ଶାନ୍ତି ଲାଗି ନୋବେଲ ପୁରସ୍କାର : କ୍ଷୁଧା ଦୂରୀକରଣ ଅଭିଯାନକୁ ସ୍ୱୀକୃତି

ବିଜନ କୁମାର ମହାପାତ୍ର

ଜାତିସ˚ଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ-‘ଡବ୍ଲ୍ୟୁ.ଏଫ୍‌.ପି.’କୁ ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦୁନିଆରେ କ୍ଷୁଧା ବିରୋଧରେ ଅହରହ ଲଢ଼େଇ ପାଇଁ ଏହି କାର୍ଯ୍ୟକ୍ରମ ବା ପ୍ରୋଗ୍ରାମକୁ ଏଭଳି ସମ୍ମାନିତ କରାଯାଇଛି। ବିଶ୍ବର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ କ୍ଷୁଧାକୁ ଯେପରି ଅସ୍ତ୍ର ରୂପେ ବ୍ୟବହାର କରା ନ ଯାଏ, ସେଥି ଲାଗି ଗତ ୬ ଦଶକ ଧରି ଏହି ପ୍ରୋଗ୍ରାମ ଜରିଆରେ ଅକ୍ଳାନ୍ତ ପରିଶ୍ରମ ଜାରି ରହିଛି। ତେଣୁ କୁହାଯାଉଛି ଯେ ବିଳମ୍ବରେ ହେଲେ ମଧୢ ଜାତିସଂଘର ଏହି ‘ପ୍ରୋଗ୍ରାମ’କୁ ଏଭଳି ଏକ ସ‌େର୍ବାଚ୍ଚ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସ˚ପ୍ରତି ବିଶ୍ବରେ ଦୁର୍ବଳ, ବିସ୍ଥାପିତ ଓ ଶରଣାର୍ଥୀଙ୍କୁ ଖାଦ୍ୟ ଯୋଗାଣ ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ଦିଗରେ ଏହି ପ୍ରୋଗ୍ରାମର ଅବଦାନକୁ ଆଦୌ ଅଣଦେଖା କରାଯାଇ ନ ପାରେ।

ଜାତିସଂଘର ଏହି ପ୍ରୋଗ୍ରାମ ଜରିଆରେ ଅସହାୟ ଓ ଦରିଦ୍ରଙ୍କୁ ଖାଦ୍ୟ ସହାୟତା ଦିଆଯାଏ। ମିଳିତ ଜାତିସ˚ଘର ଶୈଶବ ଅବସ୍ଥାରେ ହିଁ ଏହି ‘ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ’ର ପରିକଳ୍ପନା କରାଯାଇଥିଲା। ଜାତିସ˚ଘ ବ୍ୟବସ୍ଥା ଜରିଆରେ ବୁଭୁକ୍ଷୁଙ୍କୁ ଖାଦ୍ୟ ସହାୟତା ଯୋଗାଇବା ପାଇଁ ପରୀକ୍ଷାମୂଳକ ଭାବେ ୧୯୬୧ ମସିହାରେ ଏହାର ପ୍ରତିଷ୍ଠା କରାଯାଇଥିଲା। ସେତେବେଳର ଆମେରିକା ରାଷ୍ଟ୍ରପତି ଡ୍ବିଟ୍‌ ଆଇଜନହୋୟାରଙ୍କ ପ୍ରସ୍ତାବ ଓ ପରାମର୍ଶ ଥିଲା ଏଭଳି ଏକ ଏଜେନ୍‌ସିର ସ୍ଥାପନା ପଛର କାରଣ। ତିନି ବର୍ଷ ମଧୢରେ ଏହାର କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ, ପ୍ରତିଷ୍ଠା ହେବାର ମାତ୍ର କେଇ ମାସ ପରେ ଏହା ପ୍ରଥମ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲା। ୧୯୬୨ ମସିହା ସେପ୍‌ଟେମ୍ବରରେ ଉତ୍ତର ଇରାନରେ ଭୟାବହ ଭୂମିକ˚ପ ହେଲା। ଏଥିରେ ପ୍ରାଣ ହରାଇଥିଲେ ୧୨ ହଜାର ସରିକି ଲୋକ। ହଜାର ହଜାର ଘର ଧୂଳିସାତ୍‌ ହୋଇଗଲା। ଭୂକ˚ପ ପୀଡ଼ିତଙ୍କୁ ଖାଦ୍ୟ ସହାୟତା ଯୋଗାଇବା ଥିଲା ଏହି ଅନୁଷ୍ଠାନ ପାଇଁ ପ୍ରଥମ ବଡ଼ ଚ୍ୟାଲେଞ୍ଜ। ଭୂକ˚ପ ପୀଡ଼ିତଙ୍କ ପାଇଁ ତୁରନ୍ତ ୧ ହଜାର ୫ ଶହ ମେଟ୍ରିକ ଟନ୍‌ ଓଜନର ଗହମ, ୨୭୦ ଟନ୍‌ ଓଜନର ଚିନି ଓ ୨୭ ଟନ୍‌ ଓଜନର ଚା’ ଗୁଣ୍ତ ଯୋଗାଇବାରେ ଜାତିସ˚ଘର ଏହି ନବ ଗଠିତ ସ˚ସ୍ଥା ସଫଳ ‌ହେଲା। ଏହା ପରେ ବିଶ୍ବର ଆଉ କିଛି ଦେଶରେ ମଧ୍ୟ ଜରୁରୀ ପରିସ୍ଥିତିରେ ଏହି ସଂସ୍ଥା ଖାଦ୍ୟ ଯୋଗାଇବାରେ ସଫଳ ହେଲା। ୧୯୬୫ରେ ଏହା ଜାତିସ˚ଘର ଏକ ସ୍ଥାୟୀ ଏଜେନ୍‌ସି ଭାବେ ମାନ୍ୟତା ପାଇଲା।

ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ଜରୁରୀ ପରିସ୍ଥିତିରେ ଏହି ଅନୁଷ୍ଠାନ ଖାଦ୍ୟାଭାବ ସମସ୍ୟାର ମୁକାବିଲାରେ ସହାୟକ ହୋଇଛି। ଭୟଙ୍କର ଗୃହଯୁଦ୍ଧ ଓ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ସୁଦାନର ଭୋକିଲାଙ୍କ ପାଇଁ ୧୯୮୯ରେ ଏହି ଏଜେନ୍‌ସି ଦ୍ବାରା ପରିଚାଳିତ ‘ଅପରେସନ ଲାଇଫ୍‌ଲାଇନ୍‌’କୁ ଏକ ଯୁଗାନ୍ତକାରୀ ମାନବିକ ସହାୟତା ଅଭିଯାନ ଭାବେ ବିବେଚନା କରାଯାଏ। ଏହି ଅଭିଯାନ ଜରିଆରେ ୨୦ଟି ପରିବହନ ବିମାନ ଦିନକୁ ତିନି ଥର ଲେଖାଏଁ ଉଡ଼ାଣ କରି ସୁଦାନରେ ୧.୫ ନିୟୁତ ଟନ୍‌ ଖାଦ୍ୟସାମଗ୍ରୀ ପହଞ୍ଚାଇଥିଲା। ଗତ ବର୍ଷ ବିଶ୍ବର ୮୮ଟି ଦେଶରେ ୯୭ ନିୟୁତ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଥିଲା।।

ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଏହି ଏଜେନ୍‌ସି ପାଖରେ ରହିଛି ୫ ହଜାର ୬ ଶହ ଟ୍ରକ୍‌, ୩୦ଟି ଜାହାଜ ଏବଂ ପାଖାପାଖି ୧୦୦ଟି ବିମାନ।

ବିଭିନ୍ନ ଦେଶର ସରକାର ଯୋଗାଉଥିବା ଅନୁଦାନ ଉପରେ ହିଁ ଏହି ସ˚ଗଠନ ନିର୍ଭର କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି ଓ ବ୍ରିଟେନରୁ ଏହା ସର୍ବାଧିକ ପରିମାଣର ଅନୁଦାନ ପାଇଥାଏ। ବିଭିନ୍ନ କର୍ପୋରେସନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ମଧ୍ୟ ଏହା ଅନୁଦାନ ପାଏ। ଏହି ସ˚ସ୍ଥା ୩୬ ଜଣିଆ ‘ଏକ୍‌ଜିକ୍ୟୁଟିଭ ବୋର୍ଡ’ ଦ୍ବାରା ପରିଚାଳିତ। ଏହି ସ˚ସ୍ଥାରେ ୯୦ ହଜାର କର୍ମଚାରୀ କାର୍ଯ୍ୟ କରନ୍ତି। ଏମାନଙ୍କ ମଧୢରୁ ୯୦% କର୍ମଚାରୀ ସହାୟତା ଲାଭ କରୁଥିବା ଦେଶଗୁଡ଼ିକରେ ଅବସ୍ଥାପିତ ହୋଇଛନ୍ତି।

ଖାଦ୍ୟ ସୁରକ୍ଷା ଓ ପୋଷଣର ପ୍ରସାର କରି ବିଶ୍ବରେ ଶାନ୍ତି ଓ ସ୍ଥିରତାର ସମ୍ଭାବନା ସୃଷ୍ଟି କରିବା ହେଉଛି ଏହି ସ˚ସ୍ଥାର ମୂଳ ଲକ୍ଷ୍ୟ। ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ପ୍ରକଳ୍ପରେ ଏହି ସଂସ୍ଥା ସ˚ପୃକ୍ତ ଅଛି। ବର୍ତ୍ତମାନ ବୃହତ୍‌ ମାନବୀୟ ସ˚କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ର- ୟେମେନ ଓ ଦକ୍ଷିଣ ସୁଦାନରେ କ୍ଷୁଧାର୍ତ୍ତ ଲୋକଙ୍କ ସହାୟତା କାର୍ଯ୍ୟରେ ଏହା ସ˚ପୃକ୍ତ ଅଛି। ଏହା ଗୃହଯୁଦ୍ଧଗ୍ରସ୍ତ ୟେମେନର ୧୩ ନିୟୁତ ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇ ଦେଉଛି। ତେବେ, ଏଥିପାଇଁ ଏହାକୁ ଅନେକ ବାଧାବିଘ୍ନର ସାମ‌୍ନା କରିବାକୁ ପଡ଼ିଛି। ଦୁର୍ବଳ ଭିତ୍ତିଭୂମି, ପାଣ୍ଠିରେ ସଂକୋଚନ ତଥା ଏକ ସୀମିତ ଅ˚ଚଳରେ କାର୍ଯ୍ୟ କରିବାକୁ ଅନୁମତି ଏହି ଅନୁଷ୍ଠାନକୁ ତାର ସଂପୂର୍ଣ୍ଣ ସାମର୍ଥ୍ୟ ପ୍ରତିପାଦନ କରିବାକୁ ଦେଉନାହିଁ। ୟେମେନରେ ବିଭିନ୍ନ ସ˚ଘର୍ଷରତ ଗୋଷ୍ଠୀ ଏହି ସ˚ସ୍ଥାର କାର୍ଯ୍ୟରେ ବାଧା ପହଞ୍ଚାଉଛନ୍ତି। ତେବେ ସେଠାରେ କ୍ଷୁଧାର୍ତ୍ତଙ୍କୁ ୨୦୨୧ ମାର୍ଚ୍ଚ ଯାଏଁ ନିରବଚ୍ଛିନ୍ନ ଖାଦ୍ୟ ସହାୟତା ନିଶ୍ଚିତ କରିବାକୁ ଏହି ସଂସ୍ଥା ତାର ଉଦ୍ୟମ ଜାରି ରଖିଛି।

ସେମିତି ଦକ୍ଷିଣ ସୁଦାନରେ ମଧୢ ଏହି ସ˚ସ୍ଥା ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ୨୦୧୧ରେ ସୁଦାନଠାରୁ ସ୍ବାଧୀନତା ହାସଲ କଲା ପରେ ଦକ୍ଷିଣ ସୁଦାନ ନିରନ୍ତର ଜାତିଆଣ ହି˚ସାର ସାମନା କରିବା ସହିତ କ୍ଷୁଧା ଓ ଦାରିଦ୍ର୍ୟ ଭିତରେ ଘାଣ୍ଟି ହେଉଛି। ଦକ୍ଷିଣ ସୁଦାନର ୬୦% ଲୋକ (୭ ନିୟୁତ) ପ୍ରତି ଦିନ ପେଟପୂରା ଖାଦ୍ୟ ପାଇଁ ସ˚ଘର୍ଷ କରୁଛନ୍ତି ବୋଲି ‘ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ’ ପକ୍ଷରୁ କୁହାଯାଇଛି।

ଏମିତି ଅନେକ ଦେଶରେ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିବା ସ‌େତ୍ତ୍ବ ଏହି ଅନୁଷ୍ଠାନ ସଫଳତାର ସହ ଖାଦ୍ୟ ସହାୟତା କାର୍ଯ୍ୟ କରି ଚାଲିଛି। ତେବେ ବିଡ଼ମ୍ବନା ହେଲା, ସଫଳତା ସତ୍ତ୍ବେ ଏହି ସଂସ୍ଥାକୁ ଅନୁଦାନ ହ୍ରାସ ପାଉଛି ଯାହା ଏହାର କାର୍ଯ୍ୟରେ ପ୍ରତିବନ୍ଧ ସୃଷ୍ଟି କରୁଛି। ସଂପ୍ରତି କୋଭିଡ ମହାମାରୀ କାଳରେ ଆହୁରି ଅଧିକ ଆହ୍ବାନର ସମ୍ମୁଖୀନ ହୋଇଛି ଜାତିସ˚ଘର ଏହି ଏଜେନ୍‌ସି। ଭାଇରସ୍‌ ନିୟନ୍ତ୍ରଣ ପାଇଁ ଦେଶଗୁଡ଼ିକ ନିଜ ନିଜର ସୀମା ସିଲ୍‌ କରିଦେଇଥିବାରୁ ଏହି ସଂସ୍ଥା ଅନେକ ସମସ୍ୟାର ସାମ୍‌ନା କରୁଛି। ତେବେ କରୋନା କାଳରେ ଏହି ସଂସ୍ଥା ଠାରେ ଉପଲବ୍‌ଧ ବ୍ୟବସ୍ଥା ଦ୍ବାରା ୧୨୦ରୁ ଅଧିକ ଦେଶକୁ ବିମାନଯୋଗେ ଚିକିତ୍ସା ସାମଗ୍ରୀ ପଠାଯାଇଛି।

ବିଶ୍ବରୁ କ୍ଷୁଧା ଦୂର ପାଇଁ ଉଦ୍ୟମରେ ଏହି ସଂସ୍ଥାର ଅବଦାନ ଅତ୍ୟନ୍ତ ଉଦାହରଣୀୟ। ସୁତରାଂ ନୋବେଲ ପୁରସ୍କାର ଏହାର ପ୍ରାପ୍ୟ।

ଚାଣକ୍ୟ ନଗର, ଲା˚ଜିପଲ୍ଲୀ,ବ୍ରହ୍ମପୁର- ୭୬୦୦୦୮
ମୋ-୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର