ତାରିଖ ୧୭ ଜାନୁଆରି ୧୯୫୭। ଏହି ଦିନ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ, ଓଡ଼ିଶାର ଜୀବନ ଧାରା ରୂପେ ବିଦିତ ବିଶାଳ ଓ ବିଶୃଙ୍ଖଳ ମହାନଦୀର ମୁକ୍ତ ଜଳପ୍ରବାହକୁ ହୀରାକୁଦର ଦୁଇଟି ଡୁଙ୍ଗୁରୀ (ଚାନ୍ଦିଲି ଡୁଙ୍ଗୁରୀ ଏବଂ ଲମ୍ ଡୁଙ୍ଗୁରୀ) ମଧ୍ୟରେ ଅବରୋଧ କରି ନିର୍ମିତ ପୃଥିବୀର ଦୀର୍ଘତମ ନଦୀବନ୍ଧକୁ (୪.୮କିମି+୨୧ କିମି) ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଉପକୂଳ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ, ପଶ୍ଚିମାଞ୍ଚଳରେ ବିସ୍ତୃତ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନର ନିର୍ଭର ପ୍ରତିଶ୍ରୁତି ରଖି ଏହି ବିଶାଳ ବନ୍ଧକୁ ଆଧୁନିକ ଭାରତର ଏକ ନୂତନ ମନ୍ଦିର ଭାବରେ ବିବେଚନା କରିବାକୁ ତାଙ୍କ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ନେହରୁ ଉଲ୍ଲେଖ କରିଥିଲେ।
ଅନ୍ୟ ଦିଗରେ ହୀରାକୁଦ ବନ୍ଧ ଯୋଗୁ ସୃଷ୍ଟି ୭୪୩ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଜଳାର୍ଣ୍ଣବ ହୋଇ ୫୬୯ ଖଣ୍ଡ ମୌଜା ଓ ପଡ଼ା ଗ୍ରାମର ସଳିଳ ସମାଧି ଘେନିଲା। ୨୯୦୦୦ ପରିବାରର ୧.୫ ଲକ୍ଷ ଲୋକ ଭିଟାମାଟିରୁ ବିସ୍ଥାପିତ ହେଲେ। କେବଳ ଜୈବସାରରେ ପ୍ରତିପାଳିତ ୧.୨୩ ଲକ୍ଷ ଏକର ଉର୍ବର ସମତଳ ଚାଷଜମି ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହେଲେ।
ଉପରୋକ୍ତ ଜଳ ମଗ୍ନ ଗ୍ରାମ ମଧ୍ୟରୁ ଗୋଟିଏ ଗ୍ରାମ ଥିଲା ‘ରମ୍ପେଲା’। ଲୋକେ କହନ୍ତି ଏହି ଗ୍ରାମର ମୂଳ ନାମ କୁଆଡ଼େ ଥିଲା ‘ରମ୍ୟ-ପଲ୍ଲୀ’। ଏହି ଗାଁଟି ଛୋଟ ନ ଥିଲା। ରାଜସ୍ବ କାଗଜ ପତ୍ରରେ ସ୍ପଷ୍ଟ ଭାବେ ଗାଁର ଉଲ୍ଲେଖ ଥିଲା। ଏହି ଗାଁଟି ମହାନଦୀର ପ୍ରମୁଖ ଉପନଦୀ ‘ଇବ୍’ ନଦୀ କୂଳରେ ଅବସ୍ଥିତ ଥିଲା। ଏହି ନଦୀ ହୀରାକୁଦ ବନ୍ଧର ଅଳ୍ପ ଉପରେ ମହାନଦୀ ସହିତ ମିଶେ। ତେଣୁ ବୁଡ଼ି ଅଂଚଳରେ ଆଗ ଧାଡ଼ିରେ ରହିଲା ୫୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁଟି।
ଏହି ରମ୍ପେଲା ଗ୍ରାମରେ ଲେଖକର ଜନ୍ମ। ଏହି ଗାଁରେ ଗୋବର ଲିପା ଭୂଇଁରେ ବସି ଏଲ.ପି ଶିକ୍ଷା, ତା’ପରେ ବେଞ୍ଚକୁ ଉଠି ଏମ.ଇ ସ୍କୁଲଶିକ୍ଷା। ଏହାପରେ ଇବ୍ ନଦୀ ଆର ପଟରେ ସମ୍ବଲପୁର ସହରରେ ମାଟ୍ରିକ ଓ ଆଇ.ଏସ.ସି ଶିକ୍ଷା ଏବଂ ତା’ପରେ ଭାରତର ସର୍ବ ପ୍ରଥମେ ଆଇ.ଆଇ.ଟି ଖଡ଼ଗପୁରର ପ୍ରଥମ ୧୦୦ ଛାତ୍ର ମଧ୍ୟରେ ରହି ୧୯୫୧ରେ ସେହି ଶିକ୍ଷାନୁଷ୍ଠାନରେ ଯୋଗଦାନ ଏବଂ ୧୯୫୫ରେ ଇଂଜିନିୟରିଂ ଶିକ୍ଷା ସାରି ସେହି ଗାଁ ବୁଡ଼ାଇ ଚାଲିଥିବା ହୀରାକୁଦ ବନ୍ଧ ପ୍ରକଳ୍ପରେ ଚାକିରି ଜୀବନର ପ୍ରାରମ୍ଭ।
ଏହି ଭିତରେ ଦୀର୍ଘ ୬୫ ବର୍ଷ ବିତିଗଲାଣି। କିନ୍ତୁ, ଏକ ହଜାର ପରିବାର ଭିଟାମାଟିରୁ ବିସ୍ଥାପିତ ହେବାର କରୁଣ ଦୃଶ୍ୟ ମନରୁ ଲିଭିନି। ଦିନବେଳେ ଘର ଖାଲି କରି ଛୁଆପିଲା ଜିନିଷପତ୍ର ଧରି କୌଣସି ଏକ ଅସ୍ଥାୟୀ କ୍ୟାମ୍ପ୍କୁ ଯାତ୍ରା, ସଂଜ ହେଉଣୁ ଗାଁର ଚାରିଆଡ଼େ ଜୀବଜନ୍ତୁଙ୍କ ବିକଟ ଚିତ୍କାର। ଗାଁ ଛାଡୁଥିବା ସ୍ତ୍ରୀ ଲୋକମାନେ ଛୁଆ କାଖେଇ ଲୁହ ଗଡ଼ାଇ ମୋ ମା’ଙ୍କ ଠାରୁ ବିଦାୟ ନେଉଥିବାର ଦୃଶ୍ୟ ମନେ ପଡ଼ିଲେ ମନ ବିଷଣ୍ଣ ହୋଇଯାଏ।
ଖରା ଦିନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ସର୍ବୋଚ୍ଚ ୬୩୦ ଫୁଟରୁ କମି ୫୯୦ ଫୁଟ ପର୍ଯ୍ୟନ୍ତ ଚାଲିଆସେ ଏବଂ ଏହି ସମୟରେ ଜଳମଗ୍ନ ଗ୍ରାମର ଦୃଶ୍ୟ ଦେଖିବାକୁ ମିଳେ। ମୁଁ ଓ ମୋ ବଡ଼ଭାଇ ଥରେ ଖରାଦିନେ ବାପା ମା’ଙ୍କୁ ନେଇ ଆମର ଜଳମଗ୍ନ ‘ରାମ୍ପେଲା’ ଗ୍ରାମକୁ ଯାଇଥିଲୁ। ଜିପ୍ଟିକୁ ରାସ୍ତାରେ ଛାଡ଼ି କିଛି ବାଟ ବାଲି ଓ କାଦୁଅ ଅତିକ୍ରମ କରି ପହଞ୍ଚିଲୁ ଆମ ଗାଁ ଉପରେ। ଗାଁ କାହିଁ। କେବଳ ଭଗ୍ନ ଘର ଗୁଡ଼ିକର ମୂଳଦୁଆର ଅସ୍ପଷ୍ଟ ଚିହ୍ନ ମାତ୍ର। ଗାଁ ମଝିରେ ଥିବା ମନ୍ଦିରଟି ଅକ୍ଷୁଣ୍ଣ। କିନ୍ତୁ ଗର୍ଭଗୃହରେ ବିଭିନ୍ନ ଜୀବ ଜନ୍ତୁମାନଙ୍କର ମୃତ ଦେହ। ବାପା ମନ୍ଦିର ଠାରୁ ପାଦ ଗଣି ନିଜର ଅଭିଜ୍ଞତା ବଳରେ ଗୋଟିଏ ଘରର ଅସ୍ପଷ୍ଟ ମୂଳଦୁଆ ଚିହ୍ନ ଉପରେ ଠିଆ ହୋଇ କହିଲେ- ଏଇଟା ଆମର ଘର। ଆମେ ଦୁଇଭାଇ ଆମର ସ୍କୁଲ ଖେଳପଡ଼ିଆ ଅନ୍ବେଷଣରେ ବ୍ୟସ୍ତ ଥିଲୁ। ହଠାତ୍ ଭାଇ କହିଲେ- ଦେଖ୍ ଆମ ଘର ଆଡ଼େ- ବାପା ନିର୍ବାକ, ନିଶ୍ଚଳ ଓ ସ୍ଥିର। ମା’ ଆଖିରୁ ଧାର ଧାର ଲୁହ। ଘର ଚିହ୍ନରେ ମୁଣ୍ଡିଆ ମାରି ମା’ ଅବିରତ କାନ୍ଦୁଥିଲେ। ଏହି ଘରେ ତାଙ୍କ ବୈବାହିକ ଜୀବନର ସୂତ୍ରପାତ, ପିଲାଛୁଆଙ୍କୁ ନେଇ ସଂସାର ଗଢ଼ା, ମେଲେରିଆରୁ କଲେରା ପର୍ଯ୍ୟନ୍ତ ବିଭିନ୍ନ ରୋଗ ପାଇଁ ଏଲ.ଏମ.ପି ଡାକ୍ତର, ବୈଦ୍ୟ, ଜଡ଼ିବୁଟି, ଝଡ଼ାଫୁଙ୍କା ଭିତରେ ଆମର ସାସ୍ଥ୍ୟରକ୍ଷା। ପୁଣି ବର୍ଷକୁ ବର୍ଷ ‘ବସନ୍ତ’ ରୋଗର ଆକ୍ରମଣ। ଏମିତି କେତେ କ’ଣ ସ୍ମୃତିର ଝରଣା।
ଓଜନିଆ ମନ ନେଇ ଘରକୁ ଫେରିଲୁ। ମନେ ମନେ ଭାବିଲି, ଦିନେ ଏହି ବାଟେ ହଜାର ହଜାର ବିସ୍ଥାପିତ ପରିବାର ନିଜର ଭିଟାମାଟି ଛାଡ଼ି ନେହରୁଙ୍କର ଆଧୁନିକ ଭାରତର ନୂତନ ମନ୍ଦିର ନିର୍ମାଣର ଆହ୍ବାନରେ ନିଜ ବଂଶ ବୁନିଆଦୀର ଭିଟାମାଟି ଛାଡ଼ି ଅସ୍ଥାୟୀ କ୍ୟାମ୍ପ୍ ଅଭିମୁଖେ ଯାତ୍ରା କରିଥିବେ।
ଜଗମୋହନ ନଗର, ଭୁବନେଶ୍ବର
ମୋ-୯୮୬୧୦୫୦୯୪୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/images.png)