ଭାଇରସ୍‌ର ଉପକାର

ଚିକିତ୍ସା ଚର୍ଚ୍ଚା - ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଏବେ ସମଗ୍ର ପୃଥିବୀ କୋଭିଡ ମହାମାରୀଜନିତ ଦୁରବସ୍ଥା ଦେଇ ଗତି କରୁଛି। ମାନବ ସମାଜରେ ଆତଙ୍କ ସୃଷ୍ଟି କରିଥିବା ଏହା ପ୍ରଥମ ଭାଇରସ୍‌ ନୁହେଁ। ୧୯୧୮ରେ ଘାତକ ଏଚ୧ଏନ୍‌୧-ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ପାଞ୍ଚରୁ ଦଶ କୋଟି ଲୋକଙ୍କ ଜୀବନ ନେଇଥିଲା। ଠିକ୍‌ ସେମିତି ବି˚ଶ ଶତାବ୍ଦୀରେ ବସନ୍ତ ରୋଗରେ ପ୍ରାୟ ୨୦ କୋଟି ଲୋକ ପ୍ରାଣ ହରାଇଥିଲେ। ଏ ସବୁ ଦୃଷ୍ଟିକୋଣରୁ ଭାଇରସ୍‌ ଯେ କିଭଳି ନରହନ୍ତା ସାବ୍ୟସ୍ତ ହୋଇଛି ତାହା ଜଣାପଡ଼େ। ଏଣୁ ପୃଥିବୀରୁ ଏହା ନଷ୍ଟ ହେବା ଦରକାର। କିନ୍ତୁ ଭାଇରସ୍‌ର ମୂଳୋତ୍ପାଟନ କରିବା ପୂର୍ବରୁ ଆମେ ସଚେତନ ହେବା ଜରୁରୀ ଯେ ଯଦି ଭାଇରସ୍‌ ରହିବ ନାହିଁ ତେବେ ମଣିଷ ମଧ୍ୟ ରହିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ମଣିଷ ଶରୀରର ୮% ଜିନ୍‌ ଭାଇରସ୍‌ ସହ ମିଶିଥାଏ। ୨୦୧୮ରେ ଦୁଇଟି ବୈଜ୍ଞାନିକ ଦଳ ଜାଣିପାରିଥିଲେ ଯେ କୋଟିଏ ବର୍ଷ ତଳେ ଭାଇରସ୍‌ରୁ ମିଳିଥିବା କୋଡ୍‌ ସ୍ମରଣ ଶକ୍ତିକୁ ରକ୍ଷା କରିବାରେ ବଡ଼ ଭୂମିକା ନିର୍ବାହ କରିଛି। ମଣିଷ ଯଦି ଆଜି ଅଣ୍ତା ଦେବା ପରିବର୍ତ୍ତେ ସିଧା ଛୁଆ ଜନ୍ମ କରୁଛି ତାହା ମଧ୍ୟ ଭାଇରସ‌୍ ଯୋଗୁ। ତେର କୋଟି ବର୍ଷ ତଳେ ରେଟ୍ରୋଭାଇରସ୍‌ ସ˚କ୍ରମଣ ଦ୍ରୁତ ଭାବେ ବ୍ୟାପିଥିଲା। ସେ ସ˚କ୍ରମଣରେ ଶରୀରକୁ ଆସିଥିବା ଏକ ଜିନ୍‌ ଯୋଗୁଁ ସ୍ତ୍ରୀ ଜାତି ଗର୍ଭଧାରଣ କରୁଛି। ଅଣ୍ତା ଦେବା ପରିବର୍ତ୍ତେ ସନ୍ତାନ ଜନ୍ମ ଦେବା ପ୍ରକ୍ରିୟା ଏମିତି ବିକଶିତ ହୋଇଛି। ଆମେରିକାର ‘ୱିସ୍‌କନ୍‌ସିନ-ମେଡିସିନ ୟୁନିଭର୍ସିଟି’ର ମହାମାରୀ ବିଶେଷଜ୍ଞ ଟୋନି ଗୋଲ୍‌ଡୱର୍ଗଙ୍କ ଅନୁସାରେ ଯଦି ଅଚାନକ ପୃଥିବୀ ପୃଷ୍ଠରୁ ସବୁ ଭାଇରସ୍‌ ନିଃଶେଷ ‌ହୋଇଯିବେ, ତାହାହେଲେ ପୃଥିବୀର ସବୁ ଜୀବ ମରିବାକୁ ଗୋଟେରୁ ଦେଢ଼ ଦିନ ଲାଗିବ। ଭାଇରସ୍‌ ପୃଥିବୀ ପୃଷ୍ଠରେ ଜୀବନ ସଂଚାଳନ କରାଇବାର ଏକ ଚକ୍ର। ସେଥିପାଇଁ ଏହାର ମନ୍ଦ ଦିଗକୁ ନଜରଅନ୍ଦାଜ କରିବାକୁ ହେବ। ପୃଥିବୀରେ ଏବେ କେତେ ପ୍ରକାର ଭାଇରସ୍‌ ଅଛନ୍ତି, ତାହା ଠିକ୍‌ ଭାବେ ଜଣାନାହିଁ। ଅଧିକା˚ଶ ଭାଇରସ୍‌ ମଣିଷ ଶରୀରରେ ରୋଗ ସୃଷ୍ଟି କରି ନଥା’ନ୍ତି। ହଜାର ହଜାର ଏମିତି ଭାଇରସ୍‌ ଅଛନ୍ତି ଯାହା ପୃଥିବୀ ‘ଇକୋ ସିଷ୍ଟମ’ ବା ପରିସଂସ୍ଥା ପରିଚାଳନା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।

ପୃଥିବୀରେ ଭାଇରସ୍‌ ଓ ବାକି ଜୀବ ସନ୍ତୁଳିତ ବାତାବରଣରେ ରହନ୍ତି। ମୃତ୍ୟୁ ନଥିଲେ ଜୀବନ ସମ୍ଭବପର ନୁହେଁ। କାରଣ ଜୀବନ ପୃଥିବୀ ପୃଷ୍ଠରେ ମହଜୁଦ ଥିବା ତତ୍ତ୍ବର ‘ରିସାଇକ୍ଲି˚’ ବା ‘ପୁନଃଚକ୍ରଣ’ ଉପରେ ନିର୍ଭର କରେ। ଏହି କାର୍ଯ୍ୟ ଭାଇରସ ଦ୍ବାରା ସଂପାଦିତ ହୋଇଥାଏ। କେତେକ ଭାଇରସ୍‌ ସ˚କ୍ରମଣ ବିଶେଷ ପ୍ରକାର ରୋଗାଣୁ ବା ସୂକ୍ଷ୍ମଜୀବ ଠାରୁ ଶରୀରକୁ ରକ୍ଷା କରେ। ଡେଙ୍ଗୁ ପାଇଁ ଦାୟୀ ଭାଇରସ୍‌ ସହ ଦୂର ସମ୍ବନ୍ଧ ରଖୁଥିବା ଜିବି ଭାଇରସ ଏମିତି ଏକ ଭୂତାଣୁ। ଏଥିରେ ସ˚କ୍ରମିତ ବ୍ୟକ୍ତିଙ୍କ ଠାରେ ଏଡ୍‌ସ ବ୍ୟାପି ନ ଥାଏ। ଏ ଭାଇରସ୍‌ ମଣିଷ ଶରୀରରେ ଥିଲେ ଇବୋଲା ଜନିତ ମୃତ୍ୟୁ ଆଶଙ୍କା କମିଯାଏ। ହର୍ପିଜ ଭାଇରସ୍‌ ପ୍ଲେଗ୍‌ ଓ ଲିଷ୍ଟେରିଆ ରୋଗରୁ ରକ୍ଷା କରିଥାଏ। ଭାଇରସ୍‌ କେତେକ ରୋଗ ସହ ଲଢ଼େଇ କରିବା ପାଇଁ ଔଷଧ ହୋଇପାରେ। ୧୯୨୦ରେ ସୋଭିଏତ ରୁଷରେ ଏ ସଂଦର୍ଭରେ ଅନେକ ଗବେଷଣା ହୋଇଥିଲା। ଏବେ ବୈଜ୍ଞାନିକମାନେ ପୁଣି ଭାଇରସ୍‌ ଥେରାପି ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଗବେଷକମାନେ ବିଶ୍ବାସ କରନ୍ତି ଯେ ରୋଗ ବ୍ୟାପ୍ତ କରୁଥିବା ବ୍ୟାକ୍େ‌ଟରିଆ ଏପରିକି କ୍ୟାନ୍‌ସରର ମୁକାବିଲା କରିବା କାମରେ ଭାଇରସ୍‌ ସାହାଯ୍ୟ କରିପାରେ। ଭାଇରସ୍‌ ଜରିଆରେ ତମାମ ରୋଗର ନୂଆ ପିଢ଼ି ଔଷଧ ପ୍ରସ୍ତୁତ କରାଯାଇପାରିବ। କାରଣ ଭାଇରସ କ୍ରମାଗତ ବଦଳି ଥାଏ। ଏଥିପାଇଁ ସେମାନଙ୍କ ପାଖରେ ଜେନେଟିକ୍‌ ତଥ୍ୟର ଭଣ୍ତାର ଥାଏ, ଯାହାର ଉପ‌େଯାଗ ନୂତନ ଔଷଧ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପାରିବ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର