ମରଣର ମର୍ମବେଦନା

ପବିତ୍ର ମୋହନ କର

‘ଲୋକେ ବୋଲିବେ କ’ଣ?’ ଶୀର୍ଷକରେ ସ୍କୁଲ ପାଠ୍ୟକ୍ରମରେ ଗପଟିଏ ଥିଲା। ଘରୋଇ କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ। ହଠାତ୍‌ ବଡ଼ ଭାଇର ମୃତ୍ୟୁ ହୁଏ ଓ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବା ନେଇ ସାନଭାଇ ମନରେ ଦ୍ବନ୍ଦ୍ବ ଉପୁ‌େଜ। ଶେଷକୁ ମଣିଷପଣିଆର ବିଜୟ ହୁଏ। ସାନ ଭାଇ ବଡ଼ ଭାଇର ଶବସତ୍କାର ଓ ଆନୁଷଙ୍ଗିକ ଔପଚାରିକତାରେ ଯୋଗଦାନ କରେ।

ସାରା ବିଶ୍ବ ଏବେ କରୋନା କବଳିତ। ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ଏହି ଭୟଙ୍କର ସଂକ୍ରାମକ ରୋଗର ପ୍ରତିଷେଧକ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର। ଦିନକୁ ଲକ୍ଷେ ପାଖାପାଖି ଲୋକ ସଂକ୍ରମଣର ଶିକାର ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆମ ରାଜ୍ୟ ଓଡ଼ିଶାର ଅବସ୍ଥା ମଧ୍ୟ କମ୍‌ ଉଦ୍‌ବେଗଜନକ ନୁହେଁ। ପ୍ରତିଦିନ କେହି ନା କେହି ପ୍ରିୟ ପରିଚିତ ସଂସାର ଛାଡ଼ୁଛନ୍ତି।

ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ। ଜନ୍ମବେଳେ ନବଜାତକ କାନ୍ଦେ। କିନ୍ତୁ ମୃତ୍ୟୁ ସମୟରେ ଅଗଣିତ ଶ୍ରଦ୍ଧାଳୁ ଓ ସମ୍ପର୍କୀୟଙ୍କ ଲୋତକ ଧାର ମୃତବ୍ୟକ୍ତିର ଆତ୍ମାର ମୁକ୍ତିଲାଭରେ ସହାୟକ ହୁଏ ବୋଲି ବିଶ୍ବାସ କରାଯାଏ। ଦେଶ ଓ ଧର୍ମ ନିର୍ବିଶେଷରେ ମୃତକଙ୍କ ପ୍ରତି ଅନ୍ତିମ ସମ୍ମାନ ପ୍ରଦର୍ଶନ ଏକ ସାମାଜିକ ତଥା ମାନବୀୟ ଆଚରଣ।

ଏହି ପରିପ୍ରେକ୍ଷୀରେ ଗତ ଛ’ମାସ ହେଲା ପୃଥିବୀରେ ଯାହାସବୁ ଘଟୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ମୃତ୍ୟୁ ଖବର ଯେତିକି ହୃଦୟ ବିଦାରକ, ସେମାନଙ୍କ ପରିବାର ସହ ସାମିଲ ହେଇ ନପାରିବା ଓ ମୃତକଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନରୁ ବଞ୍ଚିତ ହେବା ତତୋଧିକ ଦୁଃଖଦାୟକ। କରୋନା କାରଣରୁ ମୃତ୍ୟୁ ହେଇଥିଲେ ସ୍ଥିତି ଆହୁରି ସାଂଘାତିକ। କୋଭିଡ କଟକଣା ଯୋଗୁ ଆତ୍ମୀୟସ୍ବଜନଙ୍କ ଦ୍ବାରା ଶବସତ୍କାର ଯଥାବିଧି ହୋଇ ପାରୁନାହିଁ। ମୃତ ପିତାର ଶବ ଛୁଇଁବାକୁ ପୁତ୍ର କୁଣ୍ଠିତ। ବନ୍ଧୁବାନ୍ଧବ ଓ ସାଇପଡ଼ିଶାଙ୍କ କଥା ନକହିବା ଭଲ। କଥାରେ ଅଛି ‘ରାଜଦ୍ବାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ’। ଏହି ଆପ୍ତବାକ୍ୟଟି ଆଜି ଚରମ ଆହ୍ବାନର ସମ୍ମୁଖୀନ।

ସାଧାରଣ ମଣିଷର ମୃତ୍ୟୁ ତୁଳନାରେ କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ଉପରାନ୍ତ ସ୍ଥିତି ଆହୁରି ବିମର୍ଷକର। ରାଜ୍ୟ ତଥା ଦେଶର ଗରିମା ବୃଦ୍ଧି କରିଥିବା ବରପୁତ୍ରମାନଙ୍କ ଅଚାନକ ବିୟୋଗରେ ସମାଜର ଅପୂରଣୀୟ କ୍ଷତି ହେଉଥିବା ବେଳେ ସେମାନଙ୍କ ମରଶରୀର ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରି ନପାରିବା ଗୋଟେ କୃତଜ୍ଞ ଜାତି ପାଇଁ ଦୁର୍ଭାଗ୍ୟଜନକ। ପାର୍ଥିବ ଶରୀରର ସହର ପରିକ୍ରମା ବନ୍ଦ। ଶ୍ରଦ୍ଧାଳୁମାନଙ୍କ ଶେଷଦର୍ଶନ ନିମନ୍ତେ କୌଣସି ବ୍ୟବସ୍ଥା ସମ୍ଭବ ନୁହେଁ। ସଂକ୍ରମଣ ନିରୋଧି ପୋଷାକରେ ଆଚ୍ଛାଦିତ ମୃତ ଦେହଟି କୋଭିଡ ଡାକ୍ତରଖାନାରୁ ସିଧା ଶ୍ମଶାନକୁ ସ୍ଥାନାନ୍ତରିତ ହେଉଛି। କରୋନା କଟକଣାକୁ ମାନି ସର୍ବନିମ୍ନ ବ୍ୟକ୍ତିଙ୍କ ଉପସ୍ଥିତିରେ ଶବସତ୍କାର କରାଯାଉଛି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ଏକ ସାର୍ବଜନିକ ସର୍ତ୍ତ। କିନ୍ତୁ ଏହି ସର୍ତ୍ତ ଯେ ମଣିଷକୁ ଏଭଳି ସ୍ଥିତିରେ ପକାଇବ ତାହା ଅଚିନ୍ତନୀୟ।

ସମଗ୍ର ପୃଥିବୀରେ ସାଢ଼େ ତିନି କୋଟିରୁ ଅଧିକ କରୋନା-ସଂକ୍ରମିତଙ୍କ ମଧ୍ୟରୁ ଦଶ ଲକ୍ଷ ଚାଳିଶ ହଜାରରୁ ଅଧିକ ଲୋକ ମରିସାରିଲେଣି। ଅବଶିଷ୍ଟ ଲୋକମାନେ କରୋନା-ସଂକ୍ରମିତ ନହୋଇ ମଧ୍ୟ ଅହେତୁକ ମୃତ୍ୟୁ ଭୟରେ ଜର୍ଜରିତ। ଓଡ଼ିଶାରେ ଇତି ମଧ୍ୟରେ ମଞ୍ଚ, ଚଳଚ୍ଚିତ୍ର, ସାହିତ୍ୟ ଓ ସାମ୍ବାଦିକତା ଜଗତ୍‌ରୁ ଅନେକଙ୍କର ପ୍ରାଣହାନି ଘଟି ସାରିଲାଣି। ଯଦିଓ ଏ ସମସ୍ତ ମୃତ୍ୟୁର କାରଣ କେବଳ କରୋନା ନୁହେଁ, ତଥାପି ଶ୍ରଦ୍ଧାଳୁମାନେ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନରୁ ବଞ୍ଚିତ। ସ୍ବର୍ଗତ ବିଜୟ ମିଶ୍ର, ବିଜୟ ମହାନ୍ତି, ସାରଦା ପ୍ରସନ୍ନ ନାୟକ, ରତ୍ନାକର ଚଇନି, ସୌରୀବନ୍ଧୁ କର, ବାଉରୀବନ୍ଧୁ କର, ନଦୀୟା ବିହାରୀ ମହାନ୍ତି, ରାହତ ଇନ୍ଦୋରୀ, ଏସ୍.ପି. ବାଲ୍‌ସୁବ୍ରମଣ୍ୟମ, ମତଲୁବ୍ ଅଲ୍ଲୀ ଇତ୍ୟାଦିଙ୍କ ଭଳି ରାଜ୍ୟ ଓ ଦେଶର ଅନେକ ଖ୍ୟାତନାମା ବ୍ୟକ୍ତିଙ୍କ ମୃତ୍ୟୁରେ ଶୋକ ସଭାଟିଏ ଆୟୋଜିତ ହୋଇ ନପାରିବା ବିଡ଼ମ୍ବନା। ମୁହଁରେ ତୁଣ୍ଡି ବାନ୍ଧି, ଦୁଇ ଗଜ ଦୂରତା ବଜାୟ ରଖି କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପ୍ରକ୍ରିୟାରେ ଭାବପ୍ରବଣତାର ସ୍ଥାନ ଅବଶ୍ୟ ନାହିଁ। ଯେଉଁମାନଙ୍କ ଜୀବନବ୍ୟାପୀ ସାଧନା ଗୋଟେ ଜାତିକୁ ସମୃଦ୍ଧ କରିଛି, ସେମାନଙ୍କ ମରଶରୀରକୁ ସେମାନଙ୍କ ଗୁଣ ବିମୋହିତ ବର୍ଗ ଶେଷ ନମସ୍କାର କରି ନ ପାରିବା ଅକଥନୀୟ ମର୍ମଦାହ ସୃଷ୍ଟି କରିଛି। ଗୋଟେ କୃତଜ୍ଞ ଜାତିର ସର୍ବନିମ୍ନ ସୌଜନ୍ୟ ପ୍ରଦର୍ଶନର ଅବକାଶକୁ ବି କରୋନା ହରଣ କରିନେଇଛି।

କରୋନା କାରଣରୁ ମୃତ୍ୟୁ ହେଲେ ମୃତବ୍ୟକ୍ତିର ଧର୍ମ ଭିତ୍ତିରେ ମରଶରୀରର ଦାହ ବା କବର ଦେବାର ବ୍ୟବସ୍ଥା ସର୍କାର କରିଛନ୍ତି। ସଂକ୍ରମଣର ଆଶଙ୍କା ହେତୁ ନିଜ ପରିଜନମାନଙ୍କୁ ମଧ୍ୟ ଶେଷକୃତ୍ୟରେ ସାମିଲ ହେବା ପାଇଁ ଅନୁମତି ମିଳୁନାହିଁ। ଏମିତି ଘଟଣା ମଧ୍ୟ ନଜରକୁ ଆସୁଛି, ଯେଉଁଠି କରୋନା ସଂକ୍ରମିତ ବାପଟି ଗୋଟିଏ ଡାକ୍ତରଖାନାରେ ମରୁଥିବା ବେଳେ ସ୍ତ୍ରୀ ଓ ପୁଅ ଅନ୍ୟ ହାସ୍‌ପାତାଳରେ ଚିକିତ୍ସାଧୀନ ଅଛନ୍ତି। ବିଧିବିଧାନର ସହିତ ଶବସତ୍କାର ଅସମ୍ଭବ ହୋଇପଡ଼ିଛି।

କେବଳ ସେତିକି ନୁହେଁ, କାହାରି ଅସୁସ୍ଥତା ସମୟରେ ସୌଜନ୍ୟମୂଳକ ସାକ୍ଷାତ ବି ସମ୍ଭବ ହେଉନାହିଁ। ଶ୍ରଦ୍ଧା ବା ସଦିଚ୍ଛା ଦୃଷ୍ଟିରୁ ଭଲମନ୍ଦରେ ପାଖରେ ଠିଆ ହେବା ବି ଅସମ୍ଭବ। ଡର ଯେମିତି ଗୋଡ଼େଗୋଡ଼େ ଜଗିଛି, ପଛକୁ ଟାଣୁଛି। କେବଳ ଟ୍ବିଟର, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ, ହ୍ବାଟ୍‌ସଆପ୍ ଭଳି ସାମାଜିକ ଗଣମାଧ୍ୟମରେ GET WELL SOON ଓ RIP ଲେଖି, ପ୍ରଣାମ ଓ ପୁଷ୍ପାଞ୍ଜଳିର ଇମୋଜିଟିଏ ଯୋଡ଼ି ସାନ୍ତ୍ବନା ଦେବାକୁ ପଡୁଛି।

କରୋନା ଯୋଗୁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥ ବ୍ୟବସ୍ଥା, ନିଯୁକ୍ତି, ବାଣିଜ୍ୟ, ପର୍ଯ୍ୟଟନ, ପରିବହନ ଆଦି କ୍ଷେତ୍ରରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ଭରଣା ସୁଚିନ୍ତିତ ଯୋଜନା ଓ କଠିନ ପରିଶ୍ରମ ଦ୍ବାରା ସମୟ କ୍ରମେ ସମ୍ଭବ ହେବ। କିନ୍ତୁ ପ୍ରିୟ ଓ ପରିଚିତ ମଣିଷଟିର ମୃତ୍ୟୁ ସମୟରେ ଶେଷ ସମ୍ମାନ ପ୍ରଦର୍ଶନ କରି ନପାରିବାର ଅବସୋସ କଳା ଦାଗଟିଏ ହୋଇ ଚିରଦିନ ଲାଗି ହୃଦୟରେ ରହିଯିବ।

ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା
ମୋ: ୯୪୩୭୦୬୬୦୯୯

ସମ୍ବନ୍ଧିତ ଖବର