ବୟସର ଦୁର୍ଭାଗ୍ୟ

ସତ୍ୟନାରାୟଣ ଗନ୍ତାୟତ

ବୟସ ବଢ଼ିଲେ ସତର୍କ ରହିବାକୁ ହୁଏ- ଏ କଥା ହେଜିଲେ କ’ଣ ହେବ? ସକଳ ସତର୍କତା ସତ୍ତ୍ବେ ଭୟାତୁର ଭାବ ବି ତାଳ ଦେଇ ବଢ଼ି ଚାଲିଥାଏ! ନୋହିଲେ ଯେଉଁ ବାଥ୍‌ରୁମ୍‌ରେ ପଶିଗଲେ ଆଗରୁ ଭଳିକି ଭଳି ଆଇଡିଆମାନ ମଥା ଭିତରେ ଡିଆଁ ନଚା କରୁଥିଲେ, ଏଇନେ ବାଥ୍‌ରୁମ୍‌ରେ ପଶିଲେ ଆସନ୍ତେ ନାହିଁ? ଏବେ ବାଥ୍‌ରୁମ୍‌ରେ ପଶିବା ମାତ୍ରକେ ଏମିତି ଏକ ଭୟ ଆବୋରି ବସୁଛି ଯେ ତାକୁ ନିଜେ ବୁଝିବା ବା ଅନ୍ୟକୁ ବୁଝାଇବା କଷ୍ଟକର।

ବୟସ ବଢ଼ିଲେ ଏମିତି ହୁଏ ବୋଲି ସଭିଏଁ କହିବେ। ଥରେ ବୟସ ହୋଇଗଲା ପରେ କୌଣସି କାରଣରୁ ଯଦି ତଳେ ପଡ଼ିଗଲ, ତେବେ, ଆଗରୁ ପଡ଼ିଗଲେ ଯେମିତି ଲାଗୁଥିଲା, ସେମିତି ଲାଗିବ ନାହିଁ। ପାଖରେ କେହି ଥିଲେ ଦୌଡ଼ି ଆସି ଉଠାଇ ପାରନ୍ତି ବା କେହି ନ ଥିଲେ ତୁମେ ନିଜେ ଲାଗିପଡ଼ି ଉଠିଯାଇ ପାର, କିନ୍ତୁ ତା ପରେ ସ୍ଥିତି ଆଉ ପୂର୍ବ ଭଳି ରହେନାହିଁ। ଗୋଟିଏ ଭୟ ମାଡ଼ି ବସେ। ଥରେ ତଳେ ପଡ଼ି ଯାଇଥିବା ପ୍ରବୃଦ୍ଧଟି ଲାଗି ଆଇଡିଆଙ୍କ ପ୍ରାପ୍ତି ସ୍ଥଳ ବାଥ୍‌ରୁମ୍‌ରୁ ଆରମ୍ଭ କରି ପତଳା ଦିଶୁଥିବା ପାହାଚ ବା ଅନାୟାସେ ଗଡ଼ିି ହେଉଥିବା ରାମ୍ପ୍‌ ଇତ୍ୟାଦି ମଧ୍ୟ ସବୁ କିଛି ତଳେ ପକାଇ ଦେବାକୁ ଧମକାନ୍ତି। ତୁମେ ସେଇ ଯେଉଁଥିରେ ପଡ଼ିଯାଇଥିଲ, ତାହା ମନକୁ ଚାଲି ଆସି କହେ-‘ବାପଧନ, ଜାଣି ରଖ, ତୁମ ବୟସ ଯେତିକି ବଢ଼ୁଛି, ଭିତରଟା ସେତିକି ଶଢ଼ୁଛି! ଏଣୁ ବାବୁ ସାଧୁ ସାବଧାନ। ନ ହେଲେ ପଡ଼ିବ। ସେଥର କେମିତି ପଡ଼ି ତମ ଆଙ୍ଗୁଠି କଟି ଯାଇଥିଲା ବା ଗୋଡ଼ ମକଚି ଯାଇଥିଲା; ମନେ ଅଛିଟି?

ଏମିତି ସବୁ ଦୁର୍ଭାବନା ମନକୁ ଗ୍ରାସି ଗଲେ ପ୍ରତି ପଦ ପାତ ଅତି ସତର୍କ ହୋଇ ପକାଇବାକୁ ହୁଏ। ତୁମ ବାଟ ଠିକ ଥିବ, ଚଟାଣ ଖସଡ଼ା ନ ଥିବ, ଦେଖି ଚାହିଁ ଧୀରେ ଧୀରେ ପାଦ ପକାଇ ଚାଲୁଥିବ; ତଥାପି ବୟସଗତ ଦୌର୍ବଲ୍ୟ କହ କି ଦୁର୍ଭାଗ୍ୟ କହ ହଠାତ୍‌ ପୃଥିବୀର ମାଧୢାକର୍ଷଣ ଶକ୍ତିର ପରିଚୟ ତୁମେ ପାଇ ଭୂପତିତ ହୋଇଯାଇଥିବ।

ପୁଣି ବେଳେ ବେଳେ ମଗଜ କହେ -ଶୁଣ ବାବା, ତୁମ ଆଳସ୍ୟ ଓ ବୟସ ତୁମକୁ ଏତେ ବପୁବନ୍ତ କରି ଦେଇଛି ଯେ ତୁମେ ଥରେ ମାଟି କାମୁଡ଼ିଲେ ତୁମକୁ ଉଠାଇ ପୁଣି ଥଇଥାନ କରିବାର ଭାର ଏହି ଘର ଚଳାଉଥିବା ଦୁର୍ବଳା ଅବଳାଟି ନେବାକୁ ସକ୍ଷମ ତ?

ଏମିତି ଭୟ ଭିତରେ ଦିନ କାଟୁଥିବା ବେଳେ ଦିନେ ସତରେ ତୁମେ ବାଥ୍‌ରୁମ୍‌ରେ ଏମିତି ପଡ଼ିଗଲ ଯେ ତୁମ କାନ୍ଧ ହାଡ଼ ଖସିଯିବା ଜନିତ ଯନ୍ତ୍ରଣାରେ ଅଧୀର ହୋଇ କାନ୍ଦି ପକାଇଲ। ଯାବତୀୟ ପୀଡ଼ାହାରୀ ଔଷଧ, ଇଞ୍ଜେକସନ, ତୈଳ ଓ ମଲମ ସତ୍ତ୍ବେ ବିଶେଷ ଲାଭ ହେଲା ନାହିଁ। କ୍ରିୟା କମ୍‌, ପ୍ରତିକ୍ରିୟା ଅଧିକ ହେଲା। ତୁମକୁ ଦେଖିଆସିଥିବା ଲୋକେ ଆହାଃ, ଚୁଃ…ଚୁଃ କଲେ, କିନ୍ତୁ କହିଲେ- ବୟସ ହେଲାଣି, ହାଡ଼ କ’ଣ ଆଉ ଯୋଡ଼ିବ? ସହିବାକୁ ହେବ।

ଏଭଳି କଥା ଏବେ ବାରମ୍ବାର ମନକୁ ଆସୁଛି। ପଡ଼ିଯିବାର ଭୟରେ ହିଁ ‘ବାଥ୍‌ରୁମ୍‌’ ତାର ଆକର୍ଷଣ ହରାଇଛି। ଏହାକୁ ମୁଁ କହେ ବୟସ ବଢ଼ିବାର ଦୁର୍ଭାଗ୍ୟ!

ସୁହାସିତମ, କସ୍ତୁରୀ ନଗର,
ରାୟଗଡ଼ା-୭୬୫୦୦୧

ସମ୍ବନ୍ଧିତ ଖବର