ଟ୍ରୟର ଘୋଡ଼ା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଦଶ ବର୍ଷ କାଳ ଗ୍ରୀକ୍‌ ସୈନ୍ୟ ଟ୍ରୟ ନଗରୀ ଅବରୋଧ କରି ରହିଲେ, କିନ୍ତୁ ଟ୍ରୟ ଅଧିକାର କରିପାରିଲେ ନାହିଁ। ସେଠୁ ସେମାନେ କୂଟ କଲେ। ତିନି ଦିନ ଭିତରେ ସେମାନେ ଗୋଟିଏ ଅତିକାୟ କାଠଘୋଡ଼ା ନିର୍ମାଣ କଲେ ଓ ତାର ପେଟ ଭିତରେ ତାଙ୍କର କିଛି ସୈନ୍ୟଙ୍କୁ ଲୁଚାଇ ରଖି ଟ୍ରୟର ଦୁର୍ଗ ବାହାରେ ଛାଡ଼ିଦେଲେ ଓ ଅବରୋଧ ଉଠାଇ ଫେରିଆସିବାର ଉପକ୍ରମ କଲେ। ଟ୍ରୟ ନିବାସୀଙ୍କୁ ଏ ବାର୍ତ୍ତା ବି ଦେଇଗଲେ ଯେ ଏ କାଠଘୋଡ଼ା ଟ୍ରୟର ଦେବୀ ଏଥେନାଙ୍କୁ ତାଙ୍କର ଉପହାର। ଗ୍ରୀକ୍‌ ସୈନ୍ୟ ଟ୍ରୟ ପରିତ୍ୟାଗ କଲା ପରେ, ଟ୍ରୟବାସୀ ବଡ଼ ଆନନ୍ଦରେ କାଠଘୋଡ଼ାଟିକୁ ଆଣି ଦୁର୍ଗ ଭିତରେ ରଖିଲେ ଓ ବିଜୟ ଉତ୍ସବରେ ମାତିଗଲେ। ରାତି ହେଲା। ରାତିର ଅନ୍ଧାରରେ ଘୋଡ଼ା ପେଟରୁ ବାହାରିଲେ ଲୁଚି ରହିଥିବା ଗ୍ରୀକ୍‌ ସୈନ୍ୟ ଓ ଦୁର୍ଗ ଦୁଆର ଖୋଲିଦେଲେ। ଯିବାର ଅଭିନୟ କରୁଥିବା, କିନ୍ତୁ ଯାଇନଥିବା ଗ୍ରୀକ୍‌ ସୈନ୍ୟ ଏହି ସୁଯୋଗରେ ଦୁର୍ଗ ଭିତରେ ପଶିଗଲେ ଓ ଅତର୍କିତ ଆକ୍ରମଣ କରି ଟ୍ରୟ ଅଧିକାର କରିନେଲେ। ସେଇ କାଠଘୋଡ଼ା ସେଇ ଦିନଠୁ ପରିଚିତ ହେଲା ଅନ୍ତର୍ଘାତୀ ପ୍ରତାରଣାର ଏକ ପ୍ରତୀକ ଭାବରେ। ଟ୍ରୋଜାନ୍‌ ହର୍ସ, ଟ୍ରୟର ଘୋଡ଼ା! ଆନ୍ତର୍ଜାତିକ କୂଟନୀତିରେ ଟ୍ରୟର ଘୋଡ଼ା ହୋଇ କେତେ ପ୍ରସ୍ତାବ ପାରିତ ହୁଅନ୍ତି, କେତେ ଛଳ-ବୌଦ୍ଧିକ ଓ ଛଳ-ସାମରିକ ପଦକ୍ଷେପ ନିଆଯାଏ, ତାର ବିଚାର ବେଳେ ବେଳେ ହୁଏ, କିନ୍ତୁ ଏଗୁଡ଼ିକ ଏତେ ସ୍ବାଭାବିକ ଭାବରେ ହୁଏ ଯେ ୟାକୁ ବିଚାର କରି ୟାର ମର୍ମରେ ପହଞ୍ଚିବା ପାଇଁ କାହାରି ଆଗ୍ରହ ନଥାଏ କି ଯୋଜନା ନଥାଏ। ଯେଉଁମାନେ ଟ୍ରୟର ଘୋଡ଼ା ସୂତ୍ରକୁ ବ୍ୟବହାର କରନ୍ତି, ସେମାନେ ଭିତରେ ଭିତରେ ଆଘାତ କରିଚାଲନ୍ତି, ବାହାରକୁ କିଛି ଦିଶେନାହିଁ। ଅନୁଷ୍ଠାନମାନଙ୍କ ଜରିଆରେ ନିଜର ପ୍ରତିଦ୍ବନ୍ଦ୍ବୀ ବା ଶତ୍ରୁ ରାଷ୍ଟ୍ରର ଅସ୍ତିତ୍ବ ଓ ପରାକାଷ୍ଠାକୁ କ୍ଷୁଣ୍ଣ କରିବା ରଚନା ହୋଇ ଆସେ, ବିଚାର ହୋଇ ଆସେ, ପରିସ˚ଖ୍ୟାନ ହୋଇ ଆସେ, ତର୍କ ଓ ବାଦବିସମ୍ବାଦରେ ବ୍ୟବହୃତ ହୁଏ! କିଛି ଦିନ ପରେ ଇଏ ଏମିତି ଅଭ୍ୟାସରେ ପଡ଼ିଯାଏ ଯେ ୟାକୁ ପ୍ରଶ୍ନ କରାଯାଏ ନାହିଁ। କିନ୍ତୁ ଠିକ୍‌ ସମୟରେ ୟାକୁ ଚିହ୍ନିବା ଦରକାର। ଏଭଳି ଗୋଟିଏ ସ୍ଥିତି ପ୍ରତି ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଚି।

ଏଇ ଅକ୍ଟୋବର ୧୯ ତାରିଖ (ଗତ ସୋମବାର) ଦିନ ପ୍ରକାଶିତ ହେଲା ଅଷ୍ଟ୍ରେଲିଆର ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ର ବହୁଚର୍ଚ୍ଚିତ ‘ଏସିଆନ୍‌ ପାଵାର ଇଣ୍ତେକ୍‌ସ’, ଅର୍ଥାତ୍‌ ଏସିଆର ସର୍ବାଧିକ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କର ସୂଚକାଙ୍କ। ଏ ସୂଚକାଙ୍କ ଅନୁସାରେ ଏସିଆରେ ସବୁଠୁ ପ୍ରଭାବଶାଳୀ ଆମେରିକା, ଦ୍ବିତୀୟ ସ୍ଥାନରେ ଚୀନ, ତୃତୀୟ ସ୍ଥାନରେ ଜାପାନ ଓ ଚତୁର୍ଥ ସ୍ଥାନରେ ଭାରତ। କିନ୍ତୁ କଥା ଏତିକିରେ ନାହିଁ। ୟା ସହିତ ଅଛି ତିନିଟି ବଡ଼ ଭବିଷ୍ୟତବାଣୀ। ସବୁଠୁ ବଡ଼ ଭବିଷ୍ୟତବାଣୀ ଏହି ଯେ କରୋନା ପାଣ୍ତେମିକ୍‌ (ବିଶ୍ବମାରୀ) ପରିଚାଳନାରେ ବିଫଳତା ହେତୁ ଏସିଆରେ ଆମେରିକାର ପ୍ରଭାବ କ୍ଷୁଣ୍ଣ ହୋଇଚି, ଆମେରିକାକୁ ଆଉ କେହି ସମ୍ମାନଜନକ ଦୃଷ୍ଟିରେ ଦେଖୁନାହାନ୍ତି, ସେହିଭଳି ଭାରତର ଅବସ୍ଥା ମଧୢ ସଙ୍ଗିନ, ଭାରତର ଅଣ୍ଟା ଭାଙ୍ଗିଯାଇଚି, ୨୦୩୦ ବେଳକୁ ଖୁବ୍‌ ବେଶିରେ ଭାରତ ଚୀନର ବିକାଶର ତିରିଶ ପ୍ରତିଶତରେ ପହଞ୍ଚିବ, ଏସିଆନ୍‌ ସୁପର‌୍‌ ପାଵାର ହେବାର ଭାରତୀୟ ପରିକଳ୍ପନା ବିଡ଼ମ୍ବିତ। ହଁ, ଭାରତକୁ କିଛି କୂଟନୈତିକ ଲାଭ ମିଳି ପାରିଥାଏ, କିନ୍ତୁ ତାର କିଛି ବିଶେଷ ଅର୍ଥ ନାହିଁ। ମହାମାରୀର ରାଜନୀତି, କୂଟନୀତି ଓ ଅର୍ଥନୀତିରେ ପ୍ରକୃତ ଲାଭ ମିଳିଚି ଚୀନକୁ। ଅଳ୍ପ ସମୟ ଭିତରେ ଚୀନ, ଆମେରିକାକୁ ସବୁଠୁ ବଡ଼ ପ୍ରଭାବଶାଳୀ ରାଷ୍ଟ୍ରର ଆସନରୁ ସ୍ଥାନଚ୍ୟୁତ କରିବ। ହଁ, ଚୀନ ସମଗ୍ର ବିଶ୍ବରେ ସନ୍ଦିଗ୍‌ଧ ବିବେଚିତ ହୋଇପାରିଥାଏ, କିନ୍ତୁ ସେଥିରେ ବିଶେଷ କିଛି କ୍ଷତି ହେବାର ନାହିଁ। ଅଷ୍ଟ୍ରେଲିଆର ଏହି ବିଖ୍ୟାତ ଅନୁଷ୍ଠାନ, ମୋଟ ଉପରେ ଚୀନକୁ ଏସିଆର ସବୁଠୁ ବଡ଼ ପ୍ରଭାବଶାଳୀ ରାଷ୍ଟ୍ର ଭାବରେ ଉପସ୍ଥାପନ କରି କୃତକୃତ୍ୟ। ବାହାରକୁ ଜଣାପଡ଼େ ଏ ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ ଏସିଆର ଗୋଟିଏ ବିଚାରବନ୍ତ ବୌଦ୍ଧିକ ଅନୁଷ୍ଠାନ, କିନ୍ତୁ ୟାର ଅସଲ ଚରିତ୍ର ସୋମବାରର ପାଵାର ଇଣ୍ତେକ୍‌ସରେ ଧରାପଡ଼ିଗଲା ବୋଲି ମୋର ବିଶ୍ବାସ। ଏ ଅନୁଷ୍ଠାନଟି ହୋଇପାରେ ଚୀନ ଦ୍ବାରା ସମର୍ଥିତ ଓ ପ୍ରତିଷ୍ଠିତ ଏକ ‘ଟ୍ରୟର ଘୋଡ଼ା’। ଏହିଭଳି କେତେ ଅନୁଷ୍ଠାନ ଥିବେ ବିଶ୍ବରେ ତାର ହିସାବ ଆମେ କରିନେ, କିନ୍ତୁ କରିବାର ସମୟ ଆସିଯାଇଚି। ଏ ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ ବିଷୟରେ ଟିକେ ଜାଣନ୍ତୁ ଓ ଦେଖନ୍ତୁ କିପରି ଘୋର କାଳରାତ୍ରିରେ ବି ମାଟିକାନ୍ଥରେ ସିନ୍ଧି କରି କିଭଳି ଆଧିପତ୍ୟର ତସ୍କରୀ ଚାଲିଚି।

ଏ ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପିତ କରିଥିଲେ ଜଣେ ବ୍ୟବସାୟୀ ଫ୍ରାଙ୍କ୍‌ ଲୋଵି ଏପ୍ରିଲ୍‌ ୨୦୦୩ରେ ଅଷ୍ଟ୍ରେଲିଆର ସିଡ୍‌ନିରେ। ଏ ଥିଲା ଏକ ‘ଥିଙ୍କ୍‌ ଟ୍ୟାଙ୍କ୍‌’, ଯାହାର କାମ ଆନ୍ତର୍ଜାତିକ ରାଜନୈତିକ, ବୈଚାରିକ ଓ ଅର୍ଥନୈତିକ ସମସ୍ୟା ଗୁଡ଼ିକର ବିବେଚନ କରି ମୌଳିକ, ନିର୍ଭରଯୋଗ୍ୟ, ବୌଦ୍ଧିକ ଚିନ୍ତନ ମ˚ଚ ନିର୍ମାଣ କରିବା ଓ ବିଶ୍ବରେ ଅଷ୍ଟ୍ରେଲିଆର ଅବଦାନକୁ ଅଧିକ ପ୍ରଭାବଶାଳୀ କରିବା। କିନ୍ତୁ ଏ ଲୋଵି କିଏ? ୟାଙ୍କ ଜନ୍ମ ଚେକୋସ୍ଲୋଭାକିଆରେ, ଇଏ ବଢ଼ିଲେ ହଙ୍ଗେରିରେ, ରହିଲେ ଇସ୍ରାଏଲ୍‌ରେ ଓ ସେଠୁ ଆସି ନାଗରିକ ହୋଇଗଲେ ଅଷ୍ଟ୍ରେଲିଆର। ୧୯୫୨ରେ ଛୋଟିଆ ଗୁଡ୍‌ସ୍‌ ଡେଲିଭରି କମ୍ପାନିଟିଏ ଆରମ୍ଭ କଲେ। ବଢ଼ି ବଢ଼ି େଵଷ୍ଟ ଫିଲ୍‌ଡ କଫି କ˚ପ୍ଲେକ୍‌ସ ସ୍ଥାପନ କଲେ ଓ ଅଷ୍ଟ୍ରେଲିଆର ବିତ୍ତଶାଳୀ ମହାନାୟକ ହୋଇଗଲେ। ୨୦୦୩ରେ ନୀତିବିଚାର ପାଇଁ ଯେଉଁ ଅନୁଷ୍ଠାନ ସ୍ଥାପନ କଲେ ଲୋଵି, ତା’ ପଛରେ କି ରହସ୍ୟ ଥିଲା, ଜଣାନାହିଁ, କିନ୍ତୁ ଲୋଵି ଅନୁଷ୍ଠାନର ରିପୋର୍ଟ ଗୁଡ଼ିକରେ ଚୀନ ଓ ଅଷ୍ଟ୍ରେଲିଆକୁ ଏସିଆର ପ୍ରଭାବ କ୍ଷେତ୍ରରେ ବଳଶାଳୀ କରି ଦେଖାଇବାର ପ୍ରବଣତା ଅଧିକ। ୟାବି କୁହାଯାଇପାରେ ଯେ ଏ ଅନୁଷ୍ଠାନ ଏବେ ଚୀନ ଆୟତ୍ତରେ। ୟାର ଗୋଟିଏ ପ୍ରମାଣ। ପ୍ରମାଣ ଏହି ଯେ ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ ଚୀନରେ ‘ଓପିନିଅନ୍‌ ପୋଲ୍‌’ ବା ଲୋକମତ ସର୍ଭେ କରିପାରିଥିବା ଏକ ସ˚ସ୍ଥା। ଲଙ୍କାରେ ହରିଶବ୍ଦ ଭଳି ଚୀନ୍‌ରେ ଲୋକମତ! ସେଠି ଲୋକମତ ବୋଲି କିଛି ନାହିଁ, ପାର୍ଟି ବା ସରକାର ଯାହା ଚାହିଁବେ ତାହା ହିଁ ଲୋକମତ। ଲୋଵି ଅନୁଷ୍ଠାନ ଚୀନରେ ଲୋକମତ ସ˚ଗ୍ରହ କରିବା ପାଇଁ ଅନୁମତି ପାଇବାର ଅର୍ଥ ଏ ଅନୁଷ୍ଠାନ ନିଶ୍ଚିତ ଭାବରେ ଚୀନ-କବଳିତ। ମୋର ଧାରଣା ଯେ ଏ ଅନୁଷ୍ଠାନ ଓ ଅ‌େଷ୍ଟ୍ରଲିଆ ଚୀନର ଆନ୍ତର୍ଜାତିକ ରାଜନୀତିରେ ଯଥାକ୍ରମେ ବୌଦ୍ଧିକ ଓ କୂଟନୈତିକ ଟ୍ରୟର ଘୋଡ଼ା। ଆମେରିକା ତ ଟ୍ରୟର ଘୋଡ଼ାର ମୂଳ ବେପାରୀ। ଅର୍ଥାତ୍‌ ସାରା ବିଶ୍ବର ସବୁ ନିଓ-ଲିବେରାଲ୍‌ ଅନୁଷ୍ଠାନ ବିଶ୍ବରେ ଆମେରିକାର ପ୍ରତିପତ୍ତି ନିର୍ମାଣରେ ନିୟୋଜିତ। ତା’ ପଛକୁ ଚୀନ। ଅନ୍ୟ ଭାବରେ କହିଲେ ବିଶ୍ବର ଦୁଇ ଖଳନାୟକ ଆମେରିକା ଓ ଚୀନ ଦୁର୍ବିପାକରେ ବି ଟ୍ରୟର ଘୋଡ଼ା ବ୍ୟବହାର କରିପାରନ୍ତି, ସେ ଘୋଡ଼ାର ବେପାର ବି କରିପାରନ୍ତି। ୨୦୨୦ର କରୋନା ବିଶ୍ବମାରୀର ମୁହାଁମୁହିଁ ମୁକାବିଲା କରି ଚୀନ ଏସିଆରେ ତାର ସ˚କଳ୍ପ, ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରତିପତ୍ତିର ପରିଚୟ ଦେଇଛି। ଏ କଥା ସ୍ବୀକାର କରିବାକୁ ହେବ ଯେ ଟ୍ରମ୍ପ୍‌ଙ୍କ ଶାସନ କାଳରେ ଆମେରିକାର ନିଓ-ଲିବେରାଲ୍‌ (ନବ୍ୟ ଉଦାରବାଦୀ) ସ˚ସ୍ଥାଗୁଡ଼ିକ ଦୁରଭିସନ୍ଧି ଅଭାବରୁ ତାଙ୍କର ଶାଣ ହରାଇ ବସିଚନ୍ତି ଓ ଚୀନ ତାର ସୁଯୋଗ ନେଇଚି। ମାତ୍ର ଦୁଇଦିନ ଭିତରେ ସାରା ବିଶ୍ବରେ ଲୋଵି ରିପୋର୍ଟର ଚର୍ଚ୍ଚା ହୋଇଗଲାଣି ଓ ଚୀନ ତା’ର ଦୁରଭିସନ୍ଧିରେ କୃତକାର୍ଯ୍ୟ ହୋଇଗଲାଣି। ଆମେରିକାନ୍‌ ଦୁରଭିସନ୍ଧି ଶୀତଳ ଯୁଦ୍ଧ ପରେ, କମ୍ୟୁନିଜ୍‌ମ୍‌ର ପତନ ସହିତ, ନିଷ୍ଫଳ ହୋଇଯାଇଚିି ବୋଲି କୁହାଯାଇପାରେ। ଡିମୋକ୍ରାଟ୍‌ମାନଙ୍କରେ ଉଦାରବାଦ ଓ ରିପବ୍ଲିକାନ୍‌ଙ୍କର ରାଷ୍ଟ୍ରବାଦ ଏ ଭିତରେ ଅନ୍ଧାରୀ ସୁଡ଼ଙ୍ଗରୁ ବାହାରି ଆସିଚନ୍ତି କୁହାଯାଇପାରେ। ସେଇଠି, ବିଶ୍ବକୁ କରାୟତ୍ତ କରିବାର ଚୀନା-ମହତ୍ତ୍ବାକା˚କ୍ଷା ନିଜର ପ୍ରତିଷ୍ଠା ପାଇଁ ନୂଆ ନୂଆ ସୁଡ଼ଙ୍ଗ ଖୋଳି ଚାଲିଚି ଓ କରୋନା ଭଳି ଏକ ବିଶ୍ବମାରୀରେ ବି ସେ ସୁଡ଼ଙ୍ଗଖୋଳା ଅବ୍ୟାହତ ରହିଚି। କହିପାରନ୍ତି ସତେ ଯେମିତି ବିଶ୍ବକୁ କରୋନା ଗର୍ଭକୁ ନିକ୍ଷେପ କରି ନିଜକୁ ବିଶ୍ବନିୟନ୍ତା ଭାବରେ ଉପସ୍ଥାପନ କରିବାର ଚୀନା ଦୁରଭିସନ୍ଧି କାମ କରିଚି।

ଭାରତ ସେ ଭଳି ଅନୁଷ୍ଠାନ ନିର୍ମାଣ କରିନାହିଁ। ଆମେରିକାରେ ଭାରତର ‘ଚାପ ସୃଷ୍ଟିକାରୀ ଆମେରିକାନ୍‌’ ଓ ‘ଲବିକର୍ତ୍ତା’ ମାନଙ୍କର କୌଶଳ ସ˚ପୂର୍ଣ୍ଣ ଖୋଲାମେଲା, ଲୁଚିଚି ନା ପାଦ ଦୁଇଟି ଦିଶୁଚି ଅବସ୍ଥା। ୧୯୮୩ରୁ ୨୦୧୩ ପର୍ଯ୍ୟନ୍ତ ପ୍ରାୟ ତିରିଶ ବର୍ଷ ଭିତରେ ମୁଁ ବିଶ୍ବର ପ୍ରମୁଖ ଆନ୍ତର୍ଜାତିକ ମଂଚ ଓ ଅନୁଷ୍ଠାନମାନଙ୍କରେ ଭାରତର ଭୂମିକାକୁ ନିକଟରୁ ଦେଖିଚି। ସରକାରୀ ପ୍ରତିନିଧିମାନଙ୍କୁ ଦିଆଯାଉଥିବା ସରକାରୀ ‘ବ୍ରିଫ୍‌’ ବି ଅନୁଧୢାନ କରିଚି। କୋଉଠି ବି ଏତେ ଟିକେ ମଳିଧୂଳି ନାହିଁ। ନିଜ ସପକ୍ଷରେ ମତ ସୃଷ୍ଟି କରିବାର ରଣକୌଶଳଟି ଏତେ ମାତ୍ରାରେ ପାରଦର୍ଶୀ ଯେ ଚୀନା ଓ ଆମେରିକାନ୍‌ମାନେ ସନ୍ଦେହରେ ପଡ଼ନ୍ତି ଭାରତ କରୁଚି କ’ଣ! ଦଳ ନିର୍ବିଶେଷରେ ଭାରତର ଗଣତାନ୍ତ୍ରିକ ନେତୃତ୍ବ କେବେ ବି ଅସ୍ବଚ୍ଛ ଓ ଅନୈତିକ ରଣକୌଶଳ ବ୍ୟବହାର କରିନାହିଁ। ଭାରତୀୟ କୂଟନୀତିଜ୍ଞଙ୍କ ବିଷୟରେ ଜେନେଭାର କୂଟନୈତିକ ମହଲରେ ଗୋଟିଏ ମନ୍ତବ୍ୟ ଥିଲା: ଏମାନେ ବୁଦ୍ଧିମାନ, ପାଠୁଆ, ଯୁକ୍ତିଶୀଳ ଓ ସଳଖ। ମନ୍ତବ୍ୟଟି ସୁନ୍ଦର, କିନ୍ତୁ ୟା ପଛରେ ଏ ଇଙ୍ଗିତ ବି ଥିଲା ଯେ ଏମାନେ ‘ଖେଳାଳି’ ନୁହନ୍ତି। ଆମ କୂଟନୀତିଜ୍ଞମାନେ ଏଇଥିପାଇଁ ‘ଖେଳାଳି’ ନୁହନ୍ତି ଯେ ଆମର ରାଜନୀତି ‘ଖେଳାଳି’ଙ୍କ ରାଜନୀତି ନୁହେଁ। ଗଣତନ୍ତ୍ରର ବିକାଶରେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠି ରାଷ୍ଟ୍ର ଭ୍ରଷ୍ଟ ହୋଇନାହିଁ। ବଡ଼ ଦେଶଙ୍କର ଭ୍ରଷ୍ଟ ରାଷ୍ଟ୍ରମାନେ ବିଶ୍ବକୁ କରାୟତ୍ତ କରିବା ପାଇଁ ଯେଉଁ ରଣକୌଶଳ ବ୍ୟବହାର କରୁଚନ୍ତି, ତାହା ନା ଭାରତ ଗ୍ରହଣ କରେ ନା ବ୍ୟବହାର କରେ। ଟ୍ରୟର ଘୋଡ଼ା ତିଆରି କରିବା ଏଭଳି ଗୋଟିଏ ଭ୍ରଷ୍ଟ ରଣ କୌଶଳ। ଏ କୌଶଳ ବ୍ୟବହାର କରି, ପରିସ˚ଖ୍ୟାନ ଏକାଠି କରି, ମିଛ ମତ ସ˚କଳନ କରି ଓ ବୁଦ୍ଧିମାନ ଲୋକଙ୍କ ବୁଦ୍ଧିକୁ କିଣି, ତାକୁ ବ୍ୟବହାର କରି ପ୍ରମାଣ କରି ଦିଆଯାଇପାରେ ଚୀନ୍‌ ଏସିଆର ନାୟକ ବା ଭାରତର ଅଣ୍ଟା ଭାଙ୍ଗିଯାଇଚି। ୟାର ଜବାବ ଏହି ଭାଷାରେ ହୁଏତ ଦେଇହୁଅନ୍ତା, କିନ୍ତୁ ଭାରତ ତା’ର ନିଜ ପ୍ରତିପତ୍ତି ପାଇଁ ଗଢ଼ିଥିବା ନିଓ-ଲିବେରାଲ୍‌ ଅନୁଷ୍ଠାନ କାହାନ୍ତି? ଯେଉଁ ଅନୁଷ୍ଠାନଗୁଡ଼ିକ ୧୯୬୦ରୁ ୨୦୦୦ ଭିତରେ ଗଠିତ ହୋଇଚନ୍ତି, ସେଗୁଡ଼ିକରେ ଦୁରଭିସନ୍ଧିଗ୍ରସ୍ତ ବୁଦ୍ଧିଜୀବୀ ବା କିଣା ହୋଇଥିବା ସ୍କଲାର କାହାନ୍ତି? ଯେଉଁ କିଛି ମୁଷ୍ଟିମେୟ ଅଛନ୍ତି, ସେମାନେ ନିଜର ତୁଙ୍ଗିମା ପ୍ରକଟିତ କରିବା ପାଇଁ ଅତିଉତ୍ସାହୀ ବ୍ୟକ୍ତି ବିଶେଷ ବା ଅଣଭାରତୀୟ ନିଓ-ଲିବେରାଲ୍‌ ସ˚ସ୍ଥା ଦ୍ବାରା ମାର୍କାମରା ପ୍ରାଜ୍ଞ ପୁରୁଷ। ଏମାନଙ୍କୁ କେହିି କିଣନ୍ତି ନାହିଁ, କାରଣ ଏମାନେ ଲବି ଦ୍ବାରା ଦେଶର ଛବି ବଦଳାଇବାର କଳା ଜାଣନ୍ତି ନାହିଁ। ଏବେ ଲୋଵି ଇନ୍‌ଷ୍ଟିଚ୍ୟୁଟ୍‌ର ଯେଉଁ ପ୍ରଭାବ-ବିବେଚନର ଦସ୍ତାବେଜ ଗତ ସୋମବାର ଦିନ ସାରା ବିଶ୍ବରେ ପ୍ରସରି ଗଲା, ତା’ର ଆଧାର କ’ଣ? କେଉଁ ମୁଖ୍ୟ ବିନ୍ଦୁ ଉପରେ ବିବେଚନା କରାଗଲା? ଏସିଆରେ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା ଶହେରୁ ୮୧.୬, ତା’ପରେ ଚୀନ ଶହେରୁ ୭୬.୧, ତା’ପରେ ଜାପାନ ଶହେରୁ ୪୧, ତା’ପରେ ଭାରତ ୩୯.୭।

କେମିତି? ବିଚାର ବିନ୍ଦୁଗୁଡ଼ିକ ହେଲେ: (୧) ସାମରିକ ସାମର୍ଥ୍ୟ, (୨) ଆର୍ଥିକ ସମ୍ବଳ, (୩) କୂଟନୈତିକ ଓ ସା˚ସ୍କୃତିକ ଆଧାର, (୪) ବିପର୍ଯ୍ୟୟ ସମ୍ଭାଳିବାର ଶକ୍ତି ଓ ଭବିଷ୍ୟତର ସମ୍ବଳ। ଲୋଵି ଅନୁଷ୍ଠାନ ଏ ଚାରି ବିଚାର ବିନ୍ଦୁକୁ ଯେଭଳି ଭାବରେ ବିକୃତ କରି ପ୍ରୟୋଗ କରିଚନ୍ତି ତାହା କେବଳ ଚୀନ୍‌ ଓ ଅଷ୍ଟ୍ରେଲିଆକୁ ବଡ଼ କରି ଆମେରିକା ଓ ଭାରତକୁ ଦୁର୍ବଳ ଦେଖାଇବା ପାଇଁ। ଆମେରିକା ତ ନିଜେ ଗୋଟେ ବଡ଼ ଖଳନାୟକ, ତା’ କଥା ଛାଡ଼ନ୍ତୁ। ଭାରତର ଶକ୍ତି ଆକଳନରେ ସଭ୍ୟତାର ସାମର୍ଥ୍ୟ କ୍ଷେତ୍ର କାହିଁ? ସମଗ୍ର ଏସିଆ ପରା ଅଖଣ୍ତ ଭାରତର ସା˚ସ୍କୃତିକ ସାମ୍ରାଜ୍ୟ! ଭାରତ ଯଦି କୌଣସି ଏସୀୟ ଦେଶର ସ୍ମୃତିରେ ନ ଥାଏ, ତେବେ ତାହା ଭାରତର ଦୁର୍ଭାଗ୍ୟ ଓ ସ୍ବୀକାର କରିବାକୁ ହେବ ଯେ ଅନୁଷ୍ଠାନ ଗଢ଼ିବାରେ ଭାରତର ବିଫଳତା। ଏପରିକି ଚୀନ୍‌ର ବୌଦ୍ଧିକ ବିଚାର ଓ ସଭ୍ୟତା ତଥା ଧର୍ମଧାରା ଭାରତର ଗୂଢ଼ ଅବଦାନ। ପ୍ରଫେସର‌୍‌ ନାକାମୁରା (େଵ ଅଫ୍‌ ଥିଙ୍କିଙ୍ଗ୍‌ ଅଫ୍‌ ଏସିଆନ୍‌ ପିପ୍ଲ) ଜଣେ ଜାପାନୀ ଦାର୍ଶନିକ, ତାଙ୍କର ତ ମୁଖ୍ୟ ବକ୍ତବ୍ୟ ଏଇଆ ଯେ ନୋ ଇଣ୍ତିଆ, ନୋ ଏସିଆ! ବିନା ଭାରତରେ ଏସିଆର କଳ୍ପନା ବି ସମ୍ଭବ ନୁହେଁ। ଚୀନ୍‌ ସ୍ବୟ˚ ଜାଣେ ଯେ ମାଓ ଚୀନ୍‌ର ସମଗ୍ର ବୌଦ୍ଧିକ ପର˚ପରାକୁ ଧ୍ବ˚ସ କରିଦେଲା ପରେ ସଶସ୍ତ୍ର ବିପ୍ଳବର ଲୋହିତ ପତାକା ଓ ପାର୍ଟି ପରିଚାଳିତ ଛଦ୍ମ ରାଷ୍ଟ୍ର ବ୍ୟତୀତ ତା’ର ଆଉ କୌଣସି ଅବଦାନ ବଞ୍ଚିନାହିଁ। ମୋର ଦୃଢ଼ ଧାରଣା ଯେ ଅଷ୍ଟ୍ରେଲିଆକୁ ବ୍ୟବହାର କରି ଚୀନ୍‌ ତା’ର ସ୍ଥାନ ନିରୂପଣ କରିବାକୁ ଚାହେଁ। ଏବେ ଭାରତ ସାଗରରେ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ଯେଉଁ ସମରାଭ୍ୟାସ କରିବେ, ସେଥିରୁ ଲାଗୁ ଥାଇପାରେ ଯେ ଅଷ୍ଟ୍ରେଲିଆ ଭାରତ ପକ୍ଷରେ। କିନ୍ତୁ ତାହା ହେବାର ନାହିଁ। ଲୋଵି ଅନୁଷ୍ଠାନ ହେଉ ବା ଅଷ୍ଟ୍ରେଲିଆ ହେଉ, ଏମାନେ ଟ୍ରୟର ଘୋଡ଼ା ହୋଇପାରନ୍ତି। କଳ୍ପନା କରନ୍ତୁ ଅଷ୍ଟ୍ରେଲିଆର ଭୂମି ଉପରେ ତା’ର ସ˚ପୂର୍ଣ୍ଣ ସାର୍ବଭୌମତ୍ବ ବି ନାହିଁ। ୧୩ ପ୍ରତିଶତ ଭୂମି ଅନ୍ୟ ରାଷ୍ଟ୍ରମାନଙ୍କ କବଳରେ। ଚୀନ୍‌ ଅଧିକାରରେ ୯.୨ ମିଲିଅନ୍‌ ହେକ୍ଟର ଜମି (ପ୍ରାୟ ଦୁଇ ପ୍ରତିଶତ)। ଭାରତର ନା ସେଭଳି ମାଲିକାନା ଅଛି ନା କେବେ ରହିବ। ଭାରତ ବେପାରୀ ଦେଶ ନୁହେଁ। ୟାକୁ ବେପାର ବୁଦ୍ଧି ପ୍ରୟୋଗ କରି ଛୋଟ କରି ଦେଖାଇବା ସହଜ। ଆମର ନା ପ୍ରତିରୋଧ ଅଛି ନା ପ୍ରତିକ୍ରିୟା। କିନ୍ତୁ କାହିଁକି ପ୍ରକୃତ ପ୍ରଭାବ- ଅନୁଧୢାନ ପାଇଁ ଭାରତୀୟ ଅନୁଷ୍ଠାନମାନେ ବିଚାର ବିନ୍ଦୁ ବିକଶିତ କରି ଭାରତର ଉତ୍କର୍ଷ ସ୍ଥାପନ କରିପାରିବେ ନାହିଁ? ଯିଏ ଟ୍ରୟର ଘୋଡ଼‌ା ବେପାର କରେ ସିଏ କରୁଥାଉ। କିନ୍ତୁ ଯେବେ ଯେବେ ଭାରତର ମାନ ହ୍ରାସ ହେବ, ସେବେ ସେବେ ଭାରତକୁ ତା’ର ବୌଦ୍ଧିକ ଅସ୍ତ୍ରାଗାରରୁ ଅସ୍ତ୍ର ବାଛି ପ୍ରୟୋଗ କରିବାକୁ ପଡ଼ିବ! ତା’ ନକଲେ ବିଶ୍ବରେ ମହାମାରୀ ସୃଷ୍ଟି କରି, ପୁଣି ମହାମାରୀକୁ ବ୍ୟବହାର କରିପାରିଥିବା ପ୍ରଭାବଶାଳୀ ଦେଶର ପ୍ରତିଷ୍ଠା ନେଇ ଚୀନ୍‌ ଖସିଯିବ, ଆମେ ଏକ ବିଶାଳ ସଭ୍ୟତାର ନଷ୍ଟଭୂମିରେ ଅସ୍ତିତ୍ବ ହରେଇ ବସିଥିବା। ଶାନ୍ତିକାମୀ, ସନ୍ଥ ରାଷ୍ଟ୍ରର ବ୍ୟକ୍ତିତ୍ବରେ ଆକ୍ରାମକତା ବି ଲୋଡ଼ା, କ୍ରୋଧ ବି ନିର୍ମାଣ ପାଇଁ ଜରୁରୀ।
ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର