ଆଦିବାସୀ ଧର୍ମର ସ୍ୱାତନ୍ତ୍ର୍ୟ

ସରଳ ବିଚାର - ସରଳ କୁମାର ଦାସ

ଚଳିତ ବର୍ଷ ଫେବ୍ରୁଆରି ୧୮ ତାରିଖରେ ଦିଲ୍ଲୀରେ ୧୯ଟି ରାଜ୍ୟର ଆଦିବାସୀ ସଂଗଠନଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହା ପ୍ରକୃତରେ ଏକ ପ୍ରତିବାଦ ସଭା ଥିଲା, ଯେଉଁଠି ସେମାନେ ‘ହିନ୍ଦୁ’ ନୁହନ୍ତି ଓ ସେମାନଙ୍କର ଅଲଗା ଧର୍ମ ହୋଇଥିବାରୁ ୨୦୨୧ ମସିହା ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ଏକ ଅଲଗା କୋଡ୍‌ର ପ୍ରାବଧାନ କରିବା ଲାଗି ଦାବି କରାଯାଇଥିଲା। କେତେକ ହିନ୍ଦୁ ମୌଳବାଦୀ ସଂଗଠନ ଦ୍ୱାରା ଦାବି କରାଯାଇଥାଏ ଯେ ଆଦିବାସୀମାନେ ହିନ୍ଦୁ ଧର୍ମ ଅନ୍ତର୍ଭୁକ୍ତ, ଯେଉଁଥିରେ ସେମାନେ ରାଜି ହୁଅନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଏ ପ୍ରକରଣକୁ ବୁଝିବାର ଆବଶ୍ୟକତା ରହିଛି।

ଭାରତରେ ଥିବା ପ୍ରାୟ ୧୨ କୋଟି ଅନୁସୂଚିତ ଜନଜାତି ବା ଆଦିବାସୀ ସଂପ୍ରଦାୟର ଲୋକଙ୍କ ଲାଗି ଅଲଗା ଅଲଗା ଧର୍ମବିଶ୍ୱାସ ରହିଛି। ୨୦୧୧ ଜନଗଣନା ଅନୁସାରେ ୧୦.୪୫ କୋଟି ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୯% ହିନ୍ଦୁ, ବୌଦ୍ଧ, ସାରନା ଧର୍ମ, ସାରି ଧର୍ମ, ଦୋଲୋ ପୋଲା ଆଦି ଧର୍ମର ଅନୁଗାମୀ ହୋଇଥିବା ବେଳେ, ୯.୩% ଖ୍ରୀଷ୍ଟିଆନ ଓ ୧.୭% ଇସଲାମ ଧର୍ମାବଲମ୍ୱୀ। ସେମିତି କେତେକ ଆଦିବାସୀ ସମ୍ପ୍ରଦାୟ ନିଜକୁ ହିନ୍ଦୁ ଭାବେ ବିବେଚନା କରି ହିନ୍ଦୁ ଦେବଦେବୀ ଓ ପୂଜାପଦ୍ଧତିର ଅନୁପାଳନ କରନ୍ତି। ଏହା ବ୍ୟତୀତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ପ୍ରାୟ ୮୩ ପ୍ରକାର ଧାର୍ମିକ ପରମ୍ପରାର ଅନୁସରଣ କରିଥାଆନ୍ତି। ପ୍ରତ୍ୟେକଙ୍କ ଧର୍ମୀୟ ବିଶ୍ୱାସ, ପ୍ରଥା, ମୂର୍ତ୍ତି ବା ଠାକୁର, ପୂଜା ପଦ୍ଧତି, କ୍ରିୟାକର୍ମ, ସଂସ୍କୃତି ଇତ୍ୟାଦି ଅନ୍ୟ ଠାରୁ ଅଲଗା ଓ ତାହା ସେମାନେ ନିଜ ବିଶ୍ୱାସ ଓ ମାନ୍ୟତା ଅନୁସାରେ କରିଥାଆନ୍ତି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ କିଛି ହେଲା ଗଣ୍ଡୀ, କୋୟା ପୁନେମ, ସାରନା, ଆଦିବାସୀ, ଆଦିଧର୍ମ ପ୍ରଭୃତି। ଆଦିବାସୀମାନଙ୍କ ମଧ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ଥିବା ଗଣ୍ଡମାନେ ଗଣ୍ଡୀ, କୋୟା ପୁନେମ ଧର୍ମର ଅନୁସରଣ କରୁଥିବା ବେଳେ ଝାରଖଣ୍ଡ ଓ ଓଡ଼ିଶାର ଅନେକ ଆଦିବାସୀ ସାରନା ଧର୍ମର ଅନୁଗାମୀ ଅଟନ୍ତି। ଆଦିବାସୀମାନେ ମୁଖ୍ୟତଃ ପ୍ରକୃତି ଉପାସକ। ସେମାନଙ୍କ ଭିତରେ ଥିବା ଭିନ୍ନତା ସତ୍ତ୍ୱେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କୁ ଜାତୀୟ ସ୍ତରରେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ପରିଚୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି, ଯଦ୍ଦ୍ୱାରା ସେମାନଙ୍କୁ ନିଜର ଧର୍ମୀୟ ପରିଚିତି ପାଇଁ ଅନ୍ୟ କୌଣସି ଧର୍ମ ଉପରେ ଆଶ୍ରିତ ହେବାକୁ ପଡ଼ିବ ନାହିଁ।

ଭାରତରେ ୧୮୭୧ରୁ ହୋଇ ଆସୁଥିବା ଜନଗଣନା ପ୍ରକ୍ରିୟାରେ ୧୯୪୧ ମସିହା ପର୍ଯ୍ୟନ୍ତ ଆଦିବାସୀଙ୍କ ଧର୍ମକୁ ‘ଅନ୍ୟ ଧର୍ମ’ ଶ୍ରେଣୀରେ ରଖା ଯାଇ ଭିନ୍ନ ଭିନ୍ନ ନାମ ପ୍ରଦାନ କରାଯାଇଥିଲା। ଯେମିତି ୧୮୭୧ ମସିହା ଜନଗଣନାରେ ଏମାନଙ୍କୁ ‘ଅନ୍ୟ ଧର୍ମ’ର ବୋଲି ଚିହ୍ନିତ କରାଯାଇଥିବା ବେଳେ, ୧୮୮୧ ଜନଗଣନାରେ ‘ଆବଅରିଜିନାଲ’ ଭାବେ ଚିହ୍ନିତ କରାଯାଇଥିଲା। ସେହିପରି ୧୮୯୧, ୧୯୦୧, ୧୯୧୧, ୧୯୨୧, ୧୯୩୧ ଓ ୧୯୪୧ ମସିହା ଜନଗଣନାରେ ଏମାନଙ୍କୁ ଯଥାକ୍ରମେ ‘ଫରେଷ୍ଟ ଟ୍ରାଇବ୍’, ‘ଆନିମିଷ୍ଟ’, ‘ଟ୍ରାଇବାଲ ଆନିମିଷ୍ଟ’, ‘ହିଲ ଆଣ୍ଡ ଫରେଷ୍ଟ ଟ୍ରାଇବ୍’, ‘ଟ୍ରାଇବ୍’ ଓ ‘ଟ୍ରାଇବ୍’ ଭାବେ ଚିହ୍ନିତ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପରେ ୧୯୫୧ରେ ହୋଇଥିବା ପ୍ରଥମ ଜନଗଣନା ପରଠାରୁ ଆଦିବାସୀଙ୍କ ଧର୍ମକୁ ସ୍ୱତନ୍ତ୍ର ଭାବେ ଦର୍ଶାଇ ସେମାନଙ୍କୁ ଚିହ୍ନିତ କରିବା ପ୍ରକ୍ରିୟା ବନ୍ଦ ହୋଇଗଲା। ତଥାପି ଆଦିବାସୀଙ୍କୁ ‘ଅନ୍ୟ ଧର୍ମ (ଜନଜାତି)’ ବର୍ଗରେ ରଖା ଯାଇଥିଲା। ଦେଶ ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ମିସନାରିମାନଙ୍କ ଦ୍ୱାରା ଧର୍ମାନ୍ତରଣ ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା, ଯାହା ସମାଲୋଚିତ ହେଉଥିଲା ମଧ୍ୟ। ଏଠାରେ ୧୯୩୯ ମସିହାରେ ଇଂରେଜ ମିସନାରି ଡକ୍ଟର ଚେଷ୍ଟରଟନ ଗାନ୍ଧୀଜୀଙ୍କୁ ଆଦିବାସୀଙ୍କ ଧର୍ମାନ୍ତରଣକୁ ନେଇ ପଚାରିଥିବା ଏକ ପ୍ରଶ୍ନରେ ମହାତ୍ମାଙ୍କ ଉତ୍ତର ପ୍ରଣିଧାନଯୋଗ୍ୟ। ଗାନ୍ଧୀଜୀ କହିଥିଲେ, ‘ମୁଁ ଜାଣେ ଆଦିବାସୀମାନେ ପ୍ରକୃତି ଉପାସକ (ଆନିମିଷ୍ଟ) ଭାବେ ବର୍ଣ୍ଣିତ ହେଲେ ବି କେଉଁ ଆଦି କାଳରୁ ସେମାନେ ହିନ୍ଦୁ ଧର୍ମର ଅଂଶବିଶେଷ। ସେମାନେ ଚେରମୂଳ ଭଳି ମାଟିରେ ଥିଲେ ବି ସେଗୁଡ଼ିକର ଚେର କାହିଁ କେତେ ତଳେ ଥାଏ।’ ଆଦିବାସୀମାନଙ୍କୁ ହିନ୍ଦୁ ବୋଲି ଅଭିହିତ କରିବାରେ ସାବରକର ଓ ଗାନ୍ଧୀଙ୍କ ମଧ୍ୟରେ ମତୈକ୍ୟ ପରିଲକ୍ଷିତ ହୁଏ। ଆଦିବାସୀଙ୍କ ଧର୍ମକୁ ନେଇ ଗାନ୍ଧୀଜୀଙ୍କ ଉପରୋକ୍ତ ଦୃଷ୍ଟିଭଙ୍ଗୀ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥିଲା। ସେମିତି ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇ ଭାରତୀୟ ନାଗରିକତା ଗ୍ରହଣ କରିଥିବା ମିସନାରି ତଥା ପ୍ରସିଦ୍ଧ ଇଂରେଜ ନୃତତ୍ତ୍ୱବିଦ୍ ଭେରିଅର ଏଲୱିନ ଆଦିବାସୀଙ୍କୁ ‘ହିନ୍ଦୁ’ ବୋଲି ଦର୍ଶାଇ ଉପସ୍ଥାପନ କରିଥିବା ବଳିଷ୍ଠ ଯୁକ୍ତି ସରକାରଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା, ଯଦ୍ଦ୍ୱାରା ୧୯୫୧ ଜନଗଣନାରୁ ଆଦିବାସୀଙ୍କ ଧର୍ମକୁ ସ୍ୱତନ୍ତ୍ର ଭାବେ ଚିହ୍ନିତ କରିବାର ପ୍ରଥା ଉଠାଇ ଦିଆଗଲା। ଦେଶରେ ଆଦିବାସୀ ଉନ୍ନୟନ ଲାଗି ପ୍ରଚଳିତ ନୀତିର ଏଲୱିନ ଜଣେ ପ୍ରମୁଖ ରୂପକାର ଥିଲେ।

୧୯୬୧ ମସିହାରେ ହୋଇଥିବା ଜନଗଣନାରେ ପ୍ରଥମ ଥର ଲାଗି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ଶିଖ ଧର୍ମାବଲମ୍ୱୀଙ୍କ ଲାଗି ଯଥାକ୍ରମେ ଏଚ, ଏମ, ସି, ଜେ, ବି ଓ ଏସ୍‌ ଭଳି ସାଂକେତିକତା ପ୍ରୟୋଗ କରାଗଲା ଓ ଅନ୍ୟ ଧର୍ମାବଲମ୍ୱୀଙ୍କ ଧର୍ମର ପୂରା ନାମ ଲେଖା ହେଲା। ଏହି ପଦ୍ଧତି ପରବର୍ତ୍ତୀ ତିନିଟି, ଅର୍ଥାତ୍ ୧୯୯୧ ଜନଗଣନା ଯାଏଁ ବଳବତ୍ତର ରହିଲା। ତେବେ ୨୦୦୧ ମସିହାରେ ହୋଇଥିବା ଜନଗଣନାରେ ଏଭଳି ସାଂକେତିକ ନାମ ପ୍ରୟୋଗ ପଦ୍ଧତିକୁ ପ୍ରତ୍ୟାହାର କରି ତା’ ସ୍ଥାନରେ କେବଳ ଛଅଟି ଧର୍ମ ଯଥା- ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ଜୈନ ଧର୍ମ ଲାଗି ଯଥାକ୍ରମେ ୧,୨,୩,୪,୫ ଓ ୬ ନମ୍ୱର କୋଡ୍‌ ପ୍ରଦାନ କରାଗଲା। ‘ଅନ୍ୟ ଧର୍ମ’ଗୁଡ଼ିକ ଲାଗି ଅଲଗା ଅଲଗା କୋଡ୍‌ ବା ଗୋଟିଏ ଅଲଗା କୋଡ୍‌ର ପ୍ରାବଧାନ ନ ଥିବାରୁ ଜନଗଣନାକାରୀ ଅନ୍ୟ ଧର୍ମାବଲମ୍ୱୀଙ୍କ ଦ୍ୱାରା ଘୋଷିତ ଧର୍ମଟିର କେବଳ ନାମ ଉଲ୍ଲେଖ କଲେ। ୨୦୧୧ ଜନଗଣନାରେ ବି ଏହି ପଦ୍ଧତି ଅନୁସୃତ ହେଲା।

ଦେଶ ସ୍ୱାଧୀନତା ପୁର୍ବରୁ ବ୍ରିଟିସ ପୃଷ୍ଠପୋଷକତାରେ ମିସନାରିଙ୍କ ଦ୍ୱାରା ହେଉଥିବା ଧର୍ମାନ୍ତରଣର ଦୃଢ଼ ପ୍ରତିବାଦ କରି ପାରୁ ନ ଥିବା ଆଦିବାସୀଙ୍କ ପାଇଁ ଏହାର ପ୍ରତିରୋଧ ଲାଗି ହିନ୍ଦୁତ୍ୱବାଦୀଙ୍କ ଆବିର୍ଭାବ କିଛି ମାତ୍ରାରେ ଆଶ୍ୱସ୍ତିର କାରଣ ପାଲଟିଥିଲା। ତେବେ ପରବର୍ତ୍ତୀ କାଳରେ ହିନ୍ଦୁ ମୌଳବାଦୀ ସଂଗଠନଙ୍କ ଦ୍ୱାରା ସ୍ଥଳବିଶେଷରେ ‘ଘର ୱାପସୀ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ହିନ୍ଦୁ କରିବାର ପ୍ରଚେଷ୍ଟାକୁ ମଧ୍ୟ ସେମାନେ ବିରୋଧ କରି ପାରୁ ନଥିଲେ ବି ଏ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ସ୍ୱାଧୀନତା ପରେ ଜନଗଣନା ପ୍ରକ୍ରିୟାରେ ଆଦିବାସୀଙ୍କ ଧର୍ମକୁ ଗୁରୁତ୍ୱ ଦିଆ ଯାଇ ନ ଥିବାରୁ ଜନଗଣନାକାରୀଙ୍କ ଦ୍ୱାରା ଅନେକ ଆଦିବାସୀଙ୍କୁ ସେମାନଙ୍କ ଅଜାଣତରେ ହିନ୍ଦୁ ବୋଲି ଚିହ୍ନିତ କରାଯାଇଥିବାର ଅଭିଯୋଗ ହୁଏ। ଆଦିବାସୀ ସଂଗଠନଗୁଡ଼ିକଙ୍କ ମତରେ, ସବୁବେଳେ ଶାସନର ଉଚ୍ଚ ସ୍ତରରେ ବ୍ରାହ୍ମଣବାଦୀ ମାନସିକତାର ହିନ୍ଦୁମାନେ ରହି ଆସିଥିବାରୁ ସେମାନେ ଆଦିବାସୀଙ୍କୁ ହିନ୍ଦୁ ଧର୍ମ‌ର ଅନ୍ତର୍ଭୁକ୍ତ କରି ନିଜ ସଂଖ୍ୟା ବୃଦ୍ଧି କରିବାର ମାନସିକତାରୁ ଉପରକୁ ନ ଉଠି ସେମାନଙ୍କୁ ନ୍ୟାଯ୍ୟ ଧର୍ମୀୟ ପରିଚୟ ପ୍ରଦାନ କରିବା ଲାଗି କୁଣ୍ଠା ପ୍ରକାଶ କରି ଆସିଛନ୍ତି। ସେମାନଙ୍କର ବିଶ୍ୱାସ, ଆଦିବାସୀଙ୍କ ଧର୍ମ ଓ ହିନ୍ଦୁ ଧର୍ମ ମଧ୍ୟରେ ତିନିଟି ମୁଖ୍ୟ ପ୍ରଭେଦ ରହିଛି। ଆଦିବାସୀମାନେ ହିନ୍ଦୁଙ୍କ ପରି ମୂର୍ତ୍ତି ପୂଜା ନ କରି ପ୍ରକୃତି ଉପାସନା କରିଥାଆନ୍ତି। ପୂଜା କରିବା ପାଇଁ ସେମାନେ ହିନ୍ଦୁଙ୍କ ପରି ବ୍ରାହ୍ମଣଙ୍କ ସହାୟତା ନେଇ ନ ଥାଆନ୍ତି। ଜନ୍ମ, ବିବାହ, ମୃତ୍ୟୁ ଆଦି ଅନୁଷ୍ଠାନଗୁଡ଼ିକରେ ହେଉଥିବା କ୍ରିୟାକର୍ମ ହିନ୍ଦୁମାନଙ୍କ କ୍ରିୟାକର୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଦିବାସୀ ଅଧିକାର କର୍ମୀମାନଙ୍କ ମତରେ ଭାରତୀୟ ସମ୍ୱିଧାନ ଅନୁସାରେ ଆଦିବାସୀମାନେ ସେମାନଙ୍କ ପ୍ରଥା ସମ୍ମତ ଆଇନଗୁଡ଼ିକ ଦ୍ୱାରା ପରିଚାଳିତ। ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୨ ଅନୁସାରେ ଏହି ଆଇନ ଆଦିବାସୀଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ଆରକ୍ଷଣ ଆଇନରେ ମଧ୍ୟ ପାର୍ଥକ୍ୟ ରହିଛି। ଆଦିବାସୀମାନଙ୍କ ମଧ୍ୟରେ ସାକ୍ଷରତା ଓ ଶିକ୍ଷା ହାର କମ ଥିବା ଯୋଗୁ ଜନଗଣନା ବେଳେ ନିଜ ଧର୍ମକୁ ଠିକ୍‌ ରୂପେ ସୂଚିତ କରିବାକୁ ଅସମର୍ଥ ହୋଇ ଅତୀତରେ ଅନେକେ ହିନ୍ଦୁ ବୋଲି ଗଣା ହୋଇଛନ୍ତି। ସେମାନଙ୍କ ଧର୍ମ ଲାଗି ଅଲଗା କୋଡ୍ ନ ଥିବାରୁ ସ୍ଥଳ ବିଶେଷରେ ଜନଗଣନାକାରୀମାନେ ସେମାନଙ୍କ ସମ୍ପ୍ରଦାୟକୁ ଏକ ଜାତି ବୋଲି ଉଲ୍ଲେଖ କରି ସେମାନଙ୍କ ଧର୍ମ ହିନ୍ଦୁ ଲେଖୁଛନ୍ତି ବୋଲି ଅଭିଯୋଗ ହେଉଛି। ତେଣୁ ୨୦୨୧ ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ‘ଟ୍ରାଇବାଲ’ ବା ‘ଅନ୍ୟ ଧର୍ମ’ ନାମକ ଏକ ଧର୍ମର ସ୍ୱତନ୍ତ୍ର କୋଡ୍‌ର ପ୍ରାବଧାନ ହେଉ ବୋଲି ଦାବି ଜୋର ଧରିଲାଣି।

ହିନ୍ଦୁ ଧର୍ମ ଏକ ଏକେଶ୍ୱରବାଦୀ ଧର୍ମ ହୋଇ ନ ଥିବାରୁ ଓ ଏହାର ଅନେକ ମାର୍ଗ ଥିବାରୁ ଆଦିବାସୀଙ୍କ ପ୍ରକ଼ୃତି ଉପାସନାକୁ ମଧ୍ୟ ସେହିପରି ଏକ ଭିନ୍ନ ପୂଜା ପଦ୍ଧତି ବୋଲି ମନେ କରି ଏହାକୁ ହିନ୍ଦୁ ଧର୍ମର ଅଂଶବିଶେଷ ରୂପେ ଗ୍ରହଣ କରା ଯାଇପାରେ। ତଦନୁସାରେ ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି କୌଣସି ଅଲଗା କୋଡ୍‌ ନ କରି ସେମାନଙ୍କୁ ହିନ୍ଦୁ ଭାବେ ଚିହ୍ନିତ କରାଯାଉ ବୋଲି ହିନ୍ଦୁ ମୌଳବାଦୀଙ୍କ ଯୁକ୍ତି। ତେଣୁ ସେମାନେ ଅନୁସୂଚିତ ଜନଜାତିର ଲୋକଙ୍କୁ ହିନ୍ଦୁ ମଣି ସେମାନଙ୍କୁ ‘ଆଦିବାସୀ’ ନ କହି ‘ବନବାସୀ’ କହିବା ଉପରେ ଜୋର ଦେଇଥାଆନ୍ତି। ଆଦିବାସୀଙ୍କୁ ହିନ୍ଦୁ ଧର୍ମ ଭିତରେ ରଖିବା ପାଇଁ ବ୍ୟଗ୍ରତା ପଛର ଏକ ବଡ଼ କାରଣ ହେଉଛି ୧୯୯୧ ଜନଗଣନାରେ ସମଗ୍ର ଜନସଂଖ୍ୟାର ୮୧.୫% ହିନ୍ଦୁ ଥିବା ବେଳେ ସେହି ପ୍ରତିଶତ ୨୦୦୧ରେ ୮୦.୫ ଓ ୨୦୧୧ରେ ୭୯.୮%କୁ କମି ଆସିଛି। ଏହା ହ୍ରାସ ପାଇବାର ଅନ୍ୟତମ କାରଣ ହେଉଛି ଏଣିକି କିଛି ଆଦିବାସୀ ନିଜକୁ ହିନ୍ଦୁ ବୋଲି ପରିଚୟ ଦେବାକୁ ପ୍ରସ୍ତୁତ ନୁହନ୍ତି। ୧୯୯୧ ମସିହାରେ କୌଣସି ଧର୍ମ ଦର୍ଶାଇ ନ ଥିବା ଲୋକଙ୍କ ସମେତ ଅନ୍ୟ ଧର୍ମ ବିଶ୍ୱାସୀଙ୍କ ସଂଖ୍ୟା ୦.୫% ଥିବା ବେଳେ ତାହା ୨୦୦୧ ଓ ୨୦୧୧ ଜନଗଣନାରେ ଯଥାକ୍ରମେ ୦.୭ ଓ ୦.୯%କୁ ବୃଦ୍ଧି ପାଇଛି। ଆଦିବାସୀଙ୍କ ମଧ୍ୟରେ ପ୍ରାୟ ୮୫%ରୁ ଅଧିକ (ପ୍ରାୟ ୯ କୋଟି) ହିନ୍ଦୁ ଭାବେ ଚିହ୍ନିତ। ୨୦୧୧ ଜନଗଣନାରେ କେବଳ ଝାରଖଣ୍ଡ ରାଜ୍ୟରେ ୪୨ ଲକ୍ଷ ଆଦିବାସୀ ସେମାନଙ୍କ ଧର୍ମ ‘ସାରନା’ ବୋଲି ଘୋଷଣା କରିବା ପରେ ତାହାର ସିଧାସଳଖ ପ୍ରଭାବ ପଡ଼ି ହିନ୍ଦୁଙ୍କ ହାର ହ୍ରାସ ପାଇଥିଲା। ୨୦୨୧ ଜନଗଣନାରେ ଆଦିବାସୀଙ୍କ ଧର୍ମ ପାଇଁ ଏକ ସ୍ୱତନ୍ତ୍ର କୋଡ୍‌ର ପ୍ରାବଧାନ କରାଗଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱତନ୍ତ୍ର ଧର୍ମ ଅନ୍ତର୍ଭୁକ୍ତ ହୋଇପାରନ୍ତି ବୋଲି ଅନେକ ହିନ୍ଦୁ ମୌଳବାଦୀ ଆଶଙ୍କା ପ୍ରକାଶ କରନ୍ତି। କିନ୍ତୁ ଅନେକ ଆଦିବାସୀ ସଂପ୍ରଦାୟ ସେମାନଙ୍କ ଧର୍ମର ସ୍ବାତନ୍ତ୍ର୍ୟ ଲାଗି ଜନଗଣନା ବେଳେ ଅଲଗା କୋଡ୍‌ ଚାହାନ୍ତି ବୋଲି ଏବେ ଖୋଲାଖୋଲି କହୁଥିବା ଦେଖିବାକୁ ମିଳୁଛି।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର