ଗୋଟିଏ ବହିର ଯାଦୁକରୀ ସ୍ପର୍ଶ

ସୁଜିତ କୁମାର ପୃଷେଠ

ଜୋହାନ୍‍ସବର୍ଗର ରେଳଷ୍ଟେସନ। ଉଷୁମ୍‌ ସକାଳରେ ଜଣେ ବନ୍ଧୁଙ୍କୁ ରେଳ ଷ୍ଟେସନରେ ବିଦାୟ ସହ ଶୁଭେଚ୍ଛା ଦେବାକୁ ପହଞ୍ଚିଥିଲେ ଆଉ ଜଣେ ବନ୍ଧୁ। ରେଳ ଡବାରେ ବସିଲା ପରେ ଦୂର ଆକାଶ ଆଡ଼େ ନଜର ପକେଇ ଥିଲାବେଳେ, ବାହାରେ ଟ୍ରେନ୍‌ ଇଞ୍ଜିନ୍‌ରୁ କଳାରଙ୍ଗର ଘଞ୍ଚ ଧୂଆଁ ବାହାରି ଟ୍ରେନ୍‌ ଛାଡ଼ିବାର ଇଙ୍ଗିତ ଦେଲା। ବାହାରେ ଛିଡ଼ା ହେଇଥିବା ବନ୍ଧୁଜଣକ କହିଲେ, ‘ଟ୍ରେନ୍‌ ଛାଡ଼ିବ। ନିଜର ଯତ୍ନ ନେବ। ହଁ, ଏଇ ରଖ। ଏ ବହିଟାକୁ ପଢ଼ିବ। ଯାତ୍ରାର କ୍ଳାନ୍ତି ଆଉ ବିରକ୍ତି ଦୂର ହେବ।’ ଟ୍ରେନ୍‌ ଭିତରେ ବସିଥିବା ବନ୍ଧୁଙ୍କ ମନ ଉତ୍ସୁକତାରେ ଭରିଗଲା। ବହିଟିକୁ ହାତକୁ ନେଇ ଦେଖିଲେ। କହିଲେ, ‘‘ହଁ, ପଢ଼ିବି।’’

୧୯୦୪ ମସିହାର ଜୁନ୍‌ ମାସର ଛୋଟ ଓ ସାଧାରଣ ଘଟଣା। କିନ୍ତୁ, ସେହି ସାଧାରଣ ଓ ଛୋଟ ଘଟଣାଟି ଅସାଧାରଣ ଏବ˚ ବିରାଟ ରୂପରେ ବିଶ୍ବ ଇତିହାସକୁ ମୋଡ଼ି ଦେଇଥିଲା। ଟ୍ରେନ୍‌ ଭିତରେ ଜୋହାନ୍‌‍ସବର୍ଗରୁ ଡର୍ବାନକୁ ଯାତ୍ରା କରୁଥିଲେ ବାରିଷ୍ଟର ମୋହନ ଦାସ କରମଚାନ୍ଦ ଗାନ୍ଧୀ ଏବ˚ ଟ୍ରେନ୍‌ ଷ୍ଟେସନରେ ତାଙ୍କୁ ଛାଡ଼ିବାକୁ ଆସିଥିଲେ ଘନିଷ୍ଠ ବନ୍ଧୁ ହେନ୍‌ରି ପୋଲକ୍‌। ସେତେବେଳେ ହେନରି ପୋଲକ୍‌ ଜୋହାନ୍‍ସବର୍ଗରୁ ପ୍ରକାଶିତ ‘ଦ କ୍ରିଟିକ୍‌’ର ସମ୍ପାଦନା କରୁଥିଲେ। ଏବ˚ ବହିଟି ଥିଲା Unto This Last। ଲେଖକ ଜନ୍‌ ରସ୍କିନ୍‌।

ବହିଟି ପଢ଼ିବା ଆରମ୍ଭ କଲା ପରେ ଗାନ୍ଧୀଙ୍କ ଆଖିରୁ ନିଦ ଉଭେଇଯାଇଥିଲା। ବହିଟିର ଚିନ୍ତାର ଧାରା ଗାନ୍ଧୀଙ୍କୁ ସମ୍ପୂର୍ଣ୍ଣ ରୂପେ ମୋହାଚ୍ଛନ୍ନ କରି ଦେଇଥିଲା। ଟ୍ରେନ୍ ଯାତ୍ରା ସରିବା ପୂର୍ବରୁ ବହିଟିକୁ ପଢ଼ି ସାରିଦେଇଥିଲେ। ବହିଟିର ପ୍ରଭାବ ଏତେଦୂର ଥିଲା ଯେ ବହିରେ ଥିବା କିଛି ମହତ୍‌ ଚିନ୍ତାକୁ ସେ ସଙ୍ଗେସଙ୍ଗେ ନିଜ ଜୀବନରେ ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ। ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ମହାତ୍ମା ଗାନ୍ଧୀ ହେବାର ସୂତ୍ରପାତ ସେହି କ୍ଷଣରୁ ଅୟମାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ ନିଜ ଆତ୍ମଜୀବନୀରେ ସେହି ଅସାଧାରଣ ବହି ସମ୍ପର୍କରେ ଅବତାରଣା କରିଥିଲେ। ସେହି ଅଧ୍ୟାୟର ଶୀର୍ଷକ ‘ଗୋଟିଏ ବହିର ଯାଦୁକରୀ ପ୍ରଭାବ।’ ଗାନ୍ଧୀଜୀଙ୍କ ଭାଷାରେ, ‘ବହିଟି ପଢ଼ିଲା ପରେ ମୁଁ ବହିର ଚିନ୍ତନ ଅନୁସାରେ ନିଜ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଦୃଢ଼ମନା ହୋଇଥିଲି।’

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ରୂପାନ୍ତରିତ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିବା ଏହି ପୁସ୍ତକ ପ୍ରଥମେ ‘କର୍ଣ୍ଣହିଲ୍‌ ମାଗାଜିନ’ରେ ୧୮୬୦ର ଅଗଷ୍ଟରୁ ଡିସେମ୍ବର ମାସ ଭିତରେ ଚାରି ଭାଗରେ ପ୍ରକାଶିତ ହୋଇଥିଲା। ରସ୍କିନ୍‌ ୧୮୬୨ରେ ତାକୁ ଏକ ପୁସ୍ତକ ରୂପରେ ପ୍ରକାଶିତ କରିଥିଲେ। ପୁଞ୍ଜିବାଦର ମୂଳ ତତ୍ତ୍ବ ଉପରେ ଶାଣିତ ପ୍ରହାର କରି ରସ୍କିନ୍‌ ଏକ ସମତା ଆଧାରିତ ‘ସାମାଜିକ-ଅର୍ଥନୀତି’ର ପ୍ରସ୍ତାବନା ତାଙ୍କ ବହିରେ ରଖିଥିଲେ। ବିଶ୍ବରେ ‘ସାମାଜିକ-ଅର୍ଥନୀତି’କୁ ନେଇ ଯେତେ ବୈଚାରିକ ଉତ୍କର୍ଷ ପ୍ରଦର୍ଶିତ ହୋଇଛି, ସେସବୁ ମଧୢରେ ରସ୍କିନ୍‌ଙ୍କ ଚିନ୍ତନ ଅଗ୍ରଗଣ୍ୟ। ପରବର୍ତ୍ତୀ ସମୟରେ ଏହି ପୁସ୍ତକ ସମ୍ପର୍କରେ ଗାନ୍ଧୀଜୀ ଲେଖିଥିଲେ, ‘ବହିରେ ମୋ ଅନ୍ତରର କିଛି ଦୃଢ଼ ଚିନ୍ତନ ସବୁର ପ୍ରତିଫଳନ ହୋଇଥିଲା।’ ରସ୍କିନ୍‌ଙ୍କ ‘ସାମାଜିକ-ଅର୍ଥନୀତି’ର ତିନିଟି ଅବଧାରଣା ଗାନ୍ଧୀଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ସେସବୁ ହେଲେ, (୧) ଜଣେ ବ୍ୟକ୍ତିର କଲ୍ୟାଣ ବା ପ୍ରଗତି ସମସ୍ତଙ୍କ କଲ୍ୟାଣ ବା ପ୍ରଗତି ଭିତରେ ସମାହିତ, (୨) ସମାନ ସମୟର ପରିଶ୍ରମ ପାଇଁ ସମାନ ପାରିଶ୍ରମିକ, (୩) ପରିଶ୍ରମ ଆଧାରିତ ଜୀବନ ହିଁ ଉତ୍କୃଷ୍ଟ ଜୀବନ।

ଗାନ୍ଧୀଜୀ ଥିଲେ ଦୃଢ଼ମନା। ରସ୍କିନ୍‌ଙ୍କ ପୁସ୍ତକ ଦ୍ବାରା ପ୍ରଭାବିତ ହୋଇ ତହିଁରେ ଥିବା ମହତ୍‌ ଚିନ୍ତନ ସବୁକୁ ବ୍ୟାବହାରିକ ରୂପ ଦେବା ପାଇଁ ସେ ଏକ ସ୍ବତନ୍ତ୍ର ବସତି ଆରମ୍ଭ କରିଥିଲେ, ଯାହାର ନାମ ଥିଲା ‘ଫିନିକ୍‌ସ ସେଟଲ୍‌ମେଣ୍ଟ’। ମୃତ୍ୟୁ ଉପରେ ଜୀବନର ବିଜୟର ପ୍ରତୀକ ‘ଫିନିକ୍‌ସ’ ହେଉଛି ଗ୍ରୀକ୍‌ ପୁରାଣରେ ବର୍ଣ୍ଣିତ ପକ୍ଷୀ ଯାହା ନିଜ ପାଉଁଶରୁ ପୁଣି ଜିଇ ଉଠୁଥିଲା। ଡର୍ବାନ୍‌ରୁ ଚଉଦ ମାଇଲ ଦୂରରେ ଥିବା ପିଏଜାଙ୍ଗ୍‌ ନଦୀ ପାର୍ଶ୍ବବର୍ତ୍ତୀ ଜାଗାରେ ଶହେ ଏକର ପରିମିତ ଜମି କିଣି ସେଠାରେ ଆରମ୍ଭ ହୋଇଥିଲା ‘ଫିନିକ୍‌ସ’ ବସତି। ଗାନ୍ଧୀଜୀଙ୍କ ଦ୍ବାରା ପ୍ରତିଷ୍ଠିତ ପତ୍ରିକା ‘ଇଣ୍ତିଏନ୍‌ ଓପିନିଅନ୍‌’ ଫିନିକ୍‌ସ ସେଟଲମେଣ୍ଟ’ରୁ ପରିଚାଳିତ ହେଲା।

ଗାନ୍ଧୀଜୀଙ୍କ ବୈପ୍ଳବିକ ସାମାଜିକ ତଥା ଅର୍ଥନୈତିକ ଚିନ୍ତନର ମୂଳଦୂଆ ‘ଫିନିକ୍‌ସ ସେଟଲମେଣ୍ଟ’ ଠାରୁ ଆରମ୍ଭ ହୋଇଥିଲା। ଗାନ୍ଧୀଜୀ ୧୯୦୮ ବେଳକୁ ରସ୍କିନ୍‌ଙ୍କର ବହିକୁ ଗୁଜୁରାଟୀ ଭାଷାରେ ଅନୁବାଦ କରି ତା’ ନାଁ ରଖିଥିଲେ ‘ସର୍ବୋଦୟ।’

‘ଫିନିକ୍‌ସ ସେଟଲମେଣ୍ଟ’ ଗାନ୍ଧୀଜୀଙ୍କ ବୈଚାରିକ ଉତ୍ତରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲେଇଥିଲା। ଜୀବନଧାରଣରେ ଶାରୀରିକ ପରିଶ୍ରମକୁ ପ୍ରାଧାନ୍ୟ, ସରଳ ଜୀବନ ଏବ˚ ସହଯୋଗିତା ଇତ୍ୟାଦି ଚିନ୍ତନ ଦ୍ବାରା ‘ଫିନିକ୍‌ସ ସେଟଲମେଣ୍ଟ’ରେ ଅନ୍ତେବାସୀମାନେ ଜୀବନ ନିର୍ବାହ କରୁଥିଲେ। ଏହିଠାରେ ବହୁ ସମୟ କସ୍ତୁରବା ତଥା ତାଙ୍କ ପୁତୁରା ଏବ˚ ପିଲାମାନେ ହେନରି ପୋଲକ୍‌ ଏବ˚ ତାଙ୍କ ସ୍ତ୍ରୀଙ୍କ ସହିତ ମିଶି ରହୁଥିଲେ। ୧୯୧୪ରେ ଗାନ୍ଧୀଜୀଙ୍କ ଅନ୍ତରଙ୍ଗ ବନ୍ଧୁ ଚାର୍ଲସ ଫ୍ରିୟର‌୍‌ ଏଣ୍ତ୍ରୁଜ୍‌ ‘ଫିନିକ୍‌ସ ସେଟଲମେଣ୍ଟ’ ପରିଦର୍ଶନ କରି ‘ମଡର୍ଣ୍ଣ ରିଭ୍ୟୁ’ ପତ୍ରିକାର ମଇ ୧୯୧୪ ସ˚ଖ୍ୟାରେ ‘ମିଷ୍ଟର ଗାନ୍ଧୀ ଏଟ୍‌ ଫିନିକ୍‌ସ’ ନାମକ ତାଙ୍କ ଲେଖାରେ ଲେଖିଥିଲେ ଯେ ଆର୍ଯ୍ୟାବର୍ତ୍ତର ତପୋବନ ସିଦ୍ଧାନ୍ତରେ ଆଧାରିତ ‘ଫିନିକ୍‌ସ ସେଟଲମେଣ୍ଟ’ ହେଉଛି ଘଞ୍ଚ ଅରଣ୍ୟ ଭିତରେ ଏକ ଆଶ୍ରମ। ଏଠାରେ ଗୁରୁ ଏବ˚ ‘ଚେଲା’ମାନେ ସ୍ବତନ୍ତ୍ର ଜୀବନ ଜିଉଛନ୍ତି।

ଗାନ୍ଧୀଜୀ ‘ଫିନିକ୍‌ସ ସେଟଲମେଣ୍ଟ’ ଆରମ୍ଭ କଲାବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ଚଉତିରିଶ। ଆଧୢାତ୍ମିକ ଚିନ୍ତନ ସାଙ୍ଗକୁ ବିକଳ୍ପ ଅର୍ଥନୀତିର ସମନ୍ବୟ କରି ଗାନ୍ଧୀଜୀ ପରୀକ୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ, ‘ଫିନିକ୍‌ସ ସେଟଲମେଣ୍ଟ’ର ଅନୁଭୂତି ତଥା ଅଭିଜ୍ଞତା ଗାନ୍ଧୀଜୀଙ୍କୁ ଟଲଷ୍ଟୟ ଆଶ୍ରମ, ସାବରମତୀ ଆଶ୍ରମ ତଥା ସେବାଗ୍ରାମ ଆଶ୍ରମକୁ ପରିଚାଳନା କରିବାରେ ଖୁବ୍‌ ସହାୟକ ହୋଇଥିଲା।

ରସ୍ମିନ୍‌ଙ୍କ ‘ଅନ୍‌‍ଟୁ ଦି ଲାଷ୍ଟ’ର ସର୍ବକାଳୀନ ଆବେଦନ ଏତେ ପ୍ରଖର ଥିଲା ଯେ ବହୁ ସମୟରେ ଗାନ୍ଧୀଜୀ ବିଭିନ୍ନ ସଭାସମିତିରେ ତଥା ବ୍ୟକ୍ତିଗତ ଚିଠି ମାଧୢମରେ ତା’ର ଶ୍ରଦ୍ଧାମୟ ଉଲ୍ଲେଖ କରିଛନ୍ତି। ପୁନେ ଠାରେ ଆୟୋଜିତ କନ୍‌ଫରେନ୍‌ସରେ ଗାନ୍ଧୀଙ୍କ ଉକ୍ତି ବେଶ୍‌ ପ୍ରଣିଧାନଯୋଗ୍ୟ। ସେ କହିଥିଲେ, ‘ମଣିଷ ସମାଜକୁ ସମାନତା ଏବ˚ ଭ୍ରାତୃତ୍ବଭାବ ଦିଗରେ ବଢ଼ିବାକୁ ହେଲେ ‘ଅନ୍‌‍ଟୁ ଦି ଲାଷ୍ଟ’ର ମହତ୍‌ ଚିନ୍ତନକୁ ଆପଣେଇବାକୁ ପଡ଼ିବ- ଯାହା ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଛି।’

୧୯୨୧ ମସିହାରେ ବ୍ରିଟେନର ପ୍ରସିଦ୍ଧ ପତ୍ରିକା ‘ସ୍ପେକ୍ଟେଟର୍’ର ସମ୍ପାଦକ ଏଭିଲିନ୍‌ ରେ˚ଚ୍‌ ଜାଣି ବୁଝି ଗାନ୍ଧୀଜୀଙ୍କୁୁ ପ୍ରଶ୍ନ କରିଥିଲେ ଯେ କେଉଁ ପୁସ୍ତକ ତାଙ୍କୁ ବେଶି ପ୍ରଭାବିତ କରିଛି ଅଥବା ତାଙ୍କ ଜୀବନପଥକୁ ନିର୍ଣ୍ଣାୟକ ମୋଡ଼ ଦେଇଛି? ତାଙ୍କର ଆଶା ଥିଲା ଗାନ୍ଧୀଜୀ କିଛି ଭିନ୍ନ ଉତ୍ତର ଦେବେ। କିନ୍ତୁ, ଗାନ୍ଧୀଜୀ ଖୁବ୍‌ ନିରଳସ ଏବ˚ ସ୍ପଷ୍ଟତା ସହକାରେ ଉତ୍ତର ଦେଇଥିଲେ, ‘ରସ୍କିନ୍‌ଙ୍କ କୃତି ‘ଅନ୍‌‍ଟୁ ଦି ଲାଷ୍ଟ’ ମୋତେ ମୋ ଜୀବନଯାତ୍ରାର ଶୈଳୀକୁ ପରିବର୍ତ୍ତନ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲା।’

ମୋ:୯୮୬୮୭୬୬୭୦୫

ସମ୍ବନ୍ଧିତ ଖବର