ସେଇ ‘ଅସ୍ତଗାମୀ ସୂର୍ଯ୍ୟ’ମାନଙ୍କ ଲାଗି

ବୟୋଜ୍ୟେଷ୍ଠ ଦିବସ ଅନୁଚିନ୍ତା - ଅମୂଲ୍ୟ କୁମାର ପଣ୍ତା

ଜନ୍ମ, ଯୌବନ, ବୟଃପ୍ରାପ୍ତି, ପ୍ରଜନନ, ଜରା ଓ ଶେଷରେ ମୃତ୍ୟୁ- ମୁଖ୍ୟତଃ ଏହାକୁ ନେଇ ଆମର ଜୀବନ। ଏହାକୁ କିଛିଟା ବଦଳାଇ ମଣିଷ ପ୍ରଲମ୍ବିତ ଯୌବନ ଏବ˚ ବିଳମ୍ବିତ ବାର୍ଦ୍ଧକ୍ୟର ଉଦ୍ୟମ କରୁଛି; ମୃତ୍ୟୁକୁ ‘ଇଚ୍ଛାଧୀନ’ କରିବାର ସ୍ବପ୍ନ ଦେଖୁଛି। କବି ଦାର୍ଶନିକ ଜୋହାନ୍‌ ଉଲ୍‌ଫ୍‌ଗ୍ୟାଙ୍ଗ୍‌ ଫନ୍‌ ଗେଟେ ଏକଦା ପ୍ରକୃତିର ଗୁଣଗାନ କରି କହିଥିଲେ- ‘ଜୀବନ ହେଉଛି ତା’ର ସର୍ବଶ୍ରେଷ୍ଠ ଉଦ୍ଭାବନ ଏବ˚ ମୃତ୍ୟୁ ତା’ ପାଇଁ ଉତ୍କୃଷ୍ଟତର ଜୀବନର ଏକ ମାଧୢମ।’ ସୁତରା˚ ମୃତ୍ୟୁ ଏକ ନିଷ୍ଠୁର ବାସ୍ତବତା ହେଲେ ମଧୢ ଏହା ଏକାନ୍ତ ବାଞ୍ଛନୀୟ। ଅଥଚ ମଣିଷ ଏବେ ଅମରତ୍ବର ଅନ୍ବେଷାରେ ମଗ୍ନ।

ଚିରନ୍ତନ ଯୌବନ ଉପଭୋଗ କରିବା ପାଇଁ ପ୍ରାୟ ସମସ୍ତେ ଇଚ୍ଛୁକ; କେହି ଜରାଗ୍ରସ୍ତ ହେବାକୁ ଚାହାନ୍ତି ନାହିଁ। କିନ୍ତୁ ମୃତ୍ୟୁ ପୂର୍ବରୁ ଆମ ବାର୍ଦ୍ଧକ୍ୟ ତ ଅବଧାରିତ! ଜନ୍ମ ପର ଠାରୁ ହିଁ ଆମର କିଛି ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଦକ୍ଷତାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେବା ଆରମ୍ଭ କରିଥାଏ। ସେହି ଦୃଷ୍ଟିରୁ କେତେକ ଜରା ବିଜ୍ଞାନୀଙ୍କ ମତରେ ବାଲ୍ୟବସ୍ଥାରୁ ହିଁ ବାର୍ଦ୍ଧକ୍ୟ ସ୍ପର୍ଶ କରିଥାଏ। ଜରା ମୁଖ୍ୟତଃ ଜିନ୍‌ ଓ ପରିବେଶ ଦ୍ବାରା ନିୟନ୍ତ୍ରିତ। ତେବେ, କୌଣସି ଗୋଟିଏ ଜିନ୍‌ ଦ୍ବାରା ଯୌବନ ବା ଜରା ନିୟନ୍ତ୍ରିତ ହୋଇନଥାଏ; ସମ୍ଭବତଃ ଆମର ମୋଟ ଜିନ୍‌ର ୧୦ ଭାଗ ଏହି ସବୁ ଘଟଣା ସହ ସ˚ପୃକ୍ତ। ସ୍ମରଣରେ ରଖିବାର କଥା ଯେ ଜରା ତତ୍ତ୍ବର ଉଦ୍ଦେଶ୍ୟ ନୁହେଁ ମୃତ୍ୟୁକୁ ଜୟ କରିବା ବା ପରମାୟୁକୁ ବଢ଼ାଇବା। ବର˚ ଏହାର ଲକ୍ଷ୍ୟ ହେଉଛି ଜରାକୁ ବିଳମ୍ବିତ ଓ ସୀମିତ କରାଇ ସୁସ୍ଥ ନିରାମୟ ଜୀବନଯାପନ ଲାଗି ବାଟ ଖୋଜିବା।

ସୁଖର କଥା, ଜରା ବିଜ୍ଞାନର ପରିସର କ୍ରମେ ବୃଦ୍ଧି ପାଉଛି। ଜରାଜନିତ ଉପସର୍ଗ ଲାଗି ବିିଭିନ୍ନ ଚିକିତ୍ସା ପଦ୍ଧତି ଉପଲବ୍‌ଧ ହେଉଛି। ଜଣଙ୍କର ଡିଏନ୍‌ଏ ଅନୁକ୍ରମ ଅଧୢୟନ ପୂର୍ବକ ଡିଏନ୍‌ଏକୁ ଭିତ୍ତି କରି ତାଙ୍କ ଲାଗି ନିର୍ଦ୍ଦିଷ୍ଟ ଔଷଧ (ପର୍ସନାଲାଇଜ୍‌ଡ୍‌ ମେଡିସିନ୍‌) ବ୍ୟବସ୍ଥା ମଧୢ କରାଯାଉଛି। ତା’ ଛଡ଼ା କୋଷ ତଥା ଶରୀର ଜରାଗ୍ରସ୍ତ ହେବା ପଛରେ ଗୁଣସୂତ୍ରର ଉଭୟ ଅଗରେ ଥିବା ‘ଟିଲୋମିଅର‌୍‌’ର ଭୂମିକା ରହିଛି ବୋଲି ସ୍ପଷ୍ଟ ହୋଇଛି। ଆହୁରି ଜଣାପଡ଼ିଛି ଯେ ବାରମ୍ବାର କୋଷ ବିଭାଜନ ହେବା ପରେ ଟିଲୋମିଅର‌୍‌ ଦୈର୍ଘ୍ୟ କମିଯାଏ ଏବ˚ ଏହା ଜରା ତଥା କର୍କଟ ରୋଗର ପ୍ରମୁଖ କାରଣ ହୋଇଥାଏ। ଏହିପରି ବାର୍ଦ୍ଧକ୍ୟ ସମ୍ପର୍କିତ ବିଭିନ୍ନ ରହସ୍ୟ ଉନ୍ମୋଚିତ ହେବା ପରେ ଜରାଭିତ୍ତିକ ଗବେଷଣା ତଥା ପ୍ରୟୋଗ ତ୍ବରାନ୍ବିତ ହୋଇଛି। ପ୍ରକାଶ ଥାଉ କି ଟିଲୋମିଅର‌୍‌ର ଆକାରକୁ ବଜାୟ ରଖିବାରେ ଜୀବନଶୈଳୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବୟସ ବଢ଼ିବା ସହ ସାଧାରଣତଃ ଟିଲୋମିଅର‌୍‌ର ଦୈର୍ଘ୍ୟ କମିଥାଏ। ଛୋଟ ଟିଲୋମିଅର୍‌ର ଅର୍ଥ ହେଉଛି ରୋଗର ଆଧିକ୍ୟ ଓ ହ୍ରାସପ୍ରାପ୍ତ ପରମାୟୁ।

ବୟସ ଛଡ଼ା ଟିଲୋମିଅର‌୍‌ର ଦୈର୍ଘ୍ୟ କମିବା ପଛରେ ରହିଛି ଜିନ୍‌ର ସ୍ବାଭାବିକ ପରିପ୍ରକାଶକୁ ନିୟନ୍ତ୍ରଣ କରୁଥିବା କିଛି ଜିନ୍‌ଗତ କାରକ, ସାମାଜିକ ସ୍ଥିତି, ଆର୍ଥନୀତିକ ସ୍ବଚ୍ଛଳତା, ବ୍ୟାୟାମ ଓ ଧୂମପାନର ପ୍ରଭାବ ଇତ୍ୟାଦି। କର୍କଟ ଗ୍ରସ୍ତ କୋଷର ଟିଲୋମିଅର‌୍‌ ଛୋଟ ହୋଇଯାଇଥାଏ ଏବ˚ ସ୍ବାଭାବିକ କୋଷ ତୁଳନାରେ ଏଥିରେ ଟିଲୋମିରେଜ୍‌ ପରିମାଣ ଅଧିକ ଥାଏ। ଏହି କାରଣରୁ ରୋଗ ସ˚କ୍ରମଣ ସହଜରେ ହୋଇଥାଏ, ଅସ୍ଥି ମଜ୍ଜାରେ କ୍ରମାଗତ ଅବକ୍ଷୟ ଘଟିଥାଏ, ଅସମୟରେ କେଶ ପାଚିଯାଏ, କମ୍‌ ବୟସରେ କର୍କଟ ରୋଗ ହୋଇଥାଏ ଏବ˚ ଅକାଳ ମୃତ୍ୟୁ ଘଟିଥାଏ। ଶ୍ବେତରକ୍ତ କଣିକାସ୍ଥିତ ଟିଲୋମିଅର‌୍‌ ଛୋଟ ହୋଇଗଲେ ହୃଦ୍‌ଘାତର ଆଶଙ୍କା ତିନି ଗୁଣ ବଢ଼ି ଯାଇଥାଏ। ଉଦ୍‌ବେଗର ବିଷୟ, ଦୈନିକ ୧ ପ୍ୟାକେଟ୍‌ କରି ୪୦ ବର୍ଷ ଧରି ଧୂମପାନ କରୁଥିବା ବ୍ୟକ୍ତିଙ୍କ ପରମାୟୁ ପ୍ରାୟ ୭.୪ ବର୍ଷ କମିଯାଇଥାଏ। ଚାପଗ୍ରସ୍ତ ଜୀବନ ଟିଲୋମିଅର୍‌ର ଆୟତନ ହ୍ରାସ ଏବ˚ ଜରାର ଅନ୍ୟତମ କାରଣ। କୋଷର ଶକ୍ତି କେନ୍ଦ୍ର ବୋଲାଉଥିବା ‘ମାଇଟୋକଣ୍ତ୍ରିଆ’ ଓ ତା’ ଭିତରେ ଥିବା ଡିଏନ୍‌ଏର ତ୍ରୁଟିବିଚ୍ୟୁତି ଯୋଗୁଁ ମଧୢ ଜଣେ ଶୀଘ୍ର ଜରାଗ୍ରସ୍ତ ହୋଇଥାଏ।

ବରିଷ୍ଠ ନାଗରିକମାନେ ଏଣ୍ଟି-ଅକ୍ସିଡାଣ୍ଟ ଭିଟାମିନ୍‌ ଯଥା-ଭିଟାମିନ୍‌ ସି, ଭିଟାମିନ୍‌ ଇ, ବିଟା କ୍ୟାରୋଟିନ୍‌ ଆଦି ଆବଶ୍ୟକ ପରିମାଣରେ ସେବନ କରିବା ଉଚିତ। ତନ୍ତୁଯୁକ୍ତ ଖାଦ୍ୟ ଏବ˚ ଓମେଗା-୩ ସ୍ନେହାମ୍ଳ ଖାଇଲେ ଟିଲୋମିଅର‌୍‌ର ଆୟତନ ବଜାୟ ରହେ ବୋଲି ସ୍ପଷ୍ଟ ପ୍ରମାଣ ମିଳୁଛି। କମ୍‌ ପରିମାଣର ଖାଦ୍ୟ ଖାଇବା, ବ୍ୟାୟାମ କରିବା, ସୁସ୍ଥ ଓ ସକ୍ରିୟ ରହିବା ଏବ˚ ପୃଥୁଳକାୟ ନ ହେବା ସୁସ୍ଥ ଟିଲୋମିଅର ପାଇଁ ଆବଶ୍ୟକ। ଏଥି ସହ ବିଭିନ୍ନ ପ୍ରକାରର ମଞ୍ଜି, ସୋୟାବିନ୍‌, ବ୍ରକୋଲି, ଟମାଟୋ, ଗ୍ରିନ୍‌ ଚା’, ବିଭିନ୍ନ ମାଛ ଖାଇବା ଉଚିତ।

ଏପ୍ରିଲ, ୨୦୧୮ରେ ‘ଦ ଡେଥ୍‌ ଅଫ୍‌ ଡେଥ୍‌’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଏହାର ଲେଖକଯୁଗଳ ଡେଭିଡ୍‌ ଉଡ୍‌ ଓ ଜୋସ୍‌ କୋର୍ଡେରୋ କହିଥିଲେ ଯେ ‘୨୦୪୫ ସୁଦ୍ଧା ମୃତ୍ୟୁ ଆମର ଇଚ୍ଛାଧୀନ ହୋଇଯିବ।’ ଏହା ସତ ଯେ ଏବର ଚିକିତ୍ସା ଓ ଅନ୍ୟ ସୁବିଧା ଯୋଗୁଁ ଜରାକୁ ଏଡ଼ାଇ ଦେଇ ହେବ; କିନ୍ତୁ ମୃତ୍ୟୁକୁ ଜୟ କରିବା କେତେ ଦୂର ସମ୍ଭବ? ସୂଚନାଯୋଗ୍ୟ ଯେ ୨୦୧୫ରେ ଏଲିଜାବେଥ୍‌ ପାରିସ୍‌ ନାମକ ଜଣେ ମହିଳା ଜରାକୁ ଏଡ଼ାଇବା ଉଦ୍ଦେଶ୍ୟରେ ପେଶୀ କ୍ଷୟ ରୋକିବା ଓ ଟିଲୋମିଅର‌୍‌ର ଦୈର୍ଘ୍ୟ ବୃଦ୍ଧି ପାଇଁ ନିଜ ଉପରେ ଏକ ଯୁଗାନ୍ତକାରୀ ଜିନ୍‌ ଚିକିତ୍ସା କରାଇଥିଲେ। ଏ’ ପ୍ରକାର ଚିକିତ୍ସା ଯୁକ୍ତରାଷ୍ଟ ଆମେରିକାରେ ନିଷିଦ୍ଧ; ତେଣୁ ସେ ଏଥିପାଇଁ କଲୋମ୍ବିଆ ଯାଇଥିଲେ। ୨୦୧୯ରେ ସେ କହିଛନ୍ତି ଯେ ସେ ବେଶ୍‌ ସୁସ୍ଥ ଅଛନ୍ତି ଏବ˚ ତାଙ୍କ ବୟସ କମିଯାଇଥିବା ଭଳି ସେ ଅନୁଭବ କରୁଛନ୍ତି। ଅନୁଧୢାନରୁ ଜଣାପଡ଼ିଛି ଯେ ତାଙ୍କ ପେଶୀ କ୍ଷୟ କମିଛି ଏବ˚ ଟିଲୋମିଅର୍‌ର ଦୈର୍ଘ୍ୟ ବଢ଼ିଛି।

ଜାତିସ˚ଘ ସାଧାରଣ ପରିଷଦ ନିଷତ୍ତି ଅନୁଯାୟୀ ୧୯୯୧ ଠାରୁ ପ୍ରତି ବର୍ଷ ଅକ୍ଟୋବର ପହିଲାରେ ‘ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିବସ’ ପାଳିତ ହେଉଛି। ଏ’ବର୍ଷ ଏହି ଦିବସର ମୁଖ୍ୟ ବିଷୟବସ୍ତୁ ରହିଛି, ‘ମହାମାରୀ ଯୋଗୁଁ ଜରା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପ୍ରତି ଆମ ଆଭିମୁଖ୍ୟ ବଦଳିବ କି?’ ମନେ ରଖିବାର କଥା, ବରିଷ୍ଠ ନାଗରିକମାନେ ଆମ ସମାଜର ଏକ ମୂଲ୍ୟବାନ ଅଙ୍ଗ। ପିଢ଼ି ପରେ ପିଢ଼ି ସେମାନେ ଅଭିଜ୍ଞତାର ଭଣ୍ତାର ଭାବେ ବିବେଚିତ। ସେମାନଙ୍କୁ ହତାଦର କରିବା ବା ଅଣଦେଖା କରିବା ଆଦୌ ସମୀଚୀନ ନୁହେଁ। କୋଭିଡ୍‌-୧୯ ମହାମାରୀ ଦ୍ବାରା ବୟୋଜ୍ୟେଷ୍ଠମାନେ ଅଧିକ ବିପଦଗ୍ରସ୍ତ ହୋଇଛନ୍ତି। ତେବେ ସେମାନେ ଜୀବନର ଶେଷ ପ୍ରାନ୍ତରେ ଉପନୀତ ବୋଲି ଭାବି ନେଇ ଏହାକୁ ସ୍ବାଭାବିକ ବୋଲି ବିଚାର କରାଯିବା ଅନୁଚିତ। ବର˚ ସେମାନଙ୍କର ମାନସିିକ ଓ ଶାରୀରିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ସବୁ ମତେ ଉଦ୍ୟମ କରାଯିବା ଉଚିତ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଅନୁଯାୟୀ ‘ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଯତ୍ନ ସମାଜ କିପରି ନିଏ, ତା’ ଉପରେ ନିର୍ଭର କରି ସମାଜର ମୂଲ୍ୟାୟନ କରାଯିବା ବିଧେୟ।’ ଏକ ହିସାବରୁ ଜଣାଯାଏ ଯେ ୬୫ ବର୍ଷ ବା ତା’ ଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ସ˚ଖ୍ୟା ବଢ଼ୁଛି ଏବ˚ ୨୦୫୦ ସୁଦ୍ଧା ଏହା ୧.୫ ବିଲିଅନ ହୋଇଯିବ। ସୁତରା˚, ଏଥିରୁ ଉପୁଜିବାକୁ ଥିବା ସମସ୍ୟା ପ୍ରତି ଦୃଷ୍ଟିି ଦେବାକୁ ପଡ଼ିବ।

ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଅନେକେ ‘ଅସ୍ତଗାମୀ ସୂର୍ଯ୍ୟ’ଙ୍କ ସହ ତୁଳନା କରିଥାନ୍ତି। କିନ୍ତୁ ଅସ୍ତଗାମୀ ହେଉ କି ଉଦୀୟମାନ ହେଉ ଅଥବା ମଧୢାହ୍ନର ହେଉ; ସୂର୍ଯ୍ୟ ସର୍ବଦା ଅଜସ୍ର ଶକ୍ତିର ଉତ୍ସ ହୋଇ ରହିଥାଏ। ସୂର୍ଯ୍ୟ ଠାରେ କେବେ କୌଣସି ଶିଥିଳତା ଆସି ନଥାଏ। ସୁତରା˚, ଆମର ଏହି ତଥାକଥିତ ଅସ୍ତଗାମୀ ସୂର୍ଯ୍ୟମାନେ ଏଥିରୁ ପ୍ରେରଣା ନିଅନ୍ତୁ। ପରିବାରର ସଦସ୍ୟ ତଥା ସାମଗ୍ରିକ ଭାବେ ସମାଜ ଏହା ହୃଦୟଙ୍ଗମ କରୁ। ସତ କହିଲେ ଜରା ଜୀବନର ଏକ କାଳ ଖଣ୍ତ ନୁହେଁ, ବର˚ ଏହା ଏକ ମାନସିକତା। ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଶିଥିଳ ନ ହୁଅନ୍ତୁ, ସକାରାତ୍ମକ ରହନ୍ତୁ। ସ˚ସାରରୁ ବିଦାୟ ନେବା ପରେ ମଧୢ ସେମାନେ କିପରି ‘ବଞ୍ଚି ରହିବେ’, ସେଥିପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ।

ମୋ: ୮୨୮୦୨୩୯୯୫୭

ସମ୍ବନ୍ଧିତ ଖବର