ଅପରାଧୀ ଭୟଶୂନ୍ୟ କାହିଁକି?

ସମାଜ ଚିନ୍ତନ - ପ୍ରହଲାଦ କୁମାର ସି˚ହ

ନେସନାଲ ଜୁଡିସିଆଲ ଡାଟା ଗ୍ରିଡ୍‌ର ତଥ୍ୟ ଅନୁଯାୟୀ ୦୮.୧୦.୨୦୨୦ ସୁଦ୍ଧା ଆମ ଦେଶର ବିଭିନ୍ନ ଅଦାଲତରେ ୩,୫୦,୦୦,୮୬୨ଟି ମାମଲା ବିଚାରାଧୀନ ଥିବା ବେଳେ ଏଥିରୁ ଆପରାଧିକ ମାମଲା ସ˚ଖ୍ୟା ହେଉଛି ୨,୫୪,୧୪,୮୮୮। ଏହି ଆପରାଧିକ ମାମଲାଗୁଡ଼ିକରୁ ୨୨ ଲକ୍ଷରୁ ଅଧିକ ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି। ଏମିତିକି ଏହି ରିପୋର୍ଟରେ ବି ଦର୍ଶାଯାଇଛି ଯେ ଏବେ ଆମ ଦେଶରେ ୫୨,୭୫୨ଟି ଏଭଳି ଆପରାଧିକ ମାମଲା ରହିଛି ଯାହା ବିଭିନ୍ନ ଅଦାଲତରେ ୩୦ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ରିପୋର୍ଟ ମୁତାବକ ଓଡ଼ିଶାରେ ୧୩,୪୬,୨୧୦ ମାମଲା ବିଚାରାଧୀନ ଥିଲା ବେଳେ ସେଥି ମଧ୍ୟରୁ ଆପରାଧିକ ମାମଲା ସ˚ଖ୍ୟା ହେଉଛି ୧୦,୭୧,୬୯୮। ଏଥିରୁ ୧,୭୩,୩୭୭ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି। ଏହା ଭିତରେ ବି ୩୦ ବର୍ଷରୁ ଅଧିକ ସମୟ ଧରି ଗଡ଼ିଆସୁଛି ୩୦୧୦ଟି ଆପରାଧିକ ମାମଲା। ମୋଟାମୋଟି ଭାବେ ସାରା ଦେଶରେ ପ୍ରତି ୩୮ ଜଣ ଲୋକରେ ହାରାହାରି ଗୋଟିଏ ମାମଲା ରହିଥିବା ବେଳେ ଓଡ଼ିଶାରେ ପ୍ରତି ୩୪ ଜଣ ଲୋକରେ ଅଛି ଗୋଟିଏକରି ମାମଲା। ଦେଶର ଅନ୍ୟ ରାଜ୍ୟମାନଙ୍କରେ ବି ଆପରାଧିକ ମାମଲାର ସ୍ଥିତି ଉଦ୍‌ବେଗଜନକ।

୨୦୨୦ ସେପ୍ଟେମ୍ବର ଶେଷ ସପ୍ତାହରେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟର ନେସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ପ୍ରକାଶ କରିଛନ୍ତି ‘କ୍ରାଇମ ଇନ ଇଣ୍ତିଆ-୨୦୧୯’ ରିପୋର୍ଟ। ଏଥିରେ ଦର୍ଶାଯାଇଛି ଯେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ତବିଧାନ ହାର ୨୦୧୯ ବର୍ଷରେ ୧୦ ପ୍ରତିଶତ ଥିବା ବେଳେ ଫଇସଲା ହୋଇଛି ମୋଟ ମାମଲାରୁ ମାତ୍ର ୩.୫ ପ୍ରତିଶତ। ସେହିଭଳି ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧ ସ˚କ୍ରାନ୍ତରେ ବିଚାର ପାଇଁ ଥିବା ମାମଲାଗୁଡ଼ିକ ମଧ୍ୟରୁ ଏହି ବର୍ଷରେ ମାତ୍ର ୨.୩ ପ୍ରତିଶତ ଫଇସଲା ହୋଇଥିବା ବେଳେ ଏଥିରେ ଦଣ୍ତବିଧାନ ହାର ରହିଛି ୧୭.୬ ପ୍ରତିଶତ। ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ କ୍ଷେତ୍ରରେ ଜାତୀୟ ସ୍ତରରେ ଦଣ୍ତବିଧାନ ହାର ୨୩.୭ ପ୍ରତିଶତ ଥିବା ବେଳେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧ କ୍ଷେତ୍ରରେ ଦେଶରେ ଦଣ୍ତବିଧାନ ହାର ୨୦୧୯ ବର୍ଷରେ ରହିଛି ୩୫.୨ ପ୍ରତିଶତ। ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ଆରମ୍ଭ ବେଳକୁ ଦେଶର ବିଚାରାଳୟଗୁଡ଼ିକରେ ମହିଳାମାନଙ୍କ ପ୍ରତି ଘଟିଥିବା ଆପରାଧିକ ମାମଲାଗୁଡ଼ିକରୁ ୧୫,୬୩,୮୦୧ ଓ ଶିଶୁମାନଙ୍କ ପ୍ରତି ଘଟିଥିବା ଆପରାଧିକ ମାମଲାଗୁଡ଼ିକରୁ ୩,୪୬,୯୭୫ଟି ବିଚାର ପାଇଁ ପଡ଼ି ରହିଥିଲା। ଓଡ଼ିଶାରେ ବି ଏହି କିସମର ବାକିଆ ମାମଲା ସ˚ଖ୍ୟା ଚଳିତ ବର୍ଷ ଜାନୁଆରି ପହିଲା ସୁଦ୍ଧା ଥିଲା ଯଥାକ୍ରମେ ୧,୧୪,୧୫୫ ଓ ୧୨,୩୨୨। ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ରୁଜୁ ହୋଇ ବିଚାର ପ୍ରତୀକ୍ଷାରେ ଥିବା ଆପରାଧିକ ମାମଲାଗୁଡ଼ିକ ମଧ୍ୟରୁ ଗତବର୍ଷ ଦେଶରେ ୧୧.୧ ପ୍ରତିଶତ ମାମଲା ଫଇସଲା ହୋଇଥିବା ବେଳେ ଓଡ଼ିଶାରେ ଫଇସଲା ହାର ମାତ୍ର ୨.୫ ପ୍ରତିଶତ। ୨୦୨୦ ଆରମ୍ଭ ବେଳକୁ ଦେଶର ବିଭିନ୍ନ ଅଦାଲତରେ ୧,୧୨,୫୬,୮୧୬ଟି ଆଇପିସି ଓ ୬୯,୮୪,୫୩୪ଟି ଏସଏଲଏଲ ଆପରାଧିକ ମାମଲା ବିଚାର ପାଇଁ ବାକିଥିବା ବେଳେ ଓଡ଼ିଶାରେ ଆପରାଧିକ ମାମଲାଗୁଡ଼ିକ ଭିତରୁ ଏହି ସମୟ ସୁଦ୍ଧା ୬,୨୩,୧୭୦ଟି ଆଇପିସି ଓ ୧,୫୮,୬୮୦ ଟି ଏସଏଲଏଲ କ୍ରାଇମ ମାମଲା ବିଚାର ପ୍ରତୀକ୍ଷାରେ ଥିଲା। ଆମ ରାଜ୍ୟରେ ଗତବର୍ଷ ଆଇପିସି ମାମଲାରେ ଦଣ୍ତବିଧାନ ହାର ୨୧.୫ ପ୍ରତିଶତ ଥିବା ବେଳେ ଏସଏଲଏଲ ଆପରାଧିକ ମାମଲାରେ ଦଣ୍ତବିଧାନ ହାର ଥିଲା ୬୧.୨ ପ୍ରତିଶତ। ତେବେ ସାମଗ୍ରିକ ଭାବେ ଦେଶରେ ଦଣ୍ତବିଧାନ ହାର ଗତବର୍ଷ ଆଇପିସି ମାମଲାରେ ୫୦.୪ ଓ ଏସଏଲଏଲ ଆପରାଧିକ ମାମଲାରେ ୮୦.୮ ପ୍ରତିଶତ ରହିଛି। ଗତବର୍ଷ ଦେଶରେ ଦୁର୍ନୀତି ମାମଲାର ମାତ୍ର ୪.୬ ପ୍ରତିଶତ ଓ ଅନ୍ୟ ଅର୍ଥନୈତିକ ଅପରାଧ ମାମଲାର ମାତ୍ର ୨.୮ ପ୍ରତିଶତ ଫଇସଲା ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅନ୍ୟାନ୍ୟ ଆପରାଧିକ ମାମଲା ଯେତେ ସ˚ଖ୍ୟାରେ ପଡ଼ିରହିଛି, ସେଥିରୁ ବି ଆମ ଦେଶରେ ୧୦ ପ୍ରତିଶତ ବି ଫଇସଲା ହୋଇପାରିନାହିଁ। ଓଡ଼ିଶାରେ ୨୦୧୯ ବର୍ଷରେ ଦୁର୍ନୀତି ନିବାରଣ ମାମଲାଗୁଡ଼ିକ ଭିତରୁ ମାତ୍ର ୪.୬ ପ୍ରତିଶତ ଓ ଅନ୍ୟାନ୍ୟ ଅର୍ଥନୈତିକ ଅପରାଧ ମାମଲାଗୁଡ଼ିକରୁ ୨.୮ ପ୍ରତିଶତ ଫଇସଲା ହୋଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହୋଇଥିବା ଅତ୍ୟାଚାର ମାମଲା ଭିତରୁ ୧ ପ୍ରତିଶତ ବି ଫଇସଲା ହୋଇପାରିନାହିଁ। ତେବେ ଦୁର୍ନୀତି ମାମଲାରେ ଦେଶରେ ଦଣ୍ତବିଧାନ ହାର ଗତବର୍ଷ ୪୪.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ରହିଛି ୪୮.୬ ପ୍ରତିଶତ।

ଦିଲ୍ଲୀ, ହାଇଦ୍ରାବାଦ, ଉନ୍ନାଓ, କାଠୁଆଠାରୁ ହାଥରସ୍‌ ପର୍ଯ୍ୟନ୍ତ ଯେତେସବୁ ଲୋମଟାଙ୍କୁରା ଅପରାଧ ଗଣମାଧ୍ୟମର ପୃଷ୍ଠା ମଣ୍ତନ ସହ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ସେଥିଘେନି ଯେକୌଣସି ସଚେତନ ନାଗରିକ ଉଦ୍‌ବିଗ୍ନ ହେବା ସ୍ବାଭାବିକ। ଏ ପ୍ରସଙ୍ଗରେ ଏନ୍‌ସିଆର୍‌ବି ରିପୋର୍ଟରେ ବଳାତ୍କାର ସମ୍ପର୍କରେ ଯେଉଁ ତଥ୍ୟ ରହିଛି ସେଥିରୁ ଜଣାପଡ଼ିଛି ଯେ ଅନ୍ୟୂନ ୯୪.୨ ପ୍ରତିଶତ ବଳାତ୍କାର ମାମଲାର ଅଭିଯୁକ୍ତ ପୀଡ଼ିତାଙ୍କ ଜଣାଶୁଣା। କେବଳ ସେତିକି ନୁହେଁ, କେତେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ଜ୍ଞାତି ପରିଜନ, ପଡ଼ୋଶୀ ଆଦି ମଧ୍ୟ ବଳାତ୍କାର କରିଥିବା ଏଥିରେ ଉଲ୍ଲେଖ ରହିଛି। ଏଭଳି ଜଘନ୍ୟ ଅପରାଧରେ ବି ଦଣ୍ତବିଧାନ ହାର ନଗଣ୍ୟ।

ଆମ ରାଜ୍ୟ ତଥା ଦେଶରେ ସ˚ଖ୍ୟାଧିକ ଆପରାଧିକ ମାମଲାରେ ଅଭିଯୁକ୍ତମାନେ ଯେଭଳି ଖସି ଯାଉଛନ୍ତି ତାହା ବ୍ୟବସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରିବା ସହ ଆଇନ ଶୃଙ୍ଖଳା ଏବ˚ ସର୍ବସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ବିପର୍ଯ୍ୟୟ ମୁହଁକୁ ଟାଣି ନେଉଛି। ବନ୍ୟା ସମୟରେ ହୀରାକୁଦ ନଦୀବନ୍ଧର ସମସ୍ତ ଫାଟକ ଖୋଲି ତଳମୁଣ୍ତରେ କେତୋଟି ବାଲିବସ୍ତା ଧରି ନଈବନ୍ଧକୁ ଜଗିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯିବା ଯାହା, ସମାଜରୁ ଅପରାଧ ପ୍ରବଣତା କିଭଳି ହ୍ରାସ ପାଇବ ତାହା ଉପରେ ଧ୍ୟାନ କେନ୍ଦ୍ରିତ ନ କରି କେବଳ କୋର୍ଟ କଚେରି, ଥାନା ଫାଣ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ମଧ୍ୟ ତାହା। ଅପରାଧ ପ୍ରବଣତା ପଛରେ ଯେଉଁସବୁ ମନସ୍ତାତ୍ତ୍ବିକ, ରାଜନୈତିକ, ଆର୍ଥିକ, ସାମାଜିକ ଓ ନୈତିକ ଦିଗ ରହିଛି ତାହା ଉପରେ ରାଷ୍ଟ୍ର ଗୁରୁତ୍ବ ଦେଇ ପ୍ରତିଷେଧକ ବ୍ୟବସ୍ଥା କରିପାରିଲେ ଅପରାଧୀଙ୍କ ସ˚ଖ୍ୟା ବହୁ ମାତ୍ରାରେ ହ୍ରାସ ପାଆନ୍ତା। ଏହାଛଡ଼ା ଅପରାଧ ଘଟିବାର ସୀମିତ ସମୟ ମଧ୍ୟରେ ତଦନ୍ତ ଓ ବିଚାର ଶେଷ କରାଯିବା ଉପରେ ବି ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ନ ହେଲେ ସ୍ବଳ୍ପ ସ˚ଖ୍ୟକ ଅପରାଧୀଙ୍କ ଯୋଗୁ ସ˚ଖ୍ୟାଧିକ ଲୋକଙ୍କ ନିରାପତ୍ତା ବିଗିଡ଼ି ଚାଲିଥିବ। ଅପରାଧର ଜନନୀ ବୋଲି କୁହାଯାଉଥିବା ନିଶାର ନିପାତ ନ ହେଲା ପର୍ଯ୍ୟନ୍ତ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହେଉଥିବ। ଅଦାଲତଗୁଡ଼ିକ ଉପରେ ମାମଲାର ଚାପ କମାଇବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ତ୍ରୟୋଦଶ ଅର୍ଥ କମିସନଙ୍କ ସୁପାରିସ ମୁତାବକ ୨୦୧୧ ମସିହାରେ ଓଡ଼ିଶା ରାଜ୍ୟ ମାମଲା ନୀତି ପ୍ରଣୟନ କରାଯାଇଛି। ଏହାର କାର୍ଯ୍ୟକାରିତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ରାଜ୍ୟସ୍ତରୀୟ କମିଟି ମଧ୍ୟ ରହିଛି। ଜିଲ୍ଲାସ୍ତରରେ ବି ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଅଛି। ରାଜ୍ୟ ମାମଲା ନୀତି ଅନୁଯାୟୀ ୫ ବର୍ଷରୁ ପୁରୁଣା ମାମଲା ସବୁ ସୀମିତ ସମୟ ମଧ୍ୟରେ ଫଇସଲା ହେବା କଥା। କିନ୍ତୁ ଲୋକ ଅଦାଲତ ଆଦି ମାଧ୍ୟମରେ ବ୍ୟାପକ ମାମଲା ଫଇସଲା ହେଉଥିଲେ ବି ଆଇନ ଅଦାଲତଗୁଡ଼ିକରେ ପୁରୁଣା ମାମଲାର ଚାପ କେତେ ଅଧିକ ରହୁଛି ନେସନାଲ ଜୁଡିସିଆଲ ଡାଟା ଗ୍ରିଡ୍‌ ଓ କ୍ରାଇମ୍‌ ଇନ ଇଣ୍ତିଆ ରିପୋର୍ଟରୁ ସ୍ପଷ୍ଟ ହୋଇଥାଏ।

କେବଳ ନାରୀମାନଙ୍କ ନିରାପତ୍ତା ନୁହେଁ, ସାଧାରଣ ଲୋକଙ୍କ ଧନ ଜୀବନ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏବେ ଏହି ବିପର୍ଯ୍ୟୟର କରୁଣ ଚିତ୍ର ଦୃଶ୍ୟମାନ ହେଉଥିବା ବେଳେ ବହୁ ପ୍ରତୀକ୍ଷିତ ରାମ ରାଜ୍ୟ ମରୀଚିକା ହୋଇ ରହିଛି। ବିଶେଷ କରି ଆପରାଧିକ ମାମଲାଗୁଡ଼ିକର ଫଇସଲାରେ ବିଳମ୍ବ, ଏଭଳି ମାମଲାରେ ସ˚ଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତମାନେ ଦୋଷମୁକ୍ତ ହେବା, ଦୁର୍ବଳ ମାମଲା ପରିଚାଳନା, ତଦନ୍ତରେ ଖିଲାପ ଏବ˚ ସର୍ବୋପରି ସାମାଜିକ, ରାଜନୈତିକ, ଆର୍ଥିକ ଓ ଶିକ୍ଷା ବ୍ୟବସ୍ଥାରେ ନୈତିକ ଅଧପତନ ଯୋଗୁ ଅପରାଧ ପ୍ରବଣତା ବୃଦ୍ଧି ପାଉଛି। ଏହା ଆମ ଗଣତନ୍ତ୍ର, ସମାଜ, ପରିବାର ତଥା ବ୍ୟକ୍ତି ଜୀବନ ପାଇଁ ଉଦ୍‌ବେଗର କାରଣ। ‘ସ୍ବାଧୀନ ଭାରତର ଆଇନଶୃଙ୍ଖଳା ବ୍ୟବସ୍ଥା ଏତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ସମ୍ପୂର୍ଣ୍ଣ ନିରାପଦରେ ଫେରିଆସିବ’- ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଉଥିବା କ˚ଗ୍ରେସ ପକ୍ଷରୁ ସ୍ବରାଜ୍ୟର ସ˚ଜ୍ଞା ଶୀର୍ଷକରେ ମହାତ୍ମା ଗାନ୍ଧୀ ଏହି ପ୍ରତିଶ୍ରୁତି ଘୋଷଣା କରିଥିଲେ। ଏଥିରେ ଆହୁରି ଅନେକ କଥା ଉଲ୍ଲେଖ ଥିଲା। ତେବେ ସ୍ବାଧୀନତାର ୭୩ ବର୍ଷ ପରେ ଆମ ଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା କିଭଳି ସ୍ଥିତିରେ ରହିଛି ତାହା ସମସ୍ତେ ଅଙ୍ଗେ ନିଭେଉଛନ୍ତି। ରାତି ଅଧରେ ରାଜରାସ୍ତାରେ ନିରାପତ୍ତା ତ ଦୂରର କଥା ଘରଠାରୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ ଦିନ ଦ୍ବିପ୍ରହରରେ ବି ନାରୀମାନେ ଅସୁରକ୍ଷିତ ଅଟନ୍ତି।

ହତ୍ୟା, ବଳାତ୍କାର, ଅପହରଣ, ଦଙ୍ଗା, ଚୋରି, ଡକାୟତି, ନିଶା କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ଅପରାଧର ଚାପ ବଢ଼ି ଚାଲିଥିବା ବେଳେ ଆମେ ନିଜକୁ ଏକ ସଭ୍ୟ, ସ˚ସ୍କୃତି ସମ୍ପନ୍ନ, ଶୃଙ୍ଖଳିତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଦାବି କରିପାରିବା କି? କେହି ଅପରାଧୀ ହୋଇ ଜନ୍ମ ହୋଇନଥାନ୍ତି। ସାମାଜିକ, ଆର୍ଥିକ, ରାଜନୈତିକ, ପ୍ରଶାସନିକ ବ୍ୟବସ୍ଥା ଆଦି ସୃଷ୍ଟି କରୁଥିବା ଅପରାଧର ପୃଷ୍ଠଭୂମିରେ ଅପରାଧୀଙ୍କ ସ˚ଖ୍ୟା ବଢ଼ୁଛି। କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ ସମନ୍ବୟ ରକ୍ଷା କରି ଅହି˚ସ ଅର୍ଥନୀତି, ସମତା ଭିିତ୍ତିକ ସାମାଜିକ ବ୍ୟବସ୍ଥା, ନୈତିକତା ଓ ଚରିତ୍ରଭିିତ୍ତିକ ସ୍ବାବଲମ୍ବୀ ଶିକ୍ଷା, ବ୍ୟକ୍ତି ଓ ରାଷ୍ଟ୍ର ଜୀବନରେ ଆଧ୍ୟାତ୍ମିକତାର ବିକାଶ, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶ୍ରମକୁ ସମ୍ମାନ, ସବୁ ହାତକୁ କାମ ସହିତ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ସତ୍ୟ, ଅହି˚ସା ସମେତ ଏକାଦଶ ବ୍ରତର ଅନୁପାଳନ ଅପରାଧ ପ୍ରବଣତାକୁ ହ୍ରାସ କରିବ। ଆତ୍ମନିର୍ଭର ଶ୍ରେଷ୍ଠ ଭାରତ ସ୍ବଦେଶୀ, ସ୍ବାବଲମ୍ବନ ଓ ସ୍ବାଭିମାନ ଆଧାରରେ ପ୍ରତିଷ୍ଠିତ ହୋଇପାରିବ। ଏଥିପାଇଁ ବ୍ୟବସ୍ଥାର ବଡ଼ପଣ୍ତାମାନଙ୍କର ମାନସିକତାରେ ସ˚ସ୍କାର ଲୋଡ଼ା।

ମୋ: ୯୪୩୭୦୧୭୩୯୫
[email protected]

ସମ୍ବନ୍ଧିତ ଖବର

Comments are closed.