ସେଦିନ ଡେଭିଡ ଥୋରୋ ଏବ˚ ୱାଲ୍ଡୋ ଇମରସନ୍ ଦୁଇଜଣ ପ୍ରାକ୍ତନ ଛାତ୍ର ହାର୍ଭାର୍ଡ୍ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଯାହା କଥା ହେଉଥିଲେ- ଇମରସନ୍ କହିଥିଲେ ଆମ ୟୁନିଭର୍ସିଟି ଶାଖା ପ୍ରଶାଖା ମେଲାଇ ଦ୍ରୁତ ଗତିରେ ନୂତନ ଅଭୀପ୍ସା ପୋଷଣ କରି ଅଧିକ ଜ୍ଞାନପ୍ରାପ୍ତି ଆଡ଼କୁ ଅଗ୍ରସର ହେଉଛି, ଅଧିକରୁ ଅଧିକ ଜାଣିବା ପାଇଁ। ବନ୍ଧୁ ଥୋରୋ କମେଣ୍ଟ କରି କହିଥିଲେ- ଶାଖା ପ୍ରଶାଖା ଖୁବ୍ ଭଲ କଥା; କିନ୍ତୁ ଏହି ଶିକ୍ଷାର ମୂଳ ଓ ଚେର କେଉଁଠି ଅର୍ଥାତ୍ ଏହା ଜୀବନଠାରୁ ଦୂରେଇ ଯାଉଛି! ବେଞ୍ଜାମିନ ଡିଜରାଇଲି ସେଦିନ କହିଥିଲେ ଲୋକମାନଙ୍କର ଶିକ୍ଷା ଉପରେ ହିଁ ଆମ ରାଷ୍ଟ୍ରର ଭାଗ୍ୟ ନିର୍ଭରଶୀଳ। ଭାରତର ନୂତନ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ଶିକ୍ଷାକୁ ଜୀବନ ସହିତ ଯୋଡ଼ିବା। ତେଣୁ ଭାରତକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାକୁ ହେଲେ ଜାତୀୟ ଓ ଅନ୍ତର୍ଜାତୀୟ ପାଠ୍ୟକ୍ରମ ବା ଖସଡ଼ା ଭିତରେ ଯାହା କିଛି ସବୁ ଉପାଦେୟ, ଏଗୁଡ଼ିକୁ ସନ୍ନିବିଷ୍ଟ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା, ଜ୍ଞାନ ଏବ˚ ଆଭିମୁଖ୍ୟ ଆଦିର ଉଦ୍ରେକ କରିବା ପୂର୍ବକ ସେମାନଙ୍କ ମଧ୍ୟରେ ଆର୍ନ୍ତଜାତିକ ଦୃଷ୍ଟିକୋଣ ତଥା ନମ୍ରତା, ସହନଶୀଳତା, ପର ଦୁଃଖରେ ସହଭାଗୀ ହେବା ଓ ବିଭିନ୍ନ ସ˚ସ୍କୃତି ଓ ସଭ୍ୟତାଗୁଡ଼ିକ ସହିତ ତାଙ୍କୁ ପରିଚିତ କରାଇବା ଅତ୍ୟନ୍ତ ଜରୁରୀ। କୌଣସି କ୍ଷେତ୍ରରେ ସଫଳତା ପାଇଁ ଆକର୍ଷଣୀୟ ବ୍ୟକ୍ତିତ୍ବ, ଯୋଗାଯୋଗ ଦକ୍ଷତା, ଉନ୍ନତ କଥନଶୈଳୀ, ତୀକ୍ଷ୍ଣ ବୁଦ୍ଧିମତ୍ତା ସହିତ ସଫଳତମ ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିବା ଶିଖନ୍ତୁ।
୧୯୬୬-୬୮ ମସିହାରେ ‘କୋଠାରି କମିସନ’ ତାଙ୍କ ଶିକ୍ଷା ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ‘ଶ୍ରେଣୀ ଗୃହରେ ହିଁ ଭାରତର ଭବିଷ୍ୟତ ନିର୍ମାଣ ହେଉଛି’। ନେଲସନ ମାଣ୍ତେଲା ଏକଦା କହିଥିଲେ- ‘ଶିକ୍ଷା ଏକ ଶକ୍ତିଶାଳୀ ଅସ୍ତ୍ର, ଯାହା ଦ୍ବାରା ଆମେ ପୃଥିବୀକୁ ପରିବର୍ତ୍ତନ କରିପାରିବା।’ ବ୍ରିଟିସ୍ ଦାର୍ଶନିକ ହର୍ବଟ ସ୍ପେନସରଙ୍କ ଭାଷାରେ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କେବଳ ଜ୍ଞାନ ଆହରଣ ନୁହେଁ। ଏହା ହେଉଛି ‘ଆକ୍ସନ’ ବା କାର୍ଯ୍ୟାନ୍ବୟନ। ତେଣୁ ଶିକ୍ଷିତ ମଣିଷଟିଏ ଜୀବନରେ କିପରି କାର୍ଯ୍ୟ କରୁଛି ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଶିକ୍ଷାର ଲକ୍ଷ୍ୟ ହେଉଛି ମୂଲ୍ୟଭିିତ୍ତିକ ଜ୍ଞାନ ଆହରଣ; କୌଣସି ବସ୍ତୁ ବିଷୟରେ କେବଳ ସୂଚନା ଆହରଣ ନୁହେଁ। ଆମ ମନରେ ଭାବନା ରହିବା ଉଚିତ ଯେ ପ୍ରତ୍ୟେକ ବ୍ୟକ୍ତି ଅସୀମ ଅନ୍ତର୍ଶକ୍ତି ନେଇ ଜନ୍ମିତ ହୋଇଥାଏ, ତା’ ଭିତରେ ଭରପୂର ଥାଏ ସୀମାହୀନ ସମ୍ଭାବନା। କେବଳ ଧୈର୍ଯ୍ୟ ଓ ସମୟ ଭଳି ଦୁଇଟି ଅସ୍ତ୍ର ନେଇ ସେ ଦିଗ୍ବିଜୟୀ ହୋଇପାରେ।
୨୦୦୫ ମସିହାରେ ‘ଆପଲ୍’ କଂପାନିର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜାବସ୍ ଷ୍ଟାନଫୋର୍ଡ ୟୁନିଭରସିଟିରେ ତାଙ୍କ କନ୍ଭୋକେସନ ଅଭିଭାଷଣରେ କହିଥିଲେ- ‘ଷ୍ଟେ ହଙ୍ଗ୍ରି, ଷ୍ଟେ ଫୁଲିସ୍ ଅର୍ଥାତ୍ ଜ୍ଞାନ ଆହରଣ ହିଁ ଜରୁରୀ’।
ଫେସ୍ବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ହାର୍ଭାର୍ଡ୍ର ୩୬୬ତମ ସମାବର୍ତ୍ତନ ଅବସରରେ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଆଜିର ଦୁନିଆ ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ସ୍ଥିର କରିବା ସହିତ ପରସ୍ପର ପ୍ରତି ଯତ୍ନଶୀଳ ହେବା, ଅସମାନତା ବିରୋଧରେ ଲଢ଼େଇ କରିବା ଏବ˚ ବିଶ୍ବ ସମାଜକୁ ସୁଦୃଢ଼ କରିବା ପାଇଁ ନିଜର କର୍ତ୍ତବ୍ୟ କରି ଚାଲିବା ଉଚିତ। ସମସ୍ୟା ଭିତରେ ହିଁ ସୁଯୋଗ ଲୁଚି ରହିଥାଏ। ଶିକ୍ଷା ଆମ ମନକୁ ଉନ୍ମୁକ୍ତ କରିବା ଉଚିତ ଏବ˚ ଛାତ୍ରଛାତ୍ରୀମାନଙ୍କୁ ଅନୁସନ୍ଧିତ୍ସୁ କରିବାରେ ସହାୟକ ହେବା ଆବଶ୍ୟକ। କିନ୍ତୁ ବର୍ତ୍ତମାନର ଶିକ୍ଷା ବିଶେଷ ଭାବରେ ସେମାନଙ୍କୁ ଚାକିରି ଅଭିମୁଖୀ କରାଉଛି। ପିଲାମାନଙ୍କ ମଧ୍ୟରେ ସାମାଜିକ ଦକ୍ଷତାର ବିକାଶ ହେବା ଭଳି କୌଣସି ବ୍ୟବସ୍ଥା ଫଳପ୍ରଦ ହେବା ମଧ୍ୟ ଏକ ଦୁରୂହ ବ୍ୟାପାର। ସେମାନଙ୍କ ଭିତରେ ସୃଜନଶୀଳତା ଜାଗ୍ରତ କରିବା ସହିତ ବୈଜ୍ଞାନିକ ଦୃଷ୍ଟିକୋଣ ଉଦ୍ରେକ କରାଯିବା ଜରୁରୀ। ସିଲାବସ -ଭିିତ୍ତିକ ପାଠ୍ୟକ୍ରମ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ମେଧା’ ବା ବୁଦ୍ଧିର ବିକାଶ ପାଇଁ ବ୍ୟବସ୍ଥା ରହିବା ଦରକାର। ବିଶିଷ୍ଟ ଉଦ୍ଭାବକ ଥୋମାସ ଏଡିସନ ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ମୂର୍ଖ ବୋଲି କହି ତାଙ୍କୁ ଶ୍ରେଣୀରୁ ବାହାର କରିଦିଆଯାଇଥିଲା। ତାଙ୍କ ମା’ କହିଥିଲେ ମୋ ପୁଅ ଭଲ ପଢ଼ି ନ ପାରେ ମାତ୍ର ତା’ର ବୁଦ୍ଧି ଅଛି। ଏଡିସନ କହିଥିଲେ ‘ମୁଁ ହାରିଯାଇ ନାହିଁ’ ବର˚ ମୁଁ ଦଶ ହଜାରରୁ ଅଧିକ ରାସ୍ତା ବା ସୂତ୍ର ନିର୍ଣ୍ଣୟ କରିଛି ଯାହାକୁ ନେଇ ଚାଲିଲେ ସଫଳତା ମିଳିବ ନାହିଁ। ଜଣେ ବ୍ୟକ୍ତି ଯଦି ଜୀବନରେ ଭୁଲ କରିନାହିଁ ତେବେ ସେ ନୂତନତା ପାଇଁ ଉଦ୍ୟମ କରିନାହିଁ ବୋଲି ଭାବିବାକୁ ହେବ ବୋଲି ଆଇନଷ୍ଟାଇନ କହିଥିଲେ। କୁହାଯାଏ ଯେତେବେଳେ ଆମ ପାଇଁ ଗୋଟିଏ ଦରଜା ବନ୍ଦ ହୋଇଯାଏ, ଅନ୍ୟ ଏକ ଦରଜା ହିଁ ଆପେ ଆପେ ଖୋଲିଯାଏ। ସେତେବେଳେ କେବଳ ଆବଶ୍ୟକ ପଡ଼ିଥାଏ ଅସୀମ ଧୈର୍ଯ୍ୟ ଓ ଏକାଗ୍ରତା।
ନିକଟରେ ଗୁଜରାଟର ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଅଭିଭାଷଣରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ସେମାନେ କେବଳ ସରକାରଙ୍କ ବିରୋଧରେ ନୁହେଁ ବର˚ ଯେଉଁମାନେ ସମାଜରେ ନିଜ ସ୍ବର ଉତ୍ତୋଳନ କରିପାରୁନାହାନ୍ତି ତାଙ୍କ ସପକ୍ଷରେ ଦୃଢ଼ତାର ସହିତ ଛିଡ଼ା ହୋଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବା ସହିତ ନିର୍ଭୟରେ ନିଜର ଭିନ୍ନ ମତ ପ୍ରକାଶ କଲେ ଯାଇ ଅନ୍ୟର ପାଟି ଚୁପ୍ କରିପାରିବ। ୨୦୧୮ରେ ‘ଦ ଟାଇମ୍ସ ଅଫ ଦ ଇୟର ଏଡୁକେସନ’ ପକ୍ଷରୁ ଅକ୍ସଫୋର୍ଡ ୟୁନିଭରସିଟିକୁ ହଜିଯାଇଥିବା ବିଶ୍ବାସର ଜନ୍ମଭୂମି ରୂପେ ବର୍ଣ୍ଣନା କରାଯାଇଥିଲା। ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବତନ୍ତ୍ରତା ବଜାୟ ରଖିବା ସହିତ ଏହାର କାର୍ଯ୍ୟବିଧିରେ ଅଯଥା ହସ୍ତକ୍ଷେପ ବାଞ୍ଛନୀୟ ନୁହେଁ। ନିକଟରେ ଟ୍ରମ୍ପ୍ ପ୍ରଶାସନର ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ନିଷ୍ପତ୍ତି ବିରୋଧରେ ଏକ ଆଇନଗତ ଲଢ଼େଇରେ ଅବତୀର୍ଣ୍ଣ ହୋଇ ଆମେରିକାର ବିଶ୍ବବିଦ୍ୟାଳୟ ସମୂହ ଆପଣା ସ୍ବତନ୍ତ୍ରତା ଓ ନୈତିକ ଶକ୍ତିର ପ୍ରମାଣ ଦେଇଛି।
ନିକଟରେ ଶିକ୍ଷାର ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ନିମିତ୍ତ ଡ. କସ୍ତୁରୀ ର˚ଗନ କମିଟିର ରିପୋର୍ଟ ଭିିତ୍ତିରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରସ୍ତୁତ କରାଯାଇଛି ଯାହାକି ଏକବି˚ଶ ଶତାବ୍ଦୀରେ ସାମାଜିକ ଏବ˚ ଆବେଗାତ୍ମକ ଶିକ୍ଷା ମାଧ୍ୟମରେ ଜ୍ଞାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଦିଗରେ ସହାୟକ ହେବା ସହିତ ଅନେକ ସଦ୍ଗୁଣର ବିକାଶ ମଧ୍ୟ କରିବ। କଳା ଓ ସମାଜବିଜ୍ଞାନ, ଧନ୍ଦାମୂଳକ ତଥା ପରିବେଶଜନିତ ଶିକ୍ଷା ଆଦି ଉପରେ ଗୁରୁତ୍ବ ରଖିବ। ଏହା କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ବିଚାରବୋଧ ଓ ଦକ୍ଷତା ଉଦ୍ରେକ କରିବା ପାଇଁ ନୁହେଁ ବର˚ ଏହା ସେମାନଙ୍କର କୋମଳ ଶକ୍ତି (Softpower) ମଧ୍ୟ ଜାଗ୍ରତ କରିବାରେ ସହାୟକ ହେବ। ପ୍ରସିଦ୍ଧ ଫରାସୀ ଦାର୍ଶନିକ ଜେ ଜେ ରୁଷୋ ତାଙ୍କ ରଚିତ ‘ଏମିଲ’ ପୁସ୍ତକରେ ଲେଖିଛନ୍ତି ଯେ ‘ଶିକ୍ଷକଙ୍କ ମୁଖନିଃସୃତ ବାଣୀ ନୁହେଁ, ନିଜର ଯୁକ୍ତିସିଦ୍ଧ ଅନୁଧ୍ୟାନ ହିଁ ଛାତ୍ର ପାଇଁ ଉପଯୁକ୍ତ ଶିକ୍ଷାଲାଭର ଆଧାର ବୋଲି ସେ ବିଶ୍ବାସ କରନ୍ତି’। ସେହିପରି ଫରାସୀ ବିପ୍ଳବର ପୁରୋଭାଗରେ ଥିବା ଅନ୍ୟତମ ଗଣିତଜ୍ଞ ଦାର୍ଶନିକ ନିକୋଲାସ କାଣ୍ତର୍ସେ ୧୭୯୭ରେ ପ୍ରକାଶିତ ତାଙ୍କର ପୁସ୍ତକ ‘ପ୍ରୋଗେସ ଅଫ୍ ଦ ହ୍ୟୁମାନ ସ୍ପିରିଟ୍’ରେ ଏକ ଆନନ୍ଦମୟ ଦୁନିଆର ଆବିର୍ଭାବ ପାଇଁ ଯେଉଁ ଏକମାତ୍ର ଉପାଦାନ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ସ୍ଥାପନ କରିଥିଲେ ତାହା ହେଲା ‘ସାର୍ବଜନୀନ ଶିକ୍ଷା’। କିନ୍ତୁ ଶିକ୍ଷକ ପିଲାମାନଙ୍କ ନିକଟରେ ଉଦ୍ଦିଷ୍ଟ ଜ୍ଞାନ, କୌଶଳ ଓ ଉପଯୁକ୍ତ ମାନସିକତା ପହଞ୍ଚାଇବା ପାଇଁ ଶିକ୍ଷା ଜୀବନର ଯେଉଁ ରାସ୍ତା ଅନୁସରଣ କରିବେ ତାହା ବାଛିବାର ସ୍ବାଧୀନତା ଶିକ୍ଷକଙ୍କୁ ମିଳିବା ମଧ୍ୟ ଆବଶ୍ୟକ। କୁହାଯାଇଛି ଜଣେ ଭଲ ଶିକ୍ଷକ ପ୍ରାଞ୍ଜଳ ଭାବରେ ଶ୍ରେଣୀରେ ବିଷୟ ବ୍ୟାଖ୍ୟା କରିପାରେ କିନ୍ତୁ ଜଣେ ଉତ୍ତମ ଶିକ୍ଷକ ପିଲାମାନଙ୍କ ପାଇଁ ଭବିଷ୍ୟତରେ ପ୍ରେରଣାର ଉତ୍ସ ସାଜିଥାଏ। ଶିକ୍ଷକ ତାଲିମ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଜରୁରୀ। ନୂତନ ଶିକ୍ଷାନୀତିରେ ଏ ବିଷୟରେ ବ୍ୟାପକ ଆଲୋଚନା କରାଯାଇଛି।
ସ୍ବାୟତ୍ତତା ହିଁ ବିଶ୍ବବିଦ୍ୟାଳୟଗୁଡ଼ିକର ଆତ୍ମା। ଏହା ମୁକ୍ତ ଚିନ୍ତନ, ବିଦ୍ୟା ଅଧ୍ୟୟନ, ଜ୍ଞାନ ସୃଷ୍ଟି ପାଇଁ ଉନ୍ମୁକ୍ତ ବାତାବରଣ ଯୋଗାଇ ଦେବାରେ ସହାୟକ ହୋଇଥାଏ। ପ୍ରିନ୍ସଟନ୍ ୟୁନିଭରସିଟିର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଆବ୍ରାହମ ଫ୍ଲେକ୍ସନର୍ କହିଥିଲେ ଯେ ଗୋଟିଏ ପ୍ରକୃତ ବିଶ୍ବବିଦ୍ୟାଳୟ ହେଉଛି ଏକ ଜୀବନ୍ତ ସତ୍ତା। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୋଟିଏ ଗୋଟିଏ ପ୍ରାଣ ପ୍ରାଚୁର୍ଯ୍ୟଭରା ଅନୁଷ୍ଠାନ। ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀଙ୍କ ମଧ୍ୟରେ ଦୂରଦୃଷ୍ଟି ଜାଗ୍ରତ କରିବା ପାଇଁ ପ୍ରଚେଷ୍ଟା ଶିକ୍ଷା ବ୍ୟବସ୍ଥାରେ ରହିବା ଆବଶ୍ୟକ। ଏପରି ଆଭିମୁଖ୍ୟ ବଜାୟ ରଖିବା ହିଁ ଆମ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ବାସ୍ତବିକ ଫଳପ୍ରଦ ହେବ।
ଭାରତୀୟ ପ୍ରଶାସନିକ ସେବା (ଅବସରପ୍ରାପ୍ତ), ଭୁବନେଶ୍ବର
ମୋ- ୯୪୩୭୦ ୯୫୯୯୪