ଅଶାନ୍ତ ପୃଥିବୀ, ଅସ୍ଥିର ଅର୍ଥନୀତି

ବଜାର ହାଲଚାଲ - ଓମ୍‌ ପ୍ରକାଶ ଜଗତି

ପୂର୍ବରୁ ସତର ଥର ଗ୍ରାଣ୍ତସ୍ଲାମ୍‌ ବିଜୟୀ ହୋଇଥିବା ବିଶ୍ବର ଏକ ନମ୍ବର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ କିଛିଦିନ ତଳେ ୟୁଏସ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍‌ରେ ନିଜର ମାନସିକ ସନ୍ତୁଳନ ରକ୍ଷା ନ କରି ପାରି ଲକ୍ଷ୍ୟହୀନ ଭାବରେ ବଲ୍‌କୁ ଖୁବ୍‌ ଜୋରରେ କୋର୍ଟର ପଛ ଆଡ଼କୁ ମାରି ଦେଇଥିଲେ, ଯାହା ଦାୟିତ୍ବରେ ଥିବା ମହିଳା ଲାଇନ୍‌ ଜଜ୍‌ଙ୍କୁ ଜୋରରେ ଆଘାତ କରିଥିଲା। ଯଦିଓ ଏପରି ଘଟଣା ଅଜାଣତରେ ହୋଇଛି ବୋଲି ମନେ ହୁଏ ଏବ˚ ଏଥିପାଇଁ ଜୋକୋଭିକ୍‌ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ ତଥାପି କୋର୍ଟରେ ଖରାପ ଆଚରଣ ପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏପରି ନିଷ୍ପତ୍ତି ପ୍ରମାଣ କରିଛି ଯେ କ୍ରୀଡ଼ାଙ୍ଗନରେ ନିୟମ କାନୁନ କ୍ଷେତ୍ରରେ ସମସ୍ତେ ସମାନ। କିନ୍ତୁ ପରିତାପର ବିଷୟ ଯେ ଦେଶମାନଙ୍କ ସହମତରେ ପ୍ରସ୍ତୁତ ଖେଳପଡ଼ିଆର ଏହି ମହାନ୍‌ ନିୟମକୁ ଖେଳପଡ଼ିଆ ବାହାରେ ମାନିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି।

ଜିଓ ପଲିଟିକ୍‌ସରେ କନ୍ଦଳ କିଛି ନୂଆ କଥା ନୁହେଁ। କିନ୍ତୁ ବିଶ୍ବବ୍ୟାପୀ କରୋନା ମହାମାରୀ ସଙ୍କଟ ସମୟରେ ମନେ ହେଉଥିଲା ଯେ ରାଷ୍ଟ୍ରମାନେ ଏହି ମହାମାରୀକୁ ନିୟନ୍ତ୍ରିତ କରିବା ସହିତ ଉଜୁଡ଼ି ଯାଉଥିବା ଅର୍ଥନୀତିକୁ କିପରି ରକ୍ଷା କରାଯାଇପାରିବ ତାହା ପାଇଁ ମିଳିତ ଉଦ୍ୟମ କରିବେ। ଏହାଛଡ଼ା କରୋନା ଯଦି ମାନବକୃତ ମହାମାରୀ ହୋଇଥାଏ, ତେବେ ଦୋଷୀ ରାଷ୍ଟ୍ର (ଚୀନ୍‌?) ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏଥିରେ ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗତ ତିନିମାସରୁ ଊର୍ଦ୍ଧ୍ବ ହେବ ଚୀନ୍‌ ଓ ଭାରତ ମଧୢରେ ଲଦାଖ୍‌ ଅଞ୍ଚଳରେ ସୀମା ବିବାଦ ଲାଗି ରହିଛି। ଭୂମଧୢସାଗରରେ ପାଣି ତଳେ ଥିବା ପ୍ରାକୃତିକ ଗ୍ୟାସ୍‌ ଭଣ୍ତାର ଉପରେ ସ୍ବତ୍ବାସ୍ବତ୍ବ ପାଇଁ ତୁର୍କୀ ଓ ଗ୍ରୀସ୍‌ ମଧୢରେ ତୀବ୍ର କନ୍ଦଳ ଆରମ୍ଭ ହୋଇଛି ଯାହାକି ଭବିଷ୍ୟତରେ ଦୁଇ ଦେଶ ମଧୢରେ ଯୁଦ୍ଧର ରୂପରେଖ ନେଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି। ଅନ୍ୟ ଏକ ଘଟଣା ଏହି ସମସ୍ୟାକୁ ଆହୁରି ଜଟିଳ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲ୍‌ରେ ଥିବା ହାୟା ସୋଫିଆ ମ୍ୟୁଜିୟମ୍‌କୁ ସେଠାକାର ସରକାର ଏକ ମସ୍‌ଜିଦ୍‌ରେ ପରିଣତ କରିବା ନିଷ୍ପତ୍ତି ୟୁରୋପର ଅନେକ ଦେଶ ବିଶେଷ କରି ଗ୍ରୀସ୍‌କୁ କ୍ଷୁବ୍‌ଧ କରିଛି। ଏପରିକି ପୋପ୍‌ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଷଷ୍ଠ ଶତାବ୍ଦୀରେ ନିର୍ମିତ ଏହି ଭବ୍ୟ ଓ ବୃହତ୍‌ ଗୀର୍ଜାଘରକୁ ୧୯୩୫ ମସିହାରେ ଏକ ମ୍ୟୁଜିୟମ୍‌ ବୋଲି ଘୋଷଣା କରାଯାଇଥିଲା।

ଇଥୋପିଆ ଆବେ ନଦୀ ଉପରେ ନିର୍ମାଣ କରୁଥିବା ବୃହତ୍‌ ଗ୍ରାଣ୍ତ ରେନିସାସ୍‌ ନଦୀବନ୍ଧକୁ ନେଇ ଇଥୋପିଆ ଓ ମିଶର ମଧୢରେ ବିବାଦ ଆରମ୍ଭ ହୋଇଛି। ମିଶରରେ ପ୍ରବାହିତ ନୀଳ ନଦୀର ଅଶୀ ପ୍ରତିଶତ ଜଳ ଆବେ ନଦୀରୁ ଆସିଥାଏ। ତେଣୁ ଏହି ନଦୀ ବନ୍ଧ ଯୋଗୁଁ ନୀଳ ନଦୀରେ ପ୍ରବାହିତ ଜଳ ହ୍ରାସ ପାଇବା ସହିତ ମିଶରର ଅର୍ଥନୀତି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ସମ୍ପ୍ରତି ବିଶ୍ବ ରାଜନୀତିରେ ଆଉ ଏକ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି ବେଲାରୁଷ। ସେଠାକାର ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି ଲୁକାସେଙ୍କୋଙ୍କୁ ହଟାଇବା ପାଇଁ ପ୍ରବଳ ଜନମତ ସୃଷ୍ଟି ହେଉଥିଲା ବେଳେ, ରୁଷ ରାଷ୍ଟ୍ରପତି ପୁଟିନ୍‌ ଲୁକାସେଙ୍କୋଙ୍କୁ ଭିତିରିଆ ସାହାଯ୍ୟ କରୁଛନ୍ତି। ଫଳତଃ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରଙ୍କ ମଧୢରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ରୁଷରେ ବିରୋଧୀ ନେତା ଆଲେକ୍‌ସି ନାଭାଲ୍‌ନିଙ୍କ ଅଭ୍ୟୁଦୟ ପୁଟିନ୍‌ଙ୍କୁ ବିବ୍ରତ କରିଛି। କିଛିଦିନ ତଳେ ବିଷ ଦେଇ ନାଭାଲ୍‌ନିଙ୍କୁ ହତ୍ୟା କରିବାର ଉଦ୍ୟମ ହୋଇଥିଲା। ଭାଗ୍ୟବଶତଃ ସେ ମୃତ୍ୟୁ ମୁଖରୁ ବଞ୍ଚିଯାଇ ଏବେ ବର୍ଲିନରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ଯୋଗୁଁ ରୁଷ ବିରୁଦ୍ଧରେ ଜର୍ମାନୀ ତଥା ୟୁରୋପର ଅନ୍ୟ ଦେଶମାନଙ୍କରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏକ ରାଷ୍ଟ୍ର, ଦୁଇ ଶାସନ ପ୍ରଣାଳୀ ସୂତ୍ର ଭିତ୍ତିରେ ହ˚କ˚କୁ ୟୁକେ ଚୀନ୍‌କୁ ହସ୍ତାନ୍ତରିତ କରିଥିଲେ ହେଁ ଚୀନ୍‌ ଏହି ସୂତ୍ରକୁ ମାନିବାକୁ ପ୍ରସ୍ତୁତ ନୁହେଁ। ହ˚କ˚ରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ପ୍ରଣାଳୀ, ଅଭିବ୍ୟକ୍ତିର ସ୍ବାଧୀନତା ତଥା ମୁକ୍ତ ଅର୍ଥନୀତିକୁ ଜାରି ରଖିବାକୁ ଚୀନ୍‌ ଚାହେଁ ନାହିଁ। ଏଥିପାଇଁ ସେଠାରେ ପ୍ରବଳ ଜନଆନ୍ଦୋଳନ ମୁଣ୍ତ ଟେକୁଛି। ଏହି ଲେଖାଟି ପ୍ରସ୍ତୁତ ହେଲାବେଳେ ଆଜର‌୍‌ବେଇଜାନ୍‌ ଓ ଆର୍ମେନିଆ ମଧୢରେ ନାଗୋର୍ଣ୍ଣୋ କାରାବାକ୍‌ ବିବାଦକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି। ଯଦିଓ ଏହି ଦୁଇଟି ଛୋଟିଆ ଦେଶ, ବିଶ୍ବ କୂଟନୀତିକୁ ବିଶେଷ ଭାବରେ ପ୍ରଭାବିତ କରି ନ ପାରନ୍ତି, ଆଗାମୀ ଦିନରେ ଏପରି ଘଟଣାର ଧ୍ରୁବୀକରଣକୁ ଏଡ଼ାଇ ଦିଆଯାଇ ନ ପାରେ।

ଯେତେବେଳେ ଆନ୍ତଃରାଷ୍ଟ୍ରୀୟ ଜିଓ ପଲିଟିକ୍‌ସ ପୃଥିବୀକୁ ଅଶାନ୍ତ କରିବାରେ ଲାଗିଛି, ବିପନ୍ନ ଅର୍ଥନୀତି ପରିସ୍ଥିତିକୁ ଅଧିକ ସଙ୍ଗିନ୍‌ କରୁଛି। ଚଳିତ ଆର୍ଥିକ ବର୍ଷ ବିଶ୍ବ ଜିଡିପି (-) ୪.୪% ହେବ ବୋଲି ଅନ୍ତର୍ଜାତୀୟ ରେଟି˚ ସ˚ସ୍ଥା ଫିଚ୍‌ ଅଟକଳ କରିଛି। ଚୀନକୁ ଛାଡ଼ି ଦେଲେ ବିଶ୍ବର ସମସ୍ତ ଗୁୁରୁତ୍ବପୂର୍ଣ୍ଣ ଦେଶମାନଙ୍କର ଜିଡିପି ନକାରାତ୍ମକ ହେବ। ଚୀନ୍‌ କ୍ଷେତ୍ରରେ ଏହା ୨.୭% ହେବ ବୋଲି ଅନୁମାନ କରାଯାଇଥିଲା ବେଲେ ଭାରତ ପାଇଁ ଏହା (-) ୧୦.୫% ହେବାର ସମ୍ଭାବନା ଅଛି। ଏପରି ବୃହତ୍‌ ପାର୍ଥକ୍ୟର କାରଣ କ’ଣ? କରୋନା ଭୂତାଣୁ ଚୀନରୁ ଉତ୍ପତ୍ତି ହୋଇଥିଲେ, ଏହାର ପ୍ରଭାବ ସେଠାରେ ଅଳ୍ପ କିଛି ମାସରେ ନିୟନ୍ତ୍ରଣ କରାଯାଇପାରିଥିଲା, ଯାହାର କାରଣ ଏବେ ମଧୢ ରହସ୍ୟାବୃତ ହୋଇ ରହିଛି। ଭାରତ ଏବେ ମଧୢ କରୋନା ଜନିତ ସଙ୍କଟଜନକ ସ୍ଥିତି ମଧୢରେ ଗତି କରୁଛି। ଚୀନ୍‌ ସରକାର ଭିତ୍ତିଭୂମି ବିକାଶ ପାଇଁ ବିପୁଳ ପାଣ୍ଠି ନିବେଶ କରୁଛନ୍ତି। କମ୍ପାନିମାନଙ୍କୁ ପ୍ରୋତ୍ସାହନ, ଟିକସ ଛାଡ଼ ତଥା ଆବଶ୍ୟକ ମୁତାବକ ପାଣ୍ଠି ଯୋଗାଇ ଦିଆଯାଉଛି। ଯଦିଓ ଅନେକ ଦେଶ ଆମଦାନି କ୍ଷେତ୍ରରେ ଚୀନ୍‌ର ବିକଳ୍ପ ଚାହାଁନ୍ତି, ଏ ପର୍ଯ୍ୟନ୍ତ ଏଥିପାଇଁ ପ୍ରଭାବଶାଳୀ ପରିବର୍ତ୍ତନ ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ସହିତ ସମାଜର ଦରିଦ୍ରବର୍ଗର ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ, ଟିକସ ରାଜସ୍ବରେ ବ୍ୟାପକ ହ୍ରାସ, କରୋନା ଜନିତ ଚିକିତ୍ସା ବାବଦରେ ବିପୁଳ ଅର୍ଥ ବରାଦ ଇତ୍ୟାଦି ଭାରତୀୟ ଅର୍ଥନୀତି ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଇଛି।

କରୋନା ମହାମାରୀ ସମୟରେ ଆଶା କରାଯାଉଥିଲା ଯେ ଭାରତର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜନେତାମାନେ ଦଳୀୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସକାରାତ୍ମକ ଭୂମିକା ଗ୍ରହଣ କରିବେ। କିନ୍ତୁ ନିକଟରେ କେନ୍ଦ୍ର ସରକାର କୃଷି ସ˚କ୍ରାନ୍ତୀୟ ତିନିଟି ବିଲ୍‌ (ସାମଗ୍ରିକ ଭାବରେ କୃଷି ବିଲ୍‌ କୁହାଯାଉଛି) ପାର୍ଲିଆମେଣ୍ଟରେ ପାରିତ କରିବା ପରେ କେତେକ ବିରୋଧୀ ଦଳ ନେତା ଯେପରି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି, ତାହା ନିଶ୍ଚିତ ଭାବରେ ନୈରାଶ୍ୟ ସୃଷ୍ଟି କରିଛି। ବାସ୍ତବତାକୁ ଜାଣିବା ପାଇଁ ସାଲେପୁରର ଜଣେ କ୍ଷୁଦ୍ରଚାଷୀ କିଶୋର ଦାଶଙ୍କ ସହିତ ବାର୍ତ୍ତାଳାପ କରିଥିଲି। ତାଙ୍କର ତିନି ଏକର ଜଳସେଚିତ ଚାଷ ଜମି ଅଛି। ନିୟମାନୁସାରେ ତାଙ୍କୁ ଏକର ପିଛା ଊଣେଇଶ କ୍ବିଣ୍ଟାଲ ଧାନ ବିକିିବା ପାଇଁ ସୁଯୋଗ ମିଳିବା କଥା! କିନ୍ତୁ ଗତବର୍ଷ ସରକାର ତାଙ୍କଠାରୁ ଏକର ପିଛା ଦଶ କ୍ବିଣ୍ଟାଲ ଧାନ କିଣିଥିଲେ। ରାଜ୍ୟ ସରକାର ଚାହିଦା ମୁତାବକ ଧାନ ସ˚ଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି। ସ୍ଥାନୀୟ ଚାଉଳ ମିଲ୍‌ମାନଙ୍କ ଧାନ ପେଷିବା କ୍ଷମତା ତଥା ଗୋଦାମରେ ଭଣ୍ତାରଣ ବ୍ୟବସ୍ଥାକୁ ମଧୢ ଏଥିପାଇଁ ବିବେଚନା କରାଯାଇଥାଏ। ତେଣୁ ଅନେକ ଚାଷୀ ହକ୍‌ଦାର ମୁତାବକ ଧାନ ବିକିବାକୁ ସମର୍ଥ ହୋଇନଥାନ୍ତି। ଚଳିତ ବର୍ଷ ସାଧାରଣ କିସମ ଧାନର କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧୮୬୮ ଟଙ୍କା। ଏକ କ୍ବିଣ୍ଟାଲ ଧାନରୁ ୬୮ କିଲୋ ଚାଉଳ ମିଳିଥାଏ। ଅର୍ଥାତ୍‌ ଏକ କିଲୋ ଚାଉଳ ପିଛା ଚାଷୀଙ୍କୁ ୨୭ ଟଙ୍କା ମିଳିବ। ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଏହି ଚାଉଳ ପହଞ୍ଚିଲାବେଳକୁ କିଲୋ ପ୍ରତି ଚାଉଳ ଖର୍ଚ୍ଚ ପ୍ରାୟ ୩୫ ଟଙ୍କାରେ ପହଞ୍ଚି ସାରିଥିବ। ବାଣିଜ୍ୟରେ ସ୍ନାତକ କରିଥିବା କିଶୋର ଅତ୍ୟନ୍ତ ସରଳ ଭାବରେ ଏହାର କାରଣ ବୁଝାଇ ଦେଇଥିଲେ। ଧାନ ସ˚ଗ୍ରହ କରୁଥିବା ସମବାୟ ସମିତିକୁ (ଏମାନଙ୍କୁ ଏଜେଣ୍ଟ ବୋଲି ଗଣ୍ୟ କରାଯାଇପାରେ) ଧାନ କ୍ବିଣ୍ଟାଲ ପିଛା ପ୍ରାୟ ୩୨ ଟଙ୍କା ମିଳିଥାଏ। ଧାନର ମାନ ନିର୍ଦ୍ଧାରଣ କରୁଥିବା ନିୟନ୍ତ୍ରିତ ବଜାର କମିଟିକୁ (ଆରଏମ୍‌ସି) ଏମ୍‌ଏସ୍‌ପିର ଦୁଇ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୩୮ ଟଙ୍କା ମିଳିଥାଏ। ଚାଉଳ କଳ ମାଲିକଙ୍କୁ ଧାନ ପେଷିବା ପାଇଁ କ୍ବିଣ୍ଟାଲ ପିଛା ୧୨୦ ଟଙ୍କା ଦିଆଯାଇଥାଏ। ଏହାଛଡ଼ା ବସ୍ତା, ପରିବହନ, ମାଲ ଲଦିବା ଓ ଉତାରିବା, ଗୋଦାମ ଭଡ଼ା ଇତ୍ୟାଦି ଯାବତୀୟ ପ୍ରତ୍ୟକ୍ଷ ଖର୍ଚ୍ଚକୁ ବିବେଚନା କଲା ପରେ ସରକାରଙ୍କ ପାଇଁ ଚାଉଳ କିଣିବା ଖର୍ଚ୍ଚ କିଲୋ ପ୍ରତି ପ୍ରାୟ ୩୫ ଟଙ୍କା ହେବ। ଶେଷରେ କିଶୋର କହିଥିଲେ ଯେ ତାଙ୍କ ଭଳି ଅନେକ କ୍ଷୁଦ୍ର ଚାଷୀ ବଳକା ଧାନକୁ ସ୍ଥାନୀୟ ଘରୋଇ ବେପାରୀଙ୍କୁ ବିକିବାକୁ ବାଧୢ ହୋଇଥାନ୍ତି ଯେଉଁମାନେ ପରିସ୍ଥିତିର ସୁଯୋଗ ନେଇ କମ୍‌ ଦାମ୍‌ରେ ଧାନ କିଣିବାକୁ ଚେଷ୍ଟା କରିଥାନ୍ତି।

ପାରିତ ନୂଆ କୃଷି ବିଲ୍‌ର ତିନିଟି ମୁଖ୍ୟ ବିଷୟକୁ ଆଲୋଚନା କରାଯାଇପାରେ। ପ୍ରଥମଃ ପାରମ୍ପରିକ ମଣ୍ତି (ଯେଉଁଠି ଏମ୍‌ଏସ୍‌ପିରେ ବିକାକିଣା ହୁଏ) ବ୍ୟବସ୍ଥା ଜାରି ରହିବା ସହିତ ଭିତ୍ତିଭୂମି ସୁବିଧା ଥିବା ଘରୋଇ ମଣ୍ତି ଖୋଲାଯିବ ଯେଉଁଠି ବ୍ୟବସାୟିକ ସ˚ସ୍ଥା ତଥା ବେପାରୀମାନେ ଚାଷୀମାନଙ୍କ ଠାରୁ କୃଷି ସାମଗ୍ରୀ କିଣିପାରିବେ। ଅନ୍‌ଲାଇନ୍‌ କାରବାରର ମଧ୍ୟ ସୁବିଧା ରହିବ। ସେମାନଙ୍କ ଉପରେ ରାଜ୍ୟ ସରକାର କୌଣସି ଟିକସ ଲାଗୁ କରିପାରିବେ ନାହିଁ। ଆନ୍ତଃ ରାଜ୍ୟ କିମ୍ବା ଆନ୍ତଃ ଜିଲ୍ଲା କାରବାର ପାଇଁ କଟକଣା ରହିବ ନାହିଁ। ମୁକ୍ତ କାରବାର ଯୋଗୁଁ କୃଷି ସାମଗ୍ରୀ ସୂଚାରୁ ମୂଲ୍ୟରେ ବିକାକିଣା ହୋଇପାରିବ। ପ୍ରଶ୍ନ ଉଠେ ନୂଆ ନିୟମକୁ ବିରୋଧ କାହିଁକି ହେଉଛି? ପଞ୍ଜାବ, ହରିୟାନା, ରାଜସ୍ଥାନ ଭଳି ରାଜ୍ୟରେ ଏମ୍‌ଏସ୍‌ପି କାରବାରରେ ସ˚ଶ୍ଳିଷ୍ଟ ସ୍ଥାନୀୟ ଏଜେଣ୍ଟମାନେ (ଅଡ଼ତିଆ) ଆକର୍ଷଣୀୟ କମିସନ ପାଇଥାନ୍ତି। ପୁନଶ୍ଚ ଏଠାକାର ଅନେକ ବୃହତ୍‌ ଚାଷୀଙ୍କ ନିଜସ୍ବ ମିଲ୍‌ ଅଛି ଯେଉଁମାନେ ଏମ୍‌ଏସ୍‌ପିରେ ଶସ୍ୟ ବିକିବା ସହିତ ଏମ୍‌ଏସ୍‌ପିରୁ ସ˚ଗୃହୀତ ଶସ୍ୟକୁ ପେଷିବା ବାବଦରେ ମୋଟା ପାଉଣା ପାଇଥାନ୍ତି। ଫଳତଃ ଏହି ଗୋଷ୍ଠୀ ନୂଆ ପରିବର୍ତ୍ତନକୁ ବିରୋଧ କରିବା ସ୍ବାଭାବିକ। ଏମ୍‌ଏସ୍‌ପି ବ୍ୟବସ୍ଥାରେ କ୍ଷୁଦ୍ର ଚାଷୀଙ୍କ ଅପେକ୍ଷା ବୃହତ୍‌ ଚାଷୀମାନେ ବେଶୀ ଲାଭବାନ ହୋଇଥାନ୍ତି। ଭାରତରେ ୮୬% ପ୍ରତିଶତ ଚାଷୀଙ୍କ ପାଖରେ ଦୁଇ ହେକ୍ଟରରୁ କମ୍‌ ଜମି ଅଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଗତ ହୋଇନଥିବା ଜନସାଧାରଣ କିଭଳି ସୁଲଭ ମୂଲ୍ୟରେ କୃଷିଜାତ ସାମଗ୍ରୀ ପାଇପାରିବେ ତାହା ମଧୢ ସରକାରଙ୍କ ଦାୟିତ୍ବ। ନୂତନ ବ୍ୟବସ୍ଥାରେ ଏହା ସାକାର ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଦ୍ବିତୀୟ ପରିବର୍ତ୍ତନଟି ହେଉଛି କଣ୍ଟ୍ରାକ୍ଟ ଫାର୍ମି˚କୁ ବିଧିବଦ୍ଧ ସ୍ବୀକୃତି। ଏହି ବ୍ୟବସ୍ଥାରେ ଚାଷୀମାନେ ବ୍ୟବସାୟିକ ସ˚ସ୍ଥାମାନଙ୍କ ସହିତ ରାଜିନାମା ଜରିଆରେ ଉତ୍ପାଦିତ ଶସ୍ୟକୁ ଚୁକ୍ତି ହୋଇଥିବା ମୂଲ୍ୟରେ ବିକିପାରିବେ। ଉନ୍ନତ ଧରଣର ଶସ୍ୟ ତଥା ଉତ୍ପାଦକତା ବୃଦ୍ଧି ପାଇଁ କ୍ରେତା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ କ୍ଷୁଦ୍ର ଚାଷୀମାନେ ବିଶେଷ ଉପକୃତ ହେବେ। ଭାରତର କେତେକ ସ୍ଥାନରେ କଣ୍ଟ୍ରାକ୍ଟ ଫାର୍ମି˚ ଅନେକ ବର୍ଷ ଧରି ହୋଇଆସୁଛି। ପେପ୍‌ସି କମ୍ପାନି ଏହି ବ୍ୟବସ୍ଥାରେ ଉନ୍ନତ ମାନର ଆଳୁ, ଟମାଟୋ, ଲଙ୍କା, ବାସୁମତୀ ଚାଉଳ, ଚିନାବାଦାମ ଇତ୍ୟାଦି ପଞ୍ଜାବ, ମହାରାଷ୍ଟ୍ର, ଗୁଜୁରାଟର ଚାଷୀଙ୍କ ଠାରୁ କିଣିଥାଏ। କଣ୍ଟ୍ରାକ୍ଟ ଫାର୍ମି˚କୁ ବିଧିବଦ୍ଧ ଆଇନଗତ ସ୍ବୀକୃତି ମିଳିବା ଦ୍ବାରା ଏହି ବ୍ୟବସ୍ଥାର ସ˚ପ୍ରସାରଣ ହେବା ସହିତ ଚାଷୀମାନେ ଚାହିଦା ମୁତାବକ ଲାଭଜନକ ସାମଗ୍ରୀ ଚାଷ କରି ଅଧିକ ଆୟ ଅର୍ଜନ କରିପାରିବେ।

ତୃତୀୟ ପରିବର୍ତ୍ତନଟି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ, ୧୯୫୫ରେ କରାଯାଇଛି। ଏଣିକି ସରକାର କେବଳ ଯୁଦ୍ଧ, ଦୁର୍ଭିକ୍ଷ, ପ୍ରାକୃତିକ ବିପର୍ଯ୍ୟୟ ଏବ˚ ଅହେତୁକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ଅତ୍ୟାବଶ୍ୟକ ଦ୍ରବ୍ୟର ଷ୍ଟକ୍‌କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବେ। ଅହେତୁକ ମୂଲ୍ୟ ବୃଦ୍ଧିର ସ˚ଜ୍ଞା ମଧୢ ନିରୂପିତ ହୋଇଛି। ପଚନଶୀଳ ପନିପରିବା କ୍ଷେତ୍ରରେ ୧୦୦% ମୂଲ୍ୟବୃଦ୍ଧି ଏବ˚ ଚାଉଳ, ଡାଲି ଭଳି ଅପଚନଶୀଳ ଖାଦ୍ୟ ଶସ୍ୟ କ୍ଷେତ୍ରରେ ୫୦% ମୂଲ୍ୟବୃଦ୍ଧିକୁ ଅହେତୁକ ମୂଲ୍ୟବୃଦ୍ଧି କୁହାଯିବ। ମୂଲ୍ୟବୃଦ୍ଧି ନିର୍ଦ୍ଧାରଣ ଗତ ବାରମାସର ମୂଲ୍ୟ ଓ ଗତ ପାଞ୍ଚ ବର୍ଷର ହାରାହାରି ମୂଲ୍ୟ, ଯେଉଁଟି କମ୍‌ ତାହା ଭିତ୍ତିରେ କରାଯିବ। ଭାରତୀୟ ଚାଷୀମାନେ ସାଧାରଣତଃ ଅମଳ ହେଲା ପରେ କୃଷିଜାତ ସାମଗ୍ରୀକୁ ବିକି ଦେଇଥାନ୍ତି। ତେଣୁ ବ୍ୟବସାୟୀମାନେ ଯଦି କୃଷିଜାତ ସାମଗ୍ରୀକୁ ଗଚ୍ଛିତ କରି ବର୍ଷ ତମାମ ଉଚିତ ମୂଲ୍ୟରେ ଯୋଗାଇବେ, ତେବେ ସେଥିପାଇଁ କୌଣସି ପ୍ରତିବନ୍ଧ ରହିବା ଉଚିତ୍‌ ନୁହେଁ। ଫେବ୍ରୁଆରି ୨୦୧୭ରେ କିଲୋପିଛା ଟମାଟୋ ମୂଲ୍ୟ ହ୍ରାସ ପାଇ ଟଙ୍କାଟିଏ ହୋଇଯାଇଥିଲା, ଯେଉଁଥିପାଇଁ କେନ୍ଦୁଝରର ‌ଅନେକ ଚାଷୀ ରାଜ ରାସ୍ତାରେ ଉତ୍ପାଦିତ ଟମାଟୋ ଢାଳି ଦେଇ ନିଜ ରୋଷ ପ୍ରକଟ କରିଥିଲେ। ଏହାର କିଛି ମାସ ପରେ ଜୁଲାଇ ୨୦୧୭ରେ ରାଜଧାନୀ ଭୁବନେଶ୍ବରରେ ଟମାଟୋ ମୂଲ୍ୟ ଶହେ ଟଙ୍କାରୁ ଅଧିକ ହୋଇଯାଇଥିଲା। ସରକାରଙ୍କ ଦ୍ବାରା ଏପରି ସମସ୍ୟାର ସମାଧାନ ଆଶା କରିବା ବୃଥା ହେବ। ଭିତ୍ତିଭୂମି ସୁବିଧା ଥିବା ମଣ୍ଡି ସ୍ଥାପନ ସହିତ ମୁକ୍ତ କାରବାର ଓ କଣ୍ଟ୍ରାକ୍ଟ ଫାର୍ମିଂକୁ ଯଦି ପ୍ରୋତ୍ସାହିତ କରାଯାଏ ତେବେ ଖେତରୁ ଖାଉଟି ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେବେ।

କୃଷି ସ˚ଶ୍ଳିଷ୍ଟ ଭିତ୍ତିଭୂମିର ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବିନିଯୋଗ ହେବ ବୋଲି କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ପଡ଼ିବ। ଅସ୍ଥିର ଅର୍ଥନୀତିକୁ ଦୃଢ଼ କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ କାମ କରିବାକୁ ପଡ଼ିବ। ଜମି ଅଧିଗ୍ରହଣ କ୍ଷେତ୍ରରେ ରାଜ୍ୟ ସରକାରମାନେ ସକାରାତ୍ମକ ଭୂମିକା ଗ୍ରହଣ କରିବା ଆବଶ୍ୟକ। କେନ୍ଦ୍ର ସରକାର ଟିକସ ଆଇନରେ ପ୍ରଶାସନିକ ସ˚ସ୍କାର ଆଣିବାକୁ ପଡ଼ିବ ଯାହାଦ୍ବାରା ଭାରତର ‘ଟ୍ୟାକ୍‌ସ ଟେରୋରିଜମ୍‌’ ଆଖ୍ୟାକୁ ହଟାଇପାରିବ। ଭୋଡ଼ାଫୋନ ଟିକସ ବିବାଦରେ ଦି ହେଗ୍‌ସ୍ଥିତ ଆନ୍ତଃ ରାଷ୍ଟ୍ରୀୟ ନ୍ୟାୟାଳୟ ଭାରତ ସରକାରଙ୍କ ନିଷ୍ପତ୍ତି ନ୍ୟାୟସଙ୍ଗତ ନୁହେଁ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଥିଲେ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହୁଏ, ସେଥିପାଇଁ ସରକାର ସଚେତନ ହେବାକୁ ପଡ଼ିବ।

ମୋ: ୯୮୮୬୨୧୧୭୭୨
[email protected]

ସମ୍ବନ୍ଧିତ ଖବର