ଜଣେ ମହାନ ଓଡ଼ିଆ ନାସ୍ତିକ ଦାର୍ଶନିକ

ବ୍ୟକ୍ତିତ୍ବ ଚର୍ଚ୍ଚା - ପ୍ରଫୁଲ୍ଲ ମହାପାତ୍ର

ବ୍ୟାସକବି ଫକୀରମୋହନଙ୍କ ସୁପୁତ୍ର ମୋହିନୀମୋହନ ସେନାପତି ରେଭେନ୍‌ସା କଲେଜରେ ୨୫ ବର୍ଷ ଅଧୢାପନା କରି ୧୯୩୬ ମସିହାରେ ଦର୍ଶନ ପ୍ରଫେସର ଭାବେ ସେବାନିବୃତ୍ତ ହୋଇଥିଲେ। ସେ ଜଣେ ମୌଳିକ ଚିନ୍ତାସମ୍ପନ୍ନ ଦାର୍ଶନିକ ଥିଲେ। ତାଙ୍କ ସମୟରେ ଭାରତୀୟ ଦର୍ଶନ ମୁଖ୍ୟତଃ ଧର୍ମ ଏବ˚ ଆଧୢାତ୍ମିକତାପ୍ରଧାନ ବିଚାର ଧାରାରେ ନିବିଷ୍ଟ ରହୁଥିଲା। ଫଳରେ ଏହି ବିଚାରଧାରାରେ ଧର୍ମ ଓ ଦର୍ଶନ ମୋଟାମୋଟି ଭାବରେ ସମାର୍ଥକ ବିଷୟ ରୂପେ ବିବେଚିତ ହେଉଥିଲା। ଏଥିପାଇଁ କେତେକ ପାଶ୍ଚାତ୍ୟ ଦାର୍ଶନିକ ଭାରତରେ କୌଣସି ଦର୍ଶନ (ବା ଦାର୍ଶନିକ ଥିଓରି) ନାହିଁ ବୋଲି ମତ ପ୍ରକାଶ କରୁଥିଲେ। ଗ୍ରୀକ୍‌ ଦାର୍ଶନିକ ଡବ୍ଲ୍ୟୁ.ଟି.ଷ୍ଟେସ୍‌ ଏହି ମତର ପ୍ରମୁଖ ପ୍ରବକ୍ତା ଥିଲେ ଏବ˚ ଜର୍ମାନିର ହେଗେଲ୍‌ ଓ ହ୍ୟୁସର୍ଲ ମଧୢ ଏଭଳି ମତର ସମର୍ଥନ କରିଥିଲେ। ଏମାନଙ୍କ ମତରେ ଧର୍ମ, ଆଧୢାତ୍ମିକତା ଏବ˚ ରହସ୍ୟାନୁଭବ ବ୍ୟତୀତ ଭାରତରେ କୌଣସି ଦାର୍ଶନିକ ତତ୍ତ୍ବ ନ ଥିଲା। ଏଣେ ସେହି ସମୟରେ କିଛି ଭାରତୀୟ ବିଦ୍ବାନ ଓ ଦର୍ଶନ ଆଲୋଚକଙ୍କ ଲେଖାରେ ମଧୢ ମୋକ୍ଷ, ପରଲୋକ-ତତ୍ତ୍ବ ଏବ˚ ଇହଲୋକ ବିମୁଖତା ପ୍ରଧାନ ସ୍ଥାନ ଅଧିକାର କରୁଥିଲା। ଏଥିରେ ବାସ୍ତବଧର୍ମୀ ଚିନ୍ତା ଓ ବୈଜ୍ଞାନିକ ଦୃଷ୍ଟିକୋଣର ଅଭାବ ରହିଥିଲା। ତେଣୁ ଏଭଳି ଧାରଣା ଦୃଢ଼ ହେଉଥିଲା। ଏହି ପରିପ୍ରେକ୍ଷୀରେ ଆଜିକୁ ଶହେରୁ ଅଧିକ ବର୍ଷ ତଳେ ମୋହିନୀମୋହନଙ୍କର ଦାର୍ଶନିକ ଭିନ୍ନ ଦୃଷ୍ଟି ନିଶ୍ଚିତ ଭାବରେ ଉଲ୍ଲେଖନୀୟ। ତତ୍‌କାଳୀନ ଓଡ଼ିଶାର ସାମାଜିକ ପରମ୍ପରା ଓ ଧର୍ମଧାରଣାର ପ୍ରତ୍ୟକ୍ଷ ବିରୋଧରେ ତାଙ୍କର ବଳିଷ୍ଠ ଯୁକ୍ତିପୁଷ୍ଟ ମତ ଆଧୁନିକ ଓ ଉତ୍ତର-ଆଧୁନିକ ମୁକ୍ତ ବିଚାରର ସ୍ବାକ୍ଷର ବହନ କରେ।

ଅବଶ୍ୟ ତରୁଣ ମୋହିନୀମୋହନ ଧର୍ମ, ଈଶ୍ବର ଓ ପରଲୋକ ବିଶ୍ବାସର ଯଥାର୍ଥତା ଜାଣିବା ପାଇଁ ଆଗ୍ରହୀ ହୋଇଥିଲେ। ତେଣୁ ରେଭେନ୍‌ସା କଲେଜରେ ବି.ଏ ପଢ଼ିବା ସମୟରେ ଦର୍ଶନ ଶାସ୍ତ୍ରକୁ ନିଜର ମୁଖ୍ୟ ବିଷୟ ରୂପେ ବାଛିଥିଲେ। ମାତ୍ର ସବୁ ବିଷୟରେ ପଠିତ ଦାର୍ଶନିକ ଯୁକ୍ତିସବୁ ତାଙ୍କୁ ସନ୍ତୁଷ୍ଟ କରି ପାରିନଥିଲା। ବର˚ ସମସ୍ତ ତର୍କବିତର୍କର କୁହେଳିକାମୟ ପ୍ରଭାବରେ ତାଙ୍କର ଧର୍ମ ଓ ଈଶ୍ବର ବିଶ୍ବାସ ଶିଥିଳ ହେବାରେ ଲାଗିଲା। କ୍ରମେ ନାସ୍ତିକ ଭାବନା ତାଙ୍କୁ ଅଧିକ ଯୁକ୍ତିଯୁକ୍ତ ମନେ ହେଲା। ବି.ଏ. ପାସ୍‌ କରିବା ପରେ ମାତ୍ର ୨୩ ବର୍ଷ ବୟସରେ ନାସ୍ତିକ ଦର୍ଶନର ସମର୍ଥନ କରି ସେ ଏକ ଚିନ୍ତା ଉଦ୍ଦୀପକ ପ୍ରବନ୍ଧ ରଚନା କଲେ, ଯାହା ସେ ସମୟର ଅଗ୍ରଣୀ ପତ୍ରିକା ଉତ୍କଳ ସାହିତ୍ୟ (୧୯୦୪)ରେ ପ୍ରକାଶିତ ହୋଇ ବିପୁଳ ଦୃଷ୍ଟି ଆକର୍ଷଣ କଲା। କେବଳ ସେତିକି ନୁହେଁ, ପ୍ରବନ୍ଧରେ ପ୍ରକାଶିତ ମତ ଓ ଯୁକ୍ତି ଅନେକଙ୍କୁ ବିଚଳିତ ଓ ବିବ୍ରତ ମଧୢ କରିଥିଲା।

ଅବଶ୍ୟ ଗତ ଶତାବ୍ଦୀର ଦ୍ବିତୀୟାର୍ଧରେ ଏ ଦେଶର କିଛି ଯୁକ୍ତିବାଦୀ ମୁକ୍ତ ଚିନ୍ତକ ଈଷତ୍‌ ଅଣ-ପାରମ୍ପରିକ ଢଙ୍ଗରେ ଭାରତୀୟ ଦର୍ଶନର ବ୍ୟାଖ୍ୟା କରି ଏହାର ଯୁକ୍ତିଯୁକ୍ତ ତାତ୍ତ୍ବିକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ଜିତେନ୍ଦ୍ରନାଥ ମହାନ୍ତି, ଦୟାକୃଷ୍ଣ, ଗଣେଶ୍ବର ମିଶ୍ର ଓ ରାଜେନ୍ଦ୍ର ପ୍ରସାଦ ପ୍ରମୁଖଙ୍କର ବିଶ୍ଳେଷଣାତ୍ମକ ଦାର୍ଶନିକ କୃତି ଉଲ୍ଲେଖଯୋଗ୍ୟ। ଯାହା ଫଳରେ ସାମ୍ପ୍ରତିକ ଦର୍ଶନ ଚର୍ଚ୍ଚାରେ ଏହି ନୂତନ ଆଭିମୁଖ୍ୟର ଗ୍ରହଣୀୟତା ବୃଦ୍ଧି ପାଉଛି। କିନ୍ତୁ ଏହି ନୂତନ ଆଭିମୁଖ୍ୟ ଆବିର୍ଭାବର ବହୁ ପୂର୍ବରୁ ଓଡ଼ିଶାର ଦର୍ଶନ ଇତିହାସରେ ମୋହିନୀମୋହନ ସେନାପତିଙ୍କ ରଚନା ସମୂହରେ ଏହାର ସ୍ପର୍ଦ୍ଧିତ ପ୍ରକାଶ ତାଙ୍କ ନିର୍ଭୀକ ମୌଳିକତା ଓ ସାହସିକ ସ˚ସ୍କାର ପ୍ରବଣତାର ପରିଚୟ ଦିଏ। ତାଙ୍କ ରଚିତ ପୁସ୍ତକ ‘ବିବିଧ ପ୍ରସଙ୍ଗ’ (୧୯୩୯) ଧର୍ମ, ଦର୍ଶନ ଓ ସାମାଜିକ ପରମ୍ପରା ଉପରେ ମୌଳିକ ଚିନ୍ତା ଏବ˚ ବୈପ୍ଳବିକ ମତ ସମ୍ବଳିତ କୃତି ସମ୍ଭାରରେ ଋଦ୍ଧିମନ୍ତ। (ପୁସ୍ତକଟିର ନୂତନ ସ˚ସ୍କରଣ ନିକଟରେ ଭୁବନେଶ୍ବରର ଶିକ୍ଷାସନ୍ଧାନ ଦ୍ବାରା ପ୍ରକାଶ ପାଇଛି)

ମୁଖ୍ୟତଃ ତିନିଟି ପ୍ରସଙ୍ଗରେ ପ୍ରଫେସର ସେନାପତିଙ୍କର ମୌଳିକ ହେତୁବାଦୀ ଆଭିମୁଖ୍ୟ ପାଠକଙ୍କୁ ଆକର୍ଷିତ କରେ। ସେଗୁଡ଼ିକ ହେଲା, (୧) ଧର୍ମ, ଈଶ୍ବର ଓ ପରଲୋକ ସମ୍ପର୍କିତ ବିଶ୍ବାସ, (୨) ଭାଗ୍ୟ ଓ କର୍ମବାଦ ଏବ˚ (୩) ସ୍ତ୍ରୀ ଜାତିର ସ୍ବାଧୀନତା ଓ ଅଧିକାର। ଏ ସବୁ ପ୍ରସଙ୍ଗରେ ତାଙ୍କର ସ୍ବର ପାରମ୍ପରିକ ଧାରଣାର ବିରୋଧୀ ହେବା ସହିତ କିଛି ମାତ୍ରାରେ ଉଗ୍ର ଭାବରେ ମୌଳିକ ଓ ଅଭିନବ। ଅଯୌକ୍ତିକ ଏବ˚ ଅବୈଜ୍ଞାନିକ ହେଇଥିବା କାରଣରୁ ଧର୍ମବିଶ୍ବାସର ସେ ଘୋର ବିରୋଧୀ। ତାଙ୍କ ମତରେ ଆଦିମ ମଣିଷର ଅଜ୍ଞତା ଓ ଭୟରୁ ସୃଷ୍ଟ ଧର୍ମ ଓ ଈଶ୍ବର ବିଶ୍ବାସ ଅନାବଶ୍ୟକ ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ। ଚାର୍ବାକ, ଏପିକ୍ୟୁରସ୍‌ ଆଦି ମନୀଷୀମାନଙ୍କର ସତର୍କବାଣୀ ଉଦ୍ଧାର କରି ଧର୍ମର ଅସାରତା ଓ ଅନିଷ୍ଟକାରୀ ପ୍ରଭାବର ଅବତାରଣା କରି ସେ କହିଛନ୍ତି ଯେ ‘ଧର୍ମ ଏକ ପ୍ରକାଣ୍ତ ମିଥ୍ୟା’, ନ୍ୟସ୍ତସ୍ବାର୍ଥ ଧର୍ମଯାଜକ ଓ ପୁରୋହିତମାନଙ୍କର ସ୍ବାର୍ଥସିଦ୍ଧି ପାଇଁ ଏହା ଏକ ସୁଚିନ୍ତିତ ଯୋଜନା। ‘ନିଜର ସ୍ବାର୍ଥ ପାଇଁ ଏହି ଚତୁରମାନେ ଅଜ୍ଞ ମାନବକୁ ପର କାଳର ଲୋଭ ଦେଖାଇ ତାହାର ଇହକାଳକୁ ନଷ୍ଟ କରୁଛନ୍ତି। x x x ମାନବର ଅଜ୍ଞତାରୁ ଦେବତାର ସୃଷ୍ଟି ହୋଇଛି। ବିଜ୍ଞାନର ପ୍ରଖର କିରଣରେ ଯେତେବେଳେ ଅଜ୍ଞତା ଦୂର ହେବ, ମାନବ ଆଉ ଦେବତାର ଆବଶ୍ୟକତା ଅନୁଭବ କରିବ ନାହିଁ।’ (ବିବିଧ ପ୍ରସଙ୍ଗ, ପୃ ୪୫)

ଭାଗ୍ୟ ଓ କର୍ମବାଦ ଆମ ଦାର୍ଶନିକ ପରମ୍ପରାର ଏକ ବିଶେଷ ବିଭାବ। ମଣିଷର ଭାଗ୍ୟ ତା’ର କୃତକର୍ମର ଫଳ ବୋଲି ହିନ୍ଦୁମାନଙ୍କର ବିଶ୍ବାସ। କୃତକର୍ମର ଫଳ ଭୋଗିବା ଯଦି ଗୋଟିଏ ଜନ୍ମରେ ସମ୍ଭବ ନ ହୁଏ ତେବେ ଏଥିପାଇଁ ପୁନର୍ଜନ୍ମର କଳ୍ପନା କରାଯାଇଛି। କିନ୍ତୁ ଆଜିକୁ ପ୍ରାୟ ଶହେ ବର୍ଷ ତଳେ ଅର୍ଥାତ୍‌ ୧୯୨୪ ମସିହାରେ ମୋହିନୀମୋହନଙ୍କର ‘ଭାଗ୍ୟ’ ଶୀର୍ଷକ ପ୍ରବନ୍ଧ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିଲା, ଯହିଁରେ ଉପର ଆଲୋଚିତ ପ୍ରସଙ୍ଗରେ ବିରୋଧ ମତ ପ୍ରକାଶ କରି ସେ କହିଥିଲେ: ‘ଆତ୍ମା ଅଛି କି ନାହିଁ, ଥିଲେ ତା’ର ଜନ୍ମାନ୍ତର ଅଛି କି ନାହିଁ ଏବ˚ ଜନ୍ମାନ୍ତର ଥିଲେ ମଧୢ ଏ ଜନ୍ମର କର୍ମ ପରବର୍ତ୍ତୀ ଜନ୍ମର ଭାଗ୍ୟ ନିର୍ଣ୍ଣୟ କରିପାରେ କି ନାହିଁ- ଏସବୁ ସମସ୍ୟାର ସମାଧାନ ନ କରି ଆମ୍ଭେମାନେ ହିନ୍ଦୁମାନଙ୍କ କର୍ମବାଦରେ ବିଶ୍ବାସ କରି ନ ପାରୁ। ଏହି କର୍ମବାଦ ବୈଜ୍ଞାନିକ ଭିତ୍ତିରେ ସ୍ଥାପିତ ନ ହୋଇ ପୌରାଣିକ ଭିତ୍ତିରେ ସ୍ଥାପିତ। ଏହା ଆମ୍ଭମାନଙ୍କର ଗ୍ରହଣଯୋଗ୍ୟ ନୁହେଁ।’ (ବିବିଧ ପ୍ରସଙ୍ଗ, ପୃ୨୭)

ଏବେ ଆସିବା ତାଙ୍କ ଆଲୋଚିତ ତୃତୀୟ ମୁଖ୍ୟ ପ୍ରସଙ୍ଗକୁ। ମାନବିକତା ଓ ମାନବୀୟ ମୂଲ୍ୟବୋଧ ପ୍ରତି ତାଙ୍କର ଦୃଢ଼ ଆନ୍ତରିକତା। ଏହାର ଦୁରସ୍ତ ପ୍ରୟୋଗ ଦେଖିବାକୁ ମିଳେ ତାଙ୍କର ଦୁଇଟି ପ୍ରଭାବଶାଳୀ ପ୍ରବନ୍ଧ ‘ସ୍ତ୍ରୀ ଜାତିର ସ୍ବାଧୀନତା’ ଏବ˚ ‘ବିବାହର ଇତିହାସ’ରେ। ଏହି ଦୁଇ ପ୍ରବନ୍ଧରେ ସେ ନାରୀର ଅଧିକାର ଏବ˚ ନାରୀ ସଶକ୍ତୀକରଣ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି। ସବୁ କାଳରେ ସବୁ ଦେଶରେ ଏବ˚ ପ୍ରାୟ ସବୁ ଶାସ୍ତ୍ରରେ ସ୍ତ୍ରୀ ଜାତିକୁ ପୁରୁଷର ଅଧୀନ କରି ରଖିବା ପରମ୍ପରାର ସେ ଘୋର ବିରୋଧ କରିଛନ୍ତି। ବାଇବେଲ୍‌ ଏବ˚ କେତେକ ହିନ୍ଦୁ ଶାସ୍ତ୍ରରେ ସ୍ତ୍ରୀ ଜାତିକୁ ପୁରୁଷର ଅଧୀନ ହୋଇ ରହିବାର ବିଧି ଥିବା ସେ ଦର୍ଶାଇଛନ୍ତି। ଜନ୍‌ ଷ୍ଟୁଆର୍ଟ ମିଲ୍‌ଙ୍କର ଯୁକ୍ତି ଉଦ୍ଧାର କରି ସେ କହିଛନ୍ତି ଯେ, ଶାସ୍ତ୍ରାନୁମୋଦିତ ହେଲେ ମଧୢ ନାରୀ ପରାଧୀନତା ଯୁକ୍ତିଯୁକ୍ତ ନୁହେଁ। ଅନ୍ୟ କୌଣସି ଜୀବଜାତି ମଧୢରେ ଲିଙ୍ଗ ଭେଦ ନ ଥିବା ଦୃଷ୍ଟିରୁ ଏହି ଭେଦ ଭିତ୍ତିରେ ମାନବ ଜାତିର ଉଚ୍ଚନୀଚ ବିଚାର ସା˚ଘାତିକ ଭାବରେ ଅନ୍ୟାୟ ବୋଲି ସେ ଯୁକ୍ତି କରିଛନ୍ତି। ଏପରି ଅନ୍ୟାୟର ପ୍ରତିକାର ପାଇଁ ସ୍ତ୍ରୀମାନଙ୍କୁ ପୁରୁଷଙ୍କ ଭଳି ସ୍ବାଧୀନତା ଦେବାର ଆବଶ୍ୟକତା ଉପରେ ସେ ଜୋର ଦେଇଛନ୍ତି। ସ୍ତ୍ରୀମାନଙ୍କ ଉପରେ ପୁରୁଷଙ୍କ ପ୍ରଭୁତ୍ବ ଏବ˚ ଉତ୍ପୀଡ଼ନରେ ସେନାପତି ଏତେ ମାତ୍ରାରେ ବିବ୍ରତ ବିଚଳିତ ହେଇଥିଲେ ଯେ ବିବାହ ପ୍ରଥାକୁ ଏକ ଅତ୍ୟନ୍ତ ଅବାଞ୍ଛନୀୟ ସାମାଜିକ ବ୍ୟବସ୍ଥା ବୋଲି ସେ ଯୁକ୍ତି କରିଥିଲେ। ନିଜର ପ୍ରଭୁତ୍ବ ଜାହିର କରି ବଳବାନ ପୁରୁଷମାନେ ଅବଳା ନାରୀକୁ ଅଧୀନସ୍ଥ କରିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ନେଇ ବିବାହ ପ୍ରଥାର ଉଦ୍‌ଭାବନା କରିଛନ୍ତି ବୋଲି ସେ ଦୃଢ଼ ଭାବରେ କହିଥିଲେ। ୧୮୮୪ ମସିହା ପର୍ଯ୍ୟନ୍ତ ବିଲାତରେ ପଣ୍ୟଦ୍ରବ୍ୟ ପରି ନାରୀ କିଣାବିକା ଚାଲୁ ରହିଥିଲା ବୋଲି ସେ ତଥ୍ୟ ପ୍ରକାଶ କରିଛନ୍ତି। ଏ ସବୁରେ ଅତ୍ୟନ୍ତ ବିଚଳିତ ହୋଇ ସେ ବିବାହ ବ୍ୟବସ୍ଥାର ଉଚ୍ଛେଦ ପାଇଁ କଠୋର ଭାଷାରେ ଯୁକ୍ତି କରିଛନ୍ତି। ସେ କହିଥିଲେ ଯେ ବିବାହ ବନ୍ଧନ ଯୋଗୁଁ କେବଳ ଯେ ନାରୀର ସ୍ବାଧୀନତା ନଷ୍ଟ ହେଉଛି ତା’ ନୁହେଁ; ଏହା ଫଳରେ ନାରୀ ଓ ପୁରୁଷ ଉଭୟେ ସେମାନଙ୍କ ଯୌନ ସ୍ବାଧୀନତା ମଧୢ ହରାଉଛନ୍ତି। ଯୌନ କ୍ଷୁଧା ମେଣ୍ଟାଇବା ମଣିଷର ଏକ ପ୍ରାକୃତିକ ଆବଶ୍ୟକତା। ମାତ୍ର ଏକ ପତି ଏକ ପତ୍ନୀ ପ୍ରଥା ଏହି କ୍ଷୁଧା ମେଣ୍ଟାଇବାରେ ବାଧା ସୃଷ୍ଟି କରେ, ଯାହାର ଫଳ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏ ପ୍ରସଙ୍ଗରେ ସେ ଦର୍ଶାଇଛନ୍ତି ଯେ ଗଣିକାଳୟ ଗମନ କରୁଥିବା ମଣିଷକଙ୍କ ମଧୢରେ ଅଧିକା˚ଶ ବିବାହିତ ପୁରୁଷ ହୋଇଥାନ୍ତି।

ମୋହିନୀମୋହନ ନିଜ ସମୟର ବହୁ ଆଗକୁ ଆସି ଯେପରି ବୈପ୍ଳବିକ ମତ ପ୍ରକାଶ କରିଛନ୍ତି, ତାହା ନିଶ୍ଚିତ ଭାବେ ଦାର୍ଶନିକ ଓ ନୀତିବିତ୍‌ମାନଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ଖୋରାକ ଯୋଗାଇବ। ବିଶେଷତଃ ଆମ ପାରମ୍ପରିକ ସାମାଜିକ ଓ ନୈତିକ ଜୀବନର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକରେ ତାଙ୍କର ସ˚ସ୍କାରଧର୍ମୀ ଯୁକ୍ତିସମୃଦ୍ଧ ମତ ଶ୍ରେଷ୍ଠ ବୌଦ୍ଧିକ ବିଚାରର ମାନ୍ୟତା ପାଇବାର ହକ୍‌ଦାର।

ପ୍ରାକ୍ତନ ଦର୍ଶନ ପ୍ରଫେସର, ଉତ୍କଳ ବିଶ୍ବବିଦ୍ୟାଳୟ
ମୋ: ୯୪୩୭୧୦୧୫୧୧

ସମ୍ବନ୍ଧିତ ଖବର