ଏକ କ୍ଷୁଧାହୀନ ବିଶ୍ୱର ସ୍ୱପ୍ନ

ବିଜୟଲକ୍ଷ୍ମୀ ଭୂୟାଁ

ବିଶ୍ବ ଲାଗି ଯଦି କେଉଁ ଏକ ଆହ୍ବାନ ସର୍ବାଧିକ ବିଶାଳ କଳେବର ଧରି ମାନବ ଜାତି ସମ୍ମୁଖରେ ଦଣ୍ଡାୟମାନ ରହିଛି, ତେବେ ତାହା ହେଲା ବିଶ୍ବକୁ କ୍ଷୁଧା ମୁକ୍ତ କରିବା। ଏଥି ଲାଗି ହେଉଥିବା ଉଦ୍ୟମରେ ସାମିଲ ଅଛି ଖାଦ୍ୟର ଅନିଶ୍ଚିତତା ଦୂର କରିବା, ଦାରିଦ୍ର୍ୟ ହ୍ରାସ କରିବା, ସ୍ଥାନୀୟ ଆର୍ଥିକ କାର୍ଯ୍ୟକଳାପ ଓ କୃଷି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଭଳି ଅନେକ କାର୍ଯ୍ୟକ୍ରମ। ବିଶ୍ବ ଖାଦ୍ୟ ସଂଗଠନ ଏଥି ଲାଗି କୃଷି ଓ ସେହି କ୍ଷେତ୍ରରେ ସମସ୍ତ ସ˚ସ୍କାର ଉପରେ ଗୁରୁତ୍ବ ଆରୋପ କରିଥାଏ। କାରଣ କ୍ଷୁଧା ବିରୋଧରେ ସ˚ଗ୍ରାମ ତଥା ଖାଦ୍ୟ ନିରାପତ୍ତା ଓ ପୁଷ୍ଟିସାଧନ ନିମନ୍ତେ କୃଷକମାନଙ୍କ ଭୂମିକା ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ‘ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ’ ପକ୍ଷରୁ କୁହାଯାଇଛି ଯେ ୨୦୫୦ ସୁଦ୍ଧା ପୃଥିବୀ ପୃଷ୍ଠରେ ୯.୨ ବିଲିଅନ ବା ୯୨୦ କୋଟି ଲୋକଙ୍କ ଖାଦ୍ୟର ଆବଶ୍ୟକତାକୁ ମେଣ୍ଟାଇବାକୁ ହେଲେ କୃଷି ଉତ୍ପାଦନରେ ବିଶ୍ବ ସ୍ତରରେ ୬୦% ବୃଦ୍ଧି ଆଣିବାକୁ ହେବ। ଏଥି ଲାଗି କୃଷକଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସୁବିଧା ଉପଲବ୍‌ଧ କରାଇବା ସହିତ ବିଜ୍ଞାନ ଓ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବାକୁ ହେବ।

ସେଥି ଲାଗି ଖାଦ୍ୟ ଭିତ୍ତିକ କୃଷି ଉତ୍ପାଦନ ଉପରେ ଏବେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ଏ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ବିକାଶଶୀଳ ଦେଶଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହଯୋଗ ଉପରେ ମଧ୍ୟ ‘ବିଶ୍ବ ଖାଦ୍ୟ ସଂଗଠନ’ ଗୁରୁତ୍ବ ପ୍ରଦାନ କରିଥାଏ। ଖାଦ୍ୟ ନିରାପତ୍ତା କହିଲେ ମୁଖ୍ୟତଃ ତିନିଟି ବିଷୟକୁ ବୁଝାଇଥାଏ। ପ୍ରଥମର ଖାଦ୍ୟ ଉତ୍ପାଦନ ଓ ତା’ର ସହଜ ଉପଲବ୍‌ଧତା। ଦ୍ବିତୀୟରେ ଖାଦ୍ୟ କ୍ରୟ କରିବାର କ୍ଷମତା। ତୃତୀୟରେ ଶରୀରକୁ ଉପଯୁକ୍ତ ଶକ୍ତି ଯୋଗାଇବା ପାଇଁ ସୁଷମ ଖାଦ୍ୟର ଅପରିହାର୍ଯ୍ୟତା। ଏବେ ସୁଦ୍ଧା ଆମ ଦେଶରେ ଏକ ତୃତୀୟା˚ଶ ଲୋକ ଏବ˚ ସମୁଦାୟ ଶିଶୁଙ୍କ ମଧ୍ୟରୁ ଅଧା ଖାଦ୍ୟାଭାବ ବା ପୁଷ୍ଟିହୀନତାର ଶିକାର ହେଉଛନ୍ତି। ‘ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ’ ଅନୁଯାୟୀ ଖାଦ୍ୟ ନିରାପତ୍ତାର ଅର୍ଥ ହେଉଛି ସମସ୍ତ ଲୋକ ସୁସ୍ଥ ଜୀବନଯାପନ ସକାଶେ ନିୟମିତ ଓ ଯଥେଷ୍ଟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବା। ବିଶେଷଜ୍ଞମାନଙ୍କ ମତାନୁସାରେ ସୁଷମ ଖାଦ୍ୟ ଭାବେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଲାଗି ଦୈନିକ ୪୭୫ ଗ୍ରାମ୍‌ ଖାଦ୍ୟଶସ୍ୟ, ୫୦ ଗ୍ରାମ୍‌ ଡାଲି, ୨୫୦ ଗ୍ରାମ୍‌ ପନିପରିବା, ୨୦୦ ଗ୍ରାମ୍‌ ଫଳ, ୨୦୦ ଗ୍ରାମ୍‌ କ୍ଷୀର, ୧୫୦ ଗ୍ରାମ୍‌ ମାଛ, ଫାଳେ ଅଣ୍ତା ଓ ୩୦ ଗ୍ରାମ୍‌ ମା˚ସର ଆବଶ୍ୟକତା ରହିଛି। ଏହି ଆଧାରରେ ବିଚାର କଲେ ଏହି ସ୍ଥିତିରେ ପହଞ୍ଚିବା ଲାଗି ଆମ ଦେଶ ବା ରାଜ୍ୟକୁ କେତେ ଦୂର ଅତିକ୍ରମ କରିବାକୁ ହେବ, ତାହା କେବଳ ଅନୁମାନସାପେକ୍ଷ।

ଏକ ବିଡ଼ମ୍ବନା ହେଉଛି ଯେ ୨୦୧୮-୧୯ କୃଷି ବର୍ଷରେ ରେକର୍ଡ‌୍ ୩୧୬ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥିଲେ ହେଁ ସେହି ବର୍ଷ ଭାରତର ଅନ୍ୟୂନ ୨୩ କୋଟି ଲୋକ ଦୁଇ ଓଳି ପେଟପୂରା ଖାଇବାକୁ ପାଇ ନ ଥିଲେ। ଏହା କେବଳ ଗୋଟିଏ ବର୍ଷର କଥା ନୁହେଁ, ଏହା ଏକ ଧାରାରେ ପରିଣତ ହୋଇଛି। ଏକ ଆକଳନ ଅନୁସାରେ ପୁଷ୍ଟିହୀନତାର ଶିକାର ହୋଇ ବିଶ୍ବରେ ଯେତେ ଶିଶୁଙ୍କ ମୃତ୍ୟୁ ହୁଏ, ତାର ଶତକଡ଼ା ୫୦ ଭାଗ ଭାରତୀୟ। ପନ୍ଦରରୁ ୪୯ ବର୍ଷ ବୟସ୍କ ବର୍ଗରେ ପ୍ରତି ତୃତୀୟ ବ୍ୟକ୍ତି ପୁଷ୍ଟିହୀନତା ଦ୍ବାରା ଆକ୍ରାନ୍ତ। ‘ବିଶ୍ବ ଖାଦ୍ୟ ଓ କୃଷି ସ˚ଗଠନ’ର ମତରେ ପରିସ୍ଥିତିର ମୁକାବିଲା ପାଇଁ ଏକ ମାତ୍ର ଉପାୟ ହେଲା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂରଣ ଲାଗି କୃଷି ଉତ୍ପାଦନରେ ବୃଦ୍ଧି ଏବଂ ଦକ୍ଷ ବିତରଣ ବା ବଣ୍ଟନର ବ୍ୟବସ୍ଥା। ତେବେ କୃଷି ଉତ୍ପାଦନରେ ବୃଦ୍ଧି ଲାଗି କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ଜରୁରୀ। କିନ୍ତୁ ବିଡ଼ମ୍ବନା ହେଲା କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପରିମାଣ ହ୍ରାସ ପାଇଛି। ୧୯୮୦ରେ ଆନ୍ତର୍ଜାତିକ ସମୁଦାୟ ପକ୍ଷରୁ ମିଳୁଥିବା ଅନୁଦାନର ୧୭ ପ୍ରତିଶତ କୃଷିରେ ବିନିଯୁକ୍ତ ହେଉଥିବା ବେଳେ ୨୦୧୯ ବେଳକୁ ତାହା ୩.୮ ପ୍ରତିଶତକୁ ଖସି ଆସିଛି। ସେହିପରି ଘରୋଇ ପୁଞ୍ଜି ବିନିଯୋଗ ମଧ୍ୟ ହ୍ରାସ ପାଉଛି ।

୨୦୫୦ ସୁଦ୍ଧା ବିଶ୍ବର ୯୧୦ କୋଟି ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ଲାଗି କୃଷି ଉତ୍ପାଦନକୁ ୭୦ ପ୍ରତିଶତ ବୃଦ୍ଧି କରିବାକୁ ପଡ଼ିବ। କିନ୍ତୁ ଏଥି ଲାଗି ବିପୁଳ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ନ ହେଲେ ଏହା ହାସଲ କରିବା ସମ୍ଭବପର ହୋଇ ନ ପାରେ; ଏକ କ୍ଷୁଧାହୀନ ବିଶ୍ବର ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯାଇପାରେ।

(ବିଶ୍ବ ଖାଦ୍ୟ ଦିବସ ଅବସରରେ)
ମୋ: ୯୮୬୧୩୫୫୬୨୮

ସମ୍ବନ୍ଧିତ ଖବର