କୁହୁକ ଆଲିଙ୍ଗନ

ସୁଭାଷ ପଟ୍ଟନାୟକ

ବିଷୟଟି ଆଲୋଚନା କରିବାକୁ ହେଲେ ଷାଠିଏ ଦଶକର ଆମ ଗାଁକୁ ଫେରିଯିବାକୁ ହେବ, ଯେଉଁଠି ରହିଛି ଏ ଭାବନାଟିର ଉତ୍ପତ୍ତି ସ୍ଥଳ, ଆଉ ସେଇ ଉତ୍ପତ୍ତି ସ୍ଥଳର ପ୍ରଥମ ଚରିତ୍ରଟି ହେଉଛନ୍ତି ଆମ ଗାଁର କୁମର ଭାଇ- କୁମର ଡାକ୍ତର। ଆମ ଗାଁଟି ସେତେବେଳେ ଥିଲା ପାହାଡ଼, ଜଙ୍ଗଲ ମଝିରେ ଏକ ନିପଟ ମଫସଲ। ଗ୍ରାମବାସୀ ଥିଲେ ସମ୍ପୂର୍ଣ୍ଣ ଅଶିକ୍ଷିତ। ଆଖପାଖରେ ନା ଥିଲା ଡାକ୍ତରଖାନା ନା ଥିଲେ ଆଉ କେହି ଡାକ୍ତର। ଲୋକଙ୍କର ଏକମାତ୍ର ସାହା ଭରସା ଥିଲେ ଏଇ କୁମର ଭାଇ। ବୟସ ତିରିଶ କି ବତିଶ, ମୁହଁଟି ସଦା ହସହସ। ବେକରେ ଷ୍ଟେଥୋ ପକାଇ, ହାତରେ ଚମଡ଼ା ବ୍ୟାଗ୍‌ଟିଏ ଧରି ଗାଁ ଦାଣ୍ଡରେ ଯାଉଥିବେ। ବ୍ୟାଗ୍‌ରେ ଥିବ ଔଷଧ। କାହା ଘରେ କିଏ ବେମାର ପଡ଼ିଲେ ତାଙ୍କୁ ଡକାପଡ଼େ। ଏତିକି ହିଁ ଥିଲା ଆମ ଗାଁରେ ଉପଲବ୍‌ଧ ଡାକ୍ତରୀ ସୁବିଧା।

ଏହି ସମୟରେ ଏକ ଘଟଣା ଅକସ୍ମାତ ଘଟିଗଲା। ମୋ ଅପା ଶାଶୂଘରୁ ଆସିଥାଏ। ଥରେ ଘର ଭିତରେ ଗପ ବହି ଖୋଜୁଖୋଜୁ ତାକୁ ମିଳିଗଲା ବହିଟିଏ। ବହୁ ପୁରାତନ ଛପା ଅକ୍ଷରର ବହି, ନାଁଟି ତାର ‘ତନ୍ତ୍ର ମନ୍ତ୍ର ଓ ବଶୀକରଣ ଶିକ୍ଷା’। ଅପା ମୁଣ୍ଡକୁ କ’ଣ ଯୁଟିଲା କେଜାଣି, ମୋ ବୋଉକୁ କିଛି ମନ୍ତ୍ର ଶିଖାଇବାକୁ ନିଶ୍ଚୟ କଲା। ବୋଉ କିନ୍ତୁ ଥିଲା ସୁଦୁ ମୂର୍ଖୁଣୀ, ଅପାଠୋଈ। ଏତେ ଠାକୁର ବିଶ୍ବାସୀ ଯେ, ଲାଗେ ଠାକୁର ଯେମିତି ତାକୁ ବାଡ଼ି ଧରି ଜଗି ବସିଛନ୍ତି। ବହୁ ପରିଶ୍ରମ କରି ଘୋଷେଇ ଘୋଷେଇ ଦୁଇଟି ମନ୍ତ୍ର ଶିଖାଇବାରେ ଅପା ସକ୍ଷମ ହେଲା। ଗୋଟିଏ ରକା ମନ୍ତ୍ର ଓ ଅନ୍ୟଟି ଲୁଣ ମନ୍ତ୍ର। ମନ୍ତ୍ର ମାନେ କ’ଣ କି, ଓଡ଼ିଆରେ ଦୁଇ ତିନି ପଦରେ ଲେଖା ଏକ ପଦ୍ୟ।

ଅପା ତ ଫେରିଗଲା, କିନ୍ତୁ ଯେଉଁ ମଞ୍ଜିଟି ଲଗେଇ ଦେଇ ଗଲା, ତାହା ଫଳ ଦେବାକୁ ଲାଗିଲା। ଗାଁରେ ସମସ୍ତେ ଜାଣିଗଲେ ବୋଉ ଆମର ମନ୍ତ୍ର ଜାଣିଛି। କିଏ କହିଲା ବୋଉ ଠାକୁରଙ୍କୁ ପ୍ରସନ୍ନ କରି ବରପ୍ରାପ୍ତ ହୋଇଛି, କିଏ କହିଲା ଠାକୁରାଣୀ ପ୍ରସନ୍ନ ହୋଇ ତାକୁ ଅଲୌକିକ ଶକ୍ତି ଦେଇଛନ୍ତି। କାହାର ଅଣ୍ଟାରେ ରକାହୋଇ ଚାଲି ପାରୁନି ତ କାହାର ଗୋଡ଼, କାହାର ପିଠିରେ ରକା ପଶିଛି। କାହାକୁ ଜ୍ବର ହୋଇଛି ତ କାହାର ପେଟ କାଟୁଛି- ସମସ୍ତେ ମନ୍ତ୍ରଶକ୍ତିରେ ଆରୋଗ୍ୟ ହେବା ପାଇଁ ଭିଡ଼ ଲଗେଇଲେ ଆମ ଘରେ। ବୋଉ ମଧ୍ୟ କାହାରିକୁ ନିରାଶ କରେନି। ସର୍ତ୍ତ କେବଳ ଏତିକି ଯେ, ସକାଳେ କିମ୍ବା ସନ୍ଧ୍ୟାରେ ଆସିବ। ରକା ପାଇଁ ତେଲ ଗିନା ଓ ପେଟ ରୋଗ, ଜ୍ବର ଇତ୍ୟାଦି ପାଇଁ ଲୁଣ ନେଇ ଆସିବାକୁ ହେବ।

ପୀଡ଼ିତ ବ୍ୟକ୍ତି ପୂର୍ବ ଦିଗକୁ ମୁହଁ କରି ବସିଲେ ବୋଉ ତେଲ ଲଗେଇ ଦେଇ ଫିସ୍ ଫିସ୍ କରି ମନ୍ତ୍ର ଉଚ୍ଚାରଣ କରି ଘଷି ଦିଏ। ଥରେ ମନ୍ତ୍ର ପାଠ କରି ତିନି ଥର ଫୁଙ୍କେ। ଏମିତି ତିନି ଥର ମନ୍ତ୍ର ପାଠ କରେ। ପୀଡ଼ିତକୁ ତିନି ଥର ଆସିବାକୁ ହୁଏ, ଭଲ ନ ହେଲେ ଆଉ ଚାରି ଥର। ରକା ମନ୍ତ୍ରଟି ଥିଲା ଏହିପରି:
‘‘ଓଁ ସାତ ପର୍ବତ ଖୋଲ,/ତହିଁରେ ଫୁଟିଛି ସେବତୀ ଫୁଲ।
ଫୁଲ ତୋଳୁତୋଳୁ ପଡ଼ିଲା ଡେଇଁ,
ରକା ହୋଇ ହାତ ଚଳିଲାନାହିଁ।
ଯା..ରକା ଯା..ଏଠୁ ଛାଡି ଗଙ୍ଗା ଯା’, ଗଙ୍ଗା ଛାଡି ଗୟା ଯା’-
ଯିବାକୁ ତୋତେ କାହାର ଆଜ୍ଞା,
ପବନ ପୁତ୍ର ହନୁମାନଙ୍କର କୋଟି କୋଟି ଆଜ୍ଞା।’’

ପେଟ ବ୍ୟାଧି ଓ ଜ୍ବର ପାଇଁ ବ୍ୟବହୃତ ମନ୍ତ୍ରଟି ହେଲା:
‘‘ଓଁ ଲୁଣରେ ଘର ଲୁଣରେ ବତା/ ଲୁଣ କରିଯାଇ ଅଷ୍ଟ ଦେବତା/ ଗାଈକି ଦେଲେ ବାଛୁରୀକୁ ଲାଗଇ/ ସ୍ତିରୀକୁ ଦେଲେ ପୁରୁଷକୁ ଲାଗଇ/ ଲାଗେ ଲୁଣ ଲାଗେ, ଲାଗି ନଛାଡ଼େ/ ଛାଡୁବୋଲି କାହାର ଆଜ୍ଞା/ କାଉଁରୀ କାମଚଣ୍ଡୀ କିଟାଇ ପତର ସଉରୁଣୀର କୋଟି କୋଟି ଆଜ୍ଞା।’’

ତା’ ପରେ କୁମର ଭାଇଙ୍କ ଚିକିତ୍ସା ଛାଡ଼ି ଲୋକେ ବୋଉ ପାଖକୁ ଧାଇଁବା ଆରମ୍ଭ କଲେ। ବୋଉର ମନ୍ତ୍ର-ଚିକିତ୍ସାରେ କୁମର ଭାଇଙ୍କ ବ୍ୟବସାୟ କେତେ ପ୍ରଭାବିତ ହେଲା ତାହା ତ ଜଣାନାହିଁ, ଆଶ୍ଚର୍ଯ୍ୟ କଥାଟି ଥିଲା ସେଇଠି, ଯେଉଁ ଦିନ କୁମର ଭାଇ ନିଜେ ହାତରେ ତେଲ ଗିନା ଓ ବାଡ଼ି ଖଣ୍ଡିଏ ଧରି ନଇଁ ନଇଁ ଆସି ବୋଉକୁ କହିଲେ- ‘‘ମାଉସୀ, ଅଣ୍ଟାଟାରେ ରକା ପଶିଯାଇଛି, ଟିକିଏ ମନ୍ତୁରେଇ ଦେଲୁ।’’

ଚାରି ପାଞ୍ଚ ଦିନ ପରେ ଦେଖାଗଲା କୁମର ଭାଇ ପୁଣିଥରେ ବେକରେ ଷ୍ଟେଥୋ ଗଳେଇ ଗାଁ ଦାଣ୍ଡରେ ଚାଲିଛନ୍ତି।

ପ୍ରକୃତରେ କ’ଣ ମନ୍ତ୍ରର କିଛି ଶକ୍ତି ଅଛି? ଏ କଥା ଅନେକ ଥର ମନକୁ ଆସିଛି। ଏହାର ଉତ୍ତର କିଛି ମନୋବୈଜ୍ଞାନିକ ଓ କିଛି ଆଧ୍ୟାତ୍ମିକ ତତ୍ତ୍ୱ ଭିତରେ ଥିବା ପରି ମନେ ହୁଏ। ଉଦାହରଣ ସ୍ବରୂପ, ରୋଗ ଭୋଗୁଥିବା ଜଣେ ବ୍ୟକ୍ତିକୁ ଯଦି କହିଦିଆଯାଏ ଯେ, ‘ଏ ରୋଗ ତୋର ଦୂରାରୋଗ୍ୟ’, ତେବେ ଲୋକଟି ଭୟଭୀତ ହୋଇ ଆତ୍ମବଳ ହରାଇ ବସିବ; ଫଳତଃ ଆରୋଗ୍ୟ ବିଳମ୍ବିତ ହେବ। ତାକୁ ଯଦି ଦମ୍ଭ ଦେଇ କୁହାଯାଏ, ‘ଚିନ୍ତା କରନା, ତୋର କିଛି ହେବନି’, ତା’ହେଲେ ତାର ଆତ୍ମବଳ ବଢ଼ିଯିବ ଓ ସେ ରୋଗ ସହିତ ଲଢ଼େଇ ଜାରି ରଖିବ।

ମନ୍ତ୍ର ଆତ୍ମବଳ ସୃଷ୍ଟି କରିବାର ଏକ ମାଧ୍ୟମ। ମନ୍ତ୍ରରେ ଶକ୍ତି ଥାଉ କି ନଥାଉ, ମନୁଷ୍ୟ ଭାବିନିଏ, ‘ମନ୍ତ୍ର ହୋଇଛି ମାନେ ମୋର ଆରୋଗ୍ୟ ନିଶ୍ଚିତ।’ ଏଇ ଦୃଢ ଆତ୍ମବିଶ୍ବାସ ହିଁ ତାକୁ ଆରୋଗ୍ୟ ହେବାରେ ସାହାଯ୍ୟ କରିଥାଏ। ମନୁଷ୍ୟର ଶରୀର ଓ ମସ୍ତିଷ୍କ ସର୍ବଦା ତ୍ରିତାପ ଦ୍ବାରା ପୀଡ଼ିତ। ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ। ଆତ୍ମବଳ ଏଇ ତ୍ରିତାପ ଉପରେ ଥରେ ଆଧିପତ୍ୟ ବିସ୍ତାର କଲେ ରୋଗ ଉପଶମ ହେବା ବିଚିତ୍ର ନୁହେଁ।

ମନ୍ତ୍ର କ’ଣ? ‘ମନ୍ତ୍ର’ ହେଲା ମସ୍ତିଷ୍କ ଓ ‘ତ୍ର’ର ଅର୍ଥ ନିର୍ଗମନ। ତେଣୁ ମନ୍ତ୍ର ହେଉଛି ଏକ ଶବ୍ଦପୁଞ୍ଜ, ଯାହା ଏକ ଭାବାତୀତ ସ୍ତରକୁ ଯାଇ ମସ୍ତିଷ୍କକୁ ସମସ୍ତ ବସ୍ତୁନିଷ୍ଠ ଉଦ୍‌ବେଗ ଓ ଉତ୍କଣ୍ଠାରୁ ନିର୍ଗମନ ବା ମୁକ୍ତ କରାଏ। କେତେଗୁଡ଼ିଏ ଶବ୍ଦର ସମଷ୍ଟି ହେଉଛି ମନ୍ତ୍ର, ଆଉ ଶବ୍ଦ ହେଉଛି ଏକ ସ୍ପନ୍ଦନ। ଆମ ଚତୁଃପାର୍ଶ୍ବର ପ୍ରକୃତି ଓ ପରିବେଶ ଶବ୍ଦରେ ପରିପୂର୍ଣ୍ଣ। ମନ୍ତ୍ରର ଶବ୍ଦଗୁଡ଼ିକ ମଧ୍ୟ ଏକ ଏକ ସ୍ପନ୍ଦନ। ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ନିଜ ନିଜର ସ୍ପନ୍ଦନ ଦ୍ବାରା ନିୟନ୍ତ୍ରିତ। ଏପରିକି, ମନୁଷ୍ୟର କେତେକ ଅବସ୍ଥା, ଯେମିତିକି- ହସ, କାନ୍ଦ, ପ୍ରେମ, କ୍ରୋଧ ଓ ପ୍ରାଚୁର୍ଯ୍ୟ- ସବୁକିଛି ଏକ ଏକ ସ୍ପନ୍ଦନ ଦ୍ବାରା ନିୟନ୍ତ୍ରିତ। ସାଧାରଣ ସମୟରେ ସ୍ପନ୍ଦନ ଗୁଡ଼ିକ ନିଜ ନିଜ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥା’ନ୍ତି। ଏହା ହେଉଛି ମହାଜାଗତିକ ଧ୍ବନି ସାମ୍ୟତା। କୌଣସି କାରଣରୁ ଏଥିରେ ଭାରସାମ୍ୟର ଅଭାବ ଘଟିଲେ ମନୁଷ୍ୟ ରୋଗ, ଶୋକ ଆଦି ପୀଡ଼ନର ଶିକାର ହୁଏ। ମନ୍ତ୍ରର ସ୍ପନ୍ଦନ ଏଇ ସବୁ ଅସମତୁଲତା ଦୂର କରି ମନ ବା ମସ୍ତିଷ୍କକୁ ଯନ୍ତ୍ରଣାମୁକ୍ତ କରିଥାଏ।

ଶବ୍ଦ-ସ୍ପନ୍ଦନ ଏକ ଅସାମାନ୍ୟ ଶକ୍ତି। କଥା, କବିତା, କ୍ରୋଧ, ପ୍ରେମ, ବୈରତା, ପ୍ରାର୍ଥନା, ଯୁଦ୍ଧ- ସବୁ ଏଇ ଶବ୍ଦରୁ ଜାତ।

ଶବ୍ଦ ଯନ୍ତ୍ରଣା ଦେଇପାରେ, ଦୂର ମଧ୍ୟ କରିପାରେ। ବାସ୍, ଏତିକି ହିଁ ମନ୍ତ୍ର ବିଦ୍ୟାର କୌଶଳ।

ବୋଉର ମନ୍ତ୍ର ଉଚ୍ଚାରଣରେ ରକା ଭଲ ହେବା, ଲୁଣ ମନ୍ତ୍ରରେ ଜ୍ୱର ଛାଡ଼ିଯିବା- ସବୁ କିଛିର ମୂଳରେ ରହିଛି ପୀଡ଼ିତର ଆତ୍ମବିଶ୍ବାସ ଓ ଦୃଢ଼ ମନୋବଳ। ନକାରାତ୍ମକ ସ୍ପନ୍ଦନକୁ ଦୂର କରି ମନ୍ତ୍ରର ଶବ୍ଦ ସ୍ପନ୍ଦନ ସକାରାତ୍ମକତାକୁ ଉଜ୍ଜୀବିତ କରିଥାଏ ଏବଂ ସେଥିରୁ ଆତ୍ମବଳ ଓ ସହନ ଶକ୍ତି ସୃଷ୍ଟି ହୋଇ ଆଣିଦିଏ ନିରାମୟତା।

ପ୍ରାୟ ସତର ବର୍ଷ ତଳେ ରାଜକୁମାର ହୀରାନିଙ୍କର ହିନ୍ଦୀ ସିନେମାଟିଏ ଆସିଥିଲା- ‘ମୁନ୍ନାଭାଇ ଏମ୍.ବି.ବି.ଏସ୍’। ଡାକ୍ତରୀ ପାଠ ଜଣାନଥିବା ମୁନ୍ନାଭାଇ ମା’ଙ୍କଠୁ ଶିଖିଥିବା ‘କୁହୁକ ଆଲିଙ୍ଗନ’ (ଯାଦୁକୀ ଝପ୍ପି) ବଳରେ ଆତ୍ମବିଶ୍ବାସ ସୃଷ୍ଟି କରି ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ବ୍ୟକ୍ତିଙ୍କୁ ଆରୋଗ୍ୟ କରିପାରିଥିବାର କାହାଣୀ ଏଥିରେ ରହିଛି। ଏହା ସେଇ ଶବ୍ଦ ସ୍ପନ୍ଦନର ରୂପାନ୍ତରିତ ଚିତ୍ର।

ଏହା ସତ୍ୟ ଯେ, ମନୁଷ୍ୟ ନିଜ ମନର ପରିପାର୍ଶ୍ବରୁ ସମସ୍ତ ନକାରାତ୍ମକ ସ୍ପନ୍ଦନକୁ ହଟାଇ ଆତ୍ମବଳକୁ ଉଜ୍ଜୀବିତ କରିପାରିଲେ ଯେ କୌଣସି ରୋଗ, କଷ୍ଟକୁ ଜିତିପାରିବ। ଆଜିର ଏ କୋଭିଡ ମହାମାରୀ ସମୟରେ ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର