ନୂଆ କୃଷି ଆଇନ : ପ୍ରଫେସର ଗୁଲାଟୀ ବୁଝିବାରେ ଭୁଲ କଲେ କେଉଁଠି?

ଯୋଗେନ୍ଦ୍ର ଯାଦବ

ଅର୍ଥଶାସ୍ତ୍ରୀ ପ୍ରଫେସର ଅଶୋକ ଗୁଲାଟୀଙ୍କ ତୁଳନାରେ ଭାରତୀୟ କୃଷକମାନେ କୃଷି ସ˚ପର୍କିତ ଅର୍ଥନୀତିକୁ ଅଧିକ ଭଲ ଭାବେ ବୁଝନ୍ତି କି? ଏହି ପ୍ରଶ୍ନ ଗୋଳମାଳିଆ ଓ ହାସ୍ୟାସ୍ପଦ ଲାଗିପାରେ; ତଥାପି, ଏହାର ଉତ୍ତର ହେବ ‘ହଁ’।

ପ୍ରଫେସର ଗୁଲାଟୀ ଆମ ଦେଶର ଅଗ୍ରଣୀ କୃଷି-ଅର୍ଥଶାସ୍ତ୍ରୀ। ମୁଁ ପଢ଼ୁଥିବା, ସମ୍ମାନ ଦେଉଥିବା ଏବ˚ ପରାମର୍ଶ ନେଉଥିବା ବିଦ୍ବାନ୍‌ଙ୍କ ମଧ୍ୟରେ ସେ ଜଣେ। ସେ ଏହି ବିଷୟରେ ଯଥେଷ୍ଟ ଜ୍ଞାନ ଥିବା ପଣ୍ତିତ ଏବ˚ କୃଷକମାନଙ୍କ ପାଇଁ ସର୍ବଦା ଚିନ୍ତା କରୁଥିବା ବ୍ୟକ୍ତି। ସରକାର ବିରୋଧରେ ଛିଡ଼ା ହେବାର ସତ୍‌ ସାହସ, ତାଙ୍କ ଠାରେ ଅଛି; ମୋଦୀ-ସରକାର ବିରୋଧରେ ମଧ୍ୟ। ପୁଣି, ଆବଶ୍ୟକ ପଡ଼ିଲେ ସେ କୃଷକ ଆନ୍ଦୋଳନ ବିରୋଧରେ ମଧ୍ୟ ମତ ଉପସ୍ଥାପନ କରିବା ଭଳି ବ୍ୟକ୍ତିତ୍ବର ଅଧିକାରୀ। ବର୍ଷ ବର୍ଷ ଧରି ଉପଯୁକ୍ତ ମତ ଦେଇ ଆସିଥିବା ପ୍ରଫେସର ଗୁଲାଟୀ ଏବେ ପାରିତ ହୋଇଥିବା ତିନିଟି କୃଷି ବିଧେୟକକୁ ସ୍ବାଗତ କରିଛନ୍ତି। ଏହାକୁ ଭାରତୀୟ କୃଷି ଅର୍ଥନୀତିର ୧୯୯୧ ସମୟ ସହ ତୁଳନା କରିଛନ୍ତି। ‘ଦ ପ୍ରିଣ୍ଟ୍‌’ର ମୁଖ୍ୟ ସ˚ପାଦକ ଶେଖର ଗୁପ୍ତାଙ୍କ ସମେତ ଅନେକ ତାଙ୍କ ସହ ଏକ ମତ ହୋଇ, ଏହି ତିନି ବିଧେୟକ ସମର୍ଥନରେ ଯୁକ୍ତି ବାଢ଼ିଛନ୍ତି।

ତେବେ, ଦୁଃଖର କଥା ହେଲା ଏ ଥର ପ୍ରଫେସର୍‌ ଗୁଲାଟୀ ମାମଲାକୁ ବୁଝିବାରେ ବଡ଼ ଧରଣର ଭୁଲ୍‌ କରିଛନ୍ତି। ତାଙ୍କର ବିଚାର-ବୋଧ, ତଥ୍ୟ ଓ ପରିସ˚ଖ୍ୟାନ ଏବଂ ଯୁକ୍ତିରେ କୌଣସି ତ୍ରୁଟି ନାହିଁ। ତଥାପି, ତାଙ୍କ ଦ୍ବାରା ଭୁଲ୍‌ ହୋଇଛି। ପୁଣି ଭୁଲ୍‌ ସେହି ଅର୍ଥଶାସ୍ତ୍ରୀଙ୍କ ଦ୍ବାରା ହୋଇଛି, ଯିଏ ସରକାରୀ ନୀତି ନିର୍ମାଣ ବାବଦରେ ପରାମର୍ଶ ଦିଅନ୍ତି। ଦୁଇ ଅର୍ଥଶାସ୍ତ୍ରୀ ଜାଁ ଡ୍ରେଜ୍‌ ଓ ଅଶୋକ କୋଟଵାଲଙ୍କ ମଧ୍ୟରେ ଚାଲିଥିବା ଗମ୍ଭୀର ସ୍ତରର ଆଲୋଚନା ଶୁଣିବା ପରେ ମୁଁ ପ୍ରଥମ ଥର ପାଇଁ ପ୍ରଫେସର ଗୁଲାଟୀଙ୍କ ଭୁଲ୍‌ ବାବଦରେ ନିଶ୍ଚିତ ହେଲି। ଗରିବଙ୍କୁ କମ୍‌ ମୂଲ୍ୟରେ ଖାଦ୍ୟଶସ୍ୟ ଦେବା ପରିବର୍ତ୍ତେ ନଗଦ ଟଙ୍କା ଦେବା ସପକ୍ଷରେ କୋଟଵାଲ ମତ ଦେଉଛନ୍ତି। ଏହାର ଜବାବରେ ଡ୍ରେଜ୍‌ କହୁଛନ୍ତି, ସରକାରଙ୍କ ପରାମର୍ଶଦାତା ଅର୍ଥଶାସ୍ତ୍ରୀ ଓ ଗରିବଙ୍କ ପରାମର୍ଶଦାତା ଅର୍ଥଶାସ୍ତ୍ରୀଙ୍କ ମଧ୍ୟରେ ଅନ୍ତର ରଖି ଆମକୁ ଚାଲିବାକୁ ହେବ। ସରକାରକୁ ପରାମର୍ଶ ଦେଉଥିବା ଅର୍ଥଶାସ୍ତ୍ରୀ ସର୍ବଦା ଭାବନ୍ତି ଯେ, ତାଙ୍କ ପରାମର୍ଶ ସ˚ପୂର୍ଣ୍ଣ ଭାବେ ଗ୍ରହଣ କରିନିଆଯିବ ଓ ଲାଗୁକରିଦିଆଯିବ ଏବ˚ ନୀତି ପାଳନ ଦ୍ବାରା ହେବାକୁ ଥିବା ଲାଭ ଉପରେ ସେ ଧ୍ୟାନ କେନ୍ଦ୍ରୀଭୂତ କରିଥାଆନ୍ତି। ଅପର ପକ୍ଷେ ଗରିବଙ୍କ ପରାମର୍ଶଦାତା ନୀତିର ପରିଣାମ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତି; ଯଥା- ବାସ୍ତବରେ ନୀତି କେଉଁ ପରି ଲାଗୁହେବ ଏବ˚ କ୍ଷେତ୍ର ସ୍ତରରେ କେଉଁ ପରି ଲୋକଙ୍କୁ ପ୍ରଭାବିତ କରିବ। ଡ୍ରେଜ୍‌ କହନ୍ତି- ଗରିବଙ୍କ ହାତରେ ନଗଦ ଟଙ୍କା ଦେବା, କାଗଜ-ପତ୍ରରେ ସେମାନଙ୍କ ପାଇଁ ଯଥାର୍ଥ ସାହାଯ୍ୟ ହୋଇପାରେ; କିନ୍ତୁ, ରାସନ୍‌ ଦୋକାନ ମାଧ୍ୟମରେ ଖାଦ୍ୟ-ଶସ୍ୟ ଯୋଗାଣ ଅଧିକ ବାସ୍ତବ। ତିନି କୃଷି ବିଧେୟକ ପ୍ରସଙ୍ଗରେ ମଧ୍ୟ ଏହା ହିଁ ସତ୍ୟ।

ଏହି ବିଧେୟକଗୁଡ଼ିକ ସପକ୍ଷରେ ଯେଉଁ ଅର୍ଥନୈତିକ ଯୁକ୍ତି ଉପସ୍ଥାପନ କରାଯାଉଛି, ସେଗୁଡ଼ିକ ପୋଥି-ବିଦ୍ୟା ଓ ବୌଦ୍ଧିକ। ଏହାକୁ ବୁଝିବା ପାଇଁ ପ୍ରଫେସର‌୍‌ ଗୁଲାଟୀଙ୍କ ‘ଦ ଇଣ୍ତିଆନ୍‌ ଏକ୍‌ସପ୍ରେସ୍‌’ରେ ପ୍ରକାଶିତ ଲେଖା ପଢ଼ାଯାଇପାରେ: ‘ଏହି ବିଧେୟକଗୁଡ଼ିକ ଦ୍ବାରା କୃଷକମାନେ ନିଜର ଉତ୍ପାଦ ବିକିବା ପାଇଁ ଅଧିକ ବିକଳ୍ପ ଓ ସ୍ବାଧୀନତା ପାଇବେ। କ୍ରେତା ମଧ୍ୟ କ୍ରୟ ଓ ଭଣ୍ତାରୀକରଣର ଅଧିକ ସୁବିଧା ପାଇବେ। ଫଳରେ କୃଷିଜ ବଜାରରେ ପ୍ରତିଦ୍ବନ୍ଦ୍ବିତା ବଢ଼ିବ। ଏହା ଦ୍ବାରା ବଜାର ଦର ହ୍ରାସ ପାଇବା ସହ କୃଷିଜ ମୂଲ୍ୟ ନିର୍ଦ୍ଧାରଣରେ ସହାୟକ ହେବ। କୃଷକମାନେ ନିଜ ଉତ୍ପାଦର ଲାଭଦାୟକ ମୂଲ୍ୟ ପାଇବେ। ଉପଭୋକ୍ତା ମଧ୍ୟ କମ୍‌ ମୂଲ୍ୟରେ ଖରଦିଦାରି କରିପାରିବେ। ଘରୋଇ କ୍ଷେତ୍ର, ଭଣ୍ତାରଣରେ ପୁଞ୍ଜି ବିନିଯୋଗ କରିବ। କୃଷିଜ ଉତ୍ପାଦ ନଷ୍ଟ ହେବା କମିବ। ଋତୁକାଳୀନ ମୂଲ୍ୟ ବୃଦ୍ଧି-ହ୍ରାସକୁ ନିୟନ୍ତ୍ରଣ କରାଯାଇପାରିବ।’ ଏହି ଯୁକ୍ତିଗୁଡ଼ିକ ସହ କିଏ ବା ଅସହମତ ହେବ? ହଁ, ଆଖିରେ ନିର୍ଦିଷ୍ଟ ଆଦର୍ଶବାଦର ପଟି ବାନ୍ଧିଥିବା କିଛି ଅସହମତ ହୋଇପାରନ୍ତି। ବିରୋଧୀମାନେ କହୁଛନ୍ତି, କୃଷକକୁ ନ୍ୟୂନତମ ସମର୍ଥନ ମୂଲ୍ୟ ମିିଳିବ ନାହିଁ। ତେବେ, ବିରୋଧୀମାନେ କଞ୍ଚା ମିଛ କହୁଥିବା ଲେଖିଛନ୍ତି, ଆଉ ଜଣେ ଅର୍ଥଶାସ୍ତ୍ରୀ ସ୍ବାମୀନାଥନ ଆୟର, ଯାହାଙ୍କୁ ମଧ୍ୟ ମୁଁ ସମ୍ମାନର ସହ ପଢ଼େ।

ସେମାନଙ୍କ ବିଚାର ଓ ଯୁକ୍ତି ମନ୍ଦ ନୁହେଁ। କିନ୍ତୁ, କ୍ଷେତ୍ରସ୍ତରୀୟ ବାସ୍ତବତା ଭିନ୍ନ କିଛି। ଏହି ବିଧେୟକଗୁଡ଼ିକ ଲାଗୁ ହେବା ପରେ ଯାହା ଘଟିବ ବୋଲି ସେମାନେ ଅନୁମାନ କରୁଛନ୍ତି, ତାହା ନିଚ୍ଛକ କଳ୍ପନା-ବିଳାସ। ତେଣୁ, ସେମାନଙ୍କ ଉପସ˚ହାର ତ୍ରୁଟିପୂର୍ଣ୍ଣ। ଜଣେ କୃଷକ, ଯିଏ ଅର୍ଥନୀତିର ଜଟିଳତା ବୁଝେନାହିଁ; ସେ କିନ୍ତୁ, ଏହି ଉଚ୍ଚ-ଶିକ୍ଷିତ ଓ ଶୃଙ୍ଖଳିତ ଅର୍ଥଶାସ୍ତ୍ରୀଙ୍କ ତୁଳନାରେ ଏହି ବିଧେୟକଗୁଡ଼ିକର ବାସ୍ତବ ପ୍ରଭାବ ଓ ପରିଣତି ସହଜରେ ବୁଝିପାରେ। ଔପଚାରିକ ତର୍କ ପାଇଁ ଆପଣ ନୃତତ୍ତ୍ବବିଜ୍ଞାନୀ ମେଖଳା କୃଷ୍ଣମୂର୍ତ୍ତି ବା ସମାଜ କର୍ମୀ କବିତା କୁରୁ˚ଗତୀଙ୍କୁ ପଢ଼ିପାରନ୍ତି। ଆଉ ଭୂମିଗତ ବାସ୍ତବତା ତଥା କୃଷି ବଜାର ଉପରେ ଏହି ବିଧେୟକଗୁଡ଼ିକର ବାସ୍ତବ ପ୍ରଭାବକୁ ଜାଣିବା ପାଇଁ ସୁଧା ନାରାୟଣନଙ୍କ ଭଳି ଅର୍ଥଶାସ୍ତ୍ରୀଙ୍କୁ ପଢ଼ିପାରନ୍ତି।

ଏହି ବିଧେୟକଗୁଡ଼ିକ ଦ୍ବାରା କୃଷକମାନଙ୍କର ବହୁତ ଲାଭ ହେବ, ଏହାକୁ ବୁଝିବା ପାଇଁ ଚାରିଟି ଅବଧାରଣା ଉପରେ ଆଲୋଚନା ହେବା ଆବଶ୍ୟକ। ପ୍ରଥମ- ସରକାରୀ ମଣ୍ତି ବା କୃଷିଜ ଉତ୍ପାଦ ବିପଣନ ସମିତି(ଏପିଏମ୍‌ସି)ରେ କୃଷକ ବାଧ୍ୟ ହୋଇ ନିଜର ଉତ୍ପାଦ ବିକିବା ବେଳେ, କୃଷକ ନିକଟରେ କୌଣସି ବିକଳ୍ପ ନ ଥାଏ। ଏହି ଅବଧାରଣା ଭ୍ରମାତ୍ମକ। କାରଣ, ଏହି ମଣ୍ତିଗୁଡ଼ିକ ମାଧ୍ୟମରେ ସମସ୍ତ ଉତ୍ପାଦର କେବଳ ଏକ ଚତୁର୍ଥା˚ଶ ବିକ୍ରି ହୁଏ। ସରକାର ଏହି ବିଧେୟକଗୁଡ଼ିକ ଜରିଆରେ କୃଷକମାନଙ୍କୁ ଯେଉଁ ସ୍ବାଧୀନତା ଦେବା କଥା କହୁଛନ୍ତି, ତାହା ସେମାନେ ପୂର୍ବରୁ ପାଉଛନ୍ତି। ପ୍ରକୃତରେ କୃଷକ ମଣ୍ତିରୁ ମୁକ୍ତି ଲୋଡ଼ୁନାହିଁ। କୃଷକର ଲୋଡ଼ା ଉତ୍ତମ ରୂପେ ପରିଚଳିତ ଓ ବ୍ୟବସ୍ଥିତ ମଣ୍ତି। ଗତ ବେଶ୍‌ କିଛି ବର୍ଷ ହେଲା ମୁଁ ବିଭିନ୍ନ ଅଞ୍ଚଳ ଗସ୍ତ କରି କୃଷକଙ୍କ ସହ ଆଲୋଚନା କରିଛି। ସେମାନେ ମଣ୍ତି ନ ଥିବା ତଥା ମଣ୍ତିର ଦୁର୍ବଳ ପରିଚାଳନା ବ୍ୟବସ୍ଥା ଉପରେ ହିଁ ଅଭିଯୋଗ କରିଛନ୍ତି। ମୁଁ ଏ ଭଳି ଜଣେ ହେଲେ କୃଷକକୁ କେବେ ଭେଟିନାହିଁ, ଯିଏ ବାଧ୍ୟ ହୋଇ ମଣ୍ତିରେ ଉତ୍ପାଦ ବିକିଥିବା କହିଛି।

ଦ୍ବିତୀୟ ଅବଧାରଣା- ଏହି ବିଧେୟକଗୁଡ଼ିକ ଦ୍ବାରା କୃଷକମାନଙ୍କୁ ମଧ୍ୟସ୍ଥିଙ୍କ ଶୋଷଣରୁ ମୁକ୍ତି ମିଳିବ। ଏହା ମଧ୍ୟ ଅବାସ୍ତବ। କାରଣ, ବୃହତ୍‌ କୃଷିଜ-ବ୍ୟବସାୟୀ ମଧ୍ୟ ମଧ୍ୟସ୍ଥିଙ୍କ ବିନା କୌଣସି କାର୍ଯ୍ୟ କରିପାରିବେନାହିଁ। ସେମାନେ ସିଧା-ସଳଖ ହଜାର ହଜାର କୃଷକଙ୍କ ସହ ବ୍ୟବସାୟ କରିପାରିବେନାହିଁ। ଯୋଗ-ସୂତ୍ର ରକ୍ଷା କରିବା ପାଇଁ ସେମାନଙ୍କର ମଧ୍ୟ ମଧ୍ୟସ୍ଥି ଆବଶ୍ୟକ ହେବେ। ତେଣୁ, ସରକାରୀ ମଣ୍ତିରେ କାମ କରୁଥିବା ମଧ୍ୟସ୍ଥିମାନେ ହିଁ ଘରୋଇ କୃଷିଜ-ବ୍ୟବସାୟୀଙ୍କୁ ସେବା ଯୋଗାଇବେ। ଅର୍ଥାତ୍‌, ସରକାରୀ ମଣ୍ତି, ଘରୋଇ ମଣ୍ତିରେ ପରିଣତ ହେଲେ ବି ମଧ୍ୟସ୍ଥି ରହିବେ ଏବ˚ କୃଷକମାନେ ଦୁଇ ସ୍ତରର ମଧ୍ୟସ୍ଥିଙ୍କ ସ˚ସ୍ପର୍ଶରେ ଆସିବେ; ପୁରୁଣା ଶୋଷଣକାରୀ ମଧ୍ୟସ୍ଥି ଏବ˚ ନୂଆ କର‌୍‌ପୋରେଟ୍‌ ମଧ୍ୟସ୍ଥି (ଯଦି ସେମାନେ ଉଭୟ ସରକାରୀ ଓ ଘରୋଇ ମଣ୍ତିରେ ବିକନ୍ତି)।

ତୃତୀୟ ଅବଧାରଣା- ବଜାର ଶୃଙ୍ଖଳିତ ଓ ନ୍ୟାୟସ˚ଗତ ଭାବେ ପରିଚାଳିତ ହେବ, ଯାହା ଦ୍ବାରା କୃଷକମାନେ କିଛି ଅଧିକ ଲାଭ ପାଇବେ। ନୂଆ ବ୍ୟବସ୍ଥାରେ ଖର୍ଚ୍ଚ କମ୍‌ ହେବ ଏବ˚ ବିକ୍ରି ଅଧିକ ହେବ। ତେବେ, ଏହି ଅବଧାରଣାର ଆଧାର କ’ଣ କେହି ବୁଝାଇ ପାରିନାହାନ୍ତି। ଘରୋଇ ବେପାରୀମାନେ କାହିଁକି ଅଧିକ ଲାଭ ରଖିବେ ନାହିଁ? ସେମାନେ କାହିଁକି କୃଷକଙ୍କୁ ଉଚିତ ମୂଲ୍ୟ ଏବଂ ନିଜ ଲାଭରୁ କିଛି ଦେବେ? ବେପାରୀମାନେ ସଲା-ସୂତରାରେ ଏହି ବ୍ୟବସାୟକୁ ନିଜ ଢଙ୍ଗରେ ଯେ ନ ଚଳାଇବେ, କିଏ କହିପାରିବ? ସେମାନେ ଯୋଜନାବଦ୍ଧ ଭାବେ ପ୍ରଥମେ କୃଷକଙ୍କୁ କିଛି ଅଧିକ ଦେବେ; ଏବ˚ ତାହା ପରେ ଶୋଷଣ ଆରମ୍ଭ କରିବେ; ଏ ଭଳି ବି ଘଟିପାରେ। ସବୁ କିଛି ନିର୍ଭର କରୁଛି, କୃଷକଙ୍କର ମୂଲ-ଚାଲ କରିବାର କ୍ଷମତା ଉପରେ। ଏବେ କୃଷକମାନଙ୍କ ପାଖରେ ଏହି କ୍ଷମତା ନାହିଁ। ମଣ୍ତି ଅଧିକାରୀ ଓ ବେପାରୀଙ୍କ ସାମନାରେ ସେମାନେ ଦୁର୍ବଳ। ହଁ, ବେଳେ ବେଳେ ରାଜନୈତିକ ସମର୍ଥନ ମିଳିଲେ, ସେମାନେ କିଛିଟା ସୁବିଧା ପାଇଯାଆନ୍ତି। ନୂଆ ବ୍ୟବସ୍ଥାରେ ସେତକ ସୁଦ୍ଧା ପାଇବେନାହିଁ। ବିଧେୟକରେ ବିବାଦ-ସମାଧାନ ପାଇଁ ଥିବା ବ୍ୟବସ୍ଥା ଏକ ପରିହାସ। ଅର୍ଥଶାସ୍ତ୍ରୀମାନେ କୃଷକ ସମବାୟର ଉତ୍‌ଥାନ ଉପରେ ଆସ୍ଥା ଓ ବିଶ୍ବାସ ରଖିଛନ୍ତି। ତେବେ, ସେଥି ପାଇଁ ବେଶ୍‌ କିଛି ବର୍ଷ ଲାଗି ଯାଇପାରେ।

ଚତୁର୍ଥ ଅବଧାରଣା- ସରକାର କୃଷି କ୍ଷେତ୍ରର ଭିତ୍ତିଭୂମି ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବ, ଅଧିକ ପୁ˚ଜି ଲଗାଣ କରିବ, ଏହି କ୍ଷେତ୍ରକୁ ବ୍ୟବସ୍ଥିତ ଓ ସୁପରିଚାଳିତ କରିବା ଦିଗରେ ଯତ୍ନଶୀଳ ହେବ। ଏହା ଉପରେ ଆମେ ଆଉ କ’ଣ କହିବା? ଏହି ପ୍ରସଙ୍ଗକୁ ଅର୍ଥଶାସ୍ତ୍ରୀମାନଙ୍କ ତୁଳନାରେ କୃଷକମାନେ ଅଧିକ ଭଲ ଭାବେ ବୁଝିଛନ୍ତି। ଏହି ତିନିଟି ବିଧେୟକ କେବଳ କାଗଜ-ପତ୍ରରେ ଲିଖିତ ନୀତି ମାତ୍ର। ଏଥିରୁ କିଛି ସ˚କେତ ଅବଶ୍ୟ ମିଳୁଛି। ମୋଦୀ ସରକାର କୃଷି କ୍ଷେତ୍ର ଉପରୁ ଦୃଷ୍ଟି ହଟାଇ ନେବାର ସୂଚନା ମିଳୁଛି। ଆଗକୁ ଘରୋଇ କ୍ଷେତ୍ର, ସରକାରର ସ୍ଥାନ ନେବ। ଘରୋଇ ଭାବେ ଗୋଦାମ ଓ ଶୀତଳଭଣ୍ତାରରେ ପୁ˚ଜିଲଗାଣ ହେବ। ସରକାର ପଛକୁ ହଟିଯିବ। କୃଷିଜ ଉତ୍ପାଦ ବିପଣନ ସମିତି ବାହାରେ ଏକ ବ୍ୟବସାୟ କ୍ଷେତ୍ରର ଯୋଜନା ଏକ ଘରୋଇ ବ୍ୟବସାୟ ନୁହେଁ (କାରଣ, କୃଷିଜ ଉତ୍ପାଦ ବିପଣନ ସମିତି ମାଧ୍ୟମରେ ବ୍ୟବସାୟ ମଧ୍ୟ ବହୁଳ ଭାବେ ଘରୋଇ); ଏହା ହେବ ଅନିୟନ୍ତ୍ରିତ ବ୍ୟବସାୟ। କୃଷି କ୍ଷେତ୍ରରେ ଆମେ ଆଗକୁ ଏକ ଅସ୍ବଚ୍ଛ ଓ ଅନିୟନ୍ତ୍ରିତ ବ୍ୟବସାୟ ଦେଖିବାକୁ ଯାଉଛେ। ଏହାର କୌଣସି ଲିଖିତ ବିବରଣୀ ରହିବନାହିଁ କି କୌଣସି ଡେଟା ମିଳିବନାହିଁ। ବ୍ୟବସାୟୀଙ୍କର ପ˚ଜୀକରଣ ମଧ୍ୟ ଆବଶ୍ୟକ ହେବନାହିଁ। କୃଷି ଅନୁବନ୍ଧିତ ଆଧାରରେ ହେଲେ, ସରକାରର ମଧ୍ୟ କୌଣସି ଉତ୍ତରଦାୟିତ୍ବ ରହିବନାହିଁ।

ଏହି ବିଧେୟକଗୁଡ଼ିକ କୃଷକଙ୍କ ପାଇଁ ଏକ ଚେତାବନୀ। ସରକାର କୃଷି ସ˚ପର୍କିତ ଦାୟିତ୍ବରୁ ମୁକ୍ତ ହେବା ଅର୍ଥ, କୃଷକ ଅଧିକ ଦୁର୍ବଳ ହେବ। ଚାଷୀମାନେ ସରକାର ଉପରେ ବେଳେ ବେଳେ ଯେଉଁ ପ୍ରଭାବ ପକାଇପାରୁଥିଲେ, ସେତକ ମଧ୍ୟ ହାତରୁ ଯିବ। ସରକାର କୃଷି ଉତ୍ପାଦ ନ କିଣିବା ପାଇଁ ସୁପାରିସ କରାଯାଇଛି। କୃଷିଜ ଉତ୍ପାଦ ବିପଣନ ସମିତି ବନ୍ଦର ପରିଣାମ କ’ଣ ହେବ, ଭଲ ଭାବେ ଜଣା। ନ୍ୟୂନତମ ସହାୟକ ମୂଲ୍ୟ ମଧ୍ୟ ଉଠିଯିବ। ପିଆଜର ରପ୍ତାନି ନିଷିଦ୍ଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍‌, କୃଷକ ଯେତେବେଳେ କିଛି ଲାଭ କରିବାର ସୁବିଧା-ସୁଯୋଗ ପାଇବ, ତାହାକୁ ସେଥିରୁ ବଞ୍ଚିତ କରିବା ପାଇଁ ସରକାର ହସ୍ତକ୍ଷେପ କରିବ। ଏସବୁ କୃଷକମାନେ ଜାଣିସାରିଲେଣି। କୃଷକ, ଅର୍ଥଶାସ୍ତ୍ରୀଙ୍କ ତୁଳନାରେ ରାଜନୈତିକ ସ˚କେତ ଅଧିକ ଭଲ ଭାବେ ବୁଝିପାରେ।

[email protected]

ସମ୍ବନ୍ଧିତ ଖବର