ତ୍ରିନିଦାଦ ଓ ଟବାଗୋ : କ୍ରୀତଦାସ, ଗୋତି ଶ୍ରମିକଙ୍କ ଲହୁ ଓ ଲୁହରେ ଗଢ଼ା

ଦେଶବିଦେଶ - ଅରୁଣ କୁମାର ସାହୁ

ବହୁତ ବର୍ଷ ପରେ ନୂଆ ବର୍ଷର ପ୍ରଥମ ସପ୍ତାହରେ ଟେବୁଲ ଉପରେ ହିମା˚ଶୁ ଶେଖର ଦାସଙ୍କ ପ୍ରେରିତ ନୀଳ ଏରୋଗ୍ରାମ୍‌ ଚିଠି ଦେଖିବାକୁ ପାଇ ଗଭୀର ଭାବେ ଆଶ୍ବସ୍ତ ହେଲି ଯେ ଆଧୁନିକ ଯୋଗାଯୋଗ ମାଧୢମର କୋଳାହଳ ଭିତରେ ହାତ ଲେଖା ଚିଠି ସ˚ପୂର୍ଣ୍ଣ ରୂପେ ହଜି ଯାଇନି। ଗଲା ଅକ୍ଟୋବର ଶେଷ ସପ୍ତାହରେ ଲିଖିତ ଏ ଚିଠି ଦି ମାସରୁ ଅଧିକ କାଳ ଧରି ପହଣ୍ତି ବିଜୟ କଲା ପରେ ଆସି ପହଞ୍ଚିଛି ଏଠି।

ଗତ ସେପ୍‌ଟେମ୍ବରରେ ‘ସମ୍ବାଦ’ରେ ପ୍ରକାଶିତ ମୋ ଦ୍ବାରା ଲିଖିତ ‘ତ୍ରିନିଦାଦ -ଟବାଗୋ, କ୍ରିକେଟ ଓ କାଲିପସୋ’ ପଢ଼ିବା ପରେ ପାଠକୀୟ ପ୍ରତିକ୍ରିୟାର ଏ ଚିଠି। ତ୍ରିନିଦାଦ ଓ ଟବାଗୋ ବିଷୟରେ ଆହୁରି ଅଧିକ ଜାଣିବାକୁ ଇଚ୍ଛା ରଖି କିଛି ସରଳ ପ୍ରଶ୍ନ କରିଥିଲେ ସେ, ଯାହାର ସିଧା ସଳଖ ଉତ୍ତର ଦେବା ଏତେ ସହଜ ନୁହେଁ। ତେବେ ତହିଁରୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବାର ପ୍ରୟାସ ଆଜି । ପ୍ରଶ୍ନଟି ଥିଲା, ‘ତ୍ରିନିଦାଦ ଓ ଟବାଗୋ କେତେ ପୁରୁଣା?’

ତ୍ରିନିଦାଦର ସର୍ବ ପୁରାତନ ବାସିନ୍ଦା ହେଲେ ଆମେରିଣ୍ତିଆନ ବା ଆମେରିକାନ ଇଣ୍ତିଆନ। ଉଭୟ ଉତ୍ତର ଓ ଦକ୍ଷିଣ ଆମେରିକା ଭୂଖଣ୍ତର ଏମାନେ ଆଦିମ ଅଧିବାସୀ। କିଛି ଐତିହାସିକଙ୍କ ମତରେ ପ୍ରାୟ ତିରିଶ ହଜାର ବର୍ଷ ପୂର୍ବେ ଏମାନେ ସାଇବେରିଆରୁ ବେରିଙ୍ଗ ପ୍ରଣାଳୀ ହୋଇ ଉତ୍ତର ଆମେରିକାର ଆଲାସ୍କା ଅଞ୍ଚଳକୁ ଆସିଥିଲେ। ସେମାନେ ଶିକାର କରୁଥିଲେ ବା ଫଳମୂଳ ଖାଇ ଜୀବନ ଯାପନ କରୁଥିଲେ। ପ୍ରାୟ ସାତ ହଜାର ବର୍ଷ ତଳେ କିଛି ଆମେରିଣ୍ତିଆନ ତ୍ରିନିଦାଦ ଭୂଖଣ୍ତରେ ବସତି ଆରମ୍ଭ କରିଥିଲେ। ତ୍ରିନିଦାଦର ଦକ୍ଷିଣ ପଶ୍ଚିମରେ ବନଵାରୀ ବସତି ଗଢ଼ି ଉଠିଥିଲା। ଏମାନେ ପ୍ରସ୍ତର ଯୁଗୀୟ ଥିଲେ। ପରେ ପ୍ରାୟ ୨୦୦୦ରୁ ୨୫୦୦ ବର୍ଷ ତଳେ ଆଜିକାର ଭେନେଜୁଏଲାରୁ କିଛି ଲୋକ ଆସି ବସବାସ ଆରମ୍ଭ କଲେ ଯେଉଁମାନେ ଚାଷ କରିବାର କୌଶଳ ଜାଣିଥିଲେ। ଏମାନେ ମାଟିପାତ୍ରର ବ୍ୟବହାର ଜାଣିଥିଲେ ଏବ˚ ଅସ୍ତ୍ରଶସ୍ତ୍ର ଭାବେ ଧନୁ ଓ ଶର ବ୍ୟବହାର କରୁଥିଲେ। ସେମାନେ ବସ୍ତ୍ର ବୁଣିବା ଓ ନୌକା ତିଆରି କରିବା ମଧୢ ଜାଣିଥିଲେ। ଏଇ ଜାତି ତ୍ରିନିଦାଦ, ଟବାଗୋ, ଗାୟନା ଇତ୍ୟାଦି ଦ୍ବୀପଗୁଡ଼ିକରେ ବସବାସ କଲେ ଏବ˚ ସମୁଦ୍ର ପଥରେ ବାଣିଜ୍ୟ କଲେ।

୧୪୯୮ ମସିହାରେ ଏଠାରେ କଲମ୍ବସଙ୍କ ଆଗମନ ହେଲା। ତାଙ୍କ ବିବରଣୀ ଅନୁସାରେ ସେତେବେଳେ ସେଠାରେ ବିଭିନ୍ନ ଭାଷା ଭିତ୍ତିକ ଗୋଷ୍ଠୀ ଥିଲେ, ଲୁଗା ତଥା ସୁନା ଓ ମୋତିର ଅଳଙ୍କାର ବ୍ୟବହାର ଜାଣିଥିଲେ। ଅନେକ ସମୟରେ ଏମାନେ ଗୋଷ୍ଠୀ କନ୍ଦଳରେ ଲିପ୍ତ ରହୁଥିଲେ। ଏହାର ପ୍ରାୟ ଶହେ ବର୍ଷ ପରେ ୧୫୯୨ ମସିହାରେ ସ୍ପେନ୍‌ର ବାସିନ୍ଦା ଏଠିକି ଆସି ଶାସନ ଆରମ୍ଭ କଲେ। ସ୍ପେନୀୟ ଉପନିବେଶ ସମୟରେ ହିଁ ବିଭିନ୍ନ ଯୁଦ୍ଧରେ ଅନେକ ଆମେରିଣ୍ତିଆନ ଜନଜାତି ମୃତ୍ୟୁବରଣ କଲେ। ଅନ୍ୟ କେତେକ କ୍ରୀତଦାସ ହେଲେ। ୧୭୯୩ ମସିହା ବେଳକୁ ତ୍ରିନିଦାଦ ପୂରାପୂରି ଭାବେ ସ୍ପେନୀୟ ଉପନିବେଶରେ ପରିଣତ ହୋଇଗଲା। ସ୍ପେନୀୟ ଭାଷା ଏବ˚ ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର ହେଲା। ଏହି ସମୟରେ ପ୍ରଚୁର କୋକୋ ଚାଷ ହେଉଥିଲା, ଯାହା ପରବର୍ତ୍ତୀ ସମୟରେ ଲୁପ୍ତ ହୋଇଗଲା। ଏବେ ବଡ଼ଦିନ ସମୟରେ ସାରା ତ୍ରିନିଦାଦ ଓ ଟବାଗୋ ପରାଙ୍ଗ ନାମକ ସ˚ଗୀତରେ ମଧୁମୟ ହୋଇଉଠେ। ଏହି ଗୀତରେ ଯୀଶୁଖ୍ରୀଷ୍ଟଙ୍କ କାହାଣୀ ଅଭିବ୍ୟକ୍ତି ପାଏ।

୧୭୭୬ରେ ସ୍ପେନର ରାଜା ତ୍ରିନିଦାଦକୁ ଫରାସୀ ଓ ଇ˚ରେଜ ଜମିଦାର ଗୋଷ୍ଠୀର ଲୋକଙ୍କୁ ଆସିବାର ଅନୁମତି ଦେଲେ। ସେମାନେ ଆସି ଏଠାରେ ବ୍ୟବସାୟ ଆରମ୍ଭ କଲେ। ସେମାନଙ୍କ ସହିତ ଆସିଲେ ଅନେକ ଆଫ୍ରିକୀୟ କ୍ରୀତଦାସ, କଳା ଗୋରା ମିଶ୍ରିତ ଶ୍ରମିକ ଓ ଚାଷୀ। ସେମାନେ କୋକୋ, କଫି, କପା ଚାଷରେ ଖଟିଲେ ଓ ଚିନି କାରଖାନାରେ କାମ କଲେ। କପା ଓ ଆଖୁ କ୍ରମେ ତ୍ରିନିଦାଦର ମୁଖ୍ୟ ଚାଷ ହୋଇ ଉଠିଲା। ୧୭୮୪ ବେଳକୁ ପୋର୍ଟ ଅଫ ସ୍ପେନ (ବର୍ତ୍ତମାନର ରାଜଧାନୀ) ତ୍ରିନିଦାଦର ମୁଖ୍ୟ ବନ୍ଦରରେ ପରିଣତ ହେଲା। ବ୍ୟବସାୟ ବଢ଼ିବା ସହିତ ପଶ୍ଚିମ ଆଫ୍ରିକୀୟ କ୍ରୀତଦାସଙ୍କ ସ˚ଖ୍ୟା ମଧୢ ବଢ଼ିଲା ।

ଏମିତି ହୋଇ ୧୭୯୭ ମସିହାରେ ତ୍ରିନିଦାଦ ସ˚ପୂର୍ଣ୍ଣ ଭାବେ ବ୍ରିଟେନ କବଳକୁ ଆସିଗଲା। ସେଇ ଦିନଠୁ ୧୯୬୨ ମସିହା ପର୍ଯ୍ୟନ୍ତ ଏହା ବ୍ରିଟିସ ସାମ୍ରାଜ୍ୟ ଅଧୀନରେ ରହିଲା। ଏହି ସମୟରେ ଆଖୁଚାଷ ଓ ଚିନି କାରଖାନାର ବହୁଳ ନିସ୍ତାର ହେଲା। ୧୭୯୭ରୁ ୧୮୦୭ ପର୍ଯ୍ୟନ୍ତ ବ୍ରିଟିସ ଶାସିତ ଆଫ୍ରିକାରୁ ଅନେକ କ୍ରୀତଦାସ ତ୍ରିନିଦାଦକୁ ଅଣାଗଲେ। ତେବେ, ୧୮୦୮ରେ କ୍ରୀତଦାସ ପ୍ରଥା ବନ୍ଦ ହେବାରୁ ୧୮୩୮ରେ ବ୍ରିଟେନ ସରକାର ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ କଲେ। ଏଣୁ ଶ୍ରମିକ ଅଭାବରୁ ଉଭୟ ଚାଷ ଓ ଶିଳ୍ପ କ୍ଷତିଗ୍ରସ୍ତ ହେଲେ।

୧୮୪୫ରେ ଫାତ-ଅଲ-ରଜାକ ନାମକ କଲିକତାରୁ ବାହାରିଥିବା ଏକ ଜାହାଜ ପ୍ରଥମେ ୨୨୫ ଜଣ ଗୋତି ଶ୍ରମିକଙ୍କୁ ନେଇ ତ୍ରିନିଦାଦ ‘ଗଲ୍‌ଫ ଅଫ ପରିଆ’ରେ ପହଞ୍ଚିଲା। ସେଇ ଠାରୁ ଆରମ୍ଭ ହେଲା ଏହି ଦ୍ବୀପ ରାଷ୍ଟ୍ରକୁ ଭାରତୀୟଙ୍କ ଯାତ୍ରା। ୧୮୪୫ରୁ ୧୯୧୭ ପର୍ଯ୍ୟନ୍ତ ବିଭିନ୍ନ ଜାହାଜରେ ୧,୪୨,୯୩୯ ଜଣ ଶ୍ରମିକ ଭାରତରୁ ଆସି ତ୍ରିନିଦାଦରେ ପହଞ୍ଚି ସାରିଥିଲେ। ସେମାନେ ଆଖୁ କିଆରି ଏବ˚ ଚିନି କାରଖାନାରେ କାମ କଲେ। ଏହି ସମୟରେ ହୋଇଥିବା ଶ୍ରମ ଚୁକ୍ତି ଅନୁସାରେ ଭାରତୀୟମାନଙ୍କ ସାମନାରେ ତିନିଟି ରାସ୍ତା ଥିଲା- ଭାରତ ଫେରିଯିବା ବା ତ୍ରିନିଦାଦରେ ରହି ଚାଷବାସ କରି ରହିଯିବା ଅଥବା ଗୋତି ଶ୍ରମିକ ହୋଇ ଆହୁରି କିଛି ବର୍ଷ କାମ କରିବା। ସମ୍ବଳର ଅଭାବ ତଥା କଳା ପାଣି (ସମୁଦ୍ର) ଡେଇଁ ଥିବା ହେତୁ ସାମାଜିକ ବାସନ୍ଦର ଭୟ ହେତୁ ଅଧିକା˚ଶ ଭାରତୀୟ ଏଠି ନୂଆ ଜୀବନ ଆରମ୍ଭ କରି ରହିଗଲେ। ଆଜି ଏମାନଙ୍କ ଉତ୍ତର ପିଢ଼ି ତ୍ରିନିଦାଦ ଓ ଟବାଗୋ ସମାଜର ଏକ ଅବିଛେଦ୍ୟ ଅଙ୍ଗ। ଏମାନଙ୍କ ସ˚ଖ୍ୟା ୪୩% ଯାହାଙ୍କ ଭିତରୁ ପ୍ରାୟ ୧୯% ହିନ୍ଦୁ ଓ ବାକି ମୁସଲିମ, ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀ।

ତ୍ରିନିଦାଦରୁ ଉତ୍ତର ପୂର୍ବକୁ ୩୫ କିଲୋମିଟର ଦୂରରେ ଟବାଗୋ ଦ୍ବୀପ; ଉଡାଜାହାଜରେ ଯାତ୍ରା ଲାଗେ ପନ୍ଦର ମିନିଟ ଓ ଜଳ ଜାହାଜରେ ଲାଗେ ଦୁଇ ଘଣ୍ଟା। ଏ ଦ୍ବୀପରେ ପ୍ରାୟ ୬୦ ହଜାର ସରିକି ବାସିନ୍ଦା ମୁଖ୍ୟତଃ ଆଫ୍ରିକୀୟ କ୍ରୀତଦାସ ବ˚ଶୋଦ୍ଭବ। ଟବାଗୋରେ କେବେ ହେଲେ ଭାରତୀୟ ଶ୍ରମିକବାହୀ ଜାହାଜ ଲାଗି ନ ଥିଲା। ତେଣୁ ଏଠାରେ ଭାରତୀୟ ବ˚ଶଜ ଗୋତି ଶ୍ରମିକଙ୍କ ସ˚ଖ୍ୟା ଖୁବ୍‌ କମ୍‌। ତେବେ ଗତ ପଚାଶ ବର୍ଷ ଭିତରେ ତ୍ରିନିଦାଦରୁ ଆସୁଥିବା ଭାରତୀୟଙ୍କ ସ˚ଖ୍ୟା ବଢ଼ିଛି। ଅଷ୍ଟାଦଶ ଶତାବ୍ଦୀରେ ଟବାଗୋ କପା, ଚିନି, ଇଣ୍ତିଗୋ ଓ ରମ ଚାଷ ଓ ବ୍ୟବସାୟର ଅନ୍ୟତମ କେନ୍ଦ୍ର ଥିଲା। ୧୮୮୯ରେ ଏହା ତ୍ରିନିଦାଦର ଅନ୍ୟ ଏକ ଅଙ୍ଗ ହୋଇ ପରବର୍ତ୍ତୀ କାଳରେ ତ୍ରିନିଦାଦ ଓ ଟବାଗୋ ନାମକ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପାଇଲା।

କାରିବୀୟ ଅ˚ଚଳର ଚାରିଟି ଦେଶ ତ୍ରିନିଦାଦ ଓ ଟବାଗୋ, ଗାୟନା, ସୁରିନାମ ଓ ଜାମାଇକା: କ୍ରୀତଦାସ ଓ ଗୋତି ଶ୍ରମିକଙ୍କ ଲହୁ ଓ ଲୁହରେ ଗଢ଼ା। ଏ ଦେଶର ଇତିହାସ ଓ କାହାଣୀ ଏକାଧାରରେ କରୁଣ ଓ ଜୀବନ୍ତ। ଏକ ବଡ଼ କଥା ହେଲା, ଗତ ପଚାଶ ବର୍ଷ ଭିତରେ ଏ ଦେଶଗୁଡ଼ିକ ଅପୂର୍ବ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ସଫଳତା ହାସଲ କରିପାରିଛନ୍ତି।

ରାଷ୍ଟ୍ରଦୂତ
ତ୍ରିନିଦାଦ ଓ ଟବାଗୋ

ସମ୍ବନ୍ଧିତ ଖବର