‘ଭିଗାନିଜମ’ ମାତ୍ରାଧିକତାର ନିଦର୍ଶନ କି?

ଜୀବନଶୈଳୀ

ପାରଂପରିକ ଭାବେ ମନୁଷ୍ୟର ଖାଦ୍ୟ ଅଭ୍ୟାସ ଦୁଇ ଭାଗରେ ବିଭକ୍ତ- ମାଂସାହାରୀ ଓ ଶାକାହାରୀ ବା ଲୋକପ୍ରିୟ ଇଂରେଜୀରେ ‘ନନ୍‌ ଭେଜ୍‌’ ଏବଂ ‘ଭେଜ୍‌’। ହେଲେ ଏହି କିଛି କାଳ ହେଲା ଆଉ ଏକ ନୂତନ ଖାଦ୍ୟର ଧାରା ବାହାରିଛି, ଯାହାର ଅନୁସରଣକାରୀଙ୍କୁ ଇଂରେଜୀରେ କୁହାଯାଉଛି ‘ଭିଗାନ୍‌’ ଏବଂ ଏମାନଙ୍କ ଖାଦ୍ୟ ପରଂପରା ହେଉଛି ‘ଭିଗାନିଜମ୍’। ଏହି ଧାରାର ଲୋକେ କେବଳ ଶାକାହାରୀ ନୁହନ୍ତି, ଏମାନେ ଦୁଗ୍‌ଧ ବା ଦୁଗ୍‌ଧଜାତ ଦ୍ରବ୍ୟ, ଏପରିକି ମହୁକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ। ଏମାନେ ଚମଡ଼ାରୁ ତିଆରି ପୋଷାକପତ୍ର ବା ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ।

ଏବେ ପୃଥିବୀରେ ଭିଗାନ୍‍ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ଛଅ ବର୍ଷ ମଧ୍ୟରେ ଭିଗାନ୍‍ଙ୍କ ହାର ୧% ରୁ ବୃଦ୍ଧି ପାଇ ୬%ରେ ପହଞ୍ଚିଲାଣି। ସେହିପରି ଗ୍ରେଟ୍ ବ୍ରିଟେନ୍‍ରେ ୨୦୦୮ ସୁଦ୍ଧା ଛଅ ଲକ୍ଷରୁ ଅଧିକ ଲୋକ ନିିଜକୁ ଭିଗାନ୍ ବୋଲି ଘୋଷଣା କରିସାରିଥିଲେ। ‘ଗୁଗୁଲ୍ ଟ୍ରେଣ୍ଡ୍‌’ର ପରିସଂଖ୍ୟାନ କହେ ଯେ ଭାରତରେ ମଧ୍ୟ ଭିଗାନ୍‍ଙ୍କ ସଂଖ୍ୟା ବିଶ୍ବ ଧାରା ସହ ତାଳ ଦେଇ ବଢ଼ିଚାଲିଛି।

କିନ୍ତୁ ଦେଖାଯାଉଛି ଯେ ‘ଭିଗାନିଜମ’ର ଉଗ୍ର ସମର୍ଥକମାନଙ୍କ ମାତ୍ରାଧିକ ପ୍ରଚାରଧର୍ମୀ ମନୋଭାବ ହେତୁ ଆମିଷାଶୀ ବର୍ଗର ଲୋକଙ୍କ ସହିତ ସେମାନଙ୍କ ତୀବ୍ର ମତାନ୍ତର ଏପରିକି ସଂଘର୍ଷ ଘଟୁୁଛି। ‘ଭିଗାନିଜମ’ ଗୋଟିଏ ପ୍ରକାର ମାତ୍ରାଧିକତାର ନିଦର୍ଶନ ବୋଲି ଗୋଟିଏ ପକ୍ଷ କହୁଥିବା ବେଳେ ଏହାର ସମର୍ଥକମାନେ କହନ୍ତି ଏହା ଉତ୍ତମ ସ୍ବ‌ାସ୍ଥ୍ୟ ଲାଗି ଜରୁରୀ ହୋଇଥିବା ବେଳେ ପଶୁମାନଙ୍କ ପ୍ରତି ନିଷ୍ଠୁର ମନୋଭାବର ପରିପନ୍ଥୀ ହୋଇଥିବାରୁ ଏହା ଅଧିକ ମାନବବାଦୀ। ତେବେ ଏହି ନୂତନ ଖାଦ୍ୟାଭ୍ୟାସ ପରଂପରାର ଭବିଷ୍ୟତ୍‌ କ’ଣ ହେବ, ତାହା କେବଳ ସମୟ ହିଁ କହିବ।

ସମ୍ବନ୍ଧିତ ଖବର