ଶିକ୍ଷା-ହାଣ୍ତିରେ ଶାସନ-ଡଙ୍କି

କହିବାର ଅଛି - ଦାଶ ବେନହୁର

ହାଣ୍ତି ବୋଲି କହିଲେ ଆମେ ସାଧାରଣତଃ ମାଟିରେ ତିଆରି ଏକ ନିର୍ଦ୍ଦିଷ୍ଟ ପାତ୍ରକୁ ବୁଝୁ। ଏବେ ବି ଗାଁ ଗହଳରେ ହାଣ୍ତି ଅର୍ଥାତ୍‌ ମାଟିହାଣ୍ତି। ସେଥିପାଇଁ ଓଡ଼ିଶାରେ କେଉଁ ପ୍ରାଚୀନ କାଳରୁ କଥାଟିଏ ଅଛି- ‘‘ହାଣ୍ତି ଭାଙ୍ଗିଲେ ଖପରା, ମନ ଭାଙ୍ଗିଲେ ଛୋପରା’’। ହାଣ୍ତି, ମାଟିରେ ଗଢ଼ା ହୋଇଥିବାରୁ ତାହା ଭାଙ୍ଗିଲେ ଖପରାରେ ପରିଣତ ହୁଏ। ଧାତବ ପାତ୍ରରେ ସେ କଥା ସମ୍ଭବ ନୁହେଁ। ଆଜିକାଲି ଅବଶ୍ୟ ଆଲମିନିୟମ୍‌, ପିତ୍ତଳ ଓ ଷ୍ଟିଲ୍‌ର ପାତ୍ରକୁ ମଧୢ ହାଣ୍ତି କୁହାଯାଉଛି। ମାତ୍ର ମୂଳ ପରିଚୟଟି ମାଟିହାଣ୍ତି। ଅତଏବ ପୁରୁଣା ସ୍ବାଦ ପ୍ରତି ଗରାଖଙ୍କୁ ଲାଳାୟିତ କରିବା ଲାଗି ବିଭିନ୍ନ ଭୋଜନାଳୟରେ ସ˚ପ୍ରତି ବଡ଼ ବଡ଼ ଅକ୍ଷରରେ ଲେଖାଯାଉଛି- ‘‘ଏଠାରେ ମାଟିହାଣ୍ତି ମା˚ସ ମିଳେ।’’

ଏଇ ମାଟିହାଣ୍ତିର ପ୍ରଧାନ ସାଜ ହେଉଛି ଚଟୁ ବା ଅଣକ। ଚଟୁ କାଠରେ ପ୍ରସ୍ତୁତ ଓ ଅଣକ, ବାଉଁଶ କାଠି ସହିତ ଶଢ଼େଇର ସ˚ଯୋଗରେ ତିଆରି ହୁଏ। ହେଲେ ଡଙ୍କି ଲୁହା, ଷ୍ଟିଲ୍‌ ବା ପିତ୍ତଳରେ ତିଆରି ହୋଇଥାଏ। ଅତଏବ ଧାତବ ପାତ୍ରଗୁଡ଼ିକ ଲାଗି ସ୍ବାଭାବିକ ସରଞ୍ଜାମ ବିଭିନ୍ନ ଧାତୁରେ ତିଆରି ଡଙ୍କି ହୋଇଥିବା ବେଳେ ମାଟିହାଣ୍ତି ଲାଗି ସ୍ବାଭାବିକ ଘଣି ହେଉଛି କାଠରେ ଗଢ଼ା ଚଟୁ ନ ହେଲେ ଅଣକ।

ମାଟିହାଣ୍ତିରେ ଧାତୁ ଡଙ୍କି ପୂରେଇଲେ କ’ଣ ହୁଏ? ହାଣ୍ତିଟି ଭାଙ୍ଗେ ଓ ସେଥିରେ ଥିବା ଜିନିଷ ନଷ୍ଟଭ୍ରଷ୍ଟ ହୁଏ।

ବୁଝିବା ଦରକାର ଯେ ସବୁ ସରଞ୍ଜାମ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଡଙ୍କିରେ ଚକୁଳିପିଠା ଲେଉଟେଇ ହେବନି କି ପିଠାପାତିଆରେ ପାଣିଆ ଡାଲି ବା ଖିରି ପରଷା ଯାଇ ପାରିବ ନାହିଁ। ଏ ଭଳି କାମ କେବଳ ଅନଭିଜ୍ଞ ଲୋକ କରନ୍ତି।

ସବୁକାଳେ ଶିକ୍ଷା ବ୍ୟବସ୍ଥା ମାଟିହାଣ୍ତି ଭଳି। ସେହିଭଳି ମାଟିର ବାତାବରଣ, ମୌଳିକତା ଓ ଆବଶ୍ୟକତା ବିବର୍ଜିତ ଯେ କୌଣସି ଶିକ୍ଷା କାଳେ କାଳେ ମୂଲ୍ୟହୀନ। ସମୟକୁ ନେଇ ଶିକ୍ଷା ବ୍ୟବସ୍ଥା ଅବଶ୍ୟ ବଦଳେ ମାତ୍ର ଏ ବଦଳ ଜୋରଜବରଦସ୍ତ କରାଯାଏ ନାହିଁ କି ଅନାବଶ୍ୟକ ଭାବେ କରାଯାଏ ନାହିଁ। ଯଦି ବା କରାଯାଏ ତାହା ଶେଷକୁ ଆତ୍ମଘାତୀ ସାବ୍ୟସ୍ତ ହୁଏ। ଦ୍ରୋଣଙ୍କର ଅସ୍ତ୍ରଶସ୍ତ୍ର ଶିକ୍ଷାଦାନ ଆଜିପାଇଁ ଅଦରକାରୀ ମାତ୍ର ଶିକ୍ଷାଦାନର ଯେ ପ୍ରକ୍ରିୟା ତାହା ଚିରନ୍ତନ।

ଶିକ୍ଷାର ଯେଉଁ ମୌଳିକତା ରହିଛି ତାହା ଶିକ୍ଷାଦାନର ସ୍ବାଧୀନତା ଉପରେ ନିର୍ଭରଶୀଳ। ଶୈକ୍ଷିକ ବାତବରଣରୁ ସ୍ବାଧୀନତା ହଟେଇ ଦେଲେ ତାହା ପ୍ରଚାରଧର୍ମୀ ହୋଇଯାଏ। ଶିକ୍ଷା ମଣିଷକୁ ସ୍ବାଧୀନ କରେ, ମୁକ୍ତି ଦିଏ। ସେଇଥିପାଇଁ ତ’ ‘‘ସା ବିଦ୍ୟା ୟା ବିମୁକ୍ତୟେ’’। ଶିକ୍ଷା ସେଇ, ଯାହା ମୁକ୍ତି ଦିଏ। ଏ ମୁକ୍ତି ଶାସନଗତ ବା ରାଜନୈତିକ ମୁକ୍ତି ନୁହେଁ। ସେହିଭଳି ଶିକ୍ଷାର ଯେ ଆବଶ୍ୟକତା ତାହା ସମୟ ଓ ସମାଜର ଆବଶ୍ୟକତା ଉପରେ ନିର୍ଭରଶୀଳ। କୌଣସି ବ୍ୟକ୍ତି, ଗୋଷ୍ଠୀ ବା ଶାସନ ଉପରେ ନିର୍ଭରଶୀଳ ନୁହେଁ। ଯେଉଁ ମୁହୂର୍ତ୍ତରେ ବ୍ୟକ୍ତି ବା ଶାସନ, ଶିକ୍ଷାହାଣ୍ତିରେ ତା’ର ଧାତୁଡଙ୍କି ପୂରାଏ ସେଇ ମୁହୂର୍ତ୍ତରେ ହିଁ ବିଲକ୍ଷଣ ଆରମ୍ଭ ହୋଇଯାଏ।

ଅନେକ ସମୟରେ ଆମେ ବିଲାତି-ଶାସନ ବେଳର ମାକଲେ ପ୍ରଣୀତ ଶିକ୍ଷା ବ୍ୟବସ୍ଥାର ଉଦାହରଣ ଦେଉ। ହେଲେ ବୁଝିବା ଦରକାର ଯେ ଲର୍ଡ ମାକଲେଙ୍କର ସୁପାରିସ ଶିକ୍ଷା ବା ଜ୍ଞାନର ବିକାଶ ଲାଗି ଅଭିପ୍ରେତ ନ ଥିଲା। ଥିଲା ଏକ ଶାସନିକ ବିଚାର। ଶିକ୍ଷାହାଣ୍ତିରେ ଶାସନଡଙ୍କି ପୂରାଇ ଭାରତୀୟ ଶିକ୍ଷା-ବ୍ୟବସ୍ଥାକୁ ଧୂଳିସାତ୍‌ କରିବା ଓ ଏକ ପରିବର୍ତ୍ତିତ ପ୍ରକ୍ରିୟାକରଣ ମାଧୢମରେ ବ୍ରିଟିସ୍‌ ହୁକୁମତ୍‌କୁ ଭାରତ ମାଟିରେ ଚିରସ୍ଥାୟୀ କରାଇବା ଥିଲା ଅସଲ ଲକ୍ଷ୍ୟ। ଆଜି ବି ଏତେ ବର୍ଷ ପରେ ଆମେ ଯେ ନିଜ ଦେଶର ସବୁକଥାକୁ ନ୍ୟୂନ ଓ ବିଦେଶର ସବୁ ଉତ୍ପାଦକୁ ଫରେନ୍‌ ତିଆରି କହି ମୁଣ୍ତରେ ବସାଉଛୁ ତାହା ସେଇ ପ୍ରକ୍ରିୟାକରଣର ଫଳ। ମାକଲେଙ୍କ ପଦ୍ଧତି ଆମକୁ ଜ୍ଞାନମୁକ୍ତି ଦେବା ଲାଗି ଉଦ୍ଦିଷ୍ଟ ନ ଥିଲା। ଶିକ୍ଷା ମାଧୢମରେ ଜ୍ଞାନ-ବନ୍ଧନ କରି ଗୋଟାଏ ଐତିହ୍ୟ-ସମ୍ପୂର୍ଣ୍ଣ ସମୁଦାୟର ଅମୃତଭାଣ୍ତକୁ ଭାଙ୍ଗି କି ଭଳି ଖପରା କରିହେବ ସେ କୌଶଳ ଜଣାଥିଲା ତାଙ୍କୁ। ସେଇଥିଲାଗି ମାକଲେ ମିନିଟ୍‌ସ ନାଆଁରେ ମାଟିହାଣ୍ତିରେ ଶାସନଡଙ୍କି ପୂରେଇବାର ବ୍ୟବସ୍ଥା କରିଦେଲେ ସେ। ୧୮୩୫ରେ ତିଆରି ହୋଇଥିବା ବନ୍ଧନ ଏବେ ବି ବଳବତ୍ତର ରହିଛି। ଆମର ସମ୍ପୂର୍ଣ୍ଣ ଶିକ୍ଷା-ପ୍ରଣାଳୀ ଆଜିକା ଯୁଗରେ ଏକ ବିଦେଶାଗତ ପଦ୍ଧତି ବୋଲି କହିଲେ କିଛି ଭୁଲ ହେବ ନାହିଁ।

ସବୁ ବଦଳେ। ଭଲ କରିବା ଲାଗି ଅଭଲକୁ ସ˚ସ୍କାରିତ କରାଯାଏ। ସେଥିପାଇଁ ଯୁଗେ ଯୁଗେ ସବୁ କ୍ଷେତ୍ରରେ ବିଚାରବନ୍ତମାନେ ବ୍ୟବସ୍ଥାରେ ସ˚ସ୍କାର ଆଣିଛନ୍ତି। ଭାରତ ତାହାର ବ୍ୟତିକ୍ରମ ନୁହେଁ। ମାତ୍ର ମନେ ରଖିବା ଦରକାର ଯେ ଶାସନ ଓ ଶିକ୍ଷା ଭିତରେ ଗୋଟାଏ ବିରାଟ ପ୍ରଭେଦ ଅଛି। ଶାସନ, ମାତ୍ରେ ତାହା କଠିନ, ଦଣ୍ତପ୍ରଦାନକାରୀ ଓ ସହମତିର ଅପେକ୍ଷା ରଖେ। ଶିକ୍ଷା କିନ୍ତୁ ନରମ, କ୍ଷମାଶୀଳ ଓ ସହମତିର ଦାବିଦାର ନୁହେଁ। ଅତଏବ ଶିକ୍ଷା ବ୍ୟବସ୍ଥାକୁ ଶାସନ ବ୍ୟବସ୍ଥା ଭଳି ବିଚାର କରିବା ଏକ ଚରମ ଅବିମୃଶ୍ୟକାରିତା।

ଆଜି ଯେଉଁମାନେ ଶାସନରେ ଅଛନ୍ତି ସେମାନେ ନିଜକୁ ପଚାରନ୍ତୁ। ଶିକ୍ଷାଧାରାରେ ଥିବାବେଳେ କେତେ କେତେ କ୍ଷମା ତାଙ୍କୁ ଶିକ୍ଷା ବ୍ୟବସ୍ଥା ଦେଇଛି। କେତେ କେତେ ଭୁଲକୁ ଆଢୁଆଳ କରି ଶିକ୍ଷା ସେମାନଙ୍କୁ ମୁକ୍ତ କରିଛି। ଶାସନର ଆଇନ୍‌ କାନୁନ୍‌ ଲାଗୁ କରିଥିଲେ ଏମାନଙ୍କ ଭିତରୁ ଅଧିକା˚ଶ ଅପରିଣତ ବୟସରେ ସୁଦ୍ଧା ଜେଲ୍‌ ଦଣ୍ତ ଭୋଗିଥାନ୍ତେ ଓ ଛକାମରା ଅଭିଯୁକ୍ତ ପାଲଟିଥାନ୍ତେ। କହିବାର ଅଛି ଯେ ଶାସନ ଗଣ୍ଠି ପକାଏ ମାତ୍ର ଶିକ୍ଷା ଗଣ୍ଠି ଫିଟେଇ ଦିଏ। ତା’ ମୂଳରେ ଥାଏ ସ୍ବାଧୀନଚେତା ଶିକ୍ଷକ।

ସ୍ବାଧୀନତାର ପୂର୍ବ ସମୟକୁ ଫେରିବା ଅନାବଶ୍ୟକ। ମାତ୍ର ସ୍ବାଧୀନତା ପରେ ଭାରତରେ ଯେଉଁ ସବୁ ଶିକ୍ଷା ସ˚ସ୍କାର ଆସିଛି ସେ ସର୍ମ୍ପକରେ ଆମେ ସମସ୍ତେ ଅବଗତ ହେବା ଦରକାର। ଏଥିରେ ବିଶ୍ବ ବିଖ୍ୟାତ ଶିକ୍ଷାବିତ୍‌ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କଠାରୁ ଆରମ୍ଭ କରି ଡକ୍ଟର ଜାକିର‌୍‌ ହୁସେନ୍‌ଙ୍କ ଭଳି ବିଦ୍ବାନମାନେ ସାମିଲ ହୋଇଥିଲେ। ରାଧାକୃଷ୍ଣନ୍‌ କମିସନ୍‌ (୧୯୪୮) ପରେ ସବୁଠାରୁ ସୁଦୂର ପ୍ରସାରୀ ଥିଲା ଦୌଲତ ସି˚ହ କୋଠାରି କମିସନ (୧୯୬୨-୬୪)ଙ୍କ ରିପୋର୍ଟ। ତା’ପରେ ଆସିଥିଲା ଜାତୀୟ ଶିକ୍ଷା ଖସଡ଼ା ୧୯୮୬ର ବିଶାଳ ସୁପାରିସ। ପୁଣି ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫। ତା’ଭିତରେ ବାରମ୍ବାର ଶିକ୍ଷାକୁ ନେଇ ଘଣ୍ଟାଚକଟା କରାଯାଇଛି। ଏବର କେନ୍ଦ୍ର ସରକାର, ନିକଟରେ ପ୍ରଣୟନ କରିଛନ୍ତି ନୂଆ ଶିକ୍ଷା ନୀତି-୨୦୨୦। ଏଥିରେ ପୁଣିଥରେ ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଶିକ୍ଷା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। କୋଠାରି ଆୟୋଗଙ୍କ ସୁପାରିସ ଓ ୧୯୮୬ରେ ଜାତୀୟ ଶିକ୍ଷା ନୀତି ପରେ ତୃତୀୟଥର ଲାଗି ପ୍ରଣୟନ କରାଯାଇଥିବା ୨୦୨୦ର ଏହି ଶିକ୍ଷା ନୀତିରେ ତିନି ବର୍ଷ ବୟସରୁ ସ୍କୁଲ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ତେଣେ ଶିକ୍ଷା ପାଇଁ ଅଧିକାରର ସୀମାକୁ ୧୮ ବର୍ଷ ଯାଏ ବଢ଼େଇ ଦିଆଯାଇଛି। ଉଭୟ ଘରୋଇ ଏବ˚ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପାଇଁ ସମାନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ସହ ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ୍‌ ଓ ଜାତୀୟ ବୈଷୟିକ ଶିକ୍ଷା ପରିଷଦ ବଦଳରେ ଭାରତୀୟ ଉଚ୍ଚଶିକ୍ଷା ପରିଷଦ (ଏଚ୍‌ଇସିଆଇ) ନାମକ ଗୋଟିଏ ନିୟାମକ ସ˚ସ୍ଥା ଗଢ଼ାଯିବା ସକାଶେ ପଦକ୍ଷେପ ନିଆଯାଇଛି। ଏମ.ଏ. ପରେ ଏମ୍‌.ଫିଲ୍‌ ପାଠ ରବ୍ଦ ହୋଇଛି। ଏଣିକି ଶିକ୍ଷା ଫି ଧାର୍ଯ୍ୟ କରିବେ ସରକାର। ସ୍କୁଲ ପାଠର ୧୦+୨ ବଦଳରେ ୫+୩+୩+୪ ବ୍ୟବସ୍ଥା ଗ୍ରହଣ କରଯାଇଛି। ଦେଶରେ ବିଦେଶୀ ବିଶ୍ବବିଦ୍ୟାଳୟମାନଙ୍କୁ ପ୍ରବେଶ ଅନୁମତି ମିଳିଛି। ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଏବ˚ ପି.ଏଚ୍‌.ଡି ପାଠ୍ୟକ୍ରମ ସବୁକୁ ଆନ୍ତଃବିଭାଗୀୟ କରାଯାଇଛି। ୧୯୮୬ର ୩୪ ବର୍ଷ ପରେ ପୁଣିଥରେ ଶିକ୍ଷା ବ୍ୟବସ୍ଥାକୁ ଓଲଟ ପାଲଟ କରାଯାଇଛି। କ୍ୟାବିନେଟ୍‌ ଅନୁମୋଦନ ପରେ ଏହା ଏବେ ଆଇନ୍‌ରେ ପରିଣତ।

ଏଣେ ଓଡ଼ିଶାରେ ସରକାର ମଧୢ ପଛରେ ପଡ଼ିନାହାନ୍ତି। ପହିଲେ ଅଧୢାଦେଶ ମାଧୢମରେ ନିୟମ ଜାରି କରି ତାହାକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ରାଜ୍ୟପାଳଙ୍କ ସୁପାରିସ ପରେ ଏହା ଆଇନରେ ପରିଣତ ହେବା କଥା। ରାଜ୍ୟର ବିଶ୍ବବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସ˚ସ୍କାର ଆଣିବାକୁ ଯାଇ ସରକାର ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯କୁ ସ˚ଶୋଧନ କରିଛନ୍ତି। ତା’ର ଅର୍ଥ ସବୁ ସରକାରୀ ବିଶ୍ବବିଦ୍ୟାଳୟ ଲାଗି ଗୋଟିଏ ନିୟମ ପ୍ରଣୟନ ହେବ; କୁଳପତି ବାଛିବାରେ ସରକାର ଅ˚ଶୀଦାର ହେବେ ଓ କୁଳପତିମାନଙ୍କ କାର୍ଯ୍ୟକାଳ ତିନିବର୍ଷ ସ୍ଥାନରେ ଚାରିବର୍ଷ ହେବ ତଥା ବୟସ ୬୭କୁ ବଢ଼ିବ; ସିନେଟ୍‌ ବ୍ୟବସ୍ଥା ଉଠିବ; ଅଧୢାପକଙ୍କୁ ଓପିଏସ୍‌ସି ବାଛିବେ ଓ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ ସରକାରଙ୍କ ସର୍ଭିସ୍‌ ସିଲେକ୍‌ସନ୍‌ କମିସନ ବାଟେ ଆସିବେ; ବିଶ୍ବବିଦ୍ୟାଳୟମାନଙ୍କରେ ଶିକ୍ଷକ ପଞ୍ଜିକୃତ ବ୍ୟବସ୍ଥା ଉଠିଯିବ; ବିଶ୍ବବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସମୀକ୍ଷା ବିବରଣୀ େଵବ୍‌ସାଇଟ୍‌ରେ ଉପଲବ୍‌ଧ ହେବ।

ଏଠାରେ ପ୍ରଶ୍ନ ଉଠୁଛି ସ˚ସ୍କାର ନାମରେ ସରକାରଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ବାରମ୍ବାର ଏମିତି ଡଙ୍କି ଚଳେଇବାର ଆବଶ୍ୟକତା କ’ଣ? ତା’ର ଅର୍ଥ ଏତେ ବର୍ଷ ପରେ ମଧୢ ଆମେ ଶିକ୍ଷା ବ୍ୟବସ୍ଥାଟିକୁ ଠିକ୍‌ରେ ରଖିପାରିନାହୁଁ। ଇଏ ଆସିଲେ ବଦଳେଇବେ, ସିଏ ଆସିଲେ ବଦଳେଇବେ। କେଉଁଟା ଠିକ୍‌ ସେ କଥା ସରକାରମାନେ ଜାଣିବା କ’ଣ ସହଜ?

ବୈଦିକ ସମୟରୁ ଶିକ୍ଷା ବ୍ୟବସ୍ଥା ମୁକ୍ତ ଓ ସ୍ବାଧୀନ ଥିଲା। ଆବଶ୍ୟକତା ଅନୁସାରେ ଶିକ୍ଷାର୍ଥୀ ନିର୍ଦ୍ଦିଷ୍ଟ ଗୁରୁକୁଳର ଦ୍ବାରସ୍ଥ ହେଉଥିଲା। ମାତ୍ର କୌଣସି ଗୁରୁକୁଳ, ରାଜା ବା ମହାରାଜାଙ୍କ ଅଧୀନରେ କେବେ ବି ନ ଥିଲା; ସିଏ ଯେତେ ବଡ଼ ସମ୍ରାଟ ହୁଅନ୍ତୁ ପଛେ। ବିଦେଶରେ ସୁନାମ ଅର୍ଜନ କରିଥିବା ସମସ୍ତ ବିଶ୍ବବିଦ୍ୟାଳୟ ମୁକ୍ତ, ସ୍ବାଧୀନ, ବିସ୍ତାରିତ ଏବ˚ ଆପେ ବିବର୍ତ୍ତିତ। ପାଠ୍ୟକ୍ରମ, ଶିକ୍ଷକ ଚୟନ ଓ ଶିକ୍ଷା ପଦ୍ଧତିରେ ସରକାରଙ୍କର ଭୂମିକା ନ ଥାଏ। ଆମ ପୁରୀରେ ବାଇହାଣ୍ତି- ଅନ୍ନ ରୋଷେଇ ଭଳି ଥରେ ଚାଉଳ ପଶିଲେ ଡଙ୍କି କ’ଣ ଆଉ ଚଟୁର ବି ପ୍ରବେଶ ଅନାବଶ୍ୟକ। ଅଥଚ ଭାରତରେ ବାରମ୍ବାର ସରକାରମାନେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶିକ୍ଷାକୁ ଧାତବ ଭାଣ୍ତ ମନେକରି ବାରମ୍ବାର ଲୁହା ଡଙ୍କି ପୂରାଇ ଲଣ୍ତଭଣ୍ତ କରି ଆସୁଛନ୍ତି। ପ୍ରତିଥର କହନ୍ତି ଏ ଥର ପ୍ରଶାସନ ସୁବର୍ଣ୍ଣ ଡଙ୍କି ଧରି ଆସିଛନ୍ତି; ଶିକ୍ଷା ନାଆଁରେ ସ୍ବର୍ଣ୍ଣିମ କରିଦେବେ ସମାଜକୁ।

ରାଜ୍ୟ ସରକାରଙ୍କ ଏ ନୂଆ ବିଶ୍ବବିଦ୍ୟାଳୟ ନିୟମ ଶିକ୍ଷାହାଣ୍ତିରେ ଶାସନ ଡଙ୍କି ପ୍ରବେଶର ଯେ ଏକ ଉତ୍କୃଷ୍ଟ ଉଦାହରଣ ଏଥିରେ ଦ୍ବିମତ ହେବାର କିଛି ନାହିଁ। ସବୁ ବିଶ୍ବବିଦ୍ୟାଳୟକୁ ଗୋଟିଏ ଗୁଳାରେ ଚଳେଇବାର ନାଲି ଆଖି ହିଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଡରୁଆ କରି ରଖିବ। ଦ୍ବିତୀୟରେ କୁଳପତି ଚୟନରେ ସରକାରଙ୍କ ପ୍ରତ୍ୟକ୍ଷ ପ୍ରବେଶ କୁଳପତିମାନଙ୍କୁ ଜଣେ ପ୍ରଧାନାଚାର୍ଯ୍ୟର ମର୍ଯ୍ୟାଦା ନ ଦେଇ ଜଣେ ପ୍ରଶାସକର ମର୍ଯ୍ୟାଦା ଦେବ। କୁଳପତି ହେବାଲାଗି ପ୍ରଚଳିତ ଦରଖାସ୍ତ ବ୍ୟବସ୍ଥା ହିଁ ପ୍ରମାଣ କରେ ଯେ ଏଥିରେ ଧରାଧରି ଲାଗି ପଥ ପ୍ରଶସ୍ତ। କୌଣସି ସଚେତନ ବିଦ୍ବାନ୍‌ ଦରଖାସ୍ତ ଖଣ୍ତିଏ ଧରି ‘‘ମତେ କୁଳ-ପ୍ରଶାସକର ଚାକିରିଟିଏ ଦିଅ’’ କହି ପ୍ରାର୍ଥୀ ହେବାଠାରୁ ଲଜ୍ଜାଜନକ କଥା ଆଉ କ’ଣ ଅଛି? ଏହାର ଅର୍ଥ ନୁହେଁ ଯେ ଆଗରୁ ଯେଉଁମାନେ କୁଳପତି ହୋଇଛନ୍ତି ସେ ସମସ୍ତେ ଶୁଦ୍ଧ-ସୁବର୍ଣ୍ଣ, ମାତ୍ର ଏ ଯେଉଁ ନୂଆ ପଦ୍ଧତି ସେ ବାଟେ ଅପଦାର୍ଥମାନେ ସୁଦ୍ଧା ପଦାର୍ଥ ପାଲଟିବାର ସୁଯୋଗ ପାଇବେ। ସିନେଟ୍‌ ରହିବ ନାହିଁ, ପଞ୍ଜିକୃତ ଶିକ୍ଷକ ବ୍ୟବସ୍ଥା ଉଠିଯିବ, ବିଧାନସଭାରେ ବିଶ୍ବବିଦ୍ୟାଳୟଗୁଡ଼ିକର ସମୀକ୍ଷା ରିପୋର୍ଟ ଆଲୋଚିତ ହେବ ନାହିଁ ଭଳି କଥାଗୁଡ଼ିକ କେଉଁ ଦିଗର ସୂଚନା ଦେଉଛି? ସିନେଟ୍‌ କାହିଁକି ଅକାମି ହେଲା, ଶିକ୍ଷକମାନଙ୍କର ସମ୍ପୃକ୍ତି ପଞ୍ଜୀକରଣ ମାଧୢମ କାହିଁକି ଅଦରକାରୀ ହେଲା, ଆଇନ୍‌ ପ୍ରଣେତାମାନଙ୍କ ଆଗରେ ସମୀକ୍ଷାର ସାରା˚ଶ ବିଧାନସଭାରେ କାହଁକି ଉପସ୍ଥାପିତ ହେବନାହିଁ? ଯଦି କେଉଁଠାରେ ବ୍ୟବସ୍ଥା ଅଚଳ ହେଉଛି ସେଥିପାଇଁ କିଏ ଦାୟୀ? ଘରେ ଫାଟ ହେଲେ କି କେଉଁଠାରେ ପାଣି ଗଳିଲେ ଆମେ ଘରଟିକୁ ଭାଙ୍ଗିଦେଉ ନା ମରାମତି କରୁ? ଏବେ ସବୁ କଥାରେ ସରକାର ବିଶ୍ବବିଦ୍ୟାଳୟରେ ପଶିବେ। ପହିଲେ ଅନୁଦାନ ମାଧୢମରେ ଟାଳଟୁଳ କରି ପଶୁଥିଲେ ଏବେ କୁଳପତି ଚୟନ, ଅଧୢାପକ ନିୟୋଜନ ଓ କର୍ମଚାରୀ ନିଯୁକ୍ତି ବାଟେ ଡଙ୍କି ଚଳେଇବେ।

ଆଶ୍ଚର୍ଯ୍ୟ ଲାଗେ, ବିଶ୍ବବିଦ୍ୟାଳୟଗୁଡ଼ିକର ଆଇନ୍‌ ସ˚ଶୋଧନ ଲାଗି ଅଧୢାଦେଶ ଭଳି ଏ ତରବରିଆ ପଦକ୍ଷେପର ଆବଶ୍ୟକତା କ’ଣ ଥିଲା? ରାଜ୍ୟରେ କେଉଁ ବିଦ୍ବାନମାନେ ଗବେଷଣା, ଶିକ୍ଷଣ ଓ ମନନ ଧାରାରେ କ୍ରିୟାଶୀଳ ଅଛନ୍ତି ସେମାନଙ୍କୁ ଜାଣିବା ଓ ସେମାନଙ୍କର ପରାମର୍ଶ ଉପଯୋଗ କରିବା ତଥା ସେମାନଙ୍କୁ ଶିକ୍ଷଣଧାରାରେ ସ˚ଯୁକ୍ତ କରିବା କାମ ସରକାର ନିଜ ଆଡୁ କରିବା ଆବଶ୍ୟକ। ସେମାନେ ପୁରୁଣା ଦିନର ଗରିବ ବିପ୍ରଭଳି ଶାସନ ଦ୍ବାରରେ ବୃତ୍ତି ପ୍ରାର୍ଥୀ ହେବେ କାହିଁକି? ସବୁ କାର୍ଯ୍ୟ ପାଇଁ ଏ ଦରଖାସ୍ତ ବ୍ୟବସ୍ଥା କ’ଣ ପାଇଁ?

ସାମ୍ବିଧାନିକ ଦିଗରୁ ବିଚାର କଲେ ଶିକ୍ଷା ଏକ ମିଳିତ ତାଲିକାଭୁକ୍ତ ବିଷୟ। ସେ ସବୁ ଯେତେ କେନ୍ଦ୍ର ଓ ରାଜ୍ୟର ସହମତିରେ ଚାଲିବ ସେତେ ଭଲ। ଅନେକ କଥା ମିଳିତ ତାଲିକାରେ ଥିଲେ ମଧୢ ସେଥିରେ କେନ୍ଦ୍ର ସରକାର ପ୍ରଭାବ ବିସ୍ତାର କରନ୍ତି। ବ୍ରିଟିସ୍‌ ଅମଳରୁ ଶାସନ, ପୁଲିସ, ରାଜସ୍ବ, ଡାକ, ରେଳ, ଅର୍ଥନୀତି ଓ ଯାନ୍ତ୍ରିକ ବୃତ୍ତି ଆଦିରେ ସର୍ବଭାରତୀୟ ସ୍ତର ରହିଲା। ଅଥଚ ଭାରତୀୟ ଶିକ୍ଷା ସେବା (ଆଇ.ଇ.ଏସ୍‌)କୁ ବାଏଁ ବାଏଁ ଉଡ଼େଇ ଦିଆଗଲା। କେହି ଜଣେ ବି ସର୍ଦ୍ଦାର ପଟେଲଙ୍କ ଆଗରେ ପାଟି ଫିଟେଇଲେ ନାହିଁ। ହେଃ! ଅଧୢାପକଟେ! ତା’କୁ ସର୍ବଭାରତୀୟ ମାନ୍ୟତା କ’ଣ?

ସେଇଦିନୁ ସରକାର ପରେ ସରକାର ଶିକ୍ଷାର ମାଟିହାଣ୍ତିରେ ଲୁହାଡଙ୍କି ପୂରାଇ ବ୍ୟଞ୍ଜନ ଘାଣ୍ଟିବାରେ ଲାଗିଛନ୍ତି। ଭାରତର ଶିକ୍ଷା-ବ୍ୟବସ୍ଥା ଏବେ ଘାଣ୍ଟ ତରକାରି। କୌଣସି ପନିପରିବା ବା ଫଳର ସ୍ବାଧୀନ ପରିଚୟ ସେଥିରେ ନାହିଁ। ସାରୁ ପ୍ରବଳ।

କହିବାର ଅଛି ଯେ ଶିକ୍ଷା ଲାଗି ଚାରିଗୋଟି ପଦାର୍ଥ ଲୋଡ଼ା। ତାହା ହେଲା ଶିକ୍ଷାର୍ଥୀ/ ଶିକ୍ଷାର୍ଥିନୀ; ଶିକ୍ଷାୟତନ; ଶିକ୍ଷା ଉପକରଣ (ପାଠାଗାର, ପରୀକ୍ଷାଗାର ଇତ୍ୟାଦି) ଓ ଶିକ୍ଷକ। ଏସବୁ ଭିତରେ ଶିକ୍ଷକ ହିଁ ମୂଳକେନ୍ଦ୍ର। ପ୍ରସିଦ୍ଧ ଶିକ୍ଷକଙ୍କୁ ଆଧାର କରି ବିଶ୍ବବିଦ୍ୟାଳୟର ସୁନାମ ବଢ଼େ। କୋଠାବାଡ଼ିକୁ ନେଇ ନୁହେଁ କି କେତେ ଶିକ୍ଷାର୍ଥୀ ଅଛନ୍ତି, ତା’କୁ ନେଇ ନୁହେଁ। ଶିକ୍ଷକମାନଙ୍କର ଗବେଷଣା, ଆବିଷ୍କାର, ଉଦ୍ଭାବନ ଓ ପ୍ରକାଶନ ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକ ଜଗତ ସ୍ତରରେ ସୁଖ୍ୟାତ ହୁଅନ୍ତି। ସରକାର ଯାଆନ୍ତି, ସରକାର ଆସନ୍ତି ମାତ୍ର ବିଶ୍ବବିଦ୍ୟାଳୟ ତା’ ମୌଳିକ ସ୍ବାଧୀନତା ଧରି ଚାଲେ।

ଅତଏବ ଅଧୢାପକ ଓ କୁଳପତି ଚୟନରୁ ସରକାର ଯେତେ ଦୂରରେ ରହିବେ ସେତେ ଭଲ। ଗଣତନ୍ତ୍ରର ମୂଳ ସ୍ବାଧୀନତା, ଶିକ୍ଷାର ନାଭିକେନ୍ଦ୍ର ବି ସ୍ବାଧୀନତା ଏବଂ ଏ ନାଭିକେନ୍ଦ୍ରକୁ ଜଗିବା ପ୍ରତ୍ୟେକ ଶିକ୍ଷକର କାମ।

ଗତକାଲି ଅକ୍ଟୋବର ପନ୍ଦର ଅବଦୁଲ କଲାମ୍‌ଙ୍କ ଜନ୍ମଦିନ ପାଳିତ ହୋଇଛି ‘‘ବିଶ୍ବ ବିଦ୍ୟାର୍ଥୀ ଦିବସ’’ ରୂପେ। ପାଠକେ ନିଜକୁ ପଚାରନ୍ତୁ ବିଶ୍ବବିଦ୍ୟାଳୟ-ଶିକ୍ଷା ଲାଗି ସ୍ବାଧୀନତା ଉପକାରୀ ନା ଶାସନ? ମାଟିହାଣ୍ତି ପାଇଁ କାଠଚଟୁ ନା ଲୁହାଡଙ୍କି?

[email protected]

ସମ୍ବନ୍ଧିତ ଖବର