କାଠଗଡ଼ାରେ ଗାନ୍ଧୀ

କହିବାର ଅଛି / ଦାଶ ବେନହୁର

ଗାନ୍ଧୀଜୀ ଏବେ ବି କାଠଗଡ଼ାରେ ଠିଆ ହୋଇ ରହିଛନ୍ତି।

ଭାରତ ସ୍ବାଧୀନତା ପାଇବାର ମାତ୍ର ପାଞ୍ଚମାସ ପରେ ଆତତାୟୀ ହାତରେ ସେ ଜୀବନ ଦେଲେ। ଗୁଳିଚୋଟରୁ ଯଦି ବଞ୍ଚିଯାଇଥାନ୍ତେ ତେବେ ବି କାଠଗଡ଼ାରେ ଠିଆ କରାଇବାକୁ ସେ ଚାହିଁନଥାନ୍ତେ ନିଜ ହତ୍ୟାକାରୀଙ୍କୁ। ଭୁଲ ପାଇଁ କାହାକୁ କାଠଗଡ଼ାରେ ଠିଆ କରେଇ ବିଚାର କରିବା ତାଙ୍କର ନୀତି ନ ଥିଲା। ଅନ୍ୟର ଅନ୍ୟାୟକୁ ସୁଧାରିବା ପାଇଁ ସେ ନିଜକୁ କଷ୍ଟ ଦେଇ ତା’ର ସମାଧାନ ଖୋଜୁଥିଲେ। ତାହା ହିଁ ଥିଲା ସତ୍ୟାଗ୍ରହର ମୂଳକଥା। ଅଥଚ ସାମୂହିକ ଜୀବନକୁ ଆସିବା ବେଳରୁ ସେ ନିଜେ ବାରମ୍ବାର କାଠଗଡ଼ାରେ ଠିଆ ହୋଇଛନ୍ତି ଏବ˚ ମୃତ୍ୟୁର ଏତେ ବର୍ଷ ପରେ ବି ଆମେ ଆଜି ତାଙ୍କୁ ସେଥିରୁ ମୁକ୍ତ କରିବାକୁ ରାଜି ନାହୁଁ।

ବିଦେଶରୁ ଆରମ୍ଭ କରି ନିଜ ଦେଶରେ ମଧ୍ୟ ସେ କେତେକଙ୍କ ଦ୍ବାରା ଅପରାଧୀ ବିବେଚିତ ହେବାରେ ଲାଗିଛନ୍ତି।

ତାଙ୍କର କାଠଗଡ଼ା-ଜୀବନ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକାରେ। ସେତେବେଳେ ବିଲାତି ସରକାର ଥରକୁ ଥର ଟାଣି ନେଇଥିଲେ ତାଙ୍କୁ ସେଠାକୁ। ଭାରତକୁ ଫେରିବା ପରେ ବି ସେଥିରେ ବିରାମ ନ ଥିଲା। ଗୋରା ସରକାର ତାଙ୍କୁ ବାରମ୍ବାର କାଠଗଡ଼ାକୁ ନେଲେ, ନିଜ ଢଙ୍ଗରେ ବିଚାର କଲେ ଓ କାରାଗାରରେ ନେଇ ଠୁଙ୍କିଲେ।

ଗାଏ ମୋଟ ଏଗାର ଥର ଜେଲ ଯାଇଛନ୍ତି ସେ। ତା’ର ଅର୍ଥ ଏଗାରଥର ସେ ଭିଡ଼ା ହୋଇଛନ୍ତି ସରକାରଙ୍କ ବିଚାର-ଚଉକାଠ ଭିତରକୁ। କେତେ ବର୍ଷ ଜେଲ୍‌ରେ ଶଢ଼ିଲେ ତା’ର ହିସାବ ଲୋଡ଼ାନାହିଁ। ମାତ୍ର ସବୁଠାରୁ ମୂଲ୍ୟବାନ କଥା ହେଉଛି ଦକ୍ଷିଣ ଆଫ୍ରିକାରେ ଥିଲା ବେଳେ (୧୮୯୩ରୁ ୨୦୧୪) ଯେଉଁ ଚାରିଥର ସେ ବିଚାର-ଗଡ଼ା ଭିତରେ ଯାଇ ଠିଆ ହୋଇଛନ୍ତି ସେଥିରେ ପ୍ରତିଟି ଥର ଆପଣା ଆଡ଼ୁ ନିଜକୁ ଶାସନ ପାଖରେ ସେ ସମର୍ପିତ କରିଦେଇଛନ୍ତି। କହିଛନ୍ତି, ‘‘ମତେ ଗିରଫ କରନ୍ତୁ, ମୁଁ ଆଇନ ଭଙ୍ଗ କରିଛି।’’

ଏ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ବ୍ୟକ୍ତି ତତ୍‌କାଳୀନ ଦକ୍ଷିଣ-ଆଫ୍ରିକୀୟ ଶାସକ ଜାନ୍‌ ସ୍ମଟ୍‌ସ୍‌ଙ୍କ ଗାନ୍ଧୀଜୀଙ୍କ ସମ୍ପର୍କିତ ମତଗୁଡ଼ିକୁ ପଢ଼ିଲେ ସହଜରେ ସେ କଥା ବୁଝିପାରିବେ। ଅନେକ ପରେ ସ୍ମଟ୍‌ସ୍‌ ନିଜେ ହାତକାଟି ଲେଖିଥିଲେ ଯେ ‘‘ଯାହାଙ୍କ ପ୍ରତି ମୋ’ର ସବୁଠାରୁ ଅଧିକ ସମ୍ମାନ ଥିଲା ତାଙ୍କରି ବିରୋଧୀ ହେବା ମୋ ଭାଗ୍ୟରେ ଲେଖାଥିଲା।’’ ଏଇ ‘‘ଯାହାଙ୍କ ପ୍ରତି’’ ବ୍ୟକ୍ତିଟି ଥିଲେ ସ୍ବୟ˚ ମୋହନ ଦାସ କରମଚାନ୍ଦ ଗାନ୍ଧୀ।

ଏତେ ବର୍ଷ ବିତିଗଲାଣି। ତାଙ୍କ ଜନ୍ମ ସମ୍ବତ୍ସରର ଦେଢ଼ଶହ ବର୍ଷ ପୂର୍ତ୍ତି ୨୦୧୯ ଅକ୍ଟୋବର ଦୁଇରୁ ପାଳିତ ହୋଇ ଏଇ ଅକ୍ଟୋବର ଦୁଇ, ଦୁଇହଜାର କୋଡ଼ିଏରେ ସରୁଛି। ସାରା ପୃଥିବୀ ବର୍ଷେକାଳ ଧରି ତାଙ୍କ ଜନ୍ମବାର୍ଷିକୀ ପାଳିଲା ସତ, ଗାନ୍ଧୀଜୀ କିନ୍ତୁ କାଠଗଡ଼ାରୁ ମୁକ୍ତ ହେଲେ ନାହିଁ। ହେବେ ନାହିଁ ମଧ୍ୟ।

ସିଏ ବଞ୍ଚିଥିଲାବେଳେ ଯେତିକି ବିରୋଧୀ ନ ଥିଲେ ଚାଲିଗଲା ପରେ ତାଙ୍କ ବିରୋଧରେ ଅଧିକରୁ ଅଧିକ ବ୍ୟକ୍ତି ଏବେ ମାମଲା-କାଗଜ ଧରି ପ୍ରସ୍ତୁତ। କେମିତି ଅଭିଯୁକ୍ତ କରିବେ। କାଠଗଡ଼ାକୁ ଟାଣିବେ। ଦୋଷୀ ସାବ୍ୟସ୍ତ କରି ଇତିହାସର କଳାକୋଠରି ଭିତରେ ନେଇ ତାଲା ପକେଇଦେବେ।

ଦଣ୍ତିତ ହୋଇଥିବା ବା ଭୟ ପାଇଥିବା ବ୍ୟକ୍ତି ଆଇନର ସହାୟତା ଲୋଡ଼େ ନ ତୁବା ଅନ୍ୟକୁ ହଇରାଣ କରିବା ବା ରାଗ ଶୁଝେଇବାର ମସୁଧା କରି ଜଣେ ଅପରପକ୍ଷକୁ କାଠଗଡ଼ାକୁ ଟାଣେ। କହେ, ତତେ ଜିହଲରେ ମୁଦି ଦେବି। ସେଇଥିପାଇଁ ଅଭିଯୋଗକାରୀର ନାମ ମୁଦେଇ ଓ ଅଭିଯୁକ୍ତର ନାଁ ମୁଦାଲା। ଏବେ ଗାନ୍ଧୀଜୀ ମୁଦାଲା; ମୁଦେଇ ଅନେକ।

ଧନ୍ୟ କହିବା ଏ ମାମଲାବାଜୀଙ୍କୁ।

ଭାରତ ଭିତରର କଥାକୁ ଆସିବା ପୂର୍ବରୁ ବିଦେଶରେ ଉଠିଥିବା ଗାନ୍ଧୀ-ବିଦ୍ବେଷ କଥା ଟିକେ ବିଚାର କରିବା।

ପୁଣି ସେ କଥା ଭିତରକୁ ଯିବା ଆଗରୁ ଜାଣିବା ଦରକାର ଯେ ଗୋଟାଏ କ୍ରମ-ବିବର୍ତ୍ତିତ ଜୀବନର ନାମ ହେଉଛି ‘‘ଗାନ୍ଧୀ ମହାତ୍ମା’’। ସେ ମଣିଷ। କିଛି ଅବତାର ନ ଥିଲେ ଯେ ବାଲ୍ୟକାଳରୁ ଅଲୌକିକ ଲୀଳା ପ୍ରଦର୍ଶନ କରି ଭକ୍ତଗଣଙ୍କର ମନ ମୋହିଥାନ୍ତେ। ଓଲଟି ଆପଣା ଛୋଟ ବୁଦ୍ଧିରେ ତାଙ୍କୁ ଆମେ ଅବତାର କରିଛୁ। ଯେ କୌଣସି ସାଧାରଣ ମଣିଷ ପିଲାଦିନେ ଯେଉଁ ସବୁ ଭୁଲ କରିଥାଏ ସେ ସମସ୍ତ ତାଙ୍କ ଜୀବନରେ ଘଟିଛି। ଚୋରି, କୁସଙ୍ଗ, ଭୟ, ବିକାର ଆଦି ସବୁ ଘଟିଛି ତାଙ୍କ ବାଲ୍ୟକାଳର ଆଚରଣରେ। ସେ ତ ନିଜେ ସେ ସବୁ ଆତ୍ମଲିପିରେ ଖୋଲାଖୋଲି ସ୍ବୀକାର କରିଛନ୍ତି! କହିଛନ୍ତି ଯେ ‘‘ମୋ ଜୀବନ ହିଁ ମୋ ବାର୍ତ୍ତା’’। ଲୁଚାଛପା କିଛି ନାଇଁ। ସେଇଥିପାଇଁ ଆତ୍ମଜୀବନୀର ନାଁ ଦେଇଛନ୍ତି ‘‘ଏକ୍‌ସପେରିମେଣ୍ଟ୍‌’’, ଗୋଟାଏ ପ୍ରୟୋଗ। କୌଣସି ଏକ୍‌ସପେରିମେଣ୍ଟ୍‌ ଆରମ୍ଭରୁ ସିଦ୍ଧାନ୍ତରେ ପହଞ୍ଚେ ନାହିଁ। ସେଥିଲାଗି ପରୀକ୍ଷା ପରେ ପରୀକ୍ଷା ଦରକାର ପଡ଼େ। କେତେ ଅସଫଳତା ପରେ ଯାଇ ସଫଳତା ମିଳେ। ଅତଏବ ଆରମ୍ଭରୁ ମୋହନ ଦାସ ଗାନ୍ଧୀ ନାମକ ବ୍ୟକ୍ତିଟି ପାଖରୁ ସର୍ବାଙ୍ଗ ସୁନ୍ଦର ସଫଳତା ଆମେ ଆଶା କରିବା କେମିତି?

ଗାନ୍ଧୀଜୀ ଗୋଟେ ଏକ୍‌ସପେରିମେଣ୍ଟ୍‌, ଯାହାର ଆରମ୍ଭ ହୋଇଥିଲା ଗୋଟାଏ ହାଇପୋଥେସିସ୍‌ ବା କୂଟାଭାଷରୁ। ସତ୍ୟର ପ୍ରୟୋଗ, ପୁଣି ଜଣେ ରକ୍ତମା˚ସଧାରୀ ମଣିଷର ଜୀବନରେ। ଆରମ୍ଭ ହୋଇଥିଲା ଯେ ‘‘ଭଗବାନ ହିଁ ସତ୍ୟ’’, ମାତ୍ର ସରିଥିଲା ‘‘ସତ୍ୟ ହିଁ ଭଗବାନ’’ରେ। ଗାନ୍ଧୀଜୀ ନିଜେ କହିଥିଲେ- ‘‘ମୁଁ କାଲି ଯାହା କହିଥିଲି ବା କରିଥିଲି, ତାହା ଆଜି ବଦଳି ଯାଇପାରେ ମାତ୍ର ଆଜିର ଅନୁଭବ ହିଁ ମୋ ପାଇଁ ବାସ୍ତବ। ମତ ବଦଳିବାକୁ ବାଧୢ।’’ ଅଥଚ ପ୍ରତି ନିୟତ ଅସଫଳ-ପରୀକ୍ଷା ବେଳର ଉଦାହରଣ ସାଉଁଟି ଆମେ ତାଙ୍କୁ ଆଜି କାଠଗଡ଼ାରେ ଠିଆ କରାଇବାରେ ଲାଗିଛୁ। ଗଛର ଗଣ୍ତିରେ ଲାଗିଥିବା ମାଟି, ଅସ୍କରା ଦରାଣ୍ତୁଛୁ। ଝଲମଲ ଗହଳ ପତ୍ରରାଜି, ସୁସ୍ବାଦୁ ଫଳ ଓ ମହମହ ସୁଗନ୍ଧରେ ଭରା ଫୁଲ ଆଡ଼କୁ ମନ ଦେଉନୁ। ଗାନ୍ଧୀଜୀ ଗୋଟାଏ ମହାବୃକ୍ଷ ସତରେ।

ପଛଦିନକୁ ଧରି ବସିଲେ ସେ ଚୋର, ମିଛୁଆ, ଧୂଆଁଖିଆ, ମା˚ସାହାରୀ, କାମୁକ। ପ୍ରକୃତରେ ସେ କ’ଣ ସେଇଆ? ତା’ହେଲେ ତ ବୁଦ୍ଧଦେବଙ୍କୁ ଆମେ କହିବା ତୁମେ ଘୋରତର ସ˚ସାରୀ। କ’ଣ ପାଇଁ ବାହା ହୋଇ ସନ୍ତାନ ଜନ୍ମ କରାଉଥିଲ?

ମହାତ୍ମାମାନଙ୍କର ମଞ୍ଜିପଣ ବଡ଼ କଥା ନୁହେଁ, ଅସଲ ଉପାଦାନ ହେଉଛି ସେମାନଙ୍କର ଉତ୍ତରିତ ପ୍ରକାଶଦ୍ୟୁତି।

ଏବେ ବିଦେଶରେ କେଉଁଠି କେଉଁଠି ଗାନ୍ଧୀଜୀଙ୍କୁ ବର୍ଣ୍ଣବୈଷମ୍ୟବାଦୀ ବୋଲି ଚିତ୍ରିତ କରାଯାଉଛି। କାଲି ବି କିଏ କହିବେ, ସେ ଥିଲେ ଯୁଦ୍ଧଖୋର କାରଣ ଦକ୍ଷିଣ ଆଫ୍ରିକାରେ ବ୍ରିଟିସ୍‌କୁ ସାମରିକ ସହାୟତା ଯୋଗାଇଥିଲେ। ଭାରତକୁ ଫେରି ପ୍ରଥମ ବିଶ୍ବଯୁଦ୍ଧ ବେଳେ ବ୍ରିଟିସ୍‌ ପକ୍ଷ ଲାଗି ସୈନ୍ୟ ସ˚ଗ୍ରହ କରୁଥିଲେ। ସେ ସରଳ ନ ଥିଲେ, ଥିଲେ ଚରମ ବିଳାସୀ କାରଣ ଇ˚ଲଣ୍ତ୍‌ରେ ଥିବାବେଳେ ନାଚ ଶିଖୁଥିଲେ, ପିଆନୋ କୋଚି˚ ନେଉଥିଲେ, ବଣ୍ତ୍‌ ଷ୍ଟ୍ରିଟ୍‌ରେ ବହୁମୂଲ୍ୟ ଦେଇ କୋର୍ଟ ପ୍ୟାଣ୍ଟ୍‌ ସିଲୋଉଥିଲେ, ସିଲ୍‌କ୍‌ ହ୍ୟାଟ୍‌ ପିନ୍ଧୁଥିଲେ, ପକେଟ୍‌ ଘଡ଼ିରେ ଦଶଭରି ଓଜନର ସୁନାଚେନ୍‌ ଲଗେଇଥିଲେ।

ଏ ସବୁର ଉଦାହରଣ ଦେଇ ଗାନ୍ଧୀଜୀଙ୍କୁ କାଠଗଡ଼ାରେ ଠିଆ କରାଇବା ଆମକୁ ସେ ଗଧିଆ ଓ ମେଣ୍ଢାଛୁଆର କାହାଣୀ ମନେ ପକେଇଦିଏ। ତୋ’ର ଅତୀତ ମଇଳା କରିଥିଲା, ତେଣୁ ବର୍ତ୍ତମାନଟା ଯେତେ ସ୍ବଚ୍ଛ ବା ପବିତ୍ର ହେଲେ ବି ତୁ ଦୋଷୀ। ଠିକ୍‌ ଏଇଆ ତ ଘଟିଥିଲା ଭିକ୍ଟର‌୍‌ ହ୍ୟୁଗୋଙ୍କ ବିଶ୍ବପ୍ରସିଦ୍ଧ ଉପନ୍ୟାସ ‘‘ଲା ମିଜରେବଲ୍‌’’ର ଜାଁ ଭାଲ୍‌ଜାଁଙ୍କ ଚରିତ୍ରରେ!

ବାରିଷ୍ଟରୀ ପାସ୍‌ କଲା ପରେ ମଧୢ ଓକିଲାତିରେ ଅସଫଳ ଓ ବୃତ୍ତିରହିତ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ ଦାୟରେ ପଡ଼ି। ଚାକିରି ଦରକାର। ରୋଜଗାର ଲୋଡ଼ା। ସେଇଥିପାଇଁ ତ ନାଁ ପାଇଥିଲେ ଗିର‌୍‌ମିଟିଆଁ। କୁଲି। କୁଲି ବାରିଷ୍ଟର୍‌। ସେତେବେଳକୁ ତେଇଶ ବର୍ଷର ଯୁବକ। ବିଚାରବୋଧ ଯେ କେମିତି ରୋଜଗାର କରିବି, ସଫଳ ହେବି। ଦକ୍ଷିଣ ଆଫ୍ରିକାରେ ସେ ଏକା ଭାରତୀୟ ନ ଥିଲେ ଓ ଭାରତୀୟ ଗୋଷ୍ଠୀର ଅବସ୍ଥା ଦେଖି ସେଇ ୧୮୯୩ରେ ହିଁ ଯୁବମାନସିକତାରେ ଭାସି ନାଟାଲ୍‌ ପାର୍ଲାମେଣ୍ଟ୍‌କୁ ଲେଖିଥିଲେ, ‘‘ଯାହା ଜଣାପଡୁଛି ଏ ବସ୍ତିଗୁଡ଼ିକରେ ଭାରତୀୟମାନେ ଆଦିମ ଆଫ୍ରିକୀୟ ଅଧିବାସୀଙ୍କଠାରୁ ଟିକେ ଉନ୍ନତ ବା ଭଲ।’’ ଆଦିମ ପାଇଁ ସେ ଇ˚ରେଜୀ ଶବ୍ଦ ‘‘ସାଭେଜ୍‌’’ ପ୍ରୟୋଗ କରିଥିଲେ ଯାହାର ଅର୍ଥ ହେବ ‘ହି˚ସ୍ର’’ ବା ‘‘ବର୍ବର’’। ସେମିତି ୧୯୦୪ରେ ଜୋହାନ୍‌ସବର୍ଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲେଖିଥିଲେ ଯେ ‘‘ଭାରତୀୟମାନଙ୍କ ସହ ଅଧିକା˚ଶ ଆଫ୍ରିକୀୟ ରହୁଥିବା ଅସ୍ବାସ୍ଥ୍ୟକର କୁଲି-ବସ୍ତି (କୁଲି ଲୋକେସନ୍‌)ରୁ କାଫିର‌୍‌ (କଳା-ଆଫ୍ରିକୀୟ)ମାନଙ୍କୁ ଅଲଗା ସ୍ଥାନକୁ ନିଆଯାଉ।’’ ପୁଣି ୧୯୦୫ରେ ଡର୍ବାନ୍‌ ସହରରେ ଭୟଙ୍କର ପ୍ଲେଗ୍‌ରୋଗ ବ୍ୟାପିଥିବା ବେଳେ ଭାରତୀୟ ଓ ଆଫ୍ରିକୀୟମାନଙ୍କୁ ହାସପାତାଳରେ ଏକାଠି ରଖିବାକୁ ବିରୋଧ କରି ଏକ ଲେଖା ସେ ପ୍ରକାଶ କରିଥିଲେ। ଯୁକ୍ତି ଥିଲା ଯେ ‘‘ଭାରତୀୟମାନେ କଳା-ଆଫ୍ରିକୀୟ (କାଫିର‌୍‌)ଙ୍କ ପରି ଏକାଠି ମଦ ପିଅନ୍ତି ନାହିଁ କି ଯୁଦ୍ଧନାଚ କରନ୍ତି ନାହିଁ।’’ଯାହା ଜଣାପଡ଼ୁଛି ଭୟାନକ ରୋଗ ସମୟରେ ଆଫ୍ରିକୀୟମାନେ ଅଧିକ ଭେଳା ଭେଳା ହେଉଥିବାରୁ ଭାରତୀୟମାନଙ୍କୁ ସେମାନଙ୍କଠାରୁ ଅଲଗା ରଖିବାକୁ ଯୁକ୍ତି ବାଢ଼ିଥିଲେ ଗାନ୍ଧୀଜୀ।

ଆଜିର ଦିନରେ କାହାକୁ ଉନ୍ନତ କହିି ଅନ୍ୟକୁ ଅନୁନ୍ନତ ବୋଲି ସୂଚନା ଦେବା ଓ ରଙ୍ଗଭେଦରେ ବିଚାର କରି କଳା କହିବା ନିଶ୍ଚିତରେ ଦୋଷାବହ। ପ୍ରଶ୍ନ ହେଉଛି ସେତେବେଳେ ତାହା ଦୋଷାବହ ଥିଲା କି? ‘‘ବର୍ବର’’ ବା ‘ହି˚ସ୍ର’’ ବୋଲି ଅନ୍ୟ ପ୍ରତି ଆକ୍ଷେପ ବି ଗର୍ହିତ। ମାତ୍ର ତାହା ଥିଲା ଜଣେ ଅପରିପକ୍ବ, ନବ-ଆଗନ୍ତୁକ, ଅନଭିଜ୍ଞ ଯୁବକ-ଗାନ୍ଧୀଙ୍କର ସେତେବେଳକା ମନ୍ତବ୍ୟ। ଗାନ୍ଧୀ ବୋଲି କହିଲେ କ’ଣ ସେଇଆ ନା ଲିଙ୍କନ୍‌ କହିଲେ କାଠ କ୍ୟାବିନ୍‌ର ତରୁଣ ବା ନରେନ୍ଦ୍ର ମୋଦୀ କହିଲେ ଚା’ବିକୁଥିବା କିଶୋର? ଖତକୁ ଉଖାରି କେହି ଫଳ ବା ଫୁଲ ସହ ମିଶାଏ ନାହିଁ। ଖତ ଖତ। ଅତୀତ ଅତୀତ।

The Indian Express

ଭାରତର କୋଣ ଅନୁକୋଣରେ ଆଜି ମଧ୍ୟ କିଛି ବ୍ୟକ୍ତି ଗାନ୍ଧୀ-ବିରୋଧୀ ମଞ୍ଚ ଗଢ଼ିବାରେ ପ୍ରମତ୍ତ। ଏଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀଙ୍କୁ ମାସ୍‌କଟ୍‌ କରି ସ୍ବଚ୍ଛ-ଭାରତର ବିଶାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନିକଟରେ ଟ୍ବିଟ୍‌ କରି କହିଛନ୍ତି ଯେ ଆମେ ଯଦି ମହାତ୍ମା ଗାନ୍ଧୀଙ୍କର ପ୍ରଦର୍ଶିତ ଅର୍ଥନୈତିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥାନ୍ତୁ ତେବେ କେଉଁଦିନୁ ଆତ୍ମନିର୍ଭର ଭାରତ ତା’ ଗୋଡ଼ରେ ଠିଆ ହୋଇ ସାରିଥାନ୍ତା।

ଆଜି ଗାନ୍ଧୀଜୀ ନାହାନ୍ତି କି ଗାନ୍ଧୀ-ପରିବାରର କେହି କହୁନାହାନ୍ତି ଯେ ଆମେ ଗାନ୍ଧୀରକ୍ତର ଲୋକ, ଆମକୁ ଅମୁକ ସୁବିଧା ଦିଅ। ଯେଉଁମାନେ ଗାନ୍ଧୀ-ସାଙ୍ଗିଆ ଧରି ଅଛନ୍ତି ସେଇମାନଙ୍କୁ ଦେଖି ଓ ସେମାନଙ୍କ ଆଚରଣ ଆଧାରରେ ଦଳେ ଗାନ୍ଧୀଜୀଙ୍କୁ କାଠଗଡ଼ାକୁ ଟାଣିବାକୁ ପ୍ରସ୍ତୁତ। ବିଦେଶରେ ତ ଏଇ ସାଙ୍ଗିଆ ଦେଖି ଅନେକ ଭାବନ୍ତି, ଏମାନେ ସବୁ ମୋହନଦାସ ଗାନ୍ଧୀଙ୍କ ବ˚ଶଧର। ଦେଶ ଭିତରେ ବି ସେଇଆ। କ˚ଗ୍ରେସ ରାଜନୈତିକ ଦଳକୁ ଗାନ୍ଧୀଦଳ ମନେ କରି ଏବେ ବି ଅନେକ କ˚ଗ୍ରେସ ଦଳର କାର୍ଯ୍ୟକଳାପରେ ଗାନ୍ଧୀଜୀଙ୍କୁ ଦେଖନ୍ତି। ତେଣେ କେଉଁଦିନୁ ଗାନ୍ଧୀଙ୍କୁ ବିସର୍ଜନ ଦେଇଥିବା ଉକ୍ତ ଦଳ ମଧୢ ନାମ, ଚିତ୍ର ଓ ପ୍ରତୀକ ମାଧୢମରେ ଆପଣାକୁ ଗାନ୍ଧୀଦଳ ବୋଲି ଘୋଷଣା କରିବାରେ ମୋଟେ ପଛଘୁଞ୍ଚା ଦିଅନ୍ତି ନାହିଁ।

ବର୍ତ୍ତମାନର କ˚ଗ୍ରେସ ଦଳ ଲାଗି ମୋହନ ଦାସ ଗାନ୍ଧୀ ଅଧିକ ଆସି ଠିଆ ହୁଅନ୍ତି କାଠଗଡ଼ାରେ। ‘‘କ˚ଗ୍ରେସମୁକ୍ତ ଭାରତ’’ ଦୁଆ ଆରମ୍ଭ କରିଥିବା ଦଳର କର୍ମୀମାନେ କ˚ଗ୍ରେସଲୋକ କହି ଅଧିକ ଗାଳି କରନ୍ତି ତାଙ୍କୁ। ତା’ଙ୍କ ମୃତ୍ୟୁର ଚିତ୍ରନାଟ୍ୟ କରନ୍ତି, ମିଠେଇ ବାଣ୍ଟନ୍ତି।

ଭାରତର ପ୍ରଥମ ସ୍ବାଧୀନତା ସ˚ଗ୍ରାମୀ ସ˚ଗଠନ କ˚ଗ୍ରେସ ସହ ଥିଲେ ଗାନ୍ଧୀଜୀ। କ˚ଗ୍ରେସ ଶାସକ ଦଳ ହେଲାବେଳକୁ ସେ ନଥିଲେ ସେଥିରେ। ସେମିତି ଦେଖିଲେ ସବୁ ବାମପନ୍ଥୀ, ଦକ୍ଷିଣପନ୍ଥୀ ବି ଦିନେ କ˚ଗ୍ରେସ ସହିତ ଥିଲେ। ପରେ ମୂଳ କ˚ଗ୍ରେସରୁ କେତେକେତେ ବାମପନ୍ଥୀ, ଦକ୍ଷିଣପନ୍ଥୀ ଅଲଗା ହୋଇ ନିଜ ଦେହରୁ କ˚ଗ୍ରେସ ଗନ୍ଧ ଛଡ଼ାଇପାରିଲେ, ଅଥଚ ୧୯୪୮ରୁ ହଜିଯାଇଥିବା ଗାନ୍ଧୀଙ୍କ ଦେହ ଓ ଚେତନାରେ ଏମାନେ କେବଳ ଆଜିର କ˚ଗ୍ରେସ ଦଳକୁ ଦେଖୁଛନ୍ତି। ଗାନ୍ଧୀ ନୁହନ୍ତି, ନେହରୁ ଓ ପଟେଲ ହିଁ ଶାସନରେ ଥାଇ ଦେଶ ବିଭାଜନର ଦାୟିତ୍ବ ନେଇଥିଲେ। ଅଥଚ ମାମଲାବାଜୀଙ୍କ ମତ ହେଲା ଗାନ୍ଧୀ ସେଥିଲାଗି ଦାୟୀ। ଗାନ୍ଧୀପତ୍ନୀ, ବା’ କହିଛନ୍ତି, ‘‘ସବୁ ଜନ୍ମରେ ବାପୁଙ୍କ ଭଳି ସ୍ବାମୀ ମତେ ମିଳନ୍ତୁ ବୋଲି ମୁଁ ପ୍ରାର୍ଥନା କରେ’’ ଅଥଚ ଗାନ୍ଧୀ-ବିରୋଧୀଙ୍କ ମତ ସେ ସ୍ତ୍ରୀ-ନିର୍ଯାତନା ଦୋଷରେ ଦୋଷୀ। ସୁଭାଷ ବୋଷଙ୍କୁ ଗାନ୍ଧୀ ହିଁ କହିଥିଲେ ପ୍ରିନ୍‌ସ ଏମଙ୍ଗ୍‌ ପାଟ୍ରିଅଟ୍‌ସ୍‌।

ଆଜି ଗାନ୍ଧୀଜୀ ଖାସ୍‌ ରାଜନୈତିକ କାରଣରୁ ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ଦ୍ବାରା ଗୃହୀତ। ଅଥଚ ନା ସେ ଥିଲେ ଦକ୍ଷିଣପନ୍ଥୀ ନା ବାମପନ୍ଥୀ। ଏପରିକି ମଧୢମପନ୍ଥୀ ବି ନଥିଲେ। ଗାନ୍ଧୀ ଥିଲେ ଗାନ୍ଧୀ-ପନ୍ଥୀ। ଭାରତର ସର୍ବୋଚ୍ଚ ପ୍ରକାଶନ ସ˚ସ୍ଥା ପବ୍ଲିକେସନ ଡିଭିଜନ୍‌ର ଏକଦା ମୁଖ୍ୟ ଥିବା ମୋହନ ରାଓଙ୍କ ଭାଷାରେ ଆଧୁନିକ ଭାରତର ଶ୍ରେଷ୍ଠ ସନ୍ତାନ ହେଉଛନ୍ତି ଗାନ୍ଧୀ। ସବୁ କଥାର ମୂଲ୍ୟାୟନ କରି ଏକରୁ ଦଶନମ୍ବର ଭିତରେ ରାଓ ଆପଣେ ବ୍ୟକ୍ତି ଓ ବସ୍ତୁକୁ ଆକଳନ କରୁଥିଲେ। ଗାନ୍ଧୀଜୀଙ୍କୁ ଦେଇଥିଲେ ସାଢ଼େ ନଅ ନମ୍ବର। ପ୍ରଶ୍ନ ହେଲା, ସାଢ଼େ ନଅ ନମ୍ବର କାହିଁକି? ଦଶରୁ ଦଶ କାହିଁକି ନୁହେଁ? ଉତ୍ତର ମିଳିଥିଲା- ‘‘ତାଙ୍କର ଅକ୍ଷରଗୁଡ଼ାକ ଭାରି ଖରାପ। ସେଥିପାଇଁ ଅଧା ନମ୍ବର କମିଗଲା।’’ ତାଙ୍କ ବିଚାରରେ ଉଭୟ ହୃଦୟ ଓ ମଗଜରେ ଗାନ୍ଧୀ ଥିଲେ ବିଶ୍ବପ୍ରେମୀ ଜଣେ ମହାମାନବ। ମୋହନ ରାଓଙ୍କ ମତରେ ଭାରତର ସବୁଠାରୁ ପବିତ୍ରସ୍ଥାନ ବା ତୀର୍ଥସ୍ଥଳ ହେଉଛି ‘‘ରାଜଘାଟ’’, ଗାନ୍ଧୀଜୀଙ୍କର ସମାଧିସ୍ଥଳ। କାରଣ ସେଠାକୁ କେହି କିଛି ମାଗିବାପାଇଁ ଯାଆନ୍ତି ନାହିଁ, ଯାଆନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପାଇଁ।

ଏ ସବୁ ସତ୍ତ୍ବେ ଗାନ୍ଧୀଜୀ ଏବେ ବି ଅନେକଙ୍କର ମୁଦାଲା ପାଲଟି କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ସେମିତି ଦେଖିବାକୁ ଗଲେ କେଉଁ ଅବତାର ବା ମହାତ୍ମା କାଠଗଡ଼ାରୁ ତ୍ରାହି ପାଇଛନ୍ତି? ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧଙ୍କୁ କ’ଣ କେଉଁ ସମାଜ ପୂରାପୂରି ଗ୍ରହଣ କରିଛି?

ଗାନ୍ଧୀଜୀ ତ ଏଇ ସମୟର ମଣିଷ!

କହିବାର ଅଛି, ତା’ଙ୍କୁ କାଠଗଡ଼ାରେ ଠିଆ କରେଇ ସେ ବତେଇଥିବା ଭଲଗୁଡ଼ିକ ପ୍ରତି ଅଣଦେଖା ମନୋଭାବ ପୋଷଣ କରି ଆମେ ନିଜର ହିଁ କ୍ଷତି ସାଧନ କରିଚାଲିଛେ। ଏଥିରେ ଗାନ୍ଧୀପଣର ଅମର୍ଯ୍ୟାଦା ହେବା ବଦଳରେ ଆମମାନଙ୍କର ଅବିମୃଶ୍ୟକାରିତା ହିଁ ପ୍ରତିପାଦିିତ ହେଉଛି।

[email protected]

ସମ୍ବନ୍ଧିତ ଖବର