“ନମସ୍କାର….ମୁଁ ବିଏମ୍ସି ତରଫରୁ କହୁଛି। ଆପଣ ଗତକାଲି କୋଭିଡ ଟେଷ୍ଟ କରିଥିଲେ କି ?…ଆପଣଙ୍କର ପଜିଟିଭ ରିପୋର୍ଟ ଆସିଛି। …ଆଜି ଠାରୁ ଘରେ ଆପଣ ସଙ୍ଗରୋଧରେ ରହିବେ। କାଲି ଡକ୍ଟର ଆପଣଙ୍କ ଘରକୁ ଯିବେ। ସବୁ ବୁଝାଇ ଦେବେ। ….ଭଗବାନ କରନ୍ତୁ ଆପଣ ଶୀଘ୍ର ସୁସ୍ଥ ହୋଇଯା’ନ୍ତୁ।… ଜୟ ଜଗନ୍ନାଥ…..।”
ଯେଉଁ ସତ୍ୟ ମଣିଷ ଶୁଣିବାକୁ ଚାହେଁ ନାହିଁ, ଅଧିକାଂଶ ସମୟରେ ଠିକ ତାହା ହିଁ ଶୁଣିବାକୁ ପଡ଼େ। ଯେଉଁ ବାସ୍ତବତାକୁ ମଣିଷ ଆଡ଼େଇ ଯିବାକୁ ଚେଷ୍ଟା କରେ, ତାରି ସାମ୍ନା ବାରମ୍ବାର କରିବାକୁ ପଡ଼େ। ଏହି କେତେ ପଦ ଶୁଣିବା ବେଳକୁ, ଗତ ୬ ମାସ ଧରି କରୋନା ନାମକ ବ୍ୟାଧିକୁ ପରାହତ କରିପାରି ଆତ୍ମ ସନ୍ତୋଷ ଲାଭ କରିଥିବା ଯେ କୌଣସି ବ୍ୟକ୍ତି ଆଖି ଆଗରେ ଏକ ଅନ୍ଧକାରମୟ ପୃଥିବୀକୁ ଲକ୍ଷ୍ୟ କରିବ, ପାଦ ତଳୁ ମାଟି ଖସି ଯିବାର ଅନୁଭୂତି ଆସିବ- ଏହା କହିବା ବାହୁଲ୍ୟ ମାତ୍ର। ହୁଏତ ନିଜ ଭିତରୁ କେହି ଜଣେ ଚିତ୍କାର କରି ପ୍ରଶ୍ନ କରିବା ପାଇଁ ଚାହିଁ ପାରେ- ହେ ଭଗବାନ, ମୁଁ ବା କାହିଁକି? ଠିକ ଯେମିତି ସେଦିନ ସନ୍ଧ୍ୟାରେ ଏହି ଲେଖକ ପଚାରିଥିଲା ଏହି ପ୍ରଶ୍ନ। ତା’ର ଉତ୍ତର ଅବଶ୍ୟ ମିଳିନଥିଲା। ବରଂ କୋଭିଡ-୧୯ ନାମକ ଦୁର୍ଦମନୀୟ, ଅଦୃଶ୍ୟ ଶକ୍ତି ସହିତ ଲଢ଼ିବା ସାଙ୍ଗକୁ ଏକ ଅପ୍ରିୟ ସତ୍ୟ ସହ ଯୁଝିବାର ମାନସିକତା ଯଥାଶୀଘ୍ର ଆପଣେଇ ପାରିଲେ, ନିଜ ପାଇଁ ଏବଂ ସମାଜ ପାଇଁ ମଙ୍ଗଳମୟ ହେବ- ଏହି ଲେଖକ ହୃଦୟଙ୍ଗମ କରିପାରିଥିଲା।
ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କର ଜୀବନଶୈଳୀ ସତେ ଯେମିତି ବଦଳି ଯାଏ। ନିଜ ଘରେ ନିଜେ ବନ୍ଦୀ ହେବାର ଏକ ନିଆରା ଅଭିଜ୍ଞତା। ଘର ଭିତରେ ନିଜ କୋଠରି ଅଲଗା, ଶୌଚାଳୟ ଅଲଗା। ନିଜ ପ୍ରିୟ ପରିଜନଙ୍କ ଠାରୁ ଦୂରତ୍ୱ ରଖିବାକୁ ପଡ଼ିବ, ନିଜ ସ୍ୱାର୍ଥରେ ଏବଂ ଅନ୍ୟମାନଙ୍କ ସ୍ୱାର୍ଥରେ। ସକାଳୁ ରାତି ଯାଏ ଘର ଭିତରେ ଏବଂ ବାହାରେ ନିଜ ଇଛା ମୁତାବକ ଘୂରି ବୁଲିବାର ଦୀର୍ଘ ଦିନର ସ୍ୱାଧୀନତା ଆପଣଙ୍କ ଠାରୁ ଛଡ଼ାଇ ନିଆଗଲା ଆଖି ପିଛୁଳାକେ, ମାତ୍ର ଗୋଟିଏ ଫୋନ୍ କଲ୍ରେ। ଆପଣ ଏବେ ଏକ ପ୍ରକାର ଗୃହବନ୍ଦୀ- ଯାହାର ନୂଆ ନାଁ ସଙ୍ଗରୋଧ। ବିଶ୍ୱର କୋଟିକୋଟି ଆକ୍ରାନ୍ତ ଆଜି ଯାଏ ଆପଣଙ୍କ ପାଇଁ ଥିଲେ ଉଦାହରଣ ମାତ୍ର, ସକାଳ ସଂଧ୍ୟାର ସମ୍ବାଦର ମୁଖ୍ୟ ଖବର। ଅଥଚ ଆଜି ଆପଣ ନିଜେ ସେମାନଙ୍କ ମଧ୍ୟରୁ ଜଣେ। ଏକ ବିରଳ ବିଶ୍ବବ୍ୟାପୀ ମହାମାରୀ ଇତିହାସ ପୃଷ୍ଠାରେ ଆପଣଙ୍କର ନାଁ ଲିପିବଦ୍ଧ ହୋଇଗଲା- ଏହା ମଧ୍ୟ ହୋଇପାରେ ଏକ ମହାନ ଉପଲବ୍ଧି।
କୋଭିଡ-୧୯ର ଉତ୍ପତ୍ତି ଏବେ ବି ରହସ୍ୟାବୃତ୍ତ, ଯେଉଥି ପାଇଁ ତାକୁ ବୁଝିବାର, ନିୟନ୍ତ୍ରଣ କରିବାର କୌଶଳ ଏ ଯାଏ ପୃଥିବୀର ବୈଜ୍ଞାନିକ, ଡାକ୍ତରମାନଙ୍କର ଅପହଞ୍ଚ। ତେଣୁ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆରେ ଅନବରତ ପରିବେଷଣ ହେଉଥିବା ନୂଆ ନୂଆ ବିରୋଧାତ୍ମକ ତଥ୍ୟ ଓ ପରିସଂଖ୍ୟାନ- ବିଶେଷ କରି ଆକ୍ରାନ୍ତ ଓ ମୃତକଙ୍କର ସଂଖ୍ୟା- ଆପଣଙ୍କୁ ବିଚଳିତ କରିପାରେ। ପୁଣି ନିରାଶ କରିପାରେ ଦୀର୍ଘ ଦିନର ପରିଚିତ ବନ୍ଧୁ, ସଖା, ସହୋଦର, ସହକର୍ମୀମାନଙ୍କର ବ୍ୟବହାରରେ ଅପ୍ରତ୍ୟାଶିତ ପରିବର୍ତ୍ତନ। ନା, ସବୁ କିଛି ଆପଣଙ୍କ ଆଶା ମୁତାବକ ଅବଶ୍ୟ ଘଟି ନ ପାରେ। ଯେଉଁ ଯେଉଁ ସୂତ୍ରରୁ ଆପଣ ସହଯୋଗ, ସହାନୁଭୂତି ଆଶା କରିଥିଲେ, ହୁଏତ ତାହା ମିଳି ନ ପାରେ। ଆକ୍ରାନ୍ତ ଠାରୁ ନିରାପଦ ଦୂରତ୍ୱ ବଜାୟ ରଖିବାକୁ ତ ପଡ଼ିବ! ସମସ୍ତଙ୍କ ଆଖିରେ ଆପଣଙ୍କ ପ୍ରତି ଉଦ୍ବିଗ୍ନତା ରୂପକ ସନ୍ଦେହ ଓ ସଂଶୟ- ଅଥଚ ଆପଣ ଅସହାୟ, ନିରୁପାୟ। ପୁଣି ଏମିତି ବି ଘଟିପାରେ- ଆଦୌ ଆଶା କରି ନଥିବା ଏକ ସୂତ୍ର- ଯେମିତି କି ଆପଣଙ୍କ ଘରେ ସେବା କରୁଥିବା ପରିଚାରିକା ନିଜ ପରିବାରର ସୁରକ୍ଷାକୁ ଅଣଦେଖା କରି ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିପାରେ ବିନା ଦ୍ବିଧାରେ – କୋଭିଡର ଇଏ ମଧ୍ୟ ଏକ କରିସ୍ମା।
ଏଭଳି ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଯେଉଁଠିକି ଆପଣ ଆତ୍ମବିଶ୍ୱାସ ହରେଇବାର ଯଥେଷ୍ଟ ସମ୍ଭାବନା ରହିଛି, ମାନସିକ ଅବସାଦ ଆପଣଙ୍କୁ ଦୁର୍ବଳ କରିବାର କ୍ଷମତା ରଖିଛି, ଠିକ ସେତିକିବେଳେ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ତରଫରୁ ପ୍ରତିଦିନ ଫୋନ୍ କଲ୍ ଓ ଭିଡିଓ କଲ୍ ଆସେ- ଭିନ୍ନ ଭିନ୍ନ ନମ୍ବରରୁ। ମାର୍ଜିତ କଣ୍ଠ ଓ ଭାଷାରେ ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି। ଆବଶ୍ୟକ ସ୍ଥଳେ ଯାହା ଯାହା କରଣୀୟ- ପରାମର୍ଶ ଦିଅନ୍ତି। ଫୋନ୍ ଲାଇନ୍ କାଟିବା ପୂର୍ବରୁ ଆପଣଙ୍କର ଆଶୁ ଆରୋଗ୍ୟ କାମନା କରାଯାଏ। ଏହା ମଧ୍ୟ ଏକ ରୋମାଞ୍ଚକର ଅନୁଭୂତି। ଭାରତ ଭଳି ଏକ ବିରାଟ ଦେଶ- ଯାହାର ଜନସଂଖ୍ୟା ୧୩୦ କୋଟି- ସେହି ଦେଶରେ ସବୁ କିଛି ସୁଚାରୁରୂପରେ ସଂଘଟିତ ହେବା ନିଶ୍ଚୟ କାଠିକର। କୋଭିଡ ଯୁଦ୍ଧ ଯାତ୍ରାର ପରିଚାଳନାରେ ଦୋଷ ତ୍ରୁଟି ଦେଖିବା ହୁଏତ ଦୂରରୁ ସହଜ ମନେ ହୋଇପାରେ। ମାତ୍ର, ଏହି ଯୁଦ୍ଧର ଯୋଦ୍ଧାମାନଙ୍କର ଅବଦାନକୁ ଥରେ ଲକ୍ଷ୍ୟ କରି ଦେଖନ୍ତୁ-ଏକବିଂଶ ଶତାବ୍ଦୀର ପ୍ରଥମ ମହାମାରୀ ଦିନକୁ ଦିନ ହୁହୁ କରି ବଢ଼ି ଚାଲିଥିବା ବେଳେ ସେମାନେ ହିଁ ତ ଅହର୍ନିଶ ଆମ୍ଭମାନଙ୍କ ସେବାରେ ଲାଗିଛନ୍ତି। ତେଣୁ ସେହି ସମସ୍ତ କରୋନା ଯୋଦ୍ଧାଙ୍କୁ ଜଣେ କରୋନା ଆକ୍ରାନ୍ତର ଶତ ଶତ ପ୍ରଣାମ।
ଅନେକ ବୁଦ୍ଧିଜୀବୀ ମନୀଷୀଙ୍କ ମତରେ ଦୁର୍ଦିନରେ ହିଁ ଆଶାର ଆଲୋକ ଦେଖାଯାଏ। ୧୭ ଦିନର ସଙ୍ଗରୋଧ ଜନିତ ନିଃସଙ୍ଗତା ଆପଣଙ୍କୁ ସୃଜନଶୀଳ କରିପାରେ। ଆପଣ କବିତା, ଗଳ୍ପ ଲେଖି ପାରନ୍ତି। ପିଲାଦିନୁ ଛାଡ଼ିଦେଇଥିବା ଚିତ୍ରକଳା ପୁଣି ଥରେ ଆରମ୍ଭ କରି ପାରନ୍ତି। ଘରେ ଯଦି ହାର୍ମୋନିଅମ, ବେହେଲା କିମ୍ବା ବଂଶୀଟିଏ ଅଛି, ତେବେ ବସି ଯାଆନ୍ତୁ ଗୋଟାଏ ନୂଆ ଧୁନ ଉଠେଇବା ଲକ୍ଷ୍ୟରେ। ପୁରୁଣା ଦିନର ଫଟୋ ଆଲବମ ଖୋଜି ବାହାର କରନ୍ତୁ, କଳା-ଧଳାରୁ ହଳଦିଆ ପଡ଼ିଆସିଥିବା ଫଟୋମାନଙ୍କ ଭିତରୁ ସ୍ମୃତି ରୋମନ୍ଥନ କରନ୍ତୁ–ହଜିଯା’ନ୍ତୁ କଲେଜ ଜୀବନର ସେହି ଆଦ୍ୟ ଯୌବନର ଦିନମାନଙ୍କରେ। ଫେସ୍ବୁକ୍ କିମ୍ବା ଇନ୍ଷ୍ଟାଗ୍ରାମ୍ରୁ ସ୍କୁଲ୍ କଲେଜ ଦିନର ପୁରୁଣା ବନ୍ଧୁମାନଙ୍କୁ ଠାବ କରନ୍ତୁ। ସମୟ କ୍ରମେ ଦୁର୍ବଳ ହୋଇ ଆସି ଥିବା ସମ୍ପର୍କକୁ ପୁଣି ଥରେ ପୁନର୍ଜୀବିତ କରିବାର ସୁଯୋଗ ଆପଣଙ୍କ ହାତରେ। ଆପଣଙ୍କ କମ୍ପ୍ୟୁଟର ମାଉସ୍ର ଗୋଟିଏ କ୍ଲିକ୍ ଦୂରତ୍ବରେ। କରୋନା ଜନିତ ହତାଶା, ଗ୍ଳାନି, ନିମିଷକେ ଉଭେଇ ଯିବ। ଦୀର୍ଘ ଦିନର ଚିରାଚରିତ ଗତାନୁଗତିକ ବ୍ୟକ୍ତିଗତ, ସାମାଜିକ ଓ ବୃତ୍ତିଗତ ଜୀବନ ପ୍ରବାହରୁ ଆପଣଙ୍କୁ ମିଳିଯିବ ୧୭ ଦିନର ବହୁ ଆକାଂକ୍ଷିତ ଏକ ବିରତି। ଆପଣ ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ସଙ୍ଗରୋଧକୁ ଉପଭୋଗ କରିବେ। ପରିବାରର ଅନ୍ୟ ସଦସ୍ୟମାନଙ୍କ ମନରେ ଉତ୍ସାହ ସଂଚାରଣ ହେବ। ଶେଷରେ କରୋନାମୁକ୍ତ ଏକ ସୁନ୍ଦର ଓ ସୁରକ୍ଷିତ ପୃଥିବୀ ପରିକଳ୍ପନାରେ ସର୍ବଶକ୍ତିମାନ ଈଶ୍ୱରଙ୍କୁ ପ୍ରାର୍ଥନା କରି ପାରନ୍ତି- କରୋନା କରୁଣାମୟୀ ହୋଇ ଉଠୁ। ପୂର୍ବ ସମସ୍ତ ମହାମାରୀ କିମ୍ବା ମହାବାତ୍ୟାମାନଙ୍କ ଭଳି ତାଣ୍ଡବ ରଚି ରଚି ଏଥର ଦୁର୍ବଳ ହୋଇ ଏ ଧରା ପୃଷ୍ଠରୁ ବିଦାୟ ନେଉ କରୋନା- ଚାଲିଯାଉ ଚିର ଦିନ ପାଇଁ ଇତିହାସର ଗର୍ଭକୁ।
ଡି-୮୨, ଜୟଦେବ ବିହାର,
ଭୁବନେଶ୍ୱର-୧୩