ନିଜ ଜୀବନ ସାଥୀଙ୍କୁ କେତେ ବୁଝନ୍ତି?

ମନ ପରିଭାଷା - ଫକୀର ମୋହନ ସାହୁ

ଆପଣ ନିଜ ପତି ବା ପତ୍ନୀଙ୍କୁ କେତେ ଜାଣନ୍ତି? ତାଙ୍କ ବନ୍ଧୁଙ୍କ (ବା ବାନ୍ଧବୀ) ନାମ କହିପାରିବେ କି? ବର୍ତ୍ତମାନ କି ପ୍ରକାର ମାନସିକ ଚାପ ତାଙ୍କୁ ବ୍ୟଥିତ କରୁଛି, ତାହା ଜାଣନ୍ତି କି? ତାଙ୍କ ଜୀବନର କିଛି ମଧୁରତମ ସ୍ବପ୍ନ ବାବଦରେ କହି ପାରିବେ କି? ତାଙ୍କ ଜୀବନର ତିନିଟି ବିଶେଷ ଘଟଣା ଉଲ୍ଲେଖ କରିପାରିବେ କି? ତାଙ୍କ ବାଲ୍ୟ ଜୀବନର ସବୁଠାରୁ ସୁଖମୟ ଘଟଣାଟି କ’ଣ ତାହା ଜାଣିଛନ୍ତି କି?

ସମ୍ଭବତଃ ଉପର ପ୍ରଶ୍ନଗୁଡ଼ିକ ସହିତ ସମଧର୍ମା ଆଉ କେତୋଟି ପ୍ରଶ୍ନ ପଚରା ଯାଇପାରେ। ଅଧିକା˚ଶ ଉତ୍ତର ‘ହଁ’ କିମ୍ବା ‘ନାହିଁ’ରେ ଦିଆଯାଇପାରେ। ଲକ୍ଷ୍ୟ କରିବାର କଥା ଯେ ଅର୍ଧାଧିକ ପ୍ରଶ୍ନର ଉତ୍ତର ଆପଣ ‘ହଁ’ କହି ଦେଇପାରୁଥିଲେ ଆପଣଙ୍କ ବିବାହିତ ଜୀବନର ଭିତ୍ତିଭୂମିରେ କିଛିଟା ବଳିଷ୍ଠତା ରହିଛି ବୋଲି ବୁଝାଯିବ। ତାହା ହୋଇ ନ ଥିଲେ ସମ୍ପର୍କ ସମସ୍ୟା ବିଜଡ଼ିତ ବୋଲି ବିଚାର କରାଯିବ।

ବୈବାହିକ ଜୀବନ ଏକ ନିବିଡ଼ ସମ୍ପର୍କର ଜୀବନ। ଅନ୍ତରଙ୍ଗତା ଏହାର ଭିତ୍ତିଭୂମି। ପାରସ୍ପରିକ ବୁଝାମଣା, ସମ୍ପର୍କରେ ଗଭୀରତା ଏବ˚ ସମ୍ପୃକ୍ତିର ବଳିଷ୍ଠତା ଏହାର ମୁଖ୍ୟ ଆଧାର। ବୈବାହିକ ସମ୍ପର୍କ ପରି ନିବିଡ଼ ସମ୍ପର୍କ ଛ’ଟି ନୀତି ଦ୍ବାରା ପ୍ରଭାବିତ ହୁଏ। ବିଭିନ୍ନ ପର୍ଯ୍ୟାୟରେ ସେସବୁର ଆଲୋଚନା କରାଯାଇପାରେ। ତେବେ ପ୍ରଥମ ନୀତିଟି ହେଉଛି ପାରସ୍ପରିକ ଜ୍ଞାନ। ପତିପତ୍ନୀ ମଧ୍ୟରେ ଗଢ଼ିଉଠିଥିବା ମଧୁରତମ ସମ୍ପର୍କର ସ୍ପଷ୍ଟ ସୂଚକ ହେଉଛି ପାରସ୍ପରିକ ଜ୍ଞାନ। ପତିପତ୍ନୀଙ୍କ ଜୀବନର ଅନ୍ତରଙ୍ଗ ମୁହୂର୍ତ୍ତ ଓ ବିଶିଷ୍ଟ ଘଟଣା ଯେପରି ଜାଣନ୍ତି, ପତ୍ନୀଙ୍କର ମଧ୍ୟ ସେପରି ଜ୍ଞାନ ରହିଥାଏ। କମନୀୟ ସମ୍ପର୍କର ଭିତ୍ତି ଉପରେ ଯେଉଁ ସୌଧ ନିର୍ମିତ ହୁଏ, ତହିଁରେ ପାରସ୍ପରିକ ଜ୍ଞାନ ଏକ ଶକ୍ତିଶାଳୀ ସ୍ତମ୍ଭ ରୂପେ କାର୍ଯ୍ୟ କରିଥାଏ।

ପତି ଓ ପତ୍ନୀଙ୍କ ଠାରେ ପାରସ୍ପରିକ ଜ୍ଞାନ ହେବ କିପରି? ଏହାର ମୂଳ ରହିଛି ଆତ୍ମ ଅଭିବ୍ୟକ୍ତି (Self-Disclosure)ରେ। ପରସ୍ପରର ସ˚ସର୍ଗରେ ଆସୁଥିବା ଦୁଇଜଣ ବ୍ୟକ୍ତି (ସ୍ବାମୀ ସ୍ତ୍ରୀ କିମ୍ବା ଦୁଇଜଣ ଅନ୍ତରଙ୍ଗ ବନ୍ଧୁ ବା ବାନ୍ଧବୀ ହୋଇପାରନ୍ତି) ନିଜକୁ ଅନ୍ୟ ପାଖରେ ମୁକ୍ତ ଭାବରେ ପ୍ରକାଶ କରନ୍ତି। ନିଜ ଜୀବନର ଅନ୍ତରଙ୍ଗ କଥା ସବୁ କହନ୍ତି। ଏ ନୀତିଟି ଦୁଇ ପ୍ରେମୀ ଯୁଗଳଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। କିନ୍ତୁ ଦାମ୍ପତ୍ୟ ଜୀବନର ପରିପ୍ରେକ୍ଷୀରେ ଏଭଳି ଭାବ ବିନିମୟ ଅତ୍ୟନ୍ତ ଆବଶ୍ୟକ। ବର୍ତ୍ତମାନ ବୈବାହିକ ଜୀବନ ବିଭିନ୍ନ କାରଣରୁ ସମସ୍ୟା-ବିଜଡ଼ିତ ହୋଇ ପଡ଼ୁଥିବାରୁ ପାରସ୍ପରିକ ସ୍ନେହ ଓ ପ୍ରେମ ଘୋର ଆହ୍ବାନର ସମ୍ମୁଖୀନ ହୋଇପଡ଼ିଛି। ଏହି ଆହ୍ବାନଭରା ସ୍ଥିତିକୁ ଦୂର କରିବା ଲାଗି ଆବଶ୍ୟକ ଉଭୟ ପତି ଓ ପତ୍ନୀ ନିଜକୁ ଅନ୍ୟର ସମ୍ମୁଖରେ ସଂପୂର୍ଣ୍ଣ ରୂପେ ବ୍ୟକ୍ତ କରିଦେବା।

ଏଥିରେ ପତି ନିଜକୁ ଯେପରି ଜାଣନ୍ତି ସେହି ଅନ୍ତର୍ନିହିତ ଛବିଟିକୁ ପତ୍ନୀଙ୍କ ପାଖରେ ତୋଳି ଧରିବେ। ପତ୍ନୀ ମଧ୍ୟ ଅନୁରୂପ ଭାବରେ ମୁକ୍ତ ଭାବରେ ପତିଙ୍କ ଆଗରେ ନିଜକୁ ବ୍ୟକ୍ତ କରିବେ। ଏହା ଦ୍ବାରା ପାରସ୍ପରିକ ଜ୍ଞାନ ମୂଳରୁ ବିସ୍ତୃତ ହୋଇନଥାଏ। ଏ ପ୍ରକ୍ରିୟାରେ ପ୍ରଥମେ ଜଣେ ନିଜ ବିଷୟରେ କିଛି କହନ୍ତି ଏବଂ ତାହାର ପ୍ରତିବଦଳରେ ଅନ୍ୟ ଜଣେ ତହିଁରେ କିଛି ନିଜସ୍ବ ମତାମତ ଦେଇ ନିଜ ବିଷୟରେ ମଧ୍ୟ କହନ୍ତି। ହୁଏତ ଏଥିରେ ଅନେକ ମାମୁଲି କଥା ରହିପାରେ। ମାତ୍ର ଧୀରେ ଧୀରେ ତାହା ପାରସ୍ପରିକ ବିଶ୍ବାସ ବୃଦ୍ଧି ଦିଗରେ ସହାୟକ ହୁଏ। କ୍ରମେ ତାହା ଭାବ ଆଦାନପ୍ରଦାନର ଗଭୀରତା ସ୍ପର୍ଶ କରେ। କ୍ରମେ ଜୀବନର ଗୋପନୀୟ ଓ ବ୍ୟକ୍ତିଗତ ଦିଗ ମଧ୍ୟ ଉନ୍ମୋଚିତ ହୁଏ। ଏହା ପାରସ୍ପରିକ ବିଶ୍ବାସ ଦୃଢ଼ କରିବାରେ ସାହାଯ୍ୟ କରେ।

ନିଜ ସମ୍ପର୍କରେ କହିବା ସମୟରେ ଆଉ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି। ତାହା ହେଉଛି ଦୁଇଜଣଙ୍କ ମଧ୍ୟରୁ ଜଣେ ଏକାନ୍ତ ବ୍ୟକ୍ତିଗତ ଓ ଗୋପନୀୟ ନିଜସ୍ବ କଥାଟି କହିବା ପରେ ହିଁ ଅନ୍ୟ ଜଣେ ନିଜ ଜୀବନରେ ବ୍ୟକ୍ତିଗତ କାହାଣୀ କହିବାକୁ ଅଭିପ୍ରେରିତ ହୋଇଥାଆନ୍ତି। ଏହା ଦ୍ବାରା ପାରସ୍ପରିକ ଜ୍ଞାନର ବଳୟ ପ୍ରସାରିତ ହୁଏ।

ପରସ୍ପର ପ୍ରତି ଆକର୍ଷଣର ଏହା ଏକ ମୁଖ୍ୟ କାରଣ ପାଲଟେ। ବୈବାହିକ ଜୀବନରେ ସ˚ପ୍ରୀତି ବିଶେଷଜ୍ଞମାନେ ଏହାର ପରାମର୍ଶ ଦେଇଛନ୍ତି। ସେମାନେ କହନ୍ତି ଯେ ଆପଣ ପତି କିମ୍ବା ପତ୍ନୀ ହିସାବରେ ଯଦି ଆପଣଙ୍କ ସହଭାଗୀଙ୍କ ଜୀବନକୁ ଠିକ୍‌ ରୂପେ ଜାଣିବେ, ତାଙ୍କର ପସନ୍ଦ ଅପସନ୍ଦ ଜାଣିବେ; ତାଙ୍କର ଭୟ, ଉଦ୍‌ବେଗ, ବିଷାଦ ଓ ମାନସିକ ଚାପ ବିଷୟରେ ମଧ୍ୟ ଜାଣିବେ; ଆପଣ ଦାଂପତ୍ୟ ଜୀବନକୁ ଅଧିକ ସୁସଂହତ କରିପାରିବେ।

ଯେଉଁ ପରିବାରରେ ପତିପତ୍ନୀ ପରସ୍ପର ପ୍ରତି ପ୍ରେମଶୀଳ, ସେ ପରିବାର ସହଜରେ ବାଧାବିଘ୍ନର ମୁକାବିଲା କରିପାରିବେ। ତେଣୁ ସୁଖମୟ ଦାଂପତ୍ୟର ଏହା ହେଉଛି ମୂଳଦୁଆ। ତେବେ, ବୈବାହିକ ଜୀବନରେ ପାରସ୍ପରିକ ଜ୍ଞାନ ସ˚ପ୍ରୀତିର ଏକମାତ୍ର ମାର୍ଗ ନୁହେଁ। ପୂର୍ବରୁ କୁହାଯାଇଛି ଏଥିରେ ଛଅଟି ନୀତି ରହିଛି। ତେବେ ସମ୍ପର୍କର ସୌନ୍ଦର୍ଯ୍ୟକୁ ବିକଶିତ କରିବା ପାଇଁ ଏହା ହେଉଛି ପ୍ରଥମ ନୀତି। ତେଣୁ ଏହା ବିଶେଷ ଗୁରୁତ୍ବ ଲାଭ କରିବା ଜରୁରୀ।

ଭିଆଇଏମ୍-୯୯, ଶୈଳଶ୍ରୀବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର