ମହାମାରୀରୁ ମହାଶିକ୍ଷା

ପ୍ରଫେସର ଗଣେଶୀ ଲାଲ

ଗୋଟେ ଭୂତାଣୁ ଭୀତତ୍ରସ୍ତ କରି ରଖିଛି ସାରା ମାନବ ସମାଜକୁ। ମଣିଷ ଏଯାଏଁ ଜାଣିପାରୁନି ତା’ର ଉତ୍ସ ଓ ଉଦ୍ଦେଶ୍ୟ। ତଥାକଥିତ ଜ୍ଞାନ ବିଜ୍ଞାନ ଓ ବୈଷୟିକ ପ୍ରଗତି ପ୍ରାୟ ପରାହତ। ଅକଥନୀୟ ଯନ୍ତ୍ରଣା ଭୋଗୁଛି ମଣିଷ ଜାତି। ଅହଙ୍କାର ଧୂଳିସାତ୍‌। କେତେ ଯେ ମଣିଷମରା ଅସ୍ତ୍ରଶସ୍ତ୍ର ସାଇତି ରଖିଥିଲା; ଗୋଟେ ଭୂତାଣୁ ସାମ୍ନାରେ ଦିଶୁଛି କାକୁସ୍ଥ, ଭୟାର୍ତ୍ତ ଓ ନିରସ୍ତ୍ର। ଏ କଥା ସତ୍ୟ ଯେ ମଣିଷ ଅପରାଜେୟ। ତା’ର ସଭ୍ୟତାର ଯାତ୍ରା ପଥରେ ଏମିତି ଅନେକ ବାଧା ବିଘ୍ନ ଆସିଛି ଏବ˚ ସେ ତାକୁ ଅତିକ୍ରମ କରି ଆଗେଇ ଚାଲିଛି। ଏ ସମୟ ମଧ୍ୟ ଚାଲିଯିବ ଏବ˚ ମଣିଷ ଆହୁରି ସଶକ୍ତ ଓ ତେଜୀୟାନ ହୋଇ ପୃଥିବୀ ପୃଷ୍ଠରେ ବିଚରଣ କରିବ।

ଏବେ ସମୟକୁ ଦୁଇ ଭାଗରେ ବିଭକ୍ତ କରିହେବ : କରୋନା ପୂର୍ବବର୍ତ୍ତୀ ସମୟ ଓ କରୋନା ପରବର୍ତ୍ତୀ ସମୟ। ପୃଥିବୀ ଆଉ ଆଗଭଳି ରହିବନି; ଅନେକ ପରିବର୍ତ୍ତନ ଆସିବ ଯାହା ବେଶ କିଛି କାଳ ଧରି ପ୍ରବାହିତ ହେବ। ଜୀବନ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅର୍ଥନୀତି, ରାଜନୀତି, ସ˚ସ୍କୃତି, ସମାଜନୀତି ଆଦି ସବୁ କ୍ଷେତ୍ରରେ ପରିବର୍ତ୍ତନ ନୂତନ ପଥରେ ପରିଣତ ହେବ। ପରିବର୍ତ୍ତନର ଅନେକ ଆଭାସ ଓ ଉପକ୍ରମ ଆରମ୍ଭ ହେଇଗଲାଣି ଯାହା ଆମର ଚିନ୍ତା, ଚେତନା, ଜୀବନଶୈଳୀ ଓ ଜୀବନାଦର୍ଶକୁ ସ୍ପର୍ଶ କଲାଣି। ପରିବର୍ତ୍ତନ ହିଁ ଏକମାତ୍ର ନିତ୍ୟ ଯାହାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ।

ବିପତ୍ତି ତ ସ୍ଥିତାବସ୍ଥାକୁ ଧ୍ବ˚ସ କରେ; ଭୟଙ୍କର କ˚ପନ ସୃଷ୍ଟି କରେ; ତେବେ ତା’ ଗର୍ଭରେ ଥାଏ ସ˚ପତ୍ତି, ଚରୈବେତିର ମହାର୍ଘ ସୂତ୍ର। ଏହାକୁ ହାସଲ କରି ଅନ୍ଧାରରୁ ଆଲୋକ ଅଭିମୁଖେ ଗତି କରିବା ହେଉଛି ଜୀବନ। ଜୀବନ ବାସ୍ତବରେ ମୃତ୍ୟୁଞ୍ଜୟ। ହୁଏତ କେବେକେବେ ଅନ୍ଧାରର ସୁଡ଼ଙ୍ଗ ଭିତରେ ପଶି ମୃତ୍ୟୁର କଳ୍ପନାକୁ ସତ୍ୟ ରୂପେ କିଛି କାଳ ଉପସ୍ଥାପିତ କରିପାରେ। ସ˚ପ୍ରତି କରୋନା ମହାମାରୀର ଧ୍ବ˚ସସ୍ତୂପ ମଧ୍ୟରେ କେତୋଟି ଅପୂର୍ବ ଦୀପ୍ତି ଓ ଦ୍ୟୁତିର ରତ୍ନ ଦୃଶ୍ୟମାନ ହେଉଛି ଯାହା ଆମର ଧ୍ୟେୟ ହେବା ଦରକାର। ବିଶ୍ବ ମହାମାରୀ କରୋନା ଆତ୍ମଚିନ୍ତନ ଓ ଆତ୍ମ ସମୀକ୍ଷା ପାଇଁ ଅବସର ଆଣି ଦେଇଛି। ଅତଏବ ଉତ୍ତର ପାଖରେ ପହଞ୍ଚିବା ବାଟରେ ଅଟକେଇ ଅତୀତର ସ୍ବପାନ ଗୁଡ଼ିକର ପୁନଃ ନିରୀକ୍ଷଣ ଓ ପୁନଃ ତର୍ଜମାର ପରିବେଶ ସୃଷ୍ଟି କରିଛି। ମୋଟ ଉପରେ ଭ୍ରମ ସ˚ଶୋଧନ ପାଇଁ ସୁଯୋଗ ଦେଇଛି। ଏବ˚ ସୁଯୋଗର ଉପଯୋଗ ନ କରି ଭ୍ରମ ସ˚ଶୋଧନ ନକଲେ ଆଗକୁ ଆହୁରି ଯେ ଭୟାନକ ପରିିସ୍ଥିତି ସୃଷ୍ଟି ହେବ ଏହା ଜଳ ଜଳ ଦିଶିଯାଉଛି।

ସବୁ କ’ଣ ଠିକ୍‌ ଥିଲା? ପୃଥିବୀ କ’ଣ ଠିକ୍‌ ବାଟରେ ଚାଲୁଥିଲା? ରୋଗର ଉପସର୍ଗ ଆଗରୁ ପ୍ରକାଶ ପାଉଥିଲା। ଏବ˚ ତାକୁ ଅଣଦେଖା ଅବହେଳା କରିବାର ଫଳ ଏବେ ଭୋଗିବାକୁ ପଡ଼ୁଛି। ଯଦି ସବୁ ଠିକ୍‌ଠାକ୍‌ ଥିଲା; ତେବେ ବୈଜ୍ଞାନିକ ଷ୍ଟିଫେନ୍‌ ହକି˚ଗ୍‌ କାହିଁକି କହୁଥିଲେ ଯେ ଏ ଗ୍ରହ (ପୃଥିବୀ) ଆଉ ବେଶୀ ଦିନ ତିଷ୍ଠିବା ଭଳି ଲାଗୁନି, ମଣିଷର ବସବାସ ପାଇଁ ଆଉ ଏକ ଗ୍ରହ ଖୋଜିବା ଦରକାର। କାହିଁକି ଖଗୋଳ ବିଜ୍ଞାନୀ କର୍ଲ ସଗନ୍‌ ୩୦ରୁ ଊର୍ଦ୍ଧ୍ବ ନୋବେଲଲରେଟ୍‌, ବୈଜ୍ଞାନିକ, ଦାର୍ଶନିକମାନଙ୍କୁ ନେଇ ଆଧ୍ୟାତ୍ମିକ ମାର୍ଗଦର୍ଶକମାନଙ୍କୁ ଅନୁରୋଧ କରୁଥିଲେ ପୃଥିବୀକୁ ରକ୍ଷା କରିବାକୁ!

ମଣିଷ ପ୍ରାୟ ନିଜେ ନିଜଠି ରହୁନଥିଲା। ନିଜଠୁ ଦୂରରେ ବୁଲୁଥିଲା। ସେ ଆତ୍ମିକ ଭାବରେ ନୁହେଁ, ଆଙ୍ଗିକ ଭାବରେ ଜୀବନ ଜିଉଁଥିଲା। ସେ ଶରୀର ସହ ଖେଳୁଥିଲା, ଆତ୍ମା ସହ ନୁହେଁ। ତେଣୁ ‘ମୁଁ’ ଓ ‘ମୋର’ ଭାବକୈନ୍ଦ୍ରିକ ଥିଲା ଜୀବନର ଗତି, ଯାହା ହିଁ ଦୁର୍ଗତିର ପହିଲା ପ୍ରସ୍ତୁତି। ପ˚ଚଭୂତରେ ଗଢ଼ା ଶରୀର ଏବ˚ ସେହି ପ˚ଚଭୂତ (ଜଳ, ବାୟୁ, ଅଗ୍ନି, ମାଟି, ଆକାଶ) କୁ ପ୍ରଦୂଷିତ କରୁଥିଲା। ଏହି ତାମସିକତା ହିଁ ଆଜିର ଅସୁସ୍ଥତାର କାରଣ।

କରୋନା ମହାମାରୀକାଳୀନ ପୃଥିବୀରେ ମଣିଷ ନିଜ ପାଖକୁ ଫେରିବା ଆରମ୍ଭ କରିଛି। ନିଜ ପାଖକୁ ଫେରିବା ପ୍ରକ୍ରିୟାରେ ସେ ବେଶୀ ପ୍ରସାରିତ ହୋଇପାରିଛି। ‘ଆତ୍ମବତ୍‌ ସର୍ବେ ଭୂତେଷୁ’ର ଚେତନା ତାକୁ ଉତ୍ତୋଳିତ କରିଛି। ଲକ୍ଷ୍ୟ କରିବାର କଥା ଯେ କରୋନା ପୃଥିବୀ ସାରା ମଣିଷକୁ ଯେମିତି ଖୋଜିବୁଲୁଛି। ତା’ ପାଖରେ କୌଣସି ଉଚ୍ଚ ନୀଚ ବାଛବିଚାର ନାହିଁ। ଏହି ଦୁର୍ଭାଗ୍ୟ ପ୍ରକାରାନ୍ତରେ ପୃଥିବୀ ପୃଷ୍ଠରେ ସମସ୍ତ ସୀମା, ବନ୍ଧନ ଓ କୃତ୍ରିମ ପରିଚୟ ଊର୍ଦ୍ଧ୍ବରେ ମଣିଷ ଜାତିକୁ ଏକାଠି କରିଛି। ଏବେ ଏକାଠି ଲଢ଼ୁଛି ମଣିଷ ସମାଜ। ଏହି ଚେତନା ଭାରତୀୟ ଚିନ୍ତନ ଓ ଦର୍ଶନ ବହୁ ପୂର୍ବରୁ ଘୋଷଣା କରିଛି, ‘ସର୍ବେ ଭବନ୍ତୁ ସୁଖୀନଃ’ ‘ବସୁଧୈବ କୁଟୁମ୍ବକମ୍‌’ରେ। ବ୍ୟକ୍ତି ଓ ବ୍ୟଷ୍ଟିର କ୍ରିୟାଶୀଳ ସ˚ପର୍କ ଓ ସ˚ହତିର ବାର୍ତ୍ତା ଦେଇଛି ଏ ମହାମାରୀ ଯାହାକୁ ପ୍ରତ୍ୟେକ ନିର୍ମଳ ଚିତ୍ତରେ ଗ୍ରହଣ କରିବା ଦରକାର। ଏହା ହିଁ ଭାରତୀୟତା ଏବ˚ ମୁଁ ଦେଖୃପାରୁଛି ଭାରତୀୟତାର ମହାପ୍ଳାବନ କରୋନା ପରବର୍ତ୍ତୀ ପୃଥିବୀରେ।

ମଣିଷ ପାଗଳ ପ୍ରାୟ ଘୂରି ବୁଲୁଛି ଏଇ ପୃଥିବୀରେ। ଭଲ ଜୀବନ ଜିଇଁବା ଚକ୍କରରେ ଜୀବନକୁ ବଳି ପକାଉଛି। ଜୀବନର ମହତ୍ତମ ଓ ସୂକ୍ଷ୍ମତମ ଅଭୀପ୍‌ସାକୁ ଯେମିତି ପାଶୋରି ପକାଇଛି। ଏହା ଯେ ଆଖିରେ ଆଗରୁ ପଡ଼ିନି ତାହା ନୁହେଁ; ଅବୋଧ୍ୟ ‘ହୋ’ରେ ମଣିଷ କେମିତି ଜୀବନର ଶାଶ୍ବତ ଛନ୍ଦ ହରେଇଛି; ସେ ସ˚ପର୍କରେ ଅନେକ ଚିନ୍ତକ ସୂଚାଇ ଦେଇଛନ୍ତି। ଉଇଲିଅମ୍‌ ହେନରି ଡାଭିସ୍‌ ଜୀବନକୁ ଖୋଜି ଖୋଜି ବିଳାପ କରିଛନ୍ତି। What is this life if full of care, we have no time to stand and stare. ମଣିଷକୁ ମିଳୁଥିବା ସମୟ ଅପବ୍ୟୟରେ ଯାଉଛି। ଅନର୍ଥକୁ ଅର୍ଥ ଭାବି ତାକୁ ଗଣ୍ଠିଧନ କରି ସେ ଭ୍ରାନ୍ତିର ଆବର୍ତ୍ତରେ ପଡ଼ିଯାଇଛି। ତଥାକଥିତ ବିକାଶ କେମିତି ବିକୃତି ଆଣିଛି, ତାକୁ ଦର୍ଶାଇବାକୁ ଟି.ଏସ୍‌. ଏଲିଅଟ୍‌ ସକଳ ଆଧୁନିକ ପ୍ରାପ୍ତିର ପୋଷ୍ଟମର୍ଟମ କରି କହୁଛନ୍ତି: “The endless cycle of idea and action/Endless invention, endless/ experiment/Brings knowledge of motion, but/ not of stillness;/ knowledge of speech, but not of/ silence;/ knowledge of words, and/ ignorance of the word xx where is the Life we have lost in/ living?/ where is the wisdom we have lost/ in knowledge?/ where is the knowledge we have/ lost in information?/ The cycles of Heaven in twenty/ centuries/ Bring us farther from God and nearer to the Dust.” ଏଇ କଥା ଭାରତୀୟ ମନୀଷୀମାନେ କୋଉକାଳୁ ଆଜି ଯାଏଁ ଡାକି ବଜେଇ କହି ଚାଲିଛନ୍ତି।

ମହାମାରୀ ଆଖି ଖୋଲି ଦେଇଛି, ମହାଶିକ୍ଷା ଦେଇଛି, ଦୃଷ୍ଟି ଓ ଦର୍ଶନକୁ ପ୍ରସାରିତ କରିପାରିଛି। ଅନ୍ତର୍ଦୃଷ୍ଟି ଓ ବାହ୍ୟଦୃଷ୍ଟି, ଅନ୍ତଃ ଅନ୍ତରୀକ୍ଷ ଓ ବାହ୍ୟ ଅନ୍ତରୀକ୍ଷ, ପ୍ରବିଧି ଓ ଆତ୍ମ ପ୍ରଜ୍ଞା, ଇଣ୍ଟରନେଟ୍‌ ଓ ଇନରନେଟ୍‌ ମଧ୍ୟରେ ସ˚ହତି ବର୍ତ୍ତମାନ ସମୟର ବଡ଼ ଉବଲବ୍‌ଧି।

ପ୍ରକୃତିକୁ ଫେରିଛି ମଣିଷ। ପ୍ରକୃତି ହେଉଛି ଈଶ୍ବରଙ୍କ ଦୃଶ୍ୟମାନ ବସ୍ତ୍ର ସଦୃଶ। ପ୍ରକୃତି ହିଁ ମଣିଷର ଗତି ଓ ସ୍ଥିତିର ଆଧାର। ପ୍ରକୃତିରେ ପୂରି ରହିଛି ପ୍ରାଣପ୍ରାଚୁର୍ଯ୍ୟ ଯାହା ଜୀବନକୁ ଦିଏ ଜୀବନୀଶକ୍ତି। ପ୍ରକୃତି ସହ ଅସାମଞ୍ଜସ୍ୟ ଜୀବନଶୈଳୀ, ପ୍ରକୃତିଛଡ଼ା ଗୁଣ ହିଁ ଯାବତୀୟ ଦୁଃଖର ମୂଳ କାରଣ। ମହାମାରୀ ସମୟରେ ପ୍ରକୃତିପ୍ରବଣତା ବିଶେଷ ଭାବରେ ସର୍ବତ୍ର ପ୍ରକାଶ ପାଇବା ସୁଖର କଥା ଏବ˚ ଏହି ଆବେଗ କର୍ମରେ ରୂପାନ୍ତରିତ ହେବା ଦରକାର ଏବ˚ ଅବ୍ୟାହତ ରହିବା ମଧ୍ୟ ଜରୁରୀ। ଜଳବାୟୁ ପରିବର୍ତ୍ତନର ଆଶଙ୍କା ଆମ ମୁଣ୍ତ ଉପରେ। ବିଭିନ୍ନ ରୂପରେ ପ୍ରଳୟର ଭୟ ଆମ ଚାରିକଡ଼େ। କେଉଁଥିପାଇଁ ପ୍ରକୃତିର ବିଭିନ୍ନ ରୂପକୁ ଦେବଦେବୀ ଭାବରେ ଭାରତୀୟମାନେ ପୂଜା କରନ୍ତି, ତାହାକୁ ସାରା ବିଶ୍ବ ବୋଧେ ଏବେ ହୃଦୟଙ୍ଗମ କଲାଣି। ପ୍ରକୃତରେ ଆମେ ଭରି ଦେଇଛେ ଅସୁସ୍ଥତା, ଯା’ର ଦଶା ଭୋଗୁଛେ ଆମେ; ଏବ˚ ଏଥିରୁ ମୁକୁଳିବାର ଚାବି ଆମ ହାତରେ; କରୋନା ଯାହା କ୍ଷତି କଲା ତ କଲା; ଅନ୍ତତଃ ପ୍ରକୃତି ସହ ଜିଇଁବାର କଳା ତ ଶିଖେଇଦେଲା!

ଆମ ଶରୀର ପ˚ଚ କୋଷରେ ଗଢ଼ା : ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ। ଏହି କୋଷମାନଙ୍କର ପୋଷଣ ପର୍ଯ୍ୟାପ୍ତ ହେବା ଦରକାର ଯାହା ଆମର ଏବର ଜୀବନଚର୍ଯ୍ୟାରେ ପ୍ରତିଫଳତି ହେଉନାହିଁ। ଶରୀର କହିଲେ କେବଳ ଦୃଶ୍ୟମାନ ସ୍ଥୂଳ ଶରୀର ନୁହେଁ; ସୂକ୍ଷ୍ମ ଶରୀର; ଏପରିକି ଶରୀରହୀନ ଶରୀରର ମଧ୍ୟ ସ୍ଥିତି ଅଛି। ଏହିସବୁ ଭାବ ଆମର ଅନ୍ତଃଚେତନାକୁ ଆଲୋକିତ ନକରିବା ପର୍ଯ୍ୟନ୍ତ ଆମେ ଏକ ସ୍ଥୂଳ ଆକଳନରେ ଆଚ୍ଛନ୍ନ ରହି ଶରୀରର ବିଶେଷ ଯତ୍ନ ନେଇପାରୁ ନାହୁଁ; ଯାହା ଫଳରେ ଅନେକ ରୋଗର ପ୍ରବେଶ ପଥକୁ ଉନ୍ମୁକ୍ତ କରିଛେ। ଗୀତା କହୁଛନ୍ତି: ଶରୀର ପକ୍ଷରେ ଦେହାଦି ବିଷୟ ବାସନା ଭୋଗ ସକାଶେ ଇନ୍ଦ୍ରିୟ ଦେହଠାରୁ ଶ୍ରେଷ୍ଠ, ମନ ଇନ୍ଦ୍ରିୟଠାରୁ ଶ୍ରେଷ୍ଠ, ବୁଦ୍ଧି ମନଠାରୁ ଶ୍ରେଷ୍ଠ ଏବ˚ ଆତ୍ମା ବୁଦ୍ଧିଠାରୁ ଶ୍ରେଷ୍ଠ ଅଟେ। ଏଣୁ ଆତ୍ମା ଆଧାରିତ ଜୀବନଶୈଳୀ ହିଁ ଶ୍ରେୟ ଏବ˚ କରୋନା କାଳରେ ଏହି ଚେତନା ବିଭିନ୍ନ ସ୍ତରରେ ବ୍ୟକ୍ତିର ଉତ୍ତରଣରେ ପ୍ରତିଭାତ ହୋଇଛି।

ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଓ ଆନନ୍ଦକୁ ଫେରିଯିବ। ଏହା ହିଁ ଜୀବନର ସରଳତମ ଗତିପଥା। ତେବେ ଆମେ ଏହାକୁ ଜଟିଳ ଓ କୁଟିଳ କରିଚାଲିଛେ; ଭୟ ଓ ଭୂତାଣୁର କାରଣ ହୋଇଛେ। ସମୟ ଆସିଛି କେତୋଟି ସାଧାରଣ କଥାକୁ ଆପଣେଇବା, ଜୀବନରେ ଅ˚ଗୀଭୂତ କରିବା। କୁହାଯାଏ ଅନ୍ନମୟ ପିଣ୍ତ; ଯେମିତି ଅନ୍ନ ସେମିତି ମନ। ଯାହା ବର୍ତ୍ତମାନ ସୁଦ୍ଧା ଜ୍ଞାତ, ତାହା ହେଉଛି କରୋନା ଆସିଛି ଅନ୍ନ (ଖାଦ୍ୟ) ମାଧ୍ୟମରେ। ଏଣୁ ଆଧ୍ୟାତ୍ମିକ ଖାଦ୍ୟ ପରିଚାଳନା ହିଁ ବର୍ତ୍ତମାନ ସମୟର ଏକ ଶ୍ରେଷ୍ଠ ଶିକ୍ଷା। ସେହିପରି ସମୟର ପରିଚାଳନା, ସ˚ପର୍କର ପରିଚାଳନା, ଆବେଗର ପରିଚାଳନା ଆଦି ବର୍ତ୍ତମାନ ସମୟର ଶିକ୍ଷା ଯାହାକୁ ଆଡ଼େଇଗଲେ ମଣିଷ, ଠିକିକି ମଧ୍ୟ ଶିଖିଲା ନାହିଁ ବୋଲି ବୁଝାଯିବ। ଭାଗବତରେ ଯେମିତି କୁହାଯାଇଛି। ଆପଣା ହସ୍ତେ ଜିହ୍ବା ଛେଦି, କେ ତା’ର ଅଛି ପ୍ରତିବାଦୀ। ଷୋଳ ଅଣା ସତ ହୋଇଯିବ।

ଲକ୍‌ଡାଉନ, ସଟ୍‌ଡାଉନ, କର୍ଫ୍ୟୁ, ସ˚ଗରୋଧ, ଏକାନ୍ତ ବାସ, ସାମାଜିକ ଦୂରତ୍ବ ଭଳି କେତେ ପରିବେଶ ଆମେ ସାମ୍ନା କରିଛେ। ଆମ ଆୟୁଷକୁ ଆଇନା କରି ତା’ ସାମ୍ନାରେ ନିଜର ଛବି, ଚୈତ୍ୟ ସତା ଅନୁଭବିବାକୁ ସୁଯୋଗ ପାଇଛେ। ଏହି ସମୟ ପ୍ରକୃତରେ ଆତ୍ମ ଅନୁଶୀଳନ, ଆତ୍ମ ସମୀକ୍ଷା ଓ ଆତ୍ମ ନିର୍ମାଣର ସମୟ ହେବା ଦରକାର। ତ୍ରୁଟି ସୁଧାରିବାର, ଆବଶ୍ୟକ ମରାମତି କରିବା ସମୟ। ଅନେକରେ ଏକ ଓ ଏକରେ ଅନେକର ଭାବର ସମୟ। ଆମେ ଜାଣି ରଖିବା ଉଚିତ ଯେ ଆମେ ବାସ୍ତବରେ ମୃତ୍ୟୁଞ୍ଜୟ : ନର ଦେହ ହୀନ ମୃତ୍ତିକା ନୁହେଁ ନାରାୟଣ ତା’ର ଜୀବନ ରସ, ମହା ଚେତନାର ଅ˚ଶ ସେ ଏକ ବିକାଶ ପାଇଁ କି ଶରୀର ବଶ। ତତ୍‌ ତ୍ବମ୍‌ ଅସି ା ଅୟମାତ୍ମା ବ୍ରହ୍ମ। ଅହ˚ ବ୍ରହ୍ମାସ୍ମି। ପ୍ରଜ୍ଞାନ˚ ବ୍ରହ୍ମ। ଆମ ପାଖରେ ଏତେ ଉଦ୍‌ବୋଧନୀ ସ˚ଜୀବନୀ ଥାଉ ଥାଉ ଆମେ ଡରିଯିବା କାହିଁକି?

ଖୁବ୍‌ ଶୀଘ୍ର ମଣିଷ କରୋନା ଉପରେ ବିଜୟ ଲାଭ କରିବ। ଭିନ୍ନ ଭାବରେ ସ୍ବାଭାବିକତା ଫେରି ଆସିବା। ତେବେ ଏଇ କଠିନ ସମୟରେ ଆମକୁ ଯେଉଁ ଶିକ୍ଷା ମିଳିଲା, ତା’କୁ କାର୍ଯ୍ୟରେ ଲଗାଇପାରିଲେ ବିଜୟ ପରିପୂର୍ଣ୍ଣ ହେବ।

ରାଜ୍ୟପାଳ, ଓଡ଼ିଶା
([email protected])

ସମ୍ବନ୍ଧିତ ଖବର