ବିଜ୍ଞାନ ଗବେଷଣାରେ ମହିଳା

ନରେନ୍ଦ୍ର କୁମାର ସେଠୀ

ଆମ ଦେଶର ପ୍ରଥମ ବିଜ୍ଞାନ ନୀତି ୧୯୫୮ ମସିହାରେ ପ୍ରଖ୍ୟାତ ବୈଜ୍ଞାନିକ ହୋମି ଜାହାଙ୍ଗିର ଭାବାଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହିତ କରିବା। ୧୯୮୩ ମସିହାରେ ଆସିଥିବା ଦ୍ୱିତୀୟ ବିଜ୍ଞାନ ନୀତିର ଆଭିମୁଖ୍ୟ ଥିଲା ସ୍ଥାନୀୟ ପ୍ରଯୁକ୍ତି ବିଦ୍ୟା ବଳରେ ଆତ୍ମନିର୍ଭରଶୀଳ ହେବା। ୨୦୦୩ ମସିହାରେ ଆସିଲା ତୃତୀୟ ବିଜ୍ଞାନ ନୀତି। ତହିଁରେ ଜଗତ୍‌କରଣ ଅଧୀନସ୍ଥ ଦୁନିଆରେ ଆପଣା ପ୍ରତିସ୍ପର୍ଦ୍ଧା ବଜାୟ ରଖିବାକୁ ଅଧିକ ପୁଂଜିନିବେଶ କରିବାର ଲକ୍ଷ୍ୟ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ଦଶକକୁ ‘ଇନୋଭେସନ ଦଶକ’ ରୂପେ ଘୋଷଣା କରାଯାଇଥିଲା। ସେଇଥିପାଇଁ ୨୦୧୩ ମସିହାରେ ଆସିଥିବା ଚତୁର୍ଥ ବିଜ୍ଞାନ ନୀତିରେ ନୂଆ ଆବିଷ୍କାର ଜରିଆରେ ଆହରଣ କରାଯାଇଥିବା ଜ୍ଞାନକୁ ପାଥେୟ କରି ଆଗେଇବାକୁ ନିଷ୍ପତ୍ତି ନିଆଗଲା। ବର୍ତ୍ତମାନ ଭାରତ ସରକାର ‘ଟେକ୍ନୋଲୋଜି ଓ ଇନୋଭେସନ ପଲିସି-୨୦୨୦’କୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି ଓ ଏ ବର୍ଷର ଶେଷ ସୁଦ୍ଧ‌ା ଏହାକୁ କ୍ୟାବିନେଟ୍‌ର ଅନୁମୋଦନ ଦିଆଯିବ। ଏହା ଦ୍ୱାରା ବିଜ୍ଞାନ ଓ ଗବେଷଣା ସଂସ୍ଥାଗୁଡ଼ିକରେ ମହିଳାମାନଙ୍କର ସଂଖ୍ୟା ଓ ଉପଯୋଗିତାକୁ ପ୍ରାଧାନ୍ୟ ମିଳିବ ବୋଲି କୁହାଯାଉଛି। ଏହାର ଉଦ୍ଦେଶ୍ୟ ହେଲା ଗବେଷଣା ସଂସ୍ଥା ଗୁଡ଼ିକରେ ମହିଳାମାନଙ୍କର ଭାଗୀଦାରି ବଢ଼େଇବା।

ସୂଚନାଯୋଗ୍ୟ ଯେ ୨୦୨୦ ନୂତନ ବିଜ୍ଞାନ ନୀତିରେ ଏହି ଉଦ୍ଦେଶ୍ୟକୁ ଆହୁରି ବୃହତ୍ତର ଓ ସଘନ କରିବାକୁ ଚେଷ୍ଟା କରାଯାଉଛି। ଏହି ନୀତିରେ ଗବେଷଣା ସଂସ୍ଥା ଗୁଡ଼ିକର ଗୁଣବତ୍ତା ନିର୍ଦ୍ଧାରଣ କରିବାକୁ ଲିଙ୍ଗଗତ ‘ମାନକ’ ମଧ୍ୟ ରଖାଯାଇଛି। କୌଣସି ଗବେଷଣା ସଂସ୍ଥାନରେ ସଂଶ୍ଳିଷ୍ଟ ହେବା ଲାଗି ଗବେଷଣା, ଅଧ୍ୟାପନା, ଅଧ୍ୟୟନ ଓ ପ୍ରଶାସନ ଆଦିରେ ଦକ୍ଷତା ପ୍ରଦର୍ଶନ ଓ ଉପଲବ୍‌ଧି ଭଳି କିଛି ‘ମାନକ’ ସହିତ ‘ମହିଳା’ ହୋଇଥିବାକୁ ଏକ ‘ମାନକ’ ରୂପେ ବ୍ୟବହାର କରାଯିବ। କୌଣସି ଗବେଷଣା ସଂସ୍ଥାନରେ କେତେ ଜଣ ମହିଳା କାମ କରୁଛନ୍ତି, ସେମାନେ କୋଉ କୋଉ ପଦରେ ଅଛନ୍ତି, ସର୍ବୋଚ୍ଚ ଓ ସର୍ବ ନିମ୍ନ ପଦରେ କେତେଜଣ ମହିଳା ଅଛନ୍ତି, ମହିଳା ବୈଜ୍ଞାନିକମାନଙ୍କର ସଂଖ୍ୟା କେତେ, ମହିଳା ‘ସ୍କଲାର୍‌’ମାନଙ୍କୁ ପୁରୁଷମାନଙ୍କ ତୁଳନାରେ କେତେ ସୁବିଧା ମିଳୁଛି ଓ ସେମାନଙ୍କ ସହ କିଛି ଭେଦଭାବ ହେଉଛି କି ଭଳି ପ୍ରସଙ୍ଗ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବ। ଏକ ଆକଳନ ଅନୁସାରେ ଆମ ଦେଶର ଆଇଆଇଟି ଓ ଅନ୍ୟ ଇଂଜିନିୟରିଂ ଅନୁଷ୍ଠାନମାନଙ୍କରେ କେବଳ ୧୦ ପ୍ରତିଶତ ମହିଳା କାର୍ଯ୍ୟରତ ଅଛନ୍ତି। ଏଥିରେ କୁହାଯାଇଛି ଯେ ଅତି କମ୍‌ରେ ୨୫ ପ୍ରତିଶତ ମହିଳା ପ୍ରତ୍ୟେକ କମିଟି ଓ ସଂସ୍ଥାନରେ ରହିବା ଆବଶ୍ୟକ। ତେବେ, ଚିନ୍ତାର ବିଷୟ ହେଲା ଯେ ଆମ ଦେଶରେ ବିଜ୍ଞାନ ପାଠ୍ୟକ୍ରମରେ ମହିଳାମାନଙ୍କର ସଂଖ୍ୟା ତୁଳନାତ୍ମକ ଭାବରେ କମ୍‌ ଓ ସେଇଥିପାଇଁ ମହିଳାମାନଙ୍କ ଲାଗି ଆରକ୍ଷିତ ସ୍ଥାନ ପୂରଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ସୁତରାଂ, ଖାଲି ବିଜ୍ଞାନ ନୀତି ତିଆରି କରିଦେଲେ ଚଳିବ ନାହିଁ, ବରଂ ଏ ନେଇ ଜନ ସଚେତନତା ସୃଷ୍ଟି କରି ପ୍ରୋତ୍ସାହନ ଦେବାକୁ ହେବ। ପରିବାର ପକ୍ଷରୁ ଝିଅମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ହେବ। ଦେଖିବାକୁ ମିଳୁଛି ଯେ ଦଳିତ, ଆଦିବାସୀ ଓ ଅଳ୍ପ ସଂଖ୍ୟକ ପରିବାରଗୁଡ଼ିକରେ ସାମାଜିକ କଟକଣା ଓ ଭେଦଭାବ ଝିଅମାନଙ୍କୁ ଉଚ୍ଚତର ବିଜ୍ଞାନ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବାଧକ ସାଜୁଛି। ଏହାକୁ ମଧ୍ୟ ଦୂର କରିବାକୁ ହେବ।

ଏଠାରେ ସୂଚନାଯୋଗ୍ୟ ଯେ ଭାରତର ମହାକାଶ ସଂସ୍ଥା ଇସ୍ରୋର ଜଟିଳ ଜିସ୍ୟାଟ୍‌ ଉପଗ୍ରହର ପ୍ରୋଜେକ୍ଟ ନିର୍ଦ୍ଦେଶିକା ଥିଲେ ଜଣେ ମହିଳା ବୈଜ୍ଞାନିକ, ଯାହାଙ୍କ ନାମ ଟି ଅନୁରାଧା। ସେହିପରି ଚନ୍ଦ୍ରଯାନ ମିସନ-୨ର ତିରିଶ ପ୍ରତିଶତ ବୈଜ୍ଞାନିକ ମହିଳା ଓ ଏହାର ପ୍ରୋଜେକ୍ଟ ନିର୍ଦ୍ଦେଶିକା ଥିଲେ ଶ୍ରୀମତୀ ବନିତା ମୁଥେୟା। କିନ୍ତୁ ସ୍ବୀକାର କରିବାକୁ ହେବ ଯେ ୟୁରୋପୀୟ ଦେଶଗୁଡିକ ତୁଳନାରେ ଆମ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନାରୀମାନଙ୍କର ଉପସ୍ଥିତି କମ୍‌। ଏଥିପାଇଁ ଆମ ସାମାଜିକ ବ୍ୟବସ୍ଥା, ପାରିବାରିକ କଟକଣା ଓ ଆଭିମୁଖ୍ୟ ଅନେକ ପରିମାଣରେ ଦାୟୀ। ତେବେ ଆଶା କରାଯାଏ ଯେ ବହୁ ପ୍ରତୀକ୍ଷିତ ‘ଟେକ୍ନୋଲୋଜି ଆଣ୍ଡ ଇନୋଭେସନ’ ନୀତି ଏହି ସବୁ ବାଧା ଦୂର କରିବ।

ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର
ଯାଦୁଗୁଡା, ଝାରଖଣ୍ଡ
ମୋ: ୯୪୭୧୩୮୦୮୧୦

ସମ୍ବନ୍ଧିତ ଖବର