ବିଡିଓଙ୍କ ଭିଡିଓ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ଏବେ ସୁଦୂର ମାଲକାନଗିରି ଜିଲାର ଜଣେ ବିଡିଓଙ୍କ ଦ୍ୱାରା ପ୍ରସ୍ତୁତ ଓ ଅଭିନୀତ ଏକ ସଙ୍ଗୀତ ଭିଡିଓ ବେଶ ଚର୍ଚ୍ଚାରେ। ଚିତ୍ରକୋଣ୍ଡା ନାମକ ଯେଉଁ ବ୍ଲକ୍‌ର ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାହା ସିନା ଏବେ ଓଡ଼ିଶା ସହିତ ସେତୁ ଦ୍ୱାରା ସଂଯୁକ୍ତ ହୋଇ ସ୍ୱାଭିମାନ ଅଞ୍ଚଳ ନାମରେ ପରିଚିତ; ଅଳ୍ପ କିଛି ମାସ ଆଗରୁ ଏହା ଥିଲା ଏକ ଦୁର୍ଗମ, ବିପଦପୂର୍ଣ୍ଣ ଓ ବିଚ୍ଛିନ୍ନ ଇଲାକା। ଓଡ଼ିଶା ଆଡ଼କୁ ଥିବା ତିନି ପାର୍ଶ୍ୱ ଥିଲା ପାହାଡ଼ ବା ପାଣି ଘେରରେ, ତେଣୁ ମାଓବାଦୀମାନଙ୍କର ଏହା ଥିଲା ଏକ ଗଡ଼। ଲୋକଙ୍କ ମନରେ ଏବେ ଯାଏଁ ସେ ଅଞ୍ଚଳଟି ବିଷୟରେ ଥିବା ପୁରୁଣା ଛବି ସମ୍ପୂର୍ଣ୍ଣ ଅପସରି ନ ଥିବା ବେଳେ ତଥା କରୋନାର ଏହି ହଟହଟା ସମୟରେ ବିଡିଓ ମହାଶୟଙ୍କର ସେହି ରଙ୍ଗାରଙ୍ଗ ଭିଡିଓଟି ହୋଇଉଠିଛି ଏକ କୌତୂହଳର ବିଷୟ। ଟିଭି ଚାନେଲରେ ଏହି ଭିଡିଓକୁ ନୈତିକ ସ୍ଖଳନ ହିସାବରେ ଆଲୋଚନା ହେଲା ବେଳକୁ ଖବର କାଗଜରେ ଏହାକୁ କ୍ଷମତାର ଅପବ୍ୟବହାର ଓ କରୋନା କଟକଣାର ଉଲ୍ଲଂଘନ ବୋଲି ଚିତ୍ରଣ କରାଗଲାଣି।

ତେବେ କହିଲେ ଦେଖି, ଏହି ଭିଡିଓଟି ତିଆରି କରି ବିଡିଓ ମହାଶୟ କ’ଣ ମହାଭାରତ ଅଶୁଦ୍ଧି କରିପକାଇଲେ? ସହଜରେ ତ ଯୁବକସୁଲଭ ଚପଳତା, ତା’ ସାଙ୍ଗକୁ ଗୀତ ନାଚ ଇତ୍ୟାଦିରେ ଅନେକ ଦିନରୁ ସଉକ। ଘର ବାହାରେ ପାହାଡ଼ ଘେରା ବିସ୍ତୀର୍ଣ୍ଣ ଜଳଭଣ୍ଡାରର ମନୋରମ ଦୃଶ୍ୟ ଯେକୌଣସି ସାଧାରଣ ମଣିଷକୁ କଳାର ନିଶାରେ ଆବୋରି ନେବ, ଆଉ ଅଧିକାରୀ ଜଣକ ବା ବାଦ ପଡ଼ନ୍ତେ କେମିତି? ତା’ ଛଡ଼ା ସେ ସମୁଦ୍ର ଭଳି ବିସ୍ତାରିତ ଜଳରାଶି ଉପରେ ମନଲୋଭା ମଟର ବୋଟ୍‌ଟିରେ କେବେ ସରକାରୀ ଗସ୍ତରେ ଯାଇଥିବା ବେଳେ ହୁଏତ ତାଙ୍କର ମନେ ପଡ଼ିଯାଇଥିବ ‘ଟାଇଟାନିକ’ ନାମକ ଚଳଚ୍ଚିତ୍ରର ଏକ କାଳଜୟୀ ଦୃଶ୍ୟ, ଯେଉଁଠି ଆଟଲାଣ୍ଟିକ ସାଗର ବକ୍ଷରେ ଆଗେଇ ଚାଲିଥିବା ବିଳାସପୂର୍ଣ୍ଣ ଜାହାଜଟିର ସବୁଠୁ ଆଗ ଅଂଶରେ ଛିଡ଼ା ହୋଇ ନାୟକ ଓ ନାୟିକା ନିଜ ନିଜର ହସ୍ତକୁ ପକ୍ଷୀର ଡେଣା ଭଳି ପ୍ରସାରିତ କରି ସେମାନଙ୍କର ସଦ୍ୟ ବିକଶିତ ପ୍ରେମକୁ ଚିରନ୍ତନ କରି ତୋଳିଛନ୍ତି। କଳାକାର ମନ, ତେଣୁ ସେହି କଳାର ଇସାରାକୁ ସଜୀବ ରୂପ ନ ଦେଲା ଯାଏଁ ସେ ଶାନ୍ତିରେ ରହନ୍ତେ ବା କେମିତି? ହାତ ପାଖରେ ତ ସବୁକିଛି ଉପଲବ୍‌ଧ: ମନୋରମ ପ୍ରାକୃତିକ ଦୃଶ୍ୟର ସମ୍ଭାର, ସୁନ୍ଦର ସରକାରୀ କ୍ୱାଟର୍ସ, ମନଲୋଭା ସରକାରୀ ମଟର ବୋଟ୍‌ ତଥା ଭିଡିଓ ପ୍ରସ୍ତୁତି ପାଇଁ ଆବଶ୍ୟକ ସାଧନ। ଦର୍ଶକମାନଙ୍କର ଆଜିର ଚାହିଦାକୁ ସମ୍ମାନ ଦେଇ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ପ୍ରସ୍ତୁତ ଅଭିନେତ୍ରୀ ପଡ଼ୋଶୀ ପ୍ରଦେଶରୁ ସହଜରେ ମିଳିଯାଇଥିବେ। ଯଦି ଏତେସବୁ ବ୍ୟବସ୍ଥା ହାତ ପାହାନ୍ତାରେ, ତେବେ କେଉଁ ସଚ୍ଚା କଳାକାର ନିଜର ଅନ୍ତରର ଡାକକୁ ଅବଜ୍ଞା କରିପାରିବ କହିଲେ? ତେଣୁ ବନିଗଲା ଏଇ ଆଲବମ।

ଅଧିକାରୀ ଓ ତାଙ୍କ ସମର୍ଥକଙ୍କ ମତରେ ସେ ଭିଡିଓଟି ତାଙ୍କର ଅବସର ସମୟରେ ନିର୍ମିତ ଓ ଆଲବମଟି ମାଧ୍ୟମରେ ସେ ମାଲକାନଗିରି ଜିଲାର ଅଜ୍ଞାତ ଅଥଚ ମନୋରମ ପ୍ରାକୃତିକ ସମ୍ଭାରକୁ ଲୋକଙ୍କ ନଜରକୁ ଆଣି ପର୍ଯ୍ୟଟନର ବାଟ ଖୋଲି ଦେଉଛନ୍ତି। ଭଲ କଥା, କଳାକାର ମନ କୌଣସି ବାହ୍ୟ ଚାପକୁ ମାନି ନିଏନା। ବିଶ୍ୱର ଜଣାଶୁଣା ବ୍ୟଙ୍ଗ ଲେଖକ ପି.ଜି. ଉଡହାଉସ ଯେତେବେଳେ ସର୍ଜନାର ତାଡ଼ନାରେ ଛଟପଟ ହେଉଥିଲେ ସେତେବେଳେ ଯାହା ସାମନାରେ ପାଇଲେ ସେଥିରେ ଅନ୍ତରର ସ୍ୱରକୁ ଉତାରି ପକାଉଥିଲେ। ସେ ବ୍ୟାଙ୍କ୍‌ରେ ଚାକିରି କରୁଥିବାରୁ ବ୍ୟାଙ୍କ୍‌ ଖାତା ବହିର ଅନେକ ପୃଷ୍ଠା ତାଙ୍କ ଳେଖନୀର ମାଧ୍ୟମ ହୋଇ ଉଠିଲେ। ଖାଲି ସେତିକି ନୁହେଁ, ସେ ଅଫିସ ସମୟ ପରେ ଦିନ ଭିତରେ ଲେଖିଥିବା ପୃଷ୍ଠାଂଶ ଗୁଡ଼ିକୁ ଚିରି ଘରକୁ ନେଇ ଯାଉଥିଲେ। କହିବା ବାହୁଲ୍ୟ, ତାଙ୍କର ଅଦ୍ଭୁତ ଖିଆଲ ପ୍ରଘଟ ହୋଇଯିବା ପରେ ସେ ଚାକିରି ଛାଡ଼ି ଦେଇଥିଲେ ଓ ଲେଖାରେ ମନୋନିବେଶ କରିଥିଲେ। ବିଡିଓ ମହାଶୟ ନିଜର ସର୍ଜନଶୀଳତାକୁ ରୂପ ଦେବାକୁ ଯାଇ ସରକାରୀ ନିୟମର ଉଲ୍ଲଂଘନ ବା ନଥିପତ୍ରର ସର୍ବନାଶ କରିଥିବାର ପ୍ରମାଣ ମିଳିନାହିଁ।

ଖାଲି ରହିଲା କରୋନା କଥା। କରୋନାର ଏହି ପ୍ରାଣଘାତୀ ଆଧିପତ୍ୟ ଭିତରେ, ବଞ୍ଚିବାର ଆଶା ନିଷ୍ପ୍ରଭ ହେଉଥିବା ବେଳେ, ଯଦି ସଙ୍ଗୀତ ମଣିଷକୁ କିଛିଟା ଆଶ୍ୱାସନା ଯୋଗାଇ ଦେଇ ପାରୁଛି ତେବେ ତ୍ରୁଟି ରହିଲା କେଉଁଠି? ଅନେକ ସ୍ଥାନରେ କରୋନା ଚିକିତ୍ସାକେନ୍ଦ୍ରମାନଙ୍କରେ ସ୍ୱାସ୍ଥ୍ୟକର୍ମୀ ଓ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଆକ୍ରାନ୍ତମାନଙ୍କୁ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଉତ୍ସାହ ପ୍ରଦାନ କରିବାର ନଜିର ରହିଛି। ଏମିତି କି ଚୀନ ଦେଶରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସିଥିବା ସ୍ୱାସ୍ଥ୍ୟ କର୍ମୀମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇଛନ୍ତି। ବିପତ୍ତି ବେଳେ ଅନ୍ୟକୁ ଉପଶମ ଯୋଗାଇବା ପାଇଁ ନୃତ୍ୟ ଓ ସଙ୍ଗୀତ ଯେମିତି ଆବଶ୍ୟକ, ସ୍ୱାସ୍ଥ୍ୟକର୍ମୀମାନଙ୍କର ବିଷାଦ ଓ କ୍ଳାନ୍ତିକୁ ଦୂର କରିବା ପାଇଁ ମଧ୍ୟ ସେମିତି ଦରକାର। ଓଡିଶା ସରକାରଙ୍କ ଦ୍ୱାରା ଅନୁପ୍ରାଣିତ “ବନ୍ଦେ ଉତ୍କଳ ଜନନୀ”ର ସାମୂହିକ ଗାନ ପଛରେ ହୁଏତ ଏମିତି ଏକ ଉଦ୍ଦେଶ୍ୟ ନିହିତ ଥିଲା।

ପୂର୍ବ ବର୍ଣ୍ଣିତ ‘ଟାଇଟାନିକ’ ଚଳଚ୍ଚିତ୍ରର ଆଉ ଏକ ସ୍ମରଣୀୟ ଦୃଶ୍ୟରେ ଆସନ୍ନ ମୃତ୍ୟୁକୁ ସାମନା କରୁଥିବା ସମୟରେ ମଧ୍ୟ ସଙ୍ଗୀତ ବାଦକମାନେ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି, ସଙ୍ଗୀତ ମାଧ୍ୟମରେ ମୃତ୍ୟୁ ଚିନ୍ତାରୁ ଦୂରେଇ ରହି କିଛିଟା ଶାନ୍ତି ପାଇବା ପାଇଁ ଓ ଅନ୍ୟମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ। ଚିତ୍ରକୋଣ୍ଡା ବିଡିଓଙ୍କ ପ୍ରଚେଷ୍ଟାକୁ ହୁଏତ ସେହି ଦୃଷ୍ଟିକୋଣରୁ ଦେଖିବା ସମୀଚୀନ ହେବ।

ବିଡିଓଙ୍କ ଭିଡିଓକୁ ବିବାଦାସ୍ପଦ କରି ଦେଇ ଗଣମାଧ୍ୟମ ଅଜାଣତରେ କଳାକାରଙ୍କର ଉପକାର କରି ବସିଛନ୍ତି। କାରଣ ତାହା ହୋଇ ନ ଥିଲେ ବିଡିଓଙ୍କର ଏହି ଭିଡିଓ ହୁଏତ ଆଜିର ଦିନରେ ମୁକ୍ତିଲାଭ କରୁଥିବା ଅସଂଖ୍ୟ ଭିଡିଓଗୁଡ଼ିକ ଭଳି ଲୋକଲୋଚନର ଅନ୍ତରାଳରେ ରହିଯାଆନ୍ତା ଓ ବିସ୍ମୃତିର ଗର୍ଭରେ ଶୀଘ୍ର ବିଲୀନ ହୁଅନ୍ତା; ଏତେ ଲୋକପ୍ରିୟତା ହାସଲ କରିପାରନ୍ତା ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ବିବାଦ ହିଁ ଲୋକପ୍ରିୟତାର ଅସଲି ଭିଟାମିନ।

ସୌଭାଗ୍ୟ ନଗର, ଭୁବନେଶ୍ୱର

ସମ୍ବନ୍ଧିତ ଖବର