ପ୍ରତିବାଦ କରିବାର ଅଧିକାର ଅସୀମ କି?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଦିଲ୍ଲୀର ସାହିନ ବାଗଠାରେ ଗତ ୨୦୧୯ ଡିସେମ୍ବରରୁ ଆରମ୍ଭ କରି ପ୍ରାୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ଉପରେ ଚାଲିଥିବା ଧାରଣା କାର୍ଯ୍ୟକ୍ରମକୁ ବିରୋଧ କରି ସୁପ୍ରିମ କୋର୍ଟରେ ଯେଉଁ ଜନସ୍ବାର୍ଥ ମାମଲା ଆଗତ ହୋଇଥିଲା, ତା’ର ରାୟ ଏବେ ପ୍ରକାଶ ପାଇଛି। ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ତପୀଠ, ଏଥିରେ ରାୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତିବାଦ କରିବା ଏକ ମୌଳିକ ଅଧିକାର ଯାହା ସବୁ ମଣିଷଙ୍କର ଅଛି। କିନ୍ତୁ ଏହି ପ୍ରତିବାଦ କରିବାର ଅଧିକାର ଅସୀମ ନୁହେଁ। ଏହାର ମଧ୍ୟ ସୀମା ଅଛି` ଯେ କୌଣସି ସର୍ବସାଧାରଣ ସ୍ଥାନରେ ଏହି ପ୍ରତିବାଦ ଅନିର୍ଦ୍ଦିଷ୍ଟ କାଳ ଧରି କରାଯାଇପାରିବ ନାହିଁ। ଏହା କେବଳ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଯାହାକି କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହୋଇଥିବ ସେଠାରେ କରାଯାଇପାରିବ। ଯେତେବେଳେ କୌଣସି ଗୋଷ୍ଠୀ ପ୍ରତିବାଦର ଧାରଣା କାର୍ଯ୍ୟକ୍ରମ ଆରମ୍ଭ କରନ୍ତି, ସେ‌େତବେଳେ ତା’ର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ସରକାର ସେମାନଙ୍କ ସହ ଆଲୋଚନା କରିବା ଉଚିତ।

କିନ୍ତୁ କୌଣସି ପରିସ୍ଥିତିରେ ଏହି ପ୍ରତିବାଦକାରୀମାନଙ୍କୁ ସରକାର ନିୟନ୍ତ୍ରଣର ବାହାରକୁ ଛାଡିଦେବା ଉଚିତ ନୁହେଁ। ଯଦି ସରକାରୀ କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା, ବୁଝାଶୁଝା ପରେ ମଧ୍ୟ ପ୍ରତିବାଦକାରୀମାନେ ସର୍ବସାଧାରଣ ସ୍ଥାନରୁ ଉଠି ନ ଯାଆନ୍ତି, ତେବେ ଅଦାଲତର ବିନା ଅନୁମତିରେ ମଧ୍ୟ ପୁଲିସ ସେମାନଙ୍କୁ ସେ ସ୍ଥାନରୁ ହଟାଇ ଦେଇପାରିବ। ଜଣକର ପ୍ରତିବାଦ କରିବାର ଗଣତାନ୍ତ୍ରିକ ଅଧିକାର ଅନ୍ୟ ଜଣକର ସୁବିଧା ପାଇବାର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିପାରିବ ନାହିଁ।

ଗଣତନ୍ତ୍ରରେ ନାଗରିକମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ସମ୍ପର୍କରେ ସୁପ୍ରିମ କୋର୍ଟ ଉଲ୍ଲେଖ କଲା ବେଳେ ପୁଲିଜର ପୁରସ୍କାର ପ୍ରାପ୍ତ ଲେଖକ ୱାଲ୍‌ଟର ଲିପ୍‌ମାନଙ୍କର ଉଦ୍ଧୃତିର ଉଲ୍ଲେଖ କରିଛନ୍ତି। ଲିପ୍‌ମାନ କହିଛନ୍ତି ଯେ, ‘ଗଣତନ୍ତ୍ରରେ ବିରୋଧକୁ କେବଳ ଯେ ସାମ୍ବିଧାନିକ ଦୃଷ୍ଟିରୁ ସହ୍ୟ କରାଯିବ, ସେତକ ନୁହେଁ, ଏହାକୁ ମଧ୍ୟ ରକ୍ଷା କରାଯିବା ଦରକାର। କାରଣ ଗଣତନ୍ତ୍ରରେ ପ୍ରତିବାଦ ହେଉଛି ଅପରିହାର୍ଯ୍ୟ।’ କିନ୍ତୁ ସର୍ବସାଧାରଣ ରାସ୍ତାକୁ ପ୍ରତିବାଦକାରୀମାନେ ରୋକି ପାରିବେନି ଓ ବିଶେଷ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକି ପାରିବେ ନାହିଁ। କେହି କହି ପାରିବେ ନାହିଁ ଯେ ‘ମୋ କଥା ହେଉଛି ଶେଷ କଥା। ଏଥିରେ ଆଉ କାହାର କିଛି କହିବାର ନାହିଁ, ବା କରିବାର ନାହିଁ।’ ସରକାର ଜନସାଧାରଣଙ୍କୁ ବସ୍‌ ସେବା, ଗାଡ଼ି ଚଳାଚଳ, ଯାତାୟାତ ଆଦି ଅନେକ ସୁବିଧା ଦେଇଛନ୍ତି। ଏହାକୁ ପାଇବାର ଅଧିକାର ସମସ୍ତଙ୍କର ଅଛି। କୌଣସି ବ୍ୟକ୍ତି, ଜଣକର ପ୍ରତିବାଦ କରିବାର ଅଧିକାର ବଳରେ ଅନ୍ୟ ଜଣକୁ ଏହି ସୁବିଧା ପାଇବାରୁ ବଞ୍ଚିତ କରିପାରିବ ନାହିଁ।

ସାହିନ ବାଗରେ ମାସ ମାସ ଧରି ଚାଲିଥିବା ଏହି ରାସ୍ତା ଅବରୋଧ କାର୍ଯ୍ୟକ୍ରମର କାରଣ ଥିଲା, ସ˚ସଦରେ ଗୃହୀତ ହୋଇଥିବା ନାଗରିକତା ସ˚ଶୋଧନ ଆଇନକୁ ବିରୋଧ କରିବା। ନାଗରିକତା ସ˚ଶୋଧନ ଆଇନ ଅନୁସାରେ ଭାରତର ପଡ଼ୋଶୀ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ଧର୍ମ ନାମରେ ଅତ୍ୟାଚାରିତ ହେଉଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ଶୀ, ଜୈନ ଓ ଖ୍ରୀଷ୍ଟିଆନମାନେ ଭାରତ ଆସିବାକୁ ଚାହିଁଲେ ସେମାନଙ୍କୁ ଏ ଦେଶରେ ନାଗରିକତା ପ୍ରଦାନ କରାଯିବ। ମୁସଲମାନ, ବାମପନ୍ଥୀ, ଉଦାରବାଦୀ ଓ କ˚ଗ୍ରେସ ପରି ବିରୋଧୀ ଦଳମାନେ ଏହି ଆଇନର ବିରୋଧ କରିଥିଲେ, ଯଦିଓ ସ˚ସଦରେ ଏହି ଆଇନ ଏକପ୍ରକାର ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏମାନେ ଆପତ୍ତି ଉଠାଇଥିଲେ ଯେ, ଯଦି ସେହି ତିନିଟି ଦେଶରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ ଆଦିଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ, ତେବେ ମୁସଲମାନମାନଙ୍କୁ ତାହା ପ୍ରଦାନ କରାଯିବ ନାହିଁ କାହିିଁକି? ଭାରତ ସରକାର ଓ ଏହି ଆଇନର ସପକ୍ଷବାଦୀମାନଙ୍କ ଯୁକ୍ତି ହେଲା, ପଡ଼ୋଶୀ ତିନିଟି ଦେଶରେ ଅଣମୁସଲମାନମାନେ ଧର୍ମ ନାମରେ ଉତ୍ପୀଡ଼ିତ ହେଉଛନ୍ତି। ତେଣୁ ସେମାନଙ୍କୁ ଭାରତରେ ମାନବିକତା ଦୃଷ୍ଟିରୁ ନାଗରିକତ୍ବ ପ୍ରଦାନ କରାଯିବ। ମୁସଲମାନମାନେ ସେ ଦେଶରେ ଧର୍ମ ନାମରେ ଅତ୍ୟାଚାରିତ ହେଉନାହାନ୍ତି। ତେଣୁ ସେମାନଙ୍କୁ ଭାରତରେ ନାଗରିକତ୍ବ ଦିଆଯିବ କାହିଁକି? ଏହି ଆଇନର ବିରୋଧୀମାନେ ଅଭିଯୋଗ ଆଣିଥିଲେ, ଏହାଦ୍ବାରା ମୁସଲମାନମାନଙ୍କ ପ୍ରତି ପକ୍ଷପାତିତା କରାଯାଉଛି। ଭାରତ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିବାରୁ ଏ ଦେଶ ସମସ୍ତଙ୍କୁ ସମାନ ଆଚରଣ ଦେଖାଇବା କଥା। ଏହି ଆଇନ ବର˚ ଭାରତକୁ ଏକ ସାମ୍ପ୍ରଦାୟିକ ଦେଶରେ ପରିଣତ କରୁଛି।

ମୁସଲମାନମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ଏହି ଆଇନ ବଳରେ ଭାରତରେ ଥିବା ମୁସଲମାନମାନଙ୍କୁ ଦେଶରୁ ତଡ଼ି ଦିଆଯିବ। ସେମାନଙ୍କୁ ସେମାନଙ୍କର ଓ ପୂର୍ବ ପୁରୁଷଙ୍କ ପରିଚୟପତ୍ର ଉପସ୍ଥାପନ କରିବାକୁ ପଡ଼ିବ। ଭାରତ ସରକାର ଜବାବ ଦେଇଥିଲେ ଯେ ଏହି ଆଇନ ଭାରତରେ ଥିବା ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଯେଉଁମାନେ ଭାରତବର୍ଷ ବାହାରେ ଅଛନ୍ତି ସେହିମାନଙ୍କ ପାଇଁ ଏହି ଆଇନର ସୃଷ୍ଟି। ତେଣୁ ଭାରତର ନାଗରିକ ଥିବା କୌଣସି ମୁସଲମାନଙ୍କୁ ଏ ଦେଶରୁ ବାହାର କରାଯିବ ନାହିଁ।

କିନ୍ତୁ ସୁପ୍ରିମ କୋର୍ଟଙ୍କ ‘ମୋ କଥା ହିଁ ଶେଷ କଥା’ ଅନୁସାରେ ମୁସଲମାନ ଓ ଅନ୍ୟ ପ୍ରତିବାଦକାରୀମାନେ ଭାବିଲେ ଏହା ଉପରେ ପ୍ରତିବାଦ କରାଯିବା ଦରକାର। ଏବ˚ ଏହି ପ୍ରତିବାଦ ଏମିତି ଭାବରେ କରାଯିବା ଦରକାର ଯେମିତି ସର୍ବସାଧାରଣ ହଇରାଣ-ହରକତ ହେବେ ଓ ସରକାର ବାଧ୍ୟ ହୋଇ ଏହି ଆଇନକୁ ପ୍ରତ୍ୟାହାର କରିନେବେ। ତେଣୁ ଏକ ବୁଦ୍ଧି ପ୍ରୟୋଗ କରି ମୁଖ୍ୟତଃ ମହିଳାମାନଙ୍କୁ ଠୁଳ କରି ସାହିନ ବାଗରେ ପ୍ରତିବାଦ କାର୍ଯ୍ୟକ୍ରମ କରାଗଲା। ପୁଲିସ ପୁରୁଷମାନଙ୍କୁ ଯେତେ ସହଜରେ ରାସ୍ତାରୁ ହଟାଯାଇ ପାରିବ, ମହିଳାମାନଙ୍କୁ ସେତେ ସହଜରେ ହଟାଯାଇ ପାରିବ ନାହିଁ ବୋଲି ଏମିତି ପଦକ୍ଷେପ ନିଆଗଲା। ଏହି ଆନ୍ଦୋଳନର ନେତୃତ୍ବ ବିଲକିସ ବାନୋ ନାମକ ୮୨ ବର୍ଷର ବୃଦ୍ଧା ନେଉଥିଲେ, ଯାହାଙ୍କୁ ବିଶ୍ବ ବିଖ୍ୟାତ ‘ଟାଇମ’ ପତ୍ରିକା ବିଶ୍ବର ସବୁଠୁ କ୍ଷମତାସଂପନ୍ନ ୧୦୦ ଜଣ ମହିଳାଙ୍କ ମଧ୍ୟରେ ବାଛିଛି।

ଏହାର ବିରୋଧ କରି ଅମିତ ସାହାନୀ ନାମକ ଜଣେ ଓକିଲ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ସେତେବେଳେ ଆଗତ କରିଥିଲେ ଓ ପ୍ରତିବାଦକାରୀମାନଙ୍କୁ ସେଠାରୁ ହଟାଇ ଦିଆଯାଉ ବୋଲି ଅଦାଲତଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଅଦାଲତ କିନ୍ତୁ ସେତେବେଳେ ପରିସ୍ଥିତିକୁ ଚାହିଁ ଏହା ଉପରେ କୌଣସି ରାୟ ଦେଇନଥିଲେ। ଅଦାଲତଙ୍କର ସେତେବେଳେ ଆଶଙ୍କା ଥିଲା ଯେ ଏହି ଧାରଣାକୁ ବଳପୂର୍ବକ ଉଠାଇ ଦେବାକୁ ସେତେବେଳେ ରାୟ ଦେଇଥିଲେ ହୁଏତ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥାନ୍ତା। ତେଣୁ ପରବର୍ତ୍ତୀ କାଳରେ ବାତାବରଣ ଶାନ୍ତି ପଡ଼ିଲେ ରାୟ ଦେବାକୁ ମନସ୍ଥ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ସାହିନ ବାଗ ନୁହେଁ, ଏ ଦେଶରେ ଏକ ସାଧାରଣ ବିଶ୍ବାସ ପ୍ରଚଳିତ ଯେ ନିଜର ସ୍ବାର୍ଥ ହାସଲ ପାଇଁ ଯାହା କିଛି କଲେ ବି ଚଳିବ। କାରଣ ଏହା ହେଉଛି ଏକ ଗଣତନ୍ତ୍ର। ଏଥିରେ ବିକ୍ଷୋଭ, ଆନ୍ଦୋଳନ ଇତ୍ୟାଦି ଯେତେବେଳେ ଇଛା ସେତେବେଳେ କରାଯାଇପାରିବ। ଧାରଣା ମଧ୍ୟ ପ୍ରଚଳିତ ଯେ ନିଜ ଦାବି ହାସଲ କରିବାର ସରଳ ଉପାୟ ହେଉଛି ସାଧାରଣ ଜନତାଙ୍କୁ ହଇରାଣ କରିବା। ଯେହେତୁ ଦାବି ହାସଲକାରୀମାନେ ପୁଲିସ, ପ୍ରଶାସନ ଇତ୍ୟାଦିଙ୍କୁ ହଇରାଣ ହରକତ କରିପାରନ୍ତି ନାହିଁ, ସେମାନେ ତାହା ସାଧାରଣ ଜନତା ଉପରେ ପ୍ରୟୋଗ କରନ୍ତି, ଯେଉଁମାନେ ଏହି ବିକ୍ଷୋଭ ଆନ୍ଦୋଳନ କାଳରେ କିଛି କରି ନ ପାରି ଅସହାୟ ହୋଇ ଠିଆ ହୋଇଥାନ୍ତି। ଏଣୁ ଭାରତବର୍ଷରେ ‘ଗରିବ ମାଇପ ସମସ୍ତଙ୍କ ଶାଳୀ’ ନ୍ୟାୟରେ ରାଜପଥ ଓ ରେଳପଥକୁ ଅସହାୟ ମନେ କରି ତାହାକୁ ହିଁ ଯେତେବେଳେ ପାରି ସେତେବେଳେ ‘ରୋକି ଦିଅନ୍ତି’। ସେତେବେଳେ ଅତି ସରଳ ଓ ଶାନ୍ତ ବୋଲି ବାହାରକୁ ଦିଶୁଥିବା ସାଧାରଣ ମଣିଷମାନେ ଅତି ଉଗ୍ର ଓ ହି˚ସ୍ର ହୋଇ ଉଠନ୍ତି। ‘ସାମୂହିକ ଔଦ୍ଧତ୍ୟ’ ସେମାନଙ୍କୁ ସେତେବେଳେ ଏତେ ଅଧିକ ଗ୍ରାସ କରିଥାଏ ଯେ ସେମାନେ କୌଣସି ପ୍ରକାର ବୁଝାଶୁଝାକୁ ଗ୍ରହଣ କରନ୍ତି ନାହିଁ। ନିଜ ଗାଁରେ ବିଜୁଳି କାହିଁକି ନାହଁ, ସେହି ଯୁକ୍ତିରେ ପାଖରେ ଥିବା ରାଜପଥକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରି ରଖନ୍ତି। ମଦ ଖାଇ ରେଳଗାଡ଼ି ଆସୁଥିବା ବେଳେ ରେଳପଥ ଉପରକୁ ଦୁଇ ଚକିଆ ଅବା ଚାରି ଚକିଆ ଗାଡ଼ିରେ ଆସି ପିଟି ହୋଇ ମରିଯାଇଥିବା ଲୋକ ପାଇଁ ସ୍ଥାନୀୟ ଜନସାଧାରଣ ରେଳପଥ ଉପରେ ଦୁଇ ଚାରିଟି ପଥର ପକାଇ ଦେଇ ଘଣ୍ଟା ଘଣ୍ଟା ଧରି ଦୁଇ ପଟରୁ ଆସୁଥିବା ଟ୍ରେନ୍‌ମାନଙ୍କୁ ଅଟକାଇ ରଖି ଥାଆନ୍ତି ଓ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତି। ବସ୍‌ ବା ଟ୍ରେନ୍‌ରେ କୌଣସି ରୋଗୀ ଥିଲେ ମଧ୍ୟ ଏହାକୁ ପରବାୟ କରନ୍ତି ନାହିଁ। ଅଦାଲତମାନେ ମଧ୍ୟ ଏହି ଘଟଣାକୁ ସେତେ ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଏହା ଉପରେ କୌଣସି ମାମଲା ଆଗତ ହେଲେ ତା’ର ବିଚାର କରନ୍ତି ନାହିଁ ତଥା ବିଚାର ସରିଲେ ମଧ୍ୟ ରାୟ ଦିଅନ୍ତି ନାହିଁ। ସେମାନେ ଭାବନ୍ତି ଗଣତନ୍ତ୍ରରେ ଏପରି ହୁଏ ଓ ଏହାକୁ ସହ୍ୟ କରିବା ଉଚିତ। ଠିକ୍‌ ସେହିପରି ନିଜର କ୍ରୋଧ ପ୍ରକାଶ କରିବା ପାଇଁ ସରକାରୀ ଓ ବେସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଏକ ମୌଳିକ ଅଧିକାର ବୋଲି ଅନେକଙ୍କର ଏକ ବଦ୍ଧ ଧାରଣା। କେରଳ ହାଇକୋର୍ଟ ଦୁଇ ଦଶନ୍ଧି ତଳେ କୌଣସି ରାଜନୈତିକ ଦଳ ବା ଟ୍ରେଡ୍‌ ୟୁନିୟନ ବନ୍ଦ ଡାକରା ଦେଲେ ଅବା ସରକାରୀ ସମ୍ପତ୍ତି ନଷ୍ଟ କଲେ ସେମାନଙ୍କୁ କୋଟି କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ରାୟ ଦେଇଥିଲେ।

ଓଡ଼ିଶାର ଶାସକ ଦଳ ଗତ କେତେ ବର୍ଷ ତଳେ ଏକ ବନ୍ଦ ଡାକରା ଦେଇଥିବାରୁ ଏହି ଲେଖକ ଓଡ଼ିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ଅଦାଲତରେ ତଦାନୀନ୍ତନ ମୁଖ୍ୟ ବିଚାରପତି କେବଳ ସେହି ଦଳ ନିକଟରୁ ଏକ ଲିଖିତ ପ୍ରତିଶ୍ରୁତି ନେଇଥିଲେ ଯେ, ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଉପାୟରେ କରାଯିବ। କିନ୍ତୁ ଶାନ୍ତିପୂର୍ଣ୍ଣ ଉପାୟରେ ଗାଡ଼ି ଚଳାଚଳ ଅବା ଦୋକାନବଜାର, ବିଭିନ୍ନ ଅଫିସ ବନ୍ଦ କରିବାର ଅଧିକାର କୌଣସି ବ୍ୟକ୍ତି ଅବା ସଂଗଠନର ଅଛି କି? ଅନ୍ୟ ଜଣକୁ ଅସୁବିଧାରେ ପକାଇବା କ’ଣ ଗଣତନ୍ତ୍ରରେ ଅଧିକାର ଅନ୍ତର୍ଭୁକ୍ତ? ଏ ଦିଗରେ ଅଦାଲତଗୁଡ଼ିକର ଦୁର୍ବଳତା ଓ ଅନ୍ୟାୟର ମୁକାବିଲା କରିବାରେ ସାହସର ଅଭାବ ଦେଶର ପ୍ରଶାସନ ଉପରେ ଏକ ନକାରାତ୍ମକ ଟିପ୍ପଣୀ ଦେଇନଥାଏ। ସାହିନ ବାଗ ଉପରେ ଏବେ ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଲେ, ସେ ଦୃଷ୍ଟିରୁ ଯେଉଁମାନେ ଏହି ଘଟଣାକୁ ପ୍ରତ୍ୟକ୍ଷ ଭାବରେ ସମର୍ଥନ କରୁଥିଲେ ଓ ସେଠାରେ ଉପସ୍ଥିତ ହୋଇ ଏହି ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିଲେ, ସେମାନେ ସମାଜର ଶତ୍ରୁ ନୁହନ୍ତି କି? ଅନ୍ୟାୟକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିମାନଙ୍କୁ ଦଣ୍ତ ଦିଆଯିବା ଉଚିତ ନୁହେଁ କି? କେବଳ ସରକାର ନୁହନ୍ତି, ଅଦାଲତ ମଧ୍ୟ ଏପରି କ୍ଷେତ୍ରରେ ଅନ୍ୟାୟକୁ ରୋକିବାରେ ସାହସ ପ୍ରଦର୍ଶନ କରିବା କଥା ନୁହେଁ କି? ଯେଉଁମାନେ ନାଗରିକତା ସ˚ଶୋଧନ ଆଇନକୁ ବିରୋଧ କରିବା ଆଳରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଆଦିରେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି, ସେମାନଙ୍କ ପାଖରୁ ଏହି କ୍ଷତିପୂରଣ ଓ ଜରିମାନା ଆଦାୟ କରାଯିବାକୁ ଅଦାଲତ ସମର୍ଥନ କରିବା ଉଚିତ ନୁହେଁ କି?

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର