କରୋନା ମହାମାରୀର ଆହ୍ୱାନ

ଭାଗୀରଥି ମହାସୁଆର

ଗୋଟି ଗୋଟି କରି ପ୍ରିୟ ଲୋକମାନେ ଚାଲିଯାଉଛନ୍ତି। ଗାଁରେ ମୃତିକିଆ ଚର୍ଚ୍ଚା ବେଶି, ଛୁତିକିଆର ଖବର ନାହିଁ। ଲାଗୁଛି ସତେ ଯେପରି ମନୁଷ୍ୟ ଅବହେଳା କରିବାରୁ ପ୍ରକୃତି ଜନସ˚ଖ୍ୟାର ଭାରସାମ୍ୟ ରକ୍ଷା କରିବାର ଦାୟିତ୍ବ ହାତକୁ ନେଇଛି। ଗାଁରୁ ମଣିଷଟିଏ ଚାଲିଗଲେ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରଥମ କଥା ହେଉଛି ମୃତ୍ୟୁ କରୋନା ଜନିତ କି ନୁହେଁ। କିଛି ଲୋକ ଅନ୍ୟ ରୋଗରେ ବି ଚାଲିଯାଉଛନ୍ତି। ତେବେ ଏ କଥାଟି ନିର୍ବିବାଦୀୟ ନୁହେଁ। କାରଣ ଡାକ୍ତର କହୁଛନ୍ତି, ଦେହରେ କରୋନା ଭୂତାଣୁ ପ୍ରବେଶ କଲେ ଅନ୍ୟ ରୋଗଗୁଡ଼ିକ ଆତ୍ମପ୍ରକାଶ କରି ମାରକ ସାଜୁଛନ୍ତି। ଦ୍ବିତୀୟତଃ ପ୍ରଶାସନ ଏକ ପ୍ରକାର ହାତ ଟେକିଦେଇ ସଂକ୍ରମିତଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌‍ରେ ରହିବାକୁ କହୁଛନ୍ତି। ଆଉ କାହା କବାଟ-କାନ୍ଥରେ ଷ୍ଟିକର‌୍‌ ଲାଗୁନି। କରୋନା ପଜିଟିଭ୍ ଚିହ୍ନଟ ପରେ ଆଉ କଣ୍ଟାକ୍ଟ ଟ୍ରେସି˚ ହେଉନାହିଁ। କରୋନାର ବାହକ ଆଉ କେତେ ଜଣକୁ ସ˚କ୍ରମିତ କରିଛି, ତା’ର ଖୋଜଖବର ନିଆଯାଉନାହିଁ। ଏ କଥା ମୂଳରୁ ହେଉଥିଲା। ପୃଥିବୀ ଜାଣୁଥିଲା ଯେ ଭାରତର କରୋନା ବିରୋଧୀ ପଦକ୍ଷେପ ଆର୍ନ୍ତଜାତିକ ସ୍ତରର ଏବ˚ ଅନେକ ବିକଶିତ ଦେଶଙ୍କ ଅପେକ୍ଷା ଉନ୍ନତ। ବିଭିନ୍ନ କାରଣରୁ ଏଭଳି କଡ଼ା ମୁକାବିଲାକୁ ଦେଶ ଚଳାଇ ରଖିପାରିନାହିଁ। ଏକ ସଙ୍ଗେ ସବୁ କଟକଣା ପାଖାପାଖି ମୁକ୍ତ ହୋଇଯାଇଛି। ସାନିଟାଇଜେସନ୍‌ ଅଭିଯାନ ସର୍ବତ୍ର ହେଉନାହିଁ କି ସେଥିରେ ନିରନ୍ତରତା ନାହିଁ।

ଜନସାଧାରଣଙ୍କ ମନରୁ ଭୟ ଛାଡ଼ି ନ ଥିଲେ ମଧୢ ଯୁବ ଓ ପ୍ରୌଢ଼ ପିଢ଼ି ମଧ୍ୟରେ ଏକ ବେପରବାୟ ଅବହାଵା ବ୍ୟାପିଗଲାଣି। କାରଣ ଅନେକଙ୍କୁ କରୋନାମୁକ୍ତ ଘୋଷଣା କଲା ପରେ ମଧୢ ସେମାନେ ପୁନଶ୍ଚ ଆକ୍ରାନ୍ତ ହେଉଛନ୍ତି। ଅନ୍ୟ ଯେ କୌଣସି ରୋଗୀ କରୋନା ଭୟରେ ଚିକିତ୍ସାଳୟରୁ ଚିକିତ୍ସା ନ ପାଇ ଫେରୁଛନ୍ତି। ଅନ୍ୟପକ୍ଷେ ଘରେ ରହି ଚିକିତ୍ସା ପାଇଁ ସରକାର ଅନୁମୋଦିତ କରୋନାରୋଧକ ଓ ଚିକିତ୍ସାକାରୀ ପ୍ରେସ୍‌କ୍ରିପ୍‌ସନ୍‌ ଘୂରିବୁଲୁଛି ସାମାଜିକ ଗଣମାଧୢମରେ। ସହରାଞ୍ଚଳରେ ଅଧିକା˚ଶ ବ୍ୟକ୍ତି ତାକୁ ବ୍ୟବହାର କରୁଛନ୍ତି। ଏବେ ଲୋକେ କହିଲେଣି, ‘‘ଏଇ ଔଷଧ ଆଗରୁ କହିଥିଲେ ଆମେ ବ୍ୟବହାର କରି ତାଜା ଥାଆନ୍ତୁ। ଓହୋ, ଚାରିମାସ ଧରି କି ଦଣ୍ତ?’’

ବୟସ୍କଙ୍କ ପାଇଁ ଏହାର ବିପଦ ସର୍ବାଧିକ ହୋଇଥିବାରୁ ସେମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ଜରୁରୀ ହୋଇପଡ଼ିଛି। ଯୁବକଟିଏ ଦାୟିତ୍ବହୀନ ଭାବେ ବୟସ୍କଙ୍କ ନିକଟକୁ କରୋନା ଭୂତାଣୁ ପରିବହନ କରିନେବା ଅନୁଚିତ। ଏଣୁ ବର୍ତ୍ତମାନ ପାଇଁ ସାମାଜିକ ଦୂରତ୍ବ ହିଁ ଶ୍ରେଷ୍ଠ ପ୍ରତିରୋଧକ।

ଏହି ମହାମାରୀରେ ଶିକ୍ଷା ସର୍ବାଧିକ ବାଧାପ୍ରାପ୍ତ ହୋଇଛି। ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ଅସୁବିଧା ଅନେକ। ପୂର୍ବରୁ ରେଡିଓ ଓ ଟିଭିରେ ପ୍ରଚାରିତ ‘ବିଦ୍ୟାଳୟ କାର୍ଯ୍ୟକ୍ରମ’ ଗୁଡ଼ିକ ଶ୍ରେଣୀ ଶିକ୍ଷାର ପରିପୂରକ ସାଜିଥିଲେ, ବିକଳ୍ପ ନୁହେଁ। ଇଣ୍ଟର୍‍ନେଟ୍ ଓ ସ୍ମାର୍ଟଫୋନ୍‍ରୁ ବଞ୍ଚିତ ଛାତ୍ରଛାତ୍ରୀ ଏବେ ବିରାଟ ଅସମାନତାର ଶିକାର ହେଉଛନ୍ତି। ନେଟ୍‌ୱାର୍କ ଆସୁନଥିବାରୁ କେଉଁଠି ଗଛ ଉପରେ ତ ଆଉ କେଉଁଠି ପାହାଡ଼ ଉପରେ ଚଢ଼ି ପିଲାଏ ପାଠ ପଢ଼ୁଥିବା ଦୃଶ୍ୟ ଖବରକାଗଜରେ ପ୍ରକାଶ ପାଉଛି। ସବୁ ସୁବିଧା ଥିବା ସହରାଞ୍ଚଳରେ ଏ ଶିକ୍ଷାଦାନ ଚାଲିଛି; ଅଥଚ କିପରି ଚାଲିଛି, ତା’ର ବିସ୍ତୃତ ଆଲୋଚନା ହେଉନାହିଁ। ସେଥିରେ ଛାତ୍ରଟି ନିଜର ସନ୍ଦେହ ମୋଚନ ପାଇଁ ପ୍ରଶ୍ନ କରିବା ବା ଗୋଟିଏ ପାଠ ଆଉ ଥରେ ବୁଝିବାର ସୁଯୋଗ ପାଉନାହିଁ। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ବାଦ୍‌ ଘରେ ବହିଖାତା ଧରୁଛନ୍ତି କି ନାହିଁ ସନ୍ଦେହ। ମଝିରେ ମଝିରେ ପରୀକ୍ଷା ପାଇଁ ପ୍ରଶ୍ନ ଆସୁଛି। ଯେଉଁଠି ଶିକ୍ଷିତ ଅଭିଭାବକ ସମୟ ଦେଉଛନ୍ତି, ସେ କ୍ଷେତ୍ରରେ ପିଲାକୁ ଉତ୍ତର ଲେଖାଇ ଉତ୍ତର ଖାତାକୁ ଅନ୍‌ଲାଇନ୍‌ରେ ପଠାଯିବା ସମ୍ଭବ ହେଉଛି। ତେବେ ଏଭଳି ପରୀକ୍ଷାକୁ ପିଲାଟିର ବୌଦ୍ଧିକ ଓ ସ୍ମରଣ ଶକ୍ତିର ବିକାଶ ହେଉଛି ବୋଲି କହି ହେବନାହିଁ। କାରଣ ଅଭିଭାବକ ବା ଶିକ୍ଷକ ପ୍ରଶ୍ନଗୁଡ଼ିକର ଉତ୍ତର ବୁଝାଉଛନ୍ତି ବା ବତାଇ ଦେଉଛନ୍ତି। ମନେ ହେଉଛି ଯେ କରୋନା ସକାଶେ କିଛି ଫମ୍ପା ଛାତ୍ର ସୃଷ୍ଟି ହେଉଛନ୍ତି ଯେଉଁମାନଙ୍କ ଭବିଷ୍ୟତ୍‌ ଅନିଶ୍ଚିତତା ଆଡ଼କୁ ମୁହାଁଇଛି।

ସେହିପରି ବ୍ୟବସାୟ, ପରିବହନ, ଜୀବିକା ଓ ସର୍ବୋପରି ସାଧାରଣ ଅର୍ଥନୀତି ଆଣ୍ଠେଇ ପଡ଼ିଛି। ସରକାରୀ ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ଏସବୁ କିପରି ଭରଣା ହେବ ତାହା ଭାବିଲା ବେଳକୁ ଆଖି ପାଉନି। କରୋନା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଅପବ୍ୟୟ କରିଛନ୍ତି। ଲୋକପ୍ରିୟତା ଅର୍ଜନ ପାଇଁ ଆଖିମୁଦା ସାମଗ୍ରୀ ବଣ୍ଟନ ହୋଇଛି। ଏହା ବଜାର ଦରକୁ ଅସମ୍ଭବ ରୂପେ ବୃଦ୍ଧି କରିଛି। ଆର୍ଥିକ ମାନ୍ଦାବସ୍ଥା ସମୟରେ ଏତେ ଯୋଜନାର ଘୋଷଣା ହୋଇଛି ଯେ, ହିସାବ କରି ବସିଲେ ମୁଣ୍ତ ଘୂରାଇଯିବ।
ଏହି ସମୟରେ ଗଣମାଧୢମର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ ହେଇପଡ଼ିଛି। କିନ୍ତୁ ଅନେକ ଗଣମାଧ୍ୟମ ସଂସ୍ଥା ଗୁରୁତ୍ବହୀନ ପ୍ରସଙ୍ଗକୁ ଅଧିକ ପ୍ରଚାର କରୁଛନ୍ତି। ବିଦେଶରେ ଭାରତୀୟ ଖବରର ଦୁଇ ପ୍ରକାର ପ୍ରଚାର ଚାଲିଛି। ଗୋଟିଏ ସକାରାତ୍ମକ। ଅନ୍ୟଟି ହେଲା ସରକାର ବିରୋଧୀ। ଏଣୁ ଭବିଷ୍ୟତ୍‌ରେ ଦେଶର ଆନ୍ତର୍ଜାତିକ ବିଶ୍ବସନୀୟତା ପ୍ରଭାବିତ ହେବ। ସମସ୍ତେ ମନେ ରଖିବା ଉଚିତ ଯେ, ମହାମାରୀ ଆଳରେ ଦେଶର ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ପ୍ରତି ଆଖି ବୁଜିଦେବା ଠିକ୍ ନୁହେଁ। ବିଶେଷ କରି ଆପରାଧିକ ଘଟଣା ଗୁଡ଼ିକର ଅନୁସନ୍ଧାନରେ ଅବହେଳା କଲେ ପରିସ୍ଥିତି ଜଟିଳ ହୋଇଯିବାର ବିପଦ ଅଧିକ।

ମଣିଷର ଖରାପ ଗୁଣଗୁଡ଼ିକ ନଷ୍ଟ କରି ଭଲ ଗୁଣମାନଙ୍କର ଅଭିଷେକ କରାଇବାର ପାଠ ଏ ପର୍ଯ୍ୟନ୍ତ ବିଜ୍ଞାନ ବା ଧର୍ମ ଆବିଷ୍କାର କରି ନାହାନ୍ତି। ବିଜ୍ଞାନ ହେଉ ବା ଧର୍ମ, କେଉଁ ଗୋଟିଏ ଉପରେ ଅତ୍ୟଧିକ ବିଶ୍ବାସ ମଣିଷର ଅବିମୃଶ୍ୟକାରିତା। ଧର୍ମର ପ୍ରଦୂଷଣ ଓ ବିଜ୍ଞାନର ଅତି ବ୍ୟବହାର ହିଁ ମଣିଷର ବିବେକକୁ ପ୍ରଦୂଷିତ କରିଚାଲିଛି। ତେବେ ବିିବେକର ପୁନରାବିଷ୍କାର ତଥା ସମାଜର ପୁନର୍ଗଠନ ପାଇଁ କରୋନା ଯେ ଏକ ଆହ୍ବାନ ରୂପେ ଉଭା ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ।

ମୋ: ୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର