହେଉନଥାଏ। କାଳେ ଏହାଦ୍ବାରା ତାଙ୍କ ମନରେ ମୋ ପ୍ରତି ଥିବା ଭରସା ଉଭେଇ ଯିବ। କିନ୍ତୁ ନ ଜଣାଇ ଉପାୟ ମଧ୍ୟ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଟିକିଏ ବି ବିଚଳିତ ହେଲେ ନାହିଁ। ମୋର ଏ ବିଫଳତା ସତ୍ତ୍ବେ ମୋ ବ୍ୟକ୍ତିତ୍ବ ପ୍ରତି ତାଙ୍କ ଧାରଣାରେ ଲେଶ ମାତ୍ର ପରିବର୍ତ୍ତନ ଆସି ନ ଥିବାର ଅବବୋଧ ମୋର ଆତ୍ମପ୍ରତ୍ୟୟରେ ବୃଦ୍ଧି ଆଣିବା ସହିତ ତାଙ୍କ ବ୍ୟକ୍ତିତ୍ବ ପ୍ରତି ଅଧିକ ଆକୃଷ୍ଟ କରିଥିଲା।

୧୯୮୨ରେ ମୁଁ ଦିଲ୍ଲୀସ୍ଥିତ JNU ଗଲି ଉଚ୍ଚଶିକ୍ଷା ପାଇଁ। ସେତେବେଳେ ବିଦେଶୀ ଅନୁୁପ୍ରବେଶକୁ ନେଇ ଆସାମ ଆନ୍ଦୋଳନ ବଡ଼ ଜୋରରେ ଚାଲିଥାଏ। ସେହି ପ୍ରସଙ୍ଗକୁ ନେଇ ‘ପେରିଆର ହଷ୍ଟେଲ’ରେ ଏକ ସଭା ହେଉଥାଏ; ବକ୍ତା ହେଲେ ପ୍ରସିଦ୍ଧ ଐତିହାସିକ ବିପନଚନ୍ଦ୍ର ଏବ˚ ସମାଜବାଦୀ କିଶନ ପଟ୍ଟନାୟକ। ମୋର ପରିଚିତ କିଶନ ବାବୁ ଦେଶର ଜଣେ ଅତି ପ୍ରସିଦ୍ଧ ବ୍ୟକ୍ତିତ୍ବ ବିପନ ଚନ୍ଦ୍ରଙ୍କ ସହିତ ଏକତ୍ର ବକ୍ତବ୍ୟ ଉପସ୍ଥାପନ କରିବେ! ଏହା ମୋତେ ପୁଲକିତ କରୁଥାଏ। ସଭା ପୂର୍ବରୁ ତାଙ୍କୁ ଭେଟିଲି। ସଭାରେ ସେ କେଉଁ ବିଷୟରେ କହିବେ ସେ ବିଷୟରେ କୌଣସି ଆଲୋଚନା ହେଲା ନାହିଁ। ଦିଲ୍ଲୀରେ ମତେ କେମିତି ଲାଗୁଛି ବୋଲି ସେ ପଚାରିଲେ। ସଭାରେ ତାଙ୍କ ବକ୍ତବ୍ୟ ଥିଲା ଇଂରେଜୀରେ; ଅତ୍ୟନ୍ତ ଶୁଦ୍ଧ, ସରଳ ଓ ପରିଚ୍ଛନ୍ନ ଭାଷା ଓ ବକ୍ତବ୍ୟ; ଠିକ ତାଙ୍କ ବ୍ୟକ୍ତିତ୍ବସୁଲଭ। ସଭା ପରେ ମୁଁ ପୁଣି ତାଙ୍କୁ ଭେଟିଲି। ଖୁବ ପ୍ରଭାବଶାଳୀ ବକ୍ତବ୍ୟ ରଖି ପାରିଥିବାର ଅହମିକା ବି କାହିଁ; ସେ ଥିଲେ ସବୁ ଦିନ ଭଳି ସହଜ ଓ ସରଳ।

ଏହି ଆତ୍ମବିଶ୍ବାସ କାରଣରୁ ସେ କାହାକୁ ତାଙ୍କ ଠାରୁ ‘ସାନ’ କିମ୍ବା ‘ବଡ଼’ ବୋଲି ମଣୁ ନ ଥିଲେ। ୧୯୬୨ରେ ମାତ୍ର ୩୨ ବର୍ଷ ବୟସରେ ଲୋକସଭା ସଦସ୍ୟ ହୋଇଥିଲେ, କିନ୍ତୁ ତତ୍‌କାଳୀନ ବଡ଼ ବଡ଼ ନେତାଙ୍କ ସମ୍ମୁଖରେ ବକ୍ତବ୍ୟ ରଖିବା ନେଇ ଆଦୌ ଭୟ କରୁ ନ ଥିଲେ। ପ୍ରଧାନମନ୍ତ୍ରୀ ନେହରୁଙ୍କୁ ନିଜ ବ୍ୟକ୍ତିଗତ ଖର୍ଚ୍ଚ କମାଇବାକୁ ସେ କହିଥିଲେ ଏବ˚ ଲୋକସଭାରେ ନେହରୁଙ୍କୁ କଟୁ ସମାଲୋଚନା ମଧ୍ୟ କରୁଥିଲେ। ଏବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କଟୁ ସମାଲୋଚନା ସତ୍ତ୍ବେ ନେହରୁ କିଶନ ବାବୁଙ୍କ ବକ୍ତବ୍ୟର ପ୍ରଶ˚ସା କରୁଥିଲେ ଏବ˚ ତାଙ୍କ ପତ୍ରଗୁଡ଼ିକର ଉତ୍ତର ତତ୍‌କ୍ଷଣାତ୍‌ ଦେଉଥିଲେ।

କିଶନ ବାବୁ କେବେ ମହାତ୍ମା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ସ˚ସ୍ପର୍ଶରେ ଆସିନଥିଲେ। କିନ୍ତୁ ଖଦି ପିନ୍ଧୁଥିଲେ ଏବ˚ ଦେଶରେ ଏକ ସମତାମୂଳକ ସମାଜ ଗଠନ ନିମନ୍ତେ ଖଦିର ମହତ୍ତ୍ବ ତଥା କ୍ଷୁଦ୍ର ଶିଳ୍ପ ଏବ˚ ହସ୍ତ ଶିଳ୍ପର ମହତ୍ତ୍ବକୁ ବୁଝିଥିଲେ। ଦେଶୀ ଗାନ୍ଧୀବାଦୀ ମଡେଲରେ ସମାଜ ପରିବର୍ତ୍ତନ ପାଇଁ ସର୍ବଦା ବିକଳ୍ପ ଖୋଜୁଥିଲେ। ମହାତ୍ମା ଗାନ୍ଧୀଙ୍କ ବିଚାରରୁ ଭୟ ଶୂନ୍ୟତା କଥା ଶିଖିଥିଲେ। ଭୟ ଶୂନ୍ୟତା ବିନା ବ୍ୟକ୍ତିର ସ୍ବାତନ୍ତ୍ର୍ୟ ରହିବା କାଠିକର ବୋଲି ବୁଝିଥିଲେ। କେବଳ ସେତିକି ନୁହେଁ ଅନ୍ୟ ବ୍ୟକ୍ତି ଭିତରେ ଅନ୍ତର୍ନିହିତ ସ୍ବାତନ୍ତ୍ର୍ୟକୁ ଖୋଜି ବାହାର କରିବା ସହିତ ତହିଁରେ ନିହିତ ଥିବା ତାର ପରିଚୟ ନେଇ ତା’ ମନରେ ଏକ ଅବବୋଧ ସୃଷ୍ଟି କରିବା ଥିଲା କିଶନ ବାବୁଙ୍କ ବ୍ୟକ୍ତିତ୍ବର ସବୁଠାରୁ ଉଜ୍ଜ୍ବଳ ଦିଗ।

[email protected]

ସମ୍ବନ୍ଧିତ ଖବର