ସଂପ୍ରତି ପରିବେଶ ଅବକ୍ଷୟ ପୃଥିବୀର ସମସ୍ତ ସଚେତନ ବର୍ଗଙ୍କ ଲାଗି ଏକ ବଡ଼ ଉଦ୍ବେଗର କାରଣ ହୋଇଛି। ପରିବେଶ ଅବକ୍ଷୟ ସହିତ ବିଭିନ୍ନ ପ୍ରକାର ପ୍ରାଣୀ ପ୍ରଜାତି ଲୋପ ପାଇଯିବାର ବିପଦ ସମସ୍ତଙ୍କୁ ଆହୁରି ଅଧିକ ଉଦ୍ବିଗ୍ନ କରିଛି। ଏଭଳି ଏକ ସ୍ଥିିତିରେ ଭାରତରେ ଏବେ ପ୍ରାୟ ୧୭୬ ପ୍ରକାର ନୂଆ ପ୍ରାଣୀ ପ୍ରଜାତି ଆବିଷ୍କୃତ ହେବା ବା ଚିହ୍ନଟ ହେବା ନିଶ୍ଚିତ ଭାବେ ଆଶ୍ବସ୍ତକାରକ ତଥା ଆଶ୍ବାସନାମୂଳକ। ଜଣାପଡ଼ିଛି ଯେ ‘ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ତିଆ’ ବା ‘ଜେଡ୍.ଏସ୍.ଆଇ.’ର କ୍ଷେତ୍ର ସ୍ତରୀୟ ବୈଜ୍ଞାନିକମାନେ ଏ ସମସ୍ତ ପ୍ରାଣୀ ପ୍ରଜାତିଙ୍କୁ ଆବିଷ୍କାର କରିଛନ୍ତି। ପୂର୍ବ ଘାଟ ଓ ପଶ୍ଚିମ ଘାଟ ପାର୍ବତ୍ୟାଞ୍ଚଳ ଏବ˚ ଉତ୍ତର ପୂର୍ବ ଭାରତରେ ଏଇ ସବୁ ପ୍ରାଣୀ ପ୍ରଜାତିଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ଭିତରେ ସବୁଠାରୁ ଅଧିକ ଅଛନ୍ତି ଗହଳ ଘାସବୁଦା ଆଚ୍ଛାଦିତ ଅଞ୍ଚଳରେ ରହୁଥିବା ଜୀବ। ତା’ ଛଡ଼ା କିଛି ସ˚ପୂର୍ଣ୍ଣ ନୂଆ ପ୍ରକାରର ମାଛ ଓ ଉଭୟଚର ପ୍ରାଣୀ ମଧ୍ୟ ଏହି ବୈଜ୍ଞାନିକମାନଙ୍କ ଦ୍ବାରା ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏ ନୂଆ ପ୍ରକାର ପ୍ରାଣୀ ପ୍ରଜାତିଙ୍କ ଭିତରେ ଅଛନ୍ତି ୯୩ ପ୍ରକାର କୀଟପତଙ୍ଗ, ୨୩ ପ୍ରକାର ସରୀସୃପ, ୧୨ ପ୍ରକାର ବୁଢ଼ିଆଣି ପ୍ରଜାତି ଏବ˚ କଙ୍କଡ଼ା ଓ ଚିଙ୍ଗୁଡ଼ି ଭଳି ଟାଣ ଖୋଳପାଧାରୀ ୧୨ଟି ଜୀବ ପ୍ରଜାତି। ତେବେ ଏମାନଙ୍କୁ ଆବିଷ୍କାର କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଯେହେତୁ ଏମାନଙ୍କ ଭିତରୁ ଅନେକ ଜୀବ ଏକ କ୍ଷୁଦ୍ର ପରିସରରେ ଦେଖିବାକୁ ମିଳୁଛନ୍ତି, ଆଶଙ୍କା ଜାତ ହୋଇଥାଏ ଯେ, ସେମାନେ ହୁଏତ ବିଲୁପ୍ତିର ଦ୍ବାର ଦେଶରେ ଅଛନ୍ତି।
ଭାରତର ଦୁଇଟି ଅଞ୍ଚଳ ଜୈବ ବିବିଧତା ଲାଗି ପୃଥିବୀ ପ୍ରସିଦ୍ଧ। ସେ ଦୁଇଟି ହେଲା ପୂର୍ବ ଓ ପଶ୍ଚିମଘାଟ ପର୍ବତମାଳା ଏବ˚ ହିମାଳୟ ପାର୍ବତ୍ୟାଞ୍ଚଳ। ଏଇ ଦୁଇ ଅଞ୍ଚଳରେ ଏଭଳି ଆହୁରି ଅସ˚ଖ୍ୟ ପ୍ରାଣୀ ପ୍ରଜାତି ବାସ କରନ୍ତି, ଯେଉଁମାନଙ୍କ ବିଷୟରେ କେବେ ଆଗରୁ ଜଣା ପଡ଼ିନାହିଁ ବା ସେମାନଙ୍କ ବିଷୟରେ କୌଣସି ତଥ୍ୟ ନାହିଁ। ସେଇ ପରିପ୍ରେକ୍ଷୀରେ ପରିବେଶ ପ୍ରଦୂଷଣ କାରଣରୁ ଅନେକ ପ୍ରାଣୀ ପ୍ରଜାତି ହୁଏତ ଶହ ଶହ ବର୍ଷ କାଳ ପୃଥିବୀରେ ବାସ କରିଥିବା ସତ୍ତ୍ବେ ବିନା କୌଣସି ଚିହ୍ନ ରଖି ବିଲୁପ୍ତ ହୋଇ ଯାଇଥାଇପାରନ୍ତି। ବିଡ଼ମ୍ବନା ହେଲା, ଜୈବ ବିବିଧତାର ଏ ଦୁଇ ମହାଭଣ୍ତାର ଏବେ ବିଭିନ୍ନ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଖଣିଖାଦାନ କାରବାର ଏବ˚ ମାନବ ବସତି ହେତୁ ଏ ଦୁଇ ଅଞ୍ଚଳ ଏବେ ଆକ୍ରାନ୍ତ। ତେବେ, ଏହା ବି ସତ ଯେ ସଚେତନତାର ପ୍ରସାର ଏବ˚ ପରିବେଶବାଦୀଙ୍କ ସ˚ଖ୍ୟା ବୃଦ୍ଧି ହେତୁ ଏବେ ଏ ଦୁଇ ବିଶାଳ ଅଞ୍ଚଳ ସାମ୍ନା କରୁଥିବା ଅବାଧ ଆକ୍ରମଣ ଉପରେ ରୋକ ଲାଗିଛି। ବିଭିନ୍ନ ସମୟରେ ଅଦାଲତଗୁଡ଼ିକ ବି ଏ ଦିଗରେ ଆପଣା ଯୋଗଦାନ ଦେଉଛନ୍ତି। ତଥାପି ଏ ଅଞ୍ଚଳରେ ପରିବେଶ ଉପରେ ହେଉଥିବା ଆକ୍ରମଣ ସ˚ପୂର୍ଣ୍ଣ ରୂପେ ବନ୍ଦ ହୋଇନାହିଁ।
ହିମାଳୟ ପାର୍ବତ୍ୟାଞ୍ଚଳର ପରିବେଶ ମନୁଷ୍ୟ ଅତିକ୍ରମଣ ଦ୍ବାରା ବ୍ୟତିବ୍ୟସ୍ତ। ପରିବେଶବିତ୍ମାନେ ଭବିଷ୍ୟବାଣୀ କଲେଣି ଯେ ଯଦି ପରିବେଶ ଉପରେ ଆକ୍ରମଣକୁ ସ˚ପୂର୍ଣ୍ଣ ରୂପେ ରୋକା ନ ଯାଏ, ତେବେ ଆଗାମୀ ସତୁରି ବର୍ଷ ଭିତରେ ହିମାଳୟର ଅଧାଅଧି ବରଫ ତରଳିଯିବ ଏବ˚ ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ଚିରସ୍ରୋତା ନଦୀଗୁଡ଼ିକ ଶୁଖିଯିବେ। ଏ ଆଶଙ୍କା ନିଶ୍ଚିତ ଭାବେ ଘୋର ଚିନ୍ତାଜନକ, କାରଣ ଆମ ଉପମହାଦେଶର ଜଳବାୟୁ ସ˚ପୂର୍ଣ୍ଣ ଭାବେ ହିମାଳୟ ଏବଂ ପୂର୍ବ ଓ ପଶ୍ଚିମଘାଟ ପର୍ବତମାଳା ଦ୍ବାରା ନିୟନ୍ତ୍ରିତ। ତେଣୁ ପୃଥିବୀର ସବୁଠାରୁ ବୈଚିତ୍ର୍ୟମୟ ଜୈବ ବିବିଧତାର ଏ ଦୁଇ ଭଣ୍ତାରକୁ ପ୍ରଦୂଷଣକାରୀଙ୍କ ହାତରେ ନଷ୍ଟ ହେବାକୁ ଛାଡ଼ି ଦିଆଯିବା ଉଚିତ ନୁହେଁ।
ଫ୍ଲାଟ୍ ନ˚- ୪୦୩, କିରଣ ପାରିଜାତକ ଏନ୍କ୍ଲେଭ, କ୍ୟାଣ୍ଟନମେଣ୍ଟ ରୋଡ୍, କଟକ
ମୋ: ୯୪୩୭୨୭୭୭୪୮