ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଆ ଭାଷା : ସରକାରୀ ପ୍ରସ୍ତାବ, ନିଷ୍ପତ୍ତି ଓ କାର୍ଯ୍ୟକାରିତା

ଅରଣ୍ୟ ରୋଦନ - ବସନ୍ତ ଦାସ

ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସ˚ସ୍କୃତିର ବିକାଶ ସହିତ ଏସବୁର ପ୍ରସାର ଓ ପ୍ରଚାର ଉଦ୍ଦେଶ୍ୟରେ ସ˚ସ୍କୃତି ବିଭାଗକୁ ପର୍ଯ୍ୟଟନ ବିଭାଗରୁ ପୃଥକ୍‌ କରି ପାଞ୍ଚ ବର୍ଷ ତଳେ ଓଡ଼ିଆ ଭାଷା, ସାହିତ୍ୟ, ସ˚ସ୍କୃତି ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି। ସେଥିସହିତ ବିଭିନ୍ନ ସମୟରେ ଲୋକଙ୍କୁ ଆକୃଷ୍ଟ କଲା ଭଳି ଏକାଧିକ ଘୋଷଣା ମଧୢ କରିଛନ୍ତି। ଏସବୁ ଘୋଷଣାରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ବିକାଶ ହୋଇପାରିବ ବୋଲି ସାଧାରଣରେ ଆଶାର ସଞ୍ଚାର ହୋଇଛି। ମାତ୍ର ସରକାରୀ କଳର ଉଦାସୀନତା ଯୋଗୁ ସେ ଆଶା ମଉଳିବାରେ ଲାଗିଛି। ରାଜ୍ୟର ପ୍ରଶାସନିକ କଳରେ ଯେଉଁ ଉଚ୍ଚାଧିକାରୀମାନେ ରହିଛନ୍ତି, ସେମାନଙ୍କ ମଧୢରୁ ଅଧିକା˚ଶଙ୍କର ଓଡ଼ିଆ ଭାଷା କିମ୍ବା ସାହିତ୍ୟ ପ୍ରତି ଶ୍ରଦ୍ଧା ବା ପ୍ରୀତି ନାହିଁ। ଆବଶ୍ୟକସ୍ଥଳେ କେଇପଦ ଅଶୁଦ୍ଧ ଓଡ଼ିଆ ଶବ୍ଦ ଉଚ୍ଚାରଣ କରି ସେମାନେ ସେମାନଙ୍କର ପବିତ୍ର କର୍ତ୍ତବ୍ୟ ସମାପନ କରୁଛନ୍ତି। ରାଜାନୁଗତ ଧର୍ମ ଅନୁସାରେ ଏତିକିରେ ସେମାନଙ୍କ ସ୍ଥିତି ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରହୁଛି। ଏଇ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ଓ ସାହିତ୍ୟର କିପରି ବିକାଶ ହୋଇପାରିବ ତାହା ଚିନ୍ତାର ବିଷୟ।

ଇତି ମଧୢରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ ଗୋଟିଏ ପ୍ରସ୍ତାବକୁ ଅନୁମୋଦନ କରିଥିବା କଥା ବିଭାଗୀୟ ମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଗତ ୨୦୦୮ ମସିହାରୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିବା କଥା ମଧୢ ମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୦୮ରୁ ୨୦୨୦ ମସିହା ମଧୢରେ ଏକ ଯୁଗର ବ୍ୟବଧାନ। ଏଇ ଦୀର୍ଘ ସମୟ ମଧୢରେ ରାଜ୍ୟ ସରକାର ଜାତୀୟ ସ୍ତରରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା ପ୍ରଦାନ ପାଇଁ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି। ଓଡ଼ିଶାବାସୀଙ୍କର ସୌଭାଗ୍ୟ ଯେ, ଗତ କୋଡ଼ିଏ ବର୍ଷ ହେଲା ଗୋଟିଏ ଆଞ୍ଚଳିକ ଦଳ ଜଣେ ନେତାଙ୍କ ନେତୃତ୍ବରେ ନିରବଚ୍ଛିନ୍ନ ଭାବରେ ଶାସନ କ୍ଷମତାରେ ରହିଛି। ଏ ସରକାର ପ୍ରତି ଦଳ ଭିତରୁ କିମ୍ବା କୌଣସି ବିରୋଧୀ ଦଳ ପକ୍ଷରୁ କୌଣସି ବିପଦର ଆଶଙ୍କା ନାହିଁ। ତା’ଛଡ଼ା, ଶାସକ ଦଳ ବିଜେଡିର କେନ୍ଦ୍ରରେ କ୍ଷମତାସୀନ ବିଜେପି ସହିତ ଉତ୍ତମ ବୁଝାମଣା ରହିଛି। ବିଭିନ୍ନ ସମୟରେ ମୋଦୀ ସରକାରକୁ ବିପଦରୁ ରକ୍ଷା କରିବା ପାଇଁ ବିଜେଡି ସହଯୋଗର ହାତ ବଢ଼ାଇଛି। ଏପରି ସ୍ଥଳେ ଓଡ଼ିଶୀ ସଙ୍ଗୀତକୁ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ମିଳି ନ ପାରିବା ବିଷୟ ବୁଝା ପଡୁନାହିଁ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏକାଧିକ ସଙ୍ଗୀତ ଭିତ୍ତିକ ଆଲୋଚନାଚକ୍ରର ଆୟୋଜନ କରାଯାଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ରିପୋର୍ଟ ପଠାଯାଇଥିବା କଥା ଜଣାପଡ଼ିଛି। ମାତ୍ର ସେ ରିପୋର୍ଟରେ କ’ଣ ଉଲ୍ଲେଖ କରାଯାଇଥିଲା ଓ ତା’ର ଭାଗ୍ୟ କ’ଣ ହେଲା ସେ ସମ୍ପର୍କରେ କେହି କିଛି କହିପାରୁନାହାନ୍ତି। ଏହା ଦୁର୍ଭାଗ୍ୟଜନକ ନୁହେଁ କି?

ଓଡ଼ିଶୀ ସଙ୍ଗୀତର ଜଣେ ପ୍ରତିଷ୍ଠିତ ଗୁରୁଙ୍କ କହିବା ଅନୁଯାୟୀ, ‘କେନ୍ଦ୍ରକୁ ରିପୋର୍ଟ ପଠାଇବା କିଛି ବଡ଼ କଥା ନୁହେଁ। ଏହି ସଙ୍ଗୀତର ପରମ୍ପରା ବହୁ ପୁରାତନ ଓ ଏହା ଯେ କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଠାରୁ ଭିନ୍ନ; ଏ କଥା ପ୍ରଥମେ ଆମକୁ ପ୍ରମାଣ କରିବାକୁ ହେବ। ସେଥିପାଇଁ ଓଡ଼ିଶୀ ସଂଗୀତ ଗୁରୁମାନଙ୍କୁ ଏକତ୍ର କରି ସର୍ବ ସମ୍ମତିକ୍ରମେ ଓଡ଼ିଶୀ ସଙ୍ଗୀତର ମୌଳିକତା, ତାଳ, ଲୟ ଓ ପରମ୍ପରାକୁ ବଜାୟ ରଖି ଏକ ବ୍ୟାକରଣ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଗାୟନ ଶୈଳୀରେ ହୁଏତ ଗୁରୁମାନଙ୍କ ଭିତରେ ଭିନ୍ନତା ରହିଥାଇପାରେ, ମାତ୍ର ଏହାର ମୌଳିକତାକୁ ପ୍ରତିପାଦନ କରିବାକୁ ହେବ। କାରଣ ଦୁଇ ଶାସ୍ତ୍ରୀୟ ସଙ୍ଗୀତର ଧାରାରେ ବିଭିନ୍ନ ଘରାନା ଅନୁସାରେ ଗାୟନ ଶୈଳୀରେ ବିଭିନ୍ନତା ଦେଖାଦେଇଥାଏ।’ ଇତି ମଧ୍ୟରେ ଓଡ଼ିଶୀ ସଙ୍ଗୀତର ବହୁ ପୁରାତନ ଗୁରୁ ଯେମିତି କି ସି˚ହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ତେୟ ମହାପାତ୍ର, କାଶୀନାଥ ପୂଜାପଣ୍ତା, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ପ୍ରମୁଖ ଇହଧାମରୁ ବିଦାୟ ନେଇ ସାରିଲେଣି। ଯେଉଁମାନେ ଅଛନ୍ତି, ସେମାନେ ବ୍ୟକ୍ତିଗତ ଅହ˚ ପରିତ୍ୟାଗ କରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କ୍ଷେତ୍ରରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଜରୁରୀ। ରାଜ୍ୟ ସରକାର ଏସବୁ ଦିଗ ପ୍ରତି ଧୢାନ ଦେବା ଉଚିତ। କେବଳ ପ୍ରସ୍ତାବ ପଠାଇ ଦେଲେ କାମ ସରିଯା‌ଏ ନାହିଁ।

କେନ୍ଦ୍ର ସରକାର ଗତ ୨୦୧୪ ମସିହା ଫେବ୍ରୁଆରି ୨୦ ତାରିଖରୁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା କରି ସାରିଛନ୍ତି। ରାଜ୍ୟ ସରକାର ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ କି କାର୍ଯ୍ୟାନୁଷ୍ଠାନ କରିଛନ୍ତି? ସେହିପରି ବହୁ ଚର୍ଚ୍ଚିତ ଓଡ଼ିଆ ବିଶ୍ବବିଦ୍ୟାଳୟର ସ୍ଥିତି ଆଜି କ’ଣ? ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ହେବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମାହିତ ହୋଇଛି। ହେଲେ, ଦୀର୍ଘ ଦିନ ବିତି ଯାଇଥିଲେ ବି ଏହି ପ୍ରକଳ୍ପରେ ବିଶେଷ ଅଗ୍ରଗତି ହୋଇନାହିଁ। ଆଜିକୁ ୨୧ ବର୍ଷ ପୂର୍ବେ କ˚ଗ୍ରେସ ଶାସନ ଅମଳରେ ଭାରତବର୍ଷର ଏକ ମାତ୍ର ବିଶ୍ବବିଦ୍ୟାଳୟ ଭାବରେ ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ ଜନ୍ମ ଲାଭ କରିଥିଲା। ଏହି ବିଶ୍ବବିଦ୍ୟାଳୟ ୟୁ.ଜି.ସି. (ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ)ଙ୍କ ଅନୁମୋଦନ ଲାଭ କରିଥିଲା। ୟୁ.ଜି.ସି. ସର୍ତ୍ତ ଅନୁଯାୟୀ ପାଞ୍ଚଟି ବିଷୟବସ୍ତୁ ସ୍ଥିର କରାଯାଇ ଅଧୢାପକ ନିଯୁକ୍ତ ହୋଇଥିଲେ। ମାତ୍ର ଏବେ ୟୁ.ଜି.ସି. ଅନୁମୋଦିତ ବିଷୟବସ୍ତୁକୁ ଉଠାଇ ଦିଆଯାଇ ଏଥିରେ ନୃତ୍ୟ, ସଙ୍ଗୀତ ବିଷୟବସ୍ତୁକୁ ସାମିଲ କରି ଦିଆଯାଇଛି। ଫଳରେ ୟୁ.ଜି.ସି.ରୁ ଯୋଉ ଅନୁଦାନ ମିଳିବା କଥା ତାହା ମିଳିଲା ନାହିଁ। ଫଳରେ ବିଶ୍ବବିଦ୍ୟାଳୟ କ୍ରମେ ରୁଗ୍‌ଣ ହୋଇପଡ଼ିଛି। ଦୀର୍ଘ ୨୯ ବର୍ଷ ଭିତରେ ଏହି ବିଶ୍ବବିଦ୍ୟାଳୟ ଦ୍ବାରା ରାଜ୍ୟର କୋଉ ସ୍ବାର୍ଥ ହାସଲ କରାଯାଇ ପାରିଛି ସେ କଥା ବୁଝାପଡୁନାହିଁ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ସଙ୍ଗୀତ ‘‘ବନ୍ଦେ ଉତ୍କଳ ଜନନୀ’’କୁ ଓଡ଼ିଶାର ଜାତୀୟ ସଙ୍ଗୀତ ଭାବରେ ରାଜ୍ୟ ସରକାର ଗ୍ରହଣ କରିବାର ଢେର୍‌ ଦିନ ବିତିଗଲାଣି। ମାତ୍ର ଏହି ସଙ୍ଗୀତର କେତେ ଧାଡ଼ି, କେତେ ସମୟ ଭିତରେ ବୋଲାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ସେଥିପାଇଁ ବିଭିନ୍ନ ଉତ୍ସବରେ ଏହି ସଙ୍ଗୀତ ଗାନକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହେଉଛି। ରାଜ୍ୟ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଶେଷ ଦିନରେ ଏହି ସଙ୍ଗୀତ ସମ୍ପୂର୍ଣ୍ଣ ଭାବରେ ଗାନ କରାଯାଉଥିଲା ବେଳେ ଅନ୍ୟତ୍ର ଏହାର ପ୍ରଥମ ପ˚କ୍ତି ବୋଲାଯାଉଛି। ପୁଣି ଦୁଃଖର ବିଷୟ ଯେ ସବୁ ସରକାରୀ ଅନୁଷ୍ଠାନମାନଙ୍କରେ ମଧୢ ଏହି ସଙ୍ଗୀତ ଗାନ କରାଯାଉନାହିଁ। ଗତ ୨୦୧୮ ମସିହା ଜୁଲାଇ ମାସ ୨୫ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଓ ୨୬ ତାରିଖରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଉତ୍ସବ ରବୀନ୍ଦ୍ର ମଣ୍ତପରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ତତ୍‌କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ କବିବର ରାଧାନାଥ ରାୟଙ୍କ ରଚିତ ‘ସର୍ବେଷା˚ ନୋ ଜନନୀ’ ଏବ˚ ଦ୍ବିତୀୟ ଦିନ ଉତ୍ସବରେ ଭାଷା, ସାହିତ୍ୟ, ସ˚ସ୍କୃତି ମନ୍ତ୍ରୀଙ୍କ ସମ୍ମୁଖରେ ଗୋଦାବରୀଶଙ୍କ କବିତା ‘ତୁଙ୍ଗ ଶିଖରୀ ଚୂଳ’ ଗାନ କରାଯାଇଥିଲା। ଦୁଇ ଦିନର ଉତ୍ସବରେ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତିଙ୍କ ସମେତ ବହୁ ପଦସ୍ଥ ଅଫିସର ଉପସ୍ଥିତ ଥିଲେ। କାହା ନିର୍ଦ୍ଦେଶରେ ସରକାରୀ ଉତ୍ସବମାନଙ୍କରେ ଏପରି ବ୍ୟତିକ୍ରମ ହୋଇଥିଲା ସେକଥା ଜଣାନାହିଁ।

ବହୁ ବାଦ ବିବାଦ, ଆଲୋଚନାଚକ୍ର ଓ ବିରୋଧ ପ୍ରଦର୍ଶନ ପରେ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ପ୍ରଶାସନ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଚଳନ କରିବା ପାଇଁ ବିଧେୟକ ପାରିତ କଲେ। ଯେଉଁମାନେ ସରକାରୀ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଏଥିରେ ବ୍ୟବସ୍ଥା ରହିଲା। ମାତ୍ର ଏହାର ଫଳାଫଳ ‘ପର୍ବତର ମୂଷିକ ପ୍ରସବ’ ସଦୃଶ ହୋଇଛି। କାରଣ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା ସରକାରୀ ସ୍ତରରେ ସମ୍ପୂର୍ଣ୍ଣ ଭାବେ ପ୍ରଚଳିତ ହୋଇପାରିନାହିଁ। ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ଲଗାଯିବାର ନିୟମ (ଏହାର ଉଲ୍ଲଂଘନ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଘୋଷଣା ସତ୍ତ୍ବେ) କ’ଣ କାର୍ଯ୍ୟକାରୀ ହେଲାଣି? ସରକାରୀ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନ ଏଥିପାଇଁ ଦଣ୍ତିତ ହେଲେଣି କି? ଓଡ଼ିଶାରେ ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ?

ମୋ:୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର