ମୁଠାଏ ଜୀବନ ଟୋପାଏ ଲୁହ

ସୁଭାଷ ପଟ୍ଟନାୟକ

ସବୁଦିନ ପରି କାଲି ମଧ୍ୟ ପ୍ରାତଃ ଭ୍ରମଣରେ ଗଲା ବେଳେ ସେଇ ତିନିଜଣ ବୃଦ୍ଧଙ୍କ ସହିତ ଦେଖାହେଲା। ତିନି ଜଣ ଯାକ ଉଚ୍ଚ ଶିକ୍ଷିତ, ଅବସରପ୍ରାପ୍ତ। ବୟସ ସତୁରି ଉପରେ। ପ୍ରତିଦିନ ପ୍ରାତଃ ଭ୍ରମଣରେ ଆସନ୍ତି। ପାହାଡ଼ ଆଡ଼କୁ ମୁହଁ କରି ଠୋ-ଠା ହସନ୍ତି। ଅବିରାମ ହସ। ନିରୋଳା ସକାଳରେ ତାଙ୍କ ହସର ପ୍ରତିଧ୍ବନି ପାହାଡ଼ରେ ଧକ୍କା ଖାଇ ଫେରିଆସେ। ଆଜି ମୋତେ ଦେଖି ଅଟକିଯାଇ କହିଲେ- ‘‘ଆଜ୍ଞା, ଆପଣ ବି ଆଜି ଆମ ସାଙ୍ଗରେ ହସନ୍ତୁ। ହସିଲେ ହୃଦ୍‌ଘାତ ହୁଏନାହିଁ। ରକ୍ତଚାପ ଠିକ୍ ରହେ”। କାମର ବାହାନା କରି ଫେରିଆସିଲି। କିନ୍ତୁ ଫେରିବା ବେଳେ ମନେ ମନେ ଭାବୁଥିଲି, ଏ’ ତିନିଜଣ ବୃଦ୍ଧ ବନ୍ଧୁଙ୍କର ହସ ‌େକଡ଼େ କୃତ୍ରିମ ସତେ! ଆମ କଲୋନିର ଏମାନେ। କିଛି ଦିନ ତଳେ ଏକା ଦିନରେ ଜଣଙ୍କର ପତ୍ନୀ ଓ ପୁତ୍ରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆଉ ଜଣଙ୍କର ଏକମାତ୍ର ଝିଅ କର୍କଟ ରୋଗ ପୀଡ଼ିତା। ତୃତୀୟ ବନ୍ଧୁଟିର ଆର୍ଥିକ ଅବସ୍ଥା ଖରାପ। ଅବସର ଭତ୍ତା ନାହିଁ କି ପୁଅଝିଅ ନାହାନ୍ତି। ଏମାନଙ୍କର ହସ ପଛରେ ଯେଉଁ କୋହ ଲୁଚି ରହିଛି, ତାହା କେଡ଼େ ଦାରୁଣ ସତେ!

ବିଚିତ୍ର ଏ ସ୍ରଷ୍ଟାଙ୍କର ପରିକଳ୍ପନା। ଯେଉଁ ଦୁଇଟି ଆଖି ସେ ସୁନ୍ଦର ସଂସାରକୁ ଦେଖିବାକୁ ଦେଲେ, ସେଥିରେ ପୁଣି ଭରିଦେଲେ ଏତେ ଲୁହ। ଭାବିଲେନି, ମଣିଷ କାନ୍ଦିବ ଯଦି ଦେଖିବ କେମିତି?

ଜନ୍ମଠାରୁ ମୃତ୍ୟୁର ଦୂରତା କେବଳ ଲୁହର ଫିତାରେ ହିଁ ମପାଯାଇପାରେ। ଜନ୍ମ ହେଲା କ୍ଷଣି ମଣିଷ କାନ୍ଦେ। କହିବାର ଭାଷା ଶିଖିବା ପର୍ଯ୍ୟନ୍ତ କାନ୍ଦଟା ହିଁ ତାର ଭାଷା। କାନ୍ଦର ଭାଷା ସମସ୍ତେ ବୁଝନ୍ତି। ପୁଣି ଶେଷଯାତ୍ରା ବେଳକୁ ତାର ଜ୍ଞାତି ପରିଜନମାନେ ସେଇ ଭାଷାରେ ହିଁ ତାକୁ ବିଦାୟ ଦିଅନ୍ତି। ଜନ୍ମଠାରୁ ମୃତ୍ୟୁର ଏ ଯେଉଁ ଦୀର୍ଘ ପଥ, ମଣିଷ ଏହାକୁ କେବଳ କାନ୍ଦି କାନ୍ଦି ପାର ହୁଏ। ଓଠରେ ତା’ର ସିନା ହସ ଥାଏ, ଆଖିର ଲୁହ କିନ୍ତୁ ଅଦୃଶ୍ୟରେ ଝରୁଥାଏ।

ଏ ଲୁହର ମହତ୍ତ୍ବ କିଛି କମ୍ ନୁହେଁ! ମନେପକାନ୍ତୁ- କପୋତର ମୃତ୍ୟୁ ଦେଖି ବାଲ୍ମୀକି କାନ୍ଦିଥିଲେ, ସେଇଥିରୁ ସୃଷ୍ଟି ହୋଇଗଲା ଏତେ ବଡ଼ ରାମାୟଣ ଗ୍ରନ୍ଥ। ଦୁଇଟି ମାତ୍ର ଶଦ୍ଦ ସମ୍ବଳିତ ବାକ୍ୟ- “ଯୀଶସ୍ ୱେପ୍‌ଟ” ବାଇବେଲ୍‌କୁ ପ୍ରସିଦ୍ଧ କରିଦେଲା। ଶିବ କାନ୍ଦିଲେ, ସେଇଥିରୁ ତାଙ୍କ ନାମ ହୋଇଗଲା ‘ରୁଦ୍ର’ ଓ ତାଙ୍କ ଲୁହଟୋପା ହୋଇଗଲା ‘ରୁଦ୍ରାକ୍ଷ’। ଦେବୀ ପାର୍ବତୀ (ଶାକମ୍ଭରୀ) କାନ୍ଦିଲେ, ଲୁହରେ ତାଙ୍କର ପୃଥିବୀ ହୋଇଗଲା ଶସ୍ୟ ଶ୍ୟାମଳା। ସଂସାରର ଦୁଃଖ ଓ କ୍ରନ୍ଦନ ସିଦ୍ଧାର୍ଥଙ୍କୁ ବୁଦ୍ଧରେ ପରିଣତ କଲା। ଆଉ ଯଦି ଗୋଟିଏ ନାରୀର କଥା କୁହାଯିବ, ଅନ୍ୟକୁ ହସାଇବାକୁ ତା’ ଜୀବନ କାଳରେ ସେ ଯେତେ ଲୁହ ଝରାଇଛି, ଯେତେ ଲୁହ ଛାତିରେ ଚାପି ରଖିଛି, ସେ କଥା ତା’ଛଡା ଆଉ କିଏ ବା ଜାଣେ? ଟୋପାଏ ଲୁହ କହିଦେଇପାରେ ନାରୀ ଜୀବନର ଫର୍ଦ୍ଦ ଫର୍ଦ୍ଦ ଇତିହାସ।

ହୃଦୟକୁ ସଫା ରଖିବା ପାଇଁ ଲୁହ ହେଉଛି ସାବୁନ ପାଣି ସଦୃଶ। ହୃଦୟ ମଧ୍ୟରେ ହସ ଓ କାନ୍ଦ ଏକା ସାଙ୍ଗରେ ରହିଥାଏ। ଏ ଦୁଇଟି ଅନ୍ତଃସ୍ଥଳରେ ଏକ। ଜଣେ ଯଦି କାନ୍ଦିବାକୁ ଅକ୍ଷମ, ସେ କେବେ ବି ହସିପାରିବନି। କାନ୍ଦକୁ ଚାପି ରଖିଲେ ଆପଣଙ୍କ ହସ ମଧ୍ୟ କ୍ଷୀଣ ହୋଇଯିବ। ତେଣୁ ହସିବାକୁ ଚେଷ୍ଟା କରୁଥିବା ମଣିଷ ପ୍ରଥମେ କାନ୍ଦର ମହନୀୟତା ବୁଝିବା ଉଚିତ। ହସ ଓଠର ଭାଷା, ହେଲେ କାନ୍ଦ ହେଉଛି ଆପଣଙ୍କ ହୃଦୟର ଭାଷା।

ଆଖିରୁ ଝରୁଥିବା ଲୋତକ ଆତ୍ମାକୁ ସିକ୍ତ କରେ। ବେଳେ ବେଳେ ମଣିଷ ହସି ହସି ମଧ୍ୟ କାନ୍ଦିପକାଏ। ଅନ୍ତଃସ୍ଥଳର ରୁଦ୍ଧ ବେଦନା ହସର ଫାଙ୍କରେ ଚୁପଚାପ ଖସିଆସେ ପଦାକୁ- ସେଇଥିପାଇଁ। ଆଖିରେ ଲୁହ ନଥିଲେ ଦୃଦୟରେ ଇନ୍ଦ୍ରଧନୁ ଖେଳନ୍ତାନି। ଦାର୍ଶନିକ କବି ସାନ୍ତାୟାନ କହିଲେ-‘‘ୱି ଲାଫ୍ ଏଣ୍ଡ ଲାଫ୍, ଦେନ୍ କ୍ରାଏ ଏଣ୍ଡ କ୍ରାଏ, ଦେନ୍ ଫିବଲ୍ ଲାଫ, ଦେନ୍ ଡାଏ”। ଆମେ ହସି ହସି ଗଡୁଥିବା, ପୁଣି କାନ୍ଦି କାନ୍ଦି ଲୋଟିଯିବା, ତା’ପରେ କ୍ଷୀଣ ହସଟିଏ ହସିଦେଇ, ସଂସାରରୁ ଚାଲିଯିବା।

ଏ କାନ୍ଦର ମଧ୍ୟ ଜାତିଗୋତ୍ର ଅଛି। ଗୋଟେ ହେଲା ଦୁଃଖ ଓ ବେଦନାର ଅଶ୍ରୁ, ଆନନ୍ଦର ଅଶ୍ରୁ, ପ୍ରେମର ଅଶ୍ରୁ, ସମଦୁଃଖୀ ଭାବର ଅଶ୍ରୁ, ଭକ୍ତି ଭାବର ଅଶ୍ରୁ, ଅନୁତାପର ଅଶ୍ରୁ, ଭାବାବେଗର ଅଶ୍ରୁ ଓ କୁଟିଳତାର ଅଶ୍ରୁ ବା କୁମ୍ଭୀର କାନ୍ଦଣା।

ଆରିଷ୍ଟୋଟଲ ତ କହିଲେ, ଦୁଃଖ ଭିତରେ ହିଁ ଆନନ୍ଦ ଲୁଚି ରହିଛି। ପ୍ରାଚୀନ ଗ୍ରୀକ୍ ନାଟକ ଅଧିକାଂଶ ଦୁଃଖାନ୍ତ। ଦୁଃଖର ନାଟକଟିଏ ଦର୍ଶକକୁ ଖୁସି ଦେବ ବା କେମିତି? ଆରିଷ୍ଟୋଟଲ କହିଲେ, ଦୁଃଖଦ ଦୃଶ୍ୟଟିଏ ଦେଖିଲେ ଦର୍ଶକର ମନ ଭିତରର ସେଇ ଦୁଃଖ ଜନିତ ଆବେଗଟିର ଶୋଧନ ହୋଇଯାଏ, ତେଣୁ ସେ ଆନନ୍ଦ ଉପଲବ୍‌ଧି କରେ। ଠିକ୍ କଥା।

ଆମ ଆଧ୍ୟାତ୍ମିକ ଶାସ୍ତ୍ରରେ ଭକ୍ତି-ଅଶ୍ରୁ କଥା କୁହାଯାଇଛି। ଆତ୍ମାର ପରମାତ୍ମାଙ୍କ ସହିତ ମିଳନ କାଳରେ ଅଶ୍ରୁପାତ ହୁଏ। ସେଇଠି ଆତ୍ମାର ଶୋଧନ ହୋଇଯାଏ। ସମସ୍ତ ଆବିଳତାକୁ ଲୁହରେ ଧୋଇଦେଇ ଆତ୍ମା ପ୍ରଥମେ ନିଜକୁ ଶୁଦ୍ଧ କରି ନିଏ।

ମନସ୍ତତ୍ତ୍ବବିତ୍‌ମାନେ କୁହନ୍ତି, ମାନସିକ ଚାପ ସୃଷ୍ଟି ହେଲେ ମନୁଷ୍ୟର ଶରୀର ତିନି ପ୍ରକାରର ପ୍ରତିକ୍ରିୟା ଦେଖାଇଥାଏ। ପ୍ରତିରୋଧ, ପଳାୟନ ଓ କ୍ରନ୍ଦନ। ମସ୍ତିଷ୍କ ଯେତେବେଳେ କିଛି ଭୟ, ଦୁଃସମ୍ବାଦ ଓ ମୃତ୍ୟୁ ଚେତନାର ଇଙ୍ଗିତ ପାଏ, ସ୍ଥଳବିଶେଷରେ ପ୍ରତିରୋଧ କରିବା, ପଳାୟନ କରିବା କିମ୍ବା କାନ୍ଦିପକାଇବାର ଇସାରା ଦିଏ।

ମନର ବେଦନା ଉପଶମର ଯେତେ ପ୍ରକାରର ମାଧ୍ୟମ ଅଛି, କାନ୍ଦ ତା’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଚାର। କ୍ରନ୍ଦନ ହେଉଛି ଅବଦମିତ ଭାବାବେଗର ନିର୍ଗମନ ପାଇଁ ଏକମାତ୍ର ମାଧ୍ୟମ। ମନୁଷ୍ୟ ଯେତେ କାନ୍ଦେ, ମାନସିକ ସ୍ତରରେ ସେତେ ହାଲୁକା ଅନୁଭବ କରେ। ଏହାଦ୍ବାରା ମାନସିକ ଚାପ ନିୟନ୍ତ୍ରିତ ହୋଇ ମନୁଷ୍ୟ ସୁସ୍ଥ ରହେ। କାନ୍ଦ ହେଉଛି “ଏଲିସାଇଟର୍ ଅଫ୍ ସାଇକୋଜେନିକ୍ ଲାକ୍ରାଇମେସନ୍”। ତେଣୁ ଲୁହର ଉତ୍ପତ୍ତି ସ୍ଥଳ ଦୁଃଖ ବୋଲି କାହିଁକି କହିବା? ଇଏ ତ ଦୁଃଖରୁ ମୁକ୍ତିର ବାଟ! ତେଣୁ, ଯଦି କେବେ ଆପଣଙ୍କର କେହି ପ୍ରିୟଜନ କାନ୍ଦୁଥିବାର ଦେଖନ୍ତି, ତାକୁ ସାନ୍ତ୍ବନା ତ ନିଶ୍ଚୟ ଦିଅନ୍ତୁ, କିନ୍ତୁ ଯଦି କେହି ଲୁହକୁ ଲୁଚାଉଛି, ଆପଣ ତାହା ଦେଖି ନଥିବାର ଛଳନା କରନ୍ତୁ। କେବେ ବି କାରଣ ପଚାରନ୍ତୁନି।

କବି ହସରତ୍ ଜୟପୁରୀଙ୍କର ଗୋଟେ ପୁରୁଣା ଗୀତ ମନେପଡ଼େ- “ମୈ ରୋଉଁତୋ ରୋଦେ ଆଁଶୁ, ମୈ ହଁସୁତୋ ହଁସଦେ ଆଁଶୁ, ୟେ ଆଁଶୁ ମେରେ ଦିଲକି ଯୁବାନ ହୈ…”।
ଅଶ୍ରୁ ନଦୀର ଏ ପ୍ଳାବନ ଆଜିର ନୁହେଁ। ମନୁଷ୍ୟର ସୃଷ୍ଟି ଲଗ୍ନ ଠାରୁ ଲୁହ ଆଜି ପର୍ଯ୍ୟନ୍ତ ଯୁଗ ପରେ ଯୁଗ ଗଡ଼ିଆସିଛି। କେତେବେଳେ ଦୁଃଖର ଗିରି ଶୃଙ୍ଗ ଦେଇ ତ କେତେବେଳେ ପ୍ରେମର ଉପବନ ଦେଇ। କେତେବେଳେ ଭକ୍ତିର ଗଙ୍ଗାଜଳ ହୋଇ ତ କେତେବେଳେ ମିଥ୍ୟାର ମରୀଚିକା ହୋଇ। ଧର୍ମ, ସଭ୍ୟତା ଓ ସଂସ୍କୃତିକୁ ସବୁ ସମୟରେ ଆଚ୍ଛାଦିତ କରି ରଖିଛି ମଣିଷ ଆଖିର ଟୋପାଏ ଲୁହ। ତେଣୁ ମନଭରି କାନ୍ଦି ପାରନ୍ତି। ତେବେ, ଜୀବନର ଅସ୍ତ କ୍ଷଣରେ ସେ ତିନି ଜଣ ବୃଦ୍ଧ ବନ୍ଧୁଙ୍କ ପରି ଆପଣଙ୍କ ହୃଦୟ ସିନା ଗୋପନରେ କାନ୍ଦୁଥିବ, ପରିଣତ ବୟସରେ ଆଖିରୁ ଅଶ୍ରୁପାତ କ’ଣ ସମ୍ଭବ?

ଏସ୍-୧/୯୨, ନୀଳାଦ୍ରି ବିହାର
ଭୁବନେଶ୍ୱର-୭୫୧୦୨୧
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର