ଆଶ୍ଚର୍ଯ୍ୟର କଥା, ଗତ ସ˚ସଦ ଅଧିବେଶନରେ ଗୃହୀତ ତିନିଟି କୃଷି ବିଲ୍‌କୁ ବିରୋଧ କରି ଏନ୍‌.ଡି.ଏ.ର ସବୁଠୁ ପୁରୁଣା ସାଥୀ ଅକାଳୀ ଦଳ ଏହି ମେଣ୍ଟ ଛାଡ଼ି ଦେଇଛି। ଅନ୍ୟ ପକ୍ଷରେ ଅକାଳୀ ଦଳର ବିରୋଧୀ ଓ ପଞ୍ଜାବରେ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସି˚ହ ମଧ୍ୟ କହୁଛନ୍ତି ଯେ ଏ ଧରଣର ପ୍ରତାରକ ଆଇନ ବିରୋଧରେ ତାଙ୍କ ସରକାର ଆଗାମୀ ଦିନରେ ଲଢ଼େଇ ଜାରି ରଖିବ। ପଞ୍ଜାବରେ ଏହି ବିଲ୍‌ର ବିରୋଧ ସବୁଠାରୁ ଅଧିକ ହେଉଛି ଓ ଭାରତ ବନ୍ଦ ମଧ୍ୟ କରାଯାଇଛି। କିନ୍ତୁ ଗଣମାଧ୍ୟମମାନଙ୍କରେ କାହିଁକି ଏହି ବିଲ୍‌ର ବିରୋଧ କରାଯାଉଛି, ସେ ସମ୍ପର୍କରେ ବିଶେଷ କିଛି କୁହାଯାଉନାହିଁ। ମୋଟାମୋଟି ଭାବରେ କୁହାଯାଉଛି ଯେ ଏହି ନୂଆ ଆଇନ ବଳରେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଉଠିଯିବ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଉ ଚାଷୀମାନଙ୍କ ପାଖରୁ ଧାନ, ଗହମ ଆଦି ଖାଦ୍ୟାନ୍ନ କିଣିବେ ନାହିଁ। ଏହାଦ୍ବାରା ଚାଷୀ ବଡ଼ ହତାଶ ହୋଇଯିବ। ଚାଷୀକୁ ନିଜ କୃଷିଜାତ ଦ୍ରବ୍ୟ ବିକ୍ରି କରିବାର ସ୍ବାଧୀନତା ଦିଆଯିବାର ଅର୍ଥ ହେଲା ସରକାର ଆଉ ଧାନ, ଗହମ ନ କିଣିବା। ବାମପନ୍ଥୀ ଏବ˚ ଅନ୍ୟ କେତେକ କହୁଛନ୍ତି ଯେ ‘କଣ୍ଟ୍ରାକ୍ଟ ଫାର୍ମି˚’ ଅର୍ଥାତ ଚୁକ୍ତିବଦ୍ଧ ଚାଷ ଦ୍ବାରା ଚାଷୀଙ୍କ ଜମିକୁ ବଡ଼ ବଡ଼ ‘କର୍ପୋରେଟ୍‌ ହାଉସ୍‌’ମାନେ ନେଇଯିବେ। କେବଳ ସେହିମାନଙ୍କର ଲାଭ ହେବ, ଚାଷୀଙ୍କର ନୁହେଁ।

Advertisment

କିନ୍ତୁ ଅନ୍ୟ ପକ୍ଷରେ ସରକାର କହୁଛନ୍ତି ଯେ ଏହି ନୂଆ ଆଇନ ଦ୍ବାରା ଚାଷୀକୁ ତା’ର ଖାଦ୍ୟାନ୍ନ ବିକ୍ରି କରିବା ପାଇଁ ସ୍ବାଧୀନତା ମିଳିବ। ସେ ଯେଉଁଠି ଚାହିଁବ ସେଠି ତା’ର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରିବ। ଦେଶରେ ଯେ କୌଣସି ସ୍ଥାନରେ ହେଉ ଅବା ବିଦେଶରେ ହେଉ; ସେ ତା’ର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରିବ। ଏହାଦ୍ବାରା ମଝିରେ ପଇସା ଖାଇ ଯାଉଥିବା ଦଲାଲର ଉଚ୍ଛେଦ ହେବ ଓ ବଜାର ପ୍ରକ୍ରିୟାର ଉନ୍ନତି ଘଟିବ।

ଏଠାରେ ଗୋଟିଏ ସାଧାରଣ ଜ୍ଞାନ କଥା ଆସୁଛି ଯେ ଜଣେ ବ୍ୟକ୍ତି ସାରା ଦେଶରେ ଯେ କୌଣସି ଜାଗାରେ ଚାକିରି କରିବାକୁ ଅବା ତା’ର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାକୁ ପସନ୍ଦ କରିବ ନା କେବଳ ସରକାରଙ୍କ ନିର୍ଦ୍ଧାରିତ ଦରମାରେ ଅବା ମୂଲ୍ୟରେ ଚାକିରି କରିବ ଅବା ଜିନିଷ ବିକ୍ରି କରିବାକୁ ପସନ୍ଦ କରିବ! ପୁଣି ଭାରତର ମଣ୍ତି ବା ଧାନ ଗୋଲାମାନଙ୍କରେ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ପାଇଁ ୨ରୁ ୮.୫% ମଣ୍ତି ଟିକସ ଦେବାକୁ ପଡ଼ିଥାଏ। ବିଶେଷ କରି ପଞ୍ଜାବରେ ସର୍ବାଧିକ ୮.୫% ଟିକସ ଦେବାକୁ ପଡ଼ିଥାଏ। ସେଇଠି ଚାଷୀମାନେ ସବୁଠାରୁ ଅଧିକ ଆନ୍ଦୋଳନ କରୁଛନ୍ତି। ନୂଆ ଆଇନ ଅନୁସାରେ ଚାଷୀମାନେ ଯେଉଁଠି ତାଙ୍କ ଇଛା ସେଇଠି ଫସଲ ବିକିବେ ଏବଂ ସେଠାରେ ସେମାନଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ।

ଭାରତରେ ତଥା ଓଡ଼ିଶା ପରି ରାଜ୍ୟରେ ଚାଷ ଏକ ଲାଭଜନକ ବ୍ୟବସାୟ ନୁହେଁ। ବିଭିନ୍ନ ଜନମତ ସର୍ଭେରୁ ଜଣାପଡ଼ିଛି ଯେ ୪୨% ଚାଷୀ ଚାଷ ନକରି ଅନ୍ୟ କୌଣସି ପେସାକୁ ପଳାଇ ଯିବାକୁ ଚାହାନ୍ତି। ଏଠାକାର ଚାଷୀମାନେ ସର୍ବଦା ତାଙ୍କ ପିଲାମାନେ କୌଣସି କମ୍ପାନିରେ ଚାକିରି କରନ୍ତୁ ବୋଲି ଚାହାନ୍ତି। ସେମାନେ ଆଦୌ ଚାହାନ୍ତି ନାହିଁ ଯେ ସେମାନଙ୍କ ପିଲାମାନେ ଚାଷ କରୁନ୍ତୁ। ୧୯୭୦-୭୧ରୁ ୨୦୧୫-୧୬ ମଧ୍ୟରେ ଗୋଟିଏ ଗୋଟିଏ ଚାଷୀ ପରିବାର ପାଖରେ ଥିବା ହାରାହାରି ୨.୨୮ ହେକ୍ଟର (୧ ହେକ୍ଟର, ୨.୫ ଏକର) ଜମି ୧.୦୮ ହେକ୍ଟରକୁ ଖସି ଆସିଛି। କାରଣ ଏହି ଚାଷୀ ପରିବାରର ସ˚ଖ୍ୟା ୭ କୋଟି ୧୦ ଲକ୍ଷରୁ ୧୪ କୋଟି ୫୦ ଲକ୍ଷକୁ ବୃଦ୍ଧି ପାଇଛି। କାରଣ ଇତି ମଧ୍ୟରେ ଜନସ˚ଖ୍ୟା ଅନେକ ବୃଦ୍ଧି ପାଇଥିବାରୁ ପରିବାରମାନେ ଭିନ୍ନ ହୋଇଯାଇଛନ୍ତି। ଯେଉଁ ତଥ୍ୟ ଏଠାରେ ଦିଆଗଲା ତାହା ହାରାହାରି ତଥ୍ୟ ଉପରେ ପର୍ଯ୍ୟବସିତ। କିନ୍ତୁ ବାସ୍ତବରେ ଓଡ଼ିଶା, ଝାଡ଼ଖଣ୍ତ, ଛତିଶଗଡ଼, ଆସାମ, ବିହାର ଓ ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଚାଷୀ ପରିବାରମାନଙ୍କର ମାତ୍ର ଗୁଣ୍ଠେ, ଦୁଇ ଗୁଣ୍ଠ ବା ଦଶ ଗୁଣ୍ଠ ଜମି ଅଛି। ସେମାନେ ଅତି କ୍ଷୁଦ୍ର ବା ନାମମାତ୍ର ଚାଷୀ ଭାବେ ପରିଗଣିତ। ଏମାନେ କେମତି ଚାଷ କରି ସେମାନଙ୍କର ରୋଜଗାର ବଢ଼ାଇବେ? ସେମାନେ ଯେତେ ଶୀଘ୍ର ସମ୍ଭବ ଚାଷ କ୍ଷେତ୍ରରୁ ବାହାରି ଯାଇ ଅନ୍ୟ କିଛି ରୋଜଗାର କରିବାକୁ ଚାହାନ୍ତି। ସେମାନେ ମାଛ ଚାଷ, ଗୋପାଳନ, କୁକୁଡ଼ା, ଘୁଷୁରି ଚାଷ ଆଦି କରି ଦୁଇ ପଇସା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ସେମାନଙ୍କୁ ସେଥିରୁ କିଛି ଅଧିକ ଅର୍ଥ ମିଳୁଛି ଓ ସରକାରମାନେ ମଧ୍ୟ ସେମାନଙ୍କୁ ଚାଷ ଛାଡ଼ି ସେହି ସବୁ କ୍ଷେତ୍ରକୁ ଯିବାକୁ ଉତ୍ସାହିତ କରୁଛନ୍ତି। କେବଳ ବଡ଼ ଚାଷୀମାନେ ହିଁ ଚାଷ କ୍ଷେତ୍ରରେ ପଡ଼ି ରହିଛନ୍ତି। ପଞ୍ଜାବ, ହରିଆଣା ପରି ରାଜ୍ୟମାନଙ୍କରେ ଅଧିକ ଉତ୍ପାଦନ ହେଉଥିବାରୁ ଓ ଚାଷୀମାନଙ୍କର ଅଧିକ ଜମି ଥିବାରୁ ସେଠାରେ ହିଁ ଚାଷୀମାନଙ୍କର ବାସ୍ତବରେ କିଛି ଲାଭ ହେଉଛି। ସରକାର ସେମାନଙ୍କର ସବୁ ଧାନ, ଗହମ କିଣି ନେଉଥିବାରୁ, ସେମାନଙ୍କର ବିକିବା ସମସ୍ୟା ଆଦୌ ରହୁନାହିଁ।

ଏଠାରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ସ୍ବାଧୀନ ଭାବରେ ବିକିଲେ ସରକାରୀ ଧାନ, ଗହମ ସ˚ଗ୍ରହ ବନ୍ଦ ହୋଇଯିବ ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଅସତ୍ୟ। କାରଣ, ସରକାର ତାଙ୍କର ରେସନ କାର୍ଡ ଦୋକାନମାନ ଖୋଲିଛନ୍ତି; ଯେଉଁଠି ସୁଲଭ ମୂଲ୍ୟରେ ଧାନ, ଗହମ, କିରାସିନି ଓ ବେଳେ ବେଳେ ଡାଲି, ଚିନି ଇତ୍ୟାଦି ସୁଲଭ ମୂଲ୍ୟରେ ବିକ୍ରି ହେଉଛି। ଯଦି ସରକାର ଧାନ, ଗହମ, ମାଣ୍ତିଆ, ଡାଲି ଆଦି ଚାଷୀମାନଙ୍କଠାରୁ ନ କିଣନ୍ତି ତେବେ, ଏହି ରେସନ ଦୋକାନ ସବୁ ଚାଲିବ କେମିତି? ଏଣୁ ସରକାରଙ୍କୁ ଚାଷୀ ପାଖରୁ ଖାଦ୍ୟାନ୍ନ କିଛି କିଣିବାକୁ ହିଁ ପଡ଼ିବ। ଏବ˚ ପନିପରିବା, ଫଳ ଆଦିକୁ ସରକାର ଆଦୌ କିଣିପାରିବେ ନାହିଁ। କାରଣ ତାହା ଖୁବ ଶୀଘ୍ର ନଷ୍ଟ ହୋଇଯାଏ। ସରକାରଙ୍କ ପାଖରେ ଏହି ନଷ୍ଟଶୀଳ ଦ୍ରବ୍ୟକୁ ଧାନ ବା ଗହମ ପରି ଠୁଳ କରି ରଖିବାର କୌଣସି ବ୍ୟବସ୍ଥା ନାହିଁ ତଥା ସରକାରୀ କଳ ଯାହା ହେଲେ ଏତେ ମନ୍ଥର ଯେ ଏହି ସବୁ ପଚନଶୀଳ ପଦାର୍ଥକୁ କିଣି କୌଣସି କାମରେ ଲଗାଇ ପାରିବେ ନାହିଁ। ଏପରିକି ଧାନ, ଗହମ ଆଦି ଶୁଖିଲା ଖାଦ୍ୟାନ୍ନକୁ କିଣି ସରକାର ତାଙ୍କ ଭଣ୍ତାର ଗୃହମାନଙ୍କରେ ରଖୁଥିବାରୁ ତା’ର ଏକ ବହୁତ ବଡ଼ ଅ˚ଶ ମୂଷା ଓ କୀଟ ଖାଇବା, ବର୍ଷା ପାଣି ଆଦି ଦ୍ବାରା ନଷ୍ଟ ହେବା, ବନ୍ୟା ବାତ୍ୟା ଦ୍ବାରା ନଷ୍ଟ ହେବା ଓ ଚୋରି ହେବା କାରଣରୁ ନଷ୍ଟ ହେଉଥିବା ଦେଖାଯାଉଛି। ତଥାପି ଯେଉଁମାନେ, ସରକାର ସବୁ କିଛି କୃଷି ଉତ୍ପାଦିତ ଦ୍ରବ୍ୟକୁ କିଣି ନିଅନ୍ତୁ ବୋଲି ଯୁକ୍ତି କରନ୍ତି, ସେମାନେ ସରକାରୀ ଧନର କ୍ଷତି ହେବା ଚାହାନ୍ତି। ସରକାରୀ ଧନର ଅର୍ଥ ଦେଶର ଧନ ନୁହେଁ କି?

ଯେଉଁ ତର୍କ ଉଠୁଛି ଯେ ‘କଣ୍ଟ୍ରାକ୍ଟ ଫାର୍ମି˚’ ଅବା ଚୁକ୍ତିବଦ୍ଧ ଚାଷ କେବଳ ‘କର୍ପୋରେଟ୍‌ ହାଉସ୍‌’ମାନଙ୍କର ଲାଭ କରିଥାଏ, ତାହା ସତ୍ୟ ନୁହେଁ। କାରଣ ‘କଣ୍ଟ୍ରାକ୍ଟ ଫାର୍ମି˚ର ଅର୍ଥ ହେଲା ଜଣେ ଚାଷୀ ଅବା ଅନେକ ଚାଷୀ ଗୋଟିଏ କମ୍ପାନି ସହ ଚୁକ୍ତି କରିବେ। କମ୍ପାନି ସେହି ଚୁକ୍ତି ବଳରେ ସେମାନଙ୍କୁ ଋଣ ଦେବ, ସାର ଦେବ, ବିହନ ଦେବ, ଚାଷ ପାଇଁ ନୂଆ ‘ଟେକ୍‌ନୋଲୋଜି’ ଯୋଗାଇବ, ବିଶ୍ବରେ କେଉଁ କେଉଁ ପ୍ରକାରର ନୂଆ ପଦ୍ଧତିରେ ଲାଭଜନକ ଚାଷ କରାଯାଉଛି, ତାହା ଶିଖାଇବ ଓ ଫସଲ ପାଇଁ ଯେଉଁ ବୀମା କିସ୍ତି ଦିଆଯିବା କଥା ତାହା ମଧ୍ୟ ଦେବ। କେବଳ ଚାଷୀ ତା’ର ଫସଲକୁ ଏକ ପୂର୍ବ ନିର୍ଦ୍ଧାରିତ ଦରରେ ଚୁକ୍ତି କରିଥିବା କମ୍ପାନିକୁ ବିକ୍ରି କରିବ। ଏଥିରେ ଚାଷୀର ଜମି କମ୍ପାନି ହାତକୁ ଯିବ କେମିତି? ଚାଷୀ ଯେତେବେଳେ ଚାହିଁବ କମ୍ପାନି ସହ ଚୁକ୍ତିରେ ରହିବ ଓ ଯେତେବେଳେ ଚାହିଁବ ସେହି ଚୁକ୍ତିରୁ ଓହରି ଆସିବ। ଯଦି ଝଡ଼, ବାତ୍ୟା, ବନ୍ୟା, ରୋଗ ଇତ୍ୟାଦି ହୁଏ ଓ ଫସଲ ନଷ୍ଟ ହୁଏ; ତେବେ ତା’ର କିଛି କ୍ଷତି ହେବାର ନାହିଁ। କାରଣ ଚାଷ ପାଇଁ ସବୁ ଖର୍ଚ୍ଚ କମ୍ପାନି ଦେଇଥିବ। ଏ କ୍ଷେତ୍ରରେ ସବୁ କିଛି ଲାଭ କମ୍ପାନିର ହେବ ଓ ଚାଷୀର କିଛି ଲାଭ ହେବ ନାହିଁ; ଏହା କହିବା କେମିତି ଯୁକ୍ତିଯୁକ୍ତ?

‘କଣ୍ଟ୍ରାକ୍ଟ ଫାର୍ମି˚’ ସମ୍ପର୍କରେ ଏକ ଉଦାହରଣ ନିଆଯାଉ। ଦୁଇ ଦଶନ୍ଧି ତଳେ ଏକ ବିଖ୍ୟାତ ଭାରତୀୟ କଂପାନି ଆଇ.ଟି.ସି. ‘ଇ ଚୌପଲ’ ନାମକ ଏକ କୃଷି ଦ୍ରବ୍ୟ କ୍ରୟ ସ˚ସ୍ଥା ଖୋଲିଥିଲା। ଏଥିରେ ଚାଷୀକୁ ଇଲେକ୍ଟ୍ରୋନିକ ତଥ୍ୟମାନ ମିଳିଥାଏ। ଏଥିରେ ଚାଷୀମାନେ ତାଙ୍କ ଅଞ୍ଚଳମାନଙ୍କରେ ଥିବା ମଣ୍ତି ଓ ଏପରିକି ବିଦେଶରେ ଥିବା କୃଷି ଦ୍ରବ୍ୟ ବିକ୍ରି କେନ୍ଦ୍ର ମାନଙ୍କରୁ ମୂଲ୍ୟ ସମ୍ପର୍କରେ ତଥ୍ୟ ପାଇଥାନ୍ତି। ଚାଳିଶ ଲକ୍ଷ କୃଷକଙ୍କୁ ଏହି ‘ଇ ଚୌପଲ’ ସାହାଯ୍ୟ କରିଥାଏ; ଯେଉଁମାନେ ସୋୟାବିନ, ଧାନ, ଗହମ, ତୈଳବୀଜ, ଡାଲି, ଚିଙ୍ଗୁଡି ମାଛ ଆଦି ଉତ୍ପାଦନ କରିଥାନ୍ତି। ଦଶଟି ରାଜ୍ୟରେ ୩୫୦୦୦ ଗ୍ରାମରେ ଏହି ‘ଇ ଚୌପଲ’ ସେବା ଉପଲବ୍‌ଧ। ଏହି ପଦ୍ଧତିରେ ଯେଉଁ ଚାଷୀମାନେ ସ୍ବତଃସ୍ଫୂର୍ତ୍ତ ଭାବରେ ଅ˚ଶ ଗ୍ରହଣ କରିଥାନ୍ତି, ସେମାନଙ୍କୁ ସାହାଯ୍ୟ ମିଳିଥାଏ। କିନ୍ତୁ ଏ କ୍ଷେତ୍ରରେ ଆ.ଟି.ସି. କମ୍ପାନିର ଲାଭ ଏତେ କମ୍‌ ଯେ, ଅନ୍ୟ କମ୍ପାନିମାନେ ଏହାର ଅନୁକରଣ କରୁନାହାନ୍ତି। ‘କଣ୍ଟ୍ରାକ୍ଟ ଫାର୍ମି˚’ କ୍ଷେତ୍ରରେ ମଧ୍ୟ ସେଇଆ ହୋଇପାରେ। ଏହାଛଡ଼ା ‘କଣ୍ଟ୍ରାକ୍ଟ ଫାର୍ମି˚’ ଗୋଷ୍ଠୀବଦ୍ଧ ଚାଷକୁୁ ଉତ୍ସାହିତ କରିପାରେ। ଅନେକ ଛୋଟ ଛୋଟ ଚାଷୀ ଗୋଟିଏ ବଡ଼ କମ୍ପାନି ସହ ଚୁକ୍ତିବଦ୍ଧ ହେଲେ ଚାଷ ବାସ୍ତବରେ ବଡ଼ ଆକାରରେ ହୋଇଥାଏ ଓ ବଡ଼ ଚାଷ ଅର୍ଥ ଅଧିକ ଉତ୍ପାଦନ ଓ ଅଧିକ ଲାଭର ବାଟ। କାରଣ ଛୋଟ ଚାଷୀ କେବେହେଲେ ବଡ଼ ଚାଷ କରି ପାରେନାହିଁ ବା ଅଧିକ ଲାଭ ପାଇ ପାରେନାହିଁ। ଏହି କ୍ଷେତ୍ରରେ କମ୍ପାନିମାନେ ଚାଷୀମାନଙ୍କୁ ଯେଉଁ ସୁବିଧା ଯୋଗାଇ ଦେଇଥାନ୍ତି, ସରକାରୀ କୃଷି ସ˚ପ୍ରସାରଣ ଅଧିକାରୀମାନେ ଅତୀତରେ ସେପରି ସୁବିଧା କେବେହେଲେ ଯୋଗାଇ ପାରିନାହାନ୍ତି ଅବା ଭବିଷ୍ୟତରେ ମଧ୍ୟ ଯୋଗାଇ ପାରିବେ ନାହିଁ।

ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଠାଇ ଦିଆଯିବା ବିରୋଧରେ ମଧ୍ୟ ନାନା ପ୍ରକାର ମିଥ୍ୟା ଆରୋପ ଅଣାଯାଇ ସମାଲୋଚନା କରାଯାଉଛି। ଅତୀତରେ ଖାଦ୍ୟ ଦ୍ରବ୍ୟର ବେଆଇନ ମହଜୁଦ ଓ ତଜ୍ଜନିତ ଦରଦାମ ବୃଦ୍ଧିକୁ ରୋକିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିଲା। ଅର୍ଥାତ୍‌, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ବ୍ୟବସାୟୀ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ ଠାରୁ ଅଧିକ ଖାଦ୍ୟଦ୍ରବ୍ୟ ମହଜୁଦ କରି ରଖିପାରୁନଥିଲେ। କୃଷି ଦ୍ରବ୍ୟକୁ ପଡ଼ୋଶୀ ରାଜ୍ୟମାନଙ୍କୁ ପଠାଯିବା ମଧ୍ୟ ମନା ଥିଲା। କିନ୍ତୁ ଏହା ଦ୍ବାରା କୃଷିଜାତ ଦ୍ରବ୍ୟକୁ ସାଇତି କରି ରଖିବା ପାଇଁ ଭଣ୍ତାର ଘର ତିଆରି କରାଗଲା ନାହିଁ। ଅତୀତରେ ପ୍ରାୟ ପଚାଶ ବର୍ଷ ତଳେ ଖାଦ୍ୟାନ୍ନର ଉତ୍ପାଦନ କମ ଥିବାରୁ ତାକୁ ମହଜୁଦ କରି ରଖିବା ଏକ ଅପରାଧ ଥିଲା। କିନ୍ତୁ ଭାରତ ଏବେ ଖାଦ୍ୟାନ୍ନ ଉତ୍ପାଦନରେ ସ୍ବୟଂସ˚ପୂର୍ଣ୍ଣ। ଏ ଦେଶରେ ଏବେ ଏତେ ଖାଦ୍ୟାନ୍ନ ଉତ୍ପାଦିତ ହେଉଛି ଯେ, ତାକୁ ସଂରକ୍ଷଣ କରି ରଖିବା ସମ୍ଭବ ହେଉନି। ଏହି ଲେଖାରେ ପୂର୍ବରୁ କୁହାଯାଇଛି ଯେ, ୪୦%ରୁ ଅଧିକ ଖାଦ୍ୟାନ୍ନ ଏବେ ଭଣ୍ତାର ଘର ନ ଥିବାରୁ ନଷ୍ଟ ହେଉଛି। ଏଣୁ ଏବେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନକୁ ଉଠାଇ ଦିଆଯାଇଛି, କାରଣ, ଏବେ ଖାଦ୍ୟାନ୍ନ ସ˚ଚୟ କରି ରଖିଲେ, ବଜାରରେ ଏହାର ମୂଲ୍ୟ ବଢ଼ିଲେ ଚାଷୀକୁ ଅଧିକ ଦୁଇପଇସା ମିଳିବ, ଯାହା ବର୍ତ୍ତମାନ ସମ୍ଭବ ହେଉନାହିଁ।

ଏକ ଧାରଣା ପ୍ରଚଳିତ ଯେ, ସରକାର ସବୁ କିଛି କୃଷି ଉତ୍ପାଦିତ ଦ୍ରବ୍ୟକୁ କିଣିନେଲେ ଚାଷୀର ଲାଭ ହେବ। ଯେଉଁ ଚାଷୀମାନେ ରାସ୍ତାରେ ଧାନ ବସ୍ତା ଜମା କରି ସରକାର ତାହାକୁ କିଣି ନିଅନ୍ତୁ ବୋଲି କହୁଛନ୍ତି, ସେମାନେ ସେଇଆ ଚାହାନ୍ତି। ଏଠାରେ ଏହାର ପରିଣାମ ସମ୍ପର୍କରେ ଏକ ଦୃଷ୍ଟାନ୍ତ ଦିଆଯାଉ। ଏହା ପୂର୍ବରୁ ୟୁରୋପରେ ଚାଷ ପାଇଁ ଅନେକ ଉଚ୍ଚ ହାରରେ ସାହାଯ୍ୟ ଦିଆଯାଉଥିଲା। ଅର୍ଥାତ୍‌, ଯିଏ ଯେତେ ଉତ୍ପାଦନ କରିବ, ତାଙ୍କୁ ସେତେ ସରକାରୀ ସାହାଯ୍ୟ ମିଳିବ। ଆମେରିକାରେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନ କରିବା ଓ ନ କରିବା ପାଇଁ ଏପରି ସରକାରୀ ସାହାଯ୍ୟ ଏବେ ମଧ୍ୟ ଦିଆଯାଉଛି। ୟୁରୋପରେ ଏହି ସାହାଯ୍ୟ ଯୋଗୁଁ ମା˚ସ, ଲହୁଣି ଓ ଦୁଧର ଉତ୍ପାଦନ ଏତେ ବଢ଼ିଗଲା ଯେ ତାହା ପର୍ବତ ପ୍ରମାଣେ ଜମାହୋଇ ରହିଲା। ଶେଷରେ ବହୁ ଶସ୍ତାରେ ଏହାକୁ ସୋଭିଏତ ୟୁନିୟନ (ତଦାନୀନ୍ତନ)କୁ ବିକ୍ରି କରାଗଲା। ଏବେ ୟୁରୋପିଆନ ୟୁନିୟନ ଚାଷୀମାନଙ୍କୁ ସିଧାସଳଖ ଅର୍ଥ ସାହାଯ୍ୟ ଦେଉଛି ଯେମିତି ବର୍ତ୍ତମାନର କେନ୍ଦ୍ର ସରକାର ଓ କେତେକ ରାଜ୍ୟ ସରକାର ଦେଉଛନ୍ତି। ‘କଣ୍ଟ୍ରାକ୍ଟ ଫାର୍ମି˚’ ହେଲେ କମ୍ପାନି ନିର୍ଣ୍ଣୟ କରିବ କେଉଁ ଫସଲର ବଜାରରେ ଚାହିଦା କେତେ ଓ କେତେ ପ୍ରକାର ଫସଲ କେଉଁ ପରିମାଣରେ ଉତ୍ପାଦନ କରିବାକୁ ହେବ। ବର୍ତ୍ତମାନ ଚାଷୀମାନେ ତାହା ଜାଣି ନପାରି ନିଜ ମନକୁ ଯାହା ଆସୁଛି, ସେଇଆ ଚାଷ କରୁଛନ୍ତି। କିନ୍ତୁ ତାହା ବଜାରରେ ବିକ୍ରି ହେଉନାହିଁ।

ଏଣୁ ଚାଷୀକୁ ତା’ର ଉତ୍ପାଦନକୁ ନିଜ ଇଛାରେ ବିକ୍ରି କରିବାର ସୁବିଧା ମିଳିବା ଦରକାର। ସେମାନଙ୍କ ମଧ୍ୟରୁ ଅଧିକା˚ଶ ଚାଷରୁ ବାହାରି ଯାଇ ଅନ୍ୟ କିଛି କାମ କରିବା ଦରକାର ଯେଉଁଠି ଅଧିକ ଅର୍ଥ ରୋଜଗାର ହୋଇପାରିବ। ଏହାଛଡ଼ା, ସରକାର ଚାଷୀଙ୍କୁ ସିଧାସଳଖ ସାହାଯ୍ୟ ଦେବା ଦରକାର।

ମୋ- ୯୪୩୭୦୨୦୨୯୦
[email protected]