ପାକିସ୍ତାନ-ଆତଙ୍କବାଦ-କଳାତାଲିକା

ଆନ୍ତର୍ଜାତିକୀ - ଅଭୟ ଦ୍ବିବେଦୀ

‘କଳାଧନ କାରବାର ଏବ˚ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ରୋକିବା ଦିଗରେ ଦେଶର ଶାସନ ବ୍ୟବସ୍ଥାରେ ଯେଉଁ ସମସ୍ତ ଦୁର୍ବଳତା ରହିଛି, ‘ଫାଇନାନ୍‌ସିଆଲ୍‌ ଆକ୍‌ସନ ଟାସ୍‌କ ଫୋର୍ସ’ (ଏଫ୍‌ଏଟିଏଫ୍‌) ଏବ˚ ‘ଏସିଆ ପାସିଫିକ୍‌ ଗ୍ରୁପ୍‌’ (ଏପିଜି) ମିଳିତ ସହଯୋଗରେ ତାହା ଦୂର କରିବା ପାଇଁ ୨୦୧୮ ମସିହା ଜୁନ୍‌ ମାସରେ ପାକିସ୍ତାନ ଦୃଢ଼ ରାଜନୈତିକ ଇଚ୍ଛା ପ୍ରଦର୍ଶନ କରିଛି। ଏହି ଲକ୍ଷ୍ୟ ପୂରଣ ଦିଗରେ ଦଶଟି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ପରାମର୍ଶ ଦିଆଯାଇଛି।’ ଏହା ହେଉଛି ୨୦୧୮ ମସିହା ଜୁନ୍‌ ୨୭-୨୯ ତିନି ଦିନ ବ୍ୟାପୀ ପ୍ୟାରିସ୍‌ରେ ଅନୁଷ୍ଠିତ ‘ଏଫ୍‌ଏଟିଏଫ୍‌’ର ପୂର୍ଣ୍ଣାଙ୍ଗ ଅଧିବେଶନରେ ପାକିସ୍ତାନ ସ˚ପର୍କରେ ଗୃହୀତ ପ୍ରସ୍ତାବର କିଛି ଅ˚ଶ। ଶାସନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି, ଦେଶରେ କଳାଧନର ଅବାଧ ପ୍ରସାରଣ ଏବ˚ ଆତଙ୍କବାଦକୁ ପ୍ରୋତ୍ସାହନ ଆଧାରରେ ‘ଏଫ୍‌ଏଟିଏଫ୍‌’ର ଏହି ଅଧିବେଶନରେ ପାକିସ୍ତାନକୁ ଧୂସର ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୯ ଓ ୨୦ ମସିହାରେ ସମୀକ୍ଷା ପରେ ସ୍ଥିତିରେ ସୁଧାର ଆସି ନ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଧୂସର ତାଲିକାରେ ଅଛି। ଚଳିତ ମାସରେ ଆଉ ଏକ ସମୀକ୍ଷାର ସମ୍ଭାବନା ରହିଛି। କଳାଧନ କାରବାରକୁ ପ୍ରୋତ୍ସାହନ ଏବ˚ ଆତଙ୍କବାଦୀଙ୍କୁ ସହାୟତା ଆଧାରରେ ପ୍ରଥମ ଥର ୨୦୦୮ ମସିହାରେ ‘ଏଫ୍‌ଏଟିଏଫ୍‌’, ପାକିସ୍ତାନକୁ ଧୂସର ତାଲିକାଭୁକ୍ତ କରିଥିଲା। ସେବେ ଠାରୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଥିଲେ ମଧୢ ପାକିସ୍ତାନ ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ଆଗାମୀ ସମୀକ୍ଷାରେ ଯଦି ଏହି ସ୍ଥିତି ଅପରିବର୍ତ୍ତିତ ରହେ, ତେବେ ପାକିସ୍ତାନ କଳା-ତାଲିକାଭୁକ୍ତ ହେବା ସୁନିଶ୍ଚିତ।

୧୯୮୯ ମସିହାରେ ପ୍ୟାରିସ୍‌ରେ ଅନୁଷ୍ଠିତ ଜି-୭ ରାଷ୍ଟ୍ର ସମୂହର ବାର୍ଷିକ ଅଧିବେଶନରେ ବିଶ୍ବରେ ‘ଅର୍ଥନୈତିକ ଅପରାଧ’ ରୋକିବା ନିମନ୍ତେ ‘ଫାଇନାନ୍‌ସିଆଲ୍‌ ଆକ୍‌ସନ ଟାସ୍‌କ ଫୋର୍ସ’ (‘ଏଫ୍‌ଏଟିଏଫ୍‌’) ନାମକ ଏକ ସ˚ସ୍ଥା ଗଠନ କରାଯାଇଥିଲା। ଏଥିରେ ଜି-୭ ରାଷ୍ଟ୍ର: କାନାଡା, ଫ୍ରାନ୍‌ସ, ଜର୍ମାନି, ଇଟାଲି, ଜାପାନ, ଇ˚ଲଣ୍ତ, ଆମେରିକା, ୟୁରୋପୀୟ ସ˚ଘ ଏବ˚ ଆହୁରି ଆଠଟି ରାଷ୍ଟ୍ର ସହିତ ସମୁଦାୟ ୧୬ଟି ଦେଶ ସଦସ୍ୟ ରହିଥିଲେ। ୨୦୧୦ ମସିହାରେ ଭାରତ ଏହାର ସଦସ୍ୟ ହେଲା। ବର୍ତ୍ତମାନ ଏହି ସ˚ସ୍ଥାର ସମୁଦାୟ ସଦସ୍ୟ ସ˚ଖ୍ୟା ୩୯। ଆଦ୍ୟ କାଳରେ କଳା ଟଙ୍କା ପ୍ରସାରଣ ପ୍ରତିହତ କରିବା ଥିଲା ଏହାର ଆଭିମୁଖ୍ୟ। ଏଥି ନିମନ୍ତେ ୧୯୯୦ ମସିହାରେ ସ˚ସ୍ଥା ତରଫରୁୁ ୪୦ଟି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା। ୨୦୦୧ ସେପ୍‌ଟେମ୍ବର ୧୧ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦକୁ ଆର୍ଥିକ ଅପରାଧ ସହିତ ଯୋଡ଼ି ଦିଆଗଲା। ଆର୍ଥିକ ଅପରାଧ ମାନଦଣ୍ତରେ ‘ଏଫ୍‌ଏଟିଏଫ୍‌’ ତରଫରୁ କଳା ଏବ˚ ଧୂସର- ଏହି ଦୁଇ ଶ୍ରେଣୀର ତାଲିକା ପ୍ରସ୍ତୁତ କରାଯାଏ। ଯେଉଁ ଦେଶ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ କଳାଧନ କାରବାରରେ ଲିପ୍ତ ଥାଆନ୍ତି, ସେମାନେ କଳା-ତାଲିକାଭୁକ୍ତ ହୁଅନ୍ତି। ବାରମ୍ବାର ତାଗିଦା  ସତ୍ତ୍ବେ  ସେମାନଙ୍କ କାର୍ଯ୍ୟକଳାପରେ ସୁଧାର ଆସି ନ ଥିଲେ ସେମାନଙ୍କୁ ‘ଅସହଯୋଗୀ ରାଷ୍ଟ୍ର’ ବୋଲି ଆଖ୍ୟା ଦିଆଯାଇଥାଏ। ଅବାଧ କଳାଧନ ପ୍ରସାରଣ ସହିି‌ତ ଆତଙ୍କବାଦୀଙ୍କ ନିମନ୍ତେ ନିରାପଦ ଆଶ୍ରୟସ୍ଥଳୀ ବିବେଚିତ ରାଷ୍ଟ୍ର, ଧୂସର ତାଲିକା ଅନ୍ତର୍ଭୁକ୍ତ ହୋଇଥାଏ। ବର୍ତ୍ତମାନ ଉତ୍ତର କୋରିଆ ଓ ଇରାନ କଳା-ତାଲିକାଭୁକ୍ତ ଥିବା ବେଳେ ଧୂସର ତାଲିକାରେ ଅଛନ୍ତି ୧୮ଟି ରାଷ୍ଟ୍ର।  ଏ  ପରିପ୍ରେକ୍ଷୀରେ ଯଦି ପାକିସ୍ତାନ ସ୍ଥିତିରେ ସୁଧାର ନ ଆଣେ, ତେବେ ତାହା  ବିଶ୍ବ ବ୍ୟାଙ୍କ୍‌, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆଦି ଅନ୍ତର୍ଜାତୀୟ ବିତ୍ତୀୟ ସ˚ସ୍ଥା ତରଫରୁ ଆଉ ଆର୍ଥିକ ଅନୁଦାନ ପାଇବା ସହଜ ହେବନାହିଁ। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ସ˚ପୂର୍ଣ୍ଣ ଧ୍ବ˚ସ ପାଇଯାଇପାରେ।

ଉଗ୍ରବାଦୀ ସ˚ଗଠନ କବଳରୁ ଦେଶକୁ ମୁକ୍ତ କରିବା, ପାକିସ୍ତାନ ସରକାରଙ୍କ ପକ୍ଷେ ଅସମ୍ଭବ ନ ହେଲେ ମଧୢ କଷ୍ଟସାଧୢ। ଜନ୍ମ ମୁହୂର୍ତ୍ତରୁ ସତେ ଯେମିତି ଆତଙ୍କବାଦୀଙ୍କ ସହିତ ପାକିସ୍ତାନର ସ˚ପର୍କ ଯୋଡ଼ି ହୋଇଯାଇଛି। ‘ଏଫ୍‌ଏଟିଏଫ୍‌’ ତରଫରୁ ୨୦୨୦ ମସିହା ଫେବ୍ରୁଆରି ମାସରେ କଳାଧନ ଓ ଆତଙ୍କବାଦ ବିଲୋପ ନିମନ୍ତେ ପାକିସ୍ତାନର କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା। ଏଥି ନିମନ୍ତେ ଯେଉଁ ୨୭ଟି ବିଷୟ ନିର୍ଦ୍ଧାରିତ ହୋଇଥିଲା, ସେଥି ମଧୢରୁ ପାକିସ୍ତାନ ୧୪ଟିରେ ସଫଳତା ହାସଲ କରିଥିବା ବେଳେ, ୧୧ଟିରେ ଆ˚ଶିକ ସଫଳତା ଓ ଦୁଇଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର- ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଏବ˚ କଳାଧନ ପ୍ରସାରଣ ରୋକିବା ଦିଗରେ ସ˚ପୂର୍ଣ୍ଣ ବିଫଳ ହୋଇଛି। ଏହି ସମୀକ୍ଷା ବୈଠକରେ ପାକିସ୍ତାନକୁ ଆଠଟି ଦିଗ ପ୍ରତି ଯତ୍ନବାନ ହେବା ସହ ସେ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଅସଲ କଥାଟି ହେଉଛି- ଆତଙ୍କବାଦୀ ସ˚ଗଠନ ଯେଉଁ ଉତ୍ସରୁ ଅର୍ଥ ସ˚ଗ୍ରହ କରୁଛନ୍ତି, ତାହା ଚିହ୍ନଟ କରି ନିୟନ୍ତ୍ରଣ କରିବାରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାର ମୁଖ୍ୟ  କାରଣ ହେଉଛି- ପାକିସ୍ତାନ ସରକାର ଓ ସେନା ସହିତ ଆତଙ୍କୀ ସ˚ଗଠନଗୁଡ଼ିକର ଅନ୍ତରଙ୍ଗ ଗୋପନୀୟ ସ˚ପର୍କ ରହିଛି ା ଚଳିତ ବର୍ଷ ଜୁନ୍‌ ମାସରେ ପ୍ରକାଶିତ ଆମେରିକାର ବିଦେଶ ମନ୍ତ୍ରାଳୟର ‘୨୦୧୯ ବିଶ୍ବ ଆତଙ୍କ ରିପୋର୍ଟ’ରେ ଉଲ୍ଲେଖ ଅଛି- ‘ଲସ୍କର-ଏ-ତୈବା ଓ ଜୈସ୍-ଏ- ମହମ୍ମଦ ଆଦି ଆତଙ୍କବାଦୀ ସ˚ଗଠନକୁ ପାକିସ୍ତାନ ନିଜ ମାଟିରେ ଆଶ୍ରୟ ଦେଇ ଭାରତ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି। ସରକାରଙ୍କ ବାରମ୍ବାର ମନା କରିବା ସତ୍ତ୍ବେ ମାସୁଦ ଆଜାର ଓ ସାଜିଦ ମିର ଭଳି କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନରେ ରହିଛନ୍ତି; ଯାହା ଆଉ ଗୋପନୀୟ ନୁହେଁ।’ ପାକିସ୍ତାନର ପ୍ରତିଟି ସରକାର ନିଜକୁ ବଞ୍ଚେଇ ରଖିବା ପାଇଁ ସେନାର ଦୟା ଉପରେ ନିର୍ଭର କରିଥାଏ।  ଏଣେ ସେନା  ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆତଙ୍କବାଦୀ ସ˚ଗଠନକୁ ପ୍ରୋତ୍ସାହନ ଦେଇଥାଏ। ଏହି ସୂତ୍ରରେ ସରକାର, ସେନା ଓ ଆତଙ୍କବାଦୀ ସ˚ଗଠନ ପାକିସ୍ତାନକୁ ନିଜ କବ୍‌ଜାରେ ରଖିବାକୁ ଚାହାନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ଏହି ମର୍ମରେ ଏକ ସାକ୍ଷାତକାରରେ (୨୦୧୮) କହିଥିଲେ- ‘ତିନିଟି ସମାନ୍ତରାଳ ସରକାର ରହିଲେ ଦେଶକୁ ଚଳାଇବା ଅସମ୍ଭବ। ଏହାକୁ ବନ୍ଦ କରିବାକୁ ହେବ। ଦେଶରେ ଉଗ୍ରବାଦୀ ସ˚ଗଠନମାନେ ସକ୍ରିୟ ଅଛନ୍ତି। ସେମାନେ ସରକାରୀ କଳର ଅ˚ଶ ନୁହନ୍ତି। ତଥାପି ଆମେ ସେମାନଙ୍କୁ ସୀମା ପାର ହୋଇ ମୁମ୍ବାଇରେ ୧୫୦ ଜଣଙ୍କ ହତ୍ୟା କରିବା ପାଇଁ କାହିଁକି ଅନୁମତି ଦେଲେ? ରାଓଲପିଣ୍ତି ତଦନ୍ତ ସମାପ୍ତ ହେଲା ନାହିଁ କାହିଁକି?’ ଏହି ପ୍ରଶ୍ନରେ ପାକିସ୍ତାନ ଓ ଆତଙ୍କବାଦ ସଂପର୍କର ଗୂଢ଼ ସୂତ୍ର ନିହିତ।

୨୦୧୯, ଜୁଲାଇ ୨୩ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାଁ ‘ଯୁକ୍ତରାଷ୍ଟ୍ର ଆମେରିକା ଶାନ୍ତି ପ୍ରତିଷ୍ଠାନ’ ଏବ˚ କାପିଟାଲ ହିଲ୍‌ ସମ୍ବର୍ଦ୍ଧନା ସମାରୋହରେ ଉଦ୍‌ବୋଧନ ଦେଉଥିବା ସମୟରେ କହିଥିଲେ- ‘୨୦୧୪ ମସିହା ହେଉଛି ପାକିସ୍ତାନ ଇତିହାସ ଲାଗି ଗୁରୁତ୍ବପୂର୍ଣ୍ଣ। ସେହି ବର୍ଷ ପାକିସ୍ତାନୀ ତାଲିବାନ ଗୋଟିଏ ସେନା ପବ୍ଲିକ ସ୍କୁଲ୍‌ର ୧୫୦ ଜଣ ଛାତ୍ର/ଛାତ୍ରୀଙ୍କୁ ନିର୍ମମ ରୂପେ ହତ୍ୟା କରିଥିଲେ। ଏହି ବିଭୀଷିକା ପରେ ଦେଶର ସମସ୍ତ ରାଜନୈତିକ ଦଳ ଏକ ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ପାକିସ୍ତାନ ଭୂଇଁରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସହମତ ହୋଇଥିଲେ। କିନ୍ତୁ ଏହା କେବଳ ଯୋଜନାରେ ରହିଗଲା। ଏବେ ୪୦ଟି ଆତଙ୍କବାଦୀ ସ˚ଗଠନର ୩୦,୦୦୦-୪୦,୦୦୦ ତାଲିମପ୍ରାପ୍ତ ଆତଙ୍କବାଦୀ, ପାକିସ୍ତାନରେ ରହି ଆଫଗାନିସ୍ତାନ ଓ କାଶ୍ମୀରରେ ଆତଙ୍କ ଚଳାଉଛନ୍ତି।’ ପାକିସ୍ତାନ ସହିତ ଆତଙ୍କବାଦର ସ˚ପର୍କ ଯୋଡ଼ିବା ପାଇଁ ଦେଶର ପୂର୍ବତନ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ- ଏହି ଦୁଇ ଜଣଙ୍କର ବୟାନ ଠାରୁ ଆଉ ଅଧିକ ଗୁରୁତ୍ବପୂର୍ଣ୍ଣ କ’ଣ ଥାଇପାରେ?

‘ଏଫ୍‌ଏଟିଏଫ୍‌’ ଧୂସର ତାଲିକାରୁ ମୁକ୍ତ ହେବା ପାଇଁ ପ୍ରଧାନମନ୍ତ୍ରୀ ଇମରାନ ଖାଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳେଇଛନ୍ତି। ଆତଙ୍କବାଦ ବିଲୋପ ନିମନ୍ତେ ସେ ଯେ ସ˚କଳ୍ପବଦ୍ଧ ଏହା ପ୍ରମାଣ କରିବାକୁ ସେ ଚାହାନ୍ତି। ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଦେଶରେ ଆଶ୍ରୟ ନେଇଥିବା ୮୮ଟି ଉଗ୍ରବାଦୀ ସ˚ସ୍ଥା ଏବ˚ ଦାଉଦ ଇବ୍ରାହିମ, ହାଫିଜ୍‌ ସୟେଦ, ମାସୁଦ୍‌ ଆଜାହାରଙ୍କ ଭଳି କୁଖ୍ୟାତ ଆତଙ୍କବାଦୀଙ୍କ  ନାମ ଠିକଣା ପ୍ରକାଶ କରି ଏମାନଙ୍କ ଉପରେ କଠୋର ଆର୍ଥିକ କଟକଣା ଲାଗୁ ହେଲା ବୋଲି ଅଧିସୂଚନା ଜାରି କରିଛନ୍ତି। ସେପ୍‌ଟେମ୍ବର ମାସରେ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଆତଙ୍କବାଦ ନିପାତ ଓ କଳାଧନ ପ୍ରସାରଣ ଉପରେ କଟକଣା ଲଗାଇବା ପାଇଁ ‘ଏଫ୍‌ଏଟିଏଫ୍‌’ ନିର୍ଦ୍ଦେଶନାମା ଅନୁଯାୟୀ ତିନିଟି ଆଇନ ପ୍ରଣୟନ କରିଛନ୍ତି। ଚୀନ୍‌ର ଜିଆଙ୍ଗମିନ୍‌ ଲିଉ ୨୦୧୯ ଜୁଲାଇରୁ ୨୦୨୦ ଜୁନ୍‌; ଏକ ବର୍ଷ ପର୍ଯ୍ୟନ୍ତ ‘ଏଫ୍‌ଏଟିଏଫ୍‌’ର ଅଧୢକ୍ଷ ଥିଲେ। ସେହି ସମୟରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପର ପ୍ରମାଣ ପ୍ରଦାନ କରିବା ପାଇଁ ପାକିସ୍ତାନକୁ ସର୍ବାଧିକ ସମୟ ପ୍ରଦାନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରୁ ଜର୍ମାନର ମାର୍କସ ପ୍ଲେୟାର ଅଧୢକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ତେଣୁ ଚଳିତ ମାସରେ ପାକିସ୍ତାନ ‘ଏଫ୍‌ଏଟିଏଫ୍‌’ ସାମନାରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବ। ଯଦି ପାକିସ୍ତାନ ଧୂସରରୁ କଳା-ତାଲିକାଭୁକ୍ତ ହୋଇଯାଏ, ତେବେ ଅନ୍ତର୍ଜାତୀୟ ଆର୍ଥିକ ସହାୟତା ବିନା ସେ ଦେଶର ଅର୍ଥନୀତି ବାଲି ଘର ଭଳି ଭୁଶୁଡ଼ି ଯାଇପାରେ। କହିବା ବାହୁଲ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ଏବ˚ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଉକ୍ତି, ପାକିସ୍ତାନକୁ କଳା-ତାଲିକାଭୁକ୍ତ କରିବା ନିମନ୍ତେ ଯଥେଷ୍ଟ ଅଟେ। ଏଥି ସହିତ ଦାଉଦ୍‌ ଇବ୍ରାହିମଙ୍କ ପାକିସ୍ତାନୀ ଠିକଣା ଯୋଡ଼ି ହୋଇଗଲେ ବୋଧହୁଏ ଆଉ କିଛି ପ୍ରମାଣର ଆବଶ୍ୟକତା ପଡ଼ିବ ନାହିଁ।

ଭଦ୍ରାଣୀ, ସାଳନ୍ଦୀ ନଗର, ଭଦ୍ରକ
ମୋ-୯୪୩୭୧୯୧୩୫୦
[email protected]
ସମ୍ବନ୍ଧିତ ଖବର