ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଓ ତାଙ୍କ ଠାରୁ ଶିକ୍ଷା

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୨ ଅକ୍‌ଟୋବର‌୍‌ ମୋହନଦାସ କରମଚ˚ଦ ଗାନ୍ଧୀଙ୍କ ଜନ୍ମ ଦିବସ। ମହାତ୍ମା ଗାନ୍ଧୀଙ୍କର ଜଣେ ଜୀବନୀକାର ଭାବେ ଏହି ଦିନକୁ ମୁଁ ସର୍ବଦା ମନେପକାଏ ଏବ˚ ତାଙ୍କ ସ˚ପର୍କରେ ଲେଖେ। ତେବେ, ଏହି ବର୍ଷ ୨ ଅକ୍‌ଟୋବର‌୍‌ ଅବସରରେ ମୁଁ ଆଉ ଜଣେ ମହାନ୍‌ ଭାରତୀୟ, ଯାହାଙ୍କର ଜନ୍ମ ମଧ୍ୟ ଏହି ଦିନରେ ହୋଇଥିଲା, ତାଙ୍କ ସ˚ପର୍କରେ କିଛି ଲେଖିବା ପାଇଁ ପୂର୍ବରୁ ସ୍ଥିର କରିଥିଲି। ସେ ଥିଲେ ଲାଲ ବହାଦୁର ଶାସ୍ତ୍ରୀ। ଏହି ଦିବସରେ ଏହି ପ୍ରକାରର ମନ ପରିବର୍ତ୍ତନର କାରଣ ମଧ୍ୟ ଅଛି। ଗାନ୍ଧୀଙ୍କ ଆବେଦନ ବିଶ୍ବ ସ୍ତରୀୟ ଓ ଚିରନ୍ତନ। ଶାସ୍ତ୍ରୀଙ୍କ ଆବେଦନ ନିର୍ଦିଷ୍ଟ ଭାବେ ୨୦୨୦ର ଭାରତ ପାଇଁ ପ୍ରାସଙ୍ଗିକ। ଯଦିଓ ସେ ମାତ୍ର ଦେଢ଼ ବର୍ଷ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ, ସେହି ସ୍ବଳ୍ପ କାଳରେ ଦେଶ ପାଇଁ ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏବର ପ୍ରଧାନମନ୍ତ୍ରୀ ମହାଶୟ, ତାଙ୍କୁ ଅନୁକରଣ କରିବା ଉଚିତ ହୁଅନ୍ତା।

ଲାଲ ବହାଦୁର ଶାସ୍ତ୍ରୀ ୨ ଅକ୍‌ଟୋବର‌୍‌ ୧୯୦୨ରେ ଜନ୍ମ ହୋଇଥିଲେ। ଯୁବାବସ୍ଥାରେ ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ଝାସ ଦେଇଥିଲେ ଏବ˚ କାରାଗାରରେ ବେଶ୍‌ କିଛି ବର୍ଷ ବନ୍ଦୀ ଜୀବନଯାପନ କରିଥିଲେ। ଶାନ୍ତ ସାହସ ଏବ˚ ଇସ୍ପାତ ସମ ସାଧୁତା ଓ ନ୍ୟାୟପରାୟଣତା ପାଇଁ ସେ ପ୍ରସିଦ୍ଧ। ଜଵାହରଲାଲ ନେହରୁ କ୍ୟାବିନେଟ୍‌ରେ ରେଳବାଇ ମନ୍ତ୍ରୀ ଥିବା ବେଳେ ଏକ ରେଳ ଦୁର୍ଘଟନା ପାଇଁ ନିଜକୁ ଦାୟୀ କରି, ପଦରୁ ଇସ୍ତଫା ଦେଇଥିଲେ। ଏହା ତାଙ୍କ ସାଧୁତା, ସଚ୍ଚୋଟତା ଓ ନ୍ୟାୟପରାୟଣତାର ଏକ ଚରମ ନିଦର୍ଶନ ଥିଲା। ଏପରିକି ତାଙ୍କ ସମୟରେ ମଧ୍ୟ ଏ ପରି ନୈତିକ ଦୃଷ୍ଟିଭଙ୍ଗୀ ବିରଳ ଥିଲା; ଏବର କାଳ ପାଇଁ ଏହା ତ କଳ୍ପନାତୀତ। ପରେ, ତାଙ୍କୁ ପୁଣି ଥରେ କ୍ୟାବିନେଟ୍‌ରେ ସାମିଲ କରାଯାଇଥିଲା ଏବ˚ ନେହରୁ ତାଙ୍କୁ ଅଧିକରୁ ଅଧିକ ବିଶ୍ବାସକୁ ନେଇଥିଲେ। ତାଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଦେଖିବା ଆରମ୍ଭ କରିଥିଲେ।

ଜୁନ୍‌ ୧୯୬୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କିଛି ଦିନ ପରେ ‘ମାଞ୍ଚେଷ୍ଟର‌୍‌ ଗାର୍ଡିଆନ୍‌’ ପକ୍ଷରୁ ତାହାର ନୂଆଦିଲ୍ଲୀ ପ୍ରତିନିଧି ତାଙ୍କର ଏକ ସାକ୍ଷାତ୍‌କାର ନେଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଆଧାରରେ ଉକ୍ତ ପ୍ରତିନିଧି ଏକ ନିବନ୍ଧ ରଚନା କରିଥିଲେ, ଯାହାର ଶୀର୍ଷକ ଥିଲା- ‘ଏ ସ୍ପାରୋଜ୍‌ ଷ୍ଟ୍ରେନ୍‌ଥ’। ତାଙ୍କ ଦୃଷ୍ଟିରେ ଶାସ୍ତ୍ରୀ ଥିଲେ ଗଭୀର ଭାବେ ଆତ୍ମବିଶ୍ବାସୀ, ମାନସିକ ସ୍ତରରେ ବେଶ୍‌ ଶକ୍ତିଶାଳୀ; ସ୍ବଳ୍ପ କିନ୍ତୁ ଶାଣିତଭାଷୀ; ଗୋଟିଏ ହେଲେ ଶବ୍ଦର ଅପଚୟ କରୁ ନ ଥିବା ଭଳି ବ୍ୟକ୍ତିତ୍ବ।

ଅକ୍‌ଟୋବର‌୍‌ ୧୯୬୪ରେ କାଇରୋରେ ଏକ ବୈଠକରେ ଯୋଗ ଦେଇ ସେ ସ୍ବଦେଶକୁ ଫେରୁଥିବା ବେଳେ କରାଚୀରେ ଅଳ୍ପ କିଛି ସମୟ ପାଇଁ ଅଟକିଥିଲେ। ସେଠାରେ ସେ, ପାକିସ୍ତାନୀ ରାଷ୍ଟ୍ରପତି ଫିଲ୍‌ଡ ମାର୍ସାଲ୍‌ ଆୟୁବ ଖାଁଙ୍କୁ ଭେଟିଥିଲେ। ମୋଟା ଓ ସବଳ ସ୍ବୈର-ଶାସକ, ଗଣତନ୍ତ୍ରବାଦୀ ଶାସ୍ତ୍ରୀଙ୍କର କ୍ଷୁଦ୍ରକାୟ ଚେହେରା ଓ ତାଙ୍କର ଶିଷ୍ଟତା ଦେଖି, ପାସଙ୍ଗକୁ ନେଇ ନ ଥିଲେ। ତାଙ୍କୁ, ତାଙ୍କର ପ୍ରସିଦ୍ଧ, ଆକର୍ଷକ ଓ ପ୍ରଭାବଶାଳୀ ପୂର୍ବସୂରୀଙ୍କର ଅଯୋଗ୍ୟ ଉତ୍ତରାଧିକାରୀ ବୋଲି ସେ ଧରି ନେଇଥିଲେ। ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କୁ ଭେଟିବା ପରେ ଆୟୁବ ନିଜର ଜଣେ ସହାୟକଙ୍କୁ କହିଥିଲେ- ‘ତାହା ହେଲେ ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ନେହରୁଙ୍କ ସ୍ଥାନ ନେଇଛନ୍ତି!’

ନେହରୁଙ୍କ ଦେହାନ୍ତ ବେଳକୁ କାଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ, ଶାସ୍ତ୍ରୀଙ୍କୁ ଭେଟିବା ଓ ଦେଖିବା ପରେ ଆୟୁବ ଖାଁ ଆପୋସ ଆଲୋଚନାର ମାର୍ଗ ଛାଡ଼ି, ବଳପୂର୍ବକ କାଶ୍ମୀର ଅଧିକାର ପାଇଁ ଯୋଜନା କରିଥିଲେ। ଅଗଷ୍ଟ ୧୯୬୫ରେ ପାକିସ୍ତାନ ପକ୍ଷରୁ ଉପତ୍ୟକାକୁ ଅନୁପ୍ରବେଶକାରୀ ପଠାଯାଇଥିଲା। ସେପ୍‌ଟେମ୍ବର‌୍‌ ଆରମ୍ଭରେ ପାକିସ୍ତାନୀ ସେନା ଛାମ୍ବ କ୍ଷେତ୍ର ଉପରେ ଆକ୍ରମଣ କରିଥିଲା। ଧୋତି ପିନ୍ଧୁଥିବା ଜଣେ ଗାନ୍ଧୀବାଦୀ ପ୍ରଧାନମନ୍ତ୍ରୀଙ୍କ ବାବଦରେ ଆୟୁବ ସ˚ପୂର୍ଣ୍ଣ ଭୁଲ୍‌ ଆକଳନ କରିଥିବା ପ୍ରମାଣିତ ହେଲା। ଶାସ୍ତ୍ରୀ ଅବିଳମ୍ବେ ପ˚ଜାବ ଦେଇ ପାକିସ୍ତାନ ଆକ୍ରମଣ କରିବା ପାଇଁ ଭାରତୀୟ ସେନାକୁ ନିର୍ଦେଶ ଦେଇଥିଲେ। ଭାରତୀୟ ସେନା ସୀମା ଅତିକ୍ରମ କରି ପାକିସ୍ତାନର ମୁଖ୍ୟ ନଗରୀ ଲାହୋର ଆଡ଼କୁ ଆଗେଇଥିଲା। ତିନି ସପ୍ତାହ ଘମାଘୋଟ ଲଢ଼େଇ ଚାଲିଥିଲା। ୨୨ ସେପ୍‌ଟେମ୍ବର‌୍‌ରେ ‘ଜାତି ସ˚ଘ’ର ହସ୍ତକ୍ଷେପ ଦ୍ବାରା ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ସେତେ ବେଳେ ପାକିସ୍ତାନୀମାନେ ଧାର୍ମିକ ମାନସିକତା ନେଇ ଯୁଦ୍ଧ ଲଢ଼ିଥିଲେ। ପାକିସ୍ତାନୀ ସେନା, ହିନ୍ଦୁଙ୍କ ବିରୋଧରେ ଇସଲାମୀୟ ଧର୍ମ ଯୁଦ୍ଧ ଲଢ଼ୁଥିବା ଗ୍ରହଣ କରିଥିଲା। ତେବେ, ଭାରତ ପକ୍ଷରେ ସେହି ଭଳି କୌଣସି ମାନସିକତା ନ ଥିଲା। ଉତ୍ତର ପ୍ରଦେଶର ଅବ୍‌ଦୁଲ ହମିଦ ନାମକ ସୈନିକ ଉକ୍ତ ଯୁଦ୍ଧ ଲଢ଼ି, ‘ପରମ ବୀର ଚକ୍ର’ ପାଇଥିଲେ। ରାଜସ୍ଥାନର ଆଉ ଜଣେ ସୈନିକ ଦୁଇଟି ପାକିସ୍ତାନୀ ଟ୍ୟାଙ୍କ୍‌ ଉଡ଼ାଇ ଦେଇଥିଲେ, ଯାହାଙ୍କ ମଧ୍ୟ ନାମ ଥିଲା- ଆୟୁବ ଖାଁ।

ପାକିସ୍ତାନ ନିଜକୁ ମୁସଲମାନ କହୁଥିଲା। ତେବେ, ଲାଲ ବହାଦୁର ଶାସ୍ତ୍ରୀଙ୍କ ନେତୃତ୍ବରେ ଭାରତ ନିଜକୁ ହିନ୍ଦୁ କହୁ ନ ଥିଲା। ଶାନ୍ତି ସ୍ଥାପନ ହେବା ପରେ ସେ ରାମଲୀଲା ମଇଦାନରେ ଏକ ବିଶାଳ ସାଧାରଣ ସଭାରେ ଜନତାକୁ ଉଦ୍‌ବୋଧନ ଦେଇଥିଲେ। ସେ ହିନ୍ଦୀରେ ଭାଷଣ ଦେଇଥିଲେ। ନିଜ ଭାଷଣରେ ସେ କହିଥିଲେ- ‘ସେ ହିନ୍ଦୁ ଏବ˚ ସଭା କାର୍ଯ୍ୟ ପରିଚାଳନା କରୁଥିବା ମୀର ମୁସ୍ତାକ ଜଣେ ମୁସଲମାନ। ଜନତାକୁ ସମ୍ବୋଧିତ କରିଥିବା ଫ୍ରାଙ୍କ୍‌ ଆନ୍ଥୋନି ଜଣେ କିରସ୍ତାନ। ସଭା ମଞ୍ଚରେ ଶିଖ ଓ ପାରସୀ ମଧ୍ୟ ଅଛନ୍ତି। ଆମ ଦେଶ ସ˚ପର୍କରେ ଏକ ଅନନ୍ୟ କଥା ହେଲା, ଏଠାରେ ଅଛନ୍ତି ହିନ୍ଦୁ, ମୁସଲମାନ, କିରସ୍ତାନ, ଶିଖ, ପାରସୀ ଓ ଅନ୍ୟ ଧର୍ମାବଲମ୍ବୀ। ଆମର ଅଛି ମନ୍ଦିର ଓ ମସ୍‌ଜିଦ, ଗିର୍ଜା ଓ ଗୁରୁଦ୍ବାର। କିନ୍ତୁ, ଆମେ ଏସବୁକୁ ରାଜନୀତି ମଧ୍ୟକୁ ଆଣୁନାହୁଁ। ଏହା ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ। ପାକିସ୍ତାନ ନିଜକୁ ଇସଲାମୀୟ ରାଷ୍ଟ୍ର ଘୋଷିତ କରିଛି। ଧର୍ମକୁ ରାଜନୀତି ଅନ୍ତର୍ଭୁକ୍ତ କରିଛି। ଆମେ ଭାରତୀୟମାନେ ନିଜ ଇଚ୍ଛା ଅନୁଯାୟୀ ଯେ କୌଣସି ଧର୍ମ ଅବଲମ୍ବନ କରିପାରୁଛେ; ଯେକୌଣସି ସ୍ଥାନରେ ଉପାସନା କରିପାରୁଛେ। ଆମ ଧର୍ମ ଯାହା ହେଉ ନା କାହିଁକି ରାଜନୈତିକ ଦୃଷ୍ଟିକୋଣରୁ ଆମେ ସମସ୍ତେ ସମାନ ଭାରତୀୟ।’

ଶାନ୍ତି ହେଉ ବା ଯୁଦ୍ଧ; ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଭଳି ଭାଷଣଟିଏ ଥରେ ହେଲେ ଦେଇନାହାନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ମୋଦୀଙ୍କର ଉଭୟ ନୀତି ଓ ରାଜନୀତି ମୁଖ୍ୟତଃ ସ˚ଖ୍ୟାଗରିଷ୍ଠଙ୍କୁ କେନ୍ଦ୍ର କରି। ଏଥି ପାଇଁ ସେ ନିଜର ସମ୍ମାନ ଓ ପ୍ରତିଷ୍ଠା ତଥା ଦେଶକୁ ଜଳାଞ୍ଜଳି ଦେଇଛନ୍ତି।

ଶାସ୍ତ୍ରୀ ଓ ମୋଦୀଙ୍କ ମଧ୍ୟରେ ଆଉ ଏକ ପାର୍ଥକ୍ୟ ରହିଛି। ଶାସ୍ତ୍ରୀ ସର୍ବଦା ନିଜର କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ କ୍ଷମତା ଦେବାକୁ ଇଚ୍ଛା କରୁଥିଲେ। ତାଙ୍କର ସ୍ଲୋଗାନ୍‌ ଥିଲା- ‘ଜୟ ଜବାନ, ଜୟ କିସାନ’। ଏହା ଏବେ ବି ଲୋକପ୍ରିୟ ହୋଇରହିଛି। ଇତି ମଧ୍ୟରେ ଆମେ ଯାହା ଭୁଲିଯାଇଛେ, ତାହା ହେଉଛି, ସେ ଦୁଇ ମହତ୍ତ୍ବପୂର୍ଣ୍ଣ କ୍ଷେତ୍ର- ପ୍ରତିରକ୍ଷା ଓ କୃଷିକୁ ଗୁରୁତ୍ବ ଦେଉଥିଲେ। ଏହି ଦୁଇ କ୍ଷେତ୍ରର ଦାୟିତ୍ବ ନିଜର ସବୁଠାରୁ ଅଧିକ ସାମର୍ଥ୍ୟବାନ ଦୁଇ ମନ୍ତ୍ରୀଙ୍କୁ ଦେଇଥିଲେ। ଶାସ୍ତ୍ରୀଙ୍କ ଅଧୀନରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଵାଇବି ଚଭନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ କରାଇଥିଲେ। କୃଷି ମନ୍ତ୍ରୀ ଭାବେ ସି ସୁବ୍ରମଣ୍ୟମ, ‘ସବୁଜ ବିପ୍ଳବ’ର ମୂଳଦୁଆ ପକାଇଥିଲେ। କେବଳ ଏହି ଦୁଇ ଜଣ ନୁହନ୍ତି, ଅନ୍ୟ ସାମର୍ଥ୍ୟବାନ ମନ୍ତ୍ରୀଙ୍କ ଭିତରେ ଥିଲେ- ଏମ୍‌ସି ଚଗଲା (ଶିକ୍ଷା ମନ୍ତ୍ରୀ), ଏସ୍‌କେ ଦେ (ଗୋଷ୍ଠୀ ବିକାଶ ମନ୍ତ୍ରୀ) ଏବ˚ ସୁଶୀଲା ନାୟର (ସ୍ବାସ୍ଥ୍ୟ ମନ୍ତ୍ରୀ)। ଏ ସମସ୍ତେ କାମ କରିବା ପାଇଁ ଯଥେଷ୍ଟ ସ୍ବାଧୀନତା ଉପଭୋଗ କରୁଥିଲେ, ଯାହା ମୋଦୀ ସରକାରରେ କଳ୍ପନାତୀତ।

ଦୁହିଁଙ୍କ ଭିତରେ ଏକ ତୃତୀୟ ଅସାମଞ୍ଜସ୍ୟ। ଶାସ୍ତ୍ରୀ ତ୍ରୁଟିକୁ ସ୍ବୀକାର କରିବା ସହ ସ˚ଶୋଧନ କରୁଥିଲେ। ତ୍ରୁଟି ସଜାଡ଼ିବା ପାଇଁ ତାଙ୍କର ଆନ୍ତରିକତା ଥିଲା, ଯାହା ମୋଦୀଙ୍କର ନାହିଁ। ୨୬ ଜାନୁଆରି ୧୯୬୫ରେ ଦକ୍ଷିଣ ଭାରତୀୟ ରାଜ୍ୟ ତଥା କ˚ଗ୍ରେସ୍‌ର ଆଗ ଧାଡ଼ିର ଦକ୍ଷିଣ ଭାରତୀୟ ନେତାମାନଙ୍କର ଚେତାବନୀ ସତ୍ତ୍ବେ ଶାସ୍ତ୍ରୀ ସରକାରୀ ଭାଷା ଭାବେ ଇ˚ଲିସ୍‌ର ଉଚ୍ଛେଦନ କରିବା ସହ ହିନ୍ଦୀକୁ ଏକ ମାତ୍ର ସରକାରୀ ଭାଷା ଭାବେ ସ୍ବୀକୃତି ଦେଇଥିଲେ। ତାଙ୍କ ନିଷ୍ପତ୍ତିକୁ ତାମିଲନାଡ଼ୁରେ ତୀବ୍ର ବିରୋଧ କରାଯାଇଥିଲା। ଏତେ ତୀବ୍ର ବିରୋଧ ହେଲା ଯେ, ହିନ୍ଦୀକୁ ଅନ୍ୟମାନଙ୍କ ଉପରେ ଲଦି ଦେବାର ଭୁଲ୍‌ କରିଥିବା, ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ। ଅତ୍ୟନ୍ତ ଶିଷ୍ଟତାର ସହ ସେ ଏ ବାବଦରେ ୧୧ ଫେବ୍ରୁଆରି ୧୯୬୫ରେ ‘ଅଲ୍‌ ଇଣ୍ତିଆ ରେଡିଓ’ରେ ଏକ ଭାଷଣ ଦେଇଥିଲେ। ଉଲ୍ଲେଖନୀୟ ଯେ, ସେ ଇ˚ଲିସ୍‌ରେ ଭାଷଣ ଦେଇଥିଲେ।

ଭାଷା ପରିବର୍ତ୍ତନ ଜନିତ ଦୁଃଖଦ ଘଟନାମାନ ତାଙ୍କୁ କଷ୍ଟ ଦେଇଥିବା ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କହିଥିଲେ। ଯାହା କିଛି ଭୁଲ୍‌ ହୋଇଛି, ସଙ୍ଗେସଙ୍ଗେ ତାହାର ସ˚ଶୋଧନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଜଵାହରଲାଲ ନେହରୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁରୂପ, ଯେଉଁ ପର୍ଯ୍ୟନ୍ତ ଦକ୍ଷିଣ ଭାରତୀୟମାନେ ଚାହିଁବେ ଇ˚ଲିସ୍‌ ସରକାରୀ ଭାବେ ବ୍ୟବହୃତ ହେବ ବୋଲି ସେ କହିଥିଲେ। ତାହା ପରେ ସେ ନିଜ ଆଡ଼ୁ ଆଉ ଚାରିଟି ପ୍ରତିଶ୍ରୁତି ଦେଇଥିଲେ:

ପ୍ରଥମରେ ପ୍ରତ୍ୟେକ ରାଜ୍ୟ ପୂର୍ଣ୍ଣ ସ୍ବାଧୀନତାର ସହ ଯେଉଁ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ଚାହାଁନ୍ତି, କରିପାରିବେ; ତାହା ଆଞ୍ଚଳିକ ଭାଷା ହେଉ ବା ଇ˚ଲିସ୍‌। ଦ୍ବିତୀୟଟି ହେଲା ପ୍ରଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗର ଭାଷା ଇ˚ଲିସ୍‌ ରହିବ କି˚ବା ଅନ୍ୟ ଭାଷାର ଇ˚ଲିସ୍‌ ଅନୁବାଦ ରହିବ। ତୃତୀୟରେ ଅଣ-ହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାର ସହ ଇ˚ଲିସ୍‌ ଭାଷାରେ ଯୋଗାଯୋଗ କରିପାରିବେ। ଅଣ-ହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକର ସମ୍ମତି ବିନା ଏଥିରେ କୌଣସି ପରିବର୍ତ୍ତନ ଅଣାଯିବନାହିଁ। ଚତୁର୍ଥରେ କେନ୍ଦ୍ରୀୟ ସ୍ତରରେ ସମସ୍ତ କାର୍ଯ୍ୟ ଇ˚ଲିସ୍‌ରେ ହେବ।

ଶାସ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀ ଅଧିକ ଗୁରୁତର ଭୁଲ୍‌ କରୁଛନ୍ତି। ବିମୁଦ୍ରୀକରଣ ଓ ଯୋଜନାହୀନ ତାଲାବନ୍ଦୀ- ଦୁଇଟି ଗୁରୁତର ତ୍ରୁଟି। ତାଙ୍କର ବ୍ୟକ୍ତିଗତ ତ୍ରୁଟିର ପରିଣାମ ଦେଶର ଅର୍ଥନୀତି ତଥା ସମାଜ ଭୋଗୁଥିବା ବେଳେ ସେ କିନ୍ତୁ ଚିନ୍ତିତ ନାହାନ୍ତି। ନିଜର ତ୍ରୁଟି ନା କେବେ ସ୍ବୀକାର କରିଛନ୍ତି ନା ଅନୁତାପ କରିଛନ୍ତି। ଏହି ପାଳିରେ ତାଙ୍କର କାର୍ଯ୍ୟକାଳର ଆଉ ସାଢ଼େ ତିନି ବର୍ଷ ବାକି ଅଛି। ଏବେ ବି ଚାହିଲେ ସେ ନିଜ ପୂର୍ବସୂରୀମାନଙ୍କଠାରୁ ଶିଖିପାରିବେ। ଶାସ୍ତ୍ରୀଙ୍କ ଭଳି ଧର୍ମ ନିରପେକ୍ଷ ହୋଇପାରିବେ; ତାଙ୍କ ପରି ନିଜର କ୍ୟାବିନେଟ୍‌ ସାଥୀମାନଙ୍କୁ କ୍ଷମତା ଦେଇପାରିବେ; ନିଜ ଭୁଲ୍‌ ବୁଝି ଭବିଷ୍ୟତ୍‌ରେ ଯେପରି ପୁନରାବୃତ୍ତି ନ ହୁଏ, ସେଥି ପ୍ରତି ସତର୍କ ଓ ଯତ୍ନବାନ ହୋଇପାରିବେ।

ତେବେ, ନରେନ୍ଦ୍ର ମୋଦୀଙ୍କର ଶିଖିବା ପାଇଁ ସାମର୍ଥ୍ୟ ଅଛି କି ନା, ତାହା ଭିନ୍ନ ବିଷୟ।

ସମ୍ବନ୍ଧିତ ଖବର