ସାର୍! ଟିକେ ଶୁନୁନ୍ ତ!!

ଦ୍ୱାଦଶାହ ଉପଲକ୍ଷେ

୨୦୧୫ ହେବ। ପଶ୍ଚିମ ଓଡ଼ିଶା ସଂସ୍କରଣ ଦାୟିତ୍ବରେ ସମ୍ବଲପୁରଠାରେ ଅବସ୍ଥାପିତ ଥାଏ। ଜଣେ ଆୟୋଜକଙ୍କ ଅନୁରୋଧ କ୍ରମେ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରି ଅଭୟ ପାଢ଼ୀଙ୍କୁ ଆମ ସହର ବଲାଙ୍ଗୀରକୁ ନେବା ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥାଏ। ମିନିଟ୍‌ କଣ୍ଟା ଯାଏ ହିସାବ କରୁଥିବା ତାଙ୍କ ଭଳି ସମୟାନୁବର୍ତ୍ତୀ ଲୋକଟିଏ ଯୋଉ ସମୟ କହିଥିବେ ତା’ପୂର୍ବରୁ ପହଞ୍ଚିଯିବାକୁ ହୁଏ। ସମ୍ବଲପୁର ପଟ୍ଟନାୟକପଡ଼ାସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ନେଇ ସୋନପୁର ବାଟଦେଇ ବଲାଙ୍ଗୀରରେ ପହଞ୍ଚିବା ପାଇଁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିବ। ତାଙ୍କ ପରି ଜଣେ ଜ୍ଞାନୀ, ଗୁଣୀ, ବିଦ୍ବାନଙ୍କୁ ପାଖରେ ପାଇଗଲେ ଶିଘ୍ରଶିଘ୍ର ଅନେକ କଥା ଜାଣିପକାଇବାକୁ ଇଚ୍ଛା ହୁଏ। ସେଦିନ ସେ ମୋ ଜିଜ୍ଞାସା ଠିକ୍ ଠଉରେଇନେଲେ। ଗୋଟିଗୋଟି କରି ସମ୍ବଲପୁର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୋର ସବୁ ସଂଶୟ ଦୂର କଲେ। ୧୩୫ କିମି ରାସ୍ତା କେମିତି କଟିଗଲା, ଜାଣେନା। ବଲାଙ୍ଗୀର ପାଖ ହୋଇଆସିବା ବେଳକୁ ଆଲୋଚନାର ବିଷୟବସ୍ତୁ ମଧ୍ୟ ବଲାଙ୍ଗୀର ମନସ୍କ ହେଲାଣି। ସେ ହିଁ ଏକମାତ୍ର ବକ୍ତା। ମୁଁ ଓ ଡ୍ରାଇଭର ଦୁଇ ଆଜ୍ଞାଧୀନ ଛାତ୍ର ଓ ଶ୍ରୋତା। ବଲାଙ୍ଗୀର ସହର ଭିତରକୁ ପଶିଲୁ ସିନା, ବକ୍ତା ବଦଳିଲେ ନାହିଁ। ତା’ମାନେ ବଲାଙ୍ଗୀର ବିଷୟରେ ଆଲୋଚନା ହେବ! ଅଥଚ ଜଣେ ବଲାଙ୍ଗୀରିଆକୁ ଜଣେ ସମ୍ବଲପୁରିଆ ହିଁ କହିଚାଲିଥିବେ!! ହସ୍‌ପିଟାଲ ଛକ ଟପି ଦଳଗଞ୍ଜନ ପ୍ରେସ (ଓଡ଼ିଶାର ଅନ୍ୟତମ ପୁରୁଣା ସରକାରୀ ଛାପାଖାନା) ଆସିବା ଦେଖି ପାଢ଼ୀ ସାର୍ ତଦାନୀନ୍ତନ ପାଟଣା ଷ୍ଟେଟ୍‌ର ମହାରାଜା ଦଳଗଞ୍ଜନ ସିଂହଦେଓଙ୍କ ମିଜାଜ୍ ବିଷୟରେ କହିବା ଆରମ୍ଭ କଲେ। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। କହିଲି, ବାପ୍‌ରେ ସାର୍! କମ୍‌ସେ କମ୍ ବଲାଙ୍ଗୀର ମାଟିନ ବଲାଙ୍ଗୀର୍ ବାବ୍‌ଦେ ହେଲେ ମୋତେ ପଦେ ତ କହେବାର୍ ଲାଗି ଦଉନ୍!! ଦୁହେଁ ହୋହୋ ହୋଇ ହସିଲୁ। ମୋ କଥାର ତାତ୍ପର୍ଯ୍ୟ ସେ ଠିକ୍ ବୁଝିପାରିଥିଲେ। ପରୋକ୍ଷରେ ସେଇଟା ତାଙ୍କ ଜ୍ଞାନଭଣ୍ଡାରର କେତେବଡ଼ ପ୍ରଶଂସା ଥିଲା ତାହା ସେ ଜାଣିଯାଇଥିଲେ। ତାଙ୍କୁ ଆମେ ଜଣେ ଚଲ୍‌ତାଫିର୍‌ତା ଆଲ୍‌ମାନକ୍ ବୋଲି କହୁଥିଲୁ।

ଆମ ସମୟର ଜଣେ ସ୍ବାଭିମାନୀ ପୁରୁଷ ଭାବେ ପରିଚିତ ସ୍ବର୍ଗତ ଅଭୟ ପାଢ଼ୀ ବାହାରକୁ ଯେତେ କଠୋର ଜଣାପଡ଼ନ୍ତି ଭିତରେ କିନ୍ତୁ ସେତିକି କୋମଳ। ତାଙ୍କ ସ୍ବାଭିମାନ କୈାଣସି ବୃଥା ଅହଂକାର ଉପରେ ପର୍ଯ୍ୟବସିତ ନଥିଲା। ୨୦୧୬ରେ ସମ୍ବଲପୁର ଜିଲ୍ଲାସ୍କୁଲ ପ୍ରେକ୍ଷାଳୟରେ ‘ଜୁଗାର’ର ବାର୍ଷିକ ଉତ୍ସବ ହେଉଥାଏ। ଶେଷ ମୁହୂର୍ତ୍ତରେ ମୁଖ୍ୟବକ୍ତା ଅନୁପସ୍ଥିତ ରହିବାର ସୂଚନା ମିଳିଲା। ଡରିଡରି କହିଲୁ। ତତ୍‌କ୍ଷଣାତ୍ ରାଜି ହୋଇଗଲେ। ଏଇଟା ବଡ଼ କାର୍ଯ୍ୟକ୍ରମଟିଏ ବୋଲି ଯେ ସେ ରାଜି ହୋଇଗଲେ, ସେ କଥା ନୁହେଁ। ସେ ଯଦି ଥରେ ବୁଝିଯିବେ ଯେ ତାଙ୍କୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ସାମିଲ କରିବାରେ ଆୟୋଜକମାନଙ୍କର ଅଭିପ୍ରାୟ ଆଦୈା ମନ୍ଦ ନୁହେଁ, ସେ ସହଯୋଗ କରୁଥିଲେ। ମୁଁ ଯେମିତି ତାଙ୍କୁ କେତେଥର ଆମ କାର୍ଯ୍ୟକ୍ରମମାନଙ୍କରେ ମୂଳ ଅତିଥି ଭାବେ ବ୍ୟବହାର କରିଛି, ଏକାଧିକ ଥର ମଧ୍ୟ ସେମିତି ତାଙ୍କୁ ଅତିରିକ୍ତ ଅତିଥି ଭାବେ ଡାକିଛି। ସେ ସବୁକଥା ଶୁଣିଲା ପରେ ଆସିଛନ୍ତି ମଧ୍ୟ।

ଇଂରାଜୀ ଭାଷାସାହିତ୍ୟର ଛାତ୍ର ଥିଲେ। ଓଡ଼ିଆ ଓ ସମ୍ବଲପୁରୀ-କୋଶଲିରେ ତାଙ୍କର ବ୍ୟୁତ୍ପତ୍ତି ଥିଲା। ଇତିହାସ ତ ମୁହେଁମୁହେଁ। ସମ୍ବଲପୁର ଆକାଶବାଣୀରେ ଅଶୀ ଦଶକରେ ତାଙ୍କ ପ୍ରସାରିତ ଅଭିନବ କାର୍ଯ୍ୟକ୍ରମ ‘ଟିକେ ଶୁନୁନ୍ ତ’ ଏବେ ସେଠାକାର ବେତାର ଜଗତରେ କିମ୍ବନ୍ତୀ ପାଲଟିଛି। କଟକ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଭାବେ ତାଙ୍କ ଅବଦାନ ତାଙ୍କୁ ଜାଣିଥିବା ଓ ଓଡ଼ିଶାର ରେଡିଓ କାର୍ଯ୍ୟକ୍ରମ ବିଷୟରେ ଧାରଣା ଥିବା ଯେ କେହି କହିପାରିବେ। ଉତ୍ତର ପୂର୍ବ ଭାରତରୁ ନେଇ ଦିଲ୍ଲୀଠାରେ ପ୍ରସାର ଭାରତୀର ଅତିରିକ୍ତ ମହାନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ ହେବା ଭିତରେ ସାରା ଦେଶଟାକୁ ଭଲଭାବେ ବୁଝିନେଇଥିଲେ ସେ। ମାତ୍ର ୭୧ ବର୍ଷ ବୟସରେ ଚାଲିଗଲେ। ତାଙ୍କ ଅନୁଭବ, ଅଭିଜ୍ଞତାକୁ ସେ ଆଉ ଦେଢ଼ ଦଶନ୍ଧି କାଳ ବିଭିନ୍ନ ବାଟରେ ଆମମାନଙ୍କୁ ବାଣ୍ଟିଥା’ନ୍ତେ। ଆମ ସମାଜର ବହୁତ ବଡ଼ କ୍ଷତି ହେଲା। ବିଶେଷ କରି ୪୦-୫୦ ବର୍ଷ ପୂର୍ବର ପଶ୍ଚିମ ଓଡ଼ିଶାର ଜନଜୀବନର ନିଖୁଣ ଚିତ୍ର ପ୍ରଖର ସ୍ମରଣଶକ୍ତିର ଅଧିକାରୀ ଏହି ମେଧାବୀ ବ୍ୟକ୍ତିଙ୍କଠାରୁ ଅଧିକ ସ୍ପଷ୍ଟ ଓ ନିର୍ଲିପ୍ତ ଭାବେ ହୁଏତ ଆଉ କାହା ପକ୍ଷେ ଆଙ୍କିବା ସେତେ ସହଜ ହେବନାହିଁ। ସମ୍ବଲପୁରୀ-କୋଶଲୀ ଭାଷାରେ ‘ସମ୍ବାଦ’ ଦ୍ବାରା ପ୍ରକାଶିତ ସାପ୍ତାହିକ ଟେବ୍‌ଲଏଡ୍ ‘ଜୁଗାର’ ଓ ଏହାର ବଛର୍‌କିଆ ବିଶେଷ୍ ସଂଖ୍ୟା (ବାର୍ଷିକ ବିଶେଷାଙ୍କ) ପାଇଁ ତାଙ୍କ ଅବଦାନ ଯେ କେହି ଜାଣନ୍ତି। ପଶ୍ଚିମ ଓଡ଼ିଶାର ଅସ୍ମିତାକୁ ନେଇ ‘ଜୁଗାର’ ଜରିଆରେ ‘ସମ୍ବାଦ’ ଯେପରି ସାଂସ୍କୃତିକ ଆନ୍ଦୋଳନଟିଏ କରିଆସିଛି ତା’ର ଏକ ବଡ଼ ଶ୍ରେୟ ସ୍ବର୍ଗତ ପାଢ଼ୀଙ୍କୁ ଦେବାକୁ ହେବ।

ସମ୍ବଲପୁର ଗଲେ ଏଣିକି ମାଡ଼ିମାଡ଼ି ପଡ଼ିବ। ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୋର ବହୁତ ବଡ଼ କ୍ଷତି। ଅବଶିଷ୍ଟ ଜୀବନରେ ତାଙ୍କ ପ୍ରତି ମୋର କେବଳ ଗୋଟିଏ ଅର୍ଦ୍ଦଳି ରହିବ.. ଟିକେ ଶୁନୁନ୍ ତ! କିନ୍ତୁ ସତରେ ସେ ଆଉ କ’ଣ ଶୁଣିବେ?

ଅରବିନ୍ଦ ଦାସ
ବାର୍ତ୍ତା ବିଭାଗ ମୁଖ୍ୟ, ‘ସମ୍ବାଦ’
ରସୁଲଗଡ଼ ଶିଳ୍ପାଂଚଳ, ଭୁବନେଶ୍ବର

ସମ୍ବନ୍ଧିତ ଖବର