ଅଙ୍କର ଆନନ୍ଦ ଓ ଆତଙ୍କ

ଅଭିରାମ ବିଶ୍ବାଳ

ସଂଖ୍ୟା ଓ ନମ୍ବରର ପ୍ରୟୋଜନୀୟତା ଦୃଷ୍ଟିରୁ ପ୍ରତି ଦିନ ଗୋଟିଏ ଗୋଟିଏ ଗଣିତ ଦିବସ, ପରିସଂଖ୍ୟାନ ଦିବସ। ଆଗକୁ ଏଇ ୨୦ ତାରିଖରେ ପଡୁଛି ବିଶ୍ବ ପରିସଂଖ୍ୟାନ ଦିବସ ଓ ଗଲା ୧୫ ତାରିଖରେ ପଡ଼ିଥିଲା ଗଣିତ ଦିବସ। ଗଣିତ ବା ଅଙ୍କ ବାବଦରେ ସାଧାରଣ ଓ ମୋଟାମୋଟି ଧାରଣାଟି ଏଇଭଳି- ଶହେରୁ ଶହେ; ନ ହେଲେ ଚିତ୍‌ପଟାଙ୍ଗ। ଅନେକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଥିବା ଏକ ପାଠ ବା ବିଷୟ। କେତେ ବେତ ଓ ବେଗୁନିଆ ଛାଟ ବିଷୟଟି ସକାଶେ ଅତୀତରେ ଭାଙ୍ଗି ଥାଇପାରେ। ହେଲେ ଯିଏ ପାରେ ସିଏ ଅଙ୍କରେ ନମ୍ବର ଛାଙ୍କିନିଏ। ବିଷୟଟି ପୁଣି ସମସ୍ୟା ସମାଧାନକାରୀ। ତାହା ବତାଏ ଯଦି ସମସ୍ୟାଟି ଛିଣ୍ତୁନି ତେବେ ‘ଏକ୍‌ସ’ ପକେଇ ଦିଆଯାଉ। ଉପସ˚ହାରରେ ପହଞ୍ଚିବା ପାଇଁ ଏଥିରେ ଧାରା, ସୂତ୍ର, ସୋପାନ ଓ ପଦ୍ଧତି ପ୍ରଭୃତିର ସାହାଯ୍ୟ ନିଆଯାଏ। ଅବଶ୍ୟ ଅଙ୍କ କେବଳ ମିଶାଣ, ଫେଡ଼ାଣ, ହରଣ ଓ ଗୁଣନ ନୁହେଁ କିମ୍ବା ସ˚ଖ୍ୟା, ନମ୍ବର, ବିନ୍ଦୁ, ରେଖା, ବୃତ୍ତ, ତ୍ରିଭୁଜ, କୋଣ, ସମୀକରଣ, ସିଦ୍ଧାନ୍ତ, ଉପପାଦ୍ୟ ଓ ସ୍ବତଃସିଦ୍ଧ ଆଦିରେ ସୀମିତ ନୁହେଁ। ଏହା ପ୍ରକୃତରେ ପୃଥିବୀର ସର୍ବଶ୍ରେଷ୍ଠ ସ˚କ୍ଷିପ୍ତ ବୈଜ୍ଞାନିକ ଭାଷା। ସ˚ଖ୍ୟା ଓ ନମ୍ବର ବାସ୍ତବ, ସତ ପ୍ରତୀକ ତଥା ଅସ୍ତିତ୍ବ। ଯାହା ବାଟ ଦେଇ ବିଶ୍ବକୁ ବୁଝିହେବ, ବୁଝେଇ ବି ହେବ। ଅଙ୍କ ସହ ଯୋଡ଼ା ଶୂନ (୦)ର ଉତ୍ପତ୍ତି ଖୋଜିଲେ କେତେ ନା କେତେ ଗୂଢ଼ ଦାର୍ଶନିକ ତତ୍ତ୍ବ ଠଉରେଇ ହୁଏ। ଶୂନର ଅବସ୍ଥାନ ସତରେ ମୂଲ୍ୟ ବଦଳେଇ ଦିଏ। ତାହା କୌଣସି ସ˚ଖ୍ୟାର ପୂରା ବାଁ ପଟେ ଥିଲେ କିଛି ଲାଭ ମିଳେନି। କିନ୍ତୁ ଡାହାଣ ପଟେ ଥିଲେ ସ˚ଖ୍ୟାଟି ବେଶ୍‌ ମୂଲ୍ୟଯୁକ୍ତ ହୋଇଯାଏ।

ମଣିଷ ସମାଜର ଏକ ଅତି ପୁରୁଣା ମାନସିକ ପ୍ରୟାସ ଭାବେ ଗଣିତର ଜୀବନ ଚରିତ ଚର୍ଚ୍ଚା କଲାବେଳେ ପ୍ରଗତିଶୀଳ ବିଦ୍ବାନ୍‌ମାନେ କହନ୍ତି କୁମ୍ଭାର ଚକ ସମ୍ଭବ କରୁଥିବା ହାଣ୍ତି, ମାଠିଆ, ପଲମ ଓ କଳସୀ ସାଙ୍ଗକୁ ପୃଥିବୀର ଭିନ୍ନ ଭିନ୍ନ ନଦୀ ଉପତ୍ୟକାର ସଭ୍ୟତା ପରିସରରେ ଗଢ଼ା ହୋଇଥିବା ଇଟାର ଆକୃତି ତଥା ପ୍ରକୃତିରେ ଗଣିତର ଛାପ କଥା। ଗଣିତ ବିଦ୍ୟାର୍ଥୀମାନଙ୍କୁ ଏକ ଦ୍ବିତୀୟ ସୁଯୋଗ, ସମାନ୍ତରାଳ ଦ୍ବିତୀୟ ଜୀବନ ଯୋଗାଇ ଦିଏ। ସେଇ ଏକା ଉତ୍ତର ଖାତାରେ ରଫ୍‌ କରିବା ପାଇଁ ଜାଗା ଓ ଅନୁମତି ମିଳିଥାଏ। କାରଣ ସବୁ ପକ୍ଷ ଧରି ନିଅନ୍ତି ବିଷୟଟି କଷ୍ଟିଆ ଓ କିଟିମିଟିଆ; ସୋଜା ଓ କୋମଳ ନୁହେଁ! ଶିକ୍ଷାଲାଭ କ୍ଷେତ୍ରରେ ପଢ଼ିବା ଓ ଲେଖିବା ସାଙ୍ଗକୁ ପାଟୀଗଣିତ ଉପରେ ଗୁରୁତ୍ବ ଦିଆଯାଏ। କିନ୍ତୁ ସବୁ ଗଣିତ ପାଟୀଗଣିତ ନୁହେଁ କି ମାନସାଙ୍କ ନୁହେଁ। ଜ୍ୟାମିତି, ତ୍ରିକୋଣମିତି ଓ ବୀଜଗଣିତ ଆଦି ତ ରହିଛି। ଏ ସବୁ ବ୍ୟତୀତ ଗଣିତର ଆହୁରି କେତେ କ’ଣ ଅତ୍ୟାଧୁନିକ ଓ ସମସାମୟିକ ପ୍ରକରଣ।

ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ତରଫରୁ ଚଳିତ ବର୍ଷଟିକୁ ନର୍ସ ଓ ଧାଈଙ୍କ ବର୍ଷ ଭାବେ ଘୋଷଣା କରାଯାଇଛି। ସା˚ପ୍ରତିକ କରୋନା- କୋଭିଡ୍‌ ସ˚କ୍ରମଣ ଓ ବିପତ୍ତି ଦୃଷ୍ଟିରୁ ଘୋଷଣାଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ସ˚କ୍ରମିତ ରୋଗୀଙ୍କ ସେବା ଶୁଶ୍ରୂଷା ଦିଗରେ ନର୍ସ ଓ ଧାଈଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏ ବର୍ଷ ମଧୢ ଫ୍ଲରେନ୍‌ସ ନାଇଟିଙ୍ଗେଲ୍‌ଙ୍କ ଜନ୍ମର ଦୁଇଶହ ବର୍ଷ। ନାଇଟିଙ୍ଗେଲ୍‌ଙ୍କୁ ସଭିଏଁ କ୍ରିମିଆ ଯୁଦ୍ଧ ସମୟରେ ହାତରେ ଆଲୋକବତି ଧରି ଏ ତମ୍ବୁ ଓ ଏ ଶିବିରରୁ ସେ ତମ୍ବୁ ଓ ଶିବିର ଧାଇଁ ଯାଇ ଆହତ ସୈନିକଙ୍କ ସେବା ଶୁଶ୍ରୂଷା କରିଥିବା ମହୀୟସୀ ବ୍ୟକ୍ତିତ୍ବ ଭାବେ ଜାଣନ୍ତି। ହେଲେ ତାଙ୍କର ମଧୢ ପରିସ˚ଖ୍ୟାନ ବାବଦରେ ପ୍ରଗାଢ଼ ଜ୍ଞାନ ଥିଲା। ରୋଗୀଙ୍କ ମୃତ୍ୟୁ ହାର କମେଇବା ପାଇଁ ସିଏ ଉନ୍ନତତର ସ୍ବାସ୍ଥ୍ୟସେବା ଓ ଉଚ୍ଚମାନର (ଡାକ୍ତରଖାନାରେ) ପରିମଳ ବ୍ୟବସ୍ଥା ଉପରେ ଜୋର ଦେଇଥିଲେ। ଭାରତରେ କାମ କରୁଥିବା ବ୍ରିଟିସ୍‌ ସେନାବାହିନୀର ସୈନିକ ଓ ଅଧିକାରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଆଲୋଚନା କଲାବେଳେ ସିଏ ଭାରତୀୟଙ୍କ, ଭାରତର ଗ୍ରାମାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ମଧୢ ଚିନ୍ତା ପ୍ରକଟ କରିଥିଲେ। ଚାହିଁଥିଲେ ନର୍ଦ୍ଦମା, ଜଳ ପ୍ରଦୂଷଣ, ଜନଗହଳି ଓ ବାତାବରଣଗତ ନିକୃଷ୍ଟ ସ୍ଥିତିରେ ଆଖିଦୃଶିଆ ସୁଧାର। ଏସବୁ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ସିଏ ପରିସ˚ଖ୍ୟାନର ପ୍ରୟୋଗ କରିଥିଲେ ଯାହା କି ପ୍ରକୃତରେ ସତ୍ୟ ଓ ତଥ୍ୟକୁ ନଲୁଚେଇ ଉନ୍ମୋଚିତ କରେ। ‘ଡାଟା ଭିଜୁଆଲାଇଜେସନ୍‌’ ଓ ‘ଇନ୍‌ଫୋଗ୍ରାଫିକ୍‌ସ’ ଜଗତ୍‌କୁ ନାଇଟିଙ୍ଗେଲ୍‌ଙ୍କ ଅବଦାନ ବହୁଜନ ବିଦିତ।

ସର୍ବସାଧାରଣ କ୍ଷେତ୍ରରେ ଯେତେ ଅଧିକରୁ ଅଧିକ ଗଣିତର ପ୍ରୟୋଗ ଘଟି ତା’ର ସାମାଜିକ ଉପାଦେୟତା ଉପଲବ୍‌ଧ ହୋଇଛି, ଗଣିତ ସେତେ ଅଧିକରୁ ଅଧିକ ଗଣତାନ୍ତ୍ରିକ ପହଞ୍ଚ ଓ ବୋଧୢ ସାବ୍ୟସ୍ତ ହୋଇଛି। କହିବା ବାହୁଲ୍ୟ ପରିସ˚ଖ୍ୟାନ ଗଣିତର ଅତି ଆତ୍ମୀୟ। କଲିକତା ସହରରେ ୧୯୩୨ ମସିହାରେ ଆରମ୍ଭ ହୋଇଥିଲା ଭାରତୀୟ ପରିସ˚ଖ୍ୟାନ ପ୍ରତିଷ୍ଠାନ- ଇ˚ରେଜୀରେ ସ˚କ୍ଷେପରେ ଆଇ.ଏସ.ଆଇ। ତା’ର ପ୍ରତିଷ୍ଠାତା ଥିଲେ ବିଶିଷ୍ଟ ବୈଜ୍ଞାନିକ ଓ ପରିସ˚ଖ୍ୟାନବିତ୍‌ ପ୍ରଶାନ୍ତ ଚନ୍ଦ୍ର ମାହାଲନୋବିସ୍‌। ସ୍ବାଧୀନ ଭାରତବର୍ଷର ପ୍ରଥମ ଯୋଜନା ଆୟୋଗର ଥିଲେ ସିଏ ଅନ୍ୟତମ ସଦସ୍ୟ ଓ ସମୟ କ୍ରମେ ହୋଇଥିଲେ ମଧୢ ଗୁରୁଦେବ ରବୀନ୍ଦ୍ରନାଥଙ୍କ ସଚିବ। ତାଙ୍କରି ଆମନ୍ତ୍ରଣ କ୍ରମେ ଆଇ.ଏସ.ଆଇରେ ଯୋଗ ଦେଇଥିଲେ ପ୍ରସିଦ୍ଧ ଜୀବବିଜ୍ଞାନୀ ଓ ଦାର୍ଶନିକ ଜେ.ବି.ଏସ୍‌ ହାଲ୍‌ଡେନ୍‌। ସେଠି ହାଲ୍‌ଡେନ୍‌ ବାୟୋମେଟ୍ରି ବିଭାଗର ମୁଖ୍ୟ ଥିଲେ। ପରେ ସେଇ ହାଲ୍‌ଡେନ୍‌ ଭୁବନେଶ୍ବରରେ ପ୍ରାୟ ତିନିବର୍ଷ କାମ କରିଥିଲେ ଜେନେଟିକ୍‌ସ ଓ ବାୟୋମେଟ୍ରି ପରୀକ୍ଷାଗାରର ନିର୍ଦ୍ଦେଶକ ବା ମୁଖିଆ ଭାବେ। ମାହାଲନୋବିସ୍‌ ପରିସ˚ଖ୍ୟାନ ବା ଗଣିତକୁ ସମାଜର ବୃହତ୍ତର ଗଣ୍ତି ସହ ଯୋଡ଼ିଥିଲେ। ୧୯୩୭ରୁ ୧୯୪୪ ଭିତରେ ସିଏ ଯେଉଁ ନମୁନା ସର୍ବେକ୍ଷଣ ପଦ୍ଧତି ଅବଲମ୍ବନ କରିଥିଲେ, ତାହା ପ୍ରୟୋଗ କରାଯାଇଥିଲା ଉପଭୋକ୍ତାଙ୍କ ଖର୍ଚ୍ଚ, ଚା’ପାନ ଅଭ୍ୟାସ, ଜନମତ ଆକଳନ, ଶସ୍ୟ ଉତ୍ପାଦନର ଇଲାକା ଓ ବୃକ୍ଷଲତାଦିଙ୍କ ରୋଗ ଭଳି ପ୍ରସଙ୍ଗ ଉପରେ। ଆଉ ଆଜିକାଲି ବାୟୋମେଟ୍ରିର ସର୍ବତ୍ର ବହୁଳ ବ୍ୟବହାର। ସେଇ ବାୟୋମେଟ୍ରି ଭିତ୍ତିକ ଆଧାର କାର୍ଡର କ୍ରମିକ ସ˚ଖ୍ୟା ବା ନମ୍ବର ପାଲଟିଛି ଆମ୍ଭମାନଙ୍କର ଅନ୍ୟତମ ପ୍ରମୁଖ ପରିଚୟ।

ଏଇ ଗଲା ଜୁଲାଇ ମାସରେ ଆତ୍ମପ୍ରକାଶ କରି ସାରିଛି ଚଳଚ୍ଚିତ୍ର ଶକୁନ୍ତଳା ଦେବୀ। ତାହା ଅନେକ ବର୍ଷ ତଳେ ମାନବ କମ୍ପ୍ୟୁଟର ବା ମେଣ୍ଟାଲ୍‌ କାଲ୍‌କୁଲେଟର‌୍‌ ଭାବେ ଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଥିବା ଶକୁନ୍ତଳା ଦେବୀଙ୍କ ଜୀବନ-ଜୀବନୀକୁ ନେଇ। ବହୁ ମହଲରେ ବ୍ୟାପକ ଛାନିଆ ସୃଷ୍ଟିକାରୀ ଅଙ୍କକୁ ଆନନ୍ଦର ଉପାୟ, ରୋମାଞ୍ଚ ଭରା ବିଷୟ ଓ ମଜାଦାୟକ ପାଠ- ଏକ ପ୍ରକାରେ ସ˚ଖ୍ୟାର ଯାଦୁ-ରେ ପରିଣତ କରିପାରୁଥିଲେ ଶକୁନ୍ତଳା ନିଜର ଅତି ଦ୍ରୁତ ଓ ଆଶୁ ଗାଣିତିକ ଗଣନା ତଥା ହିସାବଗତ ଦକ୍ଷତା ଆଉ ପ୍ରତିଭା ବଳରେ। ବହୁସ˚ଖ୍ୟା ବିଶିଷ୍ଟ ଗୁଣନର ଗାଣିତିକ ହିସାବ ଓ ଗଣନା ଥିଲା ତାଙ୍କ ପାଇଁ ମାତ୍ର କେଇ ସେକେଣ୍ତର ଖେଳ। କମ୍ପ୍ୟୁଟର ବି ହାରି ଯାଉଥିଲା ତାଙ୍କ ଠାରୁ। ତାଙ୍କର ସେଭଳି ମେଧା ଯୋଗୁଁ ଗିନିସ୍‌ ବିଶ୍ବ ରେକର୍ଡ ସମ୍ବଳିତ ପୁସ୍ତକର ୧୯୮୨ ମସିହାର ସ˚ସ୍କରଣରେ ସିଏ ସ୍ଥାନ ପାଇଥିଲେ।

ବଳିଷ୍ଠ, ସ୍ବାଧୀନଚେତା ଓ ଅଣପାରମ୍ପରିକ ନାରୀ ଚରିତ୍ର ନିଖୁଣ ଭାବେ ଫୁଟେଇ ପାରୁଥିବା ବିଦ୍ୟା ବାଲନ୍‌ ଚଳଚ୍ଚିତ୍ରଟିରେ ଶକୁନ୍ତଳା ଦେବୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ସବାନା ଆଜ୍‌ମୀ ଏବ˚ ମାଧୁରୀ ଦୀକ୍ଷିତ୍‌। ବିଦ୍ୟାଙ୍କ ଆଗର କେତୋଟି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ହେଲା ଲଗେ ରହୋ ମୁନ୍ନା ଭାଇ, କାହାଣୀ, ଡାର୍ଟି ପିକ୍‌ଚର ଓ ପା’। ଆଲୋଚ୍ୟ ଚଳଚ୍ଚିତ୍ର ଶକୁନ୍ତଳା ଦେବୀର ପ୍ରଚାର-ପ୍ରସାର ଅଭିଯାନ କାଳରେ ସମ୍ବଲପୁରୀ ଶାଢ଼ି ପରିଧାନ କରିଥିବା ବିଦ୍ୟାଙ୍କ ହସଖୁସିଆ, ଠୋ ଠା, ବହିର୍ମୁଖୀ ଓ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବର ଅନେକ କିଛି ମେଳ ଖାଉଥିବା ମୂଳ ଚରିତ୍ର ଶକୁନ୍ତଳାଙ୍କ ବ୍ୟକ୍ତିତ୍ବ ସହ।

ବାଙ୍ଗାଲୋରରେ ଜନ୍ମଲାଭ କରିଥିବା ଶକୁନ୍ତଳାଙ୍କ ଗାଣିତିକ ଗଣନା-ହିସାବ ସମ୍ବନ୍ଧରେ ତାଙ୍କ ବାପା ଅବଗତ ହେଲେ ଥରେ ଯେତେବେଳେ ଶକୁନ୍ତଳା ତାସ୍‌ ପଟ ଖେଳର ଟ୍ରିକ୍‌ ଜରିଆରେ ନିଜର ଅସାଧାରଣ ସ୍ମରଣ ଶକ୍ତିର ଆଭାସ ଦେଇଥିଲେ। ଶକୁନ୍ତଳାଙ୍କ ପିତା ସର୍କସ୍‌ରେ କାମ କରୁଥିଲେ। ସେଠି ସିଏ ସି˚ହ ମଣ କରୁଥିଲେ, ଯାଦୁ ଦେଖାଉଥିଲେ ଓ ରଶି ଉପରେ ଭାରସାମ୍ୟ ରଖି ଚାଲିଯାଇପାରୁଥିଲେ। ଝିଅ ପାଇଁ ସେ ସର୍କସ୍‌ ଛାଡ଼ିଲେ। ରାଜ୍ୟ, ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଶକୁନ୍ତଳା ବାପାଙ୍କ ସହ ବୁଲି ବୁଲି ନିଜ ପ୍ରତିଭାର ପ୍ରମାଣ ଦେଲେ। ଇ˚ଲାଣ୍ତ, ଆମେରିକା, ସୋଭିଏତ୍‌ ଦେଶ, ଚୀନ୍‌ ଓ ଶ୍ରୀଲଙ୍କାଦି ଦେଶରେ। ବି.ବି.ସିରେ, ଲଣ୍ତନର ଇମ୍ପରିଆଲ୍‌ କଲେଜରେ ଓ ନ୍ୟୁୟର୍କ ସହରରେ। ସ˚ଖ୍ୟା, ଗୋଲକ ଧନ୍ଦା, ଅଙ୍କ, ରୋଷେଇ, ଜ୍ୟୋତିଷଗଣନା, ଉପନ୍ୟାସ ଓ ମାନବୀୟ ସମ୍ପର୍କକୁ ନେଇ ଲେଖାମାନ ଲେଖିଲେ। ବେଳେବେଳେ କେତେକ ସହରରେ ସିଏ ଥିଲା ବେଳେ ବିଜ୍ଞାପନ ବା ଖବର ବାହାରୁଥିଲା- ଆମେ ଦେଖା କରି ମତାମତ ନେଇ ପାରିବା ଶକୁନ୍ତଳା ଦେବୀଙ୍କ ଠାରୁ। କାରଣ ତାଙ୍କୁ ଆଗରୁ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟମାନେ ମଧୢ ଦେଖା କରି ପରାମର୍ଶ ଲୋଡ଼ିଛନ୍ତି। ହେଲେ ଅଭିଯୋଗ ହେଲା ସିଏ ଗଣିତକୁ ଜନପ୍ରିୟ କରିବାର ପ୍ରକ୍ରିୟାରେ ବିଶୁଦ୍ଧ ଓ ମୌଳିକ ଗଣିତ କ’ଣ ଜାଣିବାରେ ସେତେଟା ସାହାଯ୍ୟ କରିପାରିଲେନି। ପୁଣି ନିର୍ବାଚନୀ ରାଜନୀତିରେ ମିଶି ୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ଠାରୁ ହାରିଲେ। ମେଡକ ଥିଲା ସେ ନିର୍ବାଚନ ମଣ୍ତଳୀ। ଆଉ ପାଇଥିଲେ ସିଏ ସାତ ହଜାରରୁ କମ୍‌ ଭୋଟ। ଏସବୁ ସତ୍ତ୍ବେ କ୍ୟାଲେଣ୍ତର‌୍‌ ଚର୍ଚ୍ଚା, କର୍ମଶାଳା, ମୁକ୍ତ ମଞ୍ଚ, ପଥପ୍ରାନ୍ତର ପ୍ରଦର୍ଶନ ଓ ଅପେକ୍ଷାକୃତ ତରୁଣତରୁଣୀଙ୍କ ମେଳ ଭଳି ମାଧୢମ ବାଛି ସିଏ ଅଙ୍କକୁ ଭୟ ରହିତ ତଥା ଜନାଦୃତ କରିବା ପାଇଁ ପଛାଉ ନ ଥିଲେ।

ବିଶୁଦ୍ଧ ଓ ମୌଳିକ ଗଣିତ ପାଇଁ ଅମୂଲ୍ୟ ଅବଦାନ କଥା ଉଠିଲେ ଶ୍ରୀନିବାସ ରାମାନୁଜନ୍‌ଙ୍କୁ ସଭିଏଁ ମନେ ପକାନ୍ତି। ତାଙ୍କ ଅସାଧାରଣ ପ୍ରତିଭାକୁ ସ୍ବୀକାର କରି ଓ ସମ୍ମାନ ଜଣାଇ ନୋବେଲ୍ ବିଜେତା ଓ ବିଖ୍ୟାତ ଗଣିତଜ୍ଞ ବର୍ଟ୍ରାଣ୍ଡ ରସେଲ୍ ଥରେ ଏକ ଚିଠିରେ ଲେଖିଥିଲେ- ମୁଁ ମାନ୍ଦ୍ରାଜ୍‌ରେ ଦ୍ବିତୀୟ ନ୍ୟୁଟନ୍‌ଙ୍କୁ ଆବିଷ୍କାର କରିଛି ରାମାନୁଜନ୍‌ଙ୍କ ରୂପରେ। ଯକ୍ଷ୍ମାରେ ମାତ୍ର ୩୨ ବର୍ଷ ବୟସରେ ଚାଲି ଯାଇ ନ ଥିଲେ ସିଏ (ରାମାନୁଜନ୍‌) ଆହୁରି ଆଗକୁ, ଉପରକୁ ଯାଇପାରିଥାନ୍ତେ। ତାଙ୍କ ଉପରେ ମଧୢ ନିର୍ମିତ ହୋଇଥିଲା ୨୦୧୫ରେ ଏକ ଚଳଚ୍ଚିତ୍ର- ଇ˚ରେଜୀରେ- ‘‘ଦି ମ୍ୟାନ୍‌ ହୁ ନିଉ ଇନ୍‌ଫିନିଟି’’- ଅନନ୍ତ, ଅସୀମ ବାବଦରେ ଜାଣିଥିବା ଜଣେ ମଣିଷ। ସେଥିରେ ରାମାନୁଜନ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଦେବ ପଟେଲ୍‌ ଯିଏ କି ଆଗରୁ ‘‘ସ୍ଲମ୍‌ ଡଗ୍‌ ମିଲନେୟାର’’ରେ ମଧୢ ନିଜ ଅଭିନୟର ଯାଦୁ ଦେଖେଇଥିଲେ। ସେ ଚଳଚ୍ଚିତ୍ରଟିର ଆଧାର ଥିଲା ରବର୍ଟ କାନିଗେଲ୍‌ଙ୍କ ୧୯୯୧ର ପୁସ୍ତକ ‘ଦି ମ୍ୟାନ୍‌ ହୁ ନିଉ ଇନ୍‌ଫିନିଟି’। ପ୍ରଶାନ୍ତ ମାହାଲନୋବିସ୍‌ ଓ ବର୍ଟ୍ରାଣ୍ଡ୍ ରସେଲ୍‌ଙ୍କ ଚରିତ୍ର ସହ ମଧୢ ଭେଟ ହୁଏ ସେ ଚଳଚ୍ଚିତ୍ରଟିରେ। ରାମାନୁଜନ୍‌ଙ୍କ ଗଣିତରେ ଭରି ରହିଥିଲା ଦର୍ଶନ ଓ ବିଜ୍ଞାନର ପ୍ରଗାଢ଼ ଉପାଦାନ। ଏକଦା ‘ମାନ୍ଦ୍ରାଜ ବନ୍ଦର କର୍ତ୍ତୃପକ୍ଷରେ କିରାଣି ଚାକିରି କରୁଥିବା ରାମାନୁଜନ୍‌ ପରେ କେମ୍ବ୍ରିଜ୍ ଯାଇ ପ୍ରଫେସର ଗଡ୍‌ଫ୍ରେ ହାର୍ଡିଙ୍କ ସହ ମିଶି କାମ କରି ଚହଳ ପକେଇଲେ। ଇଂଲଣ୍ଡ ଯିବା ଆଗରୁ ରାମାନୁଜନ୍‌ ଯେଉଁ ତିନିଟି ବଡ଼ ଓ ଲମ୍ବା ଖାତାରେ ଅଙ୍କ କଷୁଥିଲେ ସେ ସବୁ ‘‘ଫ୍ରେଡ୍ ନୋଟ୍ ବୁକ୍‌ସ’’ (ରଫ୍‌ଖାତା) ନାଁରେ କ୍ଲାସିକ୍ ପ୍ରାୟ ଏବେ ବି ଉଲ୍ଲେଖ କରାଯାଏ।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର