ଶିଶୁଙ୍କ ଶିକ୍ଷା ଓ ଅଙ୍ଗନବାଡ଼ି

ନିରୂପମା ଭୂୟାଁ

ପ୍ରତି ବର୍ଷ ସ୍ବେଚ୍ଛାସେବୀ ସ˚ସ୍ଥା ‘ପ୍ରଥମ’ ପକ୍ଷରୁ ଶିକ୍ଷା ସ୍ଥିତି ସମ୍ପର୍କରେ ପ୍ରକାଶ ପାଉଥିବା ରିପୋର୍ଟରେ ଭାରତର ସ୍କୁଲଗୁଡ଼ିକର କାର୍ଯ୍ୟଧାରା, ଛାତ୍ରଛାତ୍ରୀଙ୍କର ଶିକ୍ଷା ଲାଭର ସ୍ତର ଏବ˚ ଦେଶରେ ବିଦ୍ୟାଳୟ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ତଥା ସମସ୍ୟା ଉଜାଗର ହୋଇଥାଏ। ଯେହେତୁ ଏହା ଏକ ବାର୍ଷିକ ରିପୋର୍ଟ; ସେଥିଯୋଗୁଁ ପୂର୍ବ ବର୍ଷ ତୁଳନାରେ ଅଗ୍ରଗତି ବା ନିମ୍ନଗତିର ତୁଳନାତ୍ମକ ବିବରଣୀ ଏଥିରେ ଦର୍ଶାଯାଏ। ଏହି ରିପୋର୍ଟକୁ ଜାତୀୟ ସ୍ତରରେ ବେଶ ଗୁରୁତ୍ବ ଦିଆହୋଇଆସିଛି। ଭାରତର ସାମାଜିକ, ଅର୍ଥନୈତିକ ଓ ସା˚ସ୍କୃତିକ ସ୍ଥିତି ଯାହା, ଏଥିରେ ପ୍ରାଥମିକ ସ୍କୁଲ ଶିକ୍ଷାର ଗୁରୁତ୍ବ ଅଧିକ ଥିବାରୁ ପ୍ରଥମ ସ˚ସ୍ଥାର ବର୍ଷିକିଆ ନିୟମିତ ରିପୋର୍ଟ ସବୁ ଦୃଷ୍ଟିରୁ ସହାୟକ ହୋଇଆସିଛି। ଅତୀତରେ ଅନେକ ରିପୋର୍ଟରେ ସ୍କୁଲର ଶିକ୍ଷାର ଦେଖାଯାଉଥିବା ଦୁର୍ବଳତା ତଥା ଶ୍ରେଣୀ ଭିତ୍ତିରେ ପିଲାଙ୍କର ଦକ୍ଷତାକୁ ପରୀକ୍ଷା କରାଯାଇ ତାହାର ଫଳାଫଳ ଦର୍ଶାଯାଇଛି। ତଦ୍ଦ୍ବାରା ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ସ୍ତର କେତେ ଦୁର୍ବଳ ତାହା ଜଣାପଡ଼ିଛି। ଅନ୍ୟାନ୍ୟ ଦୁର୍ବଳତା ଓ ଆବଶ୍ୟକତାକୁ ମଧୢ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥାଏ। ମୋଟାମୋଟି ଭାବେ ଏହି ଅନୁଧୢାନ ଆଧାରରେ ନୀତିଗତ ଭାବେ ପଦକ୍ଷେପ ନିଆଯାଏ ବା ପ୍ରତିକାର କରାଯାଏ।

ଏହି ମର୍ମରେ ସଦ୍ୟ ପ୍ରକାଶିତ ଏହି ରିପୋର୍ଟ (‘ଆସେର ୨୦୨୦’ ଭାବେ ପରିଚିତ) ଏକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛି। ସେଥିରେ ଶିଶୁମାନଙ୍କର ସ୍କୁଲ ପଢ଼ା ପୂର୍ବର ଜ୍ଞାନ ଅର୍ଜନ ସ୍ଥିତିକୁ ମଜଭୁତ କରିବା ପାଇଁ ଅଙ୍ଗନବାଡ଼ି ଗୁଡ଼ିକର ଉନ୍ନତୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ମୋଟାମୋଟି ଭାବେ ରିପୋର୍ଟ ପ୍ରାକ୍‌-ବିଦ୍ୟାଳୟ ଓ ନିମ୍ନ ପ୍ରାଥମିକ ଶ୍ରେଣୀ ଗୁଡ଼ିକରେ ଶିଶୁମାନଙ୍କର ଶିକ୍ଷା ଲାଭ ଉପରେ ଅଧିକ ପ୍ରାଧାନ୍ୟ ଦେଇଥାଏ। ଏହା ୪ରୁ ୮ବର୍ଷ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ଶିଶୁମାନଙ୍କର ବିକାଶ ଲାଗି ଏକ ନିର୍ଣ୍ଣାୟକ ବୟସ। ପରବର୍ତ୍ତୀ ସମୟରେ ସେମାନେ ଯେତେବେଳେ ସ୍କୁଲରେ ପଢ଼ନ୍ତି; ସେହି ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ଠାରେ ଯେଉଁ ଶକ୍ତି ଓ ଦୁର୍ବଳତା ଦେଖାଯାଏ, ତାକୁ ଉପରୋକ୍ତ ସମୟର ସ୍ଥିତି ସହ ସ˚ଯୁକ୍ତ କରି ଦେଖାଯିବା ଉଚିତ।

ଏଥରର ‘ଆସେର’ ରିପୋର୍ଟର ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ହେଲା ଦେଶରେ ଅଧିକା˚ଶ ଶିଶୁମାନଙ୍କ ଠାରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତି ନାହିଁ। ସେମାନଙ୍କ ମଧୢରୁ ଅଧିକା˚ଶଙ୍କର ବୟସ-ଭିିତ୍ତିକ ଉପଯୁକ୍ତ ବୋଧଶକ୍ତି ଭାଷା ଓ ସ˚ଖ୍ୟାଗତ ଦକ୍ଷତା ନାହିଁ। ଅନେକଙ୍କର ସାମାଜିକ ଓ ଆବେଗଭିିତ୍ତିକ ବିକାଶ ହୋଇନାହିଁ। ଏହାର ଗୋଟିଏ କାରଣ ହେଲା ଅନେକ ପିଲାଙ୍କୁ ଯଥେଷ୍ଟ ଆଗରୁ ସ୍କୁଲକୁ ପଠାଇ ଦିଆଯାଉଛି। ଯେଉଁ ବୟସରେ ପିଲା ସ୍କୁଲକୁ ଯିବା କଥା, ତା ପୂର୍ବରୁ ସେମାନଙ୍କୁ ବାପାମାଆ ସ୍କୁଲକୁ ପଠାଉଛନ୍ତି। ଅନେକ ବାପାମାଆ ଚାହାନ୍ତି ଯେ ପିଲା କମ୍‌ ବୟସରୁ ସ୍କୁଲ ଯାଇ ପାଠ ପଢ଼ିଲେ ଅଧିକ ଦକ୍ଷ ହେବ। କିନ୍ତୁ ସ୍କୁଲ ଯିବାର ଏକ ନିର୍ଦ୍ଦିଷ୍ଟ ବୟସ ଅଛି। ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ଶିଶୁର ବୟସ ୬ ବର୍ଷ ହୋଇଥିବା ଦରକାର। କିନ୍ତୁ ତା’ ଠାରୁ କମ୍‌ ବୟସର ପିଲା ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି। ସେମାନେ ବୟସ୍କ ପିଲାଙ୍କ ସହ ତାଳ ଦେଇ ପଢ଼ିପାରୁନାହାନ୍ତି। ଅନୁଧୢାନରୁ ଦେଖାଯାଇଛି ଯେ ଦେଶରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ୨୦ ପ୍ରତିଶତ ଶିଶୁଙ୍କର ବୟସ ୬ ବର୍ଷରୁ କମ୍‌ ଏବ˚ ୩୬ ପ୍ରତିଶତ ପିଲାଙ୍କର ବୟସ ୬ ବର୍ଷରୁ ଅଧିକ। ତେବେ ଦେଖିବାକୁ ମିଳିଛି ଯେ ବଡ଼ ପିଲାମାନେ ପାଠ ପଢ଼ାରେ ସେମାନଙ୍କୁ ଦିଆଯାଉଥିବା ସବୁ ଦାୟିତ୍ବ ତୁଲାଇ ପାରୁଛନ୍ତି। ଛୋଟ ପିଲାମାନେ ପଛରେ ରହିଯାଉଛନ୍ତି। ଏଭଳି ସ୍ଥଳରେ ଛୋଟ ପିଲାଙ୍କ ମଧୢରେ ଏକ ହୀନମନ୍ୟତା ସୃଷ୍ଟି ହେଉଛି। ବିଶେଷ ଭାବରେ ଗରିବ ପରିବାରରୁ ଆସୁଥିବା ପିଲାମାନଙ୍କ କ୍ଷେତ୍ରରେ ଏହା ବେଶୀ ଘଟୁଛି। ସେହି କାରଣରୁ ଅନେକ ଛାତ୍ରଛାତ୍ରୀ ଅଧାରୁ ପଢ଼ା ଛାଡ଼ି ଦେଉଛନ୍ତି। ସରକାର ପ୍ରାଥମିକ ଶିକ୍ଷାର ସାର୍ବଜନୀନ କାରଣକୁ ଅଗ୍ରାଧିକାର ଦେବା ସାଙ୍ଗକୁ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିବାରୁ ଦେଶର ପ୍ରାଥମିକ ସ୍କୁଲ ଗୁଡ଼ିକରେ ତଳ ସ୍ତରରେ ନାମ ଲେଖା ଯଥେଷ୍ଟ ବଢ଼ିଯାଇଛି। କିନ୍ତୁ ଉପର ଶ୍ରେଣୀକୁ ଗଲା ପରେ ଧୀରେ ଧୀରେ ପିଲାଙ୍କ ସ˚ଖ୍ୟା କମିଯାଉଛି। କାରଣ ତଳ ଶ୍ରେଣୀରେ ସେମାନେ ପଛୁଆ ରହିିଯାଉଛନ୍ତି। ପିଲା ସ୍କୁଲକୁ ଗଲା ପରେ ଅଧିକ ବୟସର ଓ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ଶିକ୍ଷା ଲାଭ ଦକ୍ଷତାରେ ଦେଖାଯାଉଥିବା ବ୍ୟବଧାନ ଉପର ଶ୍ରେଣୀକୁ ଆହୁରି ବଢ଼ୁଛି।

ତେବେ, ବୟସ ଜନିତ ଏହି ତାରତମ୍ୟର ମୁଖ୍ୟ କାରଣ ହେଲା ଦେଶର ଅଙ୍ଗନବାଡ଼ି ବ୍ୟବସ୍ଥା ସୁଦୃଢ଼ ନୁହେଁ। ସ୍କୁଲକୁ ଯିବା ପୂର୍ବରୁ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପଠାଯାଏ। ଉପରୋକ୍ତ ରିପୋର୍ଟକୁ ଦେଖିଲେ ସମଗ୍ର ଦେଶରେ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବା ସାଙ୍ଗକୁ ସେସବୁର ମାନ ଉନ୍ନତ ହେବା ଦରକାର। ଅଙ୍ଗନବାଡ଼ି କର୍ମୀମାନଙ୍କୁ ଠିକ୍‌ ଭାବରେ ପ୍ରାପ୍ୟ ମିଳୁନାହିଁ ଓ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉନାହିଁ। ଛୋଟ ପିଲାଙ୍କୁ କିପରି ଶିକ୍ଷା ଦିଆଯିବ ଓ ଦକ୍ଷ କରାଯିବ ତାହା ଅଧିକା˚ଶ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାନାହିଁ। ରିପୋର୍ଟରେ କୁହାଯାଇଛି ଯେ ଶିଶୁମାନଙ୍କୁ ଖେଳାଖେଳି କରାଇ ସେମାନଙ୍କର ବୋଧଶକ୍ତି ଭିିତ୍ତିକ ଦକ୍ଷତା ବିକାଶ କରାଯିବା ଉଚିତ। ସେଥିପାଇଁ ସେମାନଙ୍କର ସ୍ମରଣ ଶକ୍ତିରେ ଉନ୍ନତି ଓ ସମସ୍ୟା ସମାଧାନ କରିବାର ଯୋଗ୍ୟତା ବଢ଼ାଯିବା ଲୋଡ଼ା। କେବଳ ଜ୍ଞାନ ଲାଭ ଉପରେ ଗୁରୁତ୍ବ ଦେଲେ ଏହା ହେବନାହିଁ।

ରିପୋର୍ଟର ସାରା˚ଶ ହେଲା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ˚ପ୍ରସାରଣ ଓ ଉନ୍ନତୀକରଣ କରାଯିବା ଦରକାର। ଏହା ଦ୍ବାରା ଶିଶୁମାନେ ଉପଯୁକ୍ତ ଶିକ୍ଷା ହାସଲ କରିପାରିବେ। ତେବେ ତାହା ଆନୁଷ୍ଠାନିକ ସ୍କୁଲ ଢାଞ୍ଚାରେ ନହେବା ଉଚିତ। ଏଣୁ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନରେ ବିକାଶ ଲାଗି ପ୍ରଥମେ ଅଙ୍ଗନବାଡ଼ି ବ୍ୟବସ୍ଥାକୁ ଉନ୍ନତ କରାଯାଉ।

ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୯୩୭୪୭୦୯୮୦

ସମ୍ବନ୍ଧିତ ଖବର