ଏକ ଉନ୍ନତ ବିଶ୍ୱବିଦ୍ୟାଳୟ ପାଇଁ

ଶରତ ଚନ୍ଦ୍ର ଶତପଥୀ

ସରକାରୀ ଆଦେଶ ବଳରେ ବିଶ୍ବବିଦ୍ୟାଳୟମାନଙ୍କର ମୂଳ ଢାଞ୍ଚା ତଥା ପରିଚାଳନା କ୍ଷେତ୍ରରେ ଯେଉଁ ଅପ୍ରତ୍ୟାଶିତ ପରିବର୍ତ୍ତନର ସୂତ୍ରପାତ ହୋଇଛି ତା’ସପକ୍ଷରେ ଏବ˚ ବିପକ୍ଷରେ ବାଚନିକ, ଲିଖିତ ଏବ˚ କାର୍ଯ୍ୟକଳାପ ମାଧୢମରେ ଉଭୟ ପକ୍ଷ ସେମାନଙ୍କର ସତ୍ୟ ଓ ତଥ୍ୟ ସମ୍ବଳିତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଛନ୍ତି। ସ˚କ୍ଷେପରେ, ଅଧୁନା ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା- ପଦ୍ଧତି ଓ ମାନ ଉଭୟ କ୍ଷେତ୍ରରେ- ନିମ୍ନଗାମୀ, ତେଣୁ ଅଧୢାଦେଶ, ପକ୍ଷାନ୍ତରେ ସରକାରୀ ପ୍ରୟାସର ନିଷ୍ଠା ଅବିଶ୍ବାସ୍ୟ ମନେହୁଏ। ଏହା ହୁଏତ କାହାକୁ ଥଇଥାନ କରିବାର ପ୍ରକରଣ ହୋଇପାରେ। ପ୍ରଦେଶର ଶାସନଭାର ଦୁଇ ଦଶନ୍ଧିରୁ ଅଧିକ କାଳ ନିଜ ହାତରେ ରଖିଥିବା ଦଳ/ସରକାର ଶିକ୍ଷାର ମାନ- ପ୍ରାଥମିକ ସ୍ତରଠାରୁ ମାଧୢମିକ ସ୍ତର ଏବ˚ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ- ଉନ୍ନତ କରିବାରେ କେତେ ସଫଳ ହୋଇଛନ୍ତି, ତାହା ବିଚାର୍ଯ୍ୟ। ସବୁ ନିୟମ ଜନସମାଜର ହିତ/ଉନ୍ନତି କଳ୍ପେ ପ୍ରଣୟନ/ଉଚ୍ଛେଦ କରାଯାଏ। ତେଣୁ ଏବେକାର କାନୁନ ମଧୢ ପରିବର୍ତ୍ତନୀୟ। ପୁରାତନ ଢାଞ୍ଚା ଅକ୍ଷୁଣ୍ଣ ରଖି ଆମ ବିଶ୍ବବିଦ୍ୟାଳୟମାନଙ୍କର ହୃତ ଗୌରବର ପୁନରୁଦ୍ଧାର ସମ୍ଭବ- ଏହି ବିଶ୍ବାସ ଆଧାରରେ ଏହି ଆଲେଖ୍ୟ ପ୍ରସ୍ତୁତ କରାଯାଇଛି। ଆଶା କରାଯାଏ, ପରିବର୍ତ୍ତନ ଆଣିବାକୁ ସକ୍ଷମ ଶକ୍ତି ସମୂହ ଦୃଷ୍ଟି ଦେବେ। ସରକାର, ଅଭିଭାବକ, ଶିକ୍ଷକ ସମାଜ ଏବ˚ ଛାତ୍ର ସମାଜ ନିଜକୁ ପ୍ରଶ୍ନ କରି ସ୍ଥିର କରନ୍ତୁ। (୧) ବିଶ୍ବବିଦ୍ୟାଳୟ କହିଲେ ସେମାନେ କ’ଣ ବୁଝନ୍ତି?, (୨) ଏହି ଅନୁଷ୍ଠାନ ଠାରୁ ସେମାନେ କ’ଣ ଆଶା କରନ୍ତି? ପ୍ରକାଶ ଥାଉ କି ଶିକ୍ଷକମାନଙ୍କ ଲାଗି ଏକ ସମ୍ମାନଜନକ ଦରମା ହାର ଏବ˚ ବ୍ୟକ୍ତିଗତ ପଦୋନ୍ନତି ପରିଯୋଜନା ପ୍ରଚଳନ ଦ୍ବାରା ପ୍ରଥମରେ ଶିକ୍ଷକମାନଙ୍କର ଆର୍ଥିକ ପରିସ୍ଥିତିରେ ସୁଧାର ଏବଂ ଦ୍ବିତୀୟରେ ସେମାନଙ୍କ ମେଧା ଓ ପ୍ରତିଭା ବଳରେ ସ୍ବାଧୀନ ଭାବରେ ପଦୋନ୍ନତି ଭଳି ସୁବିଧା/ସୁଯୋଗର ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଜ୍ୟ ସରକାରମାନେ ଅର୍ଥାଭାବ, ଅମୁକ ସ୍ତରର ବାବୁଙ୍କ ଠାରୁ ଶିକ୍ଷକମାନେ ଅଧିକ ପାଇବେ ନାହିଁ ଭଳି ଦୁଇଟି ଅବାନ୍ତର ଓ ହାସ୍ୟାସ୍ପଦ କାରଣର ଦ୍ବାହି ଦେଇ ଦରମାରେ, ଭତ୍ତାରେ ଏବ˚ ଆନୁଷଙ୍ଗିକ ଆର୍ଥିକ ସୁବିଧା ସୁଯୋଗରେ କାଣ୍ଟଛାଣ୍ଟ କରି ଅଧ୍ୟାପକମାନଙ୍କୁ ବାମନ ଅବତାର କରି ଦିଅନ୍ତି। ବ୍ୟକ୍ତିଗତ ପଦୋନ୍ନତି କ୍ଷେତ୍ରରେ ମଧୢ ସମାନ ପ୍ରହସନ ଦେଖିବାକୁ ମିଳେ। ଏହି ପରିଯୋଜନା ପ୍ରାୟତଃ ମୃତ। ଯଦି ପ୍ରକୃତରେ ଉତ୍ତମ ଗୁଣମାନର ଶିକ୍ଷକମାନେ ଆମର ବିଶ୍ବବିଦ୍ୟାଳୟ କ୍ଷେତ୍ରକୁ ଆସି ମଣିଷ ତିଆରି କରି, ଦେଶ ଗଢ଼ିବାର କାରିଗର ହେବାକୁ ଚାହାନ୍ତି, ତେବେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁବିଧା ସୁଯୋଗ ଦେବା ମଧୢ ବିଧେୟ। ସମୀକ୍ଷାରୁ ଜଣାପଡ଼ିବ ଯେ ଏହି କାରଣରୁ ଆମ ପ୍ରଦେଶର ବିଶ୍ବବିଦ୍ୟାଳୟମାନଙ୍କରେ ଦେଶର ଅନ୍ୟ ପ୍ରାନ୍ତରୁ କୌଣସି ପ୍ରତିଷ୍ଠାବାନ ଶିକ୍ଷକ ଅଧୢାପନା ନିମନ୍ତେ ଆସୁନାହାନ୍ତି। ଯେ କୌଣସି ସ୍ତରରେ ସରକାରୀ ବାବୁଜଣକ ଗୋଟିଏ ବିଭାଗରେ ଦକ୍ଷ ବୋଲି ମନେ ନ ହେଲେ, ଅନ୍ୟ ବିଭାଗକୁ ଯାଇ ନିଜର ଉପଯୋଗିତା ପ୍ରମାଣ କରିପାରେ। କିନ୍ତୁ ଜଣେ ଅନୁପଯୁକ୍ତ ବ୍ୟକ୍ତି ଶିକ୍ଷକ ହେଲେ, ନିଜର ଅଜ୍ଞାନ ଓ ଅଳ୍ପଜ୍ଞାନର ଅନ୍ଧକାର ଚିର କାଳ ବିତରଣ କରିବା ଖୁବ୍‌ ସମ୍ଭବ। ବିଶ୍ବବିଦ୍ୟାଳୟ ଜଠରରୁ ପ୍ରକୃତ ମଣିଷ ବଦଳରେ ଯଦି ଆଉ କିଛି ପ୍ରଜାତି ସୃଷ୍ଟି ହୁଅନ୍ତି ତେବେ ଦେଶ କେମିତି ଗଢ଼ି ହେବ? ତେଣୁ ସ୍ବଚ୍ଛ ଓ ସ୍ବାଧୀନ ଭାବରେ ବଞ୍ଚିବାର ସ˚କ୍ଷିପ୍ତ ସାଧନ ଶିକ୍ଷକ ଠାରୁ ଛଡ଼େଇ ନିଆନଯାଉ।

ବିଶ୍ବବିଦ୍ୟାଳୟ ପରିଚାଳନା ଏବ˚ ଶିକ୍ଷା ବ୍ୟବସ୍ଥାକୁ ଅଯଥା ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରାଯାଇପାରିବ। ପ୍ରତ୍ୟେକ ବିଭାଗରେ ତଥା ସମୁଦାୟ ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ସ˚ଖ୍ୟା ପ୍ରାୟତଃ ପୂର୍ବ ନିର୍ଦ୍ଧାରିତ ଏବ˚ ସ୍ଥିରୀକୃତ। ତେଣୁ ସେମାନଙ୍କର ଚୟନ ନିମନ୍ତେ ବାରମ୍ବାର ବିଭିନ୍ନ ସ୍ତରରେ ସ୍ବୀକୃତି/ଅନୁମୋଦନ ମାଗିବାର କ’ଣ ଆବଶ୍ୟକତା ଥାଇପାରେ? ଚୟନ ପଦ୍ଧତିର ସରଳୀକରଣ ସମ୍ଭବ। ସବୁ ସମୟରେ ପ୍ରାର୍ଥିତ୍ବର ଆବେଦନ ଗ୍ରହଣ କରାଯାଇପାରେ। ଅବସର/ଅବ୍ୟାହତି ହେତୁ ଆଗାମୀ ଦିନରେ ମୁକ୍ତ ହେବାକୁ ଥିବା ପଦର ଚୟନ କାର୍ଯ୍ୟ ଶେଷ କରି ଅନ୍ତତଃ ଛ’ମାସ ପୂର୍ବରୁ ସଫଳ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସମ୍ବାଦ ପଠାଇ ଦିଆଯାଇପାରିବ। ଏହାଦ୍ବାରା କୌଣସି ପଦ ଖାଲି ପଡ଼ିବାର ସମ୍ଭାବନା କମିଯିବ ଏବ˚ ସବୁ କ୍ଷେତ୍ରରେ ସ୍ବଚ୍ଛତା ରହିବ। ଦୁଇଟି ଆନୁଷଙ୍ଗିକ ସୁବିଧାରେ ପରିବର୍ତ୍ତନ ଆବଶ୍ୟକ ମନେହୁଏ। ଶିକ୍ଷକମାନଙ୍କର ଅବସର ଗ୍ରହଣର ବୟସ ସୀମାରେ ବୃଦ୍ଧି ଏବ˚ ସବୁ ଅବସର ଗ୍ରହଣ କେବଳ ଶିକ୍ଷାବର୍ଷର ସମାପ୍ତି ପରେ ହିଁ ହେବା ବିଧେୟ। ବିଶ୍ବବିଦ୍ୟାଳୟମାନଙ୍କର ଆବଶ୍ୟକତା ଯେ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ଏବ˚ ବିଶେଷ, ଏ କଥା ଭୁଲିଯିବା ଉଚିତ ନୁହେଁ। ଶିକ୍ଷକମାନଙ୍କର ଶିକ୍ଷା, ଗବେଷଣା ବ୍ୟତୀତ ବିଶ୍ବବିଦ୍ୟାଳୟର ପରିଚାଳନା, ଶାସନ କ୍ଷେତ୍ରରେ କୌଣସି ପ୍ରକାରର ସାମୟିକ/ ଅସ୍ଥାୟୀ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ ହେବା ଉଚିତ। କାର୍ଯ୍ୟରତ ଶିକ୍ଷକବର୍ଗ, ଅବସର ଗ୍ରହଣ କରିଥିବା ଦକ୍ଷ ଏବ˚ ଆଗ୍ରହୀ ପୁରାତନ ଶିକ୍ଷକମାନଙ୍କୁ ତାଙ୍କ ଗହଣକୁ ଆଣି ନବାଗତ ଛାତ୍ରଛାତ୍ରୀମାନଙ୍କ ସହ ସ˚ଯୋଗର ସେତୁ ପ୍ରତିଷ୍ଠା କରିବା ଉଚିତ। ଶିକ୍ଷାଦାନ କ୍ଷେତ୍ରରେ ପୂର୍ବସୂରୀମାନଙ୍କର ଅନୁଭୂତି ଓ ଅଭିଜ୍ଞତାର ସୁଫଳ ଆହରଣ ଉତ୍ତର ପିଢ଼ିର ଅଧିକାର। ପ୍ରତି ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କର ବିବରଣୀ ସ˚ଗୃହୀତ ହୋଇ ରଖା ଯାଇପାରିଲେ, ସମ୍ପର୍କ ମାଧୢମରେ ପିଲାମାନଙ୍କୁ ବହୁମନ୍ତେ ସାହାଯ୍ୟ ଓ ଦିଗ୍‌ଦର୍ଶନ ମିଳିପାରିବ। ଏହାଦ୍ବାରା ସାମାଜିକ ସ୍ତରରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ମଧୢ ପ୍ରଚାରିତ ହେବ। ବିଶ୍ବବିଦ୍ୟାଳୟର ପାଠ୍ୟ ଖସଡ଼ା ଦେଶ ବିଦେଶର ଉନ୍ନତ, ସମୃଦ୍ଧ ଅନୁଷ୍ଠାନମାନଙ୍କରେ ପ୍ରଚଳିତ ପାଠ୍ୟକ୍ରମ ସହ ସମାନତା ରକ୍ଷା କରି, ସମୟୋପଯୋଗୀ ଭାବରେ ପ୍ରସ୍ତୁତ କରାଯିବା ବାଞ୍ଛନୀୟ। ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ବିବେଚନା କରାଯିବା ଉଚିତ। ସମ୍ବଳର ଅଭାବ, ଉପଯୁକ୍ତ ଶିକ୍ଷକ ନାହାନ୍ତି ଭଳି ଉଦ୍ଭଟ କାରଣ ଦର୍ଶାଇ ପାଠ୍ୟ ଖସଡ଼ାର ଗୁଣମାନ ହ୍ରାସ କରିଦେଲେ, ଆମ ପିଲାଏ ଆଜିର ଯୁଗରେ ପଛରେ ପଡ଼ିଯିବେ, କୌଣସି ମେଧାବୀ ଛାତ୍ର ଆମ ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ ନିମନ୍ତେ ଆଗ୍ରହ ମଧୢ ପ୍ରକାଶ କରିବେ ନାହିଁ। ଏହା ସତ୍ୟ ଯେ, କୌଣସି ସ୍ବଚ୍ଛଳ ଏବ˚ ମେଧାବୀ ଛାତ୍ରଛାତ୍ରୀ ଆମ ବିଶ୍ବବିଦ୍ୟାଳୟକୁ ଆସିବା ଲାଗି ଏବେ ଆଗ୍ରହୀ ନୁହନ୍ତି।

ଶିକ୍ଷାବର୍ଷର କାର୍ଯ୍ୟଦିବସ ମାନଙ୍କର ସ˚ଖ୍ୟାରେ ପରିବର୍ତ୍ତନ ଆସିବା ଏକାନ୍ତ ଜରୁରୀ। ପାଞ୍ଚ ଦିନ ଶ୍ରେଣୀରେ ବିଦ୍ୟାଦାନ ଏବ˚ ଦୁଇ ଦିନ ସପ୍ତାହନ୍ତ ଅବସର ନିୟମ ଲାଗୁ ହେଲେ, ଶିକ୍ଷକମାନେ ନିଜକୁ ଆସନ୍ତା ସପ୍ତାହ ଲାଗି ପ୍ରସ୍ତୁତ କରିବାକୁ ଏବ˚ ପିଲାମାନେ ପାଠାଗାରର ସଦୁପଯୋଗ ନିମିତ୍ତ ଯଥେଷ୍ଟ ସୁବିଧା ପାଇବେ। ବାର୍ଷିକ ଛୁଟି ତାଲିକାରେ ଆମୂଳଚୂଳ ପରିବର୍ତ୍ତନ ଦରକାର। କେବଳ ରବିବାର ଓ ଜାତୀୟ ଛୁଟି ଦିନ ଗୁଡ଼ିକ ହିଁ ବିଶ୍ବବିଦ୍ୟାଳୟ ବନ୍ଦ ରହିପାରେ। ଶିକ୍ଷାଗ୍ରହଣ, ଗବେଷଣା ଲାଗି ଉଦ୍ଦିଷ୍ଟ ଅନୁଷ୍ଠାନରେ ଛୁଟିର ସ୍ଥାନ ନାହିଁ। ପିଲାମାନେ ତାଙ୍କ ଶିକ୍ଷା ଲାଭର ଶେଷ ପର୍ଯ୍ୟାୟରେ, ଅନାବଶ୍ୟକ ଛୁଟି, ଅଧାଛୁଟି, ପାଠପଢ଼ାରେ ଅସ୍ଥାୟୀ ବିରତି, ନିର୍ବାଚନ ଇତ୍ୟାଦି ଅନିଷ୍ଟକାରୀ ପରିସ୍ଥିତିର ଶିକାର ନ ହେବା ମଙ୍ଗଳ। ସେମାନେ ଯେତେ ଅଧିକ ଅଧୢବସାୟ ଦ୍ବାରା ଅଧିକରୁ ଅଧିକ ବିଦ୍ୟାଧନ ଆହରଣ, ସ˚ଚୟ କରି ପାରିବେ, ସେମାନଙ୍କର ପରବର୍ତ୍ତୀ ଜୀବନ ସେତିକି ଅଧିକ ସରସ ସୁନ୍ଦର ହୋଇପାରିବ। ବିଶ୍ବବିଦ୍ୟାଳୟମାନଙ୍କରେ ପାଠାଗାର ସ˚ସ୍କାର ଆବଶ୍ୟକ। ବଜାରରେ ମିଳୁଥିବା ‘ମାନେ’ ବହି। ପରୀକ୍ଷା ଲାଗି ପ୍ରଶ୍ନୋତ୍ତର ବହି ପାଠାଗାରର ପରିସୀମା ମଧୢ ସ୍ପର୍ଶ କରିବା ଅନୁଚିତ। ଏସବୁ ମୁକ୍ତ ଚିନ୍ତନ ଓ ଶିକ୍ଷଣର ବାଧକ ଉପାଦାନ। ଗୁଣାତ୍ମକ ଉତ୍କର୍ଷ ଥିବା, ମୂଲ୍ୟବାନ ଗ୍ରନ୍ଥ ପତ୍ରପତ୍ରିକା ସବୁ ପିଲାମାନଙ୍କୁ ଗ୍ରନ୍ଥାଗାରରେ ମିଳିପାରିବା ପ୍ରତି ଦୃଷ୍ଟି ଦିଆଯିବା ଦରକାର ନିଶ୍ଚୟ। ପ୍ରତି ବିଭାଗରେ, ଶିକ୍ଷା ଶେଷ କରି ଫେରିଯିବା ସମୟରେ, ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର ବିଭାଗୀୟ ଗ୍ରନ୍ଥାଗାରକୁ ଅତ୍ୟନ୍ତ ପକ୍ଷେ ଖଣ୍ତିଏ ମୂଲ୍ୟବାନ ବହି ଶ୍ରଦ୍ଧା ସହ ଉପହାର ଦେବାକୁ ଚେଷ୍ଟା କରନ୍ତୁ। ଦାମିକା ବହିଟିଏ ମିଳିମିଶି ମଧୢ ଦେଇପାରିବେ। ଫଳରେ ପିଲାମାନଙ୍କର ପଢ଼ିବାରେ ସୁବିଧା ହେବ ଏବ˚ କେନ୍ଦ୍ରୀୟ ପାଠାଗାର ଉପରେ ଅତ୍ୟଧିକ ନିର୍ଭରଶୀଳତା ମଧୢ ହ୍ରାସ ପାଇବ। ଛାତ୍ର ସ˚ସଦର ନିର୍ବାଚନ କାର୍ଯ୍ୟକ୍ରମ ବାସ୍ତବରେ ଶିକ୍ଷଣ ଧାରା ବଦଳରେ ଗଣତନ୍ତ୍ର ନାମରେ ଏହାର ହନନ ପ୍ରକ୍ରିୟା ପାଲଟି ଗଲାଣି। ବିଶ୍ବବିଦ୍ୟାଳୟ ପରିସରରେ ସବୁ ବିଶୃଙ୍ଖଳା, ହି˚ସା, ପାଠପଢ଼ା-ପରୀକ୍ଷା ଇତ୍ୟାଦିରେ ବିଳମ୍ବ, ଅନିୟମିତତା, ବ୍ୟାଘାତ କେବଳ ନିର୍ବାଚନୀ କାଣ୍ତ କାରଖାନା ହେତୁ ହିଁ ଘଟିଥାଏ। ଅଳ୍ପ ସ˚ଖ୍ୟକ ଲୋକଙ୍କର ବ୍ୟକ୍ତିଗତ ସ୍ବାର୍ଥ ସାଧନ ନିମିତ୍ତ, ସାମୂହିକ ସ୍ତରରେ ହଜାର ହଜାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସହ ଅନ୍ୟାୟ କରିବା ଏକ ଜଘନ୍ୟ ଅପରାଧ ତୁଲ୍ୟ ମନେହୁଏ। ଏ ପ୍ରକାର ପ୍ରହସନ, ଯଦି ସମ୍ଭବ ହୁଏ, ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚିତ। ଅଥବା ପ୍ରତି ବିଭାଗର ମେଧା ତାଲିକାରେ ଶୀର୍ଷରେ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ପରିଷଦ ଗଢ଼ା ଯାଇପାରେ। ସେହି ପରିଷଦ ଛାତ୍ରମାନଙ୍କ ନିମିତ୍ତ/ଦ୍ବାରା ସବୁ କିଛି କାର୍ଯ୍ୟକ୍ରମ ଶିକ୍ଷାଦାନ ସମୟ ଉତ୍ତାରେ ଏବ˚ ଛୁଟି ଦିନରେ କରିବାକୁ ସ˚କଳ୍ପବଦ୍ଧ ହେବା ଉଚିତ। ଫଳରେ ପ୍ରଶିକ୍ଷଣ କ୍ଷେତ୍ରରେ କୌଣସି ବାଧକ ଦେଖାଦେବନାହିଁ।

ବିଶ୍ବବିଦ୍ୟାଳୟର ପରିଚାଳନା ଲାଗି ନିଯୁକ୍ତ ସବୁ ବର୍ଗର କର୍ମଚାରୀମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ, ଦରମା, ପଦୋନ୍ନତି, ପେନ୍‌ସନ୍‌, ବକେୟା ଇତ୍ୟାଦି ଠିକ୍‌ ସମୟରେ ବିନା ଟାଳଟୁଳ, ଟଣାଓଟରାରେ ମିଳିଯିବା ଦରକାର। କାରଣ ସେମାନେ ଯଦି ନିରାଶା ଭିତରକୁ ଠେଲି ହୋଇଯିବେ ତେବେ ଶାସନ/ପରିଚାଳନାରେ ସମୟ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହୋଇପଡ଼ିବ। କୁଳପତିମାନେ ଶିକ୍ଷାର ମାନ ବୃଦ୍ଧି, ଶିକ୍ଷକ, କର୍ମଚାରୀମାନଙ୍କର ଅଧିକାରର ସୁରକ୍ଷା ଓ ଉନ୍ନତି ସହ ଶିକ୍ଷା/ଗବେଷଣାର ପରିବେଶ ଗଢ଼ି ତୋଳିବାକୁ ଚେଷ୍ଟିତ ହେବାର ଆଶା କରାଯାଏ। ଛାତ୍ରଛାତ୍ରୀମାନଙ୍କ ଲାଗି କୁଳପତିମାନେ ଆଦର୍ଶ ଓ ଅନୁକରଣୀୟ ବ୍ୟକ୍ତିତ୍ବ ହେବା ଉଚିତ। ଶିଳ୍ପପତି, ଶିଳ୍ପସ˚ସ୍ଥା, ଗଣ୍ୟମାନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଏବ˚ କ୍ଷମତାଶାଳୀ ରାଜନୈତିକ ବ୍ୟକ୍ତିତ୍ବମାନଙ୍କୁ ବିଶ୍ବବିଦ୍ୟାଳୟର ନିରନ୍ତର ସମୃଦ୍ଧି ଓ ସମ୍ପ୍ରସାରଣ କ୍ଷେତ୍ରରେ ଅ˚ଶଗ୍ରହଣ/ଅବଦାନ ନିମିତ୍ତ ନିବେଦନ/ନିମନ୍ତ୍ରଣ କରିବା ତାଙ୍କ କାର୍ଯ୍ୟ ପ୍ରଣାଳୀର ଅ˚ଶ ବିଶେଷ ହୋଇପାରିଲେ ଖୁବ୍‌ ଭଲ ହେବ। ଏହାଦ୍ବାରା ଅର୍ଥ/ପ୍ରଯୁକ୍ତି ବିଦ୍ୟା ବିନିଯୋଗର ସୁଯୋଗ ସୃଷ୍ଟି ହେବ। କୁଳପତିମାନଙ୍କର କାର୍ଯ୍ୟକାଳରେ ବୃଦ୍ଧି କେବଳ ବିଶେଷ କ୍ଷେତ୍ରରେ, ଦକ୍ଷତା ଭିତ୍ତିରେ କରାଯାଇପାରେ। ବିଶ୍ବବିଦ୍ୟାଳୟର ପରିସର, ପରିବେଶକୁ ସ୍ବଚ୍ଛ, ନିରାପଦ, ସୁନ୍ଦର ରଖିବାର ଦାୟିତ୍ବ ସମ୍ମିଳିତ ଭାବରେ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କର। ତା’ ନହେଲେ ଚାରିଆଡ଼େ ଜ୍ଞାନାଲୋକ ପ୍ରଜ୍ଜ୍ବଳିତ ହେବା ବଦଳରେ ବସ୍ତି ସ˚ସ୍କୃତିର ଡିବିରି ଆଲୁଅ ଦିଶିବ କେବଳ।

ମାନ୍ୟତା ଲୋଡୁଥିବା ଶିକ୍ଷିତ ସମାଜ, ସମାଜର ସଫଳ, ସ୍ବଚ୍ଛଳ ବର୍ଗ ଏବ˚ ବୁଦ୍ଧିଜୀବୀ ବୋଲି ଦାବି କରୁଥିବା ବ୍ୟକ୍ତି ଏବ˚ ଅଭିଭାବକମାନେ ସେମାନଙ୍କର ନୈତିକ ଦାୟିତ୍ବର ସ୍ବୀକାର ଓ ସାକାର ନିମନ୍ତେ ନିଜ ନିଜର ପନ୍ଥା ସ୍ଥିର କରିପାରିବେ ନିଶ୍ଚୟ। ଏହି ସ˚କ୍ଷିପ୍ତ ଆଲେଖ୍ୟରେ ସନ୍ନିବେଶିତ ପ୍ରସ୍ତାବନାମାନଙ୍କରେ ରାଜ୍ୟର ରାଜକୋଷ ଉପରେ କୌଣସି ଅପ୍ରତ୍ୟାଶିତ ବୋଝ/ଦାୟିତ୍ବ ଲଦି ଦେବାର ଚେଷ୍ଟା କରାଯାଇନାହିଁ। ପରିବର୍ତ୍ତନ ଲାଗି ରାଜକୀୟ ତଥା ସାଧାରଣ ବର୍ଗର ମାନସିକତାରେ କିଛିଟା ପରିବର୍ତ୍ତନ ଲାଗି ନିବେଦନ କରାଯାଇଛି ଯାହା। ଏହାକୁ ସାଧାରଣ ଜନତାର ଅଧୢାଦେଶ ବୋଲି କୁହାଯାଇପାରେ।

ପ୍ରାକ୍ତନ ଇ˚‌ରେଜୀ ପ୍ରଫେସର
ଉତ୍କଳ ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର