ମା’ ହେବାର କ୍ଷମତା ହ୍ରାସ ପାଉଛି କାହିଁକି?

ଡାକ୍ତର ଶୁଭଶ୍ରୀ ମିଶ୍ର

ସ˚ପ୍ରତି ବିଭିନ୍ନ ପାରିପାର୍ଶ୍ବିକ, ସାମାଜିକ, ଚିକିତ୍ସାଗତ କାରଣ ପାଇଁ ମହିଳାଙ୍କ ପ୍ରଜନନ କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହେଉଛି। ସେହି କାରଣରୁ ନିଃସନ୍ତାନ ଦଂପତି ଗଭୀର ମର୍ମଦାୟ ମଧ୍ୟରେ କାଳ କାଟିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହାର କାରଣ କ’ଣ ହୋଇପାରେ, ତାହା ଜାଣିପାରିଲେ ଜୀବନଶୈଳୀରେ ପରିବର୍ତ୍ତନ କରି ହେଉ ବା ଉପଯୁକ୍ତ ଚିକିତ୍ସା ସାହାଯ୍ୟରେ ‌ହେଉ ଅନେକ ନିଃସନ୍ତାନ ମହିଳା ମାତୃତ୍ବ ଲାଭ କରି ପାରନ୍ତେ।

ତେବେ ଏଥିରେ ପ୍ରଥମ କଥା ହେଉଛି ଶରୀରର ଓଜନ ଆବଶ୍ୟକତା ଠାରୁ କମ୍‌ ହୋଇଥିଲେ (ଅଧିକ ପତଳା ମହିଳା) ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ସ୍ବାଭାବିକ ଭାବେ କମ୍‌ ରହିଥାଏ। ଭୋକ ଓ ଦୁର୍ବଳତାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେଉଥିବା ହର୍ମୋନ୍‌ ଏଥିପାଇଁ ଦାୟୀ। ମହିଳାଙ୍କ ଋତୁସ୍ରାବ ଉପରେ ଏହାର ପ୍ରଭାବ ରହିଛି। ପ୍ରଜନନ କ୍ଷମତା କମ୍‌ ହେବାର ଏହା ଏକ ବଡ଼ କାରଣ। ତେଣୁ ଅତ୍ୟଧିକ ଦୁର୍ବଳ ମହିଳାମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଉଚିତ। ସେହିପରି ମହିଳାମାନେ ଗର୍ଭ ନିରୋଧକ ବଟିକା ଖାଉଥିଲେ ବା ଗର୍ଭ ନିରୋଧକ ଇ‌େଞ୍ଜକ୍‌ସନ ନେଉଥିଲେ, ପ୍ରଜନନ କ୍ଷମତା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ପ୍ରଣାଳୀ ଉପରେ ମାତ୍ରାଧିକ ନିର୍ଭରଶୀଳ ହେଲେ ମହିଳାମାନେ ମା’ ହେବାର କ୍ଷମତା ହରାଇ ବସନ୍ତି। ସେମିତି ଅତ୍ୟଧିକ ମେଦ ବହୁଳତା ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରାଇପାରେ। ଆଜିକାଲି ଖାଦ୍ୟ ଏବଂ ଜୀବନଶୈଳୀଗତ ପରିବର୍ତ୍ତନ କାରଣରୁ ମହିଳାମାନେ ଅଧିକ ମୋଟା ହୋଇ ଯାଉଛନ୍ତି। ମେଦ ବୃଦ୍ଧି ଯୋଗୁଁ ହର୍ମୋନ କ୍ଷରଣରେ ବାଧା ସୃଷ୍ଟି ହୁଏ। ଗର୍ଭଧାରଣରେ ଏହା ସମସ୍ୟା ସୃଷ୍ଟି କରେ।

ସେହିପରି ବୟସ ମଧ୍ୟ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ। ଯେଉଁ ମହିଳାମାନେ ନିଜ କ୍ୟାରିଅର ଲାଗି ହେଉ ବା ଅନ୍ୟ କୌଣସି କାରଣରୁ ହେଉ ବିଳମ୍ବରେ ବିବାହ କରନ୍ତି (୩୫ ବର୍ଷ ବୟସ ପରେ) ସେମାନଙ୍କ ପ୍ରଜନନ କ୍ଷମତା କମି ଯାଇଥାଏ। ସାଧାରଣତଃ ୩୫ ବର୍ଷ ବୟସରୁ ମା’ ହେବାରେ ସମସ୍ୟା ଦେଖାଯାଏ। କାରଣ ଏହି ବୟସରେ ଡିମ୍ବାଣୁ ସ˚ଖ୍ୟା ହ୍ରାସ ପାଏ ଯାହା ମା’ ହେବାର ସାମର୍ଥ୍ୟରେ ହ୍ରାସ ଘଟାଇଥାଏ। ସେମିତି ମାମୁଲି ଭଳି ଲାଗୁଥିବା ଥାଇରଏଡ୍‌ ଜନିତ ସମସ୍ୟାର ପ୍ରଭାବରେ କେତେକ ସ୍ଥଳରେ ମହିଳାମାନେ ସନ୍ତାନ ଧାରଣ କରିବାରେ ସମସ୍ୟାର ସାମନା କରନ୍ତି। ଥାଇରଏଡ୍ ହର୍ମୋନ୍‌ରେ ପରିବର୍ତ୍ତନ ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ। ଏବେ ବିଭିନ୍ନ କାରଣରୁ ମହିଳାମାନଙ୍କ ମଧ୍ୟରେ ଥାଇରଏଡ୍‌ ଜନିତ ରୋଗ ଅଧିକ ଦେଖାଯାଉଛି ଯାହା ମହିଳାଙ୍କ ମା’ ହେବାର କ୍ଷମତାକୁ ପ୍ରଭାବିତ କରିଛି। ସେହିପରି ମହିଳାମାନେ ଆଉ ଏକ କାରଣରୁ ମା’ ହୋଇ ପାରନ୍ତି ନାହିଁ, ଯାହା ହେଉଛି ଯୌନାଙ୍ଗର ସଂକ୍ରମଣ। ଏ ନେଇ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଜରୁରୀ।

ଏବେ ମହିଳାମାନେ ସ୍ଲିମ୍‌ ରହିବା ଲାଗି ବା ଅଧିକ ଶକ୍ତିଶାଳୀ ହେବା ଲାଗି କଠିନ ବ୍ୟାୟାମମାନ କରୁଛନ୍ତି। ଠିକଣା ଭାବେ ଏ ସବୁ ନ କଲେ ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଏ। ଫଳରେ ପ୍ରଜନନ କ୍ଷମତା ହ୍ରାସ ପାଏ। ୟୁ ଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମ ମଞ୍ଚରେ ଏଭଳି ଅନେକ ବ୍ୟାୟାମ ରହିଛି, ଯାହା ସାଧାରଣ ମହିଳାମାନଙ୍କ ଲାଗି ବିପଜ୍ଜନକ। ତେଣୁ ସେମାନେ ବି‌େଶଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସପ୍ତାହକୁ ୫ ଘଣ୍ଟାରୁ ଅଧିକ ସମୟ କଠିନ ବ୍ୟାୟାମ କଲେ, ପ୍ରଜନନ କ୍ଷମତା ହ୍ରାସ ପାଏ।

ଆଜିକାଲି ଅନେକ ଉଚ୍ଚ ଶିକ୍ଷିତା ମହିଳା ମଦ୍ୟପାନ ଓ ଧୂମପାନ କରୁଛନ୍ତି; ଏପରିକି ଅନ୍ୟାନ୍ୟ ନିଶା ମଧ୍ୟ କରୁଛନ୍ତି, ଯାହା ସେମାନଙ୍କ ସନ୍ତାନ ଉପୁଜାଇବାର କ୍ଷମତାକୁ ହ୍ରାସ କରୁଛି। ଅତ୍ୟଧିକ ମଦ୍ୟପାନ କରୁଥିବା ମହିଳାଙ୍କ ହର୍ମୋନ୍‌ରେ ସନ୍ତୁଳନ ରହେ ନାହିଁ। ଏହା ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ। ଆମେରିକାର ଏକ ସର୍ଭେରୁ ଜଣାପଡ଼ିଛି ପ୍ରାୟ ୧୩ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଧୂମପାନ ଯୋଗୁଁ ପ୍ରଜନନ କ୍ଷମତା ହ୍ରାସ ପାଇଛି।

ମହିଳାଙ୍କ କ୍ଷେତ୍ରରେ ଚିନ୍ତାର ଆଧିକ୍ୟ ଗର୍ଭଧାରଣ କ୍ଷମତାକୁ ପ୍ରଭାବିତ କରୁଥିବା ଦେଖାଯାଉଛି। ଏବେ ମହିଳାମାନେ ଅଧିକ ମାନସିକ ଚାପଗ୍ରସ୍ତ। ତେଣୁ ଏଭଳି ସ୍ଥିତିରେ ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରୀ।

ମା’ ହେବା ନାରୀ ଲାଗି କେବଳ ଏକ ଗୌରବର ବିଷୟ ନୁହେଁ, ନିଜର ସନ୍ତାନକୁ ଗଢ଼ି ତୋଳିବାର ଦାୟିତ୍ବ ପ୍ରତ୍ୟେକ ନାରୀ ଲାଗି ଅନନ୍ୟ ଆନନ୍ଦର କାରଣ ହୋଇଥାଏ। ସେହି ଦୃଷ୍ଟିରୁ ମା’ ହୋଇ ନ ପାରିବାର ଦୁଃଖ ମହିଳାମାନଙ୍କୁ ଗଭୀର ଭାବେ ଭାରାକ୍ରାନ୍ତ କରିଥାଏ। ଏହାର ଉପଚାର ସମ୍ଭବ। କେବଳ ସମସ୍ୟାଗୁଡ଼ିକୁ ଜାଣିବା ଦରକାର ଏବଂ ତାକୁ ଭଲ ଭାବେ ହୃଦୟଙ୍ଗମ କରି ତାର ସମାଧାନ ଲାଗି ବାଟ ଆପଣାଇବା ଜରୁରୀ।

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୮୬୧୪୬୩୪୦୬

ସମ୍ବନ୍ଧିତ ଖବର