ଦେଶ ବାହାରେ ଗାନ୍ଧୀ ପ୍ରଭାବ

ପାବକ କାନୁନ୍‌ଗୋ

ମହାତ୍ମା ଗାନ୍ଧୀଙ୍କର ଘନିଷ୍ଠ ଆମେରିକୀୟ ବନ୍ଧୁ ଓ ପାଶ୍ଚାତ୍ୟ ଜଗତ୍‌ରେ ତାଙ୍କ ଆଦର୍ଶର ପ୍ରଚାର, ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଦ୍ରି ଜନ୍‌ ହେନ୍‌ସ୍‌ ହୋମ୍‌ସ୍‌ ବିଶ୍ବରେ ମହାତ୍ମାଙ୍କ ପ୍ରାସଙ୍ଗିକତା ସ˚ପର୍କରେ ଆଲୋଚନା କଲା ବେଳେ ‘ପ୍ରଭାବର ଅବିନଶ୍ବରତା’ କଥାଟିକୁ ଚମତ୍କାର ଭାବରେ ବୁଝାଇଥିଲେ। ତାଙ୍କର କହିବା କଥା, ଆମ ଭିତରୁ ଅଧିକା˚ଶ ନିଜ ନିଜର ପରିବାର ଓ ବନ୍ଧୁଙ୍କ ଭିତରେ ବଞ୍ଚି ରହି ଥାଉ। କିନ୍ତୁ କ୍ରମେ କ୍ରମେ ସେହି ସ˚ପର୍କ ବା ପ୍ରଭାବ ମଳିନ ପଡ଼ିଯାଏ ଏବ˚ ଲୋକଙ୍କ ସ୍ମୃତିରୁ ଅପସରି ଯାଏ। କିନ୍ତୁ ବିଶ୍ବ ଇତିହାସରେ ଏପରି ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନଙ୍କର ପ୍ରଭାବ ସୁଦୂରପ୍ରସାରୀ ହୋଇଥାଏ ଏବ˚ ଏତେ ସ˚ଖ୍ୟକ ଲୋକ ସେଥିରେ ସାମିଲ ହୁଅନ୍ତି ଯେ ସେ ଅବିନଶ୍ବରତା ଲାଭ କରନ୍ତି। ଅଗଣିତ ଲୋକଙ୍କ ଭିତରେ, ସେମାନଙ୍କ ସ୍ମୃତିରେ ସେ ବଞ୍ଚିରହନ୍ତି। ସମୟ ଯେତିକି ଆଗଉଥାଏ, ସେମାନଙ୍କର ମହତ୍ତ୍ବ ସେତିକି ବୃଦ୍ଧି ପାଉଥାଏ। ମହାତ୍ମା ଗାନ୍ଧୀ ଥିଲେ ସେହିପରି ଜଣେ ଅସାଧାରଣ ମଣିଷ। ନୈତିକତା ଓ ଆଧୢାତ୍ମିକତାର ମୂଳଦୁଆ ଉପରେ ଠିଆ ହୋଇଥିବା ଏହି ସତ୍ୟର ପୂଜାରୀ ଯେ ଆଜି ମଧ୍ୟ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଏବ˚ ସାରା ଦୁନିଆକୁ ନୂଆ ରାସ୍ତାରେ ଚାଲିବା ପାଇଁ ଶକ୍ତି ଯୋଗାଉଛନ୍ତି ତାହାର କାରଣ ଏହି ‘ପ୍ରଭାବର ଅବିନଶ୍ବରତା’।

Trendsmap

ଅନ୍ୟମାନଙ୍କୁ ପ୍ରେରଣା ଦେବା ବା ଆକର୍ଷଣ କରିବାର ଅଦ୍‌ଭୁତ ଶକ୍ତି ହାସଲ କରିଥିବା ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଗାନ୍ଧୀ ଗତ ଶତାବ୍ଦୀର ଜଣେ ପ୍ରଚଣ୍ତ ପ୍ରତିଭାଶାଳୀ ବ୍ୟକ୍ତିତ୍ବ ଭାବରେ ସ୍ବୀକୃତ। ଆଜି ବି ସେ ଆମର ଚିନ୍ତା, ଚେତନା ଓ ଅନୁଭୂତି ଭିତରେ ଜୀବନ୍ତ ହୋଇ ରହିଛନ୍ତି ଏବ˚ ତାଙ୍କ ଦୋଷ, ଦୁର୍ବଳତା ସାଙ୍ଗକୁ ନୈତିକ ଶକ୍ତି ସ˚ପର୍କରେ ନାନା ଦିଗରୁ ଆଲୋଚନା ହେଉଛି। ତାଙ୍କ ବିରୋଧରେ ଅଭିଯୋଗ ହୁଏ ଯେ ପିତା ଭାବରେ ସେ ନିଜର କର୍ତ୍ତବ୍ୟ ପାଳନ କରିନଥିଲେ ଓ ଅନେକ ସମୟରେ ଅସହିଷ୍ଣୁ, ଅସ୍ଥିର ଓ ଅସଙ୍ଗତିର ଶିକାର ହୋଇଥିବା ବଦ୍‌ରାଗୀ ମଣିଷଟି ଭଳି ଅଯୌକ୍ତିକ ଦାବି କରୁଥିଲେ। କେ‌େତବେଳେ କେତେବେଳେ ସେ ବିଭ୍ରାନ୍ତିକର ଚିନ୍ତାର ପ୍ରତୀକ ପାଲଟି ଯାଇଥିବା ଭଳି ଦିଶୁଥିଲା। ଏ ସବୁ ସୂଚାଇ ଦିଏ ଯେ ପାରମ୍ପରିକ ଅର୍ଥରେ ଦେବତାମାନଙ୍କ ସ୍ଥାନରେ ରହି ପୂଜା ପାଉଥିବା ସନ୍ଥ ବୋଲି ଆମେ ଯାହା ବୁଝୁ, ତାହା ଠାରୁ ସେ ବହୁ ଦୂରରେ ଥିଲେ। ତେବେ ତାଙ୍କୁ ସନ୍ଥ ଭାବରେ ଚିତ୍ରଣ କରାଯାଉ କି ନାହିଁ, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ; ବରଂ ଏ କଥା ବିଶ୍ବବ୍ୟାପୀ ସ୍ବୀକୃତ ଯେ ଅନ୍ୟ ମଣିଷକୁ ପ୍ରଭାବିତ କରିବାର ଯାଦୁକରୀ ଶକ୍ତି ତାଙ୍କ ପାଖରେ ଥିଲା। ଲୁଇ ଫିସରଙ୍କ ଦୃଷ୍ଟିରେ, ପ୍ରତ୍ୟେକ ଲୋକ କିଛି ନା କିଛି କରିବାର ଶକ୍ତି ପାଇଥିଲେ ମଧୢ ତାହା କରିବାକୁ ସେ ସମର୍ଥ ହୁଏ ନାହିଁ। ଗାନ୍ଧୀ କିନ୍ତୁ ଜୀବନରେ ପ୍ରମାଣିତ କରିଦେଲେ ଯେ ସେଭଳି କରିବାର ଶକ୍ତି ତାଙ୍କର ଅଛି। ଜର୍ଜ ଉଡ୍‌କଟ୍‌ ଏଇ କଥାକୁ ଅନ୍ୟ ଭାବରେ କହିଥିଲେ ଯେ ନିଜ ଭିତରେ ଥିବା ନିଷ୍ଠା ଓ ପ୍ରତିଜ୍ଞାକୁ ପୁଞ୍ଜି କରି ଜଣେ ମୁକ୍ତ ମଣିଷର ଆସନରେ ବସି ଯିବାର ସାମର୍ଥ୍ୟ ତାଙ୍କର ଥିଲା। ସମାଜର ସବୁ ସ୍ତରର ଲୋକଙ୍କ ସହିତ ସେ ଯେ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିପାରିଲେ ସେଥିପାଇଁ ତାଙ୍କର ଏହି ଗୁଣଟି ସବୁଠୁ ଅଧିକ ପରିମାଣରେ ଦାୟୀ। ପୋଲକ, କାଲେନ୍‌ବାକ୍‌, ମଗନଲାଲ ଗାନ୍ଧୀ ଓ ଯମୁନାଲାଲ ବଜାଜଙ୍କ ସହିତ ମାନବୀୟ ସମ୍ପର୍କ ସ୍ଥାପନ କରିବାରେ ସେ ଯେ ସଫଳ ହୋଇଥିଲେ, ତାହା ପଛରେ ଥିଲା ତାଙ୍କର ଏହି ଶକ୍ତି। ନିଜ ଭିତରେ ଅସୀମ ସାହସ ଓ ଧୈର୍ଯ୍ୟ ଥିବାରୁ ସେ ବିଶ୍ବର ଏପରି ଏକ ଆଦର୍ଶ ହୋଇଗଲେ ଯେ ବି˚ଶ ଶତାବ୍ଦୀରେ ନ୍ୟାୟ ପାଇଁ, ଅଧିକାର ପ୍ରତିଷ୍ଠା ପାଇଁ ଓ ଶୋଷଣ ବିରୋଧରେ ଲଢ଼ିବା ପାଇଁ ଯେଉଁଠି ଆନ୍ଦୋଳନ ହେଲା ବା ଜନମତ ଜାଗ୍ରତ ହେଲା ସେଠାରେ ଗାନ୍ଧୀଙ୍କ ଉପସ୍ଥିତି ବାରି ହୋଇପଡ଼ିଲା। ତାଙ୍କ ଆଦର୍ଶରେ ନିଜକୁ ଗଢ଼ି ତୋଳିବା ଏବ˚ ବାପୁଙ୍କ ପରମ ଶିଷ୍ୟ ଭାବରେ ପରିଚୟ ଦେଉଥିବା କିଛି ବ୍ୟକ୍ତି ନିଜ ଗୋଡ଼ରେ ଠିିଆ ହେବା ପରେ ଗାନ୍ଧୀ-ଆଦର୍ଶ ଠାରୁ ଦୂରେଇ ଯିବାର ଅନେକ ଦୃଷ୍ଟାନ୍ତ ରହିଛି। ସ୍ବାଧୀନତା ପରବର୍ତ୍ତୀ କାଳରେ ଭାରତ ଶାସନର ପୁରୋଭାଗରେ ଥିବା ଅନେକ ନେତା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରି ନ ଥିଲେ। ଆଫ୍ରିକାର ନେତା କେନିଥ୍‌ କାଉଣ୍ତା ନିଜକୁ ଗାନ୍ଧୀଭକ୍ତ ବୋଲି ଦାବି କରି ଗର୍ବ ଅନୁଭବ କରୁଥିଲେ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସରକାରୀ ପରିଚାଳନାରେ ଅହି˚ସା ନୀତିକୁ କାହିଁକି ତ୍ୟାଗ କଲେ ସେ ଏକ ଦୀର୍ଘ ସନ୍ଦର୍ଭ ଲେଖି ଗାନ୍ଧୀ ଆଦର୍ଶରୁ ଦୂରେଇ ଯାଇଥିଲେ। କାଉଣ୍ତା ଓ ତାଙ୍କ ପରି ଅନେକେ ଯୁକ୍ତି କଲେ ଯେ ସେମାନେ ରାଜନୈତିକ ଶକ୍ତିର ଅଧିକାରୀ ହେଲା ବେଳେ ଦେଖିଲେ ଯେ ଗାନ୍ଧୀଙ୍କ ନୈତିକତା ଭିତ୍ତିକ ଆଦର୍ଶକୁ ଗ୍ରହଣ କରି ଦେଶ ଚଳାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଅବଶ୍ୟ ଗାନ୍ଧୀ ଥିଲେ ଏଥିରେ ବିସ୍ମିତ ହୋଇ ନ ଥାନ୍ତେ, କାରଣ ତାଙ୍କ ମତରେ ଗୋଟିଏ ଦୃଷ୍ଟିରୁ ରାଷ୍ଟ୍ର ହି˚ସାଶକ୍ତିର ପୃଷ୍ଠପୋଷକ ପାଲଟି ଯାଇଛି ଏବ˚ ଶାସକମାନେ ଅହି˚ସ ଆଚରଣ ଦେଖାଇବାର କିଛି ଯଥାର୍ଥତା ନାହିଁ।

‘ରାଜନୈତିକ ଗାନ୍ଧୀ’ଙ୍କ ସମ୍ପର୍କରେ ଆଲୋଚନା କଲା ବେଳେ ଯେଉଁ ପ୍ରସିଦ୍ଧ ଲୋକଙ୍କ କଥା ମନକୁ ଆସୁଛି, ସେମାନଙ୍କ ଭିତରେ ଅଛନ୍ତି ଆଲ୍‌ବର୍ଟ ଲୁଥୁଲି, ଜୁଲିଅସ୍‌ ନାଇରିରେ, କେନିଥ କାଉଣ୍ତା, ନେଲ୍‌ସନ୍‌ ମାଣ୍ତେଲା, ମାର୍ଟିନ ଲୁଥର କିଙ୍ଗ (ସାନ), ଅଙ୍ଗସାନ୍‌ ସୁଚି, ଦଲାଇଲାମା, ଲେ ୱାଲେସା। ନିଜ ଦେଶବାସୀଙ୍କୁ ନାନା ଅତ୍ୟାଚାର ଓ ଶୋଷଣରୁ ମୁକ୍ତ କରିବା ପାଇଁ ସେମାନେ ଅହି˚ସା ପନ୍ଥାର ଆଶ୍ରୟ ନେଇଥିଲେ। କିନ୍ତୁ, ଏମାନଙ୍କ ବ୍ୟତୀତ, ଅନେକ ଯୁବ ବିପ୍ଳବୀଙ୍କ କଥା ମଧୢ ଆଲୋଚିତ ହେଉଛି। ସେମାନଙ୍କ ଭିତରୁ ଗାନ୍ଧୀଙ୍କ ଜୀବନୀ ବିଷୟରେ ଅନେକେ ଜାଣିଥିଲେ ଏବ˚ ଅନ୍ୟ ବହୁ ଆନ୍ଦୋଳନକାରୀ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଜିନ୍‌ ସାର୍ପଙ୍କ ଲେଖାରୁ ପ୍ରେରଣା ପାଇଥିଲେ। ପାଶ୍ଚାତ୍ୟ ଜଗତ୍‌ରେ ଗାନ୍ଧୀ-ନୀତିର ପ୍ରସାର ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜିନ୍‌ ସାର୍ପ ପ୍ରଥମେ ‘ସମ୍ପୂର୍ଣ୍ଣ ଗାନ୍ଧୀ’ ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଅନୁଭବ କଲେ ଯେ ମହାତ୍ମାଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବା ପାଇଁ ତାଙ୍କୁ ଭିନ୍ନ ଦୃଷ୍ଟିରୁ ଆଲୋଚନା କରିବା ଆବଶ୍ୟକ। ତେଣୁ ସତ୍ୟାଗ୍ରହୀ ଗାନ୍ଧୀଙ୍କ ଉପରେ ସେ ବିଶେଷ ଗବେଷଣା କରିବା ଦିଗରେ ମନ ଦେଲେ। ଅତ୍ୟାଚାର ଓ ଶୋଷଣ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇବା ଏବ˚ ଯୁଦ୍ଧ ବିଭୀଷିକାରୁ ମଣିଷ ଜାତିକୁ ଉଦ୍ଧାର କରିବା ପାଇଁ ସତ୍ୟାଗ୍ରହ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ବିଚାରି ଏ ଦିଗରେ ନିରନ୍ତର ଭାବରେ କାମ କରିବାକୁ ଲାଗିଲେ। ମାଟିନ୍‌ ଲୁଥର କିଙ୍ଗ ଓ ଲାଉଜା ଡେଲ୍‌ଭାସୋ ମଧୢ ରାଜନୈତିକ ଅହି˚ସା ଆନ୍ଦୋଳନକୁ ଲୋକପ୍ରିୟ କରିବାକୁ ଲାଗିଲେ।

ଗାନ୍ଧୀ ଆଦର୍ଶର ପ୍ରଚାର ଓ ଗବେଷଣା କ୍ଷେତ୍ରରେ ଅନ୍ୟ ଯେଉଁ ପାଶ୍ଚାତ୍ୟ ପଣ୍ତିତ, ଲେଖକ ଓ ଗବେଷକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ କରିଥିଲେ ସେମାନଙ୍କ ଭିତରେ ଆର୍ଣ୍ଣେ ନେସ୍‌ (ପରିବେଶର ସୁରକ୍ଷା), ଜୋହାନ୍‌ ଗାଲ୍‌ଟୁଙ୍ଗ (ଶାନ୍ତି ଆନ୍ଦୋଳନ), ଇ.ଏଫ.ସୁମାଚେର (ଅର୍ଥନୀତି) ଓ ଜିନ୍‌ ସାର୍ପ (ରାଜନୈତିକ ଅସ୍ତ୍ର ରୂପରେ ଅହି˚ସା)ଙ୍କ ନାମ ଉଲ୍ଲେଖ କରାଯାଇପାରେ। ‘‘ଅହି˚ସ ଅର୍ଥନୀତି’’ ପୁସ୍ତକର ଲେଖକ ସୁମାଚେର ସ୍ବଦେଶୀ ଓ ଖଦି ଭଳି ପ୍ରସଙ୍ଗରେ ମହାତ୍ମାଙ୍କ ମତାମତକୁ ଆଲୋଚନା କରି ଗାନ୍ଧୀ-ଅର୍ଥନୀତିର ବାଖ୍ୟା କରିଥିଲେ। ଜନ୍ମର ୧୫୦ ବର୍ଷ ପରେ ମଧୢ ଗାନ୍ଧୀଙ୍କ ସମ୍ପର୍କରେ ତାତ୍ତ୍ବିକ ଆଲୋଚନା ବିଶ୍ବର ବିଭିନ୍ନ ଭାଗରେ ଜାରି ରହିଛି।

ସିଡିଏ, କଟକ
ମୋ- ୯୭୭୬୦୪୪୭୩୬

ସମ୍ବନ୍ଧିତ ଖବର