ଗାନ୍ଧୀଙ୍କ ସ˚ଗ୍ରାମ ସରି ନାହିଁ

ପଦ୍ମଚରଣ ନାୟକ

ପୌରାଣିକ ଯୁଗରୁ ନିଶା ଦ୍ରବ୍ୟର ବ୍ୟବହାର ଓ ତା’ର କୁପରିଣାମ ସମ୍ପର୍କରେ ବହୁ ବର୍ଣ୍ଣନା ଅଛି। ପରବର୍ତ୍ତୀ କାଳରେ ଏହାର ବ୍ୟବହାର ଉପରେ ରାଷ୍ଟ୍ର ହସ୍ତକ୍ଷେପ କରିଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମଦ୍ୟଶାଳାର ସ୍ଥିତି ସହର ଓ ଜନବସତି ଠାରୁ ଦୂରରେ ରହିବା ଓ ମଦ୍ୟପ ମଦଶାଳାରେ ହିଁ ରାତ୍ରିଯାପନ ପାଇଁ ନିର୍ଦ୍ଦେଶ ରହିଛି। ଯୁଗ ଯୁଗ ଧରି ଏହାର ବ୍ୟବହାର ଥିଲେ ବି ଏହା ଯେ ବର୍ଜନୀୟ ଏକଥା ସୁଧୀଜନମାନେ କହି ଆସିଛନ୍ତି।

ସ୍ବାଧୀନତା ଆନ୍ଦୋଳନ କାଳରେ ଜନନେତାମାନେ ନିଶା ନିବାରଣକୁ ଏକ ମୁଖ୍ୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଛନ୍ତି। ଗାନ୍ଧୀ ଏହାକୁ କ˚ଗ୍ରେସ ଦଳର କାର୍ଯ୍ୟକ୍ରମ ମଧ୍ୟରେ ପ୍ରମୁଖ ସ୍ଥାନ କରିବାର ବହୁ ପୂର୍ବରୁ ଲୋକମାନ୍ୟ ତିଳକ ନିଶା ନିବାରଣ ପାଇଁ ଆହ୍ବାନ ଦେଇଥିଲେ। ସେ କ˚ଗ୍ରେସ ଦଳର ନେତୃତ୍ବ ନେଲା ପରେ ବ୍ରିଟିସ୍ ସରକାର ସହିତ ଅସହଯୋଗର ଆହ୍ବାନ ଦେଇଥିଲେ ଯାହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। ‘ସ୍ବରାଜ ମୋର ଜନ୍ମଗତ ଅଧିକାର ଏବ˚ ମୁଁ ଏହାକୁ ହାସଲ କରିବି’ ବୋଲି ତିଳକଙ୍କ ଉଦ୍‌ଘୋଷଣାକୁ ଗାନ୍ଧୀ ଜନତାର ଦାବି ଭାବରେ ମୁଖରିତ କରାଇଥିଲେ। ବର୍ଷକ ମଧ୍ୟରେ ସ୍ବରାଜ ଲାଭ ପାଇଁ ସେ ଯେଉଁ କେତୋଟି ସର୍ତ୍ତ ରଖିଥିଲେ ତହିଁରେ ଥିଲା ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା, ସମ୍ପୂର୍ଣ୍ଣ ନିଶା ନିବାରଣ, ଲୋକଙ୍କ ଦ୍ବାରା ଅରଟରେ ସୂତା କଟାଯିବା ଓ ସେହି ସୂତାର ଲୁଗା ପିନ୍ଧାଯିବା, ଲୋକେ ସମ୍ପୂର୍ଣ୍ଣ ଅହି˚ସା ପରାୟଣ ହେବା ଏବ˚ ତିଳକ ସ୍ବରାଜ ପାଣ୍ଠି ଲାଗି କୋଟିଏ ଟଙ୍କା ସଂଗ୍ରହ କରିବା। ଏଥି ଲାଗି ସେ ସାରା ଭାରତ ପରିକ୍ରମା କରି ଏହି ବାର୍ତ୍ତା ଦେଉଥିଲେ। ୧୯୨୧ ଡିସେମ୍ବର ୩୧ ଥିଲା ଏଥିପାଇଁ ଶେଷ ତାରିଖ। ଏସବୁ କାର୍ଯ୍ୟକ୍ରମ ବହୁ ପରିମାଣରେ କାର୍ଯ୍ୟକାରୀ ହୋଇଥିଲା। ତାଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ରାଜଗୋପଳଚାରୀ, ପଟେଲ, ରାଜେନ୍ଦ୍ର ପ୍ରସାଦ, ନେହରୁ, ସୁଭାଷ ଆଦି ହଜାର ହଜାର ଶିକ୍ଷିତ ଯୁବନେତା ନେତୃତ୍ବ ନେଇଥିଲେ। ଜୟପ୍ରକାଶ, ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ଭଳି ଅସ˚ଖ୍ୟ ଯୁବକ ବ୍ରିଟିସ୍ ସରକାର ପରିଚାଳିତ ଶିକ୍ଷାଳୟ ଛାଡ଼ି ସେହି ଆନ୍ଦୋଳନରେ ଝାସ ଦେଇଥିଲେ ଓ ବହୁ ଆଇନଜୀବୀ ଓକିଲାତି ଛାଡ଼ିଥିଲେ। ୧୯୨୧ ଡିସେମ୍ବର ୩୧ ତାରିଖ ପରେ ବି ବିଭିନ୍ନ ଅବସରରେ ବ୍ରିଟିସ୍ ସରକାରଙ୍କ ବିରୋଧରେ ବିକ୍ଷୋଭ ଚାଲିଲା। ତେବେ, ଜଣାଶୁଣା ନେତାଙ୍କ ନେତୃତ୍ବକୁ ଅପେକ୍ଷା ନ କରି ଲୋକେ ଏମିତି ଅନେକ କାମ କରିଗଲେ ଯେଉଁଥିପାଇଁ ଗାନ୍ଧୀ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଥିଲେ। ଏହାର ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ୧୯୨୨ ଫେବ୍ରୁଆରି ଚୌରିଚୌରା ଥାନା ପୋଡ଼ି, ଯେଉଁଥିରେ ୨୨ଜଣ ପୁଲିସ କର୍ମଚାରୀଙ୍କୁ ପୋଡ଼ି ମାରି ଦିଆଯାଇଥିଲା।

ଏହା ପରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କଲେ। ତାଙ୍କ ବିରୋଧରେ ମକଦ୍ଦମା ଚାଲିଲା ଏବ˚ ସେ ଏଥି ଲାଗି ଦୋଷ ସ୍ବୀକାର କରି କାରାବାସ ଭୋଗିଲେ। ଏହା ସଙ୍ଗେ ସଙ୍ଗେ ବହୁ ନେତା ବି ଜେଲ୍‌ ବରଣ କରିଥିଲେ। ଫଳରେ ସ୍ବରାଜ ଆନ୍ଦୋଳନରେ ବଡ଼ ଧରଣର ଭଟ୍ଟା ପଡ଼ିିଥିଲା। କ˚ଗ୍ରେସ ସ˚ଗଠନ ଦୁଇ ଭାଗ ହୋଇଗଲା। କିଛି ନେତା ନିର୍ବାଚନରେ ଭାଗ ନେଇ ଲେଜିସ୍‌ଲେଟିଭ କାଉନ୍‌ସିଲ୍‌ରେ ଭାଗ ନେଲେ, ଯଦିଓ ତାହାର କ୍ଷମତା ଅତ୍ୟନ୍ତ ସୀମିତ ଥିଲା। ଅସ˚ଗଠିତ ଓ ଅନିୟନ୍ତ୍ରିତ ଜନତାଙ୍କୁ ନେଇ ପରାକ୍ରମଶାଳୀ ଶକ୍ତି ବିରୋଧରେ ଲଢ଼େଇର ଆହ୍ବାନ ଦେଇ ସେ ‘ହିମାଳୟ ବ୍ଲଣ୍ତର୍’ କରୁଛନ୍ତି ବୋଲି ଗାନ୍ଧୀ ମଧ୍ୟ ସ୍ବୀକାର କଲେ। ଏହା ପରଠାରୁ ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ସେ ଗଠନମୂଳକ କାମରେ ଲାଗିପଡ଼ିଲେ। ହିମାଳୟ ଭଳି ବିରାଟ ଭୁଲ୍‌ କଲେ ବୋଲି ସ୍ବୀକାର କଲେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ହଜାର ହଜାର ସ˚ଗ୍ରାମୀ ଗଠନମୂଳକ କାର୍ଯ୍ୟକ୍ରମରେ ଲାଗିଗଲେ। ତହିଁରେ ମୁଖ୍ୟ କାମ ଥିଲା ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ କୁଟୀର ଶିଳ୍ପ ଜରିଆରେ ଆତ୍ମନିର୍ଭରଶୀଳ ହେବା ଏବ˚ ନିଶା ନିବାରଣ। ଏସବୁ କାମ ଜରିଆରେ ବ୍ରିଟିସ୍ ଶାସନ ବିରୋଧରେ ଜନମତ ଜାରି ରଖାଗଲା। ଏହାର ପ୍ରାୟ ଦଶ ବର୍ଷ ପରେ ତାଙ୍କ ଆହ୍ବାନରେ ସୃଷ୍ଟି ହୋଇଥିବା ଲବଣ ସତ୍ୟାଗ୍ରହରେ ହଜାର ହଜାର ସତ୍ୟାଗ୍ରହୀଙ୍କ ଅହି˚ସ ସ˚ଗ୍ରାମ ତାଙ୍କୁ ପୁଣି ଭାରତୀୟ ଜାତୀୟ ସ˚ଗ୍ରାମରେ ସର୍ବମାନ୍ୟ ନେତା ଭାବରେ ଗ୍ରହଣ କରାଇଲା। ତାଙ୍କର ଅନେକ ରାଜନୀତିକ ପଦକ୍ଷେପ ପ୍ରମାଦଜନକ ଥିଲେ ବି ସାଧାରଣ ଲୋକଙ୍କ ସହିତ ସମ୍ପୃକ୍ତି ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଦିଗ୍‌ଦର୍ଶନ ତାଙ୍କୁ ଭାରତୀୟ ରାଜନୀତିରେ ଏକ ଅନନ୍ୟ ସ୍ଥାନ ଦେଇଥିଲା। ଅହମଦାବାଦ ଲୁଗାକଳ ଶ୍ରମିକ ଆନ୍ଦୋଳନ କାଳରେ ଶ୍ରମିକମାନଙ୍କ ଜୀବନକୁ ଅନୁଧ୍ୟାନ କରି ସେ ଲକ୍ଷ୍ୟ କରିଥିଲେ ଯେ, ଶ୍ରମିକମାନେ ମଦ୍ୟ ପାନରେ ସ୍ବ ଅର୍ଜିତ ଅର୍ଥ ବ୍ୟୟ କରି ମାସ ଶେଷକୁ କରଜ କରୁଛନ୍ତି; ଯେଉଁ କାରଣରୁ ଶ୍ରମିକ ବସ୍ତିରେ ପାରିବାରିକ ଅଶାନ୍ତି ସୃଷ୍ଟି ହେଉଛି। ଏଣୁ ଗରିବ ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ ଲାଗି ନିଶା ନିବାରଣ ଯେ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସେ ତାହା ଉପଲବ୍‌ଧି କରିଥିଲେ। ଏବେ ତାଙ୍କ ଆହ୍ବାନରେ ହଜାର ହଜାର ଯୁବକ ଗଞ୍ଜେଇ, ଅଫିମ ଦୋକାନ ଆଗରେ ପିକେଟିଙ୍ଗ୍ କରି ମାଡ଼ ଖାଇଲେ ଓ ଜେଲ୍‌ ଗଲେ। ସେମାନଙ୍କୁ କୁହାଗଲା ସ୍ବରାଜ ଆନ୍ଦୋଳନର ବାନର ସେନା।

ଏହା ପରେ ପରେ ୧୯୩୫ ଭାରତ ଶାସନ ଆଇନ ଅନୁସାରେ ଦେଶରେ ନିର୍ବାଚନ ହେଲା। ଗାନ୍ଧୀଜୀ ପୂର୍ବରୁ ନିର୍ବାଚନ ପ୍ରତି ଉଦାସୀନ ଥିଲେ ହେଁ ଏଥର ନିର୍ବାଚନରେ କ˚ଗ୍ରେସ ଦଳ ଭାଗ ନେବା ଦିଗରେ ସମ୍ମତି ପ୍ରଦାନ କଲେ। କ˚ଗ୍ରେସ ଦଳ ଦେଶର ବହୁ ପ୍ରଦେଶରେ ସ˚ଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢ଼ିଲା। ପ୍ରଥମ ଥର ଲାଗି ସରକାରୀ ଭାବରେ ସେସବୁ ପ୍ରଦେଶରେ ନିଶା ନିବାରଣ ଲାଗୁ ହେଲା। କିନ୍ତୁ ସେ ସରକାର ବେଶି କାଳ କାର୍ଯ୍ୟ କରିନଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ରିଟିସ୍ ସରକାରଙ୍କ ସହିତ ସହଯୋଗ କରିବା ଉପରେ ନୀତିଗତ ସହମତି ନ ହେବାରୁ କ˚ଗ୍ରେସ ମନ୍ତ୍ରୀମଣ୍ତଳ ଭାଙ୍ଗି ଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତବର୍ଷ ସ୍ବାଧୀନତା ପାଇବାର ପଥ ପରିଷ୍କାର ହୋଇ ଆସୁଥାଏ। ଏ ସମୟରେ ବହୁ ବିଦେଶୀ ସାମ୍ବାଦିକ ଭାରତ ଭ୍ରମଣରେ ଆସୁଥିଲେ। ଗାନ୍ଧୀଜୀ ସରକାରୀ ପଦରେ ନଥିଲେ ବି ନେତାମାନେ ତାଙ୍କ ସହିତ ଅନେକ ସମସ୍ୟା ଉପରେ ପରାମର୍ଶ ନେଉଥିଲେ। ଜଣେ ବିଦେଶୀ ସାମ୍ବାଦିକଙ୍କର ଗାନ୍ଧୀଜୀଙ୍କୁ ପ୍ରଶ୍ନ ଥିଲା ‘ଦେଶ ସ୍ବାଧୀନ ହେଲେ କେଉଁ କାମଟିକୁ ସରକାର ଅଗ୍ରାଧିକାର ଦେବା କଥା ଆପଣ ଚିନ୍ତା କରୁଛନ୍ତି?’ ଗାନ୍ଧୀ କହିଥିଲେ ‘ମୋତେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କୁହାଗଲେ ମୁଁ ତ କହିବି ସ୍ବାଧୀନତା ପ୍ରାପ୍ତିର ୨୪ ଘଣ୍ଟା ମଧ୍ୟରେ ଦେଶରେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ ହେଉ।’ ଦେଶ ସ୍ବାଧୀନ ହେଲା ପରେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ନିଶା ନିବାରଣ କାର୍ଯ୍ୟକାରୀ ହେଲା। କିନ୍ତୁ ୧୯୫୭ ମସିହା ପରେ କ˚ଗ୍ରେସ ଦଳର କାର୍ଯ୍ୟକ୍ରମରୁ ନିଶା ନିବାରଣ ବିଦାୟ ନେଇଥିଲା। ଅବଶ୍ୟ ସେତେବେଳେ ନିଶା, ବିଶେଷକରି ମଦର ପ୍ରସାର ବିଶେଷ ନ ଥିଲା। ଏହା ସତ୍ତ୍ବେ ମୋରାରଜୀ ଦେଶାଇ ନବ ଗଠିତ ଗୁଜରାଟ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ପ୍ରଥମେ ସାବରମତୀ ଆଶ୍ରମ ଅଞ୍ଚଳରେ ଓ ପରେ ପରେ ସମଗ୍ର ଗୁଜୁରାଟରେ ସରକାରୀ ଭାବରେ ମଦ ବିକ୍ରି ବନ୍ଦ କରିଦେଇଥିଲେ। ଗୁଜୁରାଟରେ ଏବେ ବି ମଦ ନିଷେଧ। କିନ୍ତୁ ନିଶା ନିବାରଣ ଆଇନ ଚାଲିଥିଲେ ହେଁ ପଡ଼ିଶା ରାଜ୍ୟମାନଙ୍କରେ ମଦ ପ୍ରଚଳନ ଥିବାରୁ ଗୁଜୁରାଟକୁ ମଦ ବେଆଇନ ଭାବରେ ଆସୁଛି। ଆଶ୍ବାସନାର କଥା ଯେ ଗୁଜୁରାଟ ରାଜ୍ୟ ସରକାର ଆୟର ଗୋଟିଏ ବଡ଼ ଅ˚ଶ ହରାଉଥିଲେ ବି କୌଣସି ସରକାର ପୁନର୍ବାର ମଦ ପ୍ରଚଳନ କରିନାହାଁନ୍ତି।

ଅର୍ଥନୀତିରେ ଉଦାରୀକରଣ ଯୁଗ ଆରମ୍ଭ ହେବା ଫଳରେ ବହୁ ବ୍ୟକ୍ତିଙ୍କ ପାଖକୁ ସହଜରେ ଅଧିକ ଅର୍ଥ ପହଞ୍ଚିବା ଯୋଗୁ ବଜାର ଚଳଚଞ୍ଚଳ ହେଲା। ଭୋଗର ଲିପ୍‌ସା ବଢ଼ିଚାଲିଲା ଏବଂ ଭୋଗର ଅନ୍ୟତମ ସାଧନ ମଦର ବନ୍ୟା ଆରମ୍ଭ ହେଲା। ଫଳରେ ମଦର ଉତ୍ପାତ ଆଜି ସହରରୁ ଗାଁକୁ ବ୍ୟାପିଛି। ଏହା ବିରୋଧରେ ଯେଉଁ ସ˚ଗ୍ରାମ ଦେଖା ଦେଉଛି ତାହା ଆଞ୍ଚଳିକ ସ୍ତରରେ ସୀମିତ। ଏ ଦିଗରେ ତାମିଲନାଡୁର ରାମଦୋଷ ଓ ଭାଇକୋଙ୍କ ନେତୃତ୍ବରେ, ମହାରାଷ୍ଟ୍ରରେ ଆନ୍ନା ହଜାରେ ଏବ˚ ବିଭିନ୍ନ ସ୍ଥାନରେ ସ୍ବାମୀ ଅଗ୍ନିବେଶ (ଏବେ ପରଲୋକଗତ)ଙ୍କ ନେତୃତ୍ବରେ ଚାଲିଥିବା ନିଶା ନିବାରଣ ଆନ୍ଦୋଳନ ଉଲ୍ଲେଖଯୋଗ୍ୟ। ଏହାଛଡ଼ା କୌଣସି ନେତାଙ୍କୁ ଅପେକ୍ଷା ନ କରି କର୍ଣ୍ଣାଟକ ତଥା ଆନ୍ଧ୍ର ପ୍ରଦେଶରେ ମହିଳାମାନେ ନିଶା ନିବାରଣ ଆନ୍ଦୋଳନ ଚଳାଇ ରଖିଛନ୍ତି। ଏଥିଲାଗି ସେମାନେ ମାଡ଼ ଖାଉଛନ୍ତି ଓ ଜେଲ୍‌ ଯାଉଛନ୍ତି। ଏ ଦିଗରେ ଓଡ଼ିଶାର ଉର୍ମିଳା କଅଁର ଏବ˚ ଦିଲେଶ୍ବର ଦଣ୍ତସେନାଙ୍କ ବଳିଦାନ ନିଶା ନିବାରଣ ଆନ୍ଦୋଳନକୁ ଚଳାଇ ରଖିଛି। ନିଶା ନିବାରଣ କାର୍ଯ୍ୟକାରୀ ହେଲେ ଡାକ୍ତରଖାନା, ଜେଲ୍‌, ଥାନା ଓ କଚେରିର ଝାମେଲା କମିଯାଆନ୍ତା। ମା’ମାନେ ନିତି ମାଡ଼ ଖାଇବାରୁ ରକ୍ଷା ପାଆନ୍ତେ ଓ ଝିଅମାନେ ଅକାଳରେ ବିଧବା ହୁଅନ୍ତେ ନାହିଁ। ଏହା ସତ୍ତ୍ବେ ଏକ ଜନମଙ୍ଗଳ ରାଷ୍ଟ୍ର ସ୍ବଳ୍ପ ଆୟ ଲାଗି କାହିଁକି ମଦ ବିକ୍ରି ଚଳାଇଛନ୍ତି, ଏ ପ୍ରଶ୍ନ ଅନେକଙ୍କ ମନକୁ ଆସେ। ଏ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରମାନେ କହନ୍ତି ଯେ, ନିଜ ରାଜ୍ୟରେ ନିଶା ନିବାରଣ କାର୍ଯ୍ୟକାରୀ କଲେ ପଡ଼ୋଶୀ ରାଜ୍ୟରୁ ଚୋରା ମଦ ଆସିବ ଓ ନିଜ ରାଜ୍ୟର ଲୋକେ ଚୋରା ମଦ ପ୍ରସ୍ତୁତ କରି ବିକିବେ। ଫଳରେ ବିଷାକ୍ତ ମଦ ଖାଇ ମରିବାର ଆଶଙ୍କା ରହିଛି। ରାଜ୍ୟ ଖାଲି ଅବକାରୀ ଆୟ ହରାଇବା ସାର ହେବ। ଏହି କଥା ୧୯୫୭ ମସିହାରୁ କୁହାହୋଇ ଆସୁଛି। କରୋନା ଉତ୍ପାତ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପ୍ରାୟ ୩ ମାସ ମଦ ଦୋକାନ ସବୁ ବନ୍ଦ କରିଥିଲେ। ଏହି ସମୟରେ ମଦ ନିଶାରେ ମରିବା ବା ବିଷାକ୍ତ ମଦ ଖାଇ ମରିବା ଖବର ଶୁଣାଯାଇନାହିଁ। ଏଣୁ ଏହି ଯୁକ୍ତି ଖୁବ୍‌ ବଳିଷ୍ଠ ନୁହେଁ। ଆଉ ବିହାର ଭଳି ସବୁଠାରୁ ଗରିବ ରାଜ୍ୟ ପାଞ୍ଚ ବର୍ଷ ଧରି ନିଶା ନିବାରଣ କାର୍ଯ୍ୟକାରୀ କରି ବି ଅଚଳ ହୋଇଯାଇନାହିଁ। ସେଠାକୁ ପଡ଼ୋଶୀ ରାଜ୍ୟରୁ ମଦ ଚୋରାରେ ଆସୁଥିଲେ ମଧ୍ୟ ତାହାର ପରିମାଣ ପୂର୍ବ ତୁଳନାରେ ଏକ ଚତୁର୍ଥା˚ଶ ବି ନୁହେଁ। ଗ୍ରାମାଞ୍ଚଳରେ ଏହା ବେଶ୍‌ ପରିବର୍ତ୍ତନ ଆଣିଛି। ତେବେ ଏହା ସ୍ବୀକାର୍ଯ୍ୟ ଯେ ସାରା ଭାରତରେ ନିଶା ନିବାରଣ କାର୍ଯ୍ୟକାରୀ ହେଲେ ଚୋରା ମଦର ବିପଦ ରହିବ ନାହିଁ। ଏହି ଲକ୍ଷ୍ୟରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ମଦମୁକ୍ତ ଭାରତ ଆହ୍ବାନ ଦିଆଯାଇଛି ଓ ଏକ ସର୍ବଭାରତୀୟ ସମ୍ମିଳନୀ ହୋଇଛି।
ଏହି ଅଭିଯାନ କେବଳ ମଦ ହଟାଇବା କାମଟି ହାତକୁ ନେଇ ଏଥିଲାଗି ସବୁ ଦଳ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତା ଲୋଡ଼ିଛି। ସାରା ବର୍ଷ ଏଇ ଗୋଟିଏ କାର୍ଯ୍ୟକ୍ରମକୁ ନେଇ ସ˚ଗ୍ରାମ କରିବା ଭିତରେ ଲୋକଙ୍କ ମନରେ ନାନା ସ˚ଶୟ ଦୂର କରିବା ଲାଗି ଚେଷ୍ଟା କରିଛି।

ବାର୍ଷିକ ବଜେଟର ପ୍ରାୟ ୩ରୁ ୮ ପ୍ରତିଶତ ଆୟ ମଦରୁ ହୋଇଥାଏ। ଏଣୁ ତାହାକୁ ଏଡ଼ାଇବା ଅସମ୍ଭବ ନୁହେଁ। ଏହା ସତ୍ତ୍ବେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ନିଶା ନିବାରଣ ନ କରିବାର ଅସଲ କାରଣ ଅଛି ଅନ୍ୟଠି। ଅଭିଜ୍ଞତାରୁ ଆମର ହୃଦ୍‌ବୋଧ ହୋଇଛି ଯେ, ନିର୍ବାଚନରେ ଜୟଲାଭ କରିବାର ଅବ୍ୟର୍ଥ ଓ ସହଜ ଅସ୍ତ୍ର ହେଉଛି ମଦ। ଏଣୁ କ୍ଷମତାରେ ରହିବା ଲାଗି ଏହାକୁ ଛାଡ଼ିବା ଅସମ୍ଭବ। ତେବେ ଯେଉଁ ଜନସାଧାରଣଙ୍କର ହାତରେ କ୍ଷମତାର ଚାବି ଅଛି, ସେମାନେ ଭବିଷ୍ୟତ ବ˚ଶଧରଙ୍କ ସ୍ବାର୍ଥ ଦୃଷ୍ଟିରୁ ମଦ ଜନିତ ପ୍ରକୃତ ଲାଭ କ୍ଷତି ବୁଝିଗଲେ ଏହି ଗୋଲକ ଧନ୍ଦାରୁ ରକ୍ଷା ମିଳିପାରିବ।

‘ଗାନ୍ଧୀ-୧୫୦’ ନେଇ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଉଦ୍‌ଯାପନ କରିଆସିଥିବା ବିଭିନ୍ନ ରାଜ୍ୟ ସରକାରଙ୍କ ସହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ‘ମଦମୁକ୍ତ ଭାରତ’ ସ୍ବପ୍ନକୁ ସାକାର କରିପାରିଲେ ଏହା ଜନହିତରେ ଏକ ଐତିହାସିକ ପଦକ୍ଷେପ ଭାବେ ଗଣା ହେବ।

ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ : ୯୯୩୮୮୯୦୪୪୫

ସମ୍ବନ୍ଧିତ ଖବର