ପରେଡ୍‌ସ କାଫେ ସହ ଛନ୍ଦା‌ଛନ୍ଦି ଜୀବନ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୧୯୯୫ରେ ଯେତେବେଳେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ମୁଁ ବେଙ୍ଗାଲୁରୁ ଆସିଲି, ବିଶେଷତଃ ପୂର୍ବରୁ ପରିଚିତ ପାଞ୍ଚଟି ସ˚ସ୍ଥା ସହ ସ˚ପର୍କର ନବୀକରଣ ହେବ ବୋଲି ବିଶ୍ବାସ ଥିଲା। ତନ୍ମଧ୍ୟରୁ ଦୁଇଟି ପୁସ୍ତକାଳୟ। ପ୍ରଥମ- ‘ପ୍ରିମିଅର‌୍‌’। ଏହାର ମାଲିକ ଥିଲେ କୋ˚କଣ ଉପକୂଳବର୍ତ୍ତୀ ଅଞ୍ଚଳର ଜଣେ ଲାଜକୁଳା ହିନ୍ଦୁ। ସେ ନୂଆ ବହି ବିକୁଥିଲେ। ଦ୍ବିତୀୟ- ‘ସିଲେକ୍‌ଟ’। ଏହାର ମାଲିକ ଥିଲେ ଜଣେ ଗପୁଡ଼ି କନ୍ନଡ଼ିଗ ଇ˚ଜିନିଅର‌୍‌। ସେ ପୁରୁଣା ବା ସେକେଣ୍ତ୍‌-ହ୍ୟାନ୍‌ଡ ବହି ବିକୁଥିଲେ। ନିଜ ନିଜର ପୁସ୍ତକାଳୟରେ ଗଚ୍ଛିତ ପୁସ୍ତକଗୁଡ଼ିକ ବାବଦରେ ଉଭୟଙ୍କର ଗଭୀର ଜ୍ଞାନ ଥିଲା। ନିୟମିତ ଗ୍ରାହକମାନଙ୍କ ରୁଚି, ଭାବପ୍ରବଣତା ଓ ଦୁର୍ବଳତା ସହ ମଧ୍ୟ ଦୁହେଁ ଭଲ ଭାବେ ପରିଚିତ ଥିଲେ।

ମୁଁ ଭଲ ଭାବେ ଜାଣିଥିବା ବେଙ୍ଗାଲୁରୁର ଆଉ ଦୁଇଟି ଅନୁଷ୍ଠାନ ମଧ୍ୟ ମୁଦ୍ରିତ ଶବ୍ଦ ସହ ସ˚ପର୍କିତ ଥିଲେ। ‘ଭେରାଇଟି ନିଉଜ୍‌’- ଏହା ଏକ ପତ୍ର-ପତ୍ରିକାର ଭଣ୍ତାର ଏବ˚ ଏଠାରେ ଗଚ୍ଛିତ ଥିଲା ସାରା ଭାରତ ଏପରିକି ବିଶ୍ବର ବିଭିନ୍ନ ଅଞ୍ଚଳର ପତ୍ର-ପତ୍ରିକା। ଏହାର ମାଲିକ ଥିଲେ ଏକ ମୁସଲମାନ ପରିବାରର ସଦସ୍ୟମାନେ। ସେମାନେ ନିଜ ନିଜ ଭିତରେ ଦକ୍ଷିଣୀ ଉର୍ଦ୍ଦୁ ଭାଷାରେ କଥାବାର୍ତ୍ତା କରୁଥିଲେ ଏବ˚ ଗ୍ରାହକମାନଙ୍କ ସହ ଇ˚ଲିସ୍‌, କନ୍ନଡ଼ ଓ ତାମିଲ ଭାଷାରେ। ‘ପ୍ରିମିଅର‌୍‌’ ଓ ‘ସିଲେକ୍‌ଟ’ର ମାଲିକମାନଙ୍କ ପରି ଏମାନେ ମଧ୍ୟ ନିୟମିତ ଗ୍ରାହକଙ୍କ ସହ ମଧୁର ସ˚ପର୍କ ରଖିଥିଲେ ଏବ˚ ସେମାନଙ୍କ ରୁଚି ବାବଦରେ ଭଲ ଭାବେ ଅବଗତ ଥିଲେ। ପେସାଗତ ଶୃଙ୍ଖଳା ଓ ଦକ୍ଷତା ମାଧ୍ୟମରେ ଗ୍ରାହକମାନଙ୍କର ଆବଶ୍ୟକତା ପୂରଣ କରୁଥିଲେ। ତାହା ପରେ ‘ବ୍ରିଟିସ୍‌ ଲାଇବ୍ରେରି’- ଏହି ସାମ୍ରାଜ୍ୟବାଦୀକାଳୀନ ଅନୁଷ୍ଠାନ ୟୁନାଇଟେଡ୍‌ କି˚ଡମ୍‌ରେ ମୁଦ୍ରିତ-ପ୍ରକାଶିତ ପୁସ୍ତକରେ ଭରପୂର ଥିଲା। ଏଠାରେ ଅଭିଜ୍ଞ ଓ ଦେଶୀ ପାଠାଗାରିକମାନେ, ଦେଶୀ ସଦସ୍ୟ-ପାଠକଙ୍କ ଆବଶ୍ୟକତା ପୂରଣ କରୁଥିଲେ।

ଏ ସମସ୍ତ ଅନୁଷ୍ଠାନ ମୋର ପ୍ରିୟ ଥିଲା। ତେବେ, ସବୁଠାରୁ ପ୍ରିୟ ଥିଲା- ‘କୋସିଜ୍‌ ପରେଡ୍‌ କାଫେ’। ବେଙ୍ଗାଲୁରୁର ନବ ବାସିନ୍ଦାଙ୍କ ପାଇଁ ଏହାର ନାମ- ‘କୋସିଜ୍‌’। ମୋ ପାଇଁ ଏହା ସର୍ବଦା ‘ପରେଡ୍‌ସ’। ଏହି ରେସ୍ତୋରାଁ ଅବସ୍ଥିତି ସେଣ୍ଟ୍‌ ମାର୍କ‌୍‌ସ ରୋଡ୍‌ସ୍ଥିତ ‘ଚର୍ଚ‌୍‌ ଅଫ୍‌ ସାଉଥ୍‌ ଇଣ୍ତିଆ’ ମାଲିକାନାରେ ଥିବା ଦ୍ବି-ତଳ ବିଶିଷ୍ଟ ଅଟ୍ଟାଳିକାର ତଳ ମହଲାରେ।

୧୯୫୨ରେ ‘ପରେଡ୍‌ସ’କୁ ପ୍ରତିଷ୍ଠା କରିଥିଲେ ଜଣେ କେରଳୀ ସିରିଆନ୍‌ କିରସ୍ତାନ। ତାଙ୍କ ନାମ- ପି.ଓ. କୋସି। ଠିକ୍‌ ପଚାଶ ବର୍ଷ ତଳେ ୧୯୭୦ରେ ମୁଁ ପ୍ରଥମ ଥର ପାଇଁ ଏହା ସହ ପରିଚିତ ହୋଇଥିଲି। ଖରାଦିନେ ବେଙ୍ଗାଲୁରୁରେ ମଉସାଙ୍କ ସହ ରହୁଥିଲି। ପ୍ରତି ଦିନ ଅପରାହ୍‌ଣରେ କ୍ରିକେଟ୍‌ ଅଭ୍ୟାସ କରିବାକୁ ତାଙ୍କ ସହ ‘ଫ୍ରେଣ୍ତସ୍‌ ୟୁନିଅନ୍‌ କ୍ରିକେଟ୍‌ କ୍ଲବ୍‌’ ପଡ଼ିଆକୁ ଯାଉଥିଲି। ଏହାର ଅବସ୍ଥିତି ‘କାନ୍ତିରଵା ଷ୍ଟାଡିଅମ୍‌’ର ବିପରୀତ ପାର୍ଶ୍ବରେ; ‘କୋସିଜ୍‌’ ନିକଟରେ। କ୍ରିକେଟ୍‌ ଅଭ୍ୟାସ ପରେ ଆମେ ସେଠାକୁ ଯାଉଥିଲୁ। ବଡ଼ମାନେ କଫି ପିଇ ଥକା ମାରୁଥିଲେ ଏବ˚ ମୋ ଭଳି ବାର ବର୍ଷ ବୟସ୍କମାନେ ଲେମ୍ବୁ-ପାଣି ପିଇ।

୧୯୮୦ରେ ବେଙ୍ଗାଲୁରୁରେ କର୍ମମୟ ଜୀବନ ଆରମ୍ଭ ହେବା ପରେ ‘ପରେଡ୍‌ସ’ ସହ ଭଲ ଭାବେ ପରିଚିତ ହୋଇଥିଲି। ଏମ୍‌ଜି ରୋଡ୍‌ରେ ଟ୍ରିନିଟି ସର୍କଲ୍‌ ନିକଟରେ ମୁଁ ରହୁଥିଲି ଏବ˚ କାଫେକୁ ଯିବା ବାଟରେ ଉଭୟ ‘ପ୍ରିମିଅର‌୍‌’ ଓ ‘ସିଲେକ୍‌ଟ’ ପଡ଼ୁଥିଲା। ‘କୋସିଜ୍‌’ ସେ ପାଖରେ ‘ଭେରାଇଟି ନିଉଜ୍‌’ ଏବ˚ ‘କୋସିଜ୍‌’ର ଉପର ମହଲାରେ ‘ବ୍ରିଟିସ୍‌ ଲାଇବ୍ରେରି’।

ଅର୍ଥାତ୍‌, ‘ପରେଡ୍‌’ ଯିବା ପଥରେ ଛାପା ସ˚ସ୍କୃତି ସହ ସ˚ପର୍କିତ ଅନ୍ୟ ଚାରିଟି ଯାକ ଅନୁଷ୍ଠାନ ପଡ଼ୁଥିଲା ବୋଲି ମୁଁ ଗର୍ବର ସହ କହିବି। କାଫେ ଭିତରକୁ ପ୍ରବେଶ କଲା ମାତ୍ରେ ମୁଁ କଫି ପାଇଁ କହୁଥିଲି ଏବ˚ ବେଳେ ବେଳେ କିଛି ସ୍ନାକ୍‌ସ। ସଦ୍ୟ କିଣିଥିବା ପୁସ୍ତକ ଓ ପତ୍ର-ପତ୍ରିକା ଝୁଲାରୁ କାଢ଼ି ଦେଖୁଥିଲି। ଅନେକ ଶ୍ରଦ୍ଧାର ସହ ପୃଷ୍ଠା ଓଲଟାଉଥିଲି। ‘କୋସିଜ୍‌’ରେ ଅଧ ଘଣ୍ଟା ପ୍ରାୟ ବସିବା ପରେ ଘରକୁ ଫେରୁଥିଲି।

୧୯୮୯ରେ ମୁଁ ଏବ˚ ପତ୍ନୀ ସୁଜାତା ଦିଲ୍ଲୀ ଆସିଥିଲୁ; ବେଙ୍ଗାଲୁରୁ ଫେରିଥିଲୁ ଛଅ ବର୍ଷ ପରେ। ମୁଁ ଜାଣିଥିବା ତଥା ଭଲପାଉଥିବା ସମସ୍ତ ଅନୁଷ୍ଠାନ ୧୯୯୫ରେ ବେଶ୍‌ ସଜୀବ ଥିଲା। ୨୦୨୦ରେ ଅବସ୍ଥା ଭିନ୍ନ। ‘ପ୍ରିମିଅର‌୍‌’, ‘ଭେରାଇଟି ନିଉଜ୍‌’ ଓ ‘ବ୍ରିଟିସ୍‌ ଲାଇବ୍ରେରି’ ବନ୍ଦ ହୋଇଗଲାଣି। ‘ସିଲେକ୍‌ଟ’ ଅଛି; ତେବେ, ଏହା କେବଳ ନିଜର ଛାୟା ପରି। ମୁଁ ବେଙ୍ଗାଲୁରୁରେ ରହିବାର ପଚିଶ ବର୍ଷ ପରେ କେବଳ ଗୋଟିଏ ଅନୁଷ୍ଠାନ ମୋତେ କ୍ରମାଗତ ଭାବେ ସଙ୍ଗ ଦେଇଚାଲିଛି ଏବ˚ ତାହା ହେଉଛି- ‘କୋସିଜ୍‌ ପରେଡ୍‌ କାଫେ’।

‘ପରେଡ୍‌’କୁ ଏବେ ଚଳାଉଛନ୍ତି, ପ୍ରତିଷ୍ଠାତାଙ୍କ ଦୁଇ ନାତି ସନ୍ତୋଷ ଓ ପ୍ରେମ। ସନ୍ତୋଷ ଚୁପ୍‌ଚାପ୍‌ ସ୍ବଭାବର ଏବ˚ ନିଜକୁ ନଗଣ୍ୟ ମନେକରୁଥିବା ବ୍ୟକ୍ତି। ନେପଥ୍ୟରେ ନିଜ କାମ କରୁଥିବା ଧରଣର। ଅନୁଷ୍ଠାନର ଦୈନନ୍ଦିନ କାର୍ଯ୍ୟକଳାପ ସୁଚାରୁ ରୂପେ ସ˚ପାଦନ କରୁଥିବା ସ୍ବତ୍ବାଧିକାରୀ। ଅପର ପକ୍ଷେ ପ୍ରେମ ମେଳାପୀ। କାଫେ ଭିତରେ ଘୂରି-ବୁଲି ଗ୍ରାହକଙ୍କ ସହ ଗପୁଥିବା ସ୍ବତ୍ବାଧିକାରୀ। ଗ୍ରାହକଙ୍କଠାରୁ ନିଜ ଅନୁଷ୍ଠାନ ବାବଦରେ ମତାମତ ସ˚ଗ୍ରହ କରନ୍ତି। ମେନୁରେ ନୂଆ କରି ସ୍ଥାନ ପାଇଥିବା ଚିଜ ବାବଦରେ ପଚାରି ବୁଝନ୍ତି।

ପ୍ରେମ କୋସିଙ୍କ ବୟସ ମୋ ପତ୍ନୀ ସୁଜାତାଙ୍କ ସହ ସମାନ ହେବ। ସେମାନେ ବଢ଼ିଥିଲେ, ପାଖାପାଖି ଅଞ୍ଚଳରେ। ସେ ଯେତେବେଳେ ଆଧୁନିକ ଓ ସ୍ବାଧୀନଚେତା ଯୁବକ ଥିଲେ, ନିଜ ବୟସର କୌଣସି ବିପରୀତ ଲିଙ୍ଗୀଙ୍କୁ ଭେଟିଲେ, ନିଜକୁ ଏହି ଭଳି ପରିଚିତ କରାଉଥିଲେ- ‘ମୋ ନାଁ ପ୍ରେମ; ଏହାର ଅର୍ଥ ପ୍ରେମ।’ ସେତେ ବେଳେ ତାଙ୍କର ମୁଖ୍ୟ ଆବେଗ ଥିଲା ବନ୍ଧୁକ ଚାଳନା। ତାହା ପରେ ସେ ବେକି˚ ସ˚ପର୍କିତ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା କରିବା ପାଇଁ ଆମେରିକାର ଲୁଇଜିଆନା ଯାଇଥିଲେ ଏବ˚ ସୁରାସକ୍ତ ହୋଇପଡ଼ିଥିଲେ। ଘରକୁ ଫେରିବା ପରେ ବନ୍ଧୁକ ଓ ବୋତଲ ଉଭୟ ପରିତ୍ୟାଗ କରିଥିଲେ। ଭାଇ ସନ୍ତୋଷଙ୍କ ସହ ମିଶି, ଜେଜେବାପାଙ୍କ କାଫେର ବିକାଶ ଦିଗରେ ନିଜକୁ ଉତ୍ସର୍ଜିତ କରିଥିଲେ। ଏକ କୋଳାହଳପୂର୍ଣ୍ଣ ଏବ˚ ସଦା-ପରିବର୍ତ୍ତନଶୀଳ ମହାନଗରୀରେ ଏକ ପୁରାତନ କାଫେ କିପରି ସମୟ ସହ ତାଳ ଦେଇ ନିଜର ଗୌରବମୟ ଅତୀତକୁ ବଜାୟ ରଖିବ ଓ ନବ ପିଢ଼ିର ଗ୍ରାହକଙ୍କୁ ଆକର୍ଷିତ କରିବାରେ ସଫଳ ହେବ; ସେଥି ପ୍ରତି ବିଶେଷ ଧ୍ୟାନ ଦେଇ ଏବେ ସେ କାମ କରୁଛନ୍ତି।

‘କୋସିଜ୍‌’ର ଆକର୍ଷଣ ଅନେକ-ଆଲୋକ, ଆତିଥ୍ୟ, ଖାଦ୍ୟ, ଅବସ୍ଥିତି ଏବ˚ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏହାର ଦୁଇ ସ୍ବତ୍ବାଧିକାରୀ। ପ୍ରେମ ଦେଖିବାକୁ ଗେଡ଼ା, ମୋଟାରୋଟା ଓ ଶକ୍ତିଶାଳୀ। ଅଧିକା˚ଶ ସମୟରେ ଜିନ୍‌ସ ପିନ୍ଧିଥାଆନ୍ତି ଏବ˚ ସବୁ ବେଳେ ଅଣ୍ଟାରେ ଝୁଲୁଥାଏ ଏକ ସୁବିଶାଳ ଚାବି ରି˚। ଗ୍ରାହକଙ୍କ ସହ ସେ ସର୍ବଦା ବିନମ୍ର। ନୂଆ ଆସିଥିବା ଗ୍ରାହକମାନେ ମାତ୍ର କପ୍‌ଟିଏ କଫି ଧରି ଘଣ୍ଟା ଘଣ୍ଟା ବସନ୍ତି। ନିୟମିତ ଗ୍ରାହକମାନେ ଯିବାକୁ ଥିଲେ, ଶୀଘ୍ର ସାରି ବାହାରିଯାଆନ୍ତି। ସେ କେତେ ବେଳେ ଉଚ୍ଚ ସ୍ବରରେ କହୁଥିବା ମୁଁ ଶୁଣିନାହିଁ। ଚିଡ଼ିଚିଡ଼ା ମୁହଁ କେବେ ଦେଖିବାକୁ ମିଳେନାହିଁ। ଏମ୍‌ଜି ରୋଡ୍‌ ଜାତୀୟ ରାଜପଥ ହୋଇଥିବାରୁ, ସୁପ୍ରିମ୍‌ କୋର୍ଟ‌୍‌ଙ୍କ ନିର୍ଦେଶକ୍ରମେ ଏଠାରେ ସୁରା ପରିବେଷଣ କରିବା ଉପରେ ସାମୟିକ ପ୍ରତିବନ୍ଧ ଲାଗିଥିଲା। ତେବେ, ବିପୁଳ ଆର୍ଥିକ କ୍ଷତି ସତ୍ତ୍ବେ ପ୍ରେମ ମନ ମୋଟା କରି ନ ଥିଲେ। ଅନେକ ଦିନ ପ୍ରତିବନ୍ଧ ବଳବତ୍ତର ଥିଲା ଏବ˚ ଦୁଇ ଭାଇ ନିଶ୍ଚିତ ଭାବେ ବଡ଼ ଧରଣର ଆର୍ଥିକ କ୍ଷତି ସହିଥିବେ।

ଏକାଧିକ ବାର ‘ପରେଡ୍‌ସ’ ଆସୁଥିବା ପ୍ରତ୍ୟେକ ଗ୍ରାହକ, ପ୍ରେମଙ୍କୁ ପସନ୍ଦ କରିବାଟା ସ୍ବାଭାବିକ। ଯେଉଁମାନେ ବର୍ଷ ବର୍ଷ ଧରି ସେଠାକୁ ଆସିବାରେ ଅଭ୍ୟସ୍ତ, ସେମାନେ ପ୍ରେମଙ୍କ ବାବଦରେ ସବୁ କିଛି ଜାଣନ୍ତି। କେବଳ କାଫେ, ତାଙ୍କର ଜୀବନ ନୁହେଁ। ସେ ପତ୍ନୀ ରୁବି ଓ ପୁତ୍ର ଜୋସଙ୍କୁ ସମୟ ଦିଅନ୍ତି। ସିନେମା ଦେଖିବାକୁ ଭଲ ପାଆନ୍ତି। ସାପ ଉଦ୍ଧାର କରିବା ବିଦ୍ୟାରେ ସେ ପାରଙ୍ଗମ। ଡାକରା ଆସିଲେ ସାପ ଧରିବାକୁ ଯାଆନ୍ତି ଏବ˚ ସୁରକ୍ଷିତ ସ୍ଥାନରେ ସେଗୁଡ଼ିକୁ ଛାଡ଼ନ୍ତି। ମଣିଷଙ୍କର ଉଦ୍ଧାର ଏବ˚ ଥଇଥାନ କରୁଥିବା ବ୍ୟକ୍ତି ମଧ୍ୟ ସେ। ତାଙ୍କ ରେସ୍ତୋରାଁରେ ଯଦିଓ ସୁରା ପରିବେଷଣ କରାଯାଉଛି, ଆମେରିକାରୁ ଫେରିବା ପରେ ସେ ବୁନ୍ଦାଏ ହେଲେ ପିଇନାହାନ୍ତି। ‘ଆଲ୍‌କୋହୋଲିକ୍‌ସ ଆନୋନିମସ୍‌’ର ବେଙ୍ଗାଲୁରୁ ଶାଖା ସହ ସେ ସ˚ପୃକ୍ତ। ବିଭିନ୍ନ ବୟସ ଓ ଶ୍ରେଣୀର ଅନେକ ପୁରୁଷଙ୍କ ନିଶା ଛଡ଼ାଇବାରେ ବ୍ୟକ୍ତିଗତ ଭାବେ ସହାୟତା କରିଛନ୍ତି। ସେମାନଙ୍କ ନବ ଜୀବନ ନିର୍ମାଣର ମାଧ୍ୟମ ପାଲଟିଛନ୍ତି ଏବ˚ ସେମାନଙ୍କ ପରିବାରକୁ ରକ୍ଷା କରିଛନ୍ତି।

ପ୍ରେମଙ୍କ ଚରିତ୍ରର ବିଶେଷ ଦିଗକୁ ବୁଝେଇବା ପାଇଁ ମୋ ପାଖରେ ନିଜର ଦୁଇଟି କାହାଣୀ ଅଛି। ପ୍ରଥମଟି ଯୁବ ଫଟୋଗ୍ରାଫର‌୍‌ ଜି ରାଘବଙ୍କ ସହ ସ˚ପର୍କିତ। କାଫେର ଅନେକ ଗ୍ରାହକଙ୍କର ଫଟୋ ସେ ନେଇଥିଲେ। ତନ୍ମଧ୍ୟରେ ଅଛି ନାଟ୍ୟକାର-ଅଭିନେତା ଗିରୀଶ କର୍ନାଡ଼ଙ୍କର ଫଟୋ। କର୍କଟ ପୀଡ଼ିତ ହୋଇ ତିରିଶ ବର୍ଷ ବୟସରେ ରାଘବଙ୍କ ଦେହାନ୍ତ ହୋଇଯାଇଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରେମ ପୂରା ଅପରାହ୍‌ଣ କାଫେ ବନ୍ଦ ରଖିଥିଲେ। ଆମେ ନିଜ ନିଜର ଭାଷଣ ମାଧ୍ୟମରେ ଦିବ˚ଗତ ରାଘବଙ୍କ ସ୍ମୃତିଚାରଣ କରିଥିଲୁ ଏବ˚ ପ୍ରେମ ନିଜ ଖର୍ଚ୍ଚରେ ସମସ୍ତଙ୍କର ଚାହା-କଫି ଓ ସ୍ନାକ୍‌ସର ବ୍ୟବସ୍ଥା କରିଥିଲେ। ଦିଲ୍ଲୀ ବା ବମ୍ବେର କୌଣସି ରେସ୍ତୋରାଁ ମାଲିକ କେବେ ହେଲେ ଜଣେ ଅଳ୍ପ ଜ୍ଞାତ ଶିଳ୍ପୀଙ୍କ ସ୍ମୃତିରେ ଏ ପରି କରିବେନାହିଁ। ଆମେ ସମସ୍ତେ ବେଶ୍‌ ଅଭିଭୂତ ହୋଇଥିଲୁ; ବିଶେଷ କରି ରାଘବଙ୍କ ମାଆ।

ଦ୍ବିତୀୟ କାହାଣୀଟି ଅଧିକ ଚମତ୍କାର। ଦିନେ ରାତିରେ ଘରକୁ ଫେରି, ସୁଜାତା ଓ ମୁଁ ଆମ ଗାରେଜ୍‌ରେ ଏକ ପେଚା ଆବିଷ୍କାର କଲୁ। ସେ ଘୁଞ୍ଚୁ ନ ଥିଲା ଏବ˚ ଆମେ ତା’କୁ ଆଘାତ ଦେବାକୁ ଚାହୁଁ ନ ଥିଲୁ। ଆମେ ତା’ ପାଖରେ ଛିଡ଼ା ହେଲୁ, ଶବ୍ଦ କଲୁ, ତା’ ଉପରେ ଆଲୋକ ପକାଇଲୁ; ତଥାପି ସେ ଘୁଞ୍ଚିଲାନାହିଁ। କ’ଣ କରିବୁ? ସୁଜାତା କହିଲେ- ପ୍ରେମଙ୍କୁ ଡାକ। ମୁଁ ପଚାରିଲି- ତୁମେ ନିଶ୍ଚିତ ତ? ରାତି ସାଢ଼େ ଦଶଟା ହୋଇସାରିଲାଣି। ତଥାପି ପ୍ରେମଙ୍କୁ ଡାକିବା ପାଇଁ ସେ ଜୋର‌୍‌ ଦେଲେ। କହିଲେ- ସେ ପକ୍ଷୀ ଓ ଅନ୍ୟ ଜନ୍ତୁଙ୍କୁ ଭଲ ଭାବେ ଜାଣନ୍ତି ଏବ˚ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ନିଶ୍ଚିତ ଭାବେ ଆସିବେ।

ତେଣୁ, ପ୍ରେମଙ୍କୁ ଡାକିଲି। ସେ ପାଖରେ ରହୁଥିଲେ ଏବ˚ ସୌଭାଗ୍ୟବଶତଃ ଶୋଇ ନ ଥିଲେ। ସେ ଆସିଲେ। ବିଶାଳକାୟ, ଶାଣିତ ଚକ୍ଷୁ ଓ ଥଣ୍ଟ ଥିବା ପକ୍ଷୀଟିକୁ ଦେଖିଲେ। ତା’କୁ ମୁହୂର୍ତ୍ତେ ଅନାଇଲେ ଏବ˚ ଗୋଟିଏ ହାତରେ ଧରିନେଇ, ବାହାରକୁ ବାହାରି ଉଡ଼ାଇଦେଲେ। ପେଚାଟି ଡେଣା ଝାଡ଼ି, ମୁଣ୍ତ ହଲାଇ, ବେଶ୍‌ ନିରାପଦର ସହ ଆକାଶରେ ଉଡ଼ିଗଲା। ଆମେ ପଚାରିଲୁ- କ’ଣ ହୋଇଥିଲା ବିଚରାର? ପ୍ରେମଙ୍କ ଉତ୍ତର ଥିଲା- ସେଇଟି ନିଶାଗ୍ରସ୍ତ ଥିଲା। ସେ ଅଧିକ ପରିମାଣର ତାଳ ରସ ପିଇଥିଲା। ବର୍ଷର ଏହି ସମୟରେ ଚନ୍ଦ୍ର-ଧୌତ ରାତ୍ରିରେ ଏହି ପକ୍ଷୀମାନେ ଏ ଭଳି ପାନ କରିବାରେ ଅଭ୍ୟସ୍ତ। ସେଇଟି ଯେହେତୁ ନିଶାଗ୍ରସ୍ତ ଥିଲା, ପ୍ରେମ ସହଜରେ ଉଠାଇ ପାରିଥିଲେ। ପ୍ରେମ ଯେହେତୁ ତା’କୁ ଜୋର‌୍‌ରେ ଶୂନ୍ୟକୁ ଛାଟିଦେଲେ, ସେଇଟି ସଂଜ୍ଞା ଫେରିପାଇଲା ଏବ˚ ଉଡ଼ିବାକୁ ସକ୍ଷମ ହେଲା। ପରିଣାମ ସ୍ବରୂପ ପେଚାଟି ମଣିଷଠାରୁ ରକ୍ଷା ପାଇଲା ଏବ˚ ଆମେ ତା’ଠାରୁ; ଆମେ ଘରକୁ ପ୍ରବେଶ କରି ଶୋଇପାରିଲୁ।

ବେଙ୍ଗାଲୁରୁର ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ‘କୋସିଜ୍‌ ପରେଡ୍‌ କାଫେ’ ମଧ୍ୟ ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ। ଏପ୍ରିଲ୍‌ରୁ ଏହା ବନ୍ଦ ରହିଥିଲା। ଗତ ସପ୍ତାହରେ ଖୋଲିଛି। ଏହାକୁ ନିରାପଦରେ ଚଳାଇବା ପାଇଁ କଠୋର ନିୟମ ପ୍ରଣୟନ କରାଯାଇଛି। ଏହାର ଖୋଲିବାଟା ମୋ ଭଳି ଅନେକଙ୍କ ପାଇଁ ଏକ ଆଶୀର୍ବାଦ। ବୟସ ବଢ଼ିବା ସହ କାମନାର ସ˚ଖ୍ୟା ହ୍ରାସ ପାଏ ଏବ˚ ମଣିଷ ମୁଖ୍ୟତଃ ବିଶ୍ବାସକୁ ନେଇ ବଞ୍ଚେ। ମୋର ବି ଏ ଭଳି ଏକ ବିଶ୍ବାସ ଅଛି- ମୋର ପ୍ରିୟ କାଫେ ବନ୍ଦ ହେବା ପୂର୍ବରୁ ମୁଁ ମରିବାକୁ ଚାହେଁ। ମୁଁ ସ˚ଭବତଃ ସ˚ଗୀତ, କ୍ରିକେଟ୍‌ ଓ ଏପରିକି ପୁସ୍ତକ ବିନା ବଞ୍ଚିପାରିବି; କିନ୍ତୁ, ‘ପରେଡ୍‌ସ’ ବିନା ଜୀବନ ପ୍ରଗାଢ଼ ଚିନ୍ତା ବା ଧ୍ୟାନ ପାଇଁ ଅସମ୍ଭବ।

ସମ୍ବନ୍ଧିତ ଖବର