ସୂଚନା ଅଧିକାର: ପନ୍ଦର ବର୍ଷ ପରେ

ବିହଙ୍ଗାବଲୋକନ - ଶଶିପ୍ରଭା ବିନ୍ଧାଣୀ

ଗୋଟିଏ ଲୋକତାନ୍ତ୍ରିକ ରାଷ୍ଟ୍ରରେ ରାଷ୍ଟ୍ର ପରିଚାଳନାରେ ନାଗରିକମାନଙ୍କର ଭାଗୀଦାରି ଏକ ମହତ୍ତ୍ବପୂର୍ଣ୍ଣ ଅ˚ଶ। ଏହି ଭାଗୀଦାରିର ସୁଦୃଢ଼ତା ପାଇଁ ସ୍ବିଡେନ୍‌ ଭଳି ଅନେକ ରାଷ୍ଟ୍ର ଭାରତ ପୂର୍ବରୁ ନିଜର ସ୍ବତନ୍ତ୍ର ବିଧିବିଧାନର ବ୍ୟବସ୍ଥା କରିଛନ୍ତି। ଯାହା ଫଳରେ ଆଜି ବି ସେହି ସବୁ ଦେଶରେ ରାଷ୍ଟ୍ରନେତାଙ୍କ ସହ ଦେଶ ପରିଚାଳନାରେ ନାଗରିକମାନଙ୍କ ଭାଗୀଦାରିର ପ୍ରକ୍ରିୟା ବେଶ୍‌ ସବଳ। ଏହାର ଏକ ବଡ଼ କାରଣ ଶାସନ ଓ ପ୍ରଶାସନରେ ସ୍ବଚ୍ଛତା ଯାହାକୁ ସମ୍ଭବ କରିଛି ନାଗରିକମାନଙ୍କୁ ସରକାରୀ ସ୍ତରର ସମସ୍ତ ପ୍ରକାର ସୂଚନା ଓ ତଥ୍ୟ ଉପଲବ୍‌ଧ କରାଇବାର ବ୍ୟବସ୍ଥା। ଭାରତରେ ଏହିଭଳି ସୂଚନା ପ୍ରାପ୍ତିର ଅଧିକାରକୁ ସାମ୍ବିଧାନିକ ମୋହର ଦେବା ପାଇଁ ବିଭିନ୍ନ ସମୟରେ ଅଧିନିୟମମାନ ହୋଇଥିଲା। କିନ୍ତୁ ପରିଶେଷରେ ଜୁନ୍‌ ୧୫, ୨୦୦୫ରେ ସଂସଦରେ ଏ ନେଇ ବିଧିବଦ୍ଧ ଆଇନର ବ୍ୟବସ୍ଥା ହୋଇଗଲା ଏବଂ ଅକ୍େ‌ଟାବର ୧୨, ୨୦୦୫ରୁ ଏହା କାର୍ଯ୍ୟ କରିବା ଆରମ୍ଭ କଲା। ସୁତରାଂ, ଏହି ଆଇନକୁ ଏବେ ପନ୍ଦର ବର୍ଷ ପୂରି ଯାଇଛି।

ସୂଚନା ଅଧିକାର ଆଇନ, ୨୦୦୫ର ମୁଖବନ୍ଧରେ ଏହି ଆଇନକୁ ଇ˚‌େରଜୀରେ ‘Sunshine Law’ ବା ‘ସୂର୍ଯ୍ୟାଲୋକ ଆଇନ’ ବୋଲି ଅଭିହିତ କରାଯାଇଛି। ଏହି ଆଇନ ସୂଚନା ପ୍ରାପ୍ତିକୁ ନାଗରିକମାନଙ୍କର ଏକ ଅଧିକାର ବୋଲି କହିଥାଏ। ଏହି ଆଇନର ଧାରା-୪ରେ ଉଲ୍ଲେଖ ଅଛି ଯେ ସୂଚନା ପ୍ରାପ୍ତିକୁ ସହଜଲବ୍‌ଧ କରି ନାଗରିକମାନଙ୍କୁ ସକାରାତ୍ମକ ଲୋକତାନ୍ତ୍ରିକ ଭାଗୀଦାରିରେ ସମ୍ପୃକ୍ତ କରିବା ଏହାର ଲକ୍ଷ୍ୟ। ତେବେ, ଆଜି ପନ୍ଦର ବର୍ଷ ପରେ ଏହି ଅଧିନିୟମର କାର୍ଯ୍ୟକାରିତାର ରୂପରେଖକୁ ନେଇ ଆମ ସମ୍ମୁଖରେ ଅନେକ ପ୍ରଶ୍ନ ବିଦ୍ୟମାନ। ଏଇ ପରିପ୍ରେକ୍ଷୀରେ ଧାରା-୪ରେ ସନ୍ନିବେଶିତ ‘ସହଜ ଓ ସରଳ ପ୍ରକ୍ରିୟାରେ ସୂଚନା ପ୍ରାପ୍ତି’ କେତେ ଦୂର ସମ୍ଭବ ହୋଇଛି।

ଧାରା-୪କୁ ସ୍ବୟଂସମ୍ପୂର୍ଣ୍ଣ ଭାବରେ ରଖିବା ପାଇଁ ଅଧିନିୟମର ଧାରା-୪(୧)(ଖ)ରେ ୧୭ଟି ଉପ-ଉପଧାରାରେ ଟିକିନିଖି ଉଲ୍ଲେଖ କରାଯାଇଛି ଯେ ଅକ୍େ‌ଟାବର ୧୨, ୨୦୦୫ରୁ ଆରମ୍ଭ କରି ୧୨୦ ଦିନ ମଧ୍ୟରେ ଏହାର ୧୭ଟି ବିନ୍ଦୁକୁ ନେଇ ସମ୍ପୂର୍ଣ୍ଣ ତଥ୍ୟକୁ ଜନପରିସରରେ ସ୍ଥାନିତ କରିବା ହେଉଛି ବିଭାଗୀୟ କର୍ତ୍ତୃପକ୍ଷଙ୍କର ଦାୟିତ୍ବ। କିନ୍ତୁ ପରିତାପର ବିଷୟ ଯେ ଉଲ୍ଲିଖିତ ଉପଧାରାର ୧୭ଟି ବିନ୍ଦୁ ଆଜି ମଧ୍ୟ ପବ୍ଲିକ୍‌ ଡୋମେନ୍‌ରେ ସମ୍ପୂର୍ଣ୍ଣ ଭାବେ ସ୍ଥାନ ପାଇ ପାରିନାହିଁ। ତେବେ, ଧାରା- ୪(୧)(ଖ)କୁ ବୁଝିବାକୁ ହେଲେ ଧାରା-୪ର ଅନ୍ୟ ଉପଧାରାମାନଙ୍କୁ ବୁଝିବାକୁ ପଡ଼ିବ। ଏଇ ୧୭ଟି ବିନ୍ଦୁକୁ ଆହୁରି ପ୍ରାଞ୍ଜଳ ଭାବରେ ବୁଝିବାକୁ ହେଲେ ଧାରା-୪ର ୪ଟି ଉପଧାରାକୁ ବିଚାରକୁ ନେବାକୁ ହେବ। ତନ୍ମଧ୍ୟରୁ ଧାରା-୪, ଉପଧାରା-୨ ତାତ୍ପର୍ଯ୍ୟପୂର୍ଣ୍ଣ। ସେଥିରେ ଧାରା-୪(୧)(ଖ)ର ଆବଶ୍ୟକତା ଅନୁଯାୟୀ ଇଣ୍ଟରନେଟ ସମେତ ବିଭିନ୍ନ ଯୋଗାଯୋଗ ମାଧ୍ୟମ ଦ୍ବାରା ନିୟମିତ ବ୍ୟବଧାନରେ ଜନସାଧାରଣଙ୍କୁ ବିଭିନ୍ନ ତଥ୍ୟ ବାବଦରେ ଅବଗତ କରାଇବା ଏବ˚ କମ୍‌ ପ୍ରୟାସରେ ସୂଚନା ପାଇବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିବା ଜରୁରୀ। କିନ୍ତୁ ତହିଁରେ ଆଖିଦୃଶିଆ ଖିଲାପ ହେଉଛି।

ଆଇନ ପ୍ରଣୟନ ସମୟରେ ଯେହେତୁ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ନ ଥିଲା, ଏଣୁ ଉପଧାରା-୪(୧)(ଖ)କୁ ୧୭ଟି ବିନ୍ଦୁରେ ରଖିବା ପାଇଁ ୧୨୦ ଦିନର ସମୟ ଧାର୍ଯ୍ୟ କରାହୋଇଥିଲା। ଏହି ପରିପ୍ରେକ୍ଷୀରେ ଏଠାରେ ମୁଖ୍ୟତଃ ଉପ-ଉପଧାରା(VI) ସହିତ ଉପଧାରା (IV) ଓ (V)କୁ ବିଶେଷ ଗୁରୁତ୍ବ ଦିଆଯାଇ ଏହାର ସଫଳ କାର୍ଯ୍ୟକାରିତା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ଓ ଆଭିମୁଖ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ଏହାକୁ ସମ୍ଭବ କରିବା ଲାଗି ସବୁ ତ୍ରୁଟି ବିଚ୍ୟୁତିକୁ ଦୂର କରିବାକୁ ହେବ। ଦରକାର ପଡ଼ିଲେ ଏଥିଲାଗି ସଂସଦରେ ସଂଶୋଧନର ପ୍ରସ୍ତାବ ଆଣି ତାକୁ କାର୍ଯ୍ୟକାରୀ କରିବାକୁ ହେବ।

ଏବେ ଆସିବା, ୧୫ ବର୍ଷ ପରେ ଧାରା (୬)(୧) ସମ୍ପର୍କିତ ଯେତେସବୁ ପ୍ରକ୍ରିୟାର ସକ୍ରିୟତା ଏବଂ ଜନତା ଓ ରାଷ୍ଟ୍ରସ୍ବାର୍ଥରେ ତା’ର ପ୍ରଭାବ ପ୍ରସଙ୍ଗକୁ। ଏ ପରିପ୍ରେକ୍ଷୀରେ ଜନ ସୂଚନା ଅଧିକାରୀ, ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ତଥା ରାଜ୍ୟ ସୂଚନା ଆୟୋଗମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜି ଦିନରେ ମଧ୍ୟ ଉଲ୍ଲେଖିତ ବିଭାଗୀୟ କର୍ତ୍ତୃପକ୍ଷ ବ୍ୟବସ୍ଥା ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଧାରା ୪(୧)(ଖ)ର ଉପ-ଉପଧାରା (VI)ରେ ସମ୍ପୂର୍ଣ୍ଣ ରୂପେ ଉପଲବ୍‌ଧ ନୁହେଁ। ଏଠାରେ ଗୁଣାତ୍ମକ ବ୍ୟାଖ୍ୟା, ପ୍ରତ୍ୟକ୍ଷ ଅଭିଜ୍ଞତା ତଥା ପରୋକ୍ଷ ଅନୁମାନରୁ ଜଣାପଡ଼େ ଯେ ଧାରା-୪(୧)(ଖ)ର ୧୭ ଉପ-ଉପଧାରା ସମ୍ପୂର୍ଣ୍ଣ ଭାବରେ ଜନ-ପରିସରରେ ଉପଲବ୍‌ଧ ନାହିଁ। ବିଶେଷ କରି ମହତ୍ତ୍ବପୂର୍ଣ୍ଣ ଉପ-ଉପଧାରା (VI), ଯାହା କର୍ତ୍ତୃପକ୍ଷଙ୍କର ପାଖରେ ଉପଲବ୍‌ଧ ଦସ୍ତାବିଜ ତଥା ତାଙ୍କ ନିୟନ୍ତ୍ରଣରେ ଥିବା ବିଭିନ୍ନ ବର୍ଗର ଦସ୍ତାବିଜର ବିବରଣୀର ସାରଣୀ ଅଟେ।

କହିବା ବାହୁଲ୍ୟ ଯେ ଭାରତବର୍ଷରେ ଏଇ ସୂଚନା ଅଧିକାର ଆଇନ ଗୋଟିଏ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି। ଭାରତରେ ଏକ ବୃହତ୍‌ ବର୍ଗର ଆବେଦନକାରୀ ନିରକ୍ଷରତା ବା ଅଳ୍ପ ଜ୍ଞାନ ସତ୍ତ୍ବେ ନିଜର ଆବଶ୍ୟକତାକୁ ଦେଖି ବିଭିନ୍ନ ସୂଚନା ପାଇବାର ପ୍ରୟାସ ଜାରି ରଖି ଚାଲିଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ସୂଚନା ଲାଭ କରିବାରେ ବିଳମ୍ବ ହେଉଥିବା ଦେଖାଯାଉଛି। ଗୋଟିଏ ଉଦାହରଣ ସ୍ବରୂପ ତଥ୍ୟ ସମ୍ବଳିତ ଦସ୍ତାବିଜରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ବାକ୍ଷର ପାଇବା ପାଇଁ ଦସ୍ତାବିଜଟି ନିର୍ଦ୍ଦିଷ୍ଟ ବିଭାଗକୁ ଫେରିବାରେ ୫୦୦ ଦିନରୁ ଅଧିକ ସମୟ ଲାଗିଯାଇଥିଲା। ସେମିତି ସୂଚନା ଆୟୋଗଙ୍କ ପାଖରେ ଦ୍ବିତୀୟ ଅପିଲ ଦାଖଲ ପରେ ଆୟୋଗଙ୍କ ଦୃଷ୍ଟିକୁ ଆସିଛି ଯେ କର୍ତ୍ତୃପକ୍ଷ ଅଭିଯୋଗ ପତ୍ରକୁ ଆଦୌ ଗୁରୁତ୍ବ ଦେଇ ନାହାନ୍ତିି। ଏପରିକି ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ରର ସ୍ବୀକାରଯୋଗ୍ୟତା ନେଇ ସୂଚନା ମଧ୍ୟ ଦେଇ ନାହାନ୍ତି। ସୁତରାଂ, ବିଭାଗୀୟ କର୍ତ୍ତୃପକ୍ଷ ବା କାର୍ଯ୍ୟାଳୟ ମୁଖ୍ୟଙ୍କ ଠାରେ ଅଭିଯୋଗ ପତ୍ରଟି ବିନା ବିଚାରରେ ବର୍ଷାଧିକ କାଳ ପଡ଼ିରହିଛି। ଉପ-ଉପଧାରା (IV)କୁ ଠିକ୍‌ ଭାବରେ ନବୁଝି, ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ରୋକ୍‌ଠୋକ୍‌ ଭାବରେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହଁନ୍ତି ବୋଲି ମଧ୍ୟ ଲେଖି ଜଣାଇଛନ୍ତି।

ଏଠାରେ ଓଡ଼ିଶା ସୂଚନା ନିୟମ-୨୦୦୫ରେ ଉପଧାରା(୪)ର ଅବତାରଣା ଅପରିହାର୍ଯ୍ୟ। ଏହା ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ପ୍ରଦାନରେ ବିଳମ୍ବ ହେଲେ ଏବଂ ତାର କାରଣ ଯଦି ଜନସୂଚନା ଅଧିକାରୀଙ୍କର ନିଜ ନିୟନ୍ତ୍ରଣ ବାହାରେ ଥାଏ, ତେବେ ଜନସୂଚନା ଅଧିକାରୀ କାରଣ ଓ ପ୍ରମାଣ ସହ ବିଭାଗୀୟ ମୁଖ୍ୟଙ୍କୁ ସେ ବାବଦରେ ଅବଗତ କରିବେ। ଆବେଦନକାରୀ ମାଗିଥିବା ତଥ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେଇ ନ ପାରିବାର ଅନେକ ଦୃଷ୍ଟାନ୍ତ ରହିଛି। ତା’ ସହିତ ମଧ୍ୟ ନଜରକୁ ଆସିଛି ଯେ ଜନସୂଚନା ଅଧିକାରୀମାନେ କାର୍ଯ୍ୟାଳୟର ମୁଖ୍ୟ ବା ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅବଗତ କରାଇ ନାହାନ୍ତି। ଏହା ସୂଚନା ଅଧିକାର ଆଇନର କାର୍ଯ୍ୟାନ୍ବୟନରେ ବାଧା ଓ ସମସ୍ୟା ସୃଷ୍ଟି କରି ଚାଲିଛି।

ଜନସୂଚନା ଅଧିକାରୀଙ୍କର ମୁଖ୍ୟ ଭୂମିକା ରହିଛି ୬(୧) ଧାରାରେ। ସେଥିପାଇଁ ସୂଚନା ଅଧିକାର ଆଇନ ସମ୍ପର୍କରେ ଅବଗତ ଥିବା ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଜନସୂଚନା ଅଧିକାରୀର ଦାୟିତ୍ବ ତୁଲାଇବାକୁ ଆଇନରେ ନିର୍ଦ୍ଦେଶ ରହିଛି। ଯେତେବେଳେ ଜନସୂଚନା ଅଧିକାରୀ ୬(୧) ଧାରା ଅନୁସାରେ ଫର୍ମ- Aରେ ଦରଖାସ୍ତ ଗ୍ରହଣ କରନ୍ତି, ସୂଚନା ଦେବା ସମ୍ପର୍କରେ ନିଜେ ଧାରା ୪(୧)(ଖ)-ଉପ-ଉପଧାରା (VI) ଚିଠାରେ ମିଳାଇ ଦେଖିବା ଜରୁରୀ। ଆଇନ ଅନୁସାରେ ଧାରା-୧୧ ଓ ଧାରା ୮(୧)କୁ ବିଚାରକୁ ନେଇ ସୂଚନା ପ୍ରଦାନ କରିବେ। ଏଇ ସୂଚନା ପ୍ରଦାନ ପ୍ରକ୍ରିୟାରେ ଜନସୂଚନା ଅଧିକାରୀ ଧାରା ୬(୩)ର ପ୍ରୟୋଗ ସହିତ ଧାରା ୨(ଚ)କୁ ବିଚାରକୁ ନେଇ ନିଷ୍ପତ୍ତି ନେବେ। ଏହା ଆୟୋଗଙ୍କ ନଜରକୁ ଆସିଛି ଯେ ଧାରା- ୬(୩) ଏବ˚ ଧାରା ୨(ଚ) ଠିକ୍‌ ଭାବରେ ବିଚାରକୁ ନିଆ ଯାଇ ନ ଥିବାରୁ ସୂଚନା ପ୍ରଦାନରେ ଅହେତୁକ ବିଳମ୍ବ ଘଟି ଚାଲିଛି।

ଏଣୁ ଆଗାମୀ ଦିନରେ ଏ ସମସ୍ତ କଥାକୁ ବିଚାରକୁ ନେଇ ଏହି ଅଧିନିୟମକୁ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବାକୁ ପ୍ରାଥମିକତା ଦେବାକୁ ହେବ। ଏ ସମ୍ପର୍କରେ ବିଭାଗମାନଙ୍କୁ ବିଭିନ୍ନ ରାୟ ଜରିଆରେ ସୂଚନା ଆୟୋଗ ବାରମ୍ବାର ନିର୍ଦ୍ଦେଶ ଦେଇ ଆସିଛନ୍ତି। ନାଗରିକମାନେ ସୂଚନା ଲାଭ କରିବାରେ ଅହେତୁକ ବିଳମ୍ବ ହେବା ଅନୁଚିତ। ତାହା ହେଲେ ଏହି ଆଇନ ଦୁର୍ବଳ ‌େହାଇପଡ଼ିବ। ଏହି ଅବଲୋକନ ଅବସରରେ ଅଧିନିୟମର ଅନ୍ୟ କିଛି ଧାରା ଅବତାରଣାର ଆବଶ୍ୟକତା ରହିଛି। ସେଇ ଭିତରୁ ଧାରା ୧୫, ଉପଧାରା-୪ ହେଉଛି ମହତ୍ତ୍ବପୂର୍ଣ୍ଣ। ସେହିଥିରେ ସୂଚନା ଆୟୋଗମାନଙ୍କୁ ଆୟୋଗ ପରିଚାଳନା ପାଇଁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି। ଯାହା ବଳରେ ମୁଖ୍ୟ ସୂଚନା ଆୟୋଗ ଅନ୍ୟ ସୂଚନା ଆୟୋଗଙ୍କ ସହାୟତାରେ ସୂଚନା ଆୟୋଗକୁ ଅଧିକ ପ୍ରଭାବୀ ଅନୁଷ୍ଠାନରେ ପରିଣତ କରିପାରିବେ। ଏଇ ଧାରାର କ୍ଷମତା ଅନୁସାରେ ଆୟୋଗର କାର୍ଯ୍ୟଶୈଳୀରେ ସ୍ବଚ୍ଛତା, ପାରଙ୍ଗମତା ବୃଦ୍ଧି ପାଇବ। ପରିତାପର ବିଷୟ ଯେ ଆୟୋଗମାନଙ୍କରେ ସର୍ବୋଚ୍ଚ ଅପିଲ ପ୍ରକ୍ରିୟାରେ ୩ ବର୍ଷରୁ ଅଧିକ ପୁରୁଣା କେସ୍‌ଗୁଡ଼ିକର ଶୁଣାଣି ଚାଲିଛି। ଏଥିପାଇଁ ଆଗାମୀ ଦିନରେ ଆୟୋଗମାନଙ୍କୁ ଆହୁରି କ୍ରିୟାଶୀଳ ହେବାକୁ ପଡ଼ିବ। ବିଶେଷ କରି ୧୭ ବିନ୍ଦୁର ତଥ୍ୟ ଜନ-ପରିସରରେ ତୁରନ୍ତ ପ୍ରକାଶିତ କରାଇବା ଦିଗରେ ଉଦ୍ୟମ କରିବାକୁ ହେବ। ବାସ୍ତବ କ୍ଷେତ୍ରରେ ଆୟୋଗ ବଳିଷ୍ଠ ହେଲେ ଏବଂ ନାଗରିକମାନେ ଠିକଣା ଭାବେ ଓ ଯଥାଶୀଘ୍ର ସୂଚନା ଲାଭ କଲେ ଯାଇ ଏହି ଯୁଗାନ୍ତକାରୀ ଆଇନ ସଫଳ ହୋଇଛି ବୋଲି କହି ହେବ।

ପୂର୍ବତନ ସୂଚନା କମିଶନର
ମୋ: ୭୮୭୩୯୬୫୬୫୮

ସମ୍ବନ୍ଧିତ ଖବର