ଶେଷ ପୂର୍ଣ୍ଣଚ୍ଛେଦ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

କରୋନା ମହାମାରୀର କ୍ରୂରତା ଅନେକ ମାତ୍ରାରେ ତାର ଜୀବନ ନେବାର ଶକ୍ତି ଭିତରେ କେନ୍ଦ୍ରୀଭୂତ। ଯଦି ଏତେ ଅନିଶ୍ଚିତତା ଭିତରେ ଓ ନିର୍ଦ୍ଦୟ ଭାବରେ କରୋନା ମଣିଷକୁ ଅବିରତ ମୃତ୍ୟୁର ଦ୍ୱାରଦେଶକୁ ଠେଲି ଦେଉ ନ ଥାନ୍ତା, ତେବେ ସଂକ୍ରାମକଟି ହୁଏତ ଏକ ମାମୁଲି ଝିଞ୍ଜଟ ହିସାବରେ ପରିଗଣିତ ହେଉଥାନ୍ତା।

ଆଜି ଯାଏ ଏହି ଭାଇରସ୍‌ ସାରା ବିଶ୍ୱରେ ପାଖାପାଖି ଦଶ ଲକ୍ଷ, ଭାରତରେ ୯୧ ହଜାର ଓ ଓଡ଼ିଶାରେ ୭୩୬ ଜୀବନ ନେଲାଣି। ଦୀର୍ଘ ନ’ ମାସ ମଧ୍ୟରେ ମୃତ୍ୟୁର ଏହି ଆକଳନ ଅତୀତରେ ମଣିଷ ଜାତି ଭୋଗି ସାରିଥିବା ବିପର୍ଯ୍ୟୟ ଗୁଡ଼ିକର ମୁଣ୍ଡ ଗଣତି ଠାରୁ ଅଧିକ ଭୟଙ୍କର ନୁହେଁ। ଊନବିଂଶ ଶତାବ୍ଦୀର ସପ୍ତମ ଦଶକରେ ଆମ ପ୍ରଦେଶରେ ଘଟିଯାଇଥିବା ନଅଙ୍କ ଦୁର୍ଭିକ୍ଷରେ ଦଶ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା। ଆଜିକୁ ପ୍ରାୟ ଶହେ ବର୍ଷ ତଳେ ସାରା ପୃଥିବୀକୁ ଦୋହଲାଇ ଦେଇଥିବା ସ୍ପାନିସ୍ ଫ୍ଲୁ ମହାମାରୀ ଜୀବନ ନେଇଥିଲା ପାଖାପାଖି ପାଞ୍ଚ କୋଟି ଲୋକଙ୍କର। ବିଂଶ ଶତାବ୍ଦୀରେ ସଂଘଟିତ କେବଳ ଦୁଇଟି ବିଶ୍ୱ ମହାଯୁଦ୍ଧରେ ମୃତ୍ୟୁବରଣ କରିଥିଲେ ପ୍ରାୟ ନ’ କୋଟି ମଣିଷ। ଏତେ ସଂଖ୍ୟାରେ ମୃତ୍ୟୁ ଅଙ୍ଗେ ନିଭାଇ ଥିବା ମଣିଷ ଜାତି ପାଇଁ କରୋନା ମହାମାରୀର ମାରକ କ୍ଷମତା ସେତେ ଭୟାବହ ନୁହେଁ।

ଆଜି ବି ଶତକଡ଼ା ପଞ୍ଚାନବେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି। ଆଉ ମୃତକଙ୍କ ମଧ୍ୟରେ ଶତକଡ଼ା ସତୁରି ଭାଗ ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ବାର୍ଦ୍ଧକ୍ୟ ଜନିତ ରୋଗ ଭୋଗୁଥିବା ବ୍ୟକ୍ତି। ତଥାପି କାହିଁକି ଏ ମହାମାରୀ କଥା ଚିନ୍ତା କଲେ ମୃତ୍ୟୁର ସନ୍ତ୍ରାସ ମନକୁ ଆଚ୍ଛାଦିତ କରି ଦେଉଛି? ତାର କାରଣ ହୁଏତ ଆମ ମାନସରେ ନିତି ଜମାଟ ବାନ୍ଧୁଥିବା ନିଦାରୁଣ କୋଭିଡ ମୃତ୍ୟର ଚିତ୍ର, ଯାହା ଏହି କେତେ ମାସ ଭିତରେ ଆମେ ନିଜର ପରିଚିତ ପରିଧି ମଧ୍ୟରୁ ଅବା ଗଣମାଧ୍ୟମରୁ ସଂଗ୍ରହ କରିଚାଲିଛୁ।

ପ୍ରଥମେ ତ ପ୍ରାୟ ସମସ୍ତେ ନିଜର ଅତି ଆପଣାର ବା ଚିହ୍ନା ଜଣା କାହାକୁ ନା କାହାକୁ ଏହି ମହାମାରୀରେ ହରାଇ ସାରିଛନ୍ତି। ସେ ହୁଏତ ନିଜ ପରିବାରର ବା ନିଜ ସାହିର କେହି, କିମ୍ବା ଅଫିସ ସହକର୍ମୀ, କି ବଜାରରୁ ଆପଣ ଜିନିଷ କିଣୁଥିବା ଦୋକାନର ମାଲିକ। ତାଙ୍କୁ ଆପଣ ହୁଏତ ଜଣେ ଦାୟିତ୍ୱବାନ ଆଶାକର୍ମୀ ହିସାବରେ ଜାଣିଥିଲେ ଅଥବା ଡାକ୍ତରଖାନାରେ ହସ ହସ ମୁହଁରେ ସେବା କରିଚାଲିଥିବା ନର୍ସ ରୂପରେ। ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁର ଖବର ପାଇଲା ବେଳେ ହୁଏତ ଆପଣଙ୍କର ମନେ ପଡ଼ି ଯାଇଥିବ ଏଇ କିଛି ଦିନ ତଳେ ପ୍ରାତଃ ଭ୍ରମଣ ସମୟରେ ଦେଖିଥିବା ତାଙ୍କ ହସ ହସ ମୁହଁ, କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଉଦ୍ଦିଷ୍ଟ କାଢ଼ା ବନେଇବାର ପଦ୍ଧତି ଉତ୍ସାହ ଭରେ ବର୍ଣ୍ଣନା କରୁଥିବା କଥା।

ଏହି ଆକସ୍ମିକତା ଓ ଅନିଶ୍ଚିତତା ବ୍ୟତୀତ ଏ ମହାମାରୀ ଜନିତ ମୃତ୍ୟୁର ସ୍ବାତନ୍ତ୍ରୢ ହେଲା ମରଣ ସହ ଜଡ଼ିତ ସବୁ ରୀତି, ନିତି ଓ ପରମ୍ପରା ପ୍ରତି ଏହାର ବେଖାତିର ଭାବ। ମରଣ ସମୟରେ ହେଉ କି ମରଣ ପରେ ହେଉ, ଏହି ପରିସ୍ଥିତିଗୁଡ଼ିକ ପାଇଁ ସବୁ ସମୟରେ ଓ ସବୁ ସମ୍ପ୍ରଦାୟରେ କିଛି ନା କିଛି ସୁଚିନ୍ତିତ ବ୍ୟବହାର ଓ ନିୟମ ପଦ୍ଧତି ନିର୍ଦ୍ଧାରିତ କରାଯାଇଛି। ଯେମିତିକି ମଣିଷ ମୃତ୍ୟର ସନ୍ନିକଟ ହୋଇଗଲେ ତାଙ୍କୁ ଏକୁଟିଆ ଛାଡ଼ି ଦିଆଯାଏ ନାହିଁ। ଘରେ ହେଲେ ତ ଜ୍ଞାତି କୁଟୁମ୍ବମାନେ ମୃତ୍ୟୁ ଆସନ୍ନ ବ୍ୟକ୍ତିଙ୍କୁ ଘେରି ଶେଷ ବିଦାୟ ଜଣାନ୍ତି। ଗାଁରେ ବୁଢା-ବୁଢ଼ୀମାନେ ସଖା ପରିଜନଙ୍କ ଉପସ୍ଥିତିରେ ମରିବାର ଇଚ୍ଛା ପୋଷଣ କରୁଥିବାର ସାଧାରଣତଃ ଦେଖିବାକୁ ମିଳେ। ଜୀବନର ଦ୍ୱାର ଦେଶ ଅତିକ୍ରମ କରି ଯାଉଥିବା ବ୍ୟକ୍ତି ପାଇଁ ଶୁଭାକାଂକ୍ଷୀମାନଙ୍କର ଏ ସମାବେଶର ବୈଜ୍ଞାନିକ ଦୃଷ୍ଟିକୋଣରୁ ଉପଯୋଗିତା କେତେ ତାହା କହିବା କଷ୍ଟକର, ହେଲେ ଭାବଗତ ଦୃଷ୍ଟିକୋଣରୁ ଏହାର ମହତ୍ତ୍ୱ ଯୁଗେ ଯୁଗେ ରହି ଆସିଛି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଆହତ ସୈନିକ ପାଖରେ ରହି ତା’ର ସାଥୀ ଯୋଦ୍ଧାମାନେ ନିଜ ଜୀବନକୁ ବିପନ୍ନ କରି ସାଥୀର ମରଣ କଷ୍ଟ ଉପଶମ କରିବାକୁ ଚେଷ୍ଟା କରନ୍ତି। ଆମ ସମାଜରେ ମୃତ୍ୟୁ ପଥଗାମୀ ବ୍ୟକ୍ତିଙ୍କୁ ଗଙ୍ଗା ଜଳ ପିଆଇବା ଓ ତାଙ୍କରି ଶଯ୍ୟା ପାଖରେ ଭାଗବତ ପାଠ କରିବାର ଉଦ୍ଦେଶ୍ୟ ହେଲା ଦିବଂଗତ ଆତ୍ମାକୁ ଏକ ପବିତ୍ର ପରିବେଶ ମଧ୍ୟରେ ବିଦାୟ ଦେବା।

ମୃତ୍ୟୁ ପରେ ମଧ୍ୟ ଶବ ଦାହ ଠୁଁ ଆରମ୍ଭ କରି ଶ୍ରାଦ୍ଧ କର୍ମ ପର୍ଯ୍ୟନ୍ତ ସବୁ ପାଇଁ କିଛି କିଛି ବିଧି ରହିଛି ଯାହା ସ୍ବର୍ଗବାସୀ ଆତ୍ମାକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ପରିଜନମାନଙ୍କର ଶୋକ କଷ୍ଟକୁ ଉପଶମ ଦେବା ପାଇଁ ଉଦ୍ଦିଷ୍ଟ। ମୃତ ବ୍ୟକ୍ତିର ଶବକୁ ପୁଅ ଓ ଅନ୍ୟାନ୍ୟମାନେ କାନ୍ଧରେ ଶ୍ମଶାନକୁ ବୋହି ନେବା ଓ ପୁଅ ବାପାର ଶବ ମୁଖରେ ଅଗ୍ନି ସଂଯୋଗ କରିବା ଏହା ଦର୍ଶାଉଛି ଯେ ଆତ୍ମା ଛାଡ଼ି ଚାଲିଗଲା ପରେ ଏହି ନଶ୍ୱର ଶରୀର ମୂଲ୍ୟହୀନ ନୁହେଁ।

ହେଲେ ହାସପାତାଳରେ କରୋନା ମୃତ୍ୟୁରେ ନ ଥାଏ ଉପଶମର ଏହି ଆଶ୍ୱାସନା। ନିଜ ଲୋକ ଓ ପରିବାର ବର୍ଗଙ୍କ ଠାରୁ ଅଲଗା କରାଯାଇଥିବା ବେଳେ, ଭୀଷଣ ଶାରୀରିକ ପୀଡ଼ା ଭିତରେ, ବିଭିନ୍ନ ପାଇପ ଓ ଯନ୍ତ୍ରପାତି ଖଞ୍ଜା ହୋଇଥିବା ଅବସ୍ଥାରେ ହଠାତ୍‌ ଆସିଯାଏ ମୃତ୍ୟୁର ଡାକରା। ଜୀବନ ପୁସ୍ତକରେ ପଢ଼ିବାକୁ ଅନେକ ପୃଷ୍ଠା ବାକି ଥିବା ବେଳେ ହଠାତ୍‌ ଆସିଯାଏ ଶେଷ ପୂର୍ଣ୍ଣଚ୍ଛେଦ। ଆବରଣ ଭିତରେ ରଖା ଯାଇଥିବା ମୃତକଙ୍କ ଶରୀରକୁ ପାଖରୁ ଦେଖିବାକୁ ଓ ଛୁଇଁବାକୁ ମଧ୍ୟ ଅନୁମତି ମିଳେନା ପରିବାର ବର୍ଗଙ୍କୁ। କ’ଣ ଅବା ଆଣିପାରେ ଜୀବନରେ ୟାଠୁ ଅଧିକ ଦୁଃଖ?

ସୌଭାଗ୍ୟ ନଗର, ଭୁବନେଶ୍ୱର

ସମ୍ବନ୍ଧିତ ଖବର