ଭାରତୀୟ ମହିଳା ଓ ପୃଥୁଳତା

ଡାକ୍ତର ମଧୁସ୍ମିତା ପ୍ରଧାନ

ପୃଥୁଳତା ଏକ ମାରାତ୍ମକ ରୋଗ ନୁହେଁ, କିନ୍ତୁ ଏହା ସହିତ ଅନେକ ଗମ୍ଭୀର ଅଣ-ସ˚କ୍ରାମକ ରୋଗ ଓ ଅବସ୍ଥା ଜଡ଼ିତ ହୋଇଥାଏ। ଚକ୍ରୀୟ ହୃଦ୍‌ରୋଗ, ଉଚ୍ଚରକ୍ତଚାପ, ମଧୁମେହ, ନିଦ୍ରା ଅଶ୍ବସନ, ଶ୍ବାସ, ଗଣ୍ଠି ରୋଗ, ଯକୃତ ସମସ୍ୟା ଓ ପିତ୍ତ ପଥରର ବର୍ଦ୍ଧିତ ଆଶଙ୍କା ପାଇଁ ପୃଥୁଳତାକୁ ଦାୟୀ କରାଯାଇପାରେ। ପୃଥୁଳତା ଅନେକ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଯେପରି ଅର୍ଧ-ନପୁ˚ସକତା, ନପୁ˚ସକତାର କାରଣ ହୋଇଥାଏ। ଏହା ମଧ୍ୟ ଜୀବନକୁ ସ୍ବାଚ୍ଛନ୍ଦ୍ୟହୀନ କରି ପକାଏ। ପ୍ରକୃତପକ୍ଷେ, ପ୍ରତି ୧୦ କିଲାଗ୍ରାମ ଅତିରିକ୍ତ ଓଜନ ଜୀବନ କାଳକୁ ୩ ବର୍ଷ ହ୍ରାସ କରିଥାଏ। ପୃଥୁଳତାର ମନୋବୈଜ୍ଞାନିକ ପ୍ରଭାବକୁ ମଧ୍ୟ ନ୍ୟୂନ କରାଯାଇ ପାରିବ ନାହିଁ।

ଏବେ ମହିଳାମାନଙ୍କ ପୃଥୁଳତା କଥା ଆଲୋଚନା କରାଯାଉ। ପୃଥୁଳତା ସାଧାରଣତଃ ୪୦-୪୯ ବର୍ଷ ବୟସରେ ମହିଳାଙ୍କ ଠାରେ ଦେଖାଦେଇଥାଏ। ଏବେ ଆମ ଦେଶରେ ପୃଥୁଳକାୟା ମହିଳାଙ୍କ ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନେ ସହରରେ ବସବାସ କରୁଛନ୍ତି, ଉଚ୍ଚ ଶିକ୍ଷିତ ହୋଇ ଉତ୍ତମ ଆୟ ମଧ୍ୟ କରୁଛନ୍ତି; ସେମାନଙ୍କ ଠାରେ ଏହା ଅଧିକ ଦେଖିବାକୁ ମିଳିଥାଏ ଏବଂ ସେମାନେ ପୃଥୁଳତା କାରଣରୁ କେତେକ କ୍ଷେତ୍ରରେ ପରିହାସ ତଥା ପକ୍ଷପାତିତାର ଶିକାର ମଧ୍ୟ ହେଉଛନ୍ତି। କହିବା ବାହୁଲ୍ୟ ଏହା ସଂପୃକ୍ତ ମହିଳାମାନଙ୍କୁ ମାନସିକ ଭାବେ ଆଘାତ ପହଞ୍ଚାଇଥାଏ। କେବଳ ସେତିକି ନୁହେଁ, ପୃଥୁଳା ମହିଳାମାନଙ୍କ ଠାରେ ‘ଓଭାରିଆନ୍‌’ ରୋଗ ତଥା ଗର୍ଭପାତର ଆଶଙ୍କା ଅନେକା˚ଶରେ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ଏହା ବିଭିନ୍ନ କର୍କଟ ଯେପରି ମଳାଶୟ, ସ୍ତନ ଓ ଗର୍ଭାଶୟ କର୍କଟର ଆଶଙ୍କାକୁ ମଧ୍ୟ ବୃଦ୍ଧି କରିଥାଏ। ଏସବୁ ରୋଗ କ୍ରମଶଃ ପ୍ରାଣଘାତକ ସାବ୍ୟସ୍ତ ହୋଇଥାନ୍ତି।

ଶାରୀରିକ ବସ୍ତୁତ୍ବ ସୂଚକାଙ୍କ-ଯାହା ଇଂରେଜୀରେ ‘ବଡି-ମାସ୍‌ ଇନ୍‌ଡେକ୍‌ସ’ ବା ‘ବିଏମ୍‌ଆଇ’ ଭାବେ ଅଧିକ ଜଣାଶୁଣା- ଜଣେ ବ୍ୟକ୍ତିଙ୍କ ସୁସ୍ଥତା ଓ ପୃଥୁଳତାର ସୂଚନା ପ୍ରଦାନ କରିଥାଏ। ତାହା ହେଉଛି ପ୍ରତି କିଲୋଗ୍ରାମର ଶରୀରର ଓଜନ ବନାମ ଉଚ୍ଚତାର ଅନୁପାତ। ଯଦି ଶରୀର-ବସ୍ତୁତ୍ବ ସୂଚକାଙ୍କ ବା ‘ବିଏମ୍‌ଆଇ’ ୨୫ରୁ ୨୯.୯ ମଧ୍ୟରେ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଓଜନିଆ ବୋଲି କୁହାଯାଏ ଏବ˚ ୩୦ କିମ୍ବା ତା’ଠାରୁ ଅଧିକ ହେବା କ୍ଷେତ୍ରରେ ତାଙ୍କୁ ପୃଥୁଳ ବୋଲି କୁହାଯାଇଥାଏ। ସେହିଭଳି ବିଶ୍ବବ୍ୟାପୀ ପୁରୁଷ ଓ ମହିଳାଙ୍କ ଅଣ୍ଟାର ମାନକ ପରିଧି ଯଥାକ୍ରମେ ୧୦୨ ସେଣ୍ଟିମିଟର ଓ ୮୮ ସେଣ୍ଟିମିଟର ହୋଇଥିବା ବେ‌େଳ ଭାରତୀୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୯୦ ସେଣ୍ଟିମିଟର ଓ ୮୦ ସେଣ୍ଟିମିଟର ଅଟେ। ଏହି ଦୃଷ୍ଟିରୁ ଓଜନ ସମ୍ପର୍କିତ ସମସ୍ୟାର ନୁହେଁ ବର˚ ସ୍ବାସ୍ଥ୍ୟଗତ ଅସୁସ୍ଥତା ଭାବେ ବିଚାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି। ଏହା ବୁଝିବା ଗୁରୁତ୍ବପୂର୍ଣ୍ଣ ଯେ ପୃଥୁଳ ବ୍ୟକ୍ତିଙ୍କ ଶାରୀରିକ ସ˚ରଚନା ଏଭଳି ଭିନ୍ନ ହୋଇଥାଏ ଯେ ନିଜ ଓଜନରେ ସ୍ବଳ୍ପରୁ ସ୍ବଳ୍ପତର ହ୍ରାସ ହାସଲ କରିବା ଏମାନଙ୍କ ପକ୍ଷେ କଷ୍ଟକର ହୁଏ ଓ ବହୁ କଷ୍ଟରେ ଲାଭ କରିଥିବା ଓଜନ ହ୍ରାସକୁ ବଜାୟ ରଖିିବା ସେମାନଙ୍କ ପାଇଁ ଆହୁରି କଷ୍ଟକର ହୁଏ।

ତେବେ, ଆହାରଜନିତ ସ˚ଶୋଧନ, ବ୍ୟାୟାମ ଓ ଅନ୍ୟାନ୍ୟ ପଦ୍ଧତିକୁ ପରୀକ୍ଷା କରି ବିଫଳ ହୋଇଥିବା ପୃଥୁଳକାୟମାନଙ୍କ ପାଇଁ ‘ବାରିଆଟ୍ରିକ୍‌ ସର୍ଜରି’ ଏକ ଚିକିତ୍ସା ବିକଳ୍ପ ଭାବେ ଆବିର୍ଭୂତ ହୋଇଛି। ‘ବାରିଆଟ୍ରିକ୍‌ ସର୍ଜରି’ ଦ୍ବାରା ଖାଦ୍ୟ ହଜମ କ୍ରିୟା ଓ ଶୋଷଣର ଶାରୀରିକ ତତ୍ତ୍ବକୁ ସ˚ଶୋଧନ କରି ଓଜନ ହ୍ରାସ କରିବାର ଉଦ୍ୟମ କରାଯାଏ। ରୋଗୀଙ୍କ ବୟସ, ବିଏମ୍‌ଆଇ, ସେ ଭୋଗୁଥିବା ରୋଗ ଇତ୍ୟାଦିର ତର୍ଜମା ପରେ ଶଲ୍ୟ ଚିକିତ୍ସକ ଏହି ଅସ୍ତ୍ରୋପଚାର କରନ୍ତି। ଆଜିକାଲି ଏ ସମସ୍ତ ପଦ୍ଧତିଗୁଡ଼ିକୁ ଲାପ୍ରୋସ୍କୋପି ମାଧ୍ୟମରେ ସମ୍ପନ୍ନ କରାଯାଉଛି; ଯାହାଫଳରେ ରୋଗୀ ଶଲ୍ୟ ଚିକିତ୍ସା ପରବର୍ତ୍ତୀ ବିରତି ବା ଅନ୍ୟ ଜଟିଳତାରୁ ମୁକ୍ତ ରହୁଛନ୍ତି। ସାଧାରଣତଃ ଦିନେ ବା ଦୁଇଦିନ ମଧ୍ୟରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯିବା ପରେ ରୋଗୀ ୫-୬ ଦିନରେ ଘରକୁ ଫେରି ପାରୁଛନ୍ତି। ରୋଗୀ ପ୍ରଥମ ବର୍ଷରେ ପାଖାପାଖି ୪୫-୫୦% ଓ ଦ୍ବିତୀୟ ବର୍ଷରେ ପ୍ରାୟ ୫୫-୬୦% ଅତିରିକ୍ତ ଶାରୀରିକ ଓଜନ (ଅର୍ଥାତ୍‌ ବାଞ୍ଛିତ ଶାରୀରିକ ଓଜନରୁ ଊର୍ଦ୍ଧ୍ବରେ ଥିବା ଓଜନ) ହରାନ୍ତି ଏବ˚ ଏହା ପରେ ଓଜନ ସ୍ଥିର ରହିଥାଏ। ‘ବାରିଆଟ୍ରିକ୍‌ ସର୍ଜରି’, ଯାହା ଏବେ ‘ମେଟାବୋଲିକ୍‌ ସର୍ଜରି’ ଭାବେ ମଧ୍ୟ ଜଣାଶୁଣା, ଅନ୍ୟାନ୍ୟ ରୋଗ ଯେପରି ଉଚ୍ଚରକ୍ତଚାପ ଓ ମଧୁମେହ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଦୁଇ-ତୃତୀୟା˚ଶରୁ ଅଧିକ ମଧୁମେହ ରୋଗୀଙ୍କ ପାଇଁ ଔଷଧ ସେବନର ଆବଶ୍ୟକତା ମଧ୍ୟ ରହେ ନାହିଁ। ସେହିଭଳି ୭୫% ରୋଗୀଙ୍କ କ୍ଷେତ୍ରରେ ଉଚ୍ଚରକ୍ତଚାପ, ନିଦ୍ରା ଅଶ୍ବସନ, ଶ୍ବାସରୋଗ, ଗଣ୍ଠି ସମସ୍ୟା ଓ ନପୁ˚ସକତା ହାରରେ ତୁଳନାତ୍ମକ ଉନ୍ନତି ଦେଖାଦେଇଥାଏ। ଏହା ଫଳରେ ଜୀବନଧାରଣର ମାନରେ ଉନ୍ନତି ଆସିଥାଏ ଓ ଅସୁସ୍ଥତା ତଥା ମୃତ୍ୟୁର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ତଥାପି ଆପଣଙ୍କୁ ଏହା ହୃଦୟଙ୍ଗମ କରିବାକୁ ହେବ ଯେ ‘ବାରିଆଟ୍ରିକ ସର୍ଜରି’ ପରେ ମଧ୍ୟ ଆହାରରେ ପରିବର୍ତ୍ତନ, ଜୀବନଶୈଳୀରେ ସ୍ଥାୟୀ ପରିବର୍ତ୍ତନ, ଭିଟାମିନ୍‌ ଓ ମିନେରାଲ ପରିପୂରକ ତଥା ସାରା ଜୀବନ ପାଇଁ ସ୍ବାସ୍ଥ୍ୟଗତ ତତ୍ତ୍ବାବଧାନ ବାଞ୍ଛନୀୟ। ପୃଥୁଳତା ଦ୍ବାରା ଜୀବନରୁ ହାଲୁକାପଣ ଅପହୃତ ହେଉଥିବାରୁ ଏହାଠାରୁ ଦୂର‌ରେ ରହିବା ଉଚିତ। ସେଥିଲାଗି ଆବଶ୍ୟକ ସଂଯମ ଓ ଶୃଙ୍ଖଳା।

ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଏସ୍‌.ସି.ବି. ମେଡିକାଲ କଲେଜ, କଟକ
ମୋ: ୯୪୩୭୧୨୪୦୭୪

ସମ୍ବନ୍ଧିତ ଖବର